spot_img
Home Blog Page 1379

ଛାତ୍ରଛାତ୍ରୀଙ୍କୁ ଆସୁଛି ଫୋନ୍, ୫ ହଜାର ଦିଅ ପରୀକ୍ଷାରେ ପାସ୍ ସହ ଅଧିକ ନମ୍ବର ଦିଆଯିବ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ବିଭିନ୍ନ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଆସୁଛି ଫୋନ କଲ୍ । ପରୀକ୍ଷାରେ ଅଧିକ ନମ୍ବର ଦେବା ସହ ପାସ୍ କରାଇଦେବାକୁ ୫ ହଜାର ଟଙ୍କା ମଗାଯାଉଛି । ୟୁପିଏ, ଗୁଗୁଲ ପେ, ଫୋନ୍ ପେ କିମ୍ବା ଜନ ସେବା କେନ୍ଦ୍ର ମଧ୍ୟରେ ଟଙ୍କା ପଠାଇବାକୁ କୁହାଯାଉଛି । ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥଙ୍କ ନାମରେ, ସାଇବର ଠକ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ କରି ଟଙ୍କା ମାଗୁଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଆସନ୍ତା ଫ୍ରେବ୍ରୁଆରୀ ମାସରେ ହେବାକୁ ଥିବାବେଳେ, ପ୍ରାକ୍ଟିକାଲ ଓ ଥିଓରୀରେ ମାର୍କ ବଢ଼ାଇବା ସହ ଅଧିକ ନମ୍ବର ଦିଆଯିବ । ସେଥିପାଇଁ ସନ୍ଧ୍ୟା ଭିତରେ ଫୋନ ପେ କିମ୍ବା ସହଜ ଜନ ସେବା କେନ୍ଦ୍ରରେ ଶୀଘ୍ର ୫ ହଜାର ଟଙ୍କା ଦେବାକୁ କୁହାଯାଉଛି । ସେହିଭଳି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି । ଏହା ସାଇବର ଠକେଇ ଜାଣିବା ପରେ, ଅଧ୍ଯକ୍ଷ ଜ୍ୟୋତି ପ୍ରକାଶ ରଥ ଏବଂ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଫୁଲବାଣୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ୟ୍ଯ କଥା, ଗୋଟିଏ ନମ୍ବରରୁ ଫୋନ କଲ୍ ଆସୁଥିବା ବେଳେ, ଜଣେ ହିଁ ବ୍ୟକ୍ତି ଫୋନ କରୁଥିବା ଜଣାପଡ଼ିଛି ।

ବର୍ଡର ଗାଭାସ୍କର ଟ୍ରଫି ହାରିଲେ ବି ଭାରତ ଖେଳିପାରିବ କି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ?

ନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ଏବେ ଟିମ ଇଣ୍ଡିଆକୁ ଏବେ ସବୁଠି ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ତେବେ ଘରୋଇ ମାଟିରେ ଅଲୋଡ଼ା ରେକର୍ଡ ସୃଷ୍ଟି କରିଥିବା ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯିବ । ତେବେ ଏହି ସିରିଜ ହାରିଲେ ଭାରତୀୟ ବିଶ୍ବ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରୁ ବାଦ ପଡ଼ିବାର ସମ୍ଭାବନା ଅଧିକ ରହିଛି । ଯଦି ୪-୦ରେ ଭାରତ ଜିତେ ତାହେଲେ ଫାଇନାଲ ଖେଳିବାର ଆଶା ଅଧିକ ରହିଛି । ମାତ୍ର ଯଦି ହାରେ ତାହେଲେ ମଧ୍ୟ ଫାଇନାଲ ଖେଳିବାର ଆଶା ରହିଛି ମାତ୍ର ଅନ୍ୟ ଦଳମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ମଧ୍ୟ ଭାରତର ଫାଇନାଲ ଆଶା ଉପରେ ନିର୍ଭର କରୁଛି ।

ମୁଣ୍ଡିଆ ମାରିଲେ, ପରୀକ୍ଷା ବାତିଲ୍ କରିବାକୁ ନିବେଦନ କଲେ

ନନ୍ଦିଘୋଷ ବ୍ୟୁରୋ: ନା ପରୀକ୍ଷା ବାତିଲ ହେଲା ନା ହେଲା ଆକ୍ସନ । ଆରଆଇ ଓ ଅମିନ ପରୀକ୍ଷା ବାତିଲ ସହିତ ସ୍ଵଚ୍ଛତାର ସହିତ ପୁନର୍ବାର ପରୀକ୍ଷା ଦାବି କରି ଆଜି ରାଜ୍ୟ ସରକାରଙ୍କ ବିରୋଧରେ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ସଂଖ୍ୟାରେ ପରୀକ୍ଷାର୍ଥୀ । ଦାବିକୁ ସରକାର ଅଣଦେଖା କରିଆସୁଥିବାରୁ ଆଜି ଆଶାୟୀମାନେ ଅଭିନବ ପ୍ରତିବାଦ କରିଛନ୍ତି । ରାଜରାସ୍ତାରେ ନମ ହୋଇ ରାସ୍ତାରେ ଶୋଇ ସରକାରଙ୍କୁ ଗୁହାରୀ କରିଛନ୍ତି । ଅଧିଆ ପଡି ହାତ ଯୋଡ଼ି ସରକାରଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ପିଲାମାନେ । ପହଡ଼ ଭାଙ୍ଗି ଦୁଃଖ ଶୁଣିବାକୁ ନିବେଦନ କରିଛନ୍ତି । ଯେପର୍ଯ୍ୟନ୍ତ ଆରଆଇ ଅମିନ ପରୀକ୍ଷା ବାତିଲ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ତୀବ୍ରତର କରାଯିବ ବୋଲି ଆଶାୟୀ କହଛନ୍ତି । ଆରଆଇ ଓ ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିହୋଇପଡୁଥିବା ବେଳେ କାହିଁକି ସରକାର ଚୁପ୍ ବୋଲି ବଡ଼ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

ସରକାର ନିଜର ଦୋଷ ଦେଖୁ ନାହାନ୍ତି : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପାଣି ଗଳିବା ନେଇ ବିଜେପି ଯେଉଁ ମନ୍ତବ୍ୟ ଦେଇଛି, ତାକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଗଣେଶ୍ଵର ବେହେରା। ସେ କହିଛନ୍ତି, ବିଜେପିର ଅନୀଳ ବିଶ୍ଵାଳଙ୍କ ବକ୍ତବ୍ୟ ବ୍ୟଥିତ କରୁଛି। କାରଣ ସେ ନିଜ ସରକାରର ଦୋଷ ଦେଖୁ ନାହାନ୍ତି। ସମାଧାନ ପାଇଁ ତାଙ୍କର ଦରଦ ନାହିଁ। ମେଘନାଦ ପାଚେରୀର ସଂରକ୍ଷଣ ଦାୟିତ୍ଵ ପ୍ରତ୍ନତତ୍ତ୍ଵ ବିଭାଗର। ସେ କଣ କରୁଛି। ନୂଆ ସରକାର ଜୁନରୁ ଦାୟିତ୍ଵ ନେଲେଣି। କିନ୍ତୁ କାହଁକି ପ୍ରତିକାର କରାଗଲାନି। ସରକାରଙ୍କ ନଜରକୁ ଆସିଲାନି କେମିତି। ପ୍ରତ୍ନତତ୍ତ୍ଵ ବିଭାଗ ଅବହେଳା କରିଛି କି। ରାଜ୍ୟ ସରକାର କଣ ନିର୍ଦ୍ଦେଶ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ପାଇଁ ପାଣି ଗଳିଲା ବୋଲି ଯାହା କୁହାଯାଇଛି, ଏ ସିଦ୍ଧାନ୍ତରେ କେମିତି ସେମାନେ ପହଞ୍ଚିଲେ। ତାଙ୍କର ବୈଷୟିକ ଜ୍ଞାନ ଅଛି କି। ଏମିତି କହିବା ଅର୍ଥ ପର୍ବତକୁ ଢେଲା ମାରିବା। ଏହାର ବିଚାର ରାଜ୍ୟବାସୀ କରିବେ। ପରିକ୍ରମା ପ୍ରକଳ୍ପ ପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ ଏହାକୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି ଅଭିଯୋଗ କରିଛନ୍ତି ଗଣେଶ୍ଵର ବେହେରା।

 

ସୁପ୍ରିମକୋର୍ଟଙ୍କ ବଡ଼ ରାୟ,ସବୁ ଘରୋଇ ସମ୍ପତିର ଅଧିଗ୍ରହଣ କରିପାରିବେ ନାହିଁ ସରକାର

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର । ସୁପ୍ରିମକୋର୍ଟଙ୍କ ୯ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି । କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ କବଜା କରିପାରିବେ ନାହିଁ ସରକାର । ସର୍ବୋଚ୍ଚ ଅଦାଲତ ବ୍ୟକ୍ତିଗତ ସମ୍ପତ୍ତି ସହ ଜଡ଼ିତ ୧୬ଟି ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି, ଯେଉଁଥିରେ ମୁମ୍ବାଇର ସମ୍ପତ୍ତି ମାଲିକମାନଙ୍କର ଆବେଦନ ଅନ୍ତର୍ଭୁକ୍ତ ରହିଛି । ଏହି ମାମଲା ୧୯୮୬ରେ ମହାରାଷ୍ଟ୍ରରେ ହୋଇଥିବା ଆଇନ ସଂଶୋଧନ ସହ ଜଡ଼ିତ । ଏଥିରେ ସରକାରଙ୍କୁ ପ୍ରାଇଭେଟ୍ ବିଲ୍ଡିଂର ମରାମତି ଏବଂ ସୁରକ୍ଷା ପାଇଁ ନିଜ କବଜାକୁ ନେବାର ଅଧିକାର ମିଳିଥିଲା ।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ୯ ଜଣିଆ ବିଚାରପତିଙ୍କ ବେଞ୍ଚ ୮-୧ ବହୁମତରେ ଏହି ରାୟ ଶୁଣାଇଛନ୍ତି । ବେଞ୍ଚରେ ପ୍ରଧାନ ବିଚାରପତିଙ୍କ ସହ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ୍ ମନୋଜ ମିଶ୍ରା, ଜଷ୍ଟିସ୍ ସୁଧାଂଶୁ ଧୁଲିଆ, ଜଷ୍ଟିସ୍ ଋଷିକେଶ ରାୟ, ଜଷ୍ଟିସ୍ ବି ଭି ନାଗରତ୍ନା, ଜଷ୍ଟିସ୍ ଜେ ବି ପାରଦିୱାଲା, ଜଷ୍ଟିସ୍ ରାଜେଶ ବିଣ୍ଡଲ ଓ ଜଷ୍ଟିସ୍ ଏ ଜି ମସୀହ ରହିଛନ୍ତି ।

୯ ଜଣିଆ ଖଣ୍ଡପୀଠରେ ସିଜେଆଇ ବହୁମତରେ ନିଷ୍ପତ୍ତି ଶୁଣାଇ ଜଷ୍ଟିସ୍ କୃଷ୍ଣା ଅୟରଙ୍କ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ରାଜ୍ୟ ଦ୍ୱାରା ଅଧିଗ୍ରହଣ କରାଯାଇପାରିବ ।

ଜଷ୍ଟିସ୍ ଅୟରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ସହମତ ହୋଇ ନାହାନ୍ତି । ଜଷ୍ଟିସ୍ ଅୟରଙ୍କ ବିଚାରରେ କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ସମ୍ପତ୍ତି ଭାବରେ ମଧ୍ୟ ବିବେଚନା କରାଯାଇପାରିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ କୌଣସି ନିର୍ଦ୍ଦିଷ୍ଟ ଆର୍ଥିକ ମଡେଲ ଅନୁସରଣ କରିବା ନୁହେଁ, ବରଂ ବିକାଶଶୀଳ ଦେଶ ହିସାବରେ ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବା ।

 

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ସୁଇଙ୍ଗ ଷ୍ଟେଟ ଉପରେ ନିର୍ଭର କରୁଛି କାହାର ହେବ ବିଜୟ

ନନ୍ଦିଘୋଷ ବ୍ୟୁରୋ : ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ଯରୁ କାହାର ହେବ ବିଜୟ, ଏହା ନିର୍ଭର କରୁଛନ୍ତି ସୁଇଙ୍ଗ ଷ୍ଟେଟ ଉପରେ। ତେବେ ସୁଇଙ୍ଗ ଷ୍ଟେଟ ହେଉଛନ୍ତି ସେହି ରାଜ୍ଯ, ଯେଉଁମାନଙ୍କ ଉପରେ ନିର୍ଭର କରିଥାଏ ପ୍ରାର୍ଥୀଙ୍କ ବିଜୟ ଭବିଷ୍ଯତ। ଶେଷ ମୁହୂର୍ତ୍ତରେ ଏହି ରାଜ୍ଯଗୁଡିକର ଭୋଟ ସାଧାରଣତଃ ଫଳାଫଳକୁ ଓଲଟପାଲଟ କରିଦେଇଥାଏ। ଆମେରିକା ନିର୍ବାଚନରେ ସାଧାରଣତଃ ତିନି ପ୍ରକାର ରାଜ୍ଯ ଥାନ୍ତି। ସେ ଗୁଡିକ ହେଲା ରେଡ ଷ୍ଟେଟ, ବ୍ଲୁ ଷ୍ଟେଟ ଓ ସୁଇଙ୍ଗ ଷ୍ଟେଟ।

୧୯୮୦ରୁ ଯେଉଁ ରାଜ୍ଯରେ ରିପବ୍ଲିକାନ ଦଳ ଜିତିଆସୁଛି ସେଗୁଡିକୁ ରେଡ ଷ୍ଟେଟ କୁହାଯାଏ। ୧୯୯୨ରୁ ଯେଉଁ ରାଜ୍ଯରେ ଡେମୋକ୍ରାଟିକ ଦଳ ବିଜୟୀ ହୋଇଆସୁଛନ୍ତି ସେଗୁଡିକ ହେଲା ବ୍ଲୁ ଷ୍ଟେଟ। ତେବେ ଯେଉଁ ରାଜ୍ଯରେ ସର୍ବଦା ଅନିଶ୍ଚିତତା ଲାଗିରହିଥାଏ ଏବଂ ଶେଷ ମୁହୂର୍ତ୍ତରେ ଫଳାଫଳକୁ ନିର୍ଦ୍ଧାରଣ କରୁଥାଏ ସେଗୁଡିକ ହେଲା ସୁଇଂ ଷ୍ଟେଟ। ଏହି ସୁଇଂ ଷ୍ଟେଟ ମଧ୍ଯରେ ଅଛନ୍ତି ଆରିଜୋନା, ଜର୍ଜିଆ, ମିଚିଗାଁ, ନେଭଦା, ନର୍ଥକାରୋଲିନା, ପେନସିଲଭାନିଆ ଓ ୱିସକୋନସିନ।

ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍ , ଭୁଲ ତଥ୍ୟ ପ୍ରଦାନ ଓ ପକ୍ଷପାତ ଅଭିଯୋଗ

ନୂଆଦିଲ୍ଲୀ : ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍। ୱିକିପିଡିଆ ଭୁଲ ତଥ୍ୟ ପ୍ରଦାନ କରୁଥିବା ଓ ପକ୍ଷପାତ କରୁଥିବା ଅଭିଯୋଗ ହୋଇଥିବା କହି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ନୋଟିସ୍ ଦେଇଛି। ଏହା ସହିତ ଅଭିଯୋଗ ହୋଇଛି, କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ପାଖରେ ଅଛି ନିୟନ୍ତ୍ରଣ କ୍ଷମତା। ତେଣୁ କାହିଁକି ୱିକିପିଡିଆକୁ ଏକ ପ୍ରକାଶକ ବୋଲି ଗ୍ରହଣ କରାନଯାଇ ବାର୍ତ୍ତାବହ କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର।

ୱିକିପିଡିଆ ହେଉଛି ଏକ ଅନଲାଇନ୍ ଏନସାଇକ୍ଲୋପିଡିଆ। ଏଥିରେ ଯେ କେହି ଲେଖି ପାରିବେ, ସଂପାଦନା କରିବେ। ୱିକିପିଡିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏବେ ଏକ ମାମଲା ଚାଲିଛି। ଏହି ମାମଲା ରୁୁଜୁ କରିଛି ଏଏନଆଇ। ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ପ୍ରଚାର କରୁଥିବାର ଜଣେ ବ୍ୟକ୍ତି ୱିକିପିଡିଆରେ ଲେଖିଥିଲେ। ଏହା କିଏ ଲେଖିଛି ବୋଲି ତଥ୍ୟ ମାଗିଥିଲା ଏଏନଆଇ। ତଥ୍ୟ ଦିଆନଯିବାରୁ କୋର୍ଟକୁ ଯାଇଥିଲା ଏଏନଆଇ। ଯେହେତୁ ୱିକିପିଡିଆ ନିଜକୁ କେବଳ ଇଣ୍ଟରମିଡିଆରି ବା ବାର୍ତ୍ତାବହ ବୋଲି କହୁଛି, ତେବେ କିଏ ଲେଖୁଛି, ସଂପାଦନା କରୁଛି, ତାର ନାଁ ପ୍ରକାଶ କରିବାରେ କଣ ଅସୁବିଧା ବୋଲି ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏହାରି ଭିତରେ କେନ୍ଦ୍ର ସରକାର ମଧ୍ୟ ୱିକିପିଡିଆକୁ ନୋଟିସ୍ ଜାରି କରିଛନ୍ତି।

ପିସିସି ସଭାପତି ଚୟନ ପ୍ରସଙ୍ଗ : ତାରା କହିଲେ ଭକ୍ତ ଦାସଙ୍କ ନାଁ କରିଛି ସୁପାରିସ

ଭୁବନେଶ୍ୱର : ପିସିସି ସଭାପତି ଚୟନ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ବିଦାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ପିସିସି ସଭାପତି ପାଇଁ ସେ ଭକ୍ତ ଦାସଙ୍କ ନାଁ ସୁପାରିସ କରିଛନ୍ତି । ଭକ୍ତ କେବେବି ପିସିସି ସଭାପତି ହୋଇନାହାନ୍ତି । ସେ ଜଣେ ଲଢୁଆ ଲୋକ ହୋଇଥିବାରୁ ତାଙ୍କୁ ପିସିସି ସଭାପତି କରାଗଲେ ଭଲହେବ ବୋଲି ତାରା କହିଥଛନ୍ତି । କିଛି ଲୋକ ମହମ୍ମଦ ମୋକିମ କଥା ବି କମିଟିକୁ ଜଣାଇଛନ୍ତି  । ଏହି ଦୁଇ ଜଣଙ୍କ ମଧ୍ୟରୁ କିଏ ଜଣେ ପିସିସି ସଭାପତି ହେବେ ବୋଲି ତାରା କହିଛନ୍ତି ।

ଅନ୍ଯପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଦୁଇ ଜଣିଆ ଚୟନ କମିଟି ନିକଟରେ ନେତାମାନେ ନିଜ ନିଜ ପସନ୍ଦର ନେତାଙ୍କୁ ପିସିସି ସଭାପତି କରିବାକୁ କହିଛନ୍ତି । ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ ତାକୁ ଆମେ ଗ୍ରହଣ କରିବୁ  । ମୋକିମଙ୍କ କହିବା କଥା, ଦୁଇଟି ରାଜ୍ୟରେ ନିର୍ବାଚନ ଥିବାରୁ ପିସିସି ସଭାପତି ନାଁ ଘୋଷଣା ବିଳମ୍ବ ହୋଇପାରେ  । ମୋକିମ କହିଛନ୍ତି ମୁଁ କଂଗ୍ରେସ ପାଇଁ କାମ କରୁଛି  । ଏବେ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି ।

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ; ମନ୍ଦିରକୁ ଯାଇ କ୍ଷମା ମାଗ, ନ ହେଲେ ୫ କୋଟି ଦିଅ

ନୂଆଦିଲ୍ଲୀ : ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ଧମକ। କୃଷ୍ଣସାର ମୃଗ ଶିକାର କରିଥିବାରୁ ଏକ ମନ୍ଦିରକୁ ଯାଇ କ୍ଷମା ମାଗ ନ ହେଲେ ୫ କୋଟି ଦିଅ। ନଚେତ ହତ୍ୟା କରାଯିବ। ମୁମ୍ଵାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟକୁ ଏହି ମେସେଜ ଆସିଥିବା ମୁମ୍ଵାଇ ପୋଲିସ ପକ୍ଷରୁ କୁହାଯାଇଛି। ଯିଏ ପଠାଇଛି, ସେ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ବୋଲି କହିଛି। ଏହି ଧମକ ସତ କି, ପ୍ରକୃତରେ କିଏ ପଠାଇଛି, ତାର ତଦନ୍ତ ଆରମ୍ଭ କରିଛି ମୁମ୍ଵାଇ ପୋଲିସ।

ମୁମ୍ଵାଇର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ ଖାନଙ୍କୁ ଏମିତି ବହୁତ ଥର ଧମକ ଆସିଛି। ମୁମ୍ବାଇ ପୋଲିସ ମଧ୍ୟ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦେଇଛି। ଏମିତି ଧମକ ଦେବା ଅଭିଯୋଗରେ ଅକ୍ଟୋବର ୨୮ ତାରିଖରେ ନୋଏଡ଼ାରୁ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଅ ଜିଶନ ସିଦ୍ଦିକିଙ୍କ ଅଫିସ ବାହାରେ ତାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ଏହି କାଣ୍ଡ କରିଥିବାର ଦାବି କରିଛି। ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୁମ୍ଵାଇ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି।

ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ

ଶାସ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ କାମ କରୁଛନ୍ତି ଇସ୍କନ । ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ । ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲ୍ଲଂଘନ ହେଉଛି କହିଛନ୍ତି ପୁରୀ ଗଜପତି  । ୧୯୮୦ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରିଆସୁଛୁ । ୨୦୦୭ରେ ସେମାନେ ରଥଯାତ୍ରା ଆରମ୍ଭ କରିଥିଲେ । ଶ୍ରୀମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଥିଲେ ମଧ୍ୟ ସେମାନେ ତାହାକୁ ମାନିଲେ ନାହିଁ  । ୨୦୦୮ରେ ମଧ୍ୟ ଫେବୃଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲା  । ହେଲେ ତାହାକୁ ମଧ୍ୟ ଇସ୍କନ ମାନିଲାନାହିଁ । ୨୦୨୧ ପରଠାରୁ ଅତି ବିଚିତ୍ର ଭାବରେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛି ଇସ୍କନ  । ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଥିଲି, ଚିଠିରେ ଉତ୍ତର ଦେଲେନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ।

ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସ୍ନାନ ଯାତ୍ରା ବନ୍ଦ କରିଛନ୍ତି  । ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି  । ନାଇଜେରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି  । ମାର୍ଚ୍ଚ ମାସରେ ସେମାନେ ବାର୍ଷିକ ସଭା କରିବେ  । ଏ ବିଷୟରେ ଆଲୋଚନା ହେବ  । ଆମେ ପୁଣିଥରେ ଚିଠି ଲେଖିବୁ ବୋଲି କହିଛନ୍ତି ଗଜପତି ମହାରାଜ । ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନକରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ  । କୃଷ୍ଣଙ୍କ ସବୁ ପରମ୍ପରାକୁ ଇସ୍କନ ସବୁବେଳେ ମାନୁଛି  । ହେଲେ ଜଗନ୍ନାଥଙ୍କ ପରମ୍ପରାକୁ କାହିଁକି ସେମାନେ ଉଲ୍ଲଂଘନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ । ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ହେଲେ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାର ହଷ୍ଟନରେ ରଥଯାତ୍ରାର ଆୟୋଜନ କରୁଛି ଇସ୍କନ ।