spot_img
Home Blog Page 1342

ଚଳିତ ଆଇପିଏଲ ନିଲାମୀରେ ରହିଛନ୍ତି ୧୩ ବର୍ଷୀୟ ଖେଳାଳି ଏବଂ ୪୨ ବର୍ଷୀୟ ଜେମ୍ସ ଆଣ୍ଡରସନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୪ ଏବଂ ୨୪ ତାରିଖରେ ଆଇପିଏଲ ମେଗା ଅକ୍ସନ ହେବାକୁ ଯାଉଛି । ୧୫୭୪ ଖେଳାଳି ମେଗା ଅକ୍ସନରେ ଭାଗ ନେବାକୁ ଫର୍ମ ପକାଇଥିବାବେଳେ ୫୭୪ ଜଣଙ୍କ ସର୍ଟଲିଷ୍ଟ କରାଯାଇଛି । ତେବେ ଏହି ଖେଳାଳିଙ୍କ ମଧ୍ୟରେ ୩୬୬ ଭାରତୀୟ ଏବଂ ୨୦୮ ଜଣ ବିଦେଶୀ ଖେଳାଳି ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ଏହି ଖେଳାଳିଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଖେଳାଳିଙ୍କ ନାମ ରହିଛି । ସେ ହେଉଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ । ଚଳିତ ବର୍ଷ ସେ ପ୍ରଣଥ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଛନ୍ତି । ତାଙ୍କର ବେଶ ପ୍ରାଇସ୍ ୩୦ ଲକ୍ଷ ଟଙ୍କାର ରହିଛି ।

ଅନ୍ୟପଟେ ଯଦି ଆଣ୍ଡରସନଙ୍କ କଥା କହିବା ତାହେଲେ ଏହି ୪୨ ବର୍ଷୀୟ ଖେଳାଳିଙ୍କ ବେଶ ପ୍ରାଇସ୍ ରହିଛି ୧ କୋଟି ୨୫ ଲକ୍ଷ । ୨୦୧୪ ମସିହାଠାରୁ ସେ କୌଣସି ଟି-୨୦ ମ୍ୟାଚ ଖେଳିନାହାନ୍ତି । ଚଳିତ ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । କିନ୍ତୁ ଏବେ ସେ ଆଇପିଏଲ ଖେଳିବାକୁ ମନ ବଳାଇଛନ୍ତି । ଯଦି ତାଙ୍କର ଆଇପିଏଲ କ୍ୟାରିୟର କଥା କହିବା ତାହେଲେ ସେ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ଖେଳିଛନ୍ତି । କିନ୍ତୁ ସେ ଦୀର୍ଘଦିନ ଧରି ଟି-୨୦ ମ୍ୟାଚ ଖେଳିନାହାନ୍ତି । ମାତ୍ର ଏଥରକ ମେଗା ଅକ୍ସନରେ ଭାଗ ନେବାକୁ ଯାଉଛନ୍ତି ।

ଦକ୍ଷିଣଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦମଦାର ବିଜୟ ପରେ ଚଳିତ ଦଳରେ ନଜର ଆସିବେନି ସୂର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ୪ ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜରେ ଭାରତ ୩-୧ରେ ଦମଦାର ବିଜୟ ହାସଲ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକକତ୍ବରେ ଦଳ ବେଶ ଭଲ ପ୍ରଦର୍ଶନ କରିଥିଲା । ବୋଲର ଏବଂ ବ୍ୟାଟ୍ସମ୍ୟାନ ସମସ୍ତେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଚଳିତ ବର୍ଷର ଏହା ଥିଲା ଶେଷ ହ୍ବାଇଟ୍ ବଲ ସିରିଜ୍ । ଏହାପରେ ଭାରତ ଆଉ ଚଳିତ ବର୍ଷ ଦିନିକିଆ ଏବଂ ଟି-୨୦ ଖେଳିବାର ନାହିଁ । ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ଭାରତ । ଏହାପରେ ଯାଇ ଭାରତ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବ । ଏଣୁ ଶୁକ୍ରବାର ଭାରତ ଖେଳିଥିବା ମ୍ୟାଚ ଶେଷ ମ୍ୟାଚ ଥିଲା ଚଳିତ ବର୍ଷର ହାଇଟ୍ ବଲରେ । ୨୦୨୪ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଭାରତ ଉଚ୍ଚକୋଟିର ପ୍ରଦର୍ଶନ କରିଛି । ଶ୍ରୀଲଙ୍କା , ବାଂଲାଦେଶ ପରେ ଏବେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

ହାତୀ ଘଉଡାଇବାରେ ଅବହେଳାରୁ ଫରେଷ୍ଟରଙ୍କୁ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼: ଫରେଷ୍ଟରଙ୍କୁ ବାନ୍ଧିଲେ ଗ୍ରାମବାସୀ। ହାତୀ ଘଉଡାଇବାରେ ବିଭାଗୀୟ ଅଧିକାରୀ ଅବହେଳା କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କୁଣ୍ଢେଇଗଳା ବନାଞ୍ଚଳ ନୂଆଡ଼ିହ ସେକ୍ସନ ଅନ୍ତର୍ଗତ ଭେଜିକୁଦର ଗାଁରେ ଗତ କିଛି ଦିନଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଯାହାକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଲେଣି।

ହାତୀ ଘଉଡ଼ାଇବାରେ ବିଭାଗୀୟ କର୍ମଚାରୀ ଅବହେଳା କରୁଥିବାରୁ ଫରେଷ୍ଟର ଛବିଳ ବେହେରା ଗାଁକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ କୁଆଡେ ଆସିଛ କହି ପ୍ରଶ୍ନ ପଚାରିବା ସହ ଯୁକ୍ତି ତର୍କ କରିଥିଲେ। ଏଥିସହ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ଫରେଷ୍ଟରଙ୍କୁ ଗଛରେ ବାନ୍ଧି ଅଟକ ରଖିଥିଲେ। ସୂଚନା ପାଇ ବିଭାଗୀୟ ଏସିଏଫ ଓ ରେଞ୍ଜର ନିରଞ୍ଜନ ଧରୁଆ ଘଟଣ ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଫରେଷ୍ଟରଙ୍କୁ ମୁକୁଳାଇଥିଲେ।

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।

ରାଜ୍ୟର ପ୍ରତ୍ୟେକ ଜାଗାରେ ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନେଇ ବୈଠକ ହେବ। ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ। ସରକାରଙ୍କୁ ସଙ୍ଘର ଚରମ ବାଣୀ। କର୍ପୋରେଟ ହାଉସକୁ ଆଇନ ପରିସରକୁ ଆଣ।

ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ଏହା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ ସଂଘର ବୈଠକ ଏବେ ଲଗାତର ଚାଲିଛି। ଖାଉଟି ଯେଭଳି ଠକାମିର ଶିକାର ନ ହେବେ ଓ ବ୍ୟବସାୟୀ ବଞ୍ଚିବେ ତାକୁ ନେଇ ଉଦ୍ୟମ ଚାଲିଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ନାହିଁ। କର୍ପୋରେଟ ହାଉସ ଏସି ରୁମରେ ବସି ରକ୍ତ ଶୋଷୁଛନ୍ତି। ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏବେ କର ବା ମର ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ପ୍ରତିବାଦ କରାଯାଉ ନ ଥିବାରୁ ଶୋଷଣର ଶିକାର ହେଉଛୁ ବୋଲି କହିଛି ସଂଘ। ଦରଦାମ ବୃଦ୍ଧି ସହ ସବୁ କିଛି ଚର୍ଚ୍ଚା ହେବ। ୨ ମାସ ତଳେ ସରକାରଙ୍କ ନିକଟରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ଆଲୋଚନା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ସରକାର କିଛି କଲେ ନାହିଁ ବୋଲି କହିଲେ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।

ଛତିଶଗଡରେ ଏନକାଉଣ୍ଟର, ୫ ନକ୍ସଲ ନିପାତ

ରାୟପୁର: ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର। ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଲାଲବାହିନୀ। ୫ ନକ୍ସଲ ନିହତ ହୋଇଛନ୍ତି। ଏବେ ବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି।

କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଯେଉଁ ଜଙ୍ଗଲ ଅଛି, ସେଠାରେ ଲୁଚି ରହି କ୍ୟାମ୍ପ କରିଥିଲେ ମାଓବାଦୀମାନେ। ଖବର ପାଇବା ଜଙ୍ଗଲରେ କମ୍ଵିଂ କରିଥିଲେ ସୁରକ୍ଷାକର୍ମୀ। ଏହି ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ନକ୍ସଲମାନେ। ଗୁଳିରେ ସୁରକ୍ଷାକର୍ମୀ ହିଁ ପାଲଟା ଜବାବ ଦେଇଛନ୍ତି। ଏଥିରେ ୫ ନକ୍ସଲ ନିହତ ହୋଇଛନ୍ତି। ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ପାକିସ୍ତାନରେ ବୁଲୁଛି ୨୬/୧୧ ମାଷ୍ଟରମାଇଣ୍ଡ, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ପର୍ଦ୍ଦାଫାସ

ଇସଲାମାବାଦ: ପାକିସ୍ତାନ ଚାହୁଁଛି ଯେ ଭାରତ ସେଠାରେ ICC ଚାମ୍ପିଅନଶିପ ଟ୍ରଫି ଖେଳୁ  । ଭାରତକୁ ରାଜି କରାଇବା ପାଇଁ ପାକିସ୍ତାନ ଯଥାସମ୍ଭବ ପ୍ରୟାସ ଜାରି ରଖିଛି  । ଅନ୍ୟପଟେ ପାକିସ୍ତାନରେ ଖୁଲମଖୁଲା ବୁଲୁଛନ୍ତି ଆତଙ୍କବାଦୀ  ।  ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉର ରେହମାନ ଲଖବୀର ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହାପରେ ପାକିସ୍ତାନର ସବୁ ମିଛ ଧରାପଡିଛି  ।

ଜକିଉରକୁ ଭିଭିଆଇପି ସେବା ଯୋଗାଉଛି ପାକିସ୍ତାନ  । ଫିଟନେସ୍‌ ଟ୍ରେନର୍‌ଙ୍କ ଦେଖାଶୁଣାରେ ବ୍ୟାୟାମ କରୁଛି ଜକିଉର  । ଦୁନିଆକୁ ଦେଖାଇବା ପାଇଁ ଜକିଉରକୁ ପାକିସ୍ତାନ ଜେଲ ପଠାଇଥିଲା ସେ ଏବେ ଖୁଲମଖୁଲା ଲାହୋର ଓ ରାୱଲପିଣ୍ଡିରେ ବୁଲୁଛି । ସଂଯୁକ୍ତ ରାଷ୍ଟ୍ର ସଂଘ ତାକୁ ଆତଙ୍କବାଦୀ ଘୋଷଣା କରିଛି  । ୨୬\୧୧ ଆକ୍ରମଣ ପାଇଁ ପାକିସ୍ତାନ ଲଖବିକୁ ଗିରଫ କରିବା ପରେ ଅଦାଲତରୁ ତାକୁ ଜାମିନ ମିଳିଛି  । କିନ୍ତୁ ୪ ବର୍ଷ ପୂର୍ବରୁ ପାକିସ୍ତାନର ଏକ କୋର୍ଟ ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ୧୫ ବର୍ଷ ସଜା ଶୁଣାଇଥିଲା  । କିନ୍ତୁ ଏବେ ଲଖବି ଖୁଲମଖୁଲା ପଦାରେ ବୁଲିବା ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି  ।

ଏଭଳି କ୍ଷେତ୍ରରେ ଭାରତ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବା ଆଶା ମଳିନ ପଡିଛି  ।

ପାରିବାରିକ ବିବାଦରୁ ହସ୍ପିଟାଲରେ ୩ ଦିନ ହେଲା ପଡ଼ି ରହିଛି ମୃତଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ହସପିଟାଲରେ ୩ ଦିନ ହେଲା ପଡ଼ି ରହିଛି ମୃତଦେହ। ପଚି ଯାଇ ଦୁର୍ଗନ୍ଧ ବାହାରିଲାଣି। କିନ୍ତୁ ନା ପୋଷ୍ଟମର୍ଟମ ହୋଇପାରୁଛି ନା ସତ୍କାର। ଅଭିଯୋଗ ଅନୁସାରେ ୫ ଦିନ ତଳେ ବସନ୍ତ ତାଙ୍କ ଶ୍ଵଶୁର ଘର ଗାଁ ପଣିବନ୍ଧକୁ ଯାଇଥିଲେ। ରାତିରେ ଖାଇବା ପରେ ଶୋଇଥିଲେ। ଶ୍ଵଶୁର ଘର ଲୋକେ କହିବା ଅନୁସାରେ କିଛି ସମୟ ପରେ ଡାକିବାରୁ ବସନ୍ତ କିନ୍ତୁ ଶୁଣିନଥିଲେ।

ତେଣୁ ଗୁରୁବାର ରାତିରେ ହିଁ ବସନ୍ତଙ୍କୁ ଧରାକୋଟ ହସପିଟାଲକୁ ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅସ୍ଵାଭବିକତା ଲକ୍ଷ୍ୟ କରି ପୋଲିସକୁ ଖବର ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ପୋଲିସ ମୃତଦେହ ଜବତ କରିଛି। କିନ୍ତୁ ବସନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି, ଭାଇକୁ ହତ୍ୟା କରାଯାଇଛି। ସତ ଜଣାପଡ଼ିବା ପରେ ହିଁ ସେମାନେ ମୃତଦେହ ନେବେ। ବସନ୍ତଙ୍କ ମୃତ୍ୟୁ ନେଇ ନିଜ ପରିବାର ଓ ଶ୍ଵଶୁର ଘର ଲୋକଙ୍କ ମଧ୍ୟରେ ଦୋଷାରୋପ ଚାଲିଛି। କିଛି ସମୟ ତଳେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍ ।

ପାଦରେ ତୁଳସୀ ଚଢାଇ କୁନି ସାରଥୀ ବାବାଙ୍କୁ କରାଯାଉଛି ପୂଜାର୍ଚ୍ଚନା

ଭୁବନେଶ୍ବର: ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା। ରୋଜଗାର ପାଇଁ ଏହି ପିଲାଟିକୁ ତାର ବାପା ମା ଏହିଭଳି ଭଗବାନ ଭାବେ ସଜାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ। ପିଲାଟିର ପାଦରେ ତୁଳସୀ ପତ୍ର ଚଢାଇବା ଧର୍ମ ବିରୋଧୀ କାର୍ଯ୍ୟ ବୋଲି ଅଭିଯୋଗ କରି ଆଜି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି।

ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି। ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା। ସେ କହିଛନ୍ତି ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି।

ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି। ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ ଚଢ଼ାଉଛୁ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଆମ ଟିମ ସେଠାରେ ପହଁଚିଥିଲା । କିନ୍ତୁ ସେତେବେଳକୁ ଆଶ୍ରମରେ କୁନି ସାରଥୀ କି ତାଙ୍କ ପରିବାରର କେହି ନଥିଲେ । ଗଣମାଧ୍ୟମକୁ ଆଶ୍ରମ ଭିତରକୁ ଯିବାକୁ ଦିଆଯାଇନଥିଲା। ଖବର ପାଇ ଆଶ୍ରମରେ ପହଞ୍ଚି ତନାଘନା କରୁଛି ପୋଲିସ।

ଜମୁଛି କଟକର ଐତିହାସିକ ବାଲିଯାତ୍ରା, ଦେଖଣାହାରୀଙ୍କୁ ଡାକୁଛି ପଲ୍ଲିଶ୍ରୀ ମେଳା

0

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା। ଉପର ଓ ମହାନଦୀ ପଠା ତଳ ପଡିଆରେ ମେଳିଛି ଶତାଧିକ ବିପଣନ ସାମଗ୍ରୀର ପସରା। ଠୁଙ୍କା ପୁରୀ, ଆଳୁଦମ ଦହିବରା, ମଥୁରାକେକ, ଗୁପଚୁପ ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ ଭଳିକି ଭଳି ଦୋଳି ଆଉ ଓରମାସର ପଲିଶ୍ରୀ ମେଳା ହାତଠାରି ଡାକୁଛି ଦର୍ଶକଙ୍କୁ।

୮ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଯାତ୍ରାକୁ ପ୍ରତିଥର ପରି ଏଥର ଆସିଛି ବିଭିନ୍ନ ରକମର ସୁସ୍ୱାଦୁ ଖାଦ୍ୟ, ଭଳିକି ଭଳି ଦୋଳି, ସାଂସ୍କୃତିକ ବିଚିତ୍ରା ସାଙ୍ଗକୁ ଓରମାସ ବଜାର । ଏଥର ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ଉପଭୋଗ କରିବା ପାଇଁ ଆରମ୍ଭ ହେଲାଣି ଦର୍ଶକଙ୍କ ଭିଡ଼ । ବୁଲା ବୁଲି ସାଙ୍ଗକୁ କିଣାକିଣି ଆରମ୍ଭ କରିଦେଲେଣି ଲୋକ ।

ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ମନୋରଞ୍ଜନ ଧର୍ମୀ କରିବା ପାଇଁ ଜିଲ୍ଲା ପ୍ରଶାସନ ୧୩ଟି ରାଷ୍ଟ୍ରର ରାଷ୍ଟ୍ର ଦୂତଙ୍କ ସମେତ ୮ ଦେଶର କଳାକାରକୁ ଆମନ୍ତ୍ରଣ କରାଯାଇଛି। ମେଳାର ଉଭୟ ଉପର ଓ ତଳ ପଡିଆରେ ୨୫ ଶହରୁ ଅଧିକ ବିପଣନ ସାମଗ୍ରୀର ପସରା ମେଲିଛି।

ଆଠଗଡ ରେଞ୍ଜରେ ହାତୀ ଗଣନା ଆରମ୍ଭ

ଆଠଗଡ଼: ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା ଆରମ୍ଭ ହୋଇଛି । ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ, ଖୁଣ୍ଟୁଣୀ, ବଡ଼ମ୍ବା , ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲି ହାତୀମାନଙ୍କ ଗଣନା ଚାଲିଛି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ଯବହାର କରାଯାଇଛି। ବର୍ଷକୁ ଦୁଇ ଥର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଆସିବ।

ଗତ ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ  ହାତୀ ଗଣନା ହୋଇଛି। ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ଢେଙ୍କାନାଳ। ହାତୀ ଗଣନା ପାଇଁ ଜିଲାରେ ସମସ୍ତ ୮ଟି ରେଞ୍ଜରେ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟୀ ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ଗଣନା ସମୟରେ ଫଟୋଗ୍ରାଫର, ବନ୍ୟପ୍ରାଣୀ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ ଲଗାଯିବ । ବାଇନାକୁଲାର ସହିତ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି।