spot_img
Home Blog Page 1383

ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ: ‘ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି’

ଭୁବନେଶ୍ୱର: ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିବା ସହ ଶ୍ରୀକାନ୍ତ କହିଛନ୍ତି, ଯୋଗାଣ ମନ୍ତ୍ରୀ ଦାୟିତ୍ୱହୀନ ଓ ବିଭ୍ରାନ୍ତିକର ମନ୍ତବ୍ଯ ଦେବା ସହ ମିଛ କହୁଛନ୍ତି । ମନ୍ତ୍ରୀ କି ଜିଲ୍ଲାପାଳ କେହିବି ସେହି ଗାଁକୁ ଯାଇନାହାନ୍ତି। ଅକ୍ଟୋବର ଏକ ତାରିଖ ବଦଳରେ ନଭେମ୍ବରରେ କାହିଁକି ଚାଉଳ ବଣ୍ଟାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଉଳ ନପାଇବାରୁ ଲୋକମାନେ ଭୋକରେ ଆମ୍ବ ଟାକୁଆ ଜାଉ ଖାଇଥିଲେ । ଠିକ ସମୟରେ ଚାଉଳ ପାଇଥିଲେ ଆଜି ଲୋକମାନେ ମରିନଥାନ୍ତେ । ଆମ୍ବ ଟାକୁଆ ଖାଇବା ସେହି ଅଞ୍ଚଳର ଅଭ୍ଯାସ ବୋଲି ମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ।

ସେ ଆହୁରୀ କହିଛନ୍ତି, ଆମ୍ବ ଟାକୁଆ କେହି ଖୁସିରେ ଖାଆନ୍ତି ନାହିଁ, ଅନାହାର ଯୋଗୁ ଖାଇଛନ୍ତି । ଏଯାଏଁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କିଛି ଉତ୍ତର ରଖିନାହାନ୍ତି। ସଂରକ୍ଷିତ ଅଞ୍ଚଳରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା ଦାୟିତ୍ୱ ରାଜ୍ୟପାଳଙ୍କର । ହେଲେ ସେ ମଧ୍ଯ ଘଟଣାସ୍ଥଳକୁ ଯାଇନାହାନ୍ତି ବୋଲି କହିଛନ୍ତି ଶ୍ରୀକାନ୍ତ ।

ରାଉରକେଲା ଟ୍ରାଫିକ ଗେଟ ଛକ ନିକଟରେ ଗୁଳିମାଡ଼, ଜଣେ ଯୁବକ ଗୁରୁତର

ରାଉରକେଲା: ରାଉରକେଲା ଟ୍ରାଫିକ ଗେଟ ଛକ ନିକଟରେ ଗୁଳିମାଡ଼। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଲେ ଅଭେସ ରାୟ। ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭେସଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଟି ଖୋଖା ଜବତ କରିଛି। ତେବେ ଅଭେସଙ୍କ ଉପରକୁ କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ଗୁରୁତର ଅଭେସ ପୂର୍ବରୁ ଏକ ହତ୍ଯା ମାମଲାରେ ସଂପୃକ୍ତ ଥିଲେ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ।

ଖାଇକୁ ଖସି ପଡ଼ିଲା ବସ, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ବଡ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌।   ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ SDRF ର ତିନୋଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଲ୍‌ମୋଡା ଏସପି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ ବାହାରିଥିଲା। ଏହି ବସରେ ମୋଟ ୩୫ ଜଣ ଯାତ୍ରୀ ଥିଲେ। ଭାରସାମ୍ୟ ହରାଇ ବସଟି ଖାଇକୁ ଖସିପଡିଥିଲା। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍‌ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ଧବେଳଶ୍ବର ପୀଠ

ଆଠଗଡ: ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ଏନେଇ ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବେଳଶ୍ବରଙ୍କ ପୀଠ। ଆଜି ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ପୂଜକ ସମିତି ପକ୍ଷରୁ ଭୋର୍ ୪ ଟାରୁ ଦ୍ୱାର ଫିଟାଯାଇ ୧୦୮ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଙ୍ଗଳଆଳତୀ, ମଇଲମ୍‌‌, ବାଳଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

କାର୍ତ୍ତିକ ସୋମବାର ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ କାର୍ତ୍ତିକ ମାସ ସାରା ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ।

ପିସିସି ସଭାପତି ଚୟନ ପାଇଁ ଆରମ୍ଭ ହେଲା କସରତ, ଆଜି ଓଡ଼ିଶା ଆସିବେ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଖୁବଶୀଘ୍ର ମିଳିବ ନୂଆ ନେତୃତ୍ବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନୂଆ ସଭାପତି ଚୟନ ପାଇଁ ଆଜି ଓଡ଼ିଶା ଆସିବେ ଏଆଇସିସି ଦ୍ବାରା ନିଯୁକ୍ତ ହୋଇଥିବା ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ ।  ଦୁଇଦିନ ଧରି ଦୁଇଜଣ ନେତା ଓଡ଼ିଶାର କଂଗ୍ରେସର ବରିଷ୍ଠ ନେତା , ବିଧାୟକ, ସାଂସଦ ଓ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମତାମତ ନେବେ । ଷ୍ଟ୍ରିୟରିଂ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇ ସଂଗଠନ ଓ ପିସିସି ସଭାପତି ଚୟନ ନେଇ ଆଲୋଚନା କରିବେ । ବୈଠକରେ ଷ୍ଟିୟରିଂ କମିଟିର ୧୪ ଜଣ ସଦସ୍ଯଙ୍କ ସମେତ ସମସ୍ତ ବିଧାୟକ, ପୂର୍ବତନ ବିରୋଧୀ ଦଳ ନେତା, କେନ୍ଦ୍ରୀୟ ନେତା ସାହାନବାଜ ହୁସେନ ଉପସ୍ଥିତ ରହିବେ । ଝାଡଖଣ୍ଡ ନିର୍ବାଚନ ଥିବାରୁ ପିସିସି ପ୍ରଭାରୀ ତଥା ଷ୍ଟିୟରିଂ କମିଟି ଅଧ୍ଯକ୍ଷ ଅଜୟ କୁମାର ବୈଠକରେ ଉପସ୍ଥିତ ରହିବେ ନାହିଁ । ଏହାପରେ କଂଗ୍ରେସର ବିଧାୟକ, ପୂର୍ବତନ ବରିଷ୍ଠ ନେତା ଓ କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ଜଣଜଣ କରି କେନ୍ଦ୍ରୀୟ ନେତୃତ୍ବ ଆଲୋଚନା କରିବେ । ଆଲୋଚନା ଆଧାରରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟକୁ ଅନୁଧ୍ଯାନ କରି ଖୁବଶୀଘ୍ର ଏଆଇସିସି ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ।

ପୂର୍ବରୁ ୩ଟି ସଂସ୍ଥାକୁ ନିୟୋଜିତ କରି ପିସିସି ସଭାପତି ଚୟନ ନେଇ ଏଆଇସିସି ବହୁ ନେତାଙ୍କଠାରୁ ମତାମତ ନେଇଛି । ତେବେ ଦୁଇଦିନ ତଳେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଏକ କାର୍ଯ୍ଯକ୍ରମ ଆୟୋଜନ କରି ମହମ୍ମଦ ମୋକିମକୁ ପିସିସି ସଭାପତି କରିବାକୁ ଅଣ୍ଟାଭିଡ଼ିବା ସହ ମୋକିମଙ୍କ ଗୋଷ୍ଠୀ ଶକ୍ତିପ୍ରଦର୍ଶନ କରିଥିଲେ । ଗତ ୨୪ ବର୍ଷରେ ଓଡ଼ିଶା କଂଗ୍ରେସ ୬ ଜଣ ପିସିସି ସଭାପତି ପାଇଛି। ହେଲେ ଦଳର ଭୋଟ ପ୍ରତିଶତ ୧୩ ପ୍ରତିଶତକୁ ଖସି ଆସିବା ସହ ତୃଣମୂଳସ୍ତରରେ ସଂଗଠନ ସ୍ଥାଣୁ ପାଲଟିଯାଇଛି । ତେଣୁ ସବୁ ଦିଗକୁ ବିଚାର କରି ହାଇକମାଣ୍ଡ ନୂଆ ପିସିସି ସଭାପତି ଚୟନ କରିବାକୁ ନିଷ୍ପତି ନେବାକୁ ଯାଉଛନ୍ତି ।

 

 

ଟ୍ରମ୍ପ ଓ ହାରିସଙ୍କ ମଧ୍ଯରେ ଜୋରଦାର ଲଢେଇ; ଆଗୁଆ ଭୋଟ ଦେଲେଣି ପ୍ରାୟ ୭ କୋଟି ଭୋଟର

ନନ୍ଦିଘୋଷ ବ୍ୟୁରୋ : ଅନ୍ତିମ ପର୍ଯ୍ଯାୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଭୋଟକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି । ନଭେମ୍ୱର ୫ ତାରିଖ ମଙ୍ଗଳବାର ଦିନ ନିର୍ବାଚନ ହେବାକୁ ଯାଉଥିବାବେଳେ ସାରା ଦେଶରେ ରାଜନୈତିକ ଉଷ୍ମତା ଶୀର୍ଷରେ ପହଞ୍ଚିଛି । କେବଳ ଆମେରିକା ନୁହେଁ ବରଂ ଫଳାଫଳକୁ ନେଇ ଆନ୍ତର୍ଜାତିକ ସ୍ତରରେ ମଧ୍ଯ ଉତ୍ସାହ ଦେଖାଦେଇଛି। ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ଜୋରଦାର ଲଢେଇ ହେଉଛି। ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ ଆଗୁଆ ଭୋଟ ଦେବାରେ ରେକର୍ଡ କରିଛନ୍ତି ଆମେରିକୀୟ। ଭୋଟ ଆଗରୁ ଆଗୁଆ ଭୋଟ ଦେଲେଣି ପ୍ରାୟ ୭ କୋଟି ଭୋଟର । ଏବେ ସୁଦ୍ଧା ପ୍ରାୟ ୭ କୋଟି ଭୋଟର ଭୋଟ ଦେଇସାରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ନିର୍ବାଚନ ପାଇଁ ଧାର୍ଯ୍ଯ ତାରିଖ ଆଗରୁ ଭୋଟ ଦେବା ଅଧିକାର ଆମେରିକାରେ ରହିଛି । କେବଳ ନ୍ଯୁୟର୍କ ସିଟିରେ ଦେଢ଼ ଲକ୍ଷରୁ ଅଧିକ ଭୋଟର୍ ମତାଧିକାର ସାବସ୍ତ କରିସାରିଲେଣି । ୨୦୨୦ରେ ଆଗୁଆ ମତଦାନ ପାଇଁ ୧୦୦ରୁ କମ୍ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ଏହି ସଂଖ୍ୟା ଏହାଠାରୁ ପ୍ରାୟ ୫୦ ପ୍ରତିଶତ ଅଧିକ ରହିଛି ।  ମୁଖ୍ୟ ନିର୍ବାଚନ ଦିବସ ପୂର୍ବରୁ ଭୋଟରଙ୍କ ମଧ୍ୟରେ ଏଭଳି ଉତ୍ସାହ ଚଳିତ ନିର୍ବାଚନରେ ମତଦାନ ହାରକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

କଟକରେ କାଳୀ ମେଢ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ୬ ଆହାତ

କଟକ: କଟକରେ କାଳୀ ମେଢ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ। ରବିବାର ରାତିରେ ଚାନ୍ଦିନୀଚୌକ ରୟାଲ ଗାର୍ଡେନ ନିକଟରେ ଦୁଇଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷ ମଧ୍ଯରେ ଢେଲାପଥର ସହ କାଚ ବୋତଲ ମାଡ଼ ହୋଇଛି। ଏଥିରେ ୫ରୁ ୬ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଲାଲବାଗ ଥାନା ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ପୋଲିସର କହିବା ଅନୁସାରେ, ମହମ୍ମଦିୟା ବଜାର ଅଞ୍ଚଳର କିଛି ଯୁବକ ମେଢ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦିନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହାପରେ ବିବାଦ ବଢିବା ସହ ଉଭୟ ପକ୍ଷ ପରସ୍ପରକୁ ଢେଲାପଥର ସହ କାଚ ବୋତଲ ଫିଙ୍ଗିଥିଲେ । ଗଣ୍ଡଗୋଳକାରୀ ମାନେ ଗୋଟିଏ ଦୋକାନ ସହ ୩ଟି ବାଇକ ଭଙ୍ଗାରୁଜା କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ପରେ ହରିହର ବେଶରେ ସଜ୍ଜିତ ହେବେ ବଡଠାକୁର । ଏହି ବେଶରେ ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ ବଡ଼ଠାକୁର । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି-ବିଷ୍ଣୁ ଓ ହର-ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରାଇବେ। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଶ୍ରଦ୍ଧାଳୁ ଆତ୍ମତୃପି ଲାଭ କରିବେ ।

ଆଜିଠାରୁ ଆରମ୍ଭ ଜମ୍ମୁ ଓ କାଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଆରମ୍ଭ ଜମ୍ମୁ ଓ କାଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ । ବିଭିନ୍ନ ଦୃଷ୍ଟିରୁ ଏହି ଅଧିବେଶନ ଗୁରୁତ୍ବପୂର୍ଣ୍ଣ । ଅଧିବେଶନ କାଳରେ ବାଚସ୍ପତି ନିର୍ବାଚନ ହେବ । ଏଥିରେ ଏଲଜି ମନୋଜ ସିହ୍ନା ବି ଉଦବୋଧନ ଦେବେ। ମୁଖ୍ଯମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସରକାରଙ୍କ ଲାଗି ଏହି ଅଧିବେଶନ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ବଡକଥା ହେଉଛି ଏହି ଅଧିବେଶନରେ ଧାରା ୩୭୦କୁ ପୁନଃ ଲାଗୁ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇପାରେ । ନିର୍ବାଚନ ପୂର୍ବରୁ ନ୍ଯାସନାଲ କନଫେରନ୍ସ ନେତୃତ୍ବାଧୀନ ମେଣ୍ଟ ଧାରା ୩୭୦ ଲାଗୁ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା ।

ବିଧାନସଭା ପରିଚାଳନା ଲାଗି କାମଚଳା ବାଚସ୍ପତି ମୁବାରକ ଗୁଲଙ୍କ ନାମ ମଞ୍ଜୁର କରିଥିଲେ ଏଲଜି । ଏହି ଅଧିବେଶନରେ ବି ବାଚସ୍ପତି ଓ ଉପବାଚସ୍ପତି ଲାଗି ନିର୍ବାଚନ ହେବ । ବାଚସ୍ପତି ଦୌଡରେ ଅଛନ୍ତି ନ୍ଯାସନାଲ କନଫରେନ୍ସର ବରିଷ୍ଠ ନେତା ଅବଦୁର ରହିମ ରାଥେର ଓ ଅଲ୍ଲୀ ମହମ୍ମଦ ସାଗର । ବିଜେପି ପକ୍ଷରୁ ଜଣଙ୍କୁ ଉପବାଚସ୍ପତି କରାଯିବାର ସମ୍ଭାବନା ରହିଛି ।

ଉତ୍ତରକୋରିଆ ବିରୋଧରେ ଆଜି ବସିବ ଜାତିସଂଘ ନିରାପତ୍ତା ପରିଷଦର ସ୍ବତନ୍ତ୍ର ବୈଠକ

ନନ୍ଦିଘୋଷ ବ୍ୟୁରୋ : ଆନ୍ତର୍ଜାତିକ କଟକଣାକୁ ଅବମାନନା କରି ଆଇସିବିଏମ ପରୀକ୍ଷଣ ପ୍ରସଙ୍ଗ । ଉତ୍ତରକୋରିଆ ବିରୋଧରେ ନିଆଯାଇପାରେ ପଦକ୍ଷେପ। ଆଜି ବସିବ ଜାତିସଂଘ ନିରାପତ୍ତା ପରିଷଦର ସ୍ବତନ୍ତ୍ର ବୈଠକ । ଗତ ଗୁରୁବାର ଉତ୍ତରକୋରିଆ ଅନ୍ତର୍ଦ୍ଦେଶୀୟ ବାଲିଷ୍ଟିକ ମିସାଇଲ ହ୍ବାସଙ୍ଗ-୧୯ ଆଇସିବିଏମର ସଫଳ ପରୀକ୍ଷା କରିବା ପରେ ଉତ୍ତ୍ୟକ୍ତ ହୋଇଥିଲେ ଜାତିସଂଘ ନିରାପତ୍ତା ପରିଷଦ ସଦସ୍ଯ ରାଷ୍ଟ୍ର । ନିରାପତ୍ତା ପରିଷଦ ବୈଠକ ବସିବା ଲାଗି ଆହ୍ବାନ ଦେଇଥିଲେ ଆମେରିକା, ଫ୍ରାନ୍ସ , ଜାପାନ, ମାଲଟା, ଦକ୍ଷିଣ କୋରିଆ, ସ୍ଲୋଭେନିଆ ଓ ବ୍ରିଟେନ । ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷାକୁ ନେଇ ଉତ୍ତରକୋରିଆ ଉପରେ ବର୍ଷିଥିଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଜାତିସଂଘ ନିରାପତ୍ତା ପରିଷଦରେ ଗୃହୀତ ପ୍ରସ୍ତାବକୁ ଉତ୍ତରକୋରିଆ ଅବମାନନା କରୁଛି ବୋଲି କହିଥିଲେ ଗୁଟେରସ ।

ବିଗତ ୨୦୦୬ରୁ ଜାତିସଂଘର କଟକଣାର ଶିକାର ହୋଇଛି ଉତ୍ତରକୋରିଆ । ତଥାପି ଆଣବିକ ଅସ୍ତ୍ର ଓ ବାଲିଷ୍ଟିକ ମିସାଇଲ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଉତ୍ତରକୋରିଆ। ସେପଟେ ରୁଷିଆକୁ ଉତ୍ତରକୋରିଆ ସାମରିକ ସାମଗ୍ରୀ ଯୋଗାଉଥିବାରୁ ବି ବିଭିନ୍ନ ରାଷ୍ଟ୍ର କରିଛନ୍ତି ବିରୋଧ ।