ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଜବ ନୀତି । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ରହୁନି କି ସମନ୍ବୟ ? ଏଣିକି ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଓ ପରୀକ୍ଷା ଉପ-ନିୟନ୍ତ୍ରକ ପଦବିରେ ନିଯୁକ୍ତି ପାଇଛନ୍ତି ବିଇଓ ଓ ଡିଇଓରୁ ପଦୋନ୍ନତି ପାଇଥିବା ଅଧିକାରୀ । ଏ ନେଇ ଗତ ୨ ତାରିଖରେ ବିଭାଗ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛି ସରକାରୀ କଲେଜ୍ ଶିକ୍ଷକ ସଂଘ । ସଂଘ ଅଭିଯୋଗ କରିଛି, ଏ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅଲଗା ହୋଇନି । ପରୀକ୍ଷା ନିୟନ୍ତ୍ରକ ଭାବେ ଏ ପର୍ଯ୍ୟନ୍ତ କଲେଜ୍ ଶାଖାର ଅଧିକାରୀ ନିଯୁକ୍ତି ପାଇ ଆସୁଥିଲେ । କିନ୍ତୁ ଏବେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଅସଙ୍ଗତି ରହିଛି । ବିଦ୍ୟାଳୟ ସ୍ତରୀୟ ଅଧିକାରୀଙ୍କ ଅଧୀନରେ କଲେଜ୍ ରିଡର, ପ୍ରାଧ୍ୟାପକ କିପରି କାମ କରିବେ ବୋଲି ପ୍ରଶ୍ନ ଉଠାଇଛି । ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ବରେ ଥିବା ଅଧିକାରୀଙ୍କ କହିବା କଥା, ଏ ନିଷ୍ପତ୍ତି ସରକାରଙ୍କର । ଏଥିରେ କାହାର କିଛି କହିବାର ନାହିଁ । ଆଗକୁ ଯୁକ୍ତ ଦୁଇ ପରୀକ୍ଷା । ଏବେଠୁ ପ୍ରଶ୍ନପତ୍ର ପ୍ରସ୍ତୁତି ପକ୍ରିୟା ଆରମ୍ଭ ହେଲାଣି । କଲେଜ୍ ଶିକ୍ଷକ ସଂଘର ଦାବି ଅନୁଯାୟୀ ଯଦି ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି, ତାହେଲେ ସରକାରୀ କଲେଜ୍ ସମେତ ଘରୋଇ କଲେଜ୍ ଶିକ୍ଷକମାନେ ପରୀକ୍ଷା ପରିଚାଳନାଠୁ ଆରମ୍ଭ କରି ଖାତା ଦେଖା ପର୍ଯ୍ୟନ୍ତ ସହଯୋଗ କରିବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।
କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ୮ ମାସର ଦରମା
ନନ୍ଦିଘୋଷ ବ୍ୟୁରୋ: ତାତିଲେ ମହିଳା । ୩୦ ଜିଲ୍ଲାର ୬ଟି ସପୋର୍ଟ ଷ୍ଟାଫଙ୍କ ବକେୟା ୮ ମାସର ପାରିଶ୍ରମିକ ପାଇଁ ରାଜ୍ୟ ଜୀବିକା ମିଶନ ଅଫିସ ସମ୍ମୁଖରେ ହଙ୍ଗାମା । ୮ ମାସ ଧରି ଖଟାଇ ଦରମା ଦେଉ ନଥିବା ଅଭିଯୋଗରେ ସାରା ଓଡ଼ିଶାରୁ କମ୍ଯୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେବା ସହ ତୁରନ୍ତ ଦରମା ଦେବାକୁ ହାତ ଯୋଡ଼ି ଗୁହାରି କରିଛନ୍ତି ।
ପେଟରେ ଭୋକ ଆଖିରେ ଲୁହ । କେବେ ମିଳିବ ପାରିଶ୍ରମିକ ? ବିନା ଦରମାରେ ଖଟିଲେଣି ୮ ମାସ । ବିଗିଡିବାରେ ଲାଗିଛି ପରିବାର ସ୍ଥିତି । ମୁଣ୍ଡଫଟା ଖରାରେ ଧାରଣାରେ ବସି କାନ୍ଦି କାନ୍ଦି ମାଗିଲେ ଦରମା । ହେଲେ ଦୁଃଖ ଶୁଣିବା ପାଇଁ କାହା ନିକଟରେ ନାହିଁ ସମୟ । ମାସେ କି ଦୁଇମାସ ନୁହେଁ, ୮ ମାସ ଧରି ୩୦ ଜିଲ୍ଲାର ୬ ଟି ସପୋର୍ଟ ଷ୍ଟାଫଙ୍କୁ ମିଳିନି ଦରମା । ସରକାର ଯେତେବେଳେ ନାରୀକୁ ସମ୍ମାନ ଦେବା କଥା କହୁଛନ୍ତି । ହେଲେ ଆଜି ସେମାନଙ୍କୁ ଅବହେଳା କରାଯାଇଛି । ତେଣୁ ହାତଯୋଡ଼ି ରାଜ୍ଯ ମିଶନ ଶକ୍ତି ବିଭାଗ ଅଫିସ ଆଗରେ ଧାରଣା ଦେଇଛନ୍ତି ଶହ ଶହ ମହିଳା । କାନ୍ଦି କାନ୍ଦି ପଚାରୁଛନ୍ତି, କେବେ ମିଳିବ ପାରିଶ୍ରମିକ ।
ରାଜ୍ଯର ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏମବିକେ, ସିଆରପି, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର, ଏଲଏସପି କର୍ମୀ ଆଜି ଦରମା ନପାଇ ଅନାଟନ ଭିତରେ ଗତି କରୁଛନ୍ତି । ନବୀନ ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆରମ୍ଭ କରିଥିଲେ ଯୋଜନା । ସରାକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଏହି ମହିଳା ସହୋଯୋଗ କରୁଛନ୍ତି । ରାଜ୍ଯ ସରକାର ଏଥିପାଇଁ ତାଙ୍କୁ ପାରିଶ୍ରମିକ ଦେଇ ଆସୁଥିଲେ ।
ହେଲେ ସରକାର ବଦଳିବା ପରେ ୮ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି । ତଥାପି କାର୍ଯ୍ଯରେ କେବେ ଅବହେଳା କରି ନାହାନ୍ତି । କିନ୍ତୁ ଦରମା ମିଳୁ ନଥିବାରୁ ସାରା ରାଜ୍ୟରେ ୭୦ ହଜାରରୁ ଅଧିକ ମହିଳାଙ୍କ ପରିବାର ଆଜି ଦୁର୍ଦ୍ଦିନରେ । ବିଭାଗୀୟ ଅଧିକାରୀଙ୍କ ଠାରୁ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ପରେ ମଧ୍ଯ ମିଳୁନି ଉତ୍ତର । ତେଣୁ ଦରମା ନମିଳିବା ପର୍ଯ୍ୟନ୍ତ ଧାରଣା ଦେବା ସହିତ ଆଗାମୀ ଦିନରେ ବଡ଼ ଆକାରର ଆନ୍ଦୋଳନ କରିବାକୁ ଦେଇଛନ୍ତି ଚେତାବନୀ ।
ଶ୍ରୀକ୍ଷେତ୍ରରେ ଅପରାଧ ଦମନ ପାଇଁ ପଦକ୍ଷେପ
ନନ୍ଦିଘୋଷ ବ୍ୟୁରୋ: ପୁରୀ ସହରର ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ତଥା ଅପରାଧ ରୋକିବାକୁ ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ । ସହରରେ ଲାଗିବ ୬ ଶହରୁ ଅଧିକ ସିସିଟିଭି । ତେବେ ସହରର ବିଭିନ୍ନ ଅଞ୍ଚଳରେ ଥିବା ମୌଳିକ ସମସ୍ୟା ଲାଗି ରହିଥିବାବେଳା ଏହାରର ସଫଳତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ପୂର୍ବରୁ ମଧ୍ଯ ସିସିସିଭି ଲଗାଯାଇ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବାବେଳେ ଏବେ ପୁଣି ପ୍ରଶାସନର ଯୋଜନା ଉପରେ ଉଠିଛି ପ୍ରଶ୍ନବାଚୀ ।
ଶ୍ରୀକ୍ଷେତ୍ରରେ ଅପରାଧ ଦମନ ପାଇଁ ପଦକ୍ଷେପ । ସିସିଟିଭି ନଜରରେ ରହିବ ପୂରା ସହର । ଟ୍ରାଫିକ ସମସ୍ଯା ଦୂର ହେବା ସହ ଭିଡ଼ ନିୟନ୍ତ୍ରଣରେ ହେବ ସୁବିଧା । ପୁରୀରେ ଲାଗିବ ୬ଶହରୁ ଅଧିକ ସିସିଟିଭି । ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏହି ଯୋଜନା କାର୍ଯ୍ଯକାରୀ ହେବାକୁ ଯାଉଛି । ରାଜ୍ଯ ସରକାରଙ୍କ ଅନୁମୋଦନ ଅପକ୍ଷାରେ ରହିଛି ଯୋଜନା । ରଥଯାତ୍ରା ଭଳି ବିଶେଷ ପର୍ବପର୍ବାଣିରେ ସହରରେ ସାମୟିକ ସମୟ ପାଇଁ ସିସିଟିଭି ଲଗାଯାଉଥିଲା । ତେବେ ଭିଡ଼ ବଢିବା ସହ କ୍ରାଇମ ସଂଖ୍ଯା ବଢୁଥିବାରୁ ସହରର ଗଳିକନ୍ଦିରେ ସିସିଟିଭି ଲଗାଯିବା ପାଇଁ ପ୍ରଶାସନ ଓବିସିସି ମାଧ୍ୟମରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ପୁରୀ ସହରରେ ରହିଛି ଅନେକ ମୌଳିକ ସମସ୍ଯା । ତେଣୁ ଏହି ଯୋଜନା କେତେ ସଫଳ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ସିସିଟିଭି ଲଗାଯିବା ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମି ତଥା ଲୋକବଳର ଅଭାବ ଏହାର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ପୂର୍ବରୁ ମଧ୍ୟ କୋଟି କୋଟି ବ୍ୟୟରେ ସିସିଟିଭି ଲଗାଯାଇଥିଲା । ତେବେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ତଥା ପରିଚାଳନା ଗତ ତ୍ରୁଟି ଯୋଗୁ ଏହା ବିଫଳ ହୋଇଛି । ତେଣୁ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଲୋକେ । ଶ୍ରୀମନ୍ଦିର ଭିତରେ ଓ ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ସିସିଟିଭି କାର୍ଯ୍ୟକ୍ଷମ ଅଛି । ଏବେ ସହରରେ ଏହା କେତେ ସଫଳ ହେବ ତାକୁ ନେଇ ରହିଛି ଅପେକ୍ଷା ।
କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ର ଆଣିଲେ ଗୁରୁତର ଅଭିଯୋଗ । ଫାଇନାଲ ଇୟର ଛାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଛାତ୍ର । ଅଭିଯୋଗକୁ ଗ୍ରହଣ କରି ଏସସିବି ଆଣ୍ଟି ରାଗିଙ୍ଗ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଅଭିଯୋଗ ଆଣିଥିବା ଛାତ୍ର ଦେଇଥିବା ତଥ୍ୟ ଆଧାରରେ ଯାଞ୍ଚ ଆରମ୍ଭ କରିଛି କମିଟି । ଖୁବ୍ ଶୀଘ୍ର ଏହି ଘଟଣାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଫେସର ଜୟନ୍ତ କୁମାର ପଣ୍ଡା ।
ଚରଣାମୃତ ଭାବି ପିଇଲେ AC ପାଣି !
ନନ୍ଦିଘୋଷ ବ୍ୟୁରୋ: ଏସିରୁ ବାହାରୁଥିବା ପାଣିକୁ ଚରଣାମୃତ ଭାବି ଗ୍ରହଣ କରୁଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ମନରେ ଭ୍ରମ ରହିଛି କି ଏହା ହେଉଛି ଚରଣାମୃତ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ବୃନ୍ଦାବନର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରର । ଯାହାକୁ ନେଇ ମନ୍ଦିରର ପୂଜକଙ୍କୁ ଏସମ୍ପର୍କରେ ପଚରାଯାଇଥିଲା । ଯେଉଁଥିରେ ସେ ସମସ୍ତ ଦ୍ବନ୍ଦ ଦୂର କରିଛନ୍ତି । ସେ କହିଛନ୍ତି କି, ଏହା ଚରଣାମୃତ ନୁହେଁ । ଏହା ହେଉଛି ଏସିରୁ ବାହାରୁଥିବା ପାଣି । ସେବାୟତ କହିଛନ୍ତି କି, ବାଙ୍କେ ବିହାରୀଙ୍କ ସ୍ନାନ ଜଳ ଯାହାକୁ ଆମେ ଚରଣାମୃତ ଭାବେ ଜାଣୁ । ତେବେ ଏହା ମିଳିବା ଏତେ ସହଜ ନୁହେଁ । କିମ୍ବା ନାଳ ମଧ୍ୟରେ ବାହାରକୁ ଛଡ଼ା ଯାଇନଥାଏ । ତେବେ ଏହାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ପ୍ରଦାନ କରାଯାଏ । ତେବେ ବିହାରୀଙ୍କ ଚରଣାମୃତକୁ ଶ୍ରଦ୍ଧାଳୁମାନେ ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି । ପୂଜକମାନେ ମନ୍ଦିରରେ ଏହାକୁ ଦେଉଥିବାବେଳେ ଏହା ପ୍ରଦାନ କରାଯାଏ ।
ଶିକ୍ଷକ ସ୍ନେହରେ ବନ୍ଧା ମୟୂର
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଦେଖିବାକୁ ମିଳିଛି ତାର ବ୍ଯତିକ୍ରମ । ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର। ପ୍ରତିଦିନ ବିଦ୍ଯାଳୟରେ ପ୍ରାର୍ଥନା ଆରମ୍ଭରୁ ମଧ୍ଯାହ୍ନ ଘଣ୍ଟି ବାଜିବା ଯାଏଁ ରବୀନ୍ଦ୍ରଙ୍କ ସାଥିରେ ଥାଏ ମୟୂର।
ଶିକ୍ଷକଙ୍କ ସ୍ନେହରେ ବନ୍ଧା ମୟୂର । ସାଧାରଣତଃ ମୟୂର ଦେଖିବାକୁ ଯେତିକି ସୁନ୍ଦର ତାର ମନ ମଧ୍ଯ ସେତିକି ସୁନ୍ଦର । ସାଧାରଣ ଭାବେ ମଣିଷଙ୍କୁ ପାଖରୁ ଦେଖିଲେ ମୟୂରମାନେ ଦୂରକୁ ଚାଲିଯାଆନ୍ତି । ହେଲେ ଗୋକୁଳମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଦେଖିବାକୁ ମିଳିଛି ତାର ବ୍ଯତିକ୍ରମ । ଗୋକୁଳମୁଣ୍ଡା ବିଦ୍ଯାଳୟର ଶିକ୍ଷକ ରବୀନ୍ଦ୍ରଙ୍କ ସ୍ନେହରେ ବନ୍ଧା ପଡିଯାଇଛି ମୟୂର । ପ୍ରତିଦିନ ମୟୂରଟି ବିନା ଡରରେ, ବିନା ସଙ୍କୋଚରେ ବିଦ୍ଯାଳୟକୁ ଆସି ଶିକ୍ଷକ ରବୀନ୍ଦ୍ରଙ୍କୁ ଖୋଜେ । ପ୍ରାର୍ଥନା ସମୟରୁ ଆରମ୍ଭ କରି ମଧ୍ଯାହ୍ନ ଭୋଜନ ଘଣ୍ଟି ବାଜିବା ପର୍ଯ୍ଯନ୍ତ ବିଦ୍ଯାଳୟରେ ରୁହେ ମୟୂର । ଛାତ୍ରଛାତ୍ରୀଙ୍କୁ ଭୟ ନକରି ବିଦ୍ଯାଳୟରେ ବିଚରଣ କରେ ମୟୂର ।
ମୟୂରଟି ବିଦ୍ଯାଳୟ ଘଣ୍ଟି ବାଜିବା ମାତ୍ରେ ସ୍କୁଲକୁ ଆସି ପିଲାଙ୍କ ସହ ମିଶି ପାଠ ପଢୁଥିବାରୁ ପିଲାଙ୍କ ମଧ୍ଯରେ ଆନନ୍ଦ ଖେଳିଯାଏ । ସ୍କୁଲର ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ମାନେ ମୟୂରକୁ କିଛି ଖାଇବାକୁ ଦେଲା ପରେ ମୟୂରଟି ବିଦ୍ଯାଳୟରୁ ପଳାଏ । ତେବେ ମୟୂରଟି କେଉଁଠୁ ଆସୁଛି ତାହା ଏବେବି ଜଣାପଡିନାହିଁ ।
ଟିଟିଲାଗଡ ରାଜ କନୱାର ପାର୍କରେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ
ନନ୍ଦିଘୋଷ ବ୍ୟୁରୋ: ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ କିଣାଯାଇଥିଲା ଲକ୍ଷାଧିକ ଟଙ୍କାର ବାୟାମ୍ ସାମଗ୍ରୀ । ହେଲେ ଦୀର୍ଘଦିନ ହେଲା କାମରେ ନଲାଗି ପାର୍କ ଭିତରେ ପଡିରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଏ ହେଉଛି ଟିଟିଲାଗଡ ସହରର ମଧ୍ଯଭାଗରେ ଥିବା ରାଜ କନୱାର ପାର୍କର ଦୃଶ୍ଯ । ଏହି ପାର୍କରେ ସହରର ସମସ୍ତ ଲୋକ ଆରାମରେ ବସିବା ପାଇଁ ବ୍ଯାୟାମ କରିବା ପାଇଁ ଆସିଥାନ୍ତି । ହେଲେ ଗତ କିଛି ମାସ ହେଲା ପାର୍କର ମଧ୍ଯ ଭାଗରେ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ ପଡିରହିଛି । ଗୋଟିଏ ପଟେ ବ୍ୟାୟାମ ସାମଗ୍ରୀ ପାର୍କ ଭିତରେ ପଡିରହିଥିବାରୁ ପାର୍କର ସୌନ୍ଦର୍ଯ୍ଯତା ନଷ୍ଟ ହେଉଛି । ଅନ୍ଯପକ୍ଷରେ ଏହି ସବୁ ଜିନିଷ ପାର୍କ ଭିତରେ ପଡିରହିଥିବାରୁ ଜିନିଷ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ କିଣା ହୋଇଥିଲା । କିନ୍ତୁ ଏହାର ବ୍ଯବହାର ହୋଇପାରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।
ସେପଟେ ଟିଟିଲାଗଡ କନୱାର ପାର୍କରେ ପଡ଼ି ରହିଥିବା ସାମଗ୍ରୀ କିଏ କିଣିଲା ଓ କେଉଁ ଉଦେଶ୍ୟରେ କିଣିଛି ଓ ଏହାର ମୂଲ୍ୟ କେତେ ଏହି ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସୂଚନା ଅଧିକାର କର୍ମୀ ଈଶ୍ବର ଜୈନ ଟିଟିଲାଗଡ ମ୍ଯୁନିସପାଲଟିକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ତଥ୍ୟ ଅନୁସାରେ ଏହି ବ୍ୟାୟମ ସାମଗ୍ରୀ ମହାରାଷ୍ଟ୍ର ନାଗପୁରର ଉଜ୍ଵଳା ସ୍ପୋର୍ଟସ ନାମକ ସଂସ୍ଥା ୨୦୨୩ ମସିହାରେ ଯୋଗାଇଛି । ଯାହାର ମୂଲ୍ଯ ୬୭ ଲକ୍ଷ ଟଙ୍କାରୁ ଅଧିକ । ତେବେ ଏତେ ଟଙ୍କାର ସାମଗ୍ରୀ କିଣା ହୋଇ ବ୍ୟବହାର ନହୋଇ ଖୋଲା ଆକାଶ ତଳେ କାହିଁକି ପଡିଛି ବୋଲି ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଟିଟିଲାଗଡ ମୁନସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।
୭ ବର୍ଷ ହେଲା ନିରାଶ୍ରୟ ବୃଦ୍ଧାଙ୍କୁ ମିଳୁନି ଭତ୍ତା କି ରାସନ
ନନ୍ଦିଘୋଷ ବ୍ୟୁରୋ: ଅକାରଣରେ ଅସହାୟ ବୃଦ୍ଧାଙ୍କ କାଟିଦେଇଥିଲେ ଭତ୍ତା ସହ ଅନ୍ତୋଦୟ ଯୋଜନାର ୩୫ କିଲୋ ଚାଉଳ । ଖବର ପ୍ରଘଟ ହେବା ତରବରିଆ ଭାବେ ପ୍ରଦାନ କଲେ ୫ ହଜାର ଟଙ୍କା। ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ବୃଦ୍ଧାଙ୍କ ଉପରେ ଲଦିଦେଲେ ସମସ୍ତ ଦୋଷ । ତେବେ ପ୍ରଶ୍ନ ଉଠୁଛି- କାହିଁକି ବନ୍ଦ ହେଲା ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ?
ଅସହାୟ ବୃଦ୍ଧାଙ୍କ ଭତ୍ତା କଟିବା ପଛରେ ସତ କଣ ? କାହିଁକି ବୃଦ୍ଧାଙ୍କୁ ମିଳିନିଥିଲା ୭ ବର୍ଷ ହେଲା ବାର୍ଦ୍ଧକ୍ଯ ଭତ୍ତା ? ଖାଲି ସେତିକି ନୁହେଁ ବୃଦ୍ଧାଙ୍କୁ ମିଳୁନଥିଲା ଅନ୍ତଦୋୟ ଯୋଜନାରେ ଚାଉଳ। ରାୟଗଡା ପୌରପରିଷଦ ଅଧିନସ୍ଥ ୪ ନମ୍ବର ଓାର୍ଡର ତୁଳସା ଝଡିଆ । ବୟସ ୮୦ ଟପିଲାଣି । ଚର୍ମ ଧୁଡୁ ଧୁଡୁ ଚେହେରାକୁ ଅଣ୍ଟା ନଇଗଲାଣି । ଗୋଟିଏ ପଟେ ଚାଲିବା କଷ୍ଟକର ହୋଇପଡିଥିବା ବେଳେ ଏବେ କାନକୁ ଆଉ ଶୁଭୁନାହିଁ ।
ପରିବାର କହିଲେ ସାଥିରେ ଏବେ କେହି ନାହାଁନ୍ତି । ପରିଣତ ବୟସରେ ଅସହାୟ ପାଲଟିଯାଇଛନ୍ତି ତୁଳସା । ଠିକ ଏହି ସମୟରେ ଅନ୍ତୋଦୟ ଯୋଜନାରେ ମିଳୁଥିବା ୩୫କିଲୋ ଚାଉଳ ସହ ବାର୍ଦ୍ଧକ୍ଯ ଭତ୍ତା ଦୀର୍ଘ ୭ ବର୍ଷ ହେବ ବନ୍ଦ ହୋଇଯାଇଛି । ଭାତ ଗଣ୍ଡେ ପାଇଁ ପର ଉପରେ ନିର୍ଭର କରି ଚଳୁଛନ୍ତି ତୁଳସା। କେବଳ ସେତିକି ନୁହେଁ ତାଙ୍କର ନିଜର ଘର ନଥିବାରୁ ବୃଦ୍ଧା ଜଣଙ୍କ ଏବେ ନିଜ ପୁତୁରା ପାଖରେ ଆଶ୍ରୟ ନେଇଛନ୍ତି । ପୁତୁରାର ଏକ ଛୋଟିଆ ଦୋକାନ ରହିଛି ସେଥିରୁ ଯାହା ମିଳେ ସେଥିରେ ନିଜ ସ୍ତ୍ରୀ, ତିନି ପିଲାଙ୍କ ସହିତ ଏହି ବୃଦ୍ଧାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ବୃଦ୍ଧାଙ୍କ ପୁତୁରା ବୋହୂ।
ଅସହାୟ ତୁଳସାଙ୍କ ଏହି ଦୁର୍ଦ୍ଦଶା ସଂପର୍କରେ ସଫେଇ ଦେଇଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ । ଅସହାୟ ତୁଳସାଙ୍କ ଫିଙ୍ଗର ପ୍ରିଣ୍ଟ ନେଉନଥିବାରୁ, ଆଧାର କାର୍ଡ ନଥିବାରୁ ଭତ୍ତା ଓ ଚାଉଳ କଟିଯାଇଥିବା ନେଇ ପ୍ରକାଶ କରିଛନ୍ତି । ଏଥସହିତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଇଥିବା କହିଛନ୍ତି। ଅପରପକ୍ଷେ ଅସହାୟ ତୁଳସା ୩ ବର୍ଷରୁ ଅଧିକ ଦିନ ଧରି ଉପସ୍ଥିତ ନଥିବାରୁ ଭତ୍ତା ଓ ଚାଉଳ କଟି ଯାଇଥିଲେ । ବର୍ତ୍ତମାନ ୫ ମାସର ଭତ୍ତା ପ୍ରଦାନ କରାଯାଇଛି। ଏବଂ ଖୁବ୍ ଶୀଘ୍ର ଚାଉଳ ପ୍ରଦାନ କରାଯିବ ବୋଲି ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ କହିଛନ୍ତି । ସେପଟେ ଅଧିକାରୀଙ୍କ କଥାକୁ ଖଣ୍ଡନ କରିବା ସହ ସେ ମିଛ କହୁଥିବା ନେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ ସମୟ ସରକାରୀ ସୁବିଧା ପାଇବାରୁ ବଂଚିତ ରହିଥିବା ତୁଳସା ଯଦି ୫ ମାସର ୫ ହଜାର ଟଙ୍କା ପାଉଛନ୍ତି ତେବେ ୭ ବର୍ଷର ସମସ୍ତ କାହିଁକି ପାଇବେନି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଛନ୍ତି । କାହିଁକି ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ବନ୍ଦ ହେଲା । ବୃଦ୍ଧା ଜଣଙ୍କ କେତେବେଳେ ଅନାହାରରେ ତ କେତେବେଳେ ଅର୍ଦ୍ଧାହାରରେ ଚଳୁଛନ୍ତି । ତୁରନ୍ତ ବୃଦ୍ଧାଙ୍କୁ ଚାଉଳ ଓ ଭତ୍ତା ଯୋଗାଇଦେବାକୁ ଦାବି ହୋଇଛି ।
ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ରାତିକ ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । କାମ କରୁନି କୀଟ ନାଶକ ଔଷଧ । ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଚାଷୀ । ସେପଟେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି କୃଷି ବିଭାଗ ଅଧିକାରୀ ।
ବାତ୍ଯା ଦାନା ପ୍ରଭାବରେ ବିଲରେ ଧାନ ଚାଷ ନଷ୍ଟ ହୋଇଯାଇଥିଲା । ଏବେ ଯେଉଁଧାନ ଟିକକ ଭଲ ଥିଲା ତାକୁ ଘାରିଲାଣି ରୋକପୋକ ଚିନ୍ତା । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ । ଦଣ୍ଡପାଟ ଅଞ୍ଚଳର ବେହେରା, ବାଙ୍କି ମୁଣ୍ଡା, ଦଳ ସର୍ଗୀ ସମେତ ଆଖପାଖ ଅଞ୍ଚଳର ଗାଁ ଗୁଡ଼ିକରେ ଚାଷୀଙ୍କ ନିଦ ହଜେଇ ଦେଇଛି ଚକଡା ପୋକ । ଏଠାରେ ୫ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା । ଏବେ ପାଖାପାଖି ଶହେ ହେକ୍ଟର ଜମିରେ ଚକଡା ପୋକ ବା ବିପିଏଚ ରୋଗ ବ୍ଯାପିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।
ଅନ୍ଯପକ୍ଷରେ ଧାନ ଅମଳ ବେଳକୁ ଚକଡା ପୋକ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାତି ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । ଯେତେ ଔଷଧ ସିଞ୍ଚନ କଲେ ବି ରୋଗପୋକ ନିୟନ୍ତ୍ରଣ ହେଉନଥିବା ଚାଷୀ କହିଛନ୍ତି । ଧାର ଉଧାର କରି ଚାଷୀ ଜମିରେ ସୁନାର ଫସଲ ଫଳାଇଥିଲେ ହେଲେ ଅମଳ ବେଳକୁ ଚାଷ ନଷ୍ଟ ହେବାକୁ ବସିବାରୁ ଚିନ୍ତାରେ ଚାଷୀ । ସେପଟେ ଖବର ପାଇଁ କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜମିରେ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି ।
ସମୁଦ୍ର ନିକଟରେ ବିରାଟକାୟ ଅଜଣା ଲୁହାବସ୍ତୁ ଠାବ
ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଓଡ଼ିଶା ସୀମାନ୍ତ ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ଏକ ବିରାଟକାୟ ଅଜଣା ଲୁହା ବସ୍ତୁ । ଦେଖିବା ପାଇଁ ଲୋକେ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଗତ ବାତ୍ୟା ଦାନା ପ୍ରଭାବରେ ସମୁଦ୍ରରେ ବଡ଼ ବଡ଼ ଜୁଆର ଉପକୂଳ ଆଡକୁ ମାଡି ଆସିଥିଲା । ଜୁଆରରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଦୟପୁର ସମୁଦ୍ର ନିକଟରେ ଏକ ଅଜଣା ବିରାଟକାୟ ଲୁହା ବସ୍ତୁ ଭାସି ଆସିଥିବା ଲୋକେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ବୋର୍ଟ ସାହାଯ୍ୟରେ ଉକ୍ତ ବସ୍ତୁ ନିକଟକୁ ଯାଇ ଦେଖିଥିଲେ । ବସ୍ତୁଟି ଲୁହା ହୋଇଥିବା ବେଳେ ତାହା ନାଲି ରଙ୍ଗର ରହିଥିଲା । ଯେଉଁଥିରେ B.I.W.T.A ବୋଲି ଲେଖାଯାଇଛି । ତେବେ କିଛି ମତ୍ସ୍ୟଜୀବୀ ମଝି ସମୁଦ୍ରରେ ଜାହାଜକୁ ମାର୍ଗ ଦର୍ଶାଉଥିବା ବୟାଁ କହିଛନ୍ତି । ଏହା ପ୍ରଥମେ ଉଦୟପୁର ସମୁଦ୍ରରେ ଲାଗିବାପରେ ଏବେ ଧୀରେ ଧୀରେ ଭାସି ଯାଇ ଦୀଘା ସମୁଦ୍ରକୂଳ ନିକଟରେ ପହଞ୍ଚିଛି । ତେବେ ସେଥିରେ ଲାଗିଥିବା କିଛି ମୂଲ୍ୟବାନ ଜିନିଷ କେହି ବାହାର କରିନେଇଥିବା ଜଣାପଡିଛି ।

