ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନାରେ ଅଧିକ ପ୍ରଭାବିତ ହୋଇଛି ୧୪ ଜିଲ୍ଲା । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ପରି ଜିଲ୍ଲା ପ୍ରଭାବିତ ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରାଥମିକ ଆକଳନ ଅନୁଯାୟୀ ସମସ୍ତ ଜିଲ୍ଲାରେ ୬୦୦ କୋଟିର କ୍ଷୟକ୍ଷତି ହୋଇଥିବା ଜଣା ପଡିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ବ୍ୟାପକ କ୍ଷତି ହୋଇଛି । ୧୪ ଜିଲ୍ଲାର ୧୬୬ ବ୍ଲକରୁ ୧୩୧ଟି ବ୍ଲକ କ୍ଷତି ସହିଛନ୍ତି । ୧୧ ହଜାର ୬୩୭ ଗାଁ ବନ୍ୟା ଓ ବାତ୍ୟାରେ ପ୍ରଭାବିତ ହୋଇଛି । ସମୁଦାୟ ୪୧ ଲକ୍ଷ ୪୩୫୭ ଲୋକ ପ୍ରଭାବିତ ହୋଇଛନ୍ତି । ୧୬ ହଜାର ୪୧୭ଟି ଘର କ୍ଷତିଗ୍ରସ୍ତ ହୋଇଛି। ୪୦୦୦ ପାଖାପାଖି କୁକଡ଼ା କ୍ଷତି ହୋଇଛି। ୭୧ ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ନଭେମ୍ବର ଦୁଇ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ସମସ୍ତ ବିଭାଗକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର । ତେବେ ଶିଶୁ ଖାଦ୍ୟ, ରିଲିଫ ସେଣ୍ଟର, ରନ୍ଧା ଖାଦ୍ୟ, ଫସଲ ଓ ଘର ଭଙ୍ଗା ନେଇ ପ୍ରଥମ ରିପୋର୍ଟ ପ୍ରଦାନ କରାଯାଇଛି। ଦ୍ଵିତୀୟରେ ରାଜ୍ୟ ସରକାରଙ୍କ ବିଭାଗୀୟ ରିପୋର୍ଟ ପ୍ରଦାନ କରାଯାଇଛି । ପଞ୍ଚାୟତିରାଜ ବ୍ୟତିତ ଅନ୍ୟ ସବୁ ବିଭାଗ ରିପୋର୍ଟ ଦେଇଛନ୍ତି। ରିପୋର୍ଟକୁ ତର୍ଜମା କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହେବ କ୍ଷୟକ୍ଷତିର ହିସାବ। ଆସନ୍ତାକାଲି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯିବ। ରିପୋର୍ଟ ଦିଆଯିବା ପରେ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତିର ଅନୁଧ୍ୟାନ କରିବ ।
କାନାଡ଼ା ବ୍ରମ୍ପଟନର ଏକ ମନ୍ଦିରରେ ଆକ୍ରମଣ, ଭାରତୀୟ ଦୂତାବାସର କ୍ୟାମ୍ପ ଚାଲିଥିବା ବେଳେ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ: କାନାଡ଼ାର ବ୍ରମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ଶିବିର ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଛି। ଲୋକଙ୍କ ସୁବିଧା ପାଇଁ ଦୂତାବାସ ପକ୍ଷରୁ ଏହି ମନ୍ଦିରରେ ଏକ କ୍ୟାମ୍ପ କରାଯାଇ ଭିସା-ପାସପୋର୍ଟ ଓ ଜୀବନ ପ୍ରମାଣପତ୍ର ସଂପର୍କିତ କାମ କରାଯାଉଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏହା ପଛରେ ଖଲିସ୍ତାନୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହାକୁ କଡ଼ା ନିନ୍ଦା କରାଯାଇଛି। ଉପଯୁକ୍ତ ସୁରକ୍ଷା ପାଇଁ ଆଗରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲା। ତା ସତ୍ତ୍ଵେ ଏହି ଆକ୍ରମଣ ହେବା ଉଦବେଗଜନକ ବୋଲି ଭାରତ ପକ୍ଷରୁ କୁହାଯାଇଛି।
ଭାରତ ଓ କାନାଡ଼ା ମଧ୍ୟରେ କୂଟନୀତିସ୍ତରରେ ଉତ୍ତେଜନା ଚାଲିଥିବା ବେଳେ ଏହି ଆକ୍ରମଣ ଘଟଣା ଆହୁରି ସଂକଟ ସୃଷ୍ଟି କରିପାରେ। ସେପଟେ କାନାଡ଼ାର ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ନାଗରିକ ନିଜ ନିଜ ଧର୍ମ ପାଳନ କରିବାର ଅଧିକାର ଅଛି। ଏଥିରେ କେହି ବାଧା ଦେଇପାରିବେ ନାହିଁ। ମନ୍ଦିରରେ ଯେଉଁ ଆକ୍ରମଣ ହୋଇଛି, ତାହା ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଷ୍ଟିିନ ଟ୍ରୁଡୁ ।
ମେଘନାଦ ପାଚେରୀ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ
ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀ ଫାଟ ହୋଇ ପାଣି ଝରିବା ପ୍ରସଙ୍ଗ। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ଝରୁଛି ପାଣି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ । ପ୍ରାଚୀନ କୀର୍ତ୍ତୀରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ ଶ୍ରୀମନ୍ଦିର ଭିତରର ବିଭିନ୍ନ ଜାଗାର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥା, ହାତଧୁଆ ପାଣି ଏବଂ ପାଣି ପାଇପକୁ ଶୀଘ୍ର ମରାମତି କରିବାକୁ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ।
ଟ୍ରେନ ଦୁର୍ଘଟଣାରେ ସାଥୀ ଦନ୍ତା ହାତୀର ମୃତ୍ୟୁ ପରେ ଝୁରୁଛି ଆଉ ଏକ ଦନ୍ତା ହାତୀ
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତା ପୋଖୋରୀ ଟ୍ରେନ ଦୁର୍ଘଟଣାରେ ସାଥୀ ଦନ୍ତା ହାତୀର ମୃତ୍ୟୁ ପରେ ଝୁରୁଛି ଆଉ ଏକ ଦନ୍ତା ହାତୀ। ଗତକାଲି ଟ୍ରେନ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦନ୍ତା ହାତୀ ପାଖରେ ରାତି ତମାମ ଜଗି ରହିଥିଲା ସାଥୀ ଦନ୍ତା ହାତୀ। ଏପରିକି ବନ ବିଭାଗ ଘଉଡ଼ାଇବା ପରେ ମଧ୍ୟ ଯାଇନଥିଲା। ତେବେ ସକାଳ ୭ଟା ପରେ ଦନ୍ତା ହାତୀଟି ଘଟଣାସ୍ଥଳରୁ ଚାଲିଯାଇଥିଲା।
ପୂର୍ବରୁ ଦନ୍ତା ହାତୀଟି ଅଞ୍ଚଳରେ ପୁରା ଆତଙ୍କ ଖେଳାଇଥିଲା । ଏହି ଦୁଇ ଦନ୍ତା ହାତୀ ଏକାଠି ଗୋଟିଏ ଦଳରେ ବୁଲନ୍ତି । ତେବେ ଦୁର୍ଘଟଣାରେ ହାତୀର ମୃତ୍ୟୁ ପରେ ଉତ୍ପାତ କରୁଥିବା ଦନ୍ତାଟି ତାର ସାଙ୍ଗକୁ ଖୋଜି ବୁଲୁଥିବା କଥା ଆଲୋଚନା ହେଉଛି ।
ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଣ୍ଡାକୁଦିଆରେ ୧୬୩ ଧାରା ଜାରି
ଭୁବନେଶ୍ଵର: ରାଜଧାନୀରେ ଗଛ କଟାକୁ ନେଇ ମହାଭାରତ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଗାଁରେ ଗୋଷ୍ଠୀ ସଂଘର୍ଷ । ଗାଁ ଦାଣ୍ଡ ମଣ୍ଡପରେ ଥିବା ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗଛ କାଟିଥିବା ଶେଖ୍ ହାଇଦରକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ପରିସ୍ଥିତି ଏବେବି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପଣ୍ଡାକୁଦିଆରେ ୧୬୩ ଧାରା ଜାରି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ; ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗରେ ପୁଣି ଗରିବୀକୁ ଉପହାସ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଭାଗର ଅପାରଗତାକୁ ସ୍ବୀକାର କରିବା ବଦଳରେ ମିଛ କହି ଚାଲିଛନ୍ତି ଯୋଗାଣ ମନ୍ତ୍ରୀ । ପୁଣିଥରେ କହିଛନ୍ତି, ଅଘଟଣ ଖାଦ୍ୟ ଅଭାବ ଜନିତ ନୁହେଁ। ମନ୍ତ୍ରୀଙ୍କ କହିବା ଅନୁସାରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଥିଲା । ଆମ୍ବ ଟାକୁଆ ଖାଇବା ସେମାନଙ୍କ ଅଭ୍ୟାସ । ଯେତେ ବୁଝାଇଲେ ବି ସେମାନେ ଶୁଣୁନାହାନ୍ତି କହି ତାତ୍ସଲ୍ଯ କରିଛନ୍ତି ମନ୍ତ୍ରୀ । ବେଶି ଦିନ ରହିଯିବାରୁ ଆମ୍ବ ଟାକୁଆ ବିଷ ହେଇଯାଇଥିବାରୁ ଏପରି ଦୁଃଖଦ ଘଟଣା ଘଟିଥିବା ମନ୍ତ୍ରୀ କହିଛନ୍ତି । ହେଲେ ଗାଁ ଲୋକଙ୍କ କହିବା ଅନୁସାରେ ସେମାନଙ୍କୁ ୩ମାସ ହେଲା ଚାଉଳ ମିଳିନଥିଲା । ଯେଉଁଥିପାଇଁ ଭୋକ ବିକଳରେ ସେମାନେ ଆମ୍ବଟାକୁଆ ଜାଉ ଖାଇବାକୁ ବାଧ୍ଯ ହୋଇଛନ୍ତି । ମନ୍ତ୍ରୀଙ୍କ ଚାଉଳ ମିଛ ସରକାରୀ ପ୍ରେସରିଲିଜରୁ ବି ଧରାପଡ଼ିଛି । ଏବେ ପୁଣି ନିଜ ଦୋଷ ଘୋଡ଼େଇବାକୁ ଲୋକଙ୍କୁ ଦୋଷ ଠେଲିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ଯକୁ ସବୁଠି ସମାଲୋଚନା କରାଯାଉଛି ।
ଇରାନ ବିଶ୍ୱବିଦ୍ୟାଳୟରେ ହିଜାବ ବିରୋଧରେ ଅର୍ଦ୍ଧନଗ୍ନ ହୋଇ ପ୍ରତିବାଦ କରିଥିବା ଛାତ୍ରୀଙ୍କର କ’ଣ ହେଲା ?
ନନ୍ଦିଘୋଷ ବ୍ୟୁରୋ: ଇରାନର ଏକ ବିଶ୍ୱବିଦ୍ୟାଳୟରେ ଯୁବତୀ ଅର୍ଦ୍ଧନଗ୍ନ ହେବା ଘଟଣା । ସୋସିଆଲ ମିଡିଆରେ ଯୁବତୀଙ୍କୁ ସମର୍ଥନ କରି ୟୁଜର୍ସ ଦାବି କରିଛନ୍ତି ଯେ, ଯୁବତୀ ଜଣଙ୍କ ହିଜାବକୁ ଦୃଢ ବିରୋଧ କରି ସର୍ବସାଧାରଣରେ ଅନ୍ତଃବସ୍ତ୍ରରେ ପ୍ରତିବାଦ କରିଥିଲେ। ଠିକ୍ ସେହିପରି ସମର୍ଥନ କରିଥିଲେ ଯେପରି ଦୁଇ ବର୍ଷ ପୂର୍ବେ ପୋଲିସ୍ ହେପାଜତରେ ମୃତ୍ୟୁବରଣ କରିଥିବା ମହସା ଅମିନୀଙ୍କୁ। ମହସା ହିଜାବ୍ ସଠିକ୍ ଭାବରେ ନ ପିନ୍ଧିବା’ କାରଣରୁ ତାଙ୍କୁ ଗିରଫ କରାଯାଇଥିଲା।
ଇରାନ ପରି ଦେଶରେ, ଯେଉଁଠାରେ ହିଜାବକୁ ଠିକ୍ ଭାବରେ ନ ପିନ୍ଧିଲେ ଜେଲ ହୋଇଯାଏ, ଏଭଳି ଘଟଣା ଘଟିବା ଏକ ଆଶ୍ଚର୍ଯ୍ୟଜନକ। ଏଭଳି ପରିସ୍ଥିତିରେ, ଏହି ବିରୋଧ ପରେ ଯୁବତୀଙ୍କ ସହ କ’ଣ ଘଟିଛି ଏବଂ ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଏକ ରିପୋର୍ଟ ଅନୁଯାୟୀ, ଯୁବତୀ ହିଜାବ ନ ପିନ୍ଧି ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ଏହା ପରେ ମହିଳା ଜଣକଙ୍କ ନିଜର ପୋଷାକ କାଢି ଦେଇଥିଲେ।
ଏହି ଘଟଣା ତେହେରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଘଟିଛି। ସୂଚନା ଅନୁଯାୟୀ, ଘଟଣା ପରେ ମହିଳାଙ୍କୁ ପ୍ରଥମେ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ପରେ ତାଙ୍କୁ ପାଗଳ ଖାନାକୁ ପଠାଯାଇଥିଲା। ଯୁବତୀ ଜଣଙ୍କ ମାନସିକ ରୋଗରେ ପୀଡିତ ଥିବା ବିଶ୍ୱବିଦ୍ୟାଳୟର ମୁଖପାତ୍ର କହିଛନ୍ତି ।
ଭୁଶୁଡିଲା ସେୟାର ମାର୍କେଟ୍, ୧୧୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ
ନୂଆଦିଲ୍ଲୀ: ଭୁଶୁଡିଲା ସେୟାର ଭାରତୀୟ ସେୟାର ମାର୍କେଟ। ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ଖସିଛି ୪୦୦ ପଏଣ୍ଟ। ଆଜି ସକାଳେ ମାର୍କେଟ ଖୋଲୁ ଖୋଲୁ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି। କେବଳ ଅକ୍ଟୋବରରେ ବିଦେଶୀ ନିବେଶକାରୀ ୧ ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ମାର୍କେଟର ସ୍ଥିତି କଣ ହେବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତା ସହିତ ହାଇ ଭ୍ୟାଲୁଏସନ୍ ଓ ରିଟର୍ଣ୍ଣ କମ୍ ହେବାର ଆଶଙ୍କା ଦେଖା ଦେଇଛି। ଏହି କାରଣରୁ ବିଦେଶୀ ନିବେଶକାରୀ ନିଜର ପୁଂଜି ପ୍ରତ୍ୟାହାର କରିନେଇଥିବା କୁହାଯାଉଛି। ଏଥିପାଇଁ କିଛି ଦିନ ଭିତରେ ସର୍ବୋଚ୍ଚସ୍ତରରୁ ୮ ପ୍ରତିଶତ ଖସିଛି ମାର୍କେଟ। ଆଗକୁ ମଧ୍ୟ ପ୍ରମୁଖ କମ୍ପାନିଗୁଡ଼ିକ ଭଲ ଲାଭ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତର ମାର୍କେଟରୁ ବିଦେଶୀ ନିବେଶକାରୀ ନିଜର ଅର୍ଥ କାଢ଼ି ନେଉଛନ୍ତି।
ତାସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବି ଅନିଶ୍ଚିତତା ଅଛି। କିଏ ଜିତିବ, କହି ହେଉନାହିଁ। ଟ୍ରମ୍ପ ଜିତିଲେ କିଛି ଦିନ ମାର୍କେଟ ଉପରକୁ ଉଠିପାରେ, ତା ପରେ ଖସିବ। ସେହିପରି କମଳା ହାରିସ୍ ଜିତିଲେ ମାର୍କେଟରେ ଏହାର ଭଲ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏସବୁର କାରଣରରୁ ଭାରତୀୟ ମାର୍କେଟ କ୍ରାସ୍ ହୋଇଛି ।

