spot_img
Home Blog Page 1408

‘ଦାନା’ ଦେଇଗଲା ଅସୁମାରୀ ଦୁଃଖ: ଉଡ଼ାଇଲା ଛପର, ବୁଡ଼ାଇଲା ଦାନା

ଭୁବନେଶ୍ବର: ଦାନା ବୁଡାଇଲା ବର୍ଷକର ଦାନାପାଣି । ଏବେ ଅସୁମାରୀ ଦୁଃଖରେ ଚାଷୀ । ବାଲେଶ୍ବରରୁ ଭଦ୍ରକ, କେନ୍ଦ୍ରାପଡାରୁ କେନ୍ଦୁଝର ସବୁଠି ବାତ୍ୟା ଜନିତ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ସେପଟେ କାଂଶବାଂଶ ନଦୀରେ ଜଳସ୍ତର ବଢ଼ି ଗାଁକୁ ପାଣି ପଶୁଛି । ବୁଢ଼ାବଳଙ୍ଗ ନଦୀରେ ବି ସମାନ ସ୍ଥିତି । ବାରିପଦା ସହରବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବାତ୍ୟା ଦାନା ଦେଇଯାଇଛି ଅସୁମାରୀ ଦୁଃଖ । ମୁଣ୍ଡରୁ ଉଡାଇ ନେଇଛି  ଛପର । ବର୍ଷକର ଦାନାରେ ଭରିଦେଇଛି ପାଣି । ବାଲେଶ୍ବର ରେମୁଣା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲୋଟିଛି ସୁନାର ଫସଲ । ପରିବା କ୍ଷେତରେ ୬ ଫୁଟ ଉଚ୍ଚର ପାଣି । ହଳଦିଆ ପଡ଼ିଗଲାଣି ପତ୍ର । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଭୋଗରାଇ, ଜଳେଶ୍ବର ଓ ନୀଳଗିରି ବ୍ଲକରେ ବି ସମାନ ପରିସ୍ଥିତି । ସେପଟେ କାଂଶବାଂଶ ନଦୀର ଜଳସ୍ତର ବଢ଼ି ଅନେକ ଗାଁକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଗଣ୍ଡିବେଡ଼ ମାର୍କୋଣା ଆନନ୍ଦପୁର ନିକଟରେ ରାସ୍ତା ଉପରେ ଚାଲିଛି ପାଣି । ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ଖଇରା ଓ ଔପଦା ବ୍ଲକର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି l ବାଉରିପଦାର ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।

ବାତ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡ଼ି, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଆଦି ଅଞ୍ଚଳରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ଭାଙ୍ଗିଯାଇଛି ଘର, ଉଜୁଡି ଯାଇଛି ସୁନାର ଫସଲ । ବର୍ଷକ ଯାକର ପେଟପାଟଣା ଚିନ୍ତାରେ ଏବେ ଚାଷୀ । ସେପଟେ ଆରଡିରେ ଲଗାଣ ବର୍ଷା ଯୋଗୁଁ ଆଖଣ୍ଡଳମଣିଙ୍କ ରୋଷଶାଳା ଛାତରୁ ଖସିଛି ପ୍ଲାଷ୍ଟର ଖଣ୍ଡ । ଯାଜପୁର ବିଞ୍ଝାରପୁରରେ ବି ସୀମା ଲଂଘିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସମ୍ପୂର୍ଣ୍ଣ ଧାନ ଫସଲ । ହେଲେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନଥିବା ହୋଇଛି ଅଭିଯୋଗ । ବଡ଼ଚଣା ବ୍ଲକରେ ବି ଏକର ଏକର ବିରି ଫସଲ ସହ ପନିପରିବା ଚାଷ ହୋଇଛି ପ୍ରଭାବିତ ।

ବର୍ଷା ଓ ପବନ ଯୋଗୁଁ କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି ଭାଙ୍ଗି ଯାଇଛି । ହାଟଡ଼ିହି ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଓ ଶିମିଳିପାଳ ଜଙ୍ଗଲରେ ବର୍ଷା ଲାଗି ରହିଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତରକୁ ଲକ୍ଷ କରି ବାରିପଦା ସହରର ତଳି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପରିଷଦ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ ହୋଇଛି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହିତ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭିତରକନିକା ହବାଳିଖଟିରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ ଗୁଡ଼ିକ ଭାଙ୍ଗି ଛାରଖାର ହୋଇଯାଇଛି । ୪ଦିନ ହେବ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ରାଜନଗର ଅନ୍ଧାରରେ ରହିଛି । ସାତଭାୟାର ବଗପାଟିଆ, ଚାରିଘରିଆର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭାରତୀୟ ନୌସେନା ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ବଗପାଟିଆ ଓ ଚାରିଘରିଆ ଗାଁରେ ପହଁଞ୍ଚି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଥିବା ବେଳେ ବାତ୍ୟା ପରିଚାଳନାରେ ସରକାର ଫେଲ୍ ମାରିଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି । ତୁରନ୍ତ ବାତ୍ୟା ବିପନ୍ନଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଯେଉଁ କର୍ମଚାରୀମାନେ ଦିନରାତି ଏକ କରି ବାତ୍ୟା ସମୟରେ ଲୋକମାନଙ୍କ ପାଇଁ କାମ କରୁଥିଲେ ସେଇମାନଙ୍କୁ ନିଲମ୍ବିତ କରି ସରକାର କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

 

ମୁହଁରୁ ଦାନା ଛଡ଼ାଇ ନେଲା ‘ଦାନା’: ଭାଙ୍ଗିଛି ଘର, ଉଜୁଡ଼ିଛି ଫସଲ

ବାଲେଶ୍ବର: ବାତ୍ୟା ‘ଦାନା’ ଯାଇଛି । ହେଲେ ଲୋକଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି । ପବନ ଓ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବାଲେଶ୍ବର ଜିଲ୍ଲାର ହଜାର ହଜାର ହେକ୍ଟର ପରିବା ଓ ଧାନ ବିଲରେ ଲହଡ଼ି ଭାଙ୍ଗୁଛି ପାଣି । ଚାଷୀ ପରିବା ତୋଳିବ କ’ଣ, କ୍ଷେତକୁ ଯିବାକୁ ଡରୁଛି । ବାଲେଶ୍ବରରେ ଚାଷକୁ ଉଜାଡି ଦେଇଛି ଦାନା । ସେପଟେ ସରକାର କହିଛନ୍ତି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ । ହେଲେ ସରକାରୀ କଳର ସହାୟତା କ’ଣ ଚାଷୀର କ୍ଷତିକୁ ଭରଣା କରିପାରିବ ?

ପରିବା କ୍ଷେତରେ ଲହଡ଼ି ଭାଙ୍ଗୁଛି ୬ ଫୁଟ ଉଚ୍ଚାର ପାଣି । ପାଣିରେ ବୁଡ଼ି ହଳଦିଆ ପଡ଼ିଗଲାଣି ଗଛର ପତ୍ର । କଲରା ତୋଳିବାକୁ ଯିବାକୁ ଡରୁଛନ୍ତି ଚାଷୀ । କେବଳ କଲରା ମଞ୍ଚା ନୁହେଁ । କୁନ୍ଦୁରି,ପୋଟଳ, ଜହ୍ନି ମଞ୍ଚା ବି ପାଣିରେ ଭାସୁଛି । ବାଇଗଣ, ଭେଣ୍ଡି, ଲଙ୍କା, ବୋଇତାଳୁ ଗଛ ଦେଖା ଯାଉନି । ରେମୁଣା ବ୍ଲକ୍ ପତ୍ରିପାଳ, ମାହାନ୍ତିପଡ଼ା, ବଡ଼ପାଳ, ହରିପୁର, ମନ୍ଦାରପୁର ଆଦି ଗାଁର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ସମାନ ସ୍ଥିତି ଦେଖିବାକୁ ମିଳିଛି ଧାନ ଚାଷୀଙ୍କର । ବାତ୍ୟା ଓ ଲଗାଣ ବର୍ଷାରେ ବୁଡ଼ି ଯାଇଛି ଧାନବିଲ । କ୍ଷେତରେ ଏବେ ଧାନରେ ଥୋଡ଼ ଆସିଛି । ପବନ ବାଜିଥିଲେ ଧାନ ଫଳିଥାନ୍ତା । ୩ ଦିନ ହେଲା ବିଲରେ ଆଉ ଧାନଗଛ ଦେଖାଯାଉ ନାହିଁ । ସବୁଆଡ଼େ ଖାଲି ପାଣି ଆଉ ପାଣି ।

ଗତ ୨୪ ତାରିଖରୁ ବାଲେଶ୍ବର ଜିଲ୍ଲାରେ ବର୍ଷା ଲାଗି ରହିଛି । ଔପଦା ବ୍ଲକରେ ସର୍ବାଧିକ ୨୪୦ ମି.ମି. ବର୍ଷା ହୋଇଥିବାବେଳେ, ରେମୁଣା ବ୍ଲକରେ ୮୫ ମି.ମି. ଓ ବାଲେଶ୍ବର ସଦର ବ୍ଲକରେ ୯୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ହେଲେ ବାସ୍ତବରେ ପ୍ରାୟ ୧୦ ହଜାର ହେକ୍ଟର ଚାଷଜମି ବାତ୍ୟା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ପ୍ରଶାସନ ତରଫରୁ କୃଷି, ହର୍ଟିକଲଚର, ପଶୁପାଳନ ସମେତ ସମସ୍ତ ବିଭାଗକୁ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବାତ୍ୟା ସମୀକ୍ଷା ବୈଠକକୁ କେନ୍ଦ୍ରାପଡ଼ା ବିଧାୟକଙ୍କୁ ଡାକିଲେ ନାହିଁ

କେନ୍ଦ୍ରାପଡ଼ା: ବାତ୍ୟା ସମୀକ୍ଷା ବୈଠକକୁ ଦଳୀୟ ବୈଠକରେ ପରିଣତ କରିଛି ବିଜେପି । ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକକୁ  ସ୍ଥାନୀୟ ବିଧାୟକଙ୍କୁ ଡକାଯାଉନି । କେନ୍ଦ୍ରାପଡ଼ାରେ ଉପମୁଖମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ କରିଥିବା ବେଳେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରାଙ୍କୁ ଡାକିନାହିଁ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ।

ଗଣେଶ୍ବର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ଦୃଢ଼ ସମାଲୋଚନା କରିବା ସହ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଦଳୀୟ ବିଚାରରୁ ଊର୍ଦ୍ଧ୍ବରେ ରୁହନ୍ତୁ । ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ବୈଠକ ଡାକିଥିଲେ । ବୈଠକର କିଛି ସମୟ ପୂର୍ବରୁ ଫିଲ୍ଡ ପରିଦର୍ଶନ ପାଇଁ ବୈଠକକୁ ବାତିଲ୍ କରାଯାଇଥିଲା । ଗତକାଲି ଉପମୁଖମନ୍ତ୍ରୀ ପୁଣି ଥରେ ବାତ୍ୟା ସମୀକ୍ଷା ବୈଠକ ଡାକିଥିଲେ । ଯେଉଁଥିରେ ସରକାରଙ୍କ ତରଫରୁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ଆଇପିଏଓ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଏସପି ଏବଂ ଜିଲ୍ଲାସ୍ତରୀୟ ଅଫିସର ସାମିଲ୍ ହୋଇଥିଲେ । ଜିଲ୍ଲା ସ୍ତରୀୟ ଅଫିସରଙ୍କ ସହିତ ବିଜେପି ଦଳର କର୍ମକର୍ତ୍ତା ଓ  ମହାକାଳପଡ଼ାର ଜଣେ ବିଜେପି ବିଧାୟକ ମଧ୍ୟ ରହିଥିଲେ । ହେଲେ ମୋତେ ବୈଠକକୁ ଡକାଗଲାନାହିଁ ।

ଆଗକୁ ସେ କହିଛନ୍ତି, ବାତ୍ୟା କେବଳ ବିଜେପି ଦଳର ନୁହଁ । କୌଣସି ବି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତଙ୍କୁ ସାମିଲ୍ କରିଯିବା ଉଚିତ୍ । ଏକତରଫା ଭାବେ ଦଳୀୟ ନେତାଙ୍କୁ ନେଇ ବୈଠକରେ ସରକାରୀ ରିଭ୍ୟୁ କରିବା ଗ୍ରହଣୀୟ ନୁହେଁ । ସରକାର ପକ୍ଷପାତିତାଠାରୁ ଦୂରରେ ରୁହନ୍ତୁ । ଯଦି ସରକାର ଏହାର ସଂଶୋଧନ ନ କରନ୍ତି ତେବେ ରାଜରାସ୍ତାରେ ପ୍ରତିବାଦ କରାଯିବ ବୋଲି ବିଧାୟକ କହିଛନ୍ତି ।

ଛଟେଇ ପ୍ରତିବାଦରେ ବଲାଙ୍ଗୀର କଲେଜ ଓ ହସ୍ପିଟାଲରେ ଉତ୍ତେଜନା

ବଲାଙ୍ଗୀର: ବିନା କାରଣରେ ୧୬୭ ସଫେଇ ଓ ସୁରକ୍ଷା କର୍ମୀଙ୍କୁ ଛଟେଇ । ଯାହାକୁ ନେଇ ବଲାଙ୍ଗୀର ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରକାଶ ପାଇଛି ଉତ୍ତେଜନା । ଛଟେଇ ପ୍ରତିବାଦରେ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କୁ ଘେରିଛନ୍ତି ଅଭିଯୋଗକାରୀ । ୨ ଘଣ୍ଟାରୁ ଅଧିକ ସମୟ ଧରି ମେଡିକାଲ ସୁପରିଟେଣ୍ଡେଣ୍ଟକୁ ଅଟକ ରଖିବା ସହ ଠେଲାପେଲା କରିଥିଲେ ସଫେଇ ଓ ସୁରକ୍ଷାକର୍ମୀ I

ଖବର ପାଇ ଟାଉନ୍ ଥାନା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଠିକା ସଂସ୍ଥା ମାଧ୍ୟମରେ ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ ନିଯୁକ୍ତି ପାଇଥିଲେ । ସେମାନଙ୍କର ଆଉ ୪ ମାସ ପରେ ଚୁକ୍ତି ସରିବ । ହେଲେ ମେଡିକାଲ ସୁପରିଟେଣ୍ଡେଣ୍ଟ ଅନ୍ୟ ଏକ ଠିକା ସଂସ୍ଥା ସହ ଚୁକ୍ତି କରି ଶହ ଶହ କର୍ମଚାରୀଙ୍କୁ ଛଟେଇ କରି ଦେଇଛନ୍ତି । ନିଯୁକ୍ତି ସମୟରେ ଠିକା ସଂସ୍ଥା କର୍ମଚାରୀଙ୍କଠାରୁ ଜଣକ ପିଛା ୭୦ ହଜାର ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ କରିଛନ୍ତି କରିଛନ୍ତି ଏହି କର୍ମଚାରୀମାନେ । ଲକ୍ଷାଧିକ ଟଙ୍କା ନେଇ ନୂତନ ସଂସ୍ଥା ସହ ମେଡିକାଲ କର୍ତ୍ତୃପକ୍ଷ ଚୁକ୍ତି କରିଥିବା ଅଭିଯୋଗ କରିଛନ୍ତି ଠିକା କର୍ମଚାରୀ । ସେପଟେ ଠିକା କର୍ମଚାରୀ ଅଭିଯୋଗକୁ ଅସ୍ଵୀକାର କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ରିଲିଫ ରାଜନୀତି: ଗେରୁଆ କୋଠାରେ ରିଲିଫ୍ ରଖି ଦଳୀୟ ଭିତ୍ତିରେ ବାଣ୍ଟା ଯାଉଛି !

ଧାମରା: ବାତ୍ୟା ଯିବା ପରେ ରିଲିଫକୁ ନେଇ ରାଜନୀତି ଆରମ୍ଭ । ପଞ୍ଚାୟତ କାର୍ଯ୍ୟଳୟ ଥିଲେ ବି ଏକ ଗେରୁଆ କୋଠାରେ ରିଲିଫ୍ ସାମଗ୍ରୀ ରଖାଯାଇ ଦଳୀୟ ଭିତ୍ତିରେ ବାଣ୍ଟା ଯିବାକୁ କରାଯାଉଛି ଉଦ୍ୟମ । ଏହାର ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ଧମକ ଦିଆଯିବା ସହ ତୁରନ୍ତ ଜାଗା ଛାଡି ଚାଲିଯିବାକୁ ଦିଆଗଲା ଚେତାବନୀ ।

ଏମିତି ଘଟଣା ଦେଖିବାକୁ ମିଳିଛି ଧାମରାରେ । ଏକ ନିର୍ଦ୍ଦିଷ୍ଟ ଦଳର କାର୍ଯ୍ୟାଳୟରେ ବାତ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ରଖିବା ଅଭିଯୋଗ ହୋଇଛି । ଧାମରା ବଜାରରେ ଥିବା ଗେରୁଆ ରଙ୍ଗର ଏକ ଘରେ ସରକାରୀ ରିଲିଫ ରହିବା ଅଭିଯୋଗ ହୋଇଥିଲା । ଯାହାର ଖବର ସଂଗ୍ରହ କରିବାକୁ ଘଟଣା ସ୍ଥଳରେ ପହଞ୍ଚି ଥିଲା ନନ୍ଦିଘୋଷ ଟିମ୍ । ଅଭିଯୋଗ ସତ ଥିଲା । ଏକ ଦଳୀୟ କାର୍ଯ୍ୟାଳୟରେ ରିଲିଫ ସାମଗ୍ରୀ ରଖାଯାଇଥିଲା । ଯାହାକୁ ନେଇ ପ୍ରଶ୍ନ କରାଯିବା ପରେ ରିଲିଫ ସାମଗ୍ରୀ ଦାୟିତ୍ବରେ ଥିବା ଲୋକେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।

ସେଠାରେ ଉପସ୍ଥିତ ଉକ୍ତ ଦଳର କିଛି କର୍ମୀ ଖବର ସଂଗ୍ରହ ପାଇଁ ଯାଇଥିବା ନନ୍ଦିଘୋଷ ଟିଭିର ପ୍ରତିନିଧିଙ୍କୁ କହିଥିଲେ, ପଞ୍ଚାୟତ କାର୍ଯ୍ୟାଳୟ ନ ଥିବାରୁ ଆମେ ଏଇଠି ରଖୁଛୁ ।ଏହାସହ ଦଳୀୟ କର୍ମୀମାନେ ନିନ୍ଦିଘୋଷ ଟିମ ସାମ୍ବାଦିକଙ୍କ ସହ ପାଟିତୁଣ୍ଡ କରିବା ସହିତ ଆମ ସରକାର, ଆମ ରିଲିଫ, ଆମ ପାଖରେ ରହିବ ବୋଲି କହିଥିଲେ । ଆଉ ଉକ୍ତ ଜାଗା ଛାଡି ତୁରନ୍ତ ଚାଲିଯିବାକୁ ଧମକ ଦେଇଥିଲେ ।

ଅନ୍ୟପକ୍ଷରେ ଦଳୀୟ ଭିତ୍ତିରେ ରିଲିଫ ଦେବା ଉଦ୍ୟମକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦଳୀୟ କାର୍ଯ୍ୟାଳୟରେ ରିଲିଫ ରଖିବା ନେଇ ଧାମରା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପୁଣେ ଟେଷ୍ଟ ହାରିଲା ଟିମ୍ ଇଣ୍ଡିଆ, ୨-୦ରେ ସିରିଜ୍ ହାତେଇଲା ନ୍ୟୁଜିଲାଣ୍ଡ

ପୁଣେ: ଦ୍ବିତୀୟ ଟେଷ୍ଟରେ ବି ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୧୧୩ ରନରେ ପରାସ୍ତ ହୋଇଛି ଭାରତୀୟ କ୍ରିକେଟ୍ ଟିମ୍ । ଦ୍ବିତୀୟ ଇନିଂସରେ ଭାରତ ଆଗରେ ୩୫୯ ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଭାରତ ୨୪୫ ରନ୍ କରି ଅଲଆଉଟ୍ ହୋଇଯାଇଛି । ଏହି ପରାଜୟ ସହ ଭାରତ ତିନିଟିକିଆ ଟେଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ ୨-୦ରେ ଜିତି ନେଇଛି । ଜୟସ୍ଵାଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବାକି ସମସ୍ତେ ଫେଲ୍ ମାରିଛନ୍ତି । ନ୍ୟୁଜିଲାଣ୍ଡର ସ୍ପିନ୍ ବୋଲିଂରେ ଭାରତ ଧରାଶାୟୀ ହୋଇଛି । ପ୍ରଥମ ଇନିଂସରେ ଦଳ ୧୫୬ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ଓ ଦ୍ଵିତୀୟ ଇନିଂସରେ ୨୫୫ ରନ୍ କରିଥିଲା । ପୁଣେରେ କିୱି ଦଳର ସ୍ପିନ୍ ଯାଦୁ ଚାଲିଛି ।

୩୫୯ ରନର ବିଜୟ ଲକ୍ଷ୍ୟ ନେଇ ଫିଲ୍ଡକୁ ଓହ୍ଲାଇଥିବା ଭାରତ ପ୍ରଥମ ଇଂନିଂସ ପରି ଦ୍ବିତୀୟ ଇନିଂସରେ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜୟସ୍ବାଲ ୭୭ ରନ୍ କରିଥିବା ବେଳେ ଅନ୍ୟତମ ଓପ୍ନର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ରୋହିତଙ୍କ ପରେ କ୍ରିଜକୁ ଆସିଥିବା ଶୁଭମନ ଗିଲ୍ ୩୧ ବଲରୁ ୨୩ ରନ୍ କରିଥିଲେ ବି ବେଶି ସମୟ ତିଷ୍ଟି ପାରି ନଥିଲେ । ଗିଲଙ୍କ ପରେ ପରେ ବିରାଟ ମାତ୍ର ୧୭ ରନ୍ ବ୍ୟାଭିଲିୟନକୁ ଫେରି ଆସିଥିଲେ । ରିଷଭ ପନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଓ୍ବାସିଂଟନ ସୁନ୍ଦର ୯ ରନ୍ କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୪୨ ରନ୍ କରିଥିଲେ ବି ଅନ୍ୟ କେହି ତାଙ୍କୁ ସାଥ ଦେଇ ନଥିଲେ । ଅଶ୍ବିନୀ ୧୮ ଏବଂ ଆକାଶ ଦୀପ ଏକ ରନ୍ କରି ଆଉଟ ହୋଇଯାଇଥିଲେ । ବୁମ୍ରା ୧୦ ରନ୍ କରି ନଟ ଆଉଟ ରହିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ପୁଣି ଥରେ ସ୍ପିନର ମିଚେଲ ସାଣ୍ଟନରଙ୍କ ଯାଦୁ ଦେଖିବାକୁ ମିଳିଥିଲା । ସେ ୨୯ ରନ୍ ଦେଇ ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିଥିଲେ । ପଟେଲ ଦୁଇଟି ଏବଂ ଫିଲିପ୍ସ ଗୋଟିଏ ଓ୍ବିକେଟ୍ ନେଇଥିଲେ ।

ରାଜ୍ୟପାଳଙ୍କୁ ଚେତାଇଲା କଂଗ୍ରେସ: ରାଜନୀତିରୁ ଦୂରେଇ ରୁହ, ନହେଲେ ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ଚେତାଇ ଦେଇଛି କଂଗ୍ରେସ । ରାଜ୍ୟପାଳ ରାଜନୀତିରୁ ଦୂରେଇ ରହନ୍ତୁ । ଝାଡ଼ଖଣ୍ଡ ରାଜନୀତିରେ ମାତନ୍ତୁ ନାହିଁ । ନ ହେଲେ ସାରା ଦେଶରେ କଂଗ୍ରେସ କରିବ ଆନ୍ଦୋଳନ ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି l ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଛନ୍ତି l ତେଣୁ ଓଡ଼ିଶାର ରାଜ୍ୟପାଳ ଝାଡ଼ଖଣ୍ଡ ରାଜନୀତିରୁ ଦୂରେଇ ରୁହନ୍ତୁ । ରାଜଭବନରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ l ରାଜଭବନରେ ବସି ନିର୍ବାଚନ ପରିଚାଳନା କଲେ l ଶୁକ୍ରବାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପି ଷ୍ଟାର କ୍ୟlପେନର ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନା ରହିଛି l ଏହା ରାଜନୀତି ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ପୂର୍ବରୁ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ l ଓଡ଼ିଶାରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଓ ପ୍ରତିବାଦ କରାଯାଇଛି l ରାଷ୍ଟ୍ରପତିଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି l ଯେଉଁ ବିଜେପି ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଲା, ଜଣେ ଓଡିଆ ଅଧିକାରୀ ମାଡ଼ ଖାଇଲେ, ଆଜି ଯାଏଁ ନ୍ୟାୟ ଦେଇପାରିଲାନି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଜୟଦେବ ଜେନ ।

ଇସ୍କନର ଅଦିନିଆ ରଥଯାତ୍ରା, ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ଇସ୍କନରର ପୁଣି ମନମାନି । ଯେତେ ଯାହା କଲେ ବି ସୁଧୁରିବାର ନାଁ ନେଉନାହିଁ । ଜଗନ୍ନାଥଙ୍କ ନାଁରେ ଜଗା ଭକ୍ତଙ୍କ ଭକ୍ତିକୁ କରୁଛି କୁଠାରଘାତ । ଭକ୍ତି ନାଁରେ ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ କରୁଛି କଳୁଷିତ । ଏବେ ଆମେରିକାରେ ଅଦିନିଆ ରଥଯାତ୍ରା କରିବାକୁ ଯାଉଛନ୍ତି ଇସ୍କନ କର୍ତ୍ତୃପକ୍ଷ । ଯାହାକୁ ନେଇ ବିବାଦ ଦେଖାଦେଇଛି ।

ଆସନ୍ତା ନଭେମ୍ବର ୩ ତାରିଖ ରବିବାର ଦିନ ସ୍ନାନଯାତ୍ରା ଓ ପରେ ୯ ତାରିଖରେ ହୋଷ୍ଟନରେ ରଥଯାତ୍ରା କରିବା ନେଇ ପ୍ରସ୍ତୁତି ଚଳାଇଛି ଇସ୍କନ । ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଯାହାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ସେବାୟତ ତୀବ୍ର ନିନ୍ଦା କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଗଜପତି ଓ ଶଙ୍କରାଚାର୍ଯ୍ୟ ଏହି ଅଦିନିଆ ରଥଯାତ୍ରାରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ଶାସ୍ତ୍ର ଓ ପୁରାଣ ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । କିନ୍ତୁ ଇସ୍କନ ପକ୍ଷରୁ ବିଶ୍ୱବ୍ୟାପୀ ବିଭିନ୍ନ ସମୟରେ ଅଦିନିଆ ରଥଯାତ୍ରା କରାଯାଉଛି । ଯାହାର ତୀବ୍ର ନିନ୍ଦା ଓ ସମାଲୋଚନା ସତ୍ତ୍ବେ ଇସ୍କନ ଏଥିରୁ ଓହରୁ ନାହିଁ ।

ପ୍ରେମିକକୁ ବାନ୍ଧି ପ୍ରେମିକାକୁ ଗଣ ଦୁଷ୍କର୍ମ, ୩ ଅଭିଯୁକ୍ତ ଗିରଫ

ନୟାଗଡ଼: ପ୍ରେମିକକୁ ବାନ୍ଧି ତା’ ଆଗରେ ପ୍ରେମିକାକୁ ଗଣ ଦୁଷ୍କର୍ମ । ଆଉ ଦୁଷ୍କର୍ମ ବେଳର ଭିଡିଓ କଲେ ଉତ୍ତୋଳନ । ପରେ ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଯୁବତୀଙ୍କୁ ଆସିବାକୁ କଲେ ବାଧ୍ୟ । ଯୁବତୀ ନଆସିବାରୁ ଭିଡିଓ କଲେ ଭାଇରାଲ । ଏମିତି ଅଭିଯୋଗରେ ପୋଲିସ ୩ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଘଟଣା ଘଟିଛି ନୟାଗଡ଼ ଫତେଗଡ଼ ଅଞ୍ଚଳରେ । ଅଭିଯୋଗ ଅନୁସାରେ, ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ଜଣେ ଯୁବକ ଓ ତାଙ୍କ ମହିଳା ବନ୍ଧୁ। ସେମାନେ ଫେରୁଥିବା ବେଳେ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲରେ କିଛି ଯୁବକ ସେମାନଙ୍କୁ ଅଟକାଇଥିଲେ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ମାଡ଼ ମାରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ଭିଡିଓ ରେକର୍ଡିଂ କରିଥିଲେ । ପରେ ଉଭୟଙ୍କୁ ଯିବାକୁ ଦେଇଥିଲେ ।

ପରେ ଭିଡିଓକୁ ନେଇ ବ୍ଲାକ୍ ମେଲ୍ କରି ଟଙ୍କା ମାଗିଥିଲେ । ଯୁବତୀ ଜଣକ ନ ଆସିବାରୁ ଭିଡିଓକୁ ଭାଇରାଲ କରି ଦେଇଥିଲେ । ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ତନାଘନା କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଆଜି ସିନ୍ ରିକ୍ରିଏସନ୍ କରାଯିବ ବୋଲି ଜଣାପଡ଼ିଛି ।

ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ, ଶୋଇଥିବା ଅବସ୍ଥାରେ ଜଳିଗଲେ ୪ଜଣ ଯୁବକ

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ନିଆଁ ଲାଗି ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ବିଳମ୍ଵିତ ରାତିରେ ଏକ କୋଠରୀରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ନିଆଁ ଲାଗିଯାଇଥିଲା । ମୃତକଙ୍କ ପରିବାର ଅନ୍ୟ ଏକ କୋଠରୀରେ ଶୋଇଥିଲେ । ଅଗ୍ନିକାଣ୍ଡରେ ଶୋଇଥିବା ଅବସ୍ଥାରେ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ବୟସ ଯଥାକ୍ରମେ ୧୭ ବର୍ଷ, ୨୨ ବର୍ଷ, ୨୪ ବର୍ଷ, ଓ ୨୮ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସମସ୍ତ ୪ ମୃତକ ବିହାରର ବାସିନ୍ଦା ଥିଲେ ଓ ସେମାନେ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ରହୁଥିଲେ । ସେମାନେ ଜେ ବ୍ଲକ୍ ହାୱା ମହଲ ନିକଟ ଏକ ଭଡା ଘରେ ରହୁଥିଲେ। ଗୁରୁଗ୍ରାମରେ, ବାସାଇ ରୋଡରୁ ଅଗ୍ନିକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଏକ ଘରେ ନିଆଁ ଲାଗିଯାଇଥିବାରୁ ଅନେକ ଲୋକେ ଫସି ରହିଯାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତ ମହିଳା ଓ ଶିଶୁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି ।