ଭୁବନେଶ୍ବର : ମୋ ବସ ସ୍ପିଡରେ ଲାଗିଲା ବ୍ରେକ୍। ଏଣିକି ଦୃତ ଗତିରେ ଚଳାଇ ହେବନି ମୋ ବସ୍। ବେପରୁଆ ଗାଡ଼ି ଚଳାଉଥିବା ମୋ ବସ ଡ୍ରାଇଭରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଣିକି ମୋ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ସହର ଭିତରେ ୪୦ କିମି ରହିବ ଗାଡିର ବେଗ । ସହର ବାହାରକୁ ଗଲେ ୫୦ କିମି ରହିବ ଗାଡ଼ିର ବେଗ। ଡ୍ରାଇଭର ନିଶାପାନ କରିଛନ୍ତି କି ନାହିଁ ଗାଡ଼ିରେ ଚଢିବା ପୂର୍ବରୁ ଚେକିଂ ହେବ। ଏପରିକି ମଝିରେ ମଝିରେ ଯାଞ୍ଚ ହେବ। ବେପରୁଆ ଗାଡ଼ି ଚଲାଇଲେ ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମାତ୍ର ୪୦ ବର୍ଷ ବୟସରେ ଆମେରିକାର ଉପରାଷ୍ଟ୍ରପତି
ନନ୍ଦିଘୋଷ ବ୍ୟୁରୋ : ଜେ.ଡି ଭାନ୍ସ ଓରଫ୍ ଜେମ୍ସ ଡେଭିଡ୍ ଭାନ୍ସ ହେବେ ଆମେରିକାର ପରବର୍ତ୍ତୀ ଉପରାଷ୍ଟ୍ରପତି । ରିପବ୍ଲିକାନ୍ ପାର୍ଟିର ଅନ୍ୟତମ ସକ୍ରିୟ ଓ ଚର୍ଚ୍ଚିତ ରାଜନେତା ଭାନ୍ସ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ସହ ମାତ୍ର ୪୦ ବର୍ଷ ବୟସରେ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ୨୦୨୨ ନିର୍ବାଚନରେ ଓହିଓରୁ ସିନେଟର ଭାବେ ନିର୍ବାଚିତ ହୋଇଥିଲେ ଭାନ୍ସ । ଆମେରିକା ମେରାଇନ୍ କର୍ପୋରେସନରେ ସେ ଭାନ୍ସ ଜଣେ ସାମ୍ବାଦିକଭାବେ କାର୍ଯ୍ୟ କରିଥିଲେ । ୨୦୦୩ରୁ ୨୦୦୭ ମଧ୍ୟରେ ସେ ଏଥିରେ ସାମିଲ ଥିଲେ । ୨୦୧୬ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିରେ ଟ୍ରମ୍ପଙ୍କ ପ୍ରାର୍ଥୀତ୍ବକୁ ତୀବ୍ର ବିରୋଧ କରିଥିବା ଭାନ୍ସ ପରବର୍ତ୍ତୀ ସମୟରେ ଜଣେ କଟ୍ଟର ଟ୍ରମ୍ପ ସମର୍ଥକରେ ପରିଣତ ହୋଇଥିଲେ । ୨୦୨୪ରେ ରିପବ୍ଲିକାନ ପାର୍ଟିର ଅଫିସିଆଲ୍ ଭାଇସ୍ ପ୍ରେସିଡେଣ୍ଟ ନୋମିନି ହୋଇଥିଲେ ଭାନ୍ସ। ତାଙ୍କ ପତ୍ନୀ ଉଷା ଚିଲକୁରୀ ଜଣେ ହିନ୍ଦୁ ଓ ସେ ଭାରତୀୟ। ଭାନ୍ସଙ୍କ ପ୍ରଚାରରେ ଉଷାଙ୍କର ପ୍ରମୁଖ ଭୂମିକା ରହିଥିଲା। ଭାରତୀୟ ଭୋଟରଙ୍କ ପାଇଁ ସେ ପ୍ରଚାର କରିଥିଲେ।
ଅତି ଚତୁରତାର ସହ ଲାଜ ସରମ ସବୁ ଭୁଲି କପି ପେଷ୍ଟ କରି ଚାଲିଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର : ମୋହନ ସରକାର କପି ପେଷ୍ଟ ସରକାର । ନୂଆ ଏନଏସି ଗଠନ ନେଇ ସରକାରଙ୍କ ନିଷ୍ପତ୍ତି ତାହା ପୁଣି ପ୍ରମାଣିତ କରିଛି ବୋଲି କହିଛି ବିଜେଡି । ଦୁଇଟି ଚିଠିକୁ ଦେଖାଇ ବିଜେଡି ରାଜ୍ଯ ସରକାରଙ୍କ କାମକୁ କଡ଼ା ସମାଲୋଚନା କରିଛି । ଗତ ମାର୍ଚ୍ଚ ୧୩ ତାରିଖରେ ନୂଆ ଏନଏସି ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚିଠି କରିଥିଲେ । ଏବେ ମୋହନ ମାଝୀ ସରକାର ନଭେମ୍ବର ୪ ତାରିଖରେ ସେହି ଚିଠି କରିଛନ୍ତି । ଏଥିରେ କେବଳ ACSଙ୍କ ନାଁ ବଦଳିଛି । ଏହା ଚଞ୍ଚକତାର ଦୃଷ୍ଟାନ୍ତ । ସରକାର କିଛି ନୂଆ କରନ୍ତୁ ବୋଲି କହିଛି ବିଜେଡି । ଲୋକଙ୍କ ଅନୁରୋଧରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇଥିଲେ । ତାକୁ ଆଜି କପି କରିଛନ୍ତି ନୂଆ ସରକାର ଯାହାର ଦୃଢ ନିନ୍ଦା କରୁଛୁ ବୋଲି କହିଛି ବିଜେଡି ।
ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର : ବିଜେଡି
ଭୁବନେଶ୍ବର : ଗଞ୍ଜାମ ତାରାତାରିଣୀ ମନ୍ଦିରରୁ ଚୋରିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି। ଏକ ପ୍ରେସମିଟରେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟର ଐତିହ୍ୟକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର। ରାଜ୍ୟର ମଠ ମନ୍ଦିରକୁ ସୁରକ୍ଷା ଦିଆଯାଇପାରୁନାହିଁ। ନବୀନ ସରକାର ଥିବା ବେଳେ ଏହି ମନ୍ଦିରର ବିକାଶ କରାଯାଇଥିଲା। ଏବେ ଘଟଣାର ଅନୁଧ୍ୟାନ କରିବାକୁ ନବୀନ ପଟ୍ଟନାୟକ ଏକ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ସେହି କମିଟିର ସଦସ୍ୟ ହେଲେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା। ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗିଥିବା ମଧ୍ୟ ଅଭିଯୋଗ କରିଛନ୍ତି ଲେଖାଶ୍ରୀ। ଗତ ରାତିରେ ମନ୍ଦିର ବାହାରେ ଥିବା ହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି । ଗର୍ଭଗୃହରୁ ମା’ଙ୍କ ରୂପାର ଛତା ସହ ରୂପାର ମୁଖାକୁ ଚୋରିକରି ନେଇଛନ୍ତି । ଆଜି ଭୋରରୁ ପୂଜକ ମନ୍ଦିର ଖୋଲିବା ସମୟରେ ତାଲା ଭାଙ୍ଗି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଣି ବାଜି ମାରି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ
ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ପୁଣି ଟ୍ରମ୍ପ ରାଜ । ହ୍ବାଇଟ ହାଉସ ରେସରେ ପୁଣି ବାଜି ମାରି ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଅନେକ ବିବାଦରେ ଫସି ମଧ୍ୟ ସେ ଆମେରିକୀୟଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛନ୍ତି । ମ୍ଯାଜିକ ନମ୍ବରଠାରୁ ବେଶ ଆଗରେ ରହି ଐତିହାସିକ ବିଜୟ ଲାଭ କରି ବିଶ୍ବର ସୁପର ପାୱାର ଦେଶ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ ଟ୍ରମ୍ପ ପାଇଛନ୍ତି ୨୭୭। ଅନ୍ଯପଟେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଡେମୋକ୍ରାଟ କମଳା ହାରିସଙ୍କୁ ମିଳିଛି ୨୨୬ ଭୋଟ। ବିଜୟ ଲାଗି ମ୍ଯାଜିକ ନମ୍ବର ୨୭୦ ଦରକାର ଥିବାବେଳେ ଟ୍ରମ୍ପ ବାଜିମାତ କରିଛନ୍ତି। ୭ଟି ସ୍ୱିଙ୍ଗ ଷ୍ଟେଟରେ ବି ଦବଦବା ଦେଖାଇଥିଲେ ଟ୍ରମ୍ପ। ଇତିହାସରେ ଦ୍ବିତୀୟ ଥର ଲାଗି ହାରିଥିବା ପ୍ରାର୍ଥୀ ପୁଣି ଜିତିଛନ୍ତି । ପୂର୍ବତନ ରାଷ୍ଟ୍ରପତି ଗ୍ରୋଭର କ୍ଲିଭଲ୍ୟାଣ୍ଡଙ୍କ ୧୩୨ ବର୍ଷର ରେକର୍ଡର ସମକକ୍ଷ ହୋଇଛନ୍ତି ଟ୍ରମ୍ପ । ୧୮୮୮ରେ ହାରି ୧୮୯୨ରେ ପୁଣି ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ କ୍ଲିଭଲ୍ୟାଣ୍ଡ । ଅନ୍ଯପଟେ କମଳା ହାରିସଙ୍କ କ୍ଯାମ୍ପରେ ନୈରାଶ୍ଯ ଖେଳିଯାଇଛି । ସେ ତାଙ୍କ ଅଭିଭାଷଣକୁ ରଦ୍ଦ କରିଛନ୍ତି ।
ଖାଦ୍ୟ ଅଭାବରୁ ଲୋକେ ଅଖାଦ୍ୟ ଖାଉଛନ୍ତି, ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ବିଜେଡି
ଭୁବନେଶ୍ବର : କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ ପହଞ୍ଚିବାରୁ ୮ ପରିବାର ଆମ୍ବ ଟାକୁଆ ଯାଉ ଖାଇଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୪ ମସିହାରେ ଏପରି ଘଟିବା କଳ୍ପନା ବାହାରେ । ଓଡ଼ିଶାକୁ ଏହା ବିଶ୍ୱରେ ନିନ୍ଦିତ କରିଛି । ଡବଲ ଇଂଜିନ ସରକାର, ବିକାଶ କଥା, ବିଶ୍ୱ ଗୁରୁ ହେବା କଥା କହିବା ବେଳେ ଅନାହାର ମୃତ୍ୟୁ ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ସୁନେଲି ସ୍ୱପ୍ନ ଦେଖାଇ ଆସିଲେ ବିଜେପି ସରକାର, ହେଲେ ସେ ମିଛର ସୌଦାଗର । PDS ଚାଉଳ ଗରିବରୁ ଅତି ଗରିବ ଲୋକଙ୍କୁ ଦିଆଯାଇଥାଏ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଅନାହାର ଉପରେ କୁଠାରଘାତ କରାଗଲା । ଚାରି ମାସ ହେବ ସରକାର ବଦଳିଲା, ହେଲେ କଣ ବଦଳିଗଲା ଯେ ଆମ୍ବ ତାକୁଆ ଲୋକ ଖାଇଲେ । ସେ ପୁଣି ଆଦିବାସୀ ଖାଇଲେ । ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରୀ ଓଡ଼ିଆ ଆଦିବାସୀ, ରାଷ୍ଟ୍ରପତି ଓଡ଼ିଆ ଆଦିବାସୀ ଝିଅ, ବିଜେପି ଆଦିବାସୀଙ୍କୁ ଉପରେ ବସାଇ ଦେଖାଇବାକୁ ଚାହିଁଲା ଯେ ଆଦିବାସୀ ତାଙ୍କ ଫୋକସ । ଏମିତି ଛବି ଦେବାକୁ ଚାହିଁଲା ହେଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭୋଟ । ଆଦିବାସୀଙ୍କୁ ବ୍ୟବହାର କରି ପ୍ରତୀକକରଣର ରାଜନୀତି କରୁଛି ବିଜେପି । ଲୋକଙ୍କ ସୁବିଧା ଅସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ନାହିଁ । ତିନି ମାସ ଭିତରେ ଚାଉଳ ଦେବା ବ୍ୟବସ୍ଥା କିପରି ଭୁସୁଡ଼ିଲା ଏହି ଚାରି ମାସରେ? ଠିକ ସମୟରେ ଚାଉଳ ମିଳିନି । ଅକ୍ଟୋବର ଚାଉଳ ନଭେମ୍ବରରେ ଦିଆଗଲା । ତାହା ବି ମୃତ୍ୟୁ ପରେ । ଏହା ସରକାରଙ୍କ ବିଫଳତା । ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀଙ୍କ ମୁଣ୍ଡରେ ଏହି ଦୋଷ ପଡୁଛି । ଏହି ଅବହେଳା ଅପରାଧିକରଣ । ତେଣୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛି ବିଜେଡି । ଲୋକଙ୍କ ପ୍ରତି ସେ ଅବହେଳା କରିଛନ୍ତି । ଖାଦ୍ୟ ପହଞ୍ଚାଇ ପାରିଲେ ନାହିଁ ସରକାର । ଚାଉଳ ନ ଦେଲେ ମାଣ୍ଡିଆ ବାଣ୍ଟିବାର ନିୟମ ଅଛି, ହେଲେ କାହା କଥାରେ ଦିଆଗଲାନି । ଯୋଗାଣ ମନ୍ତ୍ରୀ କେବଳ ରାସନ କାର୍ଡ କାଟିବାର ଭୟ କାହିଁକି ଦେଖାଉଛନ୍ତି ? EKYC ପଛୁଆ ଅଞ୍ଚଳରେ କେମିତି ହେବ ଯେଉଁଠି ଇଣ୍ଟରନେଟ୍ ସୁବିଧା ନାହିଁ । ନ କଲେ ଚାଉଳ ବନ୍ଦ କରୁଛନ୍ତି । ଅନ୍ୟ ଉପରେ ଦୋଷ ଲଦିବାରୁ ନିବୃତ୍ତ ରୁହନ୍ତୁ । ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । ମୋହନ ମାଝୀ, ଜୁଏଲ ଓରାମ ଓ ରାଷ୍ଟ୍ରପତିଙ୍କ ଘରେ ଆମ୍ବ ଟାକୁଆ ଯାଉ ରନ୍ଧା ହୁଏ କି? ଆଦିବାସୀଙ୍କୁ ଉପହାସ କରିଛନ୍ତି । ଏହି ସରକାରରେ ଅଧ ଡଜନ ଆଦିବାସୀ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀ ଆମ୍ବ ଟାକୁଆ ଖାଆନ୍ତି । PMOର ନିର୍ଦ୍ଦେଶରେ ରାଜ୍ୟ ଚାଲିଛି । ଷ୍ଟାମ୍ପ ଲଗାଇ ସରକାର ଚାଲିଛି । ଓଡ଼ିଆ କଣ ଚାହାଁନ୍ତି, ବିଜେପି ଜାଣିନି । ମୂଳ ଆଦର୍ଶ ନାଗପୁରରେ ମରାଠୀ ହୋଇ ଗୁଜୁରାଟରେ ଗୁଜୁରାଟୀ ଅନୁବାଦ ହୋଇ ଦିଲ୍ଲୀରେ ହିନ୍ଦୀରେ ଅନୁବାଦ ହୋଇ ଓଡ଼ିଶା ଆସୁଛି । ଦିନ ବେଳା ମିଛ କହୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ବି ଆମ୍ବ ଟାକୁଆ ପାରମ୍ପରିକ ଖାଦ୍ୟ କହିଲେ । ମୁକେଶ ମହାଲିଙ୍ଗ, ପ୍ରଭାତୀ ପରିଡା ଓ କୃଷ୍ଣ ପାତ୍ର କ’ଣ ଆଦିବାସୀ ? ସେମାନେ ଏହା କହିବାର ଅଧିକାର ନାହିଁ । ବିଜେପି ପ୍ରତିଶୋଧ ପରାୟଣ ରାଜନୀତି କରୁଛନ୍ତି । ଯେଉଁ ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ, ତାକୁ ଭାଙ୍ଗି ଆଜି ପରିଣାମ ଭୋଗୁଛନ୍ତି ରାଜ୍ୟ ସରକାର । ୨୦୦୧ ରେ ୭୦% ଦାରିଦ୍ର୍ୟ ଥିଲେ । ହେଲେ ଗତ ୨୪ ବର୍ଷରେ ୬୦% ହ୍ରାସ ପାଇ ୧୦ ଲକ୍ଷ ତଳକୁ ଖସିଛି । ଯାହା ଦେଶରେ ସବୁଠାରୁ ଦ୍ରୁତ । ହେଲେ ଏବେ ସରକାର କିଏ ଚଳାଉଛି ଜଣା ନାହିଁ ? ଦଲାଲ ବୁଲିଛନ୍ତି ସରକାରୀ ଅଫିସରେ । RDC ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏମିତି ବହୁତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟପାଳଙ୍କ ପୁଅ, ବଢ ଠାକୁର ବଳଭଦ୍ର ପଡି଼ବା, ଭରତପୁର, ମଦ ମୃତ୍ୟୁ ରିପୋର୍ଟ ଆସିଲା ନାହିଁ । ଲୋକେ ଅନେକ ଆଶା ରହି ବିଜେପିକୁ ଭୋଟ ଦେଇଥିଲେ । ଯେବେ ବଡ ଠାକୁର ବଳଭଦ୍ର ପଡିଗଲେ, ଜଣା ପଡିଗଲା ଯେ ବିଜେପି ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା, ଉପ ମୁଖ୍ୟମନ୍ତ୍ରୀଙ୍କ କ୍ଷମା, ଜିଲ୍ଲାପାଳ ଯାଏଁ ଯିଏ ବ୍ୟବସ୍ଥା ନଷ୍ଟ କରିଛନ୍ତି, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ବାଦୀ କରିଛି ବିଜେଡି ।
କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କଡା଼ ମୁକାବିଲା। କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ପ୍ରଥମେ ଟ୍ରମ୍ପ ଆଗୁଆ ରହିଥିଲେ। ପରେ କିନ୍ତୁ କମଳା କଡ଼ା ଟକ୍କର ଦେଇଛନ୍ତି। ବର୍ତ୍ତମାନ ଟ୍ରମ୍ପ ୨୪୭ ଇଲେକଟୋରାଲ କଲେଜ ଜିତି ଆଗୁଆ ଥିବା ବେଳେ କମଳା ୨୧୪ ଟି ଇଲେକଟୋରାଲ କଲେଜ ଜିତିଛନ୍ତି। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପ ଆଗୁଆ ରହିଛନ୍ତି। ତେଣୁ ସେ ଆଡଭାନଟେଜରେ ଅଛନ୍ତି। ଆମେରିକାର ମୋଟ୍ ଇଲେକ୍ଟୋରାଲ୍ କଲେଜ ସଂଖ୍ଯା ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଏବେ କଡ଼ା ଟକ୍କର ଚାଲିଥିବାରୁ କିଏ ଜିତିବ ତାହା କରିବା ମୁସ୍କିଲ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଲା ବାହାଘର !
ନନ୍ଦିଘୋଷ ବ୍ୟୁରୋ : କିଏ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛି ତାହା ଜାଣିବା ପାଇଁ ସମଗ୍ର ବିଶ୍ୱ ଅପେକ୍ଷା କରିଛି । ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ ହୋଇଥିବା ବେଳେ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ନଭେମ୍ବର ୫ରେ ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଏହା ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ପୋଷ୍ଟ ଭାଇରାଲ ହେଉଛି ।
ରେଡ୍ଡିଟ୍ ପୋଷ୍ଟରେ ଜଣେ ୨୬ ବର୍ଷ ବର୍ଷିୟା ମହିଳା ଦାବି କରିଛନ୍ତି, ସେ ଭୋଟ୍ ଦେଉ ନ ଥିବାରୁ ତାଙ୍କ ଭାବି ସ୍ବାମୀଙ୍କ ସହ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି । ମହିଳା ଲେଖିଛନ୍ତି ଯେ, ମୋର ୨୬ ବର୍ଷିୟା ଭାବି ସ୍ବାମୀ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାକୁ ଚାହୁଁ ନାହାନ୍ତି । ମୁଁ ଏକ ନୈତିକ ସଙ୍କଟ ଦେଇ ଗତି କରୁଛି ।
ସେ କେବଳ ଭୋଟ୍ ଦେବାକୁ ମନା କରିଦେଇଛନ୍ତି କାରଣ ସେ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ। ଆମର ରାଜନୈତିକ ଦୃଷ୍ଟିକୋଣ ଅତ୍ୟନ୍ତ ସମାନ ତେଣୁ ମୁଁ ବୁଝିପାରୁ ନାହିଁ, ଏହି ଭୋଟ୍କୁ ନେଇ ସେ କହିଁକି ଉଦାସୀନ? ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ଜଣେ ମହିଳା ଏବଂ ଫ୍ଲୋରିଡା ରେ ରହେ ।
ମହିଳାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ସୋସିଆଲ୍ ମିଡିଆ ୟୁଜର୍ସ ଲେଖିଛନ୍ତି, ଆପଣ ତାଙ୍କର କାର୍ଯ୍ୟ, ଆଚରଣକୁ ପସନ୍ଦ କରନ୍ତି ନାହିଁ, କେବଳ ନିଜକୁ ନିୟନ୍ତ୍ରଣ କର । ଯଦି ଭୋଟ୍ ଦେଉଥିବା ବ୍ୟକ୍ତିଙ୍କ ସହିତ ରହିବା ତୁମ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ । ତେବେ ତୁମେ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ଉଚିତ୍ । ଅନ୍ୟ ଜଣେ ଲେଖିଛନ୍ତି ଯେ ରାଜନୀତି ଅନ୍ତତଃପକ୍ଷେ ବ୍ୟକ୍ତିଗତ ଜୀବନଠାରୁ ଦୂରରେ ରହିବା ଉଚିତ୍।
ଜନ୍ମମାଟିରେ କମଳା ହାରିସଙ୍କ ପାଇଁ ପୂଜାର୍ଚ୍ଚନା
ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଏବେ ବି କିଛି ସ୍ଥାନରେ ଭୋଟିଂ ଜାରି ରହିଛି । କିଏ ବାଜି ମାରିବ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଳା ହାରିସଙ୍କ ବିଜୟ ପାଇଁ ତାଙ୍କ ଜନ୍ମମାଟି ଥିରୁଭରୁର ଜିଲ୍ଲାର ଥୁଲସେନ୍ଦ୍ରପୁରମ୍ ଗାଁର ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି । କମଲା ହାରିସ୍ ଦକ୍ଷିଣ ଏସିଆର ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ହୋଇପାରନ୍ତି । ଲକ୍ଷ ଲକ୍ଷ ଆମେରିକୀୟ ବର୍ତ୍ତମାନ ନିଜର ମତଦାନ ସବ୍ୟସ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ହଜାର ହଜାର ମାଇଲ ଦୂରରେ ଥିବା ଲୋକମାନେ କମଳା ହାରିସଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । କମଳା ହାରିସ ବିଜୟ ହୁଅନ୍ତୁ, ଏହି ଆଶାରେ ଗ୍ରାମବାସୀ ମନ୍ଦିରରେ ପ୍ରାର୍ଥନା କରିବା ସହିତ ବ୍ୟାନର ଲଗାଇ ଖୁସି ମନାଉଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବ୍ୟାନରରେ କମଳାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ। ୨୦୨୦ ଅଗଷ୍ଟରେ କମଳା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ୍ ପ୍ରାର୍ଥୀ ଭାବରେ ମନୋନୀତ ହେବାପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ କମଳାଙ୍କ ବିଜୟ ପରେ ପୁରା ଗାଁ ଉତ୍ସବ ପାଳନ କରିଥିଲା । ଥୁଲସେନ୍ଦ୍ରପୁରମ୍ କମଳାଙ୍କ ଜେଜେବାପା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ପି.ବି ଗୋପାଳନଙ୍କ ପୈତୃକ ଗ୍ରାମ । କମଳାଙ୍କ ମାତା ଶ୍ୟାମଳା ପି.ବି ଗୋପାଳନଙ୍କ ଝିଅ ।
ପରଲୋକରେ ଗାୟିକା ଶାରଦା ସିହ୍ନା
ନୂଆଦିଲ୍ଲୀ : ଆରପାରିରେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ସ୍ବାସ୍ଥ୍ରଅବସ୍ଥା ବିଗିଡିବାରୁ ସେ କିଛି ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ।

