ଗୁଣୁପୁର : ରାସନକାର୍ଡ ହିତାଧିକାରୀଙ୍କ ଠାରୁ ଆଦାୟ ହେଉଛି ଦଶହରା ବକ୍ସିସ । ଗୁଣୁପୁର ପୈାରପରିଷଦ ଅନ୍ତର୍ଗତ ୧୪ ନଂ ଓ୍ବାର୍ଡରେ ରାସନକାର୍ଡ ହିତାଧିକାରୀଙ୍କ ଠାରୁ ଦଶହରା ପାଇଁ ଚାନ୍ଦା ଆଦାୟ ହେଉଥିବା ଅଭିଯୋଗ ହୋଇଛି । ଏହାର ଏକ ଭିଡ଼ଓ ମଧ୍ୟ ଭାଇରାଲ ହୋଇଛି । ହିତାଧିକାରୀ ମାନେ ରାସନକାର୍ଡ ନେଇ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କ ପାଖକୁ ଯାଇଥିଲେ। ହିତାଧିକାରୀଙ୍କ ଠାରୁ କାର୍ଡ ବାବଦକୁ ୨୦ ଟଙ୍କା ଲେଖା ଦଶହରା ବକ୍ସିସ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଭିଡିଓ ଭାଇରଲ୍ ପରେ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।
ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ! ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଥିବା ଅଭିଯୋଗ
ବିଞ୍ଝାରପୁର : ଯାଜପୁର ବିଞ୍ଝାରପୁର ବ୍ଲକରେ ଭତ୍ତା ଦୁର୍ନୀତି ଅଭିଯୋଗ । ଅଯୋଗ୍ୟ ହିତାଧିକାରୀ ପାଉଛନ୍ତି ଭତ୍ତା, ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଥିବା ଅଭିଯୋଗ ହୋଇଛି । ଦୁର୍ନୀତି କରିଥିବା ପୂର୍ବତନ BSSO ନାମରେ ଥାନାରେ ଏତଲା ଦେଇଛନ୍ତି ବିଡିଓ । ଅଭିଯୋଗ ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ମୋଟ ୨୭ ହଜାର ୫୪୬ ଜଣ ଭତ୍ତା ପାଉଥୁବା ବେଳେ ସେଥିମଧ୍ୟ୍ୟରୁ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ୨୨୦ ଜଣ । ବ୍ଲକ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା BSSO ଧର୍ମେନ୍ଦ୍ର କୁମାର ସାହୁ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ଟ୍ୟାମ୍ପରିଙ୍ଗ କରି ବେଆଇନ ଭାବେ ୨୨୦ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ପାଖାପାଖି ୨୦ ଲକ୍ଷରୁ ଅଧିକ ହେବ । ଯାହାକୁ ନେଇ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡ଼ିଓ ଦ୍ୱବେନ୍ଦୁ କୁମାର ଦାସ । ଅନ୍ୟାପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଡିଓ ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ ଭତ୍ତା ଚଳିତ ମାସ ବନ୍ଦ କରିଛନ୍ତି । ତେବେ ଏହାର ସଠିକ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କ ନାମ କାଟିବା ସହ ଦୁର୍ନୀତି କରିଥିବା ଅଧିକାରୀଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣମାନେ ଦାବି କରିଛନ୍ତି ।
ପାଟପୁର ଥାନା ନୂଆଁଗଡ଼ରେ ବୋମା ମାଡ଼
ଦିଗପହଣ୍ଡି ; ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମୌଳାଭଣଜା ପଞ୍ଚାୟତ ନୂଆଁଗଡ଼ ରେ ବୋମା ମାଡ଼ । ନାଏବ ସରପଞ୍ଚ ବିଟୁ ଗୌଡଙ୍କ ଘର ସାମ୍ନାରେ ବିଳମ୍ବିତ ରାତିରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପାଟପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । କିଏ କାହିଁକି ବୋମା ପକାଇ ଫେରାର ହୋଇଛି ତାହା ଜଣାପଡି ନାହିଁ । ଗତକାଲି ସନ୍ଧ୍ୟାରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ବି ଚାରୋଟି ବୋମା ମାଡ଼ ହୋଇଥିବା ବେଳେ ପୁଣି ରାତିରେ ସାନଖେମୁଣ୍ଡିରେ ବୋମାମାଡ଼ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି ।
‘ପ୍ରବଳ ବର୍ଷା ଫଳରେ ବଢିଛି ବିଭିନ୍ନ ନଦୀର ଜଳସ୍ତର’
ଭୁବନେଶ୍ବର : ବାତ୍ୟା ଦାନା ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ସବୁଠାରୁ ଅଧିକ ବର୍ଷା ହୋଇଛି। ଏଥିପାଇଁ କିଛି ଅଞ୍ଚଳ ଜଳମଗ୍ନ ହୋଇଥିଲା । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, ବିଭାଗୀୟ ଅଧିକାରୀ ସ୍ଥାନୀୟ ପ୍ରଶାସନ ତଦାରଖ କରୁଛନ୍ତି । ଗତକାଲି ସବୁ ଯାଞ୍ଚ ହୋଇଛି । ଏ ଯାଏଁ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଶିମିଳିପାଳରେ ବର୍ଷା ହେବାରୁ ବୁଢାବଳଙ୍ଗ ବୁଢାବଳଙ୍ଗର ଜଳସ୍ତର ଏନଏଚ୍-୫ରେ ୭.୮୪ ମିଟର ଯାଏଁ ରହିଲା । ବିପଦ ସଂକେତ ୮.୧୩ ମିଟର ତଳେ ଏହା ରହିଛି । ତେବେ ତଳିଆ ଅଂଚଳରେ ପାଣି ପଶିବାରୁ ଗୋଟିଏ ଗାଁ ବିଚ୍ଛିନ୍ନ ହୋଇଗଲା । ସ୍ଥିତି ସୁଧୁରୁଛି । ଦିନ ଦୁଇଟାରେ ଏହା ୭.୨୦ ମିଟର ହୋଇଯିବ । ପଞ୍ଚଲିଙ୍ଗେଶ୍ୱର, ଔପଦା, ଖଇରା, ନୀଳଗିରିରେ ପ୍ରବଳ ବର୍ଷା ଯୋଗୁଁ କାଂଶବାଂଶରେ ଅଧିକ ପାଣି ଆସିଥିଲା। କିଛି ଗାଁ ପ୍ରଭାବିତ ହୋଇଥିଲା। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବ। ଆଖୁଆପଦାରେ ବୈତରଣୀର ଜଳସ୍ତର ସକାଳ ୯ ସୁଦ୍ଧା ୧୭.୪୬ ମିଟର ରହିଥିଲା। ଏହା ଆଉ ବେଶି ବଢ଼ିବନି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଡ୍ୟାମ ବନ୍ଦ
ଲମତାପୁଟ : ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ବନ୍ଦ ହେଲା ଡ୍ୟାମ । ଗତ ଗୁରୁବାର ଦିନ ମାଛକୁଣ୍ଡ ନଦୀରେ ମାଛ ଧରିବାକୁ ଯାଇ ଅନକାଡେଲି ଗାଁର ଶୁକ୍ରା ଗୋଲରୀ ନିଖୋଜ ହୋଇ ଯାଇଥିଲେ । ଶୁକ୍ରାଙ୍କ ଜାଲରେ ବଡ଼ ମାଛ ପଡ଼ିଥିବା ବେଳେ ମାଛଟି ଜାଲ ସହ ଶୁକ୍ରାଙ୍କୁ ପାଣି ଭିତରକୁ ଟାଣି ନେଇ ଯାଇଥିଲା । ଗତ କାଲି ନନ୍ଦପୁର ଏବଂ ଲମତାପୁଟରୁ ୯ ଜଣିଆ ଅଗ୍ନିଶମ ଟିମ୍ ଖୋଜାଖୋଜି ଜାରି ରଖିଥିଲେ । ହେଲେ ତାଙ୍କ ପତ୍ତା ନମିଳିବାରୁ ଜଳସ୍ତର କମାଇବା ପାଇଁ ଅନୁରୋଧ କରିଥିଲା ଅଗ୍ନିଶମ ଟିମ୍ । ଫଳରେ ଆଜି ଜଲାପୁଟ ଡ୍ୟାମ ବନ୍ଦ କରିବା ପରେ ନଦୀର ପାଣି କମିଛି । ଏବେ ରେସକ୍ୟୁ ଅପରେସନ୍ ଜାରି ରହିଛି ଟିମ୍ ।
ଥାନା ଆଗରୁ ପୋଲିସ ପେଟ୍ରୋଲିଂ ବାଇକ୍ ଚୋରି
ଭୋପାଲ : ଯେଉଁ ଗାଡି ଧରି ପୋଲିସ ପେଟ୍ରୋଲିଂ କରିବାକୁ ଯାଉଥିଲା ସେହି ବାଇକକୁ ନେଇଗଲା ଚୋର । ଦଶ ଦିନ ପରେ ମାମଲା ରୁଜୁ କରିଛି ପୋଲିସ । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଜବଲପୁରରେ ଦେଖିବାକୁ ମିଳିଛି । ସେଠାରେ ଚୋରଙ୍କ ସାହାସ ଏତେ ବଢି ଯାଇଛି ସେ ପୋଲିସ ଥାନା ବାହାରେ ଥିବା ପେଟ୍ରୋଲିଂ ବାଇକକୁ ଚୋରି କରି ନେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଏହା ଯେ, ପୋଲିସକୁ ନିଜ ଗାଡି ଚୋରି ମାମଲା ରୁଜୁ କରିବା ପାଇଁ ୧୦ ଦିନ ସମୟ ଲାଗିଥିଲା । ଘଟଣାଟି ଅକ୍ଟୋବର ୧୫ ତାରିଖ ଦିନ ସଞ୍ଜିବନୀ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଧନଭନ୍ତନଗର ଆଉଟପୋଷ୍ଟ ବାହାରେ ଘଟିଥିଲା । ପୋଲିସର ଚିତା ପେଟ୍ରୋଲିଂ ବାଇକ ପୋଷ୍ଟ ବାହାରେ ପାର୍କିଂ କରାଯାଇଥିଲା, ସେହି ସମୟରେ ଜଣେ ଯୁବକ ଆସି ପୋଲିସ ସହ କଥା ହୋଇଥିଲେ । ଏହା ପରେ ସେ ସୁଯୋଗ ପାଇଁ ବାଇକଟିକୁ ନେଇ ପଳାଇଯାଇଥିଲେ । କିଛି ସମୟ ପରେ ପୋଲିସ ଯେତେବେଳେ ପାର୍କିଂ ହୋଇଥିବା ଗାଡି ସବୁ ଦେଖିଲେ ସେତେବେଳେ ଚିତା ବାଇକଟି ନଥିବା ଜାଣିବାକୁ ପାଇଲେ । ସେଠାରେ ଥିବା କର୍ମଚାରୀଙ୍କୁ ବାଇକ ବିଷୟରେ ପଚାରାଯାଇଥିଲା କିନ୍ତୁ କାହାରିକୁ ବାଇକ ବିଷୟରେ ଜଣା ନଥିଲା ।
ପୋଲିସ ପ୍ରଥମେ ବାଇକ ଖୋଜିବା ଆରମ୍ଭ କରିଥିଲା, ନ ପାଇବା ପରେ ସିସିଟିଭି ଯାଞ୍ଚ କରିଥିଲା । ପୋଲିସ ଜଣେ ଯୁବକଙ୍କୁ ବାଇକ ନେଉଥିବାର ଦେଖିବାକୁ ପାଇଥିଲା । ଆଉ ତାକୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲା । ଆଶ୍ଚର୍ଯ୍ୟର କଥା ପୋଲିସକୁ ଘଟଣାର ମାମଲା ରୁଜୁ କରିବା ପାଇଁ ପ୍ରାୟ ୧୦ ଦିନ ସମୟ ଲାଗିଥିଲା । ପୋଲିସ ଏକ ଏଫଆଇଆର ରୁଜୁ କରି ବାଇକକୁ ଖୋଜିବା ଆରମ୍ଭ କରିଛି । ପୋଲିସ କହିଛି ଯେ, ଯୁବକ ଜଣଙ୍କ ମାନସିକ ସ୍ଥରରେ ଅସ୍ଥିର, ତାଙ୍କୁ ଚିହ୍ନଟ କରାଯାଇଛି । ଖୁବଶିଘ୍ର ବାଇକ ଉଦ୍ଧାର କରାଯିବ ।
ଚିଙ୍ଗୁଡ଼ି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର
ପଟ୍ଟାମୁଣ୍ଡାଇ : ଚିଙ୍ଗୁଡ଼ି ଘେରିରୁ ବନ ବିଭାଗ ଉଦ୍ଧାର କଲା ୧୪ଫୁଟ ଲମ୍ବର ବିରାଟକାୟ କୁମ୍ଭୀର। ଗତକାଲି କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋଲ୍ହା ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। କୁମ୍ଭୀର ଚିଙ୍ଗୁଡ଼ି ଘେରିରେ ଭାସୁଥିବା ନେଇ ଘେରି ମାଲିକ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଁଚି କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି ।ରାତି ହୋଇଯାଇଥିବାରୁ କୁମ୍ଭୀରଟିକୁ ଉଦ୍ଧାର କରିବାକୁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା । ଉଦ୍ଧାର ପରେ ୧୪ ଫୁଟିଆ କୁମ୍ଭୀରଟିକୁ ଭିତରକନିକା ଅଭୟାରଣ୍ୟକୁ ନିଆଯାଇଛି ।
ପ୍ରେମିକାକୁ ହତ୍ୟା ପରେ ଡିଏମ୍ ବଙ୍ଗଳାରେ ପୋତି ଦେଲା ଶବ !
କାନପୁର : ଉତ୍ତର ପ୍ରଦେଶର କାନପୁରରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଜଣେ ଜିମ ପ୍ରତିକ୍ଷକ ମହିଳାଙ୍କୁ ହତ୍ୟା କରିବା ପରେ ତାକୁ ଜିଲ୍ଲା ମାଜିଷ୍ଟେଟଙ୍କ ବଙ୍ଗଳାରେ ପୋତି ଦେଇଛି । ୪ ମାସ ପରେ ଏହି ମାମଲାର ଖୁଲାସା ହୋଇଛି । ଅପରାଧୀକୁ ଧରି ପୋଲିସ ପଚରା ଉଚରା କରିବା ପରେ ସବୁ ଜଣାପଡିଲା । ପୋଲିସ କହିବାନୁଯାୟୀ, ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥିଲା । ଉଭୟଙ୍କ ମଧ୍ୟରେ ଝଗଡା ହେବା ପରେ ରାଗିଯାଇ ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିଛି ।
କାନପୁର ଜଣେ ମହିଳା ଗତ ଜୁନ ମାସରେ ଗ୍ରୀନ ପାର୍କ ଷ୍ଟାଡିୟମରେ ଜିମ ଯାଇଥିଲେ । ସେଠାରୁ ଆଉ ସେ ଫେରିନଥିଲେ । ମହିଳାଙ୍କ ନାମ ଏକତା ଗୁପ୍ତା ବୋଲି ଜଣାପଡିଛି । ମହିଳାଙ୍କ ସ୍ବାମୀ ରାହୁଲ ଗୁପ୍ତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଭିମଲ ସୋନି ନାମକ ଜଣେ ଜିମ ପ୍ରତିକ୍ଷକ ତାଙ୍କ ସ୍ତ୍ରୀଙ୍କୁ ଅବହରଣ କରି ନେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ କିଛି ସୂଚନା ପାଇନଥିଲା । ଯେହେତୁ ମହିଳାଙ୍କ ସହ ଜିମ ପ୍ରତିକ୍ଷକ ମଧ୍ୟ ନିଖୋଜ ଥିଲେ । ପୋଲିସ ଯେତେବେଳେ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କଲା ସେତେବଳେ ଅଭିଯୁକ୍ତ ନିଜର ଦୋଷ ସ୍ବିକାର କଲା । ସୋନି କହିଥିଲା କି, ସେ ମହିଳାଙ୍କୁ ମାରି ଜିଲ୍ଲା ମାଜିଷ୍ଟେଟଙ୍କ ବଙ୍ଗଳାରେ ପୋତି ଦେଇଛି । ପୋଲିସ ମଧ୍ୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲା । ଏତେ ସୁରକ୍ଷା ବଳୟ ମଧ୍ୟରେ କିପରି ସେ ଭିତରକୁ ଯାଇ ଶବକୁ ପୋତି ପାରିଲା ।
ପୋଲିସ ଯେତେବେଳେ ଅଭିଯୁକ୍ତଙ୍କୁ ନେଇ ଖୋଳାଖୋଳି କରିଥିଲା ପ୍ରଥମେ କିଛି ମିଳିନଥିଲା । ପ୍ରାୟ ୪ଫୁଟ ଖୋଲିବା ପରେ ମହିଳାଙ୍କ ପୋଷାକ ମିଳିବା ପରେ ସ୍ବାମୀ ଚିହ୍ନଟ କରିଥିଲେ । ମହିଳାଙ୍କ ମୃତହେବ ଚିହ୍ନଟ କରିବା ପରେ କଙ୍କାଳକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା । ମହିଳାଙ୍କୁ ସ୍ବାମୀ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି । ପୋଲିସ କହିଛଇ ଯେ ଟ୍ରେନର ଆଉ ମହିଳାଙ୍କ ସହ ସମ୍ପର୍କ ଥିଲା । ଯେତେବେଳେ ପୁର ବିବାହ ସ୍ଥିର ହୋଇଛି ସେତେବଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ରାଗିଯାଇ ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରି ଡିଏମଙ୍କ ବଙ୍ଗଳାରେ ପୋତି ଦେଇଥିଲା ।
ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ଦଳାଚକଡା, ୯ ଜଣ ଆହତ
ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ରବିବାର ସକାଳେ ପ୍ରବଳ ଭିଡ କାରଣ ଦଳାଚକଡା ହୋଇଥିଲା । ଦୀପାବଳି ପାଇଁ ଲୋକ ନିଜ ନିଜ ଘରକୁ ଫେରୁଥିଲେ । ଷ୍ଟେସନରେ ପ୍ରବଳ ଭିଡ ହେବା କାରଣରୁ ଦଳାଚକଡା ହୋଇଥିଲା । ଏଥିରେ ୯ ଜଣ ଲୋକ ଆହତ ହୋଇଛନ୍ତି । ରବିବାର ସକାଳେ ବାନ୍ଦ୍ରା ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଏହି ଦଳାଚକଡା ହୋଇଥିଲା । ଆହତଙ୍କ ଅବସ୍ଥା ସ୍ଥିର ଥିବା ବେଳେ ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଭିଡ ଏତେ ଥିଲା ଯେ ପୋଲିସ ମଧ୍ୟ ଭିଡକୁ ନିୟନ୍ତ୍ରଣ କରି ପାରିନଥିଲା । ଘଟଣା ଭୋର ୨ଘଣ୍ଟା ୫ ମିନଟ ସମୟରେ ଘଟିଥିଲା । ବନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ (ଟ୍ରେନ ନମ୍ବର-୨୨୯୨୧) ମୁମ୍ବାଇ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଲୋକମାନେ ଏଥିରେ ଚଢିବା ପାଇଁ ଭିଡ ଜମାଇଥିଲେ । ଫଳରେ ଦଳାଚକଡା ହୋଇଥିଲା ।
ପୁଣି ଖଟିଆରେ ବୁହା ହେଲେ ରୋଗୀ
ସୋର : ଖଟିଆରେ ବୁହା ହେଲେ ରୋଗୀ । ବାତ୍ୟା ଜନିତ ବନ୍ୟା ପରିସ୍ଥିତିରେ ଆସିଛି ଏହି କରୁଣ ଚିତ୍ର । ଖଇରା ବ୍ଲକ ବମକରଧ୍ବଜପୁର ଗାଁର ବୃଦ୍ଧ ପଞ୍ଚାନନ ବେହେରାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା । ଏନେଇ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା। ହେଲେ ଗାଁରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଗାଁ ଲୋକ ଖଟିଆରେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଓ ଗାଁ ଲୋକ ମିଳିତ ଭାବେ ୫୦୦ ମିଟର ପର୍ଯ୍ୟନ୍ତ ଚାଲି ଚାଲି ଆଣି ପଞ୍ଚାନନଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।

