spot_img
Home Blog Page 1349

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ସମ୍ବଲପୁର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆଗୁଆ ଜାମିନ ସମ୍ପର୍କିତ ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।

ଜାମିନ ଆବେଦନ ଖାରଜ କରି ସୁପ୍ରିମକୋର୍ଟ କହିଲେ,‘ଜନପ୍ରତିନିଧିଙ୍କ ଆଚରଣ ଶୋଭନୀୟ ହେବା ଆବଶ୍ୟକ’ ।ଆଗ୍ରୀମ ଜାମିନ ଆବେଦନ ଖାରଜ ସହିତ ହଟିଲା ଅନ୍ତରୀଣ ସୁରକ୍ଷା ।

ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ କରିଥିଲେ।୨୦୨୩ ମସିହା ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମନାରେ ଧନୁପାଲି ଥାନାର ମହିଳା ଇନସପେକ୍ଟରକୁଂ ଆକ୍ରମଣ ଓ ଅସଦାଚରଣ ମାମଲାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଶରୀରରେ ପିଟିଲେ କଣ୍ଟା, ଜୀବନ୍ତ ଜାଳିଦେଲେ

ଇମ୍ଫାଲ: ମଣିପୁରର ଜିରିବାମ ଜିଲ୍ଲାରେ ସବୁ ସୀମା ଟପିଗଲେ ସନ୍ଦିଗ୍ଧ ଉଗ୍ରବାଦୀ  । ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳିଦେଲେ ଉଗ୍ରବାଦୀ  । ଏହାପରେ ପାଖାପାଖି ୨୦ଟି ଘର ସେମାନେ ଜାଳି ଦେଇଛନ୍ତି । ମହିଳାଙ୍କ ତିନୋଟି ସନ୍ତାନ ଅଛନ୍ତି  । ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଉଗ୍ରବାଦୀଙ୍କ ଘୃଣ୍ୟ କାମର ପର୍ଦ୍ଦାଫାଶ ହୋଇଛି  ।

ପିଡିତା ଜୀବନ୍ତ ଥିବାବେଳେ ତାଙ୍କ ଶରୀରରେ କଣ୍ଟା ବାଡେଇବା ସହ ଜଳାଇବା ସମୟରେ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଛି  । ନଭେମ୍ବର ୭ରେ ତିନି ପିଲାଙ୍କ ୩୧ ବର୍ଷୀୟ ମା’ଙ୍କ ସହ ଏଭଳି ଘଟଣା ଘଟିଛି  । ଏହି ଘଟଣା ପରେ ହିଂସା ଆହୁରି ବୃଦ୍ଧି ପାଇଛି  । ସେହି ରାତିରେ ଜୈରାବନରେ ୧୭ଟି ଘରେ ଲୁଟପାଟ ପରେ ଅପରାଧୀ ମାନେ ଘର ଗୁଡିକରେ ନିଆଁ ଲଗାଇ ଦେଇଛନ୍ତି  ।

ଶବ ବ୍ୟବଚ୍ଛେଦ ରିପୋର୍ଟରେ ମହିଳାଙ୍କ ଡାହାଣ ଜଙ୍ଘର ପଛପଟେ ବଡ କ୍ଷତ ଓ ବାମ ଜଙ୍ଘରେ କଣ୍ଟା ପିଟାଯାଇଥିବା ଉଲ୍ଲେଖ ଅଛି  । ଶରୀର ୯୯ ପ୍ରତିଶତ ଜଳିଯାଇଛି  । ଏପରିକି ଭଙ୍ଗା ହାଡ ଗୁଡିକ ଜଳିଯାଇଛି  । ମହିଳାଙ୍କ ଡାହାଣ ଭାଗ ଅଙ୍ଗ ଓ ଚେହେରାର ସରଞ୍ଚନା ହି ଗାଏବ ହୋଇଯାଇଛି  । ମହିଳାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର ବେଳେ ତାଙ୍କ ସ୍ବାମୀ ଓ ତିନି ପିଲା କେଉଁଠି ଥିଲେ ତାହା ଜଣାପଡିନାହିଁ  ।

ଫେରଜାୱଲ ଓ ଜିରିବାମର ସ୍ବଦେଶୀ ଜନଜାତି ସମିତି ଜୁଡବାଁ ଆଦିବାସୀ ପ୍ରଧାନ ଜିଲ୍ଲା କୁକୁ-ଜୋମି-ହମାର ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି  ।

 

କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରିଦେଲେ ଛତିଶଗଡ଼ ସରକାର

ସମ୍ୱଲପୁର : କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରିଦେଲେ ଛତିଶଗଡ଼ ସରକାର । ବ୍ୟାରେଜର ସମସ୍ତ ୬୬ଟି ଗେଟକୁ ସରକାର ବନ୍ଦ କରିଛନ୍ତି। ଗେଟ ବନ୍ଦ ହେବା ଯୋଗୁ ହୀରାକୁଦକୁ ହଠାତ୍ କମିଛି ଜଳ ପ୍ରବେଶ ମାତ୍ରା। ଏହାସହ ବନ୍ଦ ହୋଇଛି ଶାସନ ଓ ବରଗଡ କେନାଲ। ପାୱାର ଚ୍ୟାନେଲର ଷ୍ଟକ୍ ପାଣିରେ ଚିପିଲିମାରୁ ମାତ୍ର ୩ ହଜାର ୩୭୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। ଗେଟ ବନ୍ଦ ଯୋଗୁ ୮୦୦ ଘନଫୁଟକୁ କମିଛି ଜଳ ପ୍ରବେଶର ମାତ୍ରା ।

ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ : ୨୨୫ ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ୧୭ ନିୟୁତରୁ ଅଧିକ ଭୋଟର

ନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ । ତୀବ୍ର ଆର୍ଥିକ ସଙ୍କଟ କାଳରେ ଏହି ଋଣଗ୍ରସ୍ତ ଦେଶରେ ସାଧାରଣ ନିର୍ବାଚନ ପ୍ରତି ବିଶ୍ବର ଦୃଷ୍ଟି ରହିଛି । ଦେଶର ବାମପନ୍ଥୀ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ବାଚନ ହେଉଛି । ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ଏହି ନିର୍ବାଚନ ହେଉଛି । ୨୦୨୨ରେ ଦେଶର ଆର୍ଥିକ ସଙ୍କଟ ତୀବ୍ର ହେବା ଯୋଗୁ ତତକାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଥିଲେ । ନିର୍ବାଚନରେ ୧୭ ନିୟୁତରୁ ଅଧିକ ଭୋଟର ୮ ହଜା ୮୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ଦିଶାନାଏକେଙ୍କ ଜନତା ବିମୁକ୍ତି ପେରାମୁନା ବା ଜେଭିପି ନେତୃତ୍ବାଧୀନ ନ୍ଯାସନାଲ ପିପୁଲ୍ସ ପାଓ୍ବାର ବା ଏନପିପି ବହୁମତ ପାଇବ ବୋଲି ଆଶା କରାଯାଉଛି । ବିଗତ ସଂସଦରେ ଏନପିପିର ସଦସ୍ଯ ସଂଖ୍ଯା ଥିଲେ ମାତ୍ର ୩ ଜଣ । ଦିଶାନାଏକେ ବିଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ କୃଷିମନ୍ତ୍ରୀ ଥିଲେ । ତେବେ ଦେଶରେ ଅର୍ଥନୈତିକ ଦୁଃସ୍ଥିତି ସମୟରେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ । ୧୯୭୧ ଓ ୧୯୮୭ରେ ହୋଇଥିବା ଦୁଇଟି ବିଦ୍ରୋହରେ ଜେଭିପିର ୮୦ ହଜାରରୁ ଅଧିକ କର୍ମୀ ବଳିଦାନ ଦେଇଥିଲେ । ତେବେ ଗତ ୨୦୨୪ ସେପ୍ଟେମ୍ବର ୨୧ରେ ସେ ଶାନ୍ତିପୂର୍ଣ୍ଣ ଭାବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ।

ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସମୟରେ ଶ୍ରୀଲଙ୍କାକୁ ମିଳିଥିଲା ୨.୯ ବିଲିୟନ ଡଲାରର ଆଇଏମଏଫ ବେଲ୍ ଆଉଟ ପ୍ଯାକେଜ । ତେବେ ଏହି ଧାରା ବଜାୟ ରହିବ ବୋଲି ଦିଶାନାଏକେ କରିଥିଲେ ଘୋଷଣା । ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ସଂଗଠନ ସିଲନ ଚାମ୍ବର ଅଫ କମର୍ସ ଦିଶାନାଏକେଙ୍କୁ ସମର୍ଥନ କରୁଛି । ସେପଟେ ବିରୋଧୀ ଦଳ ନେତା ତଥା ଏସଜେବି ନେତା ସାଜିଥ ପ୍ରେମଦାସା କହିଛନ୍ତି- ଦେଶରେ କର ହ୍ରାସ ଲାଗି ସେ ଦିଶାନାଏକେଙ୍କ ଉପରେ ଚାପ ପକାଇବେ । ପୂର୍ବର ସଂସଦରେ ତତକାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ନତୃତ୍ବାଧୀନ ଶ୍ରୀଲଙ୍କା ପୋଦୁଜନା ପେରାମୁନା ବା ଏସଏଲପିପିର ସଂଖ୍ଯା ଗରିଷ୍ଠ ସଦସ୍ଯ ଥିଲେ । ଚଳିତ ନିର୍ବାଚନରେ ରାଜପକ୍ଷେ ଲଢୁ ନଥିବାବେଳେ ପୁଅ ନମାଲ ଲଢୁଛନ୍ତି ।

ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ

ବାଲେଶ୍ବର : ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଜୟରାମପୁର ଗାଁରେ । ମୃତ ବୃଦ୍ଧା ହେଲେ ଜୟରାମପୁର ଗାଁର ବାସନ୍ତୀ ସାହୁ । କାର୍ତ୍ତିକ ବ୍ରତ ପାଇଁ ପରିବାର ଲୋକେ ପୁଜାର୍ଚ୍ଚନା କରିବା ପାଇଁ ଯାଇଥିବା ବେଳେ ଘରେ ବାସନ୍ତୀ ଏକା ଥିଲେ। ଏକା ଥିବା ବେଳେ ବୁଲା କୁକୁର ପଲ ଆକ୍ରମଣ କରିଥିଲେ। ବାସନ୍ତୀଙ୍କୁ ଝୁଣି ଝୁଣି ମାରିବା ସହିତ ଦେହକୁ ଖାଇଯାଇଛନ୍ତି କୁକୁର ପଲ । ସ୍ଥାନୀୟ ଲୋକେ ପହଞ୍ଚି କୁକୁର ପଲକୁ ଘଉଡ଼ାଇବା ସହିତ ଗୋଟିଏ କୁକୁରକୁ ମାରିଦେଇଥିବା ସୂଚନା ମିଳିଛି।

ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ , ଡ୍ରାଇଭର ଗୁରୁତର

ଘଟଗାଁ : ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଚାପି ହୋଇ ଡ୍ରାଇଭର ଗୁରୁତର। ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦରଖୋଳା ଛକ ନିକଟରେ ଦୁର୍ଘଟଣା। ଟ୍ରକ ଭିତରେ ବହୁ ସମୟ ଧରି ଫସି ରହିଥିଲେ ସେହି ଡ୍ରାଇଭର। ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଚାପିହୋଇ ଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛି। ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର, ଲାଗି ହେଲା ଗଜଭୋଗ ଓ ତରଣ

ଆଠଗଡ଼ : ଆଜି ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। କଳା ବଳଦକୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ପର୍ବର ମୁଖ୍ୟ ଆକର୍ଷଣ ଗଜଭୋଗ ଓ ତରଣ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ୍ ଆନନ୍ଦିତ। ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରି । ପବିତ୍ର କାର୍ତ୍ତିକ ମାସର ବକ ପଞ୍ଚକର ଶେଷ ପର୍ବରେ ପ୍ରସିଦ୍ଧ ଗଜଭୋଗ ପାଇବା ପରେ ବ୍ରତଧାରି ମାନଙ୍କ ମଧ୍ୟରେ ଆନନ୍ଦ କହିଲେ ନସରେ।

ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ

ପୁରୀ : ଆଜି ହେଉଛି କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ଠାକୁରମାନଙ୍କର ତ୍ରିବିକ୍ରମ ବେଶ। ଶ୍ରୀଜୀଉଙ୍କ ଅବକାଶ ନୀତି ପରେ ପରେ ଠାକୁରଙ୍କୁ ଏହି ବେଶ କରାଯାଏ। ପୁଷ୍ପାଳକ ସେବକ ଏହି ବେଶ ସମ୍ପାଦନ କରନ୍ତି। ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଏ। ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଏ। କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡ଼ି ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ। ଏହି ବେଶରେ ମହାପ୍ରଭୁଙ୍କୁ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ବ୍ୟତୀତ ଅନ୍ୟାନ୍ୟ ଅଳଙ୍କାରରେ ଭୂଷିତ କରାଯାଏ

ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା : ବର୍ଷିଲା ମଧୁ ସ୍ମୃତି ପରିଷଦ

ଭୁବନେଶ୍ବର : ମଧୁସୂଦନ ଦାସଙ୍କ ଜନ୍ମ ପୀଠ ବିକାଶ ଯୋଜନା ବାଟବଣା । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ମଧୁ ସ୍ମୃତି ପରିଷଦ । ଓଡିଆ ଅସ୍ମିତାର କଥା କହି  ସରକାରକୁ ଆସିଲା ବିଜେପି । ହେଲେ ଏବେ ସ୍ବାଭିମାନୀ ପୁରୁଷଙ୍କୁ ଅବହେଳା କରୁଛନ୍ତି । ଅସ୍ମିତାର ଶବ୍ଦର ଅର୍ଥ କଣ ? ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଲୋକଙ୍କୁ ବୁଝାଇ ଦିଅନ୍ତୁ ବୋଲି କହିଛି ପରିଷଦ । ଏହି ଅସ୍ମିତା ଶବ୍ଦରେ ନୂଆ ସରକାର ଆସିଥିଲା,  ମହାପୁରୁଷଙ୍କ ପ୍ରତି ଅବହେଳା ପାଇଁ ଦିନେ ବିଜେପି ସରକାର ଶାସନରୁ ବି ଯିବ ବୋଲି କହିଛି ପରିଷଦ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଭୂମିର ଉନ୍ନତିକରଣ ପାଇଁ ବର୍ଷେ ତଳେ ନବୀନ ପଟ୍ଟନାୟକଙ୍କ ସରକାର ୨୩ କୋଟି ଟଙ୍କା ଅର୍ଥ ପ୍ରଦାନ କରିଥିଲେ । ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ପୂର୍ବତନ ସରକାର ପଦକ୍ଷେପ ନେଇଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରିଲା ନାହିଁ । ୬ ଏକର ଜମିରେ ଉନ୍ନତିକରଣ କାର୍ଯ୍ୟ ହେବା କଥା । ଓବିସିସି କର୍ପୋରେସନକୁ କାର୍ଯ୍ୟ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା ହେଲେ ଦୁର୍ଭାଗ୍ୟର କଥା ଏବେ ମଧ୍ୟ ୨୩ କୋଟି ୧୪ ଲକ୍ଷ ଟଙ୍କା ଓବିସିସି ପାଖରେ ପଡି ରହିଛି । ପ୍ରଶାସନିକ ଆନ୍ତରିକତାର ଅଭାବ ଓ ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁଁ ମଧୂସୁଦନ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇନି । ରମାଦେବୀ ନିର୍ମାଣ କରିଥିବା ଅନୁଷ୍ଠାନର ପୂନରୁଦ୍ଧାର କରି  କସ୍ତୁରବା ବାଳାଶ୍ରମର ନିର୍ମାଣ ପାଇଁ ମଧ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ ପୂର୍ବ ସରକାର । କଟକ ଜିଲ୍ଲାର ଅଣ ଓଡ଼ିଆ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ତୁରନ୍ତ ବଦଳି ସହ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛି ମଧୁ ସ୍ମୃତି ପରିଷଦ। ନଚେତ  ସର୍ବଦଳୀୟ ବୈଠକ ସହ ଆଗାମୀ ଦିନରେ ଓଡ଼ିଶା ସ୍ବାଭିମାନ ଓ ଓଡ଼ିଆ ଅସ୍ମିତା ପାଇଁ ଲଢେଇ ତୀବ୍ରତର ହେବ ବୋଲି ମଧୁ ସ୍ମୃତି ପରିଷଦ ଚେତାବନୀ ଦେଇଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟିଂ !

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୋକ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, ପୁରା ଡାଟା ଆସିଲେ ମତଦାନ ହାର ଆହୁରି ବଢ଼ିଛି। ରାତିରେ ସେହି ତଥ୍ୟ ଆସିବ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଥିଲା। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଥିଲେ। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ। ମୋଟ ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି। ଆଜି ୧୦ ରାଜ୍ଯର ୩୧ ଆସନରେ ବି ହୋଇଛି ଉପନିର୍ବାଚନ। କେରଳ ୱେଏନାଡରୁ ନିର୍ବାଚନ ଲଢୁଛନ୍ତି ପ୍ରିୟଙ୍କା ଗାନ୍ଧି।