ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁର ମାନ। ଆଜି ସବୁଠାରୁ ଖରାପ ସ୍ତରକୁ ଯାଇଛି ବାୟୁ। ଆନନ୍ଦବିହାର ଅଂଚଳରେ AQI ୩୫୨ ରେକର୍ଡ ହୋଇଛି। ମୁଣ୍ଡକା ଅଂଚଳରେ ଏକ୍ଯୁଆଇ ୨୮୨, ବଜିରପୁରରେ ୨୯୭, ଜାହାଙ୍ଗିରପୁରିରେ ୨୯୭, ଆରକେ ପୁରମରେ ୨୮୫ ଏକ୍ଯୁଆଇ ରେକର୍ଡ ହୋଇଛି। ବବାନାରେ ୩୨୦ ଏବଂ ବିବେକ ବିହାର ଅଂଚଳରେ ଏକ୍ଯୁଆଇ ୩୦୮ ରେକର୍ଡ ହୋଇଛି। ଦିଲ୍ଲୀରେ ହାରାହାରି ଏକ୍ଯୁଆଇ ମାନ ୨୭୧ ରେକର୍ଡ ହୋଇଛି। ଦିଲ୍ଲୀରେ ଶୀତ ଆରମ୍ଭ ଆଗରୁ ପୁଣି ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଗତ କିଛି ଦିନ ଧରି ଦିଲ୍ଲୀରେ ବାୟୁର ସ୍ଥିତି ବିଗିଡିଛି। ଆକାଶରୁ ଧୂଆର ଚାଦର ଦେଖିବାକୁ ମିଳିଛି। ସୁସ୍ଥ ଲୋକଙ୍କ ପାଖରେ ମଧ୍ୟ କାଶ ଓ ସ୍ଵାସ ଜନିତ ସମସ୍ଯା ଦେଖାଦେଇଛି। ଲଗାତାର ପ୍ରଦୂଷିତ ଟପ୍ ୧୦ ସହର ମଧ୍ୟରେ ରହି ଆସୁଛି ଦିଲ୍ଲୀ। ଦିଲ୍ଲୀ ଏବେ ଦେଶର ତୃତୀୟ ପ୍ରଦୂଷିତ ସହର ପାଲଟିଛି। ସବୁଠାରୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ବିହାରର ହାଜିପୁର ରହିଛି। ଆସନ୍ତାକାଲି ଦୀପାବଳି ଥିବାରୁ ଆଗକୁ ଆହୁରି ସ୍ଥିତି ଖରାପ ହୋଇପାରେ। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ଯାନ ଲାଗିଥିଲେ ମଧ୍ୟ ଲୋକେ ଲୁଚାଛପାରେ ବାଣ ଫୁଟାଉଛନ୍ତି। ଏହାପରେ ବାୟୁର ମାନ ଆହୁରି ପ୍ରଦୂଷିତ ହୋଇଯାଉଛି । ପ୍ରଦୂଷଣରୁ ଛୋଟ ଶିଶୁ, ବୟସ୍ତ ବ୍ଯକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ଯା ବଢିପାରେ। ସେପଟେ ଦିଲ୍ଲୀରେ ଯମୁନା ନଦୀର ପାଣି ମଧ୍ୟ ଦୂଷିତ ହୋଇଛି। କାଳନ୍ଦୀ କୁଂଜ ନିକଟରେ ଯମୁନାରେ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳିଛି। ଯମୁନା ନଦୀର ପାଣି ପ୍ରଦୂଷଣର ସର୍ବାଧିକ ସ୍ତରରେ ପହଞ୍ଚିଛି। ସାରା ନଦୀ ବିଷାକ୍ତ ଫେଣରେ ଭରିଯାଇଛି।
ପୁଣି RCBର ଅଧିନାୟକ ହେବେ କି ବିରାଟ କୋହଲି ?
ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ସମସ୍ତ ଦଳ ୩୧ ଅକ୍ଟୋବରରେ ସେମାନଙ୍କ ଖେଳାଳିଙ୍କ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ଯାଉଛନ୍ତି । ଯାହା ପରେ ଚଳିତ ବର୍ଷ ଶେଷରେ ଏକ ମେଗା ନିଲାମ ଦେଖିବାକୁ ମିଳିବ । ଏଥର ଅନେକ ବଡ ଖେଳାଳିଙ୍କ ଦଳ ବଦଳୁଥିବା ଦେଖାଯାଉଥିବାବେଳେ ଅନେକ ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ ହୋଇପାରନ୍ତି । ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ମଧ୍ୟ ପରିବର୍ତ୍ତନ କରିପାରେ । ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ପୁଣି ଥରେ ଆରସିବିର ଅଧିନାୟକ ହୋଇପାରନ୍ତି ।
ଇଏସପିଏନ ଅନୁଯାୟୀ ବିରାଟ କୋହଲି ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦଳ ପରିଚାଳନାକୁ ନେଇ ସେ ଏହି ବିଷୟରେ ନିଜର ଭାବନା ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ଅଛି ତାହା କେହି ଜାଣି ନାହାଁନ୍ତି କିମ୍ବା ଆରସିବି ଦ୍ୱାରା କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ବିରାଟ କୋହଲି ଦୀର୍ଘ ଦିନ ଧରି ଆଇପିଏଲରେ ଆରସିବି ଅଧିନାୟକତ୍ୱ କରିଛନ୍ତି। କୋହଲି ୯ ବର୍ଷ ଧରି ଆରସିବିର ଅଧିନାୟକ ଥିଲେ। ତେବେ ଦଳ ତାଙ୍କ ଅଧିନାୟକତ୍ୱ ଅଧୀନରେ ଟାଇଟଲ ଜିତିପାରି ନାହିଁ।
୨୦୨୧ ମସିହାରେ ବିରାଟ କୋହଲି ଆରସିବିର ଅଧିନାୟକତ୍ୱ ଛାଡିଥିଲେ। ଯାହା ପରେ ଫାଫ୍ ଡୁ ପ୍ଲେସିସଙ୍କୁ ଆରସିବିର ନୂତନ ଅଧିନାୟକ କରାଯାଇଥିଲା। ଫାଫ୍ ତିନି ବର୍ଷ ଧରି ଆରସିବି ଅଧିନାୟକତ୍ୱ କରିଆସୁଛନ୍ତି, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ଆରସିବି ଫାଫ୍ ମୁକ୍ତ କରିପାରନ୍ତି । ଯାହା ପରେ ଆରସିବି ଏକ ନୂତନ ଅଧିନାୟକ ଆବଶ୍ୟକ କରିବ | ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ପୁଣି ଥରେ ଆରସିବି ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିପାରେ ।
IND vs NZ : ପୁଣେ ଭଳି ଏକ ‘ଭୁଲ୍’ କରିବାକୁ ଯାଉଛି ଟିମ୍ ଇଣ୍ଡିଆ !
ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଭାରତୀୟ ଦଳ ପୁଣି ଥରେ ସମାନ ଭୁଲ କରିବାକୁ ଯାଉଛି ଯାହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟରେ କରିଛି। ଯାହା ଭାରତୀୟ ଦଳ ପାଇଁ ଆତ୍ମଘାତୀ ହୋଇପାରେ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ` ପୁଣେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କିୱି ସ୍ପିନରଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଅସହାୟ ଦେଖାଯାଉଥିଲେ, ଫଳସ୍ୱରୂପ ଦଳକୁ ୧୧୩ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ଅପଡେଟ୍ ଆସୁଛି ତାହା ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଠାରେ କୁହାଯାଉଛି ଯେ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ତରଫରୁ ଟିମ୍ ମ୍ୟାନେଜମେଣ୍ଟ ଏକ ‘ ର୍ୟାଙ୍କ ଟର୍ନର’ ପିଚ୍ ଦାବି କରିଛି । ନା ଏଭଳି ଏକ ପିଚ୍ ପ୍ରସ୍ତୁତ କରିବାକୁ କହିଛି, ଯାହା ପ୍ରଥମ ଦିନରୁ ସ୍ପିନରଙ୍କ ପାଇଁ ସହାୟକ ହେବ ।
ଏକ ରିପୋର୍ଟ ଅନୁଯାୟୀ, ଦଳ ଏକ ପରୀକ୍ଷିତ ସୂତ୍ରରେ ଚାଲିବାକୁ ଚାହୁଁଛି । ଯାହାର ଅର୍ଥ ହେଉଛି ପ୍ରଥମ ଦିନରୁ ସ୍ପିନରଙ୍କ ଯାଦୁ ଦୃଶ୍ୟମାନ ହେବ । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଠାରେ ଟିମ୍ ଇଣ୍ଡିଆ ବିପର୍ଯ୍ୟସ୍ତ ହୋଇ ମାତ୍ର ୪୬ ରନ୍କୁ ହ୍ରାସ ପାଇଥିଲା । ପରବର୍ତ୍ତୀ ଇନିଂସରେ ଯେତେବେଳେ ଦଳ ପାଇଁ ସର୍ତ୍ତ ଅନୁକୂଳ ହେଲା ସେତେବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଥିଲା ।
ଦଳ ପାଇଁ ସରଫରାଜ ଖାନ ଏକ ଚମତ୍କାର ୧୫୦ ରନ୍ ସଂଗ୍ରହ କରିଥିବାବେଳେ ଋଷଭ ପନ୍ତ ୯୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବିରାଟ କୋହଲିଙ୍କ ୭୦ ରନ୍ ଏବଂ ରୋହିତ ଶର୍ମାଙ୍କ୫୨ ରନ୍ ଯୋଗୁଁ ଆୟୋଜକ ଦଳ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସ୍କୋର କରି କିୱି ଦଳ ପାଇଁ ୧୦୭ ରନ୍ ଧାର୍ଯ୍ୟ କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବାରେ କିୱି ଦଳ ମ୍ୟାଚକୁ ଆଠ ୱିକେଟ୍ ଜିତିଥିଲେ ।
ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପୁଣି ଥରେ ସଂଘର୍ଷ କରିବାକୁ ପଡିଥିଲା, କିନ୍ତୁ ଏଥର ଦଳ ଦ୍ରୁତ ବୋଲରଙ୍କ ପାଇଁ ନୁହେଁ ବରଂ ସ୍ପିନରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ନ୍ୟୁଜିଲ୍ୟାଣ୍ଡର ବାମହାତୀ ସ୍ପିନର ମିଚେଲ ସାଣ୍ଟନର୍ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ, ଯେଉଁଥିପାଇଁ ଭାରତୀୟ ଦଳ ମାତ୍ର ୧୫୬ ରନ୍ ପାଇ ଆଉଟ୍ ହୋଇଥିଲେ ।
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ : ମାଛ ନ ଦେବାରୁ ପନିକିରେ ହାଣିଦେଲା !
ଭୁବନେଶ୍ବର : ମାଛ ନ ଦେବାରୁ ହତ୍ୟା। ଭୁବନେଶ୍ବର ଡମଣା ନିକଟ ମା ତାରାଦେଇ ହୋଟେଲରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବିଳମ୍ୱିତ ରାତିରେ ଶୋଇଥିବା ଅବସ୍ଥାରେ ପନିକିରେ ହାଣି ହତ୍ୟା। ମୃତ ବ୍ୟକ୍ତି ପିତାମ୍ବର ଜେନା। ଘର ଭଞ୍ଜନଗର ଅଞ୍ଚଳରେ। ବିଳମ୍ୱିତ ରାତିରେ ଅଭିଯୁକ୍ତ ମାଛ ମାଗିଥିଲା ହେଲେ ପିତାମ୍ବର ଦେବାକୁ ମନା କରିଥିଲେ। ଏହା ପରେ ରାଗ ରଖି ଶୋଇଥିବା ଅବସ୍ଥାରେ ହତ୍ୟା କରିଛି ଅଭିଯୁକ୍ତ। ଦୀର୍ଘ ୧୫ ବର୍ଷ ହେବ ଏହି ହୋଟେଲରେ କାମ କରୁଥିଲେ ପୀତାମ୍ବର। ଅଭିଯୁକ୍ତ ମଧ୍ୟ ଏହି ହୋଟଲରେ କାମ କରୁଥିଲା। ଅଭିଯୁକ୍ତକୁ ଧରି ପୋଲିସ ଛାନବିନ ଆରମ୍ଭ କରିଛି।
ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୮ ମୃତ, ଲୋକଙ୍କ ପାଖରେ ନାହିଁ ଖାଦ୍ୟ, ଜଳ ଏବଂ ଔଷଧ
ନନ୍ଦିଘୋଷ ବ୍ୟୁରୋ : ୨୦୨୩ ମସିହା ଅକ୍ଟୋବର ୭ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ପ୍ରାୟ ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତାର ଘାଜା ଉପରେ ଆକ୍ରମଣ କରୁଛି । ଗତ ସପ୍ତାହରେ ଇସ୍ରାଏଲ ଉତ୍ତର ଗାଜାରେ ଏକ ପ୍ରମୁଖ ଭୂମି ଅଭିଯାନ ଆରମ୍ଭ କରିଛି । ଇସ୍ରାଏଲର ଲକ୍ଷ୍ୟ ହେଉଛି ହାମାସକୁ ମୂଳୋତ୍ପାଟନ କରିବା ।ଏହି ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି, ଯେଉଁ କାରଣରୁ ଗାଜାର ଅବସ୍ଥା ବିଗିଡି ଯାଉଛି । ପର୍ଯ୍ୟାପ୍ତ ସହାୟତା ଗାଜାରେ ପହଞ୍ଚୁନାହିଁ ।
ଗାଜା ଉପରେ ହାମଲାକୁ ଇସ୍ରାଏଲ ଜୋରଦାର କରିଛି । ଏହି କ୍ରମରେ ମଙ୍ଗଳବାର ଦିନ ଇସ୍ରାଏଲ୍ ଉତ୍ତର ଗାଜା ଷ୍ଟ୍ରିପରେ ଆକ୍ରମଣ କରିଥିଲା ଯେଉଁଥିରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଅନେକ ଶିଶୁ ଓ ମହିଳା ପ୍ରାଣ ହରାଇଛନ୍ତି । ଗାଜାରେ ମୌଳିକ ଜିନିଷର ଉପଲବ୍ଧତା ମଧ୍ୟ ଚିନ୍ତାର ବିଷୟ ପାଲଟିଛି । UNRWA ମୁଖପାତ୍ର ଜନ୍ ଫାଉଲର କହିଛନ୍ତି ଯେ, ଯଦି ଗାଜାରେ ମାନବିକ କାର୍ଯ୍ୟ ବିଫଳ ହୁଏ ତେବେ ଏହା ଏକ ବଡ ବିପର୍ଯ୍ୟୟ ହେବ ।
ଗାଜାର ଅବସ୍ଥା ଏତେ ଖରାପ ହେବାରେ ଲାଗିଛି ଯେ, ସେଠାରେ ଥିବା ଲୋକମାନେ ଖାଦ୍ୟ, ଜଳ ଏବଂ ଔଷଧ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ଖବର ଅନୁଯାୟୀ, ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଉଥିବା ଜାତିସଂଘର ମୁଖ୍ୟ ଏଜେନ୍ସି ସହିତ ସମ୍ପର୍କ ଛିନ୍ନ କରିବା ଏବଂ ଏହାକୁ ଇସ୍ରାଏଲ୍ ମାଟିରୁ ନିଷିଦ୍ଧ କରିବା ପାଇଁ ଇସ୍ରାଏଲର ଆଇନଜୀବୀମାନେ ଦୁଇଟି ଆଇନ ପ୍ରଣୟନ କରିଥିଲେ । ଇସ୍ରାଏଲ୍ ଗାଜା ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କକୁ ନିୟନ୍ତ୍ରଣ କରେ । ଏହି କାରଣରୁ ଇସ୍ରାଏଲ ଏଠାରେ ନିଜର ନିୟମ ତିଆରି କରୁଛି । ଏଥି ସହିତ ଲେବାନନର ସ୍ଥିତି ମଧ୍ୟ ଭଲ ନୁହେଁ । ହିଜବୁଲ ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ଏହାର ପୁରୁଣା ନେତା ହାସନ ନାସରାଲ୍ଲାଙ୍କ ସ୍ଥାନରେ ଶେଖ ନଇମ କାସୀମଙ୍କୁ ଚୟନ କରାଯାଇଛି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନାସରାଲ୍ଲାଙ୍କର ମୃତ୍ୟୁ ହୋଇଥିଲା। ବିଜୟ ହାସଲ ନହେବା ପର୍ଯ୍ୟନ୍ତ ହିଜବୁଲ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି ।
ଆଇପିଏଲ୍ ୨୦୨୫ : CSKର ବଡ ସୂଚନା ! ଏହି ସବୁ ଖେଳାଳି ହେବେ ରିଟର୍ଣ୍ଣ…
ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ 2୦୨୫ ମେଗା ନିଲାମ ପୂର୍ବରୁ, ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କୁ ଦଳରେ ବଜାୟୀ ରଖିବାକୁ ଚାହିଁବେ । ୩୧ ଅକ୍ଟୋବର ସୁଦ୍ଧା ସେମାନଙ୍କ ସଂରକ୍ଷିତ ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିବାକୁ ଯାଉଛନ୍ତି । ଏଥର ସମସ୍ତ ଫ୍ରାଞ୍ଚାଇଜ୍ ସର୍ବାଧିକ ୬ ଖେଳାଳିଙ୍କୁ ରଖିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ତାଲିକାରେ ଉପରେ ପ୍ରଶଂସକଙ୍କ ନଜର ରହିଛି ।
ଏଥର CSK ଏହାର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ରିଟର୍ଣ୍ଣ କରିପାରେ । ସଂରକ୍ଷଣ ତାଲିକା ପ୍ରକାଶନର ଗୋଟିଏ ଦିନ ପୂର୍ବରୁ, CSK ଏକ ବଡ଼ ସୂଚନା ଦେଇଛି । ଯାହାକୁ ନେଇ ପ୍ରଶଂସକ ମଧ୍ୟରେ କଳ୍ପନା ଆରମ୍ଭ ହୋଇଯାଇଛି ।
ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏହାର X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ଟିକିଏ ହଲଚଲ ଦେଖାଦେଇଛି । CSK ଏହି ପୋଷ୍ଟରେ କିଛି ଇମୋଜି ସାମିଲ କରିଛି । ଏକେଉଁ ଖେଳାଳିଙ୍କୁ CSK ରଖିବାକୁ ଯାଉଛି ତାକୁ ନେଇ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ।
ଏଥର ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଇକୱାଡ, ମାଥିଶା ପାଥିରାନା, ରାଚିନ୍ ରବିନ୍ଦ୍ର ଏବଂ ଏମଏସ ଧୋନି ଦଳରେ ରହିବା ନେଇ କିଛି ପ୍ରଶଂସକ ବିଶ୍ବାସ କରନ୍ତି । CSK ଏପରି ପୋଷ୍ଟ ପ୍ରଥମ ଥର ପାଇଁ ସେୟାର କରିନି । ଏହା ପୂର୍ବରୁ ୨୦୨୨ ମସିହାରେ, ଏହିପରି ଇମୋଜି ଥାଇ ଏକ ପୋଷ୍ଟ CSK ଦ୍ୱାରା ଅଂଶୀଦାର କରାଯାଇଥିଲା । ଏପରିକି ସେହି ସମୟରେ ପ୍ରଶଂସକଙ୍କ ପୂର୍ବାନୁମାନ ଅନୁଯାୟୀ ପ୍ରାୟ ସମାନ ଖେଳାଳିଙ୍କୁ ରଖାଯାଇଥିବାର ଦେଖାଯାଇଥିଲା । CSK ପୁନର୍ବାର ପୁରୁଣା ପୋଷ୍ଟ ସେୟାର କରିଥିବା କିଛି ପ୍ରଶଂସକ ବିଶ୍ବାସ କରନ୍ତି ।
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି
ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ |
ଦୁଇ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୫ ମୃତ
ସୁନ୍ଦରଗଡ : ଗୋଷ୍ଠୀ ସଂଘର୍ଷରେ ୫ ମୃତ। ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚ ଜଣଙ୍କ ମୃତ୍ଯୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ରହିଛନ୍ତି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଚାରି ଜଣ ଶିଶୁଙ୍କୁ ନେଇ ଫେରାର ମାରିଛନ୍ତି। ଧରିବାକୁ ପୋଲିସ ତନାଘନା ଜାରି ରହିଛି। ସଦର ଏସଡିପିଓ, ୫ ଆଇଆଇସି, ୪ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛନ୍ତି। ମେଡିକାଲରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଂଚି ତନାଘନା କରିଛନ୍ତି। ଗତ କିଛି ମାସ ଧରି ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅବିନାଶ ପାୱାର ନାମକ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ଗୋଟିଏ ପୁଅକୁ ନେଇ ଅନ୍ୟ କାହା ସହିତ ପଳାଇ ଯାଇଥିଲେ। ଏହାପରେ ଅବିନାଶ ଆଉ ଜଣେ ମହିଳାଙ୍କ ସହ ରହି ଆସୁଥିଲେ।
ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଲୋକ ଆସି ଅବିନାଶଙ୍କ ଉପରକୁ ଦ୍ବାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଜଣେ ମହିଳା ଆହତ ହୋଇଛନ୍ତି।ଘଟଣା ପରେ ଅନ୍ୟ ଏକ ଗୋଷ୍ଠୀ ଫେରାର ମାରିଛନ୍ତି।
ନଇମ କ୍ଵାସିମ ହେବେ ହିଜବୁଲ୍ଲାର ନୂଆ ମୁଖ୍ୟ
ନନ୍ଦଘୋଷ ବ୍ୟୁରୋ : ନଇମ କ୍ଵାସିମ ହେବେ ଲେବାନନ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜବୁଲ୍ଲାର ନୂଆ ମୁଖ୍ୟ । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲାର ମୁଖ୍ୟ ଭାବେ କାମ କରୁଥିବା ହାସନ ନସରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ ଏବେ ହାସନ ନସ୍ରଲ୍ଲାଙ୍କ ସ୍ଥାନ ନଇମ କ୍ୱାସିମ ନେବେ । ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଚୟନ ହୋଇଛନ୍ତି ନଇମ କ୍ୱାସିମ। ବର୍ତ୍ତମାନ ସେ ହିଜବୁଲ୍ଲାର ଉପ ମହାସଚିବ ଓ ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଛନ୍ତି। ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ହିଜବୁଲ୍ଲାର ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ସ୍ଥାନ ନୈମ କ୍ୱାସୀମ ନେବେ। ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହିଜବୁଲ୍ଲାର ସୁରା ପରିଷଦ ୭୧ ବର୍ଷୀୟ କ୍ୱାସୀମଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛି। ୧୯୯୧ ମସିହାରୁ ସେ ସଂଗଠନ ଉପ ମହାସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କୁ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଉଛି। ଇସ୍ରାଏଲ ବିରୋଦ୍ଧରେ ଏବଂ ପାଲେଷ୍ଟାଇନର ଅଧିକାର ପୁନଃ ସ୍ଥାପିତ ନହେବା ପର୍ଯ୍ୟନ୍ତ ହିଜବୁଲ ବର୍ତ୍ତମାନ ହାସନ ନସ୍ରଲ୍ଲାଙ୍କ ନୀତି ଜାରି ରଖିବାକୁ ଶପଥ ନେଇଛନ୍ତି। ୭୧ ବର୍ଷୀୟ କ୍ୱାସିମ ୧୯୯୧ ମସିହାରେ ସଶସ୍ତ୍ର ଦଳର ତତ୍କାଳୀନ ସେକ୍ରେଟେରୀ ଜେନେରାଲ ଆବାସ ଅଲ-ମୁସାଭିଙ୍କ ଦ୍ୱାରା ଦଳର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ।
ଦୀପାବଳି ଗାଇଡଲାଇନ୍ : ସଂଧ୍ୟା ୭ଟାରୁ ରାତି ୯ଟା ଭିତରେ ଫୁଟିବ ବାଣ
ଭୁବନେଶ୍ବର : ଦୀପାବଳି ପାଇଁ ଆସିଲା ଗାଇଡଲାଇନ୍। ସଂଧ୍ୟା ୭ଟାରୁ ରାତି ୯ଟା ଭିତରେ ଫୁଟିବ ବାଣ। ଦୀପାବଳି ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଏଥିପାଇଁ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଗାଇଡଲାନରେ କୁହାଯାଇଛି ଯେ, ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ମନା କରାଯାଇଛି। ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି। ଏହାସହ ବସ୍ତି, ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାରକୁ ମନା କରାଯାଇଛି।

