ନନ୍ଦିଘୋଷ ବ୍ୟୁରୋ: ଆମ୍ବଟାକୁଆ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ତୀବ୍ର ପ୍ରତିକ୍ରିୟା । ବିଜେପିର ବରିଷ୍ଠ ବିଧାୟକଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ। ଆଦିବାସୀ ଅଖାଦ୍ୟ ଖାଆନ୍ତି ନାହିଁ। ଅଭାବ ହେଲେ ଅଖାଦ୍ୟ ଖାଇବାକୁ ବାଧ୍ୟ ହୁଅନ୍ତି। ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ। ଅଖାଦ୍ୟ ଖାଇ ଅନାହାର ମୃତ୍ୟୁ ହୋଇଛି। ଏଥିପାଇଁ ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ। ତିନିମାସ ହେବ ଲୋକଙ୍କ ପାଖରେ ରାସନ ପହଞ୍ଚି ନାହିଁ। E-KYC ନାଁରେ ଲୋକଙ୍କୁ ରାସନ୍ ଦିଆଯାଇନାହିଁ। ରାସନ ନପହଞ୍ଚିବାରୁ ଲୋକ ଆମ୍ବ ଟାକୁଆ ଖାଉଛନ୍ତି। ଖାଦ୍ୟ ସୁରକ୍ଷା ପାଇଁ ଆଇନ ହୋଇଛି। ଲୋକ ଚାଉଳ ଖାଉନାହାନ୍ତି ବୋଲି କହି ବରିଷ୍ଠ ବିଧାୟକ ଭୁଲ ତଥ୍ୟ ନ ରଖନ୍ତୁ। ତିନି ମାସ ହେବ ରାସନ୍ ପହଞ୍ଚିନି। କିପରି ଲୋକଙ୍କ ପାଖରେ ରାସନ୍ ପହଞ୍ଚିବ ବ୍ୟବସ୍ଥା କରିବା ଆବଶ୍ୟକ। ସରକାର ଏଥିପ୍ରତି ଧ୍ୟାନ ନ ଦେଲେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।
ପରକୀୟା ପ୍ରୀତି ପାଇଁ ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ
ଢେଙ୍କାନାଳ: ପରକୀୟା ପ୍ରୀତି ପାଇଁ ବିଷ ଦେଇ ସ୍ତ୍ରୀକୁ ମାରିଦେଲା ସ୍ଵାମୀ। ଭାପୁର ଫାଣ୍ଡି ଅନ୍ତର୍ଗତ ବାଳିଆମ୍ବା ଗ୍ରାମରେ ଅଭାବନୀୟ ଘଟଣା । ମଦ୍ୟପ ସ୍ଵାମୀର ପରକୀୟା ପ୍ରୀତିକୁ ପତ୍ନୀଙ୍କ ବିରୋଧ ଯୋଗୁଁ ହରାଇଲା ଜୀବନ। ନୃଶଂସ ସ୍ଵାମୀ ମାଡ଼ ମାରିବା ପରେ କୀଟନାଶକ ପିଆଇ ହତ୍ୟା କରିଛି ଅଭିଯୁକ୍ତ। ୧୧ ବର୍ଷ ତଳେ ବାଙ୍କୀ ବ୍ଲକ କଡ଼ାମଲ୍ ଗ୍ରାମର ଅମିତା ରଣା ଢ଼େଙ୍କାନାଳ ଭାପୁର ଫାଣ୍ଡି ଅଧୀନ ବାଲିଅମ୍ବା ଗାଁର ପ୍ରଶାନ୍ତ ରଣାକୁ ବାହା ହୋଇଥିଲେ । ସେମାନଙ୍କର ୨ଟି ପୁଅ ଅଛନ୍ତି। ଗତ କିଛି ବର୍ଷ ଧରି ସ୍ଵାମୀ ପ୍ରଶାନ୍ତ ଯୌତୁକ ପାଇଁ ୩ଲକ୍ଷ ଟଙ୍କା ଲାଗି ସ୍ତ୍ରୀକୁ ନାନାଦି ନିର୍ଯ୍ୟାତନା ଦେଇ ଆସୁଥିଲେ ।
ମାତ୍ର ସେ ଯେଉଁ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ସେଠି ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରେ ଥିବା କଥା ସ୍ତ୍ରୀ ଅମିତା ଜାଣିବା ପରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଏନେଇ ସ୍ଵାମୀ ପ୍ରଶାନ୍ତ ମାରପିଟ କରୁଥିଲେ ବୋଲି ଅମିତାଙ୍କ ପାରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗତକାଲି ସକାଳେ ଅମିତାକୁ ସ୍ବାମୀ ବାଡିଆପିଟା କରିବା ପରେ ପାଟି ଖୋଲି କୀଟନାଶକ ଔଷଧ ପିଆଇଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଶଙ୍କରପୁର CHC ରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ଭାପୁର ଫାଣ୍ଡିରେ ହାତ୍ୟା ମାମଲା ରୁଜୁ ହୋଇଛି ।
ଏ ହେଉଛନ୍ତି ଆମେରିକାର ‘ଅଜିତ ଡୋଭାଲ’ : ଯାହାଙ୍କର ନାମ ଶୁଣିଲେ ଥରିଉଠେ ଚୀନ
ନନ୍ଦିଘୋଷ ବ୍ୟୁରୋ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଇକେଲ ୱାଲ୍ଟଜଙ୍କୁ ନୂତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ୱାଲ୍ଟ ଜଣେ ଅବସରପ୍ରାପ୍ତ ଆର୍ମି ନ୍ୟାସନାଲ ଗାର୍ଡ ଅଧିକାରୀ ତଥା ରିପବ୍ଲିକାନ୍ କଂଗ୍ରେସ କର୍ମୀ। ସେ ଚୀନ୍ର ଜଣେ କଠୋର ସମାଲୋଚକ ଏବଂ ଭାରତର ସମର୍ଥକ ଭାବରେ ବିବେଚିତ ହୁଅନ୍ତି।। କୋଭିଡ -19 ଏବଂ ଉଇଗୁରୁ ଅତ୍ୟାଚାର ପାଇଁ ସେ ଚାଇନାକୁ ଦାୟୀ କରିଛନ୍ତି।
ୱାଲ୍ଟଜ୍ ରିପବ୍ଲିକାନ୍ ପାର୍ଟିର ତିନିଥର ସାଂସଦ ହୋଇସାରିଛନ୍ତି । ସେ ପୂର୍ବ-କେନ୍ଦ୍ରୀୟ ଫ୍ଲୋରିଡା ବାସିନ୍ଦା । ମାଇକେଲ ୱାଲ୍ଟ ଟ୍ରମ୍ପଙ୍କ ଜଣେ ଦୃ୍ଢ ସମର୍ଥକ ଅଟନ୍ତି। ଚୀନ୍ ପ୍ରତି ତାଙ୍କର କଠୋର ଆଭିମୁଖ୍ୟ ରହିଛି ବୋଲି ବିବେଚନା କରାଯାଏ। ୱାଲ୍ଟ ଚାଇନାକୁ କୋଭିଡ -19 ପାଇଁ ଦାୟୀ କରିଥିଲେ। ସେ ଚୀନ୍କୁ ମୁସଲିମ ଉଇଗୁରୁଙ୍କ ଉପରେ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ସେ ବେଜିଂରେ ହେବାକୁ ଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ୍ସକୁ ବଏକଟ୍ କରିବାକୁ ଆମେରିକାକୁ ଆହ୍ବାନ କରିଥିଲେ। ସେ ପେଣ୍ଟାଗନରେ ନୀତି ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ବାଇଡେନଙ୍କୁ ସମାଲୋଚନା ଏବଂ ଟ୍ରମ୍ପଙ୍କୁ ସମର୍ଥନ
ହାଉସ ଆର୍ମଡ ସେବା କମିଟିର ସଭାପତି ଭାବରେ ମାଇକ ୱାଲ୍ଟଜ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନେଇ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେହି ସମୟରେ ଭୁଲବଶତଃ ବହୁ ସଂଖ୍ୟକ ଅସ୍ତ୍ର ତାଲିବାନଙ୍କ ହାତକୁ ଚାଲିଯାଇଥିଲା । ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ୱାଲ୍ଟ ୱେଷ୍ଟ ୱିଙ୍ଗ ମଧ୍ୟରେ ଆମେରିକାର ବୈଦେଶିକ ନୀତିର ସମନ୍ୱୟ ରକ୍ଷା କରିବେ ଏବଂ ରାଷ୍ଟ୍ରପତିଙ୍କୁ ବିଶ୍ବର ବିକାଶ ବିଷୟରେ ସୂଚନା ଦେବେ।
ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୱାଲ୍ଟ ଗୁରୁତ୍ୱପୂର୍ଣ୍ଣ
ୱାଲ୍ଟ ନ୍ୟାସନାଲ ଗାର୍ଡରେ କର୍ଣ୍ଣେଲ ଭାବରେ କାର୍ଯ୍ୟ କରିଛନ୍ତି। ସାମରିକ ସେବା ବ୍ୟତୀତ ମାଇକ୍ ୱାଲ୍ଟଜ୍ ମେଟିସ୍ ସଲ୍ୟୁସନ୍ ନାମକ ଏକ କମ୍ପାନୀର ନେତୃତ୍ୱ ନେଇଥିଲେ। ବିଭିନ୍ନ କ୍ଷେତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ୱାଲ୍ଟ ସମର୍ଥନ କରିଛନ୍ତି । ନାଟୋ ଏବଂ ୟୁକ୍ରେନ ଉପରେ ତାଙ୍କର ଆଭିମୁଖ୍ୟ ମଧ୍ୟ ବିଶ୍ୱକୁ ନୂଆ ରାସ୍ତା ଦେଖେଇବ । ୟୁକ୍ରେନ ଉପରେ ତାଙ୍କର ମତ ସମୟ ସହିତ ବିକଶିତ ହୋଇଛି । ୨୦୨୨ ରେ ଋଷର ଆକ୍ରମଣ ପରେ ୱାଲ୍ଟଜ ଜୋ ବାଇଡେନଙ୍କୁ କିଭିକୁ ଅଧିକ ଅସ୍ତ୍ର ଯୋଗାଇବାକୁ ନିବେଦନ କରିଥିଲେ ।ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ରିଚାର୍ଡ ଗୋଲଡବର୍ଗ ଜାତୀୟ ସୁରକ୍ଷା ପରିଷଦରେ କାର୍ଯ୍ୟ କରୁଥିଲେ । ସେ ୱାଲ୍ଟଜଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ସେବା ସଦସ୍ୟ ତଥା କ୍ୟାପିଟାଲ ହିଲରେ ଅଭିଜ୍ଞତା ଥିବା ହେତୁ ୱାଲ୍ଟଜ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ବହନ କରିବେ ।
ଚାଉଳ ପ୍ରସଂଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଅଜବ ଯୁକ୍ତି, ଚାଉଳ ଲୋକେ ଖାଆନ୍ତିନି
ଭୁବନେଶ୍ବର: ଭୋକିଲା ମଣିଷଙ୍କୁ ନେଇ ଉପହାସ। ଅଶୋଭନୀୟ ମନ୍ତବ୍ଯ ଦେଇଛନ୍ତି ଖୋଦ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ରାସନ ଚାଉଳ ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ରଙ୍କ ଅଜବ ଯୁକ୍ତି । ସେ କହିଛନ୍ତି- ଲୋକେ ଚାଉଳ ଖାଆନ୍ତିନି। ରାସନ୍ ଲୋକେ ଖାଉନାହାନ୍ତି। ଏନେଇ ଅନୁସନ୍ଧାନ କର । ଆମ୍ବ ଟାକୁଆ ସେମାନଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି ଜୟ ନାରାୟଣ। ସେ କହିଛନ୍ତି ଯେଉଁମାନେ କହୁଛନ୍ତି ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି ତାହା ବେକାର କଥା। ଆଦିବାସୀମାନେ ଆମ୍ବ ଟାକୁଆ ଖାଆନ୍ତି । ଯିଏ କିଛି କାମ କରିବେନି, ଶୋଇକି ରହିବେ ତାଙ୍କୁ କିଏ ଖାଇବାକୁ ଦେବ ବୋଲି କହିଛନ୍ତି ଜୟନାରାୟଣ। ମାଗଣା ଚାଉଳ ଲୋକେ କଣ କରୁଛନ୍ତି ଅନୁସନ୍ଧାନ କରିବକୁ ଜୟନାରାୟଣ କହିଛନ୍ତି।
ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ଯୁ ଘଟିଥିବାବେଳେ ସରକାରୀ ଦଳର ବିଧାୟକଙ୍କ ଅଜବ ଯୁକ୍ତି ରାଜ୍ଯରେ ଅସନ୍ତୋଷ ସୃଷ୍ଟି କରିଛି। ସେପଟେ ଏ ନେଇ ଜୟ ନାରାୟଣ ମିଶ୍ରଙ୍କୁ ବରିଷ୍ଠ ନେତା ବିଜୟ ମହାପାତ୍ର ଦେଇଛନ୍ତି କଡା ଜବାବ । ଲୋକେ ଯଦି ରାସନ ଖାଆନ୍ତିନି ତେବେ ସରକାର କାହିଁକି ବର୍ଷ ବର୍ଷ ଧରି ରାସନ ଦେଉଛନ୍ତି ? ଲୋକେ ରାସନ ଯଦି ଖାଉନାହାଁନ୍ତି ତେବେ ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦିଅନ୍ତୁ ରାଜ୍ଯ ସରକାର । ବିଜେପି ଏବେ ସରକାରରେ ଅଛି, ସେମାନେ ରାସନ ବନ୍ଦ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେହିପରି ଜୟନାରାୟଣଙ୍କୁ ଟାର୍ଗେଟ କରିଛି ବିଜେଡି । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ଥିବା ନେତାମାନେ ଏଭଳି ମନ୍ତବ୍ୟ ଦେବା ଠିକ ନୁହେଁ । ଅରୁଚିକର ମନ୍ତବ୍ୟ ଦେବାରୁ ବିଜେପି ନେତା ଓ ବିଧାୟକ କ୍ଷାନ୍ତ ରୁହନ୍ତୁ । ଗରିବ ଲୋକଙ୍କ ପ୍ରତି ତାଙ୍କ ଦାୟିତ୍ୱ କଣ ବୁଝି ବିଚାରି ମନ୍ତବ୍ୟ ରଖନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।
ବର୍ଷା ଭାଙ୍ଗିଥିଲା ଘର,ଆତଙ୍କବାଦୀ ଛଡ଼ାଇନେଲେ ପୁଅ
ନନ୍ଦିଘୋଷ ବ୍ୟୁରୋ: ବର୍ଷା ମୋ ଘର ଭାଙ୍ଗିଥିଲା ଆଜି ଆତଙ୍କବାଦୀ ମୋ ପୁଅକୁ ଛଡାଇନେଲା ..ଏଭଳି କିଛି କହି ନିଜ ସହୀଦ ପୁଅକୁ ଝୁରୁଛନ୍ତି ୯୦ବର୍ଷୀୟ ମାଆ । ଆଜ୍ଞା ହଁ ଏହି ଘଟଣାଟି ହିମାଚଳ ପ୍ରଦେଶର । ସହୀଦ ନାଏବ ସୁବେଦାର ରାକେଶ କୁମାରଙ୍କୁ ଝୁରୁଛନ୍ତି ପରିବାରବର୍ଗ । ପୁଅକୁ ମନେ ପକାଇ ଆଖିରୁ ଲୁହ ଝରାଉଛି ମାଆ । ବୁଢୀ ବୟସରେ କାହିଁକି ଏଭଳି ହେଲା ବୋଲି ଭଗବାନଙ୍କୁ ପ୍ରଶ୍ନ କରୁଛି । ବୁ୍ଢୀ ମାଆର ଏଭଳି ଅବସ୍ଥା ଦେଖିଲେ ଆପଣ ମଧ୍ୟ କହିବେ ଭଗବାନ କାହିଁକି ତୁମେ ଏତେ ନିଷ୍ଠୁର ..
୨୦୨୩ରେ ହିମାଚଳ ପ୍ରଦେଶରେ ହେଇଥିବା ବାଦଲଫଟା ବର୍ଷା କାରଣରୁ ପ୍ରାୟ ୧୨ହଜାରରୁ ଅଧିକ ବାସଗୃହ କ୍ଷତିଗରସ୍ତ ହୋଇଥିଲା । ସେହି ଘରମାନଙ୍କ ମଧ୍ୟରୁ ସହୀଦ ନାଏବ ସୁବେଦାର ରାକେଶ କୁମାରଙ୍କର ମଧ୍ୟ ଗୋଟିଏ ଘର ଥିଲା । ବର୍ଷା ବିର୍ପାତ ଯୋଗୁ ତାଙ୍କ ଘରଟି ମଧ୍ୟ ଭାଙ୍ଗି ଯାଇଥିଲା । ବୁଢୀ ମାକୁ କଥା ଦେଇ ଡ୍ୟୁଟିକୁ ଫେରିଥିଲେ ରାକେଶ । ନୂଆବର୍ଷରେ ନୂଆଘର ନିର୍ମାଣ କରିବେ । ହେଲେ ସେ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଫେରିବାକୁ କଥା ଦେଇ ଫେରିନଥିଲେ ରାକେଶ । ଜମ୍ମୁକାଶ୍ମୀର କିସ୍ତଓ୍ବାଡରେ ଆତଙ୍କୀଙ୍କ ସହ ଗୁଳି ବିନିମୟ ବେଳେ ରାକେଶ ସହୀଦ ହୋଇଥିଲେ ।
ସୂଚନା ଅନୁଯାୟୀ ସହୀଦ ରାକେଶ କୁମାର ଏବଂ ତାଙ୍କ ଭାଇଙ୍କର ବର୍ଷାରେ ୧୦ବଖରା ବିଶିଷ୍ଟ ଘର ଧୋଇଯାଇଥିଲା । ସେହିସମୟରୁ ସମସ୍ତେ ଭଡାଘରେ ରହୁଥିଲେ ଏବଂ ପୁରୁଣା ଘରେ କେବଳ ବଡଭାଇ ରହୁଥିଲେ । ସହୀଦ ରାକେଶଙ୍କ ବଡଭାଇଙ୍କ କହିବାନୁଯାୟୀ ଦେଢ ମାସ ପୂର୍ବରୁ ରାକେଶ ଛୁଟିରେ ଆସିଥିବା ବେଳେ ଡିସେମ୍ବରରେ ପୁଣି ଆସି ଜାନୁୟାରୀରେ ନୂଆ ଘର ଆରମ୍ଭ କରିବାକୁ ଯୋଜନା ରଖିଥିଲେ । ହେଲେ ଏବେ ତାଙ୍କର ଘର କରିବାର ସ୍ବପ୍ନ ତାଙ୍କ ସହିତ ହିଁ ଚାଲିଗଲା ।ସହୀଦ ରାକେଶ କୁମାର ନିଜ ୯୦ବର୍ଷୀୟ ମାଆ, ସ୍ତ୍ରୀ ଏବଂ ଦୁଇ ପୁଅଝିଅଙ୍କୁ ଦୁଃଖର ସାଗରରେ ଭସାଇ ଛାଡି ଚାଲିଯାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ସ୍ତ୍ରୀ ନିସ୍ତେଜ ହେଇଯାଇଛନ୍ତି । ସେ କିଛି ବୁଝିବା ଅବସ୍ଥାରେ ନାହାନ୍ତି । ଏପରି ଅବସ୍ଥାରେ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି ।
ଗତକାଲି ସହୀଦ ରାକେଶ କୁମାରଙ୍କ ମରଶରୀର ହେଲିକପ୍ଟର ଯୋଗେ ହିମାଚଳର ମଣ୍ଡିରେ ପହଞ୍ଚିବା ପରେ ଶୋକର ବାତାବରଣ ଖେଳିଯାଇଥିଲା । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ରାକେଶ ୨୮ଜାନୁୟାରୀ ୧୯୮୨ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୨୩ବର୍ଷ ବୟସରେ ଭାରତୀୟ ସେନାରେ ପାରା କମାଣ୍ଡୋ ଭାବରେ ଯୋଗ ଦେଇଥିଲେ ।ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସହୀଦଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା ସହିଦ ରାକେଶଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ବଳିଦାନ ଦେଶ ମନେରଖିବ ବୋଲି କହିଛନ୍ତି । ରାକେଶ ଅନେକ ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ଯୋଗନିଦ୍ରାରୁ ଆଜିଠାରୁ ଉଠିବେ ଭଗବାନ ବିଷ୍ଣୁ, ଏହି ୪ ରାଶିର ଖୋଲିବ ଭାଗ୍ୟ
ନନ୍ଦିଘୋଷ ବ୍ୟୁରୋ: ଆଜି ଦେବଉତ୍ଥାନ ଏକାଦଶୀ । ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିବେ ଏବଂ ଏହି ଦିନ ଚର୍ତୁମାସର ସମାପନ ହେବ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଦେବଉତ୍ଥାନ ଏକାଦଶୀର ଅନେକ ସ୍ୱତନ୍ତ୍ରତା ରହିଥାଏ । ଏହିଦିନ ଭଗବାନ ବିଷ୍ଣୁ ୪ମାସ ପରେ ଯୋଗନିଦ୍ରାରୁ ଉଠିଥାଆନ୍ତି । ଯେତେବେଳେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିବେ ଏହି ୪ଟି ରାଶିର ବଦଳିବ ଭାଗ୍ୟ ।ଏହି ୪ଟି ରାଶି ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ପ୍ରିୟ ରାଶି । ଆଜି ଏକାଦଶୀ ପରେ ଚମକିବ ଏହି ୪ଟି ରାଶୀଙ୍କ ଭାଗ୍ୟ । ହିନ୍ଦୁ ଧର୍ମ ଅନୁସାରେ ଏହି ଏକାଦଶୀର ଅନେକ ମାହାତ୍ମ୍ୟ ଥାଏ । ଦେବଉତ୍ଥାନ ଏକାଦଶୀରେ ଯୋଗନିଦ୍ରାରୁ ଉଠିବା ପରେ ଏହି ରାଶିର ଜାତକ ମାନଙ୍କର ଭାଗ୍ୟ ଚମକିଥାଏ ।
ବୃଷ: ବୃଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଅଶେଷ କୃପା ରହିଥାଏ । ଆଜିଠାରୁ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଖୋଲିଥାଏ । ଶୁଭ ଦିନ ଆରମ୍ଭ ହୋଇଥାଏ । ଏହି ରାଶିର ବ୍ୟକ୍ତିମାନେ ଯେଉଁ କାମରେ ହାତ ଦେବେ ସଫଳତା ପାଇବେ । ଏମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ନିରନ୍ତର ବନି ରହିଥାଏ । ସମସ୍ତ ବାଧା ବିଘ୍ନ ଦୂର ହେବ । କଷ୍ଟ ଦୂର ହେବ ।
କର୍କଟ: ଭଗବାନ ବିଷ୍ଣୁଙ୍କ ଦୟା କର୍କଟ ରାଶି ଉପରେ ମଧ୍ୟ ରହିଛି । ଏହି ରାଶିର ବ୍ୟକ୍ତିମାନେ ଖୁବ ଉନ୍ନତି କରିବେ । ଦେବଉତ୍ଥାନ ଏକାଦଶୀ ପରେ ଏମାନଙ୍କୁ ସବୁ କାମରେ ଭାଗ୍ୟ ସାଥ୍ ଦେବ ଏବଂ ସବୁ କାମରେ ସଫଳତା ମିଳିବ । ଆପଣ ଶରୀର ଏବଂ ମନରେ ଖୁସି ଏବଂ ଆନନ୍ଦିତ ହେବେ । ସୁଖଦ ଏବଂ ଆଶ୍ଚର୍ଯ୍ୟଜନକ ଜିନିଷ ଆପଣଙ୍କ ଜୀବନରେ ଘଟିପାରେ। ଆନ୍ତରିକ ହୃଦୟରେ ତୁମର କଠିନ ପରିଶ୍ରମ ଫଳ ଦେବ। ନୂତନ କାରବାର ଲାଭଦାୟକ ହେବ।
ସିଂହ: ସିଂହ ରାଶିର ବ୍ୟକ୍ତିମାନେ ଭଗବାନ ବିଷ୍ଣୁଙ୍କ କୃପା ଏବଂ ନିଜର ପରିଶ୍ରମ ବଳ ଯୋଗୁ ସବୁ କାମରେ ସଫଳତା ପାଇଥାଆନ୍ତି । ଏବଂ ସମାଜରେ ଏମାନେ ଗୌରାବନ୍ବିତ ହେବେ । ଏହି ଏକାଦଶୀ ପରେ ଆର୍ଥିକ ସଙ୍କଟ ଦୂର ହେବ । ସବୁ ସମସ୍ୟାର ସମାଧାନ ବାହାରିବ । ବହୁ ସମୟରୁ ଅଟକିଥିବା କାର୍ଯ୍ୟରେ ସଫଳତା ମିଳିବ । ଅନେକ କ୍ଷେତ୍ରରେ ଭାଗ୍ୟର ସମର୍ଥନ ପାଇବେ। ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା ଜାରି ରଖନ୍ତୁ। ଆପଣ ରୋଜଗାରର ନୂତନ ଉତ୍ସ ପାଇବେ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଅଧିକ ଶକ୍ତିଶାଳୀ ହେବ।
ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କୁ ବେପାର ବାଣିଜ୍ୟରେ ପ୍ରଚୁର ଲାଭ ମିଳିବ । ଶ୍ରୀହରିଙ୍କ କୃପାରୁ ସବୁ କଷ୍ଟ ଲାଘବ ହେବ । ଧନ ସମେତ ପାଇବେ ମାନ-ସମ୍ମାନ । ବ୍ୟବସାୟରେ ନୂତନ ଚୁକ୍ତିନାମା ହୋଇପାରେ। ସଫଳତା ପାଇଁ ପ୍ରତ୍ୟେକ ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବେ। ଯେକୌଣସି କାର୍ଯ୍ୟ ଯାଥାଶୀଘ୍ର ସମାପ୍ତ ହେବ। ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ବ୍ୟବସାୟ ସଂପର୍କରେ ଭଲ ଫଳାଫଳ ପାଇବେ। ତୁମର କିଛି ଆୟ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ।
ଉତ୍ତରାଖଣ୍ଡ ଡେରାଡୁନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଜଣଙ୍କର ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ଡେରାଡୁନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଛକୁ ଧକ୍କା ଦେଲା ଦ୍ରୁତଗାମୀ ଇନୋଭା କାର । ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ । ଦୁର୍ଘଟଣାରେ ତିନି ଯୁବକଙ୍କ ସମେତ ତିନି ଯୁବତୀଙ୍କର ମୃତ୍ୟୁ ହେଇଛି । ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟାନକ ଥିଲା ଯେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇନୋଭା କାରର ଉପରିଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାସହିତ ଜଣେ ଝିଅର ମୁଣ୍ଡ ଗଣ୍ଡିଠାରୁ ଅଲଗା ହୋଇଯାଇଛି ।
ସୂଚନା ଅନୁଯାୟୀ ଏହି ଦୁର୍ଘଟଣାଟି ସୋମବାର ବିଳମ୍ଵିତ ରାତି ପ୍ରାୟ ୨ଟା ସମୟରେ ଉତ୍ତରପ୍ରଦେଶର ଡେରାଡୁନ ସହର ONGC ଛକ ନିକଟରେ ହୋଇଥିଲା । ଏକ ଦ୍ରୁତଗାମୀ ଇନୋଭା କାର ଏକ ଗଛକୁ ଧକ୍କା ଦେଇଥିଲା । । ଏହି ଇନୋଭା କାରରେ ୭ଜଣ ଯୁବକ ଏବଂ ୭ଜଣ ଯୁବତୀ ବୁଲିବାକୁ ବାହାରିଥିବା ବେଳେ ଦୁର୍ଘଟଣାର ଶିକାର ହେଇଛନ୍ତି । କାରଟି ଏକ ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି । ତେବେ ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଥିବା ବେଳେ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ୍ୟୁବରଣ କରିଥିବା ସମସ୍ତଙ୍କ ବୟସ ୨୫ବର୍ଷରୁ କମ୍ ହେବ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ କିଛି ଡେରାଡୁନର ହୋଇଥିବା ବେଳେ ଅନ୍ୟ କିଛି ହିମାଚଳରୁ ଆସିଥିଲେ ।
ଟ୍ରେଡିଂ ସାଜିଲା କାଳ, ଋଣ ବୋଝ ସହିନପାରି ଆତ୍ମହତ୍ୟା କଲେ ଯୁବକ
ଝାରସୁଗୁଡା: ଟ୍ରେଡିଂ ସାଜିଲା କାଳ । ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ ହେଲେ ଏଇ ଖେଳ ନେଇଗଲା ତାଙ୍କ ଜୀବନ । ଆଜ୍ଞା ହଁ ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବୟସ ୩୧। ଘର କେନ୍ଦ୍ରାପଡା ଓରାଡି ଲଙ୍କାପଡ଼ାରେ। ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟା ପୂର୍ବରୁ ବାପା ଓ ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଆକୁଳ ଚିଠି ।
କଲର ଟ୍ରେଡିଂ ଗାମ୍ବଲିଂ ଆପ୍ରେ ସବୁ ପଇସା ହରାଇ ବସିଲି। ୨୦-୨୫ ଲକ୍ଷ ଟଙ୍କାର ଋଣ ବି କରି ଦେଇଥିଲି। ଏଥିରୁ ବର୍ତ୍ତିବା ପାଇଁ ପ୍ରୟାସ କରି ସଫଳ ହୋଇ ପାରିଲିନି। ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହାସ ନାହିଁ ନା ଭରସା । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ ମୋ ପାଇଁ। ଯେଉଁଥି ପାଇଁ ମୁଁ ସହି ପାରି ନଥାନ୍ତି। ସବୁତକ ପର୍ସନାଲ୍ ଲୋନ୍ । ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ, ମୋ ଭୁଲ ପାଇଁ ମୁଁ ଦାୟୀ।
ଏହା ଥିଲା ବାପା ମାଙ୍କ ଉଦ୍ଦେଶ୍ଯରେ ଅଚ୍ୟୁତାନନ୍ଦ ସାହୁଙ୍କ ଶେଷ ମେସେଜ। ରବିବାର ହୋଟେଲରେ ଡ୍ୟୁଟି ସାରି ଫେରିନଥିଲେ ଅଚ୍ୟୁତାନନ୍ଦ। ଅନଲାଇନ ଗେମ ଖେଳି ହାରିଯିବା ପରେ ସେ ଝାରସୁଗୁଡା ରେଳ ଷ୍ଟେସନରେ ରେଳ ଲାଇନରେ ଆତ୍ମହତ୍ଯା କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅଳ୍ପ ଦୂରରେ ଟ୍ରେନରେ କଟି ଆତ୍ମ ହତ୍ୟା କରିଥିଲେ ଅଚ୍ୟୁତାନନ୍ଦ। ଗତକାଲି ଅଚ୍ୟୁତାନନ୍ଦଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା, ଭକ୍ତ ଆହତ
ପୁରୀ: ପଞ୍ଚୁକ ପାଳନ ବେଳେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଠେଲାପେଲା। ପତିତପାବନ ବ୍ୟାରିକେଡ୍ରେ ହୋଇଛି ଠେଲାପେଲା। ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ଓ ପୋଲିସ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ମହାପ୍ରଭୁ ଲଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିବାବେଳେ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା।

ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବା ବ୍ୟାରିକେଡ଼ରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଛିଡା ହୋଇଥିବାବେଳେ ସିଂହଦ୍ୱାର ଦେଇ ଅନେକ ଭକ୍ତ ଧସେଇ ପଶିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବାରୁ ସେଠାରେ ଠେଲାପେଲା ହୋଇଥିଲା।
‘‘ ଆମର ଅବସ୍ଥା ବିବାହରେ ବାଜା ବଜେଇବା ଭଳି ’’ କାହିଁକି ଏମିତି କହିଲେ ଓଓ୍ବେସୀ ..
ନନ୍ଦିଘୋଷ ବ୍ୟୁରୋ: ପୁଣି ଗର୍ଜିଲେ ଓଓ୍ବେସୀ । କଂଗ୍ରେସ ଏବଂ ବିଜେପିକୁ କଲେ କଡା ସମାଲୋଚନା । ମୁସଲମାନ ସମ୍ପ୍ରଦାୟଙ୍କ ଅଧିକାର ପାଇଁ ସଦାସର୍ବଦା ତାଙ୍କ ଲଢେଇ ଜାରି ରହିବ ବୋଲି ଦେଲେ ଚେତାବନୀ । ମୁମ୍ବାଇର ଜୋଗେଶ୍ୱରୀର ବେହେରାମ ବାଗ ଅଞ୍ଚଳର ଭର୍ସୋଭା ବିଧାନସଭା ଆସନରୁ ଏଆଇଏମ୍ଆଇଏମ୍ ପ୍ରାର୍ଥୀ ରାଏସ୍ ଲଶ୍କାରିଆଙ୍କ ସମର୍ଥନରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଅସଦୁଦ୍ଦିନ ଓଓ୍ବେସୀ ମୁସଲମାନ ସମାଜ ପାଇଁ ନିରପେକ୍ଷ ନେତୃତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ମୁସଲମାନ ସମ୍ପ୍ରଦାୟର ସ୍ୱର ଏବଂ ପରିଚୟ ପାଇଁ ଏକ ନେତୃତ୍ୱ ଆବଶ୍ୟକ, ଯାହା ସେମାନଙ୍କର ଅଧିକାରର ସ୍ୱର ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବ ।
ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ଏବଂ ଚିନ୍ତାଧାରା ସମ୍ପର୍କରେ ଓଓ୍ବେସୀ ଉଲ୍ଲେଖ କରି କହିଛନ୍ତି ଯେ ସେ ସ୍ୱାଧୀନତା ସଂଗ୍ରାମରେ ମୁସଲମାନ ସମ୍ପ୍ରଦାୟର ଅଧିକାର ପାଇଁ ଆଜାଦ ଲଢିଥିଲେ । ଆଜାଦ ଦେଶର ବିଭାଜନକୁ ବିରୋଧ କରୁଥିବାବେଳେ ଭାରତୀୟ ମୁସଲମାନମାନଙ୍କ ପାଇଁ ନେତୃତ୍ୱ ବିଷୟରେ କହିଥିଲେ, କିନ୍ତୁ କଂଗ୍ରେସ ତାଙ୍କ ମତକୁ ସମର୍ଥନ କରିନଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ମୌଲାନା ଆଜାଦଙ୍କ ବିରୋଧରେ ଅନ୍ୟ ମୁସଲମାନ ନେତାମାନଙ୍କୁ ଛିଡା କରିଥିଲା, ଯେଉଁ କାରଣରୁ ମୁସଲମାନ ନେତୃତ୍ୱ ଦୁର୍ବଳ ହୋଇପଡିଥିଲା।
ମହାରାଷ୍ଟ୍ରରେ ଧର୍ମନିରପେକ୍ଷ ସରକାର ଆଣିବାକୁ ଆବେଦନ
ଓଓ୍ବେସୀ କହିଛନ୍ତି ଯେ ମହାରାଷ୍ଟ୍ରରେ AIMIM ଏକ ଧର୍ମନିରପେକ୍ଷ ସରକାରକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ସିନ୍ଦେ କିମ୍ବା ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ, ଜଣେ ଧର୍ମନିରପେକ୍ଷ ବ୍ୟକ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । ଉଭୟ ବିଜେପି ଏବଂ କଂଗ୍ରେସ ଉପରେ ଅଭିଯୋଗ କରି ସେ କହିଛନ୍ତି ଯେ ଏହି ଦଳମାନେ ମୁସଲମାନ ସମ୍ପ୍ରଦାୟର ସ୍ୱରକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି। ଓଓ୍ବେସୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ବିଜେପିକୁ କଡା ସମାଲୋଚନା କରି କହିଛନ୍ତି ଯେ ଫଡନାଭିସ୍ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମୁଁ ସବୁବେଳେ ସମ୍ପ୍ରଦାୟର ସ୍ୱରକୁ ଉତ୍ତୋଳନ କରିବି । ସେ ଫଡନାଭିସ୍ଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ସେ ଭୟ କରନ୍ତି ନାହିଁ, ପୂର୍ଣ୍ଣ ଶକ୍ତି ସହିତ ଲଢିବେ ଏବଂ ଜିତିବେ |
ୱାକଫ ସମ୍ପତ୍ତି ଏବଂ UAPA ନିୟମ ଉପରେ ପ୍ରଶ୍ନ
ଓଓ୍ବେସୀ ମୋଦୀ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୱାକଫ ସମ୍ପତ୍ତି ଏବଂ UAPA ଆଇନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୱାକଫ ସମ୍ପତ୍ତି ନିୟନ୍ତ୍ରଣ ପାଇଁ ଅଣାଯାଇଥିବା ବିଲ ଯୋଗୁଁ ମୁସଲମାନ ସମ୍ପ୍ରଦାୟର ମସଜିଦ, ଦରଘା ଏବଂ ଶ୍ମଶାନ ବିପଦରେ ରହିଛି। ଓଓ୍ବେସୀସି କହିଛନ୍ତି ଯେ ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ସମ୍ପ୍ରଦାୟର ଧାର୍ମିକ ସମ୍ପତ୍ତି ଉପରେ କବଜା କରିବା ସହଜ ହୋଇଯିବ । ଏହା ସହିତ ସେ UAPA ନିୟମ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ସେ ମୁସଲମାନ ଯୁବକମାନଙ୍କ ଉପରେ ଅତ୍ୟାଚାରର ସାଧନ ବୋଲି କହିଥିଲେ |
ମୁସଲମାନଙ୍କ ନେତୃତ୍ୱ ଉପରେ ଗୁରୁତ୍ୱ
ଓଓ୍ବେସୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଭାରତୀୟ ମୁସଲମାନ ସମ୍ପ୍ରଦାୟର ସ୍ୱର ଉତ୍ତୋଳନ କରିବା ପାଇଁ ଏକ ନିରପେକ୍ଷ ନେତୃତ୍ୱ ରହିବା ଉଚିତ। ଟ୍ରିପଲ ତଲାକ, ୱାକଫ ବୋର୍ଡ ଏବଂ ୟୁଏପି ଭଳି ପ୍ରସଙ୍ଗରେ ମୁସଲିମ ସମାଜ ପ୍ରତି ସରକାର ଗ୍ରହଣ କରିଥିବା ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ଏହି ସଂଗ୍ରାମରେ AIMIM ପଛକୁ ଯିବ ନାହିଁ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ତାଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଥିଲା, କିନ୍ତୁ ଏହା ତାଙ୍କ ସ୍ୱରକୁ ଦମନ କରିପାରିବ ନାହିଁ ।
୯୦ଦଶକର ସାମ୍ପ୍ରଦାୟିକ ହିଂସା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଆଜି ମୁମ୍ବାଇର ଯୁବକମାନେ ସେହି ସମୟର ଘଟଣା ବିଷୟରେ ଜାଣନ୍ତି ନାହିଁ। ତେଣୁ ପୂର୍ବ ଇତିହାସକୁ ବୁଝିବା ଏବଂ ସେମାନଙ୍କର ରାଜନୈତିକ ଶକ୍ତିକୁ ଚିହ୍ନିବା ପାଇଁ ସେ ଯୁବକମାନଙ୍କୁ ଆହ୍ବାନ କରିଛନ୍ତି । ଏହା ସହିତ ଓଓ୍ବେସି କହିଛନ୍ତି ତଶଙ୍କୁ ସବମିଶନ ନୁହେଁ ଏଜେନ୍ସି ଦରକାର । ଯଦ୍ବାରା ତାଙ୍କ ସ୍ବରକୁ ଦମନ କରାଯାଇ ପାରିବ ନାହିଁ ।

