spot_img
Home Blog Page 1337

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଧରାପଡିବା ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା

ବ୍ରହ୍ମପୁର: ଭିଜିଲାନ୍ସ ରେଡ ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା। ତେବେ ଟଙ୍କା ଜବତ କରିବା ସହ ରେଡ୍ ଜାରି ରଖିଛି ଭିଜିଲାନ୍ସ। ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ଯାନେଜର ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ ଜାରି ରଖିଛି କରିଛି। ରେଡରୁ ବାହାରୁଛି ପୁଳା ପୁଳା ଟଙ୍କା। ୧୦ ଲକ୍ଷ ଟଙ୍କା ପଡୋଶୀ ଘରୁ ମିଳିଥିବାବେଳେ ଘରୁ ଆଉ ୩ ଲକ୍ଷ ଟଙ୍କା ଜବତ କରିଛି। ରେଡରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହେଲାଣି। ଏହାସହ ଚଢାଉରୁ ମିଳିଛି ୧ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର।

ଭୁବନେଶ୍ଵର ଆଇଗିଣିଆ ଅଂଚଳରେ ୩ ମହଲା କୋଠା, ଭୁବନେଶ୍ଵର ବାଲିଯାତ୍ରା ପଡ଼ିଆ ନିକଟରେ ଦୁଇ ମହଲା କୋଠା, ଭୁବନେଶ୍ଵର କେନ୍ଦ୍ରସ୍ଥଳରେ ୪ଟି ଦାମିକିଆ ପ୍ଲଟ, ଭୁବନେଶ୍ଵର ଜାଗମରାରେ ଗୋଟିଏ ପ୍ଲଟ, ଆଇଗିଣିଆରେ ଦୁଇଟି ପ୍ଲଟ, ମଂଚେଶ୍ଵର ବରିମୁଣ୍ଡରେ ଗୋଟିଏ ପ୍ଲଟ ଥିବା ଜଣାପଡିଛି। ରେଡ୍ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ ଚାଲିଛି। ଗୋଟିଏ କାର, ଦୁଇଟି ବାଇକ ଏବଂ ଆଉ ଏକ ବେନାମୀ କାର ମଧ୍ୟ ଜବତ ହୋଇଛି। ଚଢାଉରେ ୫ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି। ଭୁବନେଶ୍ବର ଏବଂ ବ୍ରହ୍ମପୁରର ୪ ସ୍ଥାନରେ ଏକକାଳୀନ ରେଡ୍  କରୁଛି ଭିଜିଲାନ୍ସ। ଭୁବନେଶ୍ବର ଆଇଗିଣିଆ ସ୍ଥିତ ବାସଭବନ ଓ ମଞ୍ଚେଶ୍ବର ସ୍ଥିତ ପୈତୃକ ଘରେ ଚାଲିଛି ରେଡ। ବ୍ରହ୍ମପୁରରେ ଥିବା ତାଙ୍କ ଭଡାଘର ଏବଂ ବ୍ରହ୍ମପୁର ସ୍ଥିତ ଅଫିସରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ୧୦ ସ୍ଥାନରେ ଚଢ଼ାଉ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ କରାଯାଉଛି
। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ଭଦ୍ରକସ୍ଥିତ ପୈତୃକ ବାସଭବନ ସମେତ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବରର ଗୋଟିଏ ଜାଗାରେ ଚାଲିଛି ରେଡ । ୭ ଡିଏସପି, ୩ ଇନ୍ସପେକ୍ଟର, ୮ ଏଏସଆଇଙ୍କୁ ନେଇ ଚାଲିଛି ରେଡ୍। ଭୁବନେଶ୍ଵର, ଢେଙ୍କାନାଳ, ଭଦ୍ରକ ଏବଂ ମୟୂରଭଂଜର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

ଚଢାଉରୁ ଉପଜିଲ୍ଲାପାଳଙ୍କ ସମତ୍ତି ଠାବ ହୋଇଛି। ଭୁବନେଶ୍ଵର ଝାରପଡ଼ାରେ ଏକ ତିନି ମହଲା କୋଠା, ଝାରପଡ଼ାରେ ଆଉ ଏକ କୋଠା, ଭଦ୍ରକ କୁଆଁସରେ ତିନି ମହଲା କୋଠା ଥିବା ଜଣାପଡିଛି। ଭଦ୍ରକ ଗେଲପୁରରେ ଗୋଟିଏ ନିର୍ମାଣାଧିନ ଦୁଇ ମହଲା କୋଠା ରହିଛି । ଭଦ୍ରକ ଜିଲ୍ଲା କପାଗାରିଆ ଗାଁ ପୈତୃକ ବାସଭବନ ଓ ବରୁଣାଇ ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ସେହିଭିଳ ଭଦ୍ରକର ଯୋରାଗାଡିଆ ଏବଂ ମୟୂରଭଞ୍ଜରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି ।

ଏହି ଯାତ୍ରାରେ ୫୧ଲକ୍ଷରେ ବିକ୍ରି ହୁଅନ୍ତି ମେଣ୍ଢା !

ନନ୍ଦିଘୋଷ ବ୍ୟୁରୋ: ପ୍ରତିବର୍ଷ ମହାରାଷ୍ଟ୍ରର ସାଙ୍ଗଲିର ଅଟପାଡି ଗ୍ରାମରେ ଏକ ସ୍ୱତନ୍ତ୍ର ଯାତ୍ରା ହୋଇଥାଏ, ଯାହା “ଛେଳି-ମେଣ୍ଡା ଯାତ୍ରା” ଭାବରେ ଜଣାଶୁଣା । ଏହି ଯାତ୍ରା କେବଳ ଧାର୍ମିକ ଯାତ୍ରା ନୁହେଁ ବରଂ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଦିଗ ମଧ୍ୟ ଏଥିରେ ଜଡିତ  । ମହାରାଷ୍ଟ୍ରର ଏହି ଯାତ୍ରାରେ ଛେଳି ଏବଂ ମେଣ୍ଡାଙ୍କ ବ୍ୟବସାୟ ପାଇଁ ସମଗ୍ର ରାଜ୍ୟରେ ପ୍ରସିଦ୍ଧ । କର୍ଣ୍ଣାଟକର ବେଲଗାମ୍, କୋଲ୍ହାପୁର, ସାତାରା ଏବଂ ସୋଲାପୁରରୁ କୃଷକ ଏବଂ ବ୍ୟବସାୟୀମାନେ ଏଠାକୁ ବ୍ୟବସାୟ କରିବାକୁ ଆସିଥାଆନ୍ତି ।

ବର୍ଷ ବର୍ଷ ଧରି ଯାତ୍ରା କିପରି ବଦଳିଛି?

ଏହାପୂର୍ବରୁ ଏହି ଯାତ୍ରାରେ ମାଣ୍ଡେଶୀ ଖିଲାର ଷଣ୍ଢ, ଗାଈ ଏବଂ ବଳଦଙ୍କ କ୍ରୟ ଏବଂ ବିକ୍ରୟ ହେଉଥିଲା, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଛେଳି ଓ ମେଣ୍ଢାଙ୍କ କ୍ରେଜ ବୃଦ୍ଧି ପାଇଛି। ବିଶେଷକରି “ମାଡଗାଲୀ ମେଣ୍ଢା ଏହି ଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି  ।

ମାଡଗାଲୀ ମେଣ୍ଢା କାହିଁକି ସ୍ୱତନ୍ତ୍ର?

ମାଡଗାଲୀ ମେଣ୍ଢାର ଦାମ ଲକ୍ଷ ଲକ୍ଷ ଟଙ୍କା  । ୩ଦିନର ଛୁଆ ମେଣ୍ଢାଠୁ ଆରମ୍ଭ କରି ବୁଢା ମେଣ୍ଢା ପର୍ଯ୍ୟନ୍ତ ସବୁଧରଣର ମେଣ୍ଢା ଏଠାରେ କିଣାଯାଇ ବିକ୍ରି ହୁଏ  । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଥର ଯାତ୍ରା ସମୟରେ ମାଡଗାଲୀ ମେଣ୍ଢାର ଦାମ ପାଖାପାଖି ୫୧ଲକ୍ଷ ଛୁଇଁଥିଲା ।  ଲୋକମାନେ ମେଣ୍ଢାକୁ ବୋହୂ ପରି ସଜେଇ ସଙ୍ଗୀତ ବଜାଇ ଏହି ଯାତ୍ରାକୁ ଆସିଥାଆନ୍ତି ।

କୃଷକଙ୍କର ବଦଳୁଛି ଭାଗ୍ୟ 

ଅଟପାଡି ପରି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏହି ଯାତ୍ରା ଗୋରୁ ପାଳକମାନଙ୍କ ପାଇଁ ଆୟର ମୁଖ୍ୟ ଉତ୍ସ ଅଟେ | କୃଷକମାନେ କହିଛନ୍ତି ଯେ ଏହି ଯାତ୍ରା ସମୟରେ ସେମାନଙ୍କ ପଶୁମାନଙ୍କର ମୂଲ୍ୟ ୫ଗୁଣା ବୃଦ୍ଧି ପାଇଥାଏ । ବଜାର କମିଟିର ଉପାଧ୍ୟକ୍ଷ ରାହୁଲ ଗାଇକୱାଡ କୁହନ୍ତି, ଏଠାରେ ମେଣ୍ଢାମାନଙ୍କର ମୂଲ୍ୟ  ୩-୪ଲକ୍ଷରୁ ଆରମ୍ଭ କରି ୫୧ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ଯାତ୍ରାର ମହତ୍ତ୍ୱ

ଅଟପାଡିର ଗ୍ରାମ ଦେବତା ଶ୍ରୀ ଉତ୍ତରେଶ୍ବରଙ୍କର ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ଏହି ମେଳା କୃଷକ ଏବଂ ବ୍ୟବସାୟୀମାନଙ୍କ ପାଇଁ ଏକ ବଡ ପର୍ବ । ଏହି ଯାତ୍ରାରେ ପଶୁଙ୍କୁ କେବଳ କିଣାବିକା କରାଯାଇନଥାଏ, ବରଂ ସେମାନଙ୍କର ପ୍ରଜାତି ଏବଂ ଗୁଣ ମଧ୍ୟ ପ୍ରଦର୍ଶିତ ହୋଇଥାଏ  ।

କାହିଁକି ବାଂଲାଦେଶରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ?

ଢାକା: ବାଂଲାଦେଶକୁ ନାକେଦମ କଲାଣି ଡେଙ୍ଗୁ  । ଦେଶର ଅଧିକାଂଶ ହସ୍ପିଟାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  । ଏଯାଏଁ ୭୮ ହଜାରରୁ ଉର୍ଦ୍ଧ୍ବ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଲେଣି  । ପାଣିପାଗ ପରିବର୍ତ୍ତନ ଯୋଗୁଁ ବାଂଲାଦେଶରେ ବଢିଯାଇଛି ମଶାଙ୍କ ପ୍ରାଦୁର୍ଭାବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ଲୋକେ ଡେଙ୍ଗୁରେ ପ୍ରାଣ ହରାଇ ସାରିଲେଣି  । କେବଳ ନଭେମ୍ବର ମାସରେ ଡେଙ୍ଗୁରେ ଚିକିତ୍ସିତ ହେଉଛନ୍ତି ୪ ହଜାର ୧୭୩ ରୋଗୀ  । ରାଜଧାନୀ ଢାକାରେ ଅଛନ୍ତି ୧୮୩୫ ରୋଗୀ  । କାହିଁକି ବାଂଲାଦେଶରେ ହଠାତ୍‌ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା  । ଏହାର କାରଣ ହେଉଛି ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅକ୍ଟୋବରରେ ଅଦିନିଆ ବର୍ଷା । ଯାହାକି ମଶାଙ୍କ ବଂଶବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧୭୦୫ ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲେ  । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଭର୍ତ୍ତି ଯୋଗୁଁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି  । ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ସେହିପରି ଆଖପାଖ ଅଞ୍ଚଳରେ ପାଣି ଜମା ନ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି  ।

ଗ୍ରାମାଞ୍ଚଳ ଲୋକେ ଠିକ୍‌ ସମୟରେ ଚିକିତ୍ସା ନ କରାଉ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି  । ଗୁରୁତର ନ ହେବା ପର୍ଯ୍ୟନ୍ତ ରୋଗୀ ପରୀକ୍ଷା କରାଉ ନଥିବାରୁ ଏଭଲି ସମସ୍ୟା ଦେଖାଦେଇଛି  ।

ଜଣେ ଭାରତୀୟଙ୍କ ସମେତ ୧୦୦ ଜଣଙ୍କୁ ଫାଶୀ ଦେଲା ସାଉଦି ଆରବ

ନନ୍ଦିଘୋଷ ବ୍ୟୁରୋ: ଫାଶୀ ଏକ ଦଣ୍ଡ ଯାହା କେବଳ ଗୁରୁତର ଅପରାଧ କରିଥିବା ବ୍ୟକ୍ତିଙ୍କୁ ଦିଆଯାଇଥାଏ । ଯେତେବେଳେ କି ଅନେକ ଦେଶରେ ଫାଶୀ ଲଗାଇବାକୁ ବାରଣ ମଧ୍ୟ କରାଯାଇଛି । କିନ୍ତୁ ନିକଟରେ ଏମିତି ଏକ ରିପୋର୍ଟ ପ୍ରକାଶ ପାଇଛି ଯାହା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ସାଉଦି ଆରବ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ଫାଶୀ ଦେଇଛି । ତେବେ ନିକଟରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ଜଣେ ୟେମେନୀ ନାଗରିକଙ୍କୁ ସାଉଦି ଆରବ ଫାଶୀ ଦେଇଥିଲା । ଯାହା ବର୍ତ୍ତମାନ ସାଉଦି ଆରବରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ବିଦେଶୀଙ୍କ ସଂଖ୍ୟା  ୧୦୧ରେ ପହଞ୍ଚିଛି। ୨୦୨୩ ଏବଂ ୨୦୨୪ରେ ୩୪ଜଣ ବିଦେଶୀ ନାଗରିକଙ୍କୁ ଫାଶୀ ଦିଆଯାଇଥିବା ବେଳେ ୨୦୨୪ରେ ଏହା ୧୦୦ ଅତିକ୍ରମ କରିଛି ।

ସମସ୍ତ ରେକର୍ଡ ଭାଙ୍ଗିଲା, ସର୍ବାଧିକ ସ୍ତରରେ ପହଞ୍ଚିଲା ଫାଶୀ

ବର୍ଲିନ୍ ସ୍ଥିତ ୟୁରୋପୀୟ-ସାଉଦି ସଂଗଠନ ଫର ହ୍ୟୁମାନ୍ ରାଇଟ୍ସ (ESOHR) ର ଆଇନ ନିର୍ଦ୍ଦେଶକ ତାହା ଅଲ-ହାଜି କହିଛନ୍ତି ଯେ ସାଉଦି ଆରବ ଚଳିତବର୍ଷ ବିଦେଶୀ ନାଗରିକଙ୍କୁ ଫାଶୀଦଣ୍ଡ ଦେବାରେ ରେକର୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ ୩୦ବର୍ଷ ମଧ୍ୟରେ କେବେ ବି ସାଉଦି ଆରବ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦେଇ ନାହିଁ। ଏଥି ସହିତ ସାଉଦି ଆରବର ବିଦେଶୀ ନାଗରିକଙ୍କୁ ଫାଶୀ ଦେବା ପରେ ମାନବ ଅଧିକାର ଗୋଷ୍ଠୀ ସାଉଦି ଆରବକୁ ସମାଲୋଚନା କରିଛି। ଗୋଷ୍ଠୀ କହିଛି, ସାଉଦି ଆରବ ନିଜର ପାଓ୍ବାର ବ୍ୟବହାର କରି ଲୋକଙ୍କୁ ଅଧିକ ନିର୍ଯାତନା ଦେଉଛି।

କେଉଁ ଦେଶର ନାଗରିକଙ୍କୁ ଫାଶୀ ଦିଆଯାଇଛି ?

ଏମନେଷ୍ଟି ଇଣ୍ଟରନ୍ୟାସନାଲ୍ର ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୩ମସିହାରେ ସାଉଦି ଆରବ ଚୀନ୍ ଏବଂ ଇରାନ ପରେ ତୃତୀୟ ବୃହତ୍ତମ ଦେଶ ଭାବେ ସର୍ବାଧିକ କଏଦୀଙ୍କୁ ଫାଶୀ ଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ସାଉଦି ଆରବ ୩୦ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇଛି । ୧୯୯୫ମସିହାରେ, ସାଉଦି ୧୯୨ ଜଣଙ୍କୁ ଫାଶୀ ଦେଇଥିଲା  ।

ଏଥି ସହିତ, ଚଳିତବର୍ଷ ପର୍ଯ୍ୟନ୍ତ, ସାଉଦି ଆରବ ୨୭୪ ଜଣଙ୍କୁ ଫାଶୀ ଦେଇଛି। ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ପାକିସ୍ତାନରୁ ୨୧ଜଣ, ୟେମେନରୁ ୨୦ଜଣ, ସିରିଆରୁ ୧୪ଜଣ, ନାଇଜେରିଆରୁ ୧୦ଜଣ, ଇଜିପ୍ଟରୁ ୯ଜଣ, ଜୋର୍ଡାନରୁ ୮ଜଣ ଏବଂ ଇଥିଓପିଆରୁ ୭ ଜଣ ଏବଂ ଭାରତ, ସୁଦାନ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଇରିଟ୍ରିଆ ଏବଂ ଫିଲିପାଇନ୍ସ ର ଜଣ ଜଣ ନାଗରିକଙ୍କୁ ଫାଶୀଦଣ୍ଡ ଦେଇଛି ।

ଭୁଲ ମାଗିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ବର: ଭୁଲ ମାଗିଲେ ଅଭନେତା ମନୋଜ ମିଶ୍ର । ଫକିରମୋହନ ସେନାପତିଙ୍କ ଲେଖା ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ।  ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ କ୍ଷମା ମାଗିଛନ୍ତି । ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ କେଇ ମିନିଟର ଏକ ଭିଡିଓ ଜାରି କରି କହିଛନ୍ତି ବ୍ୟାସକବି ଫକିର ମୋହନ ସେନାପତି ଆମ ସାହିତ୍ୟର ଭଗବାନ ।

ଫକିରମୋହନ ସେନାପତିଙ୍କ ଲେଖାକୁ ପ୍ରଶ୍ନ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୋର ଓଡ଼ିଆ ସାହିତ୍ୟ ପ୍ରତି ସେତିକି ଜ୍ଞାନ ନାହିଁ । ମୋର କମେଣ୍ଟସକୁ ନେଇ କିଛି ଲୋକ ମୋତେ ସାହିତ୍ୟ ଭିତରୁ ଟାଣି ଆଣିଲେ । ଦୟାକରି ମୋତେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ବର୍ତ୍ତମାନର ସିନେମା ଟାଇଟେଲକୁ ନେଇ ମୋର ସମସ୍ୟା ଥିଲା । ଆଜିକା ଦିନରେ ଆମେ ନାରୀର ସୁରକ୍ଷା ବିଷୟରେ କଥା ହେଉଛେ । ସିନେମାର ଟାଇଟେଲରେ ବ୍ୟବହାର କରାଯାଉଥିବା ଶବ୍ଦକୁ ନେଇ ମୋ ମନରେ ପ୍ରଶ୍ନ ଉଠିଛି ।

ବୈକୁଣ୍ଠଧାମ ଆଶ୍ରମରେ ନୂଆ ଘର ଠାବ, ବିଦେଶୀ ଭକ୍ତ ରହୁଥିବା ସୂଚନା

ଭୁବନେଶ୍ବର:ଖୋଲୁଛି କୁନି ସାରଥୀଙ୍କ ଗୁମର । ବିଦେଶୀ ଭକ୍ତଙ୍କ ପାଇଁ ହେଉଥିଲା ସ୍ବତନ୍ତ୍ର ବ୍ୟବସ୍ଥା । ଅଞ୍ଚଳବାସୀଙ୍କୁ ଆଶ୍ରମରେ ପ୍ରବେଶ ପାଇଁ କଟକଣା ଥିବା ବେଳେ ବିଦେଶୀ ଭକ୍ତଙ୍କ ପାଇଁ ଖୋଲା ରହୁଥିଲା ଆଶ୍ରମ ।  ଭୁବନେଶ୍ଵର ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ କୁନି ଜଗନ୍ନାଥଙ୍କ ପାଦରେ ତୁଳସୀ ରଖିବା ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି। ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି।

ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା। କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା। ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ। ସେପଟେ ଆତ୍ମଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି।

ପୁଣି ବିଗିଡ଼ିଲା ମଣିପୁର; ୭ ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁଣି ମଣିପୁର ଅଶାନ୍ତ। ଆଜି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେପଟେ ରାଜ୍ଯକୁ ଫେରିଛି ରାଜନୈତିକ ଅସ୍ଥିରତା। ବିଜେପି ସରକାର ଉପରୁ ସମର୍ଥନ ପ୍ରତ୍ଯାହାର କରିଛି ଏନପିପି। ୬୦ ସଦସ୍ଯ ବିଶିଷ୍ଟ ବିଧାନସଭାରେ ଏନଡିଏର ସଂଖ୍ଯା ରହିଛି ୫୩। ବିଜେପିର ୩୭ ସଦସ୍ଯ ଥିବାବେଳେ ଏନପିପିର ୭ ସଦସ୍ଯ ରହିଛନ୍ତି। ଏନପିଏଫର ୫ ସଦସ୍ଯ ରହିଛନ୍ତି। ହିଂସା ଏତେ ତୀବ୍ର ହୋଇଛି ଯେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଘର ଉପରେ ମଧ୍ୟ ଆକ୍ରମଣ ଉଦ୍ୟମ ହୋଇଛି। ଉତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ।

ସେମାନଙ୍କୁ ଘଉଡ଼ାଇବାକୁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ଜିରିବମ୍ ଜିଲ୍ଲାରେ ୬ ଜଣଙ୍କୁ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ହିଂସା ପରେ ପୂର୍ବ ଇମ୍ଫାଲ ଓ ପଶ୍ଚିମ ଇମ୍ଫାଲରେ କର୍ଫ୍ୟୁ ଜାରି କରାଯାଇଛି। ସ୍ଥିତି ବିଗୁଡୁଥିବାରୁ ୭ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।

ହିନ୍ଦୁଙ୍କ ବିରୋଧରେ ହିଂସାର ଭୟାବହତାକୁ ଅସ୍ୱୀକାର କଲେ ମହମ୍ମଦ ୟୁନୁସ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ଅସ୍ବୀକାର କଲେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ସେ ଏଭଳି ମତ ରଖିଛନ୍ତି । ଦେଶରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ବଡ ବୟାନ ଦେଇଛନ୍ତି । ଧାର୍ମିକ ସଂଖ୍ୟାଲଘୁଙ୍କ ବିଷୟରେ ଆଲୋଚନା ହେଉଥିବା ଆକ୍ରମଣର ଚର୍ଚ୍ଚା ଅନାବଶ୍ୟକ ଭୟ ଖେଳାଉଥିବା ସେ ଉଲ୍ଲେଖ କରିଛନ୍ତି ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ୧୦୦ଦିନ ପୂର୍ତ୍ତି ଅବସରରେ ଦେଶର ଲୋକଙ୍କୁ  ଟେଲିଭିଜନ ମାଧ୍ୟମରେ ସମ୍ବୋଧିତ କରିଥିଲେ । ମହମ୍ମଦ ୟୁନୁସ କହିଛନ୍ତି ଯେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ସହ ଜଡିତ ପ୍ରତ୍ୟେକ ଘଟଣାର ତଦନ୍ତ କରାଯାଉଛି। ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛୁ ଯାହାଦ୍ବାରା କେବଳ ହିନ୍ଦୁ ନୁହଁନ୍ତି ଦେଶର ପ୍ରତ୍ୟେକ ନାଗରିକ ଯେମିତି ଏହି ହିଂସାର ଶିକାର ନହେବେ । ଏନେଇ ଆମେ ପ୍ରୟାସ ଜାରି ରଖିବୁ | ସେ କହିଛନ୍ତି ଯେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। କିନ୍ତୁ ଧାର୍ମିକ ସଂଖ୍ୟାଲଘୁମାନଙ୍କ ବିଷୟରେ ଅନାବଶ୍ୟକ ଭୟ ବ୍ୟାପିବାରେ ଲାଗିଛି  । ମହମ୍ମଦ ୟୁନୁସ କହିଛନ୍ତି ଯେ କେତେକ କ୍ଷେତ୍ରରେ ହିଂସା କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ହିଂସା ଘଟିଛି, ସେଗୁଡ଼ିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ |  ବାସ୍ତବରେ ଏହା ଦେଶକୁ ଅସ୍ଥିର କରିବା ପାଇଁ ଏକ ଷଡ଼ଯନ୍ତ୍ର, ଯାହାକୁ ଏକ ଧାର୍ମିକ ରଙ୍ଗ ଦିଆଯାଉଛି  ।କିନ୍ତୁ ସରକାର ଏଭଳି ପରିସ୍ଥିତିର ମୁକାବିଲା କରିବେ।

ଏହାସହିତ ମହମ୍ମଦ ୟୁନୁସ କହିଛନ୍ତି ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରୁ ପ୍ରତ୍ୟାର୍ପଣ କରିବାକୁ ଦାବି କରିବେ।  ଚଳିତ ବର୍ଷ ଅଗଷ୍ଟରେ ଆୱାମୀ ଲିଗ୍ ସରକାରଙ୍କ ପତନ ପରେ ଶେଖ ହସିନା ଭାରତ ପଳାଇଥିଲେ ଏବଂ ବର୍ତ୍ତମାନ ସେଠାରେ ରହୁଛନ୍ତି। ମହମ୍ମଦ ୟୁନୁସ କହିଛନ୍ତି ଯେ ଜୁଲାଇ-ଅଗଷ୍ଟ ବିପ୍ଳବ ସମୟରେ ଘଟିଥିବା ପ୍ରତ୍ୟେକ ହତ୍ୟା ପାଇଁ ଆମେ ନ୍ୟାୟ ମାଗିବୁ।  ଯେଉଁମାନେ ଦାୟୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବୁ । ଏବଂ ଏଥିପାଇଁ ଉତ୍ତରଦାୟୀ ଥିବା ହସିନାଙ୍କୁ ଭାରତରୁ ଫେରିବା ପାଇଁ ଦାବି କରିବୁ। ମହମ୍ମଦ ୟୁନୁସଙ୍କ ନିକଟରେ ଦେଇଥିବା ମନ୍ତବ୍ୟରେ ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ ଭାରତରୁ  ବହିଷ୍କୃତ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ‘ପଳାତକ’ ମାନଙ୍କୁ ଫେରାଇ ଆଣିବାରେ ଇଣ୍ଟରପୋଲର ସହାୟତା ଲୋଡିବେ।

 

 

ବିଦ୍ୟୁତ ନେଲା ୩ ହାତୀର ଜୀବନ !

ସମ୍ବଲପୁର: ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଅଭିଯୋଗ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୋଷରାମାଲ ପଂଚାୟତରୁ ହାତୀଙ୍କ ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଛି । ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ଆଘାତ ଯୋଗୁଁ ହାତୀ ଗୁଡିକର ମୃତ୍ୟୁ ହୋଇଥିବା ଅନୁମାନ କରିଛି ବନ ବିଭାଗ । ତେବେ କେଉଁ କାରଣରୁ ଏତେ ବଡ଼ ଅଘଟଣ ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।

ବାରହା ଶିକାର ପାଇଁ ବିଛାଇଥିବା ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଛି । ଏଥିରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି । ପୋଲିସକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି । RCCFଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ପିସିସିଏଫ କହିଛନ୍ତି ।