spot_img
Home Blog Page 1395

ନନ୍ଦିଘୋଷ ଟିଭିର ପ୍ରଭାବ: ବିଦ୍ୟୁତ ସଂଯୋଗ ହେଲା, ଜମିକୁ ପାଣି ବି ମାଡ଼ିଲା

ରାୟଗଡ଼ା: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଜଳଯୋଗାଣ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ବି ହେଲା ଓ ଜମିକୁ ପାଣି ବି ମାଡ଼ିଲା । ଖବର ପ୍ରସାରଣ ପରେ ସାଉଥକୋ ତୁରନ୍ତ ବିଦ୍ୟୁତ ସଂଯୋଗ କରି ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି ।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ଏମକେରାଇ ଅଞ୍ଚଳରେ ଦୁଇଟି ପ୍ରକଳ୍ପ ଥାଇ ମଧ୍ୟ ଜମିରେ ପାଣି ମାଡ଼ିପାରୁ ନଥିଲା । ଚଳିତବର୍ଷର ସ୍ବଳ୍ପ ବୃଷ୍ଟି ଜମିରେ ଧାନ ଚାଷ ପ୍ରଭାବିତ ହେଉଥିବା ବେଳେ ଉଠା ଜଳସେଚନ ଉପରେ ନିର୍ଭର କରିଛନ୍ତି ଚାଷୀ । ବର୍ଷା ଅଭାବରୁ କ୍ଷେତରେ ଧାନ ଜମି ଫାଟି ଆଁ କରିବା ସହିତ ଧାନ ଗଛଗୁଡ଼ିକ ପାଳ ହେବାକୁ ବସିଥିଲା ।

ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଭାବ ପଡ଼ିଛି । ସାଉଥକୋ ବିଦ୍ୟୁତ୍ ଚାର୍ଜ କରିବା ସହ ଉଠା ଜଳସେଚନ ବିଭାଗ ପାଣି ପ୍ରକଳ୍ପ ଚାଲୁ କରିଛନ୍ତି । ଯାହାଦ୍ବାରା ୧୬ଟି ଚାଷୀ ପରିବାରର ୫୦ ଏକର ଧାନ ଜମିରେ ପାଣି ଯୋଗାଇବା ସମ୍ଭବ ହୋଇପାରିଛି । ଅନ୍ୟ ଗୋଟିଏ କ୍ଷୁଦ୍ର ଜଳସେଚନ ବିଭାଗର ଚେକଡ୍ୟାମର ସାନ ନାଳ ଭାଙ୍ଗି ଯାଇଥିବାରୁ ଜମିକୁ ପାଣି ମାଡ଼ିବାରେ ସମସ୍ୟା ହେଉଛି । ସାନ ନାଳକୁ ମରାମତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ଦେଶରେ ଶୀଘ୍ର ଲାଗୁ ହେବ ଓ୍ବାନ ନେସନ ଓ୍ବାନ୍ ଇଲେକ୍ସନ ବ୍ୟବସ୍ଥା: ପ୍ରଧାନମନ୍ତ୍ରୀ

କେୱଡିଆ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ୱାନ ନେସନ ୱାନ ଇଲେକ୍ସନ ପ୍ରସଙ୍ଗ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଲାଗୁ କରାଯିବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା । ସରକାର ଏହା ଉପରେ କାମ କରି ଚାଲିଛନ୍ତି । ଖୁବଶୀଘ୍ର ଏହା ଘୋଷଣା କରାଯିବ ଓ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ସତ ହେବ ।

ସୂଚନାଯୋଗ୍ୟ, ୱାନ ନେସନ ୱାନ ଇଲେକ୍ସନ ପ୍ରସ୍ତାବକୁ କେନ୍ଦ୍ର କ୍ଯାବିନେଟ ମଞ୍ଜୁରୀ ଦେଇଥିବାବେଳେ ଆଗାମୀ ଶୀତ କାଳୀନ ଅଧିବେଶନରେ ଏହି ବିଲ୍ ସଂସଦରେ ଆଗତ ହେବା ସମ୍ଭାବନା ରହିଛି । ଏହାସହ ଦେଶରେ ୟୁନିଫର୍ମ ସିଭିଲ କୋଡ ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସର୍ଦ୍ଦାର ପଟେଲଙ୍କ ୧୪୯ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

କହି ରଖୁଛୁ, ମୋଦି ସରକାରଙ୍କ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହେଉଛି ଓ୍ବାନ ନେସନ, ଓ୍ବାନ ଇଲେକ୍ସନ । ଯାହାକୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ଦିନରାତି ଏକ କରିଦେଇଛି । ହେଲେ ଏହି ବିଲ୍ ଆଇନରେ ପରିଣତ ହେବା ଏତେ ସହଜ ମନେ ହେଉନାହିଁ । କାରଣ ବହୁ ରାଜେନୖତିକ ଦଳ ଓ୍ବାନ ନେସନ ଓ୍ବାନ ଇଲେକ୍ସନକୁ ବିରୋଧ କରୁଛନ୍ତି ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁଜରାଟର କେୱଡିଆ ପହଞ୍ଚି ଥିଲେ । ଯେଉଁଠି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ରହିଛି । ଯାହା ଷ୍ଟାଚ୍ୟୁ ଅଫ୍ ୟୁନିଟଇ ନାମରେ ନାମିତ । ସେଠାରେ ସେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବାରହା ଶିକାର କଲା ବାଘୁଣୀ ଯମୁନା

ବାରିପଦା: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ବାଘୁଣୀ ଯମୁନା ଶିକାର କରିଛି । ଏନକ୍ଲୋଜର ଭିତରେ ସେ ଏକ ବାରହା ଶିକାର କରି ଖାଇଛି । ଏହି ସୂଚନା ଦେଇଛନ୍ତି ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ବାଘୁଣୀ ଯମୁନା ଥିବା ଏନକ୍ଲୋଜର ଭିତରେ ଏକ ହରିଣ ଓ ବାରହା ଛଡ଼ାଯାଇଥିଲା । ଯମୁନା ବାରହାଟିକୁ ଶିକାର କରି ଖାଇଛି । ଯମୁନା ସୁସ୍ଥ ଅଛି ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । ଏହି କ୍ରମରେ ମହାରାଷ୍ଟ୍ରରୁ ବାଘୁଣୀ ଯମୁନାକୁ ଅଣାଯାଇଛି । ଓଡ଼ିଶା ଆସିବା ପରେ ଗତ ୨୮ ତାରିଖରେ ବାଘୁଣୀ ଯମୁନାକୁ ଶିମିଳିପାଳରେ ଏକ ଏନକ୍ଲୋଜରରେ ରଖାଯାଇଛି ।

ରାଜ୍ୟରେ ଆଜି ନିର୍ବାଚନ ହେଲେ ବିଜେଡି ୧୦୦ରୁ ଅଧିକ ଆସନ ଜିତିବ: ବିଜେଡି

ନବରଙ୍ଗପୁର: ନିର୍ବାଚନର ମାଇ କେଇଟା ଭିତରେ ଲୋକଙ୍କ ଆଶା ଓ ଭରସାରେ ଫେଲ ହୋଇଛି ବିଜେପି । ସରକାରଙ୍କ ବିଫଳତା ଅସନ୍ତୋଷ ବୃଦ୍ଧିର କାରଣ ପାଲଟିଛି । ଆଉ ଓଡ଼ିଶାବାସୀ ନବୀନଙ୍କ ସୁଶାସନକୁ ଝୁରି ହେଉଛନ୍ତି । ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ତେବେ ବିଜେଡି ୧୦୦ରୁ ଅଧିକ ଆସନରେ ଜିତିବ । ନବରଙ୍ଗପୁରରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅବସରରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳୀୟ ନେତା ତଥା ସାଂସଦ ମୁନା ଖାଁ ।

ସେ କହିଛନ୍ତି, ନିର୍ବାଚନରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବାରେ ବିଫଳ ହୋଇଛି ।

ଆଗକୁ ସେ କହିଛନ୍ତି, ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୨୨ ଜଣଙ୍କ ମଧ୍ୟରୁ ବିଜେପି ଟିକେଟରେ ବିଜୟୀ ହୋଇଥିବା ୧୪ ବିଧାୟକ ବିଜେଡି ଲିଙ୍କରେ ରହିଛନ୍ତି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ରୁ ଅଧିକ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଓ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।

ନବରଙ୍ଗପୁରରେ ଚାଲିଥିବା ବିଜେଡିର  ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଜମି ବିବାଦ: ପୁତୁରା ଶାବଳ ଆକ୍ରମଣରେ ଦାଦା ମୃତ

ମୋଟୁ: ଜମି ବିବାଦରୁ ଦାଦାକୁ ହତ୍ୟା କଲା ପୁତୁରା । ନେଇଗଲା ଦାଦାର ଜୀବନ । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ମାନ୍ୟମକୋଣ୍ଡା ପଞ୍ଚାୟତ ବାଞ୍ଜିଗୁଡା ଗାଁରେ ।

ଅଭିଯୋଗ ଅନୁସାରେ, ଗତକାଲି ଦାଦା ଭୀମା ମାଡି ଜମି କି ଯାଇ ଘରେ ପହଞ୍ଚିବା ପରେ ପୁତୁରା ଲାଛା ମାଡି ସହିତ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଲାଛା ଏକ ଶାବଳରେ ଭୀମାଙ୍କ ମୁଣ୍ଡକୁ ଶକ୍ତ ପ୍ରାହର ପକାଇଥିଲେ । ଫଳରେ ଘଟଣା ସ୍ଥଳରେ ଭୀମଙ୍କୁ ମୃତ୍ୟୁ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଭୀମାଙ୍କ ସ୍ତ୍ରୀ ମୋଟୁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ମୋଟୁ ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

ବିଜେପି ନେତା ଓ କର୍ମୀଙ୍କ ଗୁଣ୍ଡାରାଜ, ବନ୍ଧୁକ ମୁନରେ ଜଣଙ୍କୁ ଅପହରଣ ଅଭିଯୋଗ

ବସ୍ତା: ବିଜେପି କ୍ଷମତାକୁ ଆସିବା ପରେ ଏହି ଦଳର ନେତା ଓ କର୍ମୀଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି ନେତା ଓ କର୍ମୀଙ୍କ ଦାଦାଗିରି ଖବର ଆସିବାରେ ଲାଗିଛି । ବାଲେଶ୍ଵର ଜିଲ୍ଲା ବସ୍ତାର ବିଜେପି ନେତା ରବୀନ୍ଦ୍ର ଅଣ୍ଡିଆ ଓ ତାଙ୍କ କର୍ମୀଙ୍କ ବିରୋଧରେ ଆସିଛି ଅପହରଣ ପରି ସଙ୍ଗୀନ ଅଭିଯୋଗ ।

ଜଣେ ଯୁବକଙ୍କୁ ଅପହରଣ କରିବା ସହିତ ତାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଥାନାରୁ ମାମଲା ମଧ୍ୟ ପ୍ରତ୍ୟାହାର କରିବାକୁ ଦିଆଯାଇଛି ଧମକ । ଏପରିକି ରାତିରେ ଟ୍ରାକ୍ଟରରେ ଅଳିଆ ନେଇ ଜଣକ ଘର ଆଗରେ ପକା ଯାଇଛି ।

ସୂଚନାଯୋଗ୍ୟ, ସିଂଲା ଥାନା ଦୁନ୍ଦକୁଟ ଗାଁର ସଞ୍ଜିତ କୁମାର ସି ମାଛ ବେପାର କରନ୍ତି । ଗତ ଫେବୃଆରୀ ମାସରେ ସେ ନିଜ ଗାଁ ପୋଖରୀରୁ ମାଛ ମାରିଥିଲେ । ଏହାକୁ ନେଇ ବିଜେପି ନେତା ରବୀନ୍ଦ୍ର ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ସଞ୍ଜିତଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଭୟଭୀତ କରାଇ ସଞ୍ଜିତଙ୍କ ଘରକୁ ନିଜ ସମ୍ପର୍କୀୟଙ୍କ ନାଁରେ କରାଇ ଦେଇଛନ୍ତି । ଏହାକୁ ନେଇ ସଞ୍ଜିତ ବାଲିଆପାଳ, ସିଂଲା ଥାନାରେ ଓ ବସ୍ତା କୋର୍ଟରେ ଅଭିଯୋଗ କରିଥିଲେ ।

ଗତକାଲି କୋର୍ଟରେ ଶୁଣାଣି ଥିଲା । କିନ୍ତୁ ଅଭିଯୁକ୍ତ ପକ୍ଷ ଆସି ନଥିଲେ । ଗତ ରାତିରେ ବିଜେପି ନେତାଙ୍କ ସହଯୋଗୀ ଟ୍ରାକ୍ଟରରେ ଅଳିଆ ଆଣି ସଞ୍ଜିତଙ୍କ ଘର ଆଗରେ ପକାଇ ଦେଇଥିବାର ଅଭିଯୋଗ ହୋଇଛି । ଆଜି ସକାଳେ ସଞ୍ଜିତ ପୁଣି ବାଲିଆପାଳ ଥାନାକୁ ଯାଇ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ।

ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକାଳୀ

ଭଦ୍ରକ: ଭଦ୍ରକରେ ଧୂମଧାମରେ ଚାଲିଛି ମାଆ କାଳୀଙ୍କ ପୂଜା । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମାଆ ଭଦ୍ରକାଳୀ ଆଜିଠାରୁ ସପ୍ତମାତୃକା ବେଶରେ ୭ ଦିନ ଧରି ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବ ।

ମାଆଙ୍କୁ ବେଦମାତା ବେଶରେ ଦର୍ଶନ କଲେ ଭକ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ଚଳିତବର୍ଷ ମାଆଙ୍କ ପୂଜାର୍ଚ୍ଚନା ବେଶ ଧୂମଧାମରେ ଚାଲିଛି । ଆଜି ପ୍ରଥମେ ମାଆ ଭଦ୍ରକାଳୀ କଳସ ଶୋଭାଯାତ୍ରା କରାଯାଇଥିଲା । ପୀଠ ପୂଜା ହେବ ପରେ ସପ୍ତଚଣ୍ଡୀ ପାଠ କରାଯିବ । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମାଆ  ମହାକାଳୀ ବେଶରେ ଦର୍ଶନ ଦେବେ ।

ବାଣ ଦୋକାନରେ କମିଶନରେଟ ପୋଲିସର ଚଢ଼ାଉ, ବିପୁଳ ପରିମାଣରେ ବାଣ ଜବତ

ଭୁବନେଶ୍ବର: ଆଜି ଦିବାପଳୀ । ବାଣ କିଣିବାକୁ ସକାଳୁ ଲାଗିଛି ବିଭିନ୍ନ ବାଣ ଦୋକାନରେ ଲୋକଙ୍କ ଗହଳି । ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଥାନା ଅଞ୍ଚଳରେ ବାଣ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ କିଛି ସ୍ଥାନରେ ବିନା ଲାଇସେନ୍ସରେ ବାଣ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ବିଭିନ୍ନ ବାଣ ଦୋକାନରେ କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଏସିପି ଅମିତାଭ ମହାପାତ୍ର ଏବଂ ଏସିପି କେପି ମିଶ୍ରଙ୍କ ନେତୃତ୍ବରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଥାନା ଅଞ୍ଚଳରେ ବାଣ ଦୋକାନ ଗୁଡିକରେ ଅତର୍କିତ ଚଢ଼ାଉ କରାଯାଇଛି ।

ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳିକୁ ପାଳନ କରିବା ଲାଗି ସମ୍ପୃକ୍ତ ବାଣ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି । ବିନା ଅନୁମତିରେ ବାଣ ଦୋକାନ ନ କରିବା ଲାଗି ମଧ୍ୟ କଡା ନିର୍ଦ୍ଦେଶ ରହିଥିଲା । କେତେକ ବ୍ୟବସାୟୀ ବେଆଇନ ଭାବେ ବାଣ ବ୍ୟବସାୟ କରିଥିବା ଜାଣି ଚଢାଉ କରାଯାଇଥିଲା । ନିର୍ଦ୍ଦେଶାବଳିକୁ ପାଳନ କରିବା ଲାଗି ସମ୍ପୃକ୍ତ ବାଣ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିନା ଅନୁମତିରେ ବାଣ ଦୋକାନ ନ କରିବା ଲାଗି ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଏହି ଚଢାଉରେ ବଡଗଡ, ଖଣ୍ଡଗିରି, ଜଟଣୀ ଓ ଏୟାରଫିଲ୍ଡ ଥାନା ଅଞ୍ଚଳ ସମେତ ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ବେଆଇନ ବାଣ ଦୋକାନଗୁଡିକରୁ ବିପୁଳ ପରିମାଣର ବାଣ ଓ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରାଯାଇଛି । ସେସବୁକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମ୍ପୃକ୍ତ ଥାନା ଜିମା ଦିଆଯାଇଛି ।

ନବୀନଙ୍କୁ ମନେ ପକାଉଛନ୍ତି ପଦ୍ମପୁର ବାଣ ବ୍ୟବସାୟୀ

କଟକ: ଆସିଛି ଆଲୋକର ପର୍ବ ଦୀପାବଳି । ଆଜି ରାତିରେ ସାରା ରାଜ୍ୟ ରଙ୍ଗିନ ଆଲୋକମାଳରେ ସଜେଇ ହେବା ସହ ଲୋକେ ନିଜ ନିଜ ଘରେ ଦୀପ ଜାଳି ବାଣ ଫୁଟାଇ ଦୀପାବଳି ପାଳନ କରିବେ । ଆଉ ଏହାରି ଭିତରେ ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମନେ ପକାଉଛନ୍ତି । ଓଡିଶାର ଦ୍ଵିତୀୟ ଶିବକାସି ଭାବେ ପରିଚିତ କଟକ ଜିଲ୍ଲା ପଦ୍ମପୁରର ବାଣ ବ୍ୟବସାୟୀ ଏବେ ନବୀନଙ୍କୁ ମନେ ପକାଇ ଝୁରି ହେଉଛନ୍ତି ।

ସେମାନେ କହିଛନ୍ତି, ପୂର୍ବ ସରକାର ଥିବା ସମୟରେ ଘରେ ବାଣ ତିଆରି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା । ଯାହା ଫଳରେ ପଦ୍ମପୁର ବାଣ ବ୍ୟବସାୟୀମାନେ ଅଧିକ ଲାଭବାନ ହେଉଥିଲେ । କିନ୍ତୁ ବର୍ତ୍ତମାନ ଗ୍ରୀନ ବାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦୋକାନରେ ଗ୍ରୀନ ବାଣର ଚାହିଦା ବି ବଢ଼ିଛି । ଆଉ ଏହାରି ଭିତରେ  ପଦ୍ମପୁରରେ ୨୦ ହଜାର ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି ।

ସେମାନେ କହିଛନ୍ତି, ନବୀନ ସରକାର ସମୟରେ ବାଣ ବ୍ୟବସାୟୀଙ୍କ ଜୀବନ ଜୀବିକା କଥା ବୁଝୁଥିଲେ । ହେଲେ ଏବେର ମୋହନ ସରକାରଙ୍କ ପାଇଁ ଆମେ ଭିତ୍ତିଭୂମି ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ ଓ ଗ୍ରାହକ ।

ରାଜ୍ୟବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଉତ୍ସାହର ମାହୋଲ । ଲୋକେ ନିଜ ଘରକୁ ରଙ୍ଗୀନ ଆଲୋକମାଳାରେ ସଜାଇବା ସହ ଦୀପ ଜାଳୁଛନ୍ତି । ସନ୍ଧ୍ୟାରେ ପିଲାଠୁ ବୟସ୍କ ଆତସବାଜିର ମଜା ଉଠାଇବେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି ।

ନିଜ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଜୀବନରୁ ଅଜ୍ଞାନ ଓ ଦୁଃଖର ଅନ୍ଧାର ଦୂର ହେଉ । ସମୃଦ୍ଧିର ଓ ଜ୍ଞାନର ଆଲୋକ ବିଚ୍ଛୁରିତ ହେଉ । ବିକଶିତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ।

ନିଜ ଗାଁରେ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିବେ । ଏଥିପାଇଁ ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଗାଁରେ ପରିବାର ଓ ଗାଁ ଲୋକଙ୍କ ସହିତ ଦୀପାବଳି ପାଳନ କରିବେ । ଦୀପାବଳିରେ ହେଉଥିବା ସୋହରାଇ ପୂଜାରେ ବି ସାମିଲ ହେବେ ।