ନନ୍ଦିଘୋଷ ବ୍ୟୁରୋ : ସିରିଆରେ ଭୟଙ୍କର ରୂପ ନେଉଛି ଗୃହ ଯୁଦ୍ଧ। ଟ୍ରାଭେଲ ଆଡଭାଇଜରି ଜାରି କଲା ଭାରତ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସିରିଆ ନଯିବାକୁ ପରାମର୍ଶ ଦିଆଯାଇଛି। ଶୀଘ୍ର ସିରିଆ ଛାଡ଼ି ପଳାଇ ଆସିବାକୁ କୁହାଯାଇଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର +୯୬୩୯୯୩୩୮୫୯୭୩ ଜାରି କରିଛି ଭାରତ। ଉତ୍ତର ସିରିଆରୁ ଏଯାଏଁ ବିସ୍ଥାପିତ ହେଲେଣି ବିଭିନ୍ନ ଦେଶର ୨ ଲକ୍ଷ ୮୦ ହଜାର ନାଗରିକ।
ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା
ରେଢ଼ାଖୋଲ: ରେଢ଼ାଖୋଲରେ ଲଜ୍ଜା। ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କଲା ରଙ୍ଗିଲା ବାବା। ଲୁହାପଙ୍କ ପଞ୍ଚାୟତ ବୈଷ୍ଣବଝୁଲି ଗାଁ ମଠ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ । ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୫୩ ବର୍ଷୀୟ ବାବା ପ୍ରଫୁଲ୍ଲ ମହଲାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ସୂଚନା ଅନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ଫୋନରେ କଥାହୋଇ ଔଷଧ ପାଇଁ ବାବାଙ୍କ ପାଖକୁ ଆସିଥିଲେ। ଯୁବତୀଙ୍କୁ ଏକାକୀ ଦେଖି ରଙ୍ଗିଲା ବାବା କୌଣସି ଏକ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ଯୁବତୀ ଜଣକ ଅଚେତ ହୋଇ ପଡିବାରୁ ବାବା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହା ପରେ ଯୁବତୀଙ୍କୁ ବୁଝାସୁଝା କରି ଅଟୋରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ରଙ୍ଗିଲା ବାବା। ମେଡିକାଲ ପହଞ୍ଚିବା ପୂର୍ବରୁ ଅଚେତ ହୋଇ ପଡିବାରୁ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ। ଯୁବତୀଙ୍କୁ ପଚରାଉଚରା ପରେ ବାବାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।
ସକାଳୁ ସକାଳୁ ୩ ଥର ଥରିଲା ହିମାଚଳ ପ୍ରଦେଶ, ଭୟଭୀତ ଲୋକେ
ନନ୍ଦିଘୋଷ ବ୍ୟୁରୋ : ଥରିଲା ହିମାଚଳ ପ୍ରଦେଶ । ସକାଳୁ ସକାଳୁ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି । ମାଣ୍ଡି ସହରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ପରେ ଗୋଟିଏ ୩ଥର ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଯଦିଓ ରିଚ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୩ ରହିଥିଲା । ସକାଳ ପ୍ରାୟ ୨.୩୦ ମିଟନ ସମୟରେ ଘଟିଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ।
ଗତକାଲି ଆମେରିକାର କାଲିଫର୍ନିଆ ସହରରେ ୭ ତିବ୍ରତାର ଏକ ଭୂମିକମ୍ପ ଘଟିଥିଲା। କାଲିଫର୍ନିଆର ଫର୍ଣ୍ଡଲେ ସହରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଘର ଓ ରାସ୍ତାର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା।
ଗୋରଖପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩ ବାଇକ୍ ଧକ୍କାରେ ୫ ମୃତ
ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଗୋରଖପୁର କ୍ୟାଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳର ମୋହାଦୀପୁର କେନାଲ ବ୍ରିଜରେ ଘଟିଛି।
ତିନୋଟି ବାଇକ୍ ମୋହାଦୀପୁର କେନାଲରେ ଥିବା ବ୍ରିଜ ଦେଇ ଯାଉଥିଲା। ସମସ୍ତ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ୩ ପୁରୁଷ ଏବଂ ୨ ଶିଶୁ ଅଛନ୍ତି। ସମସ୍ତେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ ତଥା ବରିଷ୍ଠ ପୋଲିସ ଅଧୀକ୍ଷକ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାମଲାର ତଦନ୍ତ ଚାଲିଛି। ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକ ପ୍ରକାଶ ପାଇଛି।
ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି
ପୁରୀ : ଶ୍ରୀମନ୍ଦିରରେ ଆଜି ଘୋଡ଼ ଲାଗି ନୀତି। ମାର୍ଗଶିର ଶୁକ୍ଳ ଷଷ୍ଠୀରେ ପବିତ୍ର ଓଢଣୀ ଷଷ୍ଠୀ ଅବସରରେ ଅନୁଷ୍ଠିତ ହେବ ଘୋଡ଼ ଲାଗି ନୀତି। ଶ୍ରୀଜୀଉ ମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ପ୍ରତ୍ୟହ ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ। ତେବେ ଏ ନେଇ ଗତକାଲି ଶ୍ରୀମନ୍ଦିରରେ ଘୋଡା ଅଧିବାସ ନୀତି ସମ୍ପାଦନା କରାଯାଇଥିଲା । ଶ୍ରୀଜୀଉ ମାନଙ୍କ ପାଇଁ ୪ଗୋଟି ଘୋଡ଼ ସହ ଘୋଡ଼ ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁସାରେ ଗତକାଲିଠୁ ଶ୍ରୀମନ୍ଦିରରେ ରାତ୍ର ସମୟରେ ଚନ୍ଦନ ଲାଗି ନୀତି ପରେ ସମସ୍ତ ପ୍ରସ୍ତୁତ ଘୋଡ଼କୁ ଅଧିବାସ ହୋଇ ରଖାଯାଇଛି। ଆଜି ଏହି ଅଧିବାସିତ ଘୋଡ଼ ଲାଗି କରାଯିବ।
ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସୁଛି ବର୍ଷା । ଚିନ୍ତାରେ ଚାଷୀ । ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ୯ ତାରିଖରେ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ଜିଲ୍ଲାରେ ପାଗ ସାଧାରଣରେ ମେଘୁଆ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ଅମଳ ହେବାକୁ ଥିବା ଧାନ ଫସଲ ଉପରେ ପ୍ରଭାବ ପଡିପାରେ । ନିଜ ଫସଲକୁ ସୁରକ୍ଷିତ ଭାବେ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୨୪ ଘଣ୍ଟା ଭିତରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼ ପ୍ରମୁଖ ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ୬ ଓ ୭ ତାରିଖରେ ପାଗ ଶୁଖିଲା ରହିବ।
ଆଜି ବେଶ ସରଗରମ ରହିବ ବିଧାନସଭା ଅଧିବେଶନ
ଭୁବନେଶ୍ୱର : ଆଜି ବିଧାନସଭା ଅଧିବେଶନ ବେଶ ସରଗରମ ରହିବ । ପୋଲାଭରମ, ମହାନଦୀ, ଆଳୁ ସଂକଟ, ଆଇନ ଶୃଙ୍ଖଳା ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିବ। ସେହିପରି ବିଜେଡି ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ । ପୋଲାଭରମରେ ଓଡ଼ିଶାକୁ ଅଣଦେଖା କରି ଆନ୍ଧ୍ରକୁ କେନ୍ଦ୍ର ସରକାର ଅଧିକ ଅନୁକମ୍ପା ଦେଖାଉଥିବାରୁ ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଗୃହରେ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବେ । ତେବେ ପ୍ରଶ୍ନକାଳ ସ୍ବାଭାବିକ ଭାବେ ଚାଲିବକି ନାହିଁ ପ୍ରଶ୍ନ ସୃଷ୍ଟି ହୋଇଛି । ଆଜି ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ରହିଛି ।
ଆଜି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ
ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶାର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ । କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେବେ । ଓଡ଼ିଶାର ଦୁଇହଜାର ଶ୍ରମିକ ନେତାଙ୍କୁ ଶ୍ରମିକମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ଗୁରୁ ମନ୍ତ୍ର ଦେବେ ନବୀନ । ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ଅଙ୍ଗନବାଡ଼ି, ଆଶା, ପାଚିକା ଓ ମିଶନ ଶକ୍ତିରେ ଥିବା ୬ଟି କ୍ୟାଡର ଏବେ ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଉଦ୍ୟମ କରୁନାହାଁନ୍ତି । ଏବେ ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ନିଷ୍କ୍ରିୟ ହୋଇଯାଇଛି । ଶ୍ରମିକମାରଣ ନୀତି ଆରମ୍ଭ କରିଛନ୍ତି ବିଜେପି ସରକାର । ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ୬୦ ହଜାର ମହିଳାଙ୍କୁ ଏବେ ଦରମା ମିଳୁନି । ଶ୍ରମଜୀବୀ ଏବେ ସଙ୍କଟରେ। ଦରଦାମ ବୃଦ୍ଧି ବି ଶ୍ରମିକଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି କରିଛି । ତେଣୁ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ସହ ମାସକୁ ୨୪ ହଜାର ଟଙ୍କା ପ୍ରଦାନ ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଶ୍ରମିକମାନଙ୍କ ସ୍ବାର୍ଥ, ସାମାଜିକ ସୁରକ୍ଷା ଓ ଅଧିକାରୀ ପାଇଁ ଲଢେଇ ତୀବ୍ରତର ହେବ ବୋଲି କହିଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ ।
ଓଡ଼ିଶାରେ ରେଲଲାଇନ ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର : ସଂସଦରେ ଓଡ଼ିଶାରେ ରେଳବାଇ କାର୍ଯ୍ୟ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ। ଓଡିଶା ଦେଇ ଯାଇଥିବା ହାୱଡା-ଚେହ୍ନାଇ ଓ ଭୁବନେଶ୍ବର-କୋଲକାତା ରୁଟରେ ରେଳ ନେଟୱର୍କରେ ଯାତାୟତ ଓ ବିଳମ୍ବକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ପଚାରିଥିଲେ ରାଜ୍ୟସଭା ସାସଂଦ ମାନସ ରଂଜନ ମଙ୍ଗରାଜ। ସେହିଭଳି ଟ୍ରେନ ସଂଖ୍ଯାର ବିସ୍ତାର ଏବଂ ଓଡିଶାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟସୂଚୀରେ ଉନ୍ନତି ଅଣାଯିବକି ବୋଲି ମଧ୍ୟ ପଚାରିଥିଲେ। ରେଳ ଚଳାଚଳରେ ବିଳମ୍ବକୁ ହ୍ରାସ କରିବା ପାଇଁ କଣ ପଦକ୍ଷେପ ନିଆଯାଉଛି ବୋଲି ସେ ପଚାରିଥିଲେ। ଏହାର ଉତ୍ତର ରଖିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ଏହି ଦୁଇଟି ବ୍ୟସ୍ତ ବହୁଳ ରୁଟରେ ଓଡିଶାରେ ୧୦ଟି ଅଟୋମେଟିକ ବ୍ଲକ୍ ସିଗନାଲିଂ ପାଇଁ ଅନୁମତି ଦିଆଯାଇଛି। ଏହା ସହ ରେଳ ଲାଇନ ଗୁଡିକରେ କ୍ଷମତା ବଢାଇ ଦିଆଯାଇଛି। ନିର୍ଗୁଣ୍ଡି-ବାରଙ୍ଗ ୨୨ କିଲୋମିଟର, ଖୋର୍ଦ୍ଧା ରୋଡ-ବିଜୟନଗରମ ୩୬୩ କିଲୋମିଟର, ଭଦ୍ରକ-ବିଜୟାନଗରମ ମଧ୍ୟରେ ତୃତୀୟ ଲାଇନକୁ ଅନୁମତି ଦିଆଯାଇଛି।ଏହା ସହ ୨୦୨୪ ଏପ୍ରିଲ ୧ ତାରିଖ ସୁଦ୍ଧା ୫୪ ହଜାର ୪୩୪ କୋଟି ଟଙ୍କା ବିନିମୟରେ ୪୦ ଟି ପ୍ରକଳ୍ପ ଓଡିଶାରେ ଆଶିଂକ ଭାବେ କରିବା ପାଇଁ ଯୋଜନା କରାଯାଇଛି। ସେ ମଧ୍ୟରୁ ୨୨ ହଜାର ୮୩୩ କୋଟି ଟଙ୍କା ବିମିମୟରେ ୧୧ ଶହ କିଲୋମିଟର ଲାଇନ ୨୦୨୪ ମାର୍ଚ୍ଚ ସୁଦ୍ଧା ସମ୍ପନ୍ନ ହୋଇଛି।
ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର !
ପାଟକୁରା : ପ୍ରେମ ପାଇଁ ଜୀବନ ହାରିଲେ ଛାତ୍ର । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ର ଛାତ୍ର ସୌମ୍ୟ ରଞ୍ଜନ ମଲ୍ଲିକ ଦୁହୁରିଆ ନିକଟସ୍ଥ ଡେରାବିଶ ବ୍ଲକ ପାଟସାମୁଳାଇ ଅଞ୍ଚଳର ନିର୍ଜନ ସ୍ଥାନରେ ହଠାତ୍ ବିଷ ପିଇ ଅଚେତ ହୋଇପଡ଼ିଥିଲେ । ଖବର ପାଇ ସୌମ୍ୟଙ୍କ ପରିବାର ସଦସ୍ୟ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ରେ କୌଣସି ସୁଧାର ନ ଆସିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଦୁଇଦିନ ପରେ ଶେଷରେ ଆଖି ବୁଜିଛନ୍ତି ସୌମ୍ଯ । ଜଣେ ଯୁବତୀଙ୍କ ଭଲ ପାଉଥିଲେ ସୌମ୍ଯ । ତେବେ ପ୍ରେମିକାର ପରିବାର ପକ୍ଷରୁ ତାଙ୍କୁ ଧମକ ମିଳୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ପ୍ରେମରେ ବିଫଳ ହୋଇ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି ମୃତକଙ୍କ ମାଆ ।

