ଭୁବନେଶ୍ବର : ଆରଆଇ, ଅମିନ ପରୀକ୍ଷାରେ ବିଭ୍ରାଟ ପରେ ସରକାରଙ୍କ ଚେତା ପଶିଲା । ପରୀକ୍ଷା ଆଇନରେ ସଂଶୋଧନ ଆଣି ଏହାକୁ ସ୍ବଚ୍ଛ କରିବାକୁ ଉଦ୍ଯମ କରିଛନ୍ତି ରାଜ୍ଯ ସରକାର । ସେଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛି । ଏହାସହ ଏହାସହ ଆଉ ୭ ପ୍ରସ୍ତାବ ଉପରେ କ୍ଯାବିନେଟ ମୋହର ମାରିଛି । ସାର୍ବଜନୀନ ପରୀକ୍ଷାରେ ଅଖଣ୍ଡତା ବଜାୟ ରଖିବା ଲାଗି ସରକାର ଏଣିକି କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ଦଣ୍ଡ ବିଧାନ ରହିବ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀଙ୍କୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଏହି ନିୟମ ଓଡ଼ିଶା ଲୋକସେବା ଆୟୋଗ-ଓପିଏସସି, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ-ଓଏସଏସଏସସି, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ- ଓଏସଏସସି, ସେବା ଚୟନ ବୋର୍ଡ, ଓଡ଼ିଶା ପୋଲିସ ଚୟନ ବୋର୍ଡ ସହ ଅନ୍ଯାନ୍ଯ ସରକାରୀ ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାରେ ଏହି ଆଇନ ଲାଗୁ ହେବ ।
ଅସଜଡ଼ା ଭିତ୍ତିଭୂମି ଭିତରେ ନାକ୍ ମାନ୍ୟତା ଖୋଜୁଛି ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ବର : ବାରିପଦା ସରକାରୀ ମହିଳା କଲେଜରେ ରହିଛି ଜମି ସମସ୍ୟା । ଲାଇବ୍ରେରିଆନ ନାହାଁନ୍ତି, ୨୦୦୦ ଛାତ୍ରୀଙ୍କୁ ଜଣେ ମାତ୍ର କ୍ଲରିକାଲ ଷ୍ଟାଫରେ ଚାଲିଛି କଲେଜ । ସେହିପରି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଅଫିସ ଷ୍ଟାଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଧ୍ୟକ୍ଷ । କର୍ମଚାରୀ ପୂରଣ ପାଇଁ ସରକାର ଧ୍ୟାନ ଦେବାକୁ କହିଛନ୍ତି । ବାରମ୍ବାର ଅବଗତ କରିବା ସତ୍ତ୍ୱେ ମଧ୍ୟ କଲେଜ ଗୁଡିକର ସର୍ବନିମ୍ନ ଆଵଶ୍ୟକତା ଗୁଡିକ ପୂରଣ ହେଉ ନାହିଁ । ଏହା କେବଳ ଦୁଇଟି କଲେଜକ କଥା ନୁହେଁ, ସାରା ରାଜ୍ୟର ସରକାରୀ କଲେଜର ସ୍ଥିତି ଏବେ ଏମିତି । ଏଭଳି ସ୍ଥିତ ଭିତରେ ଉଚ୍ଚଶିକ୍ଷା ବିଭାଗ ଶିଖାଉଛି ନାକ ମାନ୍ୟତାରେ ଉପରକୁ ଉଠିବାର କୌଶଳ । ନାକ ମାନ୍ୟତା ପାଇଁ ଆୟୋଜିତ ହୋଇଥିବା କର୍ମଶାଳାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ତାଲିମ ଦିଆଯାଇଛି । ଅସଜଡ଼ା ଭିତ୍ତିଭୂମି ଭିତରେ କିପରି ନାକ ମାନ୍ୟତା ମିଳିବ, ପ୍ରଶ୍ନ ଉଠାଇଛନ୍ତି କଲେଜ ଅଧ୍ୟକ୍ଷ ।
ଦୁର୍ବଳ ସ୍ଥିତିରେ ଗତି କରୁଛି ରାଜ୍ୟ ଉଚ୍ଚଶିକ୍ଷା ବ୍ୟବସ୍ଥା । ନାକ ମାନ୍ୟତା କ୍ଷେତ୍ରରେ ଅନ୍ୟ ରାଜ୍ୟ ବହୁତ ଆଗେଇ ରହୁଥିବା ବେଳେ ବହୁ ପଛରେ ପଡ଼ିଛି ଓଡ଼ିଶା । ରାଜ୍ୟରେ ମାତ୍ର ୧୦ ରୁ ୧୨ ପ୍ରତିଶତ କଲେଜ ଆକ୍ରେଡିସନ ପରିସରଭୁକ୍ତ ହୋଇଛନ୍ତି । ସରକାରୀ କଲେଜ ଅଧ୍ୟକ୍ଷ ମାନଙ୍କୁ ନାକ ମାନ୍ୟତା କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ସୋଲକୁ ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ବିଶେଷଜ୍ଞମାନେ କଲେଜଗୁଡିକର ମାନ୍ୟତା ଓ ଭଲ ଗ୍ରେଡ୍ ପାଇଁ ଶିକ୍ଷାଦେଉଛନ୍ତି । ଅଧିକ କଲେଜକୁ କିଭଳି ମାନ୍ୟତା ପରିସରକୁ ଅଣାଯିବ ସେଥିପାଇଁ ଏକ କମିଟି ହୋଇଥିଲା । କମିଟି ରିପୋର୍ଟ ଆଧାରରେ ୩୪ଟି କଲେଜ ନାକ ମାନ୍ୟତା ପାଇବା ପାଇଁ ଟାୟାର ୱାନରେ ରହୁଛନ୍ତି । ତେଣୁ ସେମାନଙ୍କୁ ଆହୁରି ଅଧିକ ସମୃଦ୍ଧ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି। …
ଅସଜଡ଼ା, ଦୁର୍ବଳ ଭିତ୍ତିଭୂମି ଭିତରେ ଖୋଜୁଛନ୍ତି ନାକ ମାନ୍ୟତା । ସେପଟେ ଦୟନୀୟ ସ୍ଥିତିରେ ଗତିକରୁଛି ରାଜ୍ୟର କଲେଜ । ତାଲିମ ନୁହେଁ ନାକ ମାନ୍ୟତାରେ ଉପରକୁ ଉଠିବା ପାଇଁ ସହଯୋଗ ଲୋଡ଼ିଛନ୍ତି ସରକାରୀ କଲେଜ ଅଧ୍ୟକ୍ଷ ଅଧ୍ୟକ୍ଷା ।
ଦରଦାମ ବୃଦ୍ଧିରେ ଖାଉଟି କଲବଲ, ସହର ଅପେକ୍ଷା ଗାଁ ଲୋକଙ୍କୁ ବାଧୁଛି ବେଶୀ
ଭୁବନେଶ୍ବର : ଆଳୁ, ପିଆଜ, ଅଟା, ଡାଲି ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଅର୍ଥନୀତି ଉପରେ ପକାଇଛି ପ୍ରଭାବ । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଦରବୃଦ୍ଧି ସ୍ଥିତି ସଙ୍କଟଜନକ । ଏହାର ପ୍ରଭାବ ମୁଦ୍ରାସ୍ଫୀତିରେ ବି ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଅକ୍ଟୋବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ରିପୋର୍ଟରେ ଓଡ଼ିଶାର ଚିତ୍ର ଦୟନୀୟ। ସାରା ଦେଶରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଭାବେ ମୁଦ୍ରାସ୍ଫୀତିରେ ବୃଦ୍ଧି ଚିନ୍ତାଜନକ। ସେପ୍ଟେମ୍ବରରେ ଓଡ଼ିଶାର ମୁଦ୍ରାସ୍ଫୀତି ୬.୫୬ ଥିବା ବେଳେ ଅକ୍ଟୋବରରେ ଏହା ୭.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାମୀଣ ମୁଦ୍ରାସ୍ଫୀତି ୭.୦୩ରୁ ୮.୨୩ ପ୍ରତିଶତକୁ ବୃଦ୍ଧି ପାଇଛି । ଖାଦ୍ୟ ଦ୍ରବ୍ୟର ଅହେତୁକ ଦର ବୃଦ୍ଧି ଏହାର ପ୍ରମୁଖ କାରଣ। ଗ୍ରାମାଞ୍ଚଳରେ ଲୋକଙ୍କ ରୋଜଗାର କମିଥିବାରୁ କ୍ରୟଶକ୍ତି ବି କମିଛି । ରାଜ୍ୟ ସରକାର ଏଥିପ୍ରତି ପ୍ରାଥମିକତା ଦେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି।
ଗାଁ ଗଣ୍ଡାରେ ଅସହ୍ୟ ହେଉଛି ଦରଦାମ ଯନ୍ତ୍ରଣା। ଅକ୍ଟୋବର ମାସରେ ଖାଦ୍ୟଶସ୍ୟ, ପନିପରିବା ସହ ବାସଗୃହ, ପୋଷାକ, ଜୋତାର ଦର ବି ବଢିଛି। ସହରାଞ୍ଚଳରେ ବେତନଧାରୀ ଲୋକେ ସ୍ଥିତି ସମ୍ଭାଳିଥିଲେ ବି ଗ୍ରାମାଞ୍ଚଳରେ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ୬କୁ ଧାର୍ଯ୍ୟ କରିଥିବା ବେଳେ ଏବେ ସାରା ଦେଶର ମୁଦ୍ରାସ୍ଫୀତି ୬.୨୧ପ୍ରତିଶତକୁ ବଢି ବେଲଗାମ ହୋଇପଡ଼ିଛି। ଓଡ଼ିଶାରେ ଖାଦ୍ୟ ଦ୍ରବ୍ୟ ଉତ୍ପାଦନ କମ୍ ଥିବାରୁ ସବୁ ଜିନିଷ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ନିଜର ଉତ୍ପାଦନ ବଢାଇବା ସାଙ୍ଗକୁ ଚାଷୀଙ୍କୁ ସବସିଡି ଦେବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହିତ ଦରଦାମ ନିୟନ୍ତ୍ରଣ ପାଇଁ ଠୋସ୍ ପଦକ୍ଷେପ ନେବାକୁ ପଡିବ। ନହେଲେ ଆଗକୁ ସ୍ଥିତି ଆହୁରି ସଙ୍କଟ ଭିତରକୁ ଠେଲି ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି।
ଅକ୍ଟୋବର ମାସରେ ଛତିଶଗଡ଼ର ଗ୍ରାମୀଣ ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ ୯.୭୦ପ୍ରତିଶତରେ ପହଞ୍ଚିଥିବା ବେଳେ ଓଡ଼ିଶା ୮.୨୩ ପ୍ରତିଶତ ସହ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ମୌଳିକ ସମସ୍ୟା ପ୍ରତି ରାଜ୍ୟ ସରକାର ନଜର ନ ଦେଇ କେବଳ ପ୍ରଚାର ପ୍ରସାରରେ ମାତିଥିବାରୁ ରାଜ୍ୟ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି।
ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି : ଆଗେଇ ପାରୁନି ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପ କାମ
ଭୁବନେଶ୍ବର : ଡବଲ ଇଂଜିନ ସରକାରରେ ଓଡ଼ିଶାକୁ ଡବଲ ଝଟକା। ଦୁଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଜଳସେଚନ ଡିଭିଜନର ପ୍ରସ୍ତାବିତ ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ନେଇ ବିବାଦ। ଏହି ପ୍ରକଳ୍ପ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର। ଦରକାର ହେଉଥିବା ସମସ୍ତ କାଗଜପତ୍ର କେନ୍ଦ୍ରୀୟ ଜଳ କମଶନଙ୍କୁ ପଠାଇଥିଲେ। କିନ୍ତୁ ଏ ସଂପର୍କିତ ଫାଇଲକୁ ଚାପି ରଖିଛନ୍ତି ଦୁଇ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ। ସେଥିପାଇଁ ପ୍ରକଳ୍ପ କଥା ଆଉ ଆଗେଇ ପାରିନାହିଁ। କେନ୍ଦ୍ରୀୟ ଜଳ କମିଶନଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସିଛି। ହେଲେ ଏହାକୁ ନେଇ ଡବଲ୍ ଇଂଜିନ ସରକାର ଚୁପ୍।
ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରରେ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ବିଶ୍ଵେଶ୍ଵର ଟୁଡୁ। ସେତେବେଳେ ସେ ମୟୂରଭଂଜର ସାଂସଦ ବି ଥିଲେ। ଅର୍ଥାତ୍ ଯେଉଁ ମୟୂରଭଂଜବାସୀ ତାଙ୍କୁ ନିଜର ପ୍ରତିନିଧି କରି ଦିଲ୍ଲୀ ଦରବାରକୁ ପଠାଇଥିଲେ, ସେହି ମଯୂରଭଂଜବାସୀଙ୍କୁ ପଟି ମାରିଦେଲେ ବିଶ୍ଵେଶ୍ଵର ଟୁଡୁ। ଖଡ଼ଖାଇ ପ୍ରକଳ୍ପକୁ ସାକାର କରିବାକୁ କିଛି କଲେନି। ଖଡ଼ଖାଇ ପ୍ରକଳ୍ପ ହୋଇଥିଲେ ମୟୂରଭଂଜ ରାଇରଙ୍ଗପୁର ଅଞ୍ଚଳର ପ୍ରାୟ ୫୪୦୦ ହେକ୍ଟର ଜମି ଜଳସେଚିତ ହୋଇପାରିଥାନ୍ତା। ଖଡ଼ଖାଇ ପାଇଁ ଖର୍ଚ୍ଚ ହୋଇଥାନ୍ତା ପ୍ରାୟ ୩୭୭ କୋଟି ଟଙ୍କା। ଏବେ ବି ଓଡ଼ିଶାର ୮ ଟି ମଧ୍ୟମ ଓ ବୃହତ ବହୁମୁଖି ଜଳସେଚନ ପ୍ରକଳ୍ପର ପ୍ରସ୍ତାବ କେନ୍ଦ୍ରୀୟ ଜଳ କମିଶନ ନିକଟରେ ପଡ଼ି ରହିଛି। ଯଦି ଏ ସବୁ ପ୍ରକଳ୍ପ ନିର୍ମାଣ ହୋଇପାରନ୍ତା, ରାଜ୍ୟର ୧ଲକ୍ଷ ୮ ହଜାର ୫୧ ହେକ୍ଟର ଜମିକୁ ପାଣି ମାଡ଼ନ୍ତା। ଖର୍ଚ୍ଚ ହୁଅନ୍ତା ୭ ହଜାର ୬୪୭ କୋଟି ଟଙ୍କା। ଲକ୍ଷ ଲକ୍ଷ ଚାଷୀ ଉପକୃତ ହୁଅନ୍ତେ।
ପଡ଼ି ରହିଥିବା ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ହେବା ଦ୍ଵାରା ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସନ୍ତା । କିନ୍ତୁ ରାଜନୈତିକ କାରଣରୁ ଏହି ପ୍ରକଳ୍ପ କାମ ଆଗକୁ ବଢୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରୋଜେକ୍ଟ ଖର୍ଚ୍ଚ ମଧ୍ୟ ବଢୁଛି। ବଡ଼ କଥା ହେଲା ରାଜ୍ୟର ଚାଷୀଙ୍କ ସ୍ଵାର୍ଥକୁ ବଳି ଚଢ଼ାଇ ଦେଇ ନିଘୋଡ଼ ନିଦରେ ଶୋଇଛନ୍ତି ଡବଲ୍ ଇଂଜିନ ସରକାର।
ଧିମେଇ ଗଲାଣି ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ କାମ
ଭୁବନେଶ୍ବର : ବଦଳିଲା ସରକାର, ଧିମେଇ ଗଲା ବିକାଶ କାମ । ଗାଁରୁ ସହର ଯାଏ ବିଭିନ୍ନ ବିକାଶମୂଳକ କାମ ସଂପୂର୍ଣ୍ଣ ଠପ। ଏଥିରୁ ବାଦ ପଡ଼ିନାହିଁ ରାଜଧାନୀରେ ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଆପାର୍ଟମେଣ୍ଟ । ୨୦୨୫ ଶେଷ ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିବା ଏହି କାମ ଏବେ ଧୀମେଇ ଗଲାଣି। ବିଧାନସଭାରେ ବାଚସ୍ପତି ସୁରୁମା ପାଢୀ ବିଧାୟକଙ୍କ କ୍ବାର୍ଟର କାର୍ଯ୍ୟର ମନ୍ଥରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅତ୍ୟାଧୁନିକ ଆପାର୍ଟମେଣ୍ଟ କାର୍ଯ୍ୟର କିପରି ଅଗ୍ରଗତି ହେବ, ସେନେଇ ବାଚସ୍ପତି ଚିନ୍ତା ପକଟ କରିଛନ୍ତି । ଅନ୍ୟପଟେ ବହୁ ବିଧାୟକ କ୍ବାର୍ଟର ପାଇନଥିବାରୁ ଅସୁବିଧାରେ ରହୁଛନ୍ତି । ତେଣୁ ଯେଉଁ ବିଧାୟକଙ୍କ ପାଇଁ କ୍ବାର୍ଟର ବ୍ୟବସ୍ଥା ହୋଇନାହିଁ ବା କ୍ବାର୍ଟର ପାଇନାହାନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ବାଚସ୍ପତି।
ବିଧାୟକଙ୍କ କ୍ବାର୍ଟର କାମ ମନ୍ଥର ଗତିରେ ଚାଲିଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଧାୟକ ସାରଦା ଜେନା ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଠପ୍ ହୋଇଛି ବିକାଶମୂଳକ କାର୍ଯ୍ୟ। ବାଚସ୍ପତି ବି ଜଣେ ଜନ ପ୍ରତିନିଧି। ତେଣୁ ସେ ଯାହା ଅନୁଭବ କଲେ ତାହା କହିଲେ। ବିଜେପି ସରକାର କେବଳ ଭାଷଣବାଜିରେ ଚାଲିଛି ବୋଲି କଟାକ୍ଷ କରିଛି ବିଜେଡି। ଅନ୍ୟପଟେ ବିଜେଡି ସହ ସ୍ବର ମିଳାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ବିଜେଡି ସରକାରରେ ଆରମ୍ଭ ହୋଇଥିଲା ବିଧାୟକଙ୍କ କ୍ବାର୍ଟର କାମ। ହେଲେ ସରକାର ବଦଳିବା ପରେ ଏହା ୨୦୨୯ ସୁଦ୍ଧା ବି ସରିବନି ବୋଲି କହିଛି କଂଗ୍ରେସ। ବିଜେପି କିନ୍ତୁ ଏ ପ୍ରସଙ୍ଗରେ ମାପିଚୁପି ବୟାନ ଦେଇଛି । ବିଜେପି ସରକାର ଗଠନକୁ ୫ ମାସ ବିତିଲାଣି। ରଙ୍ଗ ବଦଳା ଓ ଯୋଜନାର ନାଁ ପରିବର୍ତ୍ତନରେ ମାତିଛନ୍ତି ସରକାର। ତେବେ କାହା ଚାପରେ ବିଧାୟକଙ୍କ ପାଇଁ ବହୁତଳ ଆପାର୍ଟମେଣ୍ଟ କାମ ମନ୍ଥର ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଘର ଖଣ୍ଡେ ନପାଇ ବିଧାୟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ପରେ ସରକାରଙ୍କ ଉପରେ ବଢ଼ିଛି ଚାପ ।
ଟାକୁଆ ଟ୍ରାଜେଡି : ‘କାହିଁକି ମୁଖ୍ଯମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସ୍ବାସ୍ଥ୍ଯମନ୍ତ୍ରୀ ଯାଇ ନାହାଁନ୍ତି ମାଣ୍ଡିପଙ୍କା ?’
ଭୁବନେଶ୍ବର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ଯୁ ଘଟଣାରେ ତେଜିଲା ପ୍ରତିବାଦ । ଚାଉଳ ଦିଆଯାଇଥିବା କହି ଘୋଷି ହେଉଥିବା ରାଜ୍ଯ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବାମଦଳ । ସିପିଆଇ, ସିପିଆଇଏମ, ସିପିଆଇଏମ୍ଏଲ୍ ଓ ଅଲ ଇଣ୍ଡିଆ ଫରୱାର୍ଡ ବ୍ଳକ୍ ପିଏମଜିରେ କରିଛନ୍ତି ପ୍ରତିବାଦ । ଘଟଣାକୁ ଏତେ ଦିନ ବିତିଥିବାବେଳେ ସରକାର କିନ୍ତୁ ଆରଡିସି ତଦନ୍ତ କହିଦେଇ ଚୁପ । ଏହାକୁ ନେଇ ବର୍ଷିଛନ୍ତି ବାମ ଦଳ । ସାଥ ଦେଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏଯାଏଁ କାହିଁକି ଘଟଣା ସ୍ଥଳକୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଯୋଗଣ ମନ୍ତ୍ରୀ ଯାଇ ନାହାଁନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେଡି । ଓଡ଼ିଶାରେ ଆଦିବାସୀମାନେ ଖାଦ୍ୟ ନପାଇ ଆମ୍ବ ଟାକୁଆ ଖାଇବା ମୃତ୍ୟୁ ବରଣ କରିବା ଓଡ଼ିଶାକୁ ନିନ୍ଦିତ କରିଛି l ହେଲେ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ବିଜେପି ନେତା ଓ ମନ୍ତ୍ରୀମାନେ ଉପହାସ କରିବାରେ ବ୍ୟସ୍ତ । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ଭାରତର ରାଷ୍ଟ୍ରପତି ବି ଓଡ଼ିଶାର ଜଣେ ଆଦିବାସୀ ମହିଳା । ଏପରି ସ୍ଥିତିରେ ସେମାନେ ଆମ୍ବ ଟାକୁଆ ଜାଉ ଖାଆନ୍ତି କି ବୋଲି ପ୍ରଶ୍ନ ଉଠିଛି । ଚାଉଳ ନ ମିଳିବାରୁ ସେମାନେ ଆମ୍ବ ଟାକୁଆ ଖାଇଲେ । ହେଲେ ସରକାର ଏହି ସମ୍ବେଦନଶୀଳ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଚାଉଳ ବଣ୍ଟନ ଠିକ ଭାବେ ହୋଇଥିଲେ, ଦୁଇଟି ଜୀବନ ଯାଇ ନଥାନ୍ତା । ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ଆରଡିସି ଓ ଜିଲ୍ଲାପାଳ ବି ସଂପୃକ୍ତ ଥିବାରୁ ଆରଡିସି ସ୍ତରୀୟ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତ ବିରୋଧୀ ।
ସେପଟେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପ୍ରତିବାଦରେ ଆଜି ସକାଳେ ବାମପନ୍ଥୀ ଦଳଗୁଡିକ ଗଣଧାରଣା ଦେଇଥିଲେ । ପ୍ରତିବାଦ ସଭାକୁ ବିଜେଡି ବି ସମର୍ଥନ ଜଣାଇ ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀ ବେହେରାଙ୍କୁ ପଠାଇଥିଲା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବି ଯୋଗ ଦେଇଥିଲେ । ପାଞ୍ଚ ମାସରେ ହିଁ ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର । ନବୀନ ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନାକୁ ନୂଆ ସରକାର ଖିଲାଫ କରିଥିବାରୁ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଇକେଓ୍ବାଇସି ନାଁରେ ଭୂତ ହିତାଧିକାରୀ କହି ରାଜ୍ୟ ସରକାର ରାସନ କାର୍ଡ କାଟି ଚାଲିଲେ । ସେଥିପାଇଁ ଅନେକ ଲୋକ ଚାଉଳ ପାଉ ନଥିବା କଂଗ୍ରେସ ଅଭିଯୋଗ କରିଛି । ଦିନେ ଭୋକର ଭୂଗୋଳର କଳଙ୍କ ମୁଣ୍ଡାଉଥିଲା ଅଭାବୀ ଓଡ଼ିଶା । ହେଲେ ନବୀନ ଆସି ସମସ୍ତଙ୍କ ଲାଗି ଖାଦ୍ଯ ସୁନିଶ୍ଚିତ କରିଥିଲେ । ହେଲେ ଶାସନକୁ ଆସୁ ଆସୁ ଖାଦ୍ୟ ଅଭାବ ସୃଷ୍ଟି କରିଥିବା ରାଜ୍ୟ ସରକାର ଓଡ଼ିଶାକୁ ପୁଣି ଥରେ ଭୋକର ଭୂଗୋଳକୁ ଠେଲି ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଖସିଲା ସେୟାର ବଜାର, ନିବେଶକଙ୍କ ମୁଣ୍ଡରେ ଚଡ଼କ
ନନ୍ଦିଘୋଷ ବ୍ୟୁରୋ : ନିବେଶକଙ୍କ ମୁଣ୍ଡରେ ଚଡ଼କ । ଲଗାତର ୫ ଟି ସେସନରେ ଚାଲିଛି ଭାରତୀୟ ମାର୍କେଟ। ୫ ଟ୍ରେଡିଂ ସେସନରେ ନିବେଶକଙ୍କ ୨୩ ଲକ୍ଷ କୋଟି ଟଙ୍କା ଗୋଲ୍ ହୋଇଗଲାଣି। ଏଥିରୁ ଜାଣି ହେଉଥିବା ମାର୍କେଟର ସ୍ଥିତି। ଆଜି ଦିନକରେ ଉଡ଼ି ଯାଇଛି ୬ ଲକ୍ଷ ୮୦ ହଜାରର କୋଟି ଟଙ୍କା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ଆଜି ୯ ଶହ ପଏଣ୍ଟରୁ ଅଧିକ ହ୍ରାସ ପାଇ ଦୀର୍ଘଦିନ ପରେ ୭୮ ହଜାର ତଳକୁ ଆସିଛି। କାରବାର ଶେଷବେଳକୁ ସେନସେକ୍ସ ୧.୨୫ ପ୍ରତିଶତ ହ୍ରାସ ପାଇ ୭୭,୬୯୦ ପଏଣ୍ଟରେ କ୍ଲୋଜ୍ ହୋଇଛି। ସେହିପରି ନିଫଟି-ଫିଫଟିରେ ମଧ୍ୟ ବଡ଼ ଧରଣର ଫଲ୍ ଦେଖିବାକୁ ମିଳିଛି। ନିଫଟି ୩୨୪ ପଏଣ୍ଟର ହ୍ରାସ ସହିତ ୨୩,୫୫୯ ପଏଣ୍ଟରେ କ୍ଲୋଜ୍ ହୋଇଛି। ବ୍ୟାଙ୍କ ନିଫଟିରେ ୯୦୦ ପଏଣ୍ଟର ହ୍ରାସ ହୋଇଥିବା ବେଳେ ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ସେଗମେଣ୍ଟରେ ୨.୫ ପ୍ରତିଶତର ହ୍ରାସ ପରିଲକ୍ଷିତ ହୋଇଛି। ୪ଟି ପ୍ରମୁଖ କାରଣ ପାଇଁ ମାର୍କେଟରେ ଏତେ ବଡ଼ ହ୍ରାସ ହୋଇଛି। ବିଭିନ୍ନ ଭାରତୀୟ କଂପାନୀର ଦ୍ଵିତୀୟ କ୍ଵାଟରରେ ରେଜଲ୍ଟ ଖରାପ ଆସିଛି। ଆମେରିକାରେ ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଡଲାରର ମୂଲ୍ୟ ଟଙ୍କା ତୁଳନାରେ ବଢିବାରେ ଲାଗିଛି। ଦିନକୁ ଦିନ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତକାଲି ଭାରତର ଅକ୍ଟୋବରର ମୁଦ୍ରାସ୍ଫିତି ରିପୋର୍ଟ ପ୍ରକାଶ ପାଇଥିଲା। ଏହା ୧୪ ମାସରେ ସର୍ବାଧିକ ୬.୨୧ ପ୍ରତିଶତ ରହିଥିଲା। ବିଦେଶୀ ନିବେଶକ ବା FII ଲଗତାର ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ନଭେମ୍ବର ମାସରେ FII ୨୫ ହଜାର କୋଟିର ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗତ ୩ ମାସରେ ୨ ଲକ୍ଷ ୭୯ ହଜାର କୋଟିର ପୁଞ୍ଜି ସେମାନେ ପ୍ରତ୍ୟାହାର କରିଛନ୍ତି। ଆଜି ଆଇଟି, PSU, ବ୍ୟାଙ୍କି, ପାୱାର, ଅଟୋମୋବାଇଲ୍, ମିଡିଆ, ମେଟାଲ୍, ଫାର୍ମା ପ୍ରଭୃତି ସେକ୍ଟରରେ ଫଲ୍ ଦେଖିବାକୁ ମିଳିଛି। ହିରୋ ମୋଟର କର୍ପୋରେସନ୍, ହିଣ୍ଡାଲକୋ, ଆଇଚର ମୋଟର୍ସ, ଟାଟା ଷ୍ଟିଲ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପ୍ରଭୃତି କଂପାନୀର ସେୟାର ୪ରୁ ୫ ପ୍ରତିଶର ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି।
୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର
ଭୁବନେଶ୍ବର : ୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ଏଥିରେ ୫ଟି ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୫ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୫ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ମତ୍ସ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଗୋମାତା ନାଁରେ ଯୋଜନା ଆସିବ । ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ବୋଲି କ୍ଯାବିନେଟରେ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚ ଅଞ୍ଚଳ ଏବଂ ୧ଲକ୍ଷ ୫୮ହଜାର ହେକ୍ଟର ଅତିରିକ୍ତ ସେଚ ଜଳ ସୃଷ୍ଟି କରାଯିବ । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀକୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
ଶ୍ରୀଜୀଉଙ୍କ ବାଙ୍କଚୂଡ଼ା ବେଶ ଦର୍ଶନ କରି ପୁଣ୍ୟ ଅର୍ଜନ କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ
ପୁରୀ : ମହାପ୍ରଭୁଙ୍କ ବାଙ୍କଚୂଡା ବେଶ । ଦୁର୍ଲଭ ବେଶ ଦର୍ଶନ କରି ଭକ୍ତ ଭଗବାନ ଏକାକାର । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତ ମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲଭ ବେଶରେ ସଜ୍ଜିତ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ, ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବା ପାଇଁ ଗୋପପୁରକୁ ଆସି ଏହି ବେଶ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନା କିଆ ଶୋଭା ପାଇଥାଏ । ବାଙ୍କଚୂଡ଼ା ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି।
ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀତି କାନ୍ତିକୁ ତ୍ୱରାନ୍ୱିତ କରାଯାଇ ମହାପ୍ରଭୁଙ୍କର ବେଶ ଅନୁଷ୍ଠିତ କରାଯିବା ସହ ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି । ତେବେ ଗତକାଲି ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ବିଶେଷ ନୀତି ଅନୁଷ୍ଠିତ ହୋଇଥିବାରୁ ରାତ୍ର ପହୁଡ଼ କରାଯାଇପାରିନଥିଲା । ତେବେ ଆଜି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୂଚାର ରୂପେ କରାଯାଇ ପହୁଡ଼ ନୀତି ଅନୁଷ୍ଠିତ ହେବ । ସେନେଇ ସେବାୟତ ମାନେ ତତ୍ପର ରହିଛନ୍ତି । ଧର୍ମ ମାସରେ ଧାର୍ମିକ ପୁଣ୍ୟ ନେଇ ଶ୍ରୀକ୍ଷେତ୍ରରେ ପ୍ରବଳ ଲାଗିରହିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଗତ କାଲି ପ୍ରଶାସନିକ ଅବ୍ୟବସ୍ଥାରୁ ଭକ୍ତ ମାନେ ଠେଲା ପେଲା ହୋଇଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇଥିବା ଦେଖିବାକୁ ମିଳିଛି ।
ଏକାମ୍ର କ୍ଷେତ୍ରରେ ବଭିନ୍ନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ
ଭୁବନେଶ୍ବର : ମହାକାର୍ତ୍ତିକରେ ମହାପ୍ରଭୁଙ୍କ ଅପାର କରୁଣା । ଶ୍ରୀକ୍ଷେତ୍ର ନୁହଁ ଏକାମ୍ର କ୍ଷେତ୍ରରେ ବଭିନ୍ନ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୁର୍ତ୍ତିଙ୍କ ୨୪ ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତାର୍ଥ ଭକ୍ତ । ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ଦେଖି ସମସ୍ତେ ଭାବବିହ୍ଵଳ । ଭକ୍ତଙ୍କ ପାଇଁ ଏଭଳି ସୌଭାଗ୍ୟ ପ୍ରାପ୍ତିର ସୁଯୋଗ ଆଣିଦେଇଛି ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି। ଭୁବନେଶ୍ବର ନୟାପଲ୍ଲୀ କସ୍ତୁରବା ପଡିଆରେ ଚାଲିଥିବା ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶିତ ହୋଇଛି । ବଡ଼ପଉତ୍ତରୀ ବେଶରୁ ଆରମ୍ଭ କରି ପ୍ରତିଦିନ ବେଶ, ବଡ଼ ସିଂହାର ବେଶ, ଚନ୍ଦନ ଲାଗି, ଗଜାନନ, ସୁନା ବେଶ,ବଣ ଭୋଜି, କାଳିଆ ଦଳନ,ପ୍ରଲମ୍ବାସୁର ବଦ୍ଧ, କୃଷ୍ଣ ବଳରାମ ବେଶ, ବାମନ ବେଶ ସହ ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତ । ସେହିପରି କାର୍ତ୍ତିକ ମାସରେ ପଡୁଥିବା ରାଧା ଦାମୋଦର ବେଶ, ହରିହର, ଲକ୍ଷ୍ମୀ ନାରାୟଣ, ବାଙ୍କଚୂଡ ବେଶ ସହିତ ଲକ୍ଷ୍ମୀ ନୃସିଂହ, ଶ୍ରାଦ୍ଧ ବେଶ, ଘୋଡଲାଗି, ପଦ୍ମ ବେଶ, ନବାଙ୍କ, ମକର ଚୌରଶି ବେଶ,ଗଜ ଉଦ୍ଧlରଣ ସହ ନାଗର୍ଜ୍ଜୁନ ବେଶ ଭକ୍ତଙ୍କୁ ଆକୃଷ୍ଟ କରିଛି। ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ୨୪ ବେଶ ସହ ୫୬ ଭୋଗ, ପାଟ ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରଦର୍ଶନ ଭକ୍ତଙ୍କ ଭକ୍ତି ଭାବନାକୁ ଦ୍ବିଗୁଣିତ କରିଥିଲା ।
ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଜି ଶେଷ ଦିବସ। ଏହାରି ଭିତରେ ପ୍ରତ୍ୟେହ ଚାଲିଛି ବିଶ୍ୱ ଶାନ୍ତି ମହାଯଂଜ୍ଞ, ଭଜନ ସନ୍ଧ୍ୟା ଓ ପ୍ରବଚନ କାର୍ଯ୍ୟକ୍ରମ । ଜଗନ୍ନାଥ ସଂସ୍କୁତିର ସୁରକ୍ଷା ଓ ଭକ୍ତଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ପ୍ରଥମ କରି ଏକାମ୍ର କ୍ଷେତ୍ରରେ ଆରମ୍ଭ କରାଯାଇଛି । ମହୋତ୍ସବରେ ପଞ୍ଚମ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହୋଇ ଥିବା ବେଳେ ଆଜି ସନ୍ଧ୍ୟାରେ ଉଦଯାପିତ ହେବ ମହୋତ୍ସବ । ଏହା ସହ ବିଶ୍ୱ ଶାନ୍ତି ମହାଯଜ୍ଞର ହେବ ପୂର୍ଣ୍ଣାହୁତି ।

