spot_img
Home Blog Page 1335

ଥରୁଛି ଓଡିଶା, ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ

ଭୁବନେଶ୍ବର: ଏଥର ଟିକେ ବିଳମ୍ଵରେ ଆସିଲା ଶୀତ। କିନ୍ତୁ ଏବେ ଜୋର ଶୀତ ହେଲାଣି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେଉଛି। ଗତକାଲି ଫୁଲବାଣୀ ଥିଲା ରାଜ୍ୟର ସବୁଠୁ ଥଣ୍ଡା ସହର। ଏଠାରେ ତାପମାତ୍ରା ଥିଲା ୧୦ ଦଶମିକ ୫ ଡିଗ୍ରୀ ସେଲସିୟସ।

ସେହିପରି ଦାରିଙ୍ଗିବାଡିରେ 11.5° ସେଲସିୟସ୍, ଅନୁଗୁଳରେ 11.6°, ରାଉରକେଲାରେ 12.2°, ଝାରସୁଗୁଡା 12.4°, ଭବାନୀପାଟଣା 13°, ଭଦ୍ରକ 14°, ସୁନ୍ଦରଗଡ 14°, କେନ୍ଦୁଝରରେ 14° ରହିଛି ତାପମାତ୍ରା। ଭୁବନେଶ୍ୱର ତାପମାତ୍ରା 16.8° ଥିବା ବେଳେ ଏବଂ କଟକର ତାପମାତ୍ରା 16° ସେଲସିୟସ ଥିଲା ।

ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ୩ ଗିରଫ ଜଣେ ଫେରାର

ସମ୍ବଲପୁର: ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା। ଆକ୍ସନ ଆରମ୍ଭ କଲା ବନ ବିଭାଗ। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସେହିପରି ବନବିଭାଗର ତ୍ରୁଟି ଥିବାରୁ ତୁରନ୍ତ ୩ କ୍ଷେତ୍ରର ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କଲା ବନ ବିଭାଗ ।

ସେପଟେ ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କଲା ବନ ବିଭାଗ। ଏହାସହ ବିଦ୍ୟୁତ୍ ବିଭାଗ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। ଏହାସହ ଶିକାରୀଙ୍କୁ ସୁଧାରିବା ପାଇଁ ଗାଁ ଗାଁରେ ହେବ ସଚେତନତା ସଭା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଘୁସରାମାଲ ପଞ୍ଚାୟତରୁ ଗତକାଲି ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ।

ମୃତ ହାତୀଙ୍କ ମଧ୍ୟରୁ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଥିଲେ। ପ୍ରାଥମିକ ତଦନ୍ତରୁ ବାରହା ଶିକାର ପାଇଁ ବିଛାଇଥିବା ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି

ନାବାଳିକାଙ୍କୁ ବିଜେପି ନେତାଙ୍କ ପୁଅ ଅସଦାଚରଣ କରିଥିବା ଅଭିଯୋଗ

ଯାଜପୁର: ନାବାଳିକାଙ୍କୁ ବିଜେପି ପଞ୍ଚାୟତ ସଭାପତିଙ୍କ ପୁଅ ଅସଦଆଚରଣ କରିଥିବା ଅଭିଯୋଗ । ଯାଜପୁର ଜିଲ୍ଲା ଅଳୁକୁଣ୍ଡ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।

ଗତକାଲି ଅପରାହ୍ନରେ ସମୟରେ ନାବାଳିକା ଜଣକ ନିଜ ଘରକୁ ଆସୁଥିବା ବେଳେ ଅଳୁକୁଣ୍ଡ ପଞ୍ଚାୟତର ବିଜେପି ସଭାପତି ରମାକାନ୍ତ ଦାଶଙ୍କ ପୁଅ ନିର୍ମଳ ଦାଶ ନାବାଳିକାକୁ ଅଟକାଇ ଜୋରଜବରଦସ୍ତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଯୁବକ ଏଭଳି ଅସଦାଚରଣ କରିଥିଲା । ଯାହାକୁ ନେଇ ନାବାଳିକାଙ୍କ ମାଆ ଗତକାଲି ଅଳୁକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଳୁକୁଣ୍ଡ ପୋଲିସ ଅଭିଯୋଗ ଆଧାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋଟ ଚାଲାଣ କରିଛି ।

ରାଜଧାନୀ ସ୍ଥିତ ହୋଟେଲ ହାଲୋ ଷ୍ଟେରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ହାଲୋ ଷ୍ଟେରୁ ଏକ ଏଗାର ବର୍ଷ ବୟସର ଶିଶୁ ଶ୍ରମିକ ଉଦ୍ଧାର । ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା ଓ ଚନ୍ଦ୍ରଶେଖରପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ଶିଶୁ ଶ୍ରମିକକୁ ଉଦ୍ଧାର କରିଛନ୍ତି । ଶିଶୁଟି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ବୋଲି ସୂଚନା ମିଳିଛି ।

କିଛି ଦିନ ହେବ ତା’ର ପରିବାର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୋଟିଏ ବସ୍ତିରେ ରହୁଛନ୍ତି । ପିଲାଟିର ବାପା ପରିବାରକୁ ଛାଡ଼ି କେଉଁଆଡେ ପଳେଛନ୍ତି । ପିଲାଟି ସେହି ଅଞ୍ଚଳର ହୋଟେଲ ହାଲୋ ଷ୍ଟେରେ ପ୍ରାୟ ତିନି ମାସ ହେବ କାମ କରିଆସୁଛି । ହୋଟେଲର ମ୍ୟାନେଜର ଦିପୁ ସାମନ୍ତ ପିଲାଟିକୁ ହୋଟେଲରେ ଝାଡୁ ପୋଛା, ପରିବା କଟା, ପାଣି ଦେବା ଇତ୍ୟାଦି କାମରେ ନିୟୋଜିତ କରି ତାକୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା ।

ପିଲାଟିର ମଜୁରୀ ବାବଦକୁ ପଇସା ତା’ର ଜେଜେ ମାଆ ନେଇଯାଏ ବୋଲି ପିଲାଟି କହିଛି । ପିଲାଟିକୁ ଉଦ୍ଧାର କରି ରୁଚିକାର କର୍ମକର୍ତ୍ତା ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଅତିରିକ୍ତ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଇଛନ୍ତି । ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶ କ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଘଟଣା ସମ୍ପର୍କରେ ଏକ ଏତଲା ଦାୟର କରାଯିବ ବୋଲି ଜଣାପଡିଛି ।

ଦୁଇ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଇଥିବା ହାର୍ଟ ଏମ୍ସରେ ହେଲା ପୁଣି ଆକ୍ଟିଭ୍

ଭୁବନେଶ୍ବର: ଚିକିତ୍ସା ବିଜ୍ଞାନ ଓ ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଜଣେ ଯବାନଙ୍କୁ ଦେଲା ନୂଆ ଜୀବନ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଏମ୍ସ ଭୁବନେଶ୍ୱର ଡାକ୍ତର । ଦୁଇ ଘଣ୍ଟା ପରେ ପୁନଃ କାର୍ଯ୍ୟ କଲା ବନ୍ଦ ହୋଇଯାଇଥିବା ଯବାନଙ୍କ ହୃଦୟ । ପୂର୍ବ ଭାରତରେ ଏଭଳି ଘଟଣା ପ୍ରଥମ ।

ନୟାଗଡ଼ ରଣପୁର ଅଞ୍ଚଳର ଯୁବକ ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ବେଳେ ଅକ୍ଟୋବର ପହିଲାରେ ଏମ୍ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା । ଏମ୍ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ । ଜୀବନ ବଞ୍ଚାଇବା ପାଇଁ ୪୦ ମିନିଟର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରି ନଥିଲା । ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତ୍ତି ନିଆଯାଇଥାଏ । ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା । ତେବେ ଏମ୍ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ ।

ଏକମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ । ତେବେ ଇସିପିଆର ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା । ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକମୋରୁ ବାହାର କରାଯାଇଥିଲା ।

ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଓ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା। ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ କରିଥିବା ଡାକ୍ତରୀ ଦଳକୁ ପ୍ରଶଂସା କରିଛନ୍ତି । ସେପଟେ ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମାଆ ।

ସରକାରୀ ଜମିରେ ବୈକୁଣ୍ଠ ଧାମ ଆଶ୍ରମ !

ଭୁବନେଶ୍ବର: ସରକାରୀ ଜମିରେ ବୈକୁଣ୍ଠ ଧାମ ଆଶ୍ରମର ସାମ୍ରାଜ୍ୟ । ଜିଏ ବିଭାଗ ପକ୍ଷରୁ ମାପ ଚୁପ ପରେ ସାମ୍ନାକୁ ଆସିଲା ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ ଜାଗାରେ ଗଢ଼ି ଉଠିଛି ବୈକୁଣ୍ଠ ଧାମ ଆଶ୍ରମ । ସରକାରୀ ଜମିରେ ଆଶ୍ରମ ଗଢ଼ି ଉଠିଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ମାପଚୁପ ।

ଆଶ୍ରମ ସରକାରୀ ଜମିରେ ଗଠି ଉଠିଛି ନା ନାହିଁ ଏହାର ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ବିଡିଏ, ଜିଏ ଓ ତହସିଲ ବିଭାଗରୁ ୮ ଜଣିଆ ଷ୍ଟାଫ ସରଜମିନ ଅନୁଧ୍ୟାନ କରିଥିଲେ । ଶେଷରେ ଆଶ୍ରମଟି ସରକାରୀ ଜମିରେ ଥିଲା ବୋଲି କହିଛି ଜିଏ ବିଭାଗ ।

ଅନ୍ୟପଟେ ଜଣେ ଯୁବତୀ ଆଶ୍ରମର ଆତ୍ମଘୋଷିତ ଭଗବାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବିରୋଧ ଜୋର ଧରିଛି । ଶତାଧିକ ସଂଖ୍ଯାରେ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି । ଭଗବାନ ରୂପେ ପୂଜା ପାଉଥିବା ନାବାଳକ ଦାମୀ ଗାଡ଼ିରେ ଯୁବତୀଙ୍କୁ ଧରି ବୁଲନ୍ତି । ଲକ୍ଷେ ଟଙ୍କା ଦେଲେ ଅପୁତ୍ରିକ ନାରୀଙ୍କୁ ସନ୍ତାନ ପ୍ରାପ୍ତି ହୁଏ ବୋଲି କହିଥାନ୍ତି ବୋଲି ଅଭିଯୋଗ ହୋଇଛି ।

ସେପଟେ ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି । ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି । ଆଖପାଖ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା । କିନ୍ତୁ ବାହାରୁ ଆସୁଥିବା ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରେ କରାଯାଇଥିଲା ସ୍ଵତନ୍ତ୍ର ବ୍ୟବସ୍ଥା । ନାବାଳକକୁ ଜଗନ୍ନାଥ କହି କଲକୀ ଅବତାର ରୂପ ଦେଇ ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ । ବିବାଦ ତେଜିବା ପରେ ଆତ୍ମ ଘୋଷିତ ଭଗବାନ କୁଆଡେ ଗାୟବ ହୋଇଯାଇଥିବା ଜଣାପଡ଼ିଛି ।

ଆମେରିକାରେ ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଗିରଫ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଗିରଫ । ଆମେରିକାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା । ବହୁ ଦିନ ହେଲା ସେ ଆମେରିକାରେ ଲୁଚିଥିଲା । ମୁମ୍ଵାଇର ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସେ ଏନଆଇଏ ରାଡାରକୁ ଆସିଥିଲା । ତାର ଆଗରୁ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା କରିଥିଲା ମୁମ୍ଵାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ । ଜାରି ହୋଇଥିଲା ଇଣ୍ଟରପୋଲ ନୋଟିସ୍ ।

ସଲମାନ ଖାନଙ୍କ ଘରକୁ ଗୁଳି ଓ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ୱାଣ୍ଟେଡ ଅଛି ଅନମୋଲ ବିଷ୍ଣୋଇ । ତା’ ଭାଇ ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ସାବରମତି ଜେଲରେ ଅଛି । କିନ୍ତୁ ଜେଲ ଭିତରେ ଥାଇ ମଧ୍ୟରେ ସେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇଛି । ବିଶେଷ କରି ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲା ।

ଆଗରୁ ମଧ୍ୟ ସଲମାନ ଖାନଙ୍କ ଘର ଆଗରୁ ଗୁଳି ଫୁଟାଇଥିଲେ କିଛି ଅପରାଧୀ । ଏହା ପଛରେ ଅନମୋଲର ହାତ ଥିବା ପୋଲିସ ସନ୍ଦେହ କରୁଛି । ପଞ୍ଜାବର ପପ୍ ସିଙ୍ଗର ସିଦ୍ଧୁ ମୋସେୱାଲାକୁ ମଧ୍ୟ ହତ୍ୟା କରିଥିଲେ ଏହି ଗ୍ୟାଙ୍ଗ । ସେହି ମାମଲାରେ ଏନଆଇଏ ଅନମୋଲ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଏବେ ଆମେରିକାରୁ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି ।

ପେଟ୍ରୋଲ ଡିଜେଲ ଦରକୁ ନେଇ କେନ୍ଦ୍ରର ନୂଆ ଫଣ୍ଡା, କମରେ କିଣ ଲାଭ ଦିଅ

ଭୁବନେଶ୍ବର: କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ? ଏନଡିଏର ୧୦ ବର୍ଷ ଶାସନରେ ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ପାଇଆସୁଛନ୍ତି ପ୍ରାୟ ୫୦ ହଜାରରୁ ୮୦ ହଜାର କୋଟି ନିଟ୍ ଲାଭ । ଅଶୋଧିତ ତୈଳ ଦର ମଧ୍ୟ ଲଗାତାର କମି ଚାଲିଛି । ଏବେ ବ୍ୟାରଲ ପିଛା ୭୧ ଡଲାର, ଆଗକୁ ଆହୁରି କମିବ । ହେଲେ ଲୋକେ କ’ଣ ପାଉଛନ୍ତି ? ଅପର୍ଯ୍ୟାପ୍ତ ଲାଭ ହେଉଥିବାରୁ ଘରୋଇ ତୈଳ ବିପଣନ କମ୍ପାନୀ ଡିଜେଲ ଲିଟର ପିଛା ଖୁଚୁରା ଓ ମୋଟା ଅଙ୍କରେ କିଣା ଉପରେ ୩ ଟଙ୍କାରୁ ୨୨ ଟଙ୍କା ରିହାତି ଦେଉଛନ୍ତି । ସେ କ୍ଷେତ୍ରରେ କାହିଁକି କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦର କମାଉ ନାହାନ୍ତି ତାହା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଛି ।

କମରେ କିଣ ବମ୍ପର ଲାଭ କର । ଦର କମାଅନି କି ଲୋକଙ୍କୁ ଶସ୍ତା ଦିଅନି । ବିଶ୍ବ ମାନ୍ଦାବସ୍ଥା ଓ ଯୁଦ୍ଧ ସ୍ଥିତିର ଗୋଲକ ଧନ୍ଦାକୁ ଲୋକଙ୍କ ଆଗରେ ଥୁଅ । ଯେତେ ପାରୁଛ କେନ୍ଦ୍ରକୁ ଲାଭାଂଶ ଦିଅ । ଏ ହେଉଛି ଏବେର କେନ୍ଦ୍ର ସରକାରଙ୍କ ଆର୍ଥିକ ବିକାଶ ଫର୍ମୁଲା ।

ଘରୋଇ ବିପଣନ କମ୍ପାନୀ ଦେବେ ରିହାତି । ହେଲେ ଲାଭ ଉପରେ ଡବଲ ଲାଭ କରି ଲୋକଙ୍କୁ କେତେଦିନ ଶୋଷି ଚାଲିଥିବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ? ଲଗାତାର କମୁଛି ଅଶୋଧିତ ତୈଳ ଦର । ଆଜି ବ୍ୟାରେଲ ପିଛା ୭୧ ଡଲାର । ଯାହାକି ଋଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବ ସ୍ଥିତି ଦର ସହ ସମାନ । ତଥାପି ପେଟ୍ରୋଲ ଲିଟର ୧୦୧ ଟଙ୍କା ୨୮ ଓ  ଡିଜେଲ ୯୨ ଟଙ୍କା ୭୯ ପଇସା । ଏନଡିଏର ୧୦ ବର୍ଷରେ କେବଳ ଆଇଓସିଏଲର ନିଟ୍ ଲାଭ ହାରାହାରି ୧୮ ହଜାର ୯୫୫ କୋଟି । ସେହିପରି ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଙ୍କ ନିଟ ଲାଭ ହିସାବ କଲେ ବାର୍ଷିକ ପ୍ରାୟ ୫୦ ହଜାର କୋଟିରୁ ୮୦ ହଜାର କୋଟି ।

ଘରୋଇ ତୈଳ ବିପଣନ କମ୍ପାନୀ ନାୟେରା ୩୫ ହଜାର କିଲୋ ଲିଟର ଡିଜେଲ ପାଇଁ ନେଇଛି ୨୪ ଲକ୍ଷ ୭୫ ହଜାର ୩୫୪ ଟଙ୍କା । ହିସାବ କଲେ ଡିଜେଲ ଲିଟର ପଡ଼ିଲା ୭୦ ଟଙ୍କା ୭୨ ପଇସା । ଏବେ ଦେଖନ୍ତୁ ଖୁଚୁରା ଗ୍ରାହକଙ୍କ ପାଇଁ ରିଲାୟନ୍ସ ୩ ଟଙ୍କା ରିହାତି ଦେଉଥିବା ନେଇ ପମ୍ପ ଆଗରେ ବୋର୍ଡ ମାରିଛି । ଯଦି ଘରୋଇ ତୈଳ କମ୍ପାନୀ ରିହାତି ଦେଇପାରୁଛନ୍ତି ତା’ହେଲେ ରାଷ୍ଟ୍ରାୟତ୍ତ କମ୍ପାନୀ କାହିଁକି ପଇସାଟିଏ ଛାଡ଼ୁନାହାନ୍ତି ? କ’ଣ ବଜାର ଅଂଶ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଘରୋଇ କମ୍ପାନୀଙ୍କ ସହ ମଧୁଚନ୍ଦ୍ରିକା କରିଛନ୍ତି କି ?

ଖୁଚୁରା ଦର ଆଉ ବଢିବନି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ରାଜନୈତିକ ମନ୍ତବ୍ୟ ଦେଉଛନ୍ତି ।  ଅଶୋଧିତ ତୈଳ ଦର ତାଳ ଦେଇ ଖୁଚୁରା ଦର କମିବ ବଢିବ । ହେଲେ ୨୦୨୨ ଏପ୍ରିଲ ୬ରୁ ଡାଇନାମିକ ପ୍ରାଇସ ମେକାନିଜମକୁ ବନ୍ଦ କରିଦେଇଛନ୍ତି । ଚଳିତବର୍ଷର ଦ୍ବିତୀୟ ତ୍ରୟମାସିକରେ ଲାଭ କମ୍ ଓ କ୍ଷତି ହୋଇଥିବା ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଘୋଷଣା କଲେ । ହେଲେ ବାସ୍ତବରେ ୧୦ ବର୍ଷର ବାଲାନସସିଟ ଦେଖିଲେ ଏହି କଥା ସହ ତାଳମେଳ ରହୁ ନଥିବା ଅଭିଯୋଗ ହୋଇଛି । ସମୟ ଆସିଛି କେନ୍ଦ୍ର ଓ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଲୋକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କମାଇବା ଦରକାର ।

କଟକ ବାଲିଯାତ୍ରା: ପ୍ରଥମ ଦିନରୁ ଅଘଟଣ ଆଉ ଅଘଟଣ, ଜିଲ୍ଲା ପ୍ରଶାସନକୁ ବାରବାଟୀ-କଟକ ବିଧାୟିକାଙ୍କ ଟାର୍ଗେଟ

କଟକ: ବ୍ୟାପକ ଅବ୍ୟବସ୍ଥା ଘେରରେ କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯିବା ସାଙ୍ଗକୁ ମଞ୍ଚରୁ ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଓହ୍ଲାଇ ଦିଆଗଲା । ଏହାସହ ରବିବାର ଜଣେ ଛାତ୍ରଙ୍କର ବିଦ୍ୟୁତ ଆଘାତରେ ଜୀବନ ଗଲା । ବାଲିଯାତ୍ରାରେ ଏଭଳି ପରିଚାଳନାଗତ ତ୍ରୁଟିକୁ ନେଇ ବର୍ଷିଛନ୍ତି ସ୍ଥାନୀୟ ବିଧାୟିକା । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତା’ର ତଦନ୍ତ ପାଇଁ ଦାବି ହୋଇଛି । ଖାଲି ସେତିକି ନୁହେଁ, ଜିଲ୍ଲା ପ୍ରଶାସନକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଯେଉଁମାନେ ଭାଇଚାରାର ସହରରେ ଭାଇଚାରା ସହ କାମ କରିବାକୁ ଚାହୁଁନାହାନ୍ତି ସେମାନେ କଟକ ଛାଡି ଚାଲିଯାଆନ୍ତୁ ବୋଲି ରୋକଠୋକ ଶୁଣାଇଛନ୍ତି ସୋଫିଆ ।

ବାଲିଯାତ୍ରା ଅବ୍ୟବସ୍ଥା

* ପ୍ରଥମ ଦିନରେ ରାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

* ଦ୍ୱିତୀୟ ଦିନରେ ବନ୍ଦ ହେଲା ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ

* ତୃତୀୟ ଦିନରେ କରେଣ୍ଟ ଲାଗି ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ

ଗତକାଲି ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିଲା । ଏହି ସମୟରେ କଟକ ତୁଳସୀପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଯୁକ୍ତଦୁଇ ଛାତ୍ର ବିଶ୍ୱପ୍ରକାଶ ମନ୍ଥନ ଓ ତାଙ୍କ ସାଙ୍ଗ ବାଲିଯାତ୍ରା ଦେଖିବା ପାଇଁ ଆସିଥିଲେ । କ୍ୟାଣ୍ଟନମେଣ୍ଟ ଥାନା ନିକଟ ରାସ୍ତା ଅତିକ୍ରମ କରୁଥିବା ବେଳେ, ଲିଚୁ ଲାଇଟ୍ କରେଣ୍ଟ ଲାଗି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବିଶ୍ୱପ୍ରକାଶ । ଯାହାକୁ ନେଇ ଏବେ ପ୍ରଶ୍ନ ଘେରରେ ପ୍ରଶାସନ । ଏହି ଅପମୃତ୍ୟ ପାଇଁ ପରିବାର ନ୍ୟାୟ ଦାବି କରିଥିବା ବେଳେ, ପ୍ରଶାସନକୁ ସିଧାସଳଖ ଦାୟୀ କରିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପ୍ରଶାସନିକ ଅଧିକାରୀଙ୍କ ବେପୁରୁଆ ମନୋଭାବ ପାଇଁ ଏଭଳି ଦୃଶ୍ୟ ସମ୍ନାକୁ ଆସିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ, ବିଧାନସଭାରେ ବାଲିଯାତ୍ରା ଅବହେଳା ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ସୋଫିଆ ।

କଟକରେ ଅତିଥିଙ୍କୁ କେବେ ବି ଅପମାନିତ କରାଯାଏନି । କିନ୍ତୁ ଯେଉଁ ଅଫିସର କଟକର ସମ୍ମାନ ରକ୍ଷା କରି କାମ କରିବାକୁ ଚାହୁଁନାହାନ୍ତି, ସେମାନେ ଜିଲ୍ଲା ଛାଡି ଚାଲିଯାଆନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରି କହିଛନ୍ତି ସୋଫିଆ । ଅନ୍ୟପଟେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ପ୍ରମାଣ ମିଳିଛି ଲିଚୁ ତାର ଅସୁରକ୍ଷିତ ଥିଲା । ତେବେ କାହାର ଭୁଲ ପାଇଁ ଏଭଳି ଘଟଣା ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବାଲିଯାତ୍ରାର ୪ ଦିନ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଥିଲା ବେଳେ, ଆଗକୁ ବାକି ୪ ଦିନ କିପରି କଟିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ତାରାଙ୍କ ସଙ୍କେତ, ନଭେମ୍ବର ୩୦ ସୁଦ୍ଧା ପିସିସି ସଭାପତି ଚୟନ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଚୟନ ପ୍ରକ୍ରିୟା । ଚଳିତ ମାସ ୩୦ ସୁଦ୍ଧା ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନପତି । ସାଙ୍ଗଠନିକ ଦକ୍ଷତା ଓ ଯେଉଁ ନେତାଙ୍କ ନାଁରେ କୌଣସି ବିବାଦ ନଥିବ ସେଭଳି ନେତାଙ୍କୁ ପିସିସି ସଭାପତି ଭାବେ ବଛାଯିବ । ଏଆଇସିସିର ୨ ଜଣ ପର୍ଯ୍ୟବେକ୍ଷକ ଖୁବଶୀଘ୍ର ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ତାରା । ଯାହାକୁ ନେଇ କଂଗ୍ରେସ ଶିବିରରେ ପୁଣି ଆରମ୍ଭ ହୋଇଛି ମୁଖିଆ ଚର୍ଚ୍ଚା ।

କିଏ ହେବ ପିସିସି ସଭାପତି ? କଂଗ୍ରେସ ଶିବିରରେ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ବୟାନ । ଆସନ୍ତା ୩୦ ତାରିଖ ସୁଦ୍ଧା ହାଇକମାଣ୍ଡ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ତାରା । ଖୁବଶୀଘ୍ର ଏଆଇସିସିର ଦୁଇ ଜଣ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ ହାଇକମାଣ୍ଡକୁ ସଠିକ୍ ରିପୋର୍ଟ ଦେବେ । ସେହି ଆଧାରରେ ସାଂଗଠନିକ ଦକ୍ଷତା ଓ କୌଣସି ଅଭିଯୋଗ ନଥିବା ନେତାଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ତାରା । ୨୦୨୪ ନିର୍ବାଚନ ପରେ ୫ ମାସ ହେଲାଣି ଖାଲି ପଡ଼ିଛି ପିସିସି ମୁଖିଆ ପଦ । ତେଣୁ ଶୀଘ୍ର ଓଡ଼ିଶାକୁ ନୂଆ ମଙ୍ଗୁଆଳ ମିଳିବ ବୋଲି ଆଶା ବାଢ଼ିଛନ୍ତି କଂଗ୍ରେସ ନେତା ।

ନଭେମ୍ବର ୪ ତାରିଖରେ ଓଡ଼ିଶା ଆସିଥିଲେ ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନ । କାହାକୁ କରାଯିବ ପିସିସି ସଭାପତି ସେନେଇ ଷ୍ଟିୟରିଂ ସଦସ୍ୟ, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ନିଆଯାଇଥିଲା ମତାମତ । ଓଡ଼ିଶା କଂଗ୍ରେସର ସ୍ଥିତି କ’ଣ ଓ କାହାକୁ ସଭାପତି କରାଗଲେ ଭଲ ହେବ, ସେକଥା କଂଗ୍ରେସ ହାଇକମାଣ୍ଡ ଅବଗତ ଅଛନ୍ତି ବୋଲି କହିଥିଲେ ଚରଣ ଦାସ ମହନ୍ତ । ତେଣୁ ୨ ଚୟନ କମିଟି ସଦସ୍ୟ ଓଡ଼ିଶାରେ କାହାକୁ ମୁଙ୍ଗୁଆଳ ପାଇଁ ସ୍ଥିର କରି ନାଁ ସୁପାରିଶ କରିଛନ୍ତି ତାକୁ ଚାହିଁ ବସିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ପିସିସି ସଭାପତି ଚୟନ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ ଏବଂ ଭକ୍ତଚରଣ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି । ନୂଆ ନା ପୁରୁଣାଙ୍କୁ ଭରଷା କରିବେ ହାଇକମାଣ୍ଡ । ଏହାକୁ ନେଇ କଂଗ୍ରେସ ଶିବିରରେ ଆରମ୍ଭ ହୋଇଛି ଅଙ୍କକଷା ।