spot_img
Home Blog Page 1333

ଲୋକେ ଆସୁଛନ୍ତି, ହେଲେ ଲାଗୁନି ମୁଖ୍ୟମନ୍ତ୍ରୀଙ୍କ ଦରବାର; କୁଆଡ଼େ ଗଲା ଲୋକଙ୍କ ସରକାର ସ୍ଲୋଗାନ ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣିକୁ ନେଇ ଦେଖିବାକୁ ମିଳିଲାନି ଜନ ଅସନ୍ତୋଷ । ୫ ମାସର ବିଜେପି ସରକାର ୫ ଥର ବି କରିପାରିନି ଜନ ଅଭିଯୋଗ ଶୁଣାଣି । କ୍ଷମତାକୁ ଆସିବା ମାତ୍ରେ ଘୋଷଣା କଲେ ଯେ, ପ୍ରତି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ଯମନ୍ତ୍ରୀ । ହେଲେ ସ୍ଥିତି ଏପରି ହେଲାଣି ଯେ ଏହା ଆଗକୁ ଚାଲିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଲାଣି । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅଧିକାଂଶ ସମୟ ବାତିଲ ହେବା ଯୋଗୁଁ ଅଭିଯୋଗ କରିବାକୁ ଆସୁଥିବା ଲୋକମାନେ ହଇରାଣ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଓ ସମାଜର ବିଭିନ୍ନ ବର୍ଗର ଲୋକେ ।

ଟେଣ୍ଟ ବନ୍ଧା ହୋଇକି ଅଛି, ବାରିକେଡ ବି ଲାଗିଛି । ଲାଗୁଛି ଏ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ । ହେଲେ ଏହାର ଦିନେ ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସୁଛି ଏଇ ସୋମବାର ଜନ ଅଭିଯୋଗ ଶୁଶାଣି ବାତିଲ । ଏହାରି ଭିତରେ ରାଜ୍ୟର ବିଜେପି ସରକାରକୁ ୫ ମାସ ପୂରିଛି । ୫ ମାସ ଭିତରେ ୫ ଥର ବି ହୋଇପାରିନାହିଁ ଜନ ଅଭିଯୋଗ ଶୁଣାଣି । ଜନତା ଅଛନ୍ତି ହେଲେ ଜନ ଶୁଣାଣି ହେଉନାହିଁ । ଫଳରେ ଆସୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି । କିଏ ମାଲକାନାଗିରି ତ କିଏ ପୁରୀ ଗୋପ ଅଞ୍ଚଳରୁ ଅବା ରାଜଧାନୀ ଉପଖଣ୍ଡରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶୁଣାଣି କରିପାରୁ ନଥିବା ବେଳେ ମନ୍ତ୍ରୀମାନେ ମଧ୍ୟ ବିଜେପି କାର୍ଯ୍ୟାଳୟରେ ଶୁଣାଣି କରିବାର ବି ଦେଖିବାକୁ ମିଳୁନାହିଁ ।

ସୁର ମୁଦୁଲି । ଘର ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ । ରୋଗାକ୍ରାନ୍ତ ଯୋଗୁଁ ଠିକସେ ଚାଲି ବି ପାରୁନାହାନ୍ତି । ହେଲେ ବାରମ୍ବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ କରିବାକୁ ଆସି ନିରାଶ ହେଉଛନ୍ତି । ସେହିପରି ତ୍ରିଲୋଚନ ନାଥ ମହାରାଣାଙ୍କ ବୟସ ୮୧ ବର୍ଷ ଓ ଘର ଖଣ୍ଡଗିରି ଅଞ୍ଚଳରେ । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣିରେ ସାମିଲ ହୋଇ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ସମସ୍ୟା ଲାଗି ତାଙ୍କୁ ପାଲଟା ଜବାବ ମିଳିଛି । ଯାହାକୁ ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।

ବିଜେପି ସରକାରଙ୍କ ଘୋଷଣା ଓ ବାସ୍ତବତା ନେଇ ୫ ମାସରେ ଓଲଟା ଗତିରେ ଚାଲୁଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଜନ ଅଭିଯୋଗ ଶୁଣାଣି ଠିକସେ ହେଉ ନଥିବାରୁ ଲୋକେ ହଇରାଣ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଜନଶୁଣାଣିକୁ ଅଧିକ ଗୁରୁତ୍ବ ଦେବାକୁ କଂଗ୍ରେସ ବିଧାୟକ ଦାବି କରିଛନ୍ତି । ସେହିପରି  ଜନଶୁଣାଣିକୁ କେବଳ ପ୍ରଚାର ସର୍ବସ୍ବ କରି ବିଜେପି ସରକାର ବାହାଦୁରୀ ନେବାକୁ ଯୋଜନା କରିଥିଲା । ଜନତା କିପରି ଜନଶୁଣାଣିରେ ଉପକୃତ ହେବେ ସେ ନେଇ ସରକାରଙ୍କ ଚିନ୍ତା ନାହିଁ ବୋଲି ବିଜେଡି କହିଛି । ବିଜେଡି ବିଧାୟକ ସାରଦା ଜେନା ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅଧିକାଂଶ ସମୟ ବାତିଲ ହେଉଥିବାରୁ ରାଜ୍ୟର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଜଣେ ଉପମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିର ଦାୟିତ୍ବ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ବିଜେପି କିନ୍ତୁ ଅଭିଯୋଗ ଶୁଣାଣିକୁ ନେଇ ଭିନ୍ନ ଯୁକ୍ତି ବାଢିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଓ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସଠିକ ଭାବେ ହୋଇପାରୁ ନଥିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତା’ଠୁ ବଳିଯାଇଛି ଅଭିଯୋଗ ସମାଧାନ ବାଟ ତ୍ବରିତ ନହେବା । ତେବେ ପ୍ରଚାର ନୁହେଁ, ଜନତାଙ୍କ ସେବା ପାଇଁ ପ୍ରକୃତ ଜନଶୁଣାଣି କରିବାକୁ ସବୁ ମହଲରେ ଦାବି ହୋଇଛି । ଆଗକୁ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିଛି ।

ଟାକୁଆ ଟ୍ରାଜେଡି: ମାଣ୍ଡିପଙ୍କା ଯିବାକୁ ଡରୁଛନ୍ତି ସରକାର !

ଭୁବନେଶ୍ବର: ଆଦିବାସୀଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଏତେ ଉଦାସୀନ କାହିଁକି ? ନା ସେମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବୁଛନ୍ତି ବିଜେପି ସରକାର । ଦାୟିତ୍ଵ ନେବା ବେଳକୁ କିଛି ନାହିଁ । ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଜାଉ ଖାଇ ତିନି ତିନି ଜଣଙ୍କ ଜୀବନ ଗଲା, ହେଲେ ସେହି ଗାଁରେ ଏଯାଏଁ କୌଣସି ମନ୍ତ୍ରୀଙ୍କ ପାଦ ପଡ଼ି ନାହିଁ । ସେମାନଙ୍କ ସୁଖଦୁଃଖ ବୁଝିବାକୁ କେହି ଗଲେ ନାହିଁ । ବରଂ ଆମ୍ଵ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କହି ଓଲଟା ସେମାନଙ୍କର ଦାରିଦ୍ର୍ୟକୁ ଉପହାସ କଲେ । ରାଜ୍ୟ ସରକାରଙ୍କ ମୁଖିଆ ଜଣେ ଆଦିବାସୀ ହୋଇ ଆଦିବାସୀଙ୍କ ପ୍ରତି ଏତେ ଅବହେଳା କ’ଣ ପାଇଁ ? ବୋଧହୁଏ ମାଣ୍ଡିପଙ୍କା ଗାଁର ଲୋକଙ୍କୁ ସାମ୍ନା କରିବାକୁ ସରକାରଙ୍କ ସାହସ ନାହିଁ । ଏପରି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଆମ୍ଵ ଟାକୁଆ ଜାଉ ଖାଇ ୩ ଜଣଙ୍କ ଜୀବନ ଗଲା ପରେ ମୃତକଙ୍କ ଗାଁ ମାଣ୍ଡିପଙ୍କାକୁ ଯିବା ପାଇଁ ବର୍ତ୍ତମାନ ସରକାରଙ୍କ କୌଣସି ପ୍ଲାନ ନାହିଁ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବୋଧହୁଏ ଏତେ ବଡ଼ ଲଜ୍ଜା ପରେ ବି ରାଜ୍ୟ ସରକାରଙ୍କ ଚେତା ପଶିନି । ମାଣ୍ଡିପଙ୍କାର ଅଧିକାଂଶ ଲୋକ ଆଦିବାସୀ । ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଖାଇବାକୁ ମିଳୁନି । ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଇବାରୁ ଜୀବନ ଗଲା । କିନ୍ତୁ ମାଣ୍ଡିପଙ୍କା ଯାଇ ସେଠାକାର ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ରାଜ୍ୟ ସରକାରଙ୍କ ପାଖରେ ସମୟ ନାହିଁ । ସଂରକ୍ଷିତ ଆଦିବାସୀ ଅଞ୍ଚଳର ବିକାଶ ଦାୟିତ୍ଵ ରାଜ୍ୟପାଳଙ୍କର । ଛଟ ପୂଜା ପରେ ମାଣ୍ଡିପଙ୍କା ଯିବେ ବୋଲି କଂଗ୍ରେସ ପ୍ରତିନିଧିଙ୍କୁ ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏଯାଏଁ ଯାଇନାହାନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି, ଆମ୍ଵ ଟାକୁଆ ଜାଉ ଖାଉଥିବା ମାଣ୍ଡିପଙ୍କାର ଲୋକଙ୍କୁ ଭେଟିବାକୁ ରାଜ୍ୟ ସରକାରଙ୍କର ସାହସ ନାହିଁ । ହେଲେ ଆଦିବାସୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବାକୁ ସାହସ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଆମ୍ଵ ଟାକୁଆ ଜାଉ ଖାଇଥିବା ଲୋକଙ୍କ ଦୁର୍ଦ୍ଦଶା ଏତିକିରେ ସରିନାହିଁ । ଯେଉଁମାନେ ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲ ଓ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ଉତ୍ତମ ସେବା ମିଳୁ ନଥିବାର ଅଭିଯୋଗ ହୋଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି, ଚିକିତ୍ସା ଅବହେଳାରୁ ଜିତା ମାଝୀଙ୍କ ମୃତ୍ୟୁ ହୋଇଛି । ସେ ଗୁରୁତର ଥିବା ସତ୍ତ୍ଵେ ବିଭିନ୍ନ ପରୀକ୍ଷା ପାଇଁ ଲାଇନରେ ଠିଆ ହେବାକୁ ପଡୁଥିଲା । ଏପରିକି ସାଲାଇନ୍ ସରିବା ପରେ ତାକୁ ବାହାର କରିବା ପାଇଁ ନର୍ସମାନଙ୍କୁ କହିବାକୁ ପଡୁଥିଲା । ହସ୍ପିଟାଲ କର୍ମଚାରୀ ନିଜ ତରଫରୁ ତତ୍ପର ହୋଇ ଏସବୁ କାମ କରୁ ନଥିଲେ । ସେପଟେ ପ୍ରଥମ ଦୁଇ ମହିଳାଙ୍କ ମୃତ୍ୟୁକୁ ୧୮ ଦିନ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ପରିବାରକୁ ସରକାରୀ ସହାୟତା ମିଳି ପାରନି । ସେମାନେ ଚଳିବେ କିପରି ତାକୁ ନେଇ ପ୍ରଶ୍ନ ଉଠିଛି ।

ଆମ୍ଵ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ, ଏକ ସାଧାରଣ ଘଟଣାର ରୂପ ଦେବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଉପହାସ କରିବା ପରି ମନ୍ତ୍ରୀ କହୁଛନ୍ତି, ଆମ୍ବ ଟାକୁଆ ଜାଉ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଆଦିବାସୀ । ସେମାନେ ବି କ’ଣ ନିୟମିତ ଭାବେ ଖୁସି ମନରେ ଆମ୍ଵ ଟାକୁଆ ଜାଉ ଖାଉଛନ୍ତି କି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି

ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା ସହ ମାଡ଼ ଅଭିଯୋଗ

ବଲାଙ୍ଗୀର: ଦେଓଗାଁ ଅତିରିକ୍ତ ତହସିଲଦାର ସୋମକେଶ ନାଏକଙ୍କୁ ଟଣାଓଟରା । ସାର୍ଟର କଲର ଧରି ଟଣାଓଟରା କରାଯାଇଛି । ଏପରିକି ଅଫିସରେ ପଶି ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି ।

ଅଭିଯୋଗ ହୋଇଛି, ସେ ଜାତିଗତ ପ୍ରମାଣପତ୍ର ନ ଦେବାରୁ ବିବେକ ମେହେର ନାମକ ଜଣେ ଯୁବକଙ୍କ ଚାକିରି ଗଲା । ବିବେକଙ୍କ ଘର ଦେଓଗାଁ ବ୍ଲକ ସତୀଘାଟ ଗାଁରେ । ସେ ସିଆରପିଏଫରେ ଚାକିରି ପାଇଥିଲେ । କିନ୍ତୁ ଠିକ୍ ସମୟରେ ଜାତିଗତ ପ୍ରମାଣପତ୍ର ଦେଇପାରିଲେ ନାହିଁ । କାରଣ ତହସିଲ ଅଫିସରୁ ସାର୍ଟିଫିକେଟ ମିଳିଲା ନାହିଁ । ସାର୍ଟିଫିକେଟ ଦେଇ ନପାରିବାରୁ ଚାକିରି ଗଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାର ଓ ଗାଁ ଲୋକେ ତହସିଲ ଅଫିସକୁ ଆସି ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅତିରିକ୍ତ ତହସିଲଦାର କହିଛନ୍ତି, ମେହେର ସାଙ୍ଗିଆରେ ଉଭୟ କୁଲି ଜାତି ଓ ଭୁଲିଆ ଜାତି ଅଛନ୍ତି । ଏହାକୁ ନେଇ ଦ୍ଵନ୍ଦ୍ଵ ରହିଥିଲା । ଏ ସଂପର୍କରେ ସେ ଅକ୍ଟୋବର ୩୦ ତାରିଖରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ବଲାଙ୍ଗୀର ଜିଲ୍ଲାପାଳ କିନ୍ତୁ କିଛି ଉତ୍ତର ଦେଇ ନଥିଲେ । ତେଣୁ ସାର୍ଟିଫିକେଟ ଦିଆଯାଇପାରି ନଥିଲା । ତାଙ୍କର ଏହି ଉତ୍ତର କିନ୍ତୁ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ଜଣେ ମହିଳା ତାଙ୍କର ସାର୍ଟ କଲର ଧରି ଟଣା ଓଟରା କରିଛନ୍ତି ।

ଟ୍ରମ୍ପଙ୍କ ନୂଆ କ୍ୟାବିନେଟ ଦେଖି ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ କ୍ଯାବିନେଟକୁ ଦେଖି ପାକିସ୍ତାନ ଛାନିଆ । ହଜି ଗଲାଣି ନିଦ । ଦ୍ବିତୀୟ ପାଳିରେ ଟ୍ରମ୍ପ ନିଜ କ୍ଯାବିନେଟରେ ବିଭିନ୍ନ ବ୍ଯକ୍ତିତ୍ବଙ୍କୁ ଯେପରି ସ୍ଥାନୀତ କରୁଛନ୍ତି ସେଥିରେ ବିଶେଷ କରି ପାକିସ୍ତାନର ସାମରିକ ବିଭାଗ ଚିନ୍ତିତ ଥିବା ଜଣାଯାଇଛି ।

ଟ୍ରମ୍ପ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ସେ ସିନେଟର ଥିବାବେଳେ ଆତଙ୍କବାଦ ସଂକ୍ରାନ୍ତରେ ପାକିସ୍ତାନ ବିରୋଧରେ ଭାରତର ଯୁକ୍ତିକୁ ସମର୍ଥନ କରି ଏକ ବିଲ୍ ଆଣିଥିଲେ । ଯାହାକି ରାଓ୍ବଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟ ଲାଗି ଚିନ୍ତାର କାରଣ ପାଲଟି ଥିଲା । ଏକ୍ଷେତ୍ରରେ ଭାରତ ଯୁକ୍ତି କରିଥିଲା ପାକିସ୍ତାନକୁ କୌଣସି ପ୍ରକାର ଆମେରିକୀୟ ନିରାପତ୍ତା ସହାୟତା ଦିଆ ନଯାଉ । ଏହା ସହ ଚୀନର ଆଧିପତ୍ଯ ବିରୋଧରେ ଭାରତକୁ ଅଧିକ ସହାୟତା ଲାଗି ରୁବିଓ ଆଣିଥିବା ବିଲରେ ବ୍ଯବସ୍ଥା ଥିଲା । ଏହାସହ ଜାପାନ, ଇସ୍ରାଏଲ, ଦକ୍ଷିଣକୋରିଆ, ନାଟୋକୁ ଯେଉଁପରି ଭାବେ ଆମେରିକା ସହାୟତା କରୁଛି ଠିକ୍ ସେହିପରି ଭାରତକୁ ବି ସହାୟତା ଲାଗି ବିଲରେ ବ୍ଯବସ୍ଥା ରହିଛି ।

ସେହିପରି ଟ୍ରମ୍ପଙ୍କ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ମାଇକ ଓ୍ବାଜ । ସେ ପାକିସ୍ତାନରେ ତୀବ୍ର ବିରୋଧୀ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ନେଇ ପାକିସ୍ତାନ ବିରୋଧରେ ସର୍ବଦା ମତ ଦେଇଆସୁଛନ୍ତି ମାଇକ । ଲସକର ସମେତ ଅନ୍ଯାନ୍ଯ ସଂଗଠନକୁ ପାକିସ୍ତାନ ପ୍ରୋତ୍ସାହିତ କରିବା ସହ ସେନା ଓ ଆଇଏସଆଇ ଏହାକୁ ସମର୍ଥନ କରୁଛି ବୋଲି ସେ କହିଥିଲେ ।

ଟ୍ରମ୍ପ କ୍ଯାବିନେଟରେ ସ୍ଥାନ ପାଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ଟୁଲସି ଗାବାର୍ଡ । ସୀମା ପାର୍ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ଭୂମିକା ନେଇ ଭାରତର ଅଭିଯୋଗକୁ ସର୍ବଦା ସମର୍ଥନ କରିଆସୁଛନ୍ତି ଗାବାର୍ଡ । ୨୦୧୯ ପୁଲଓ୍ବାମା ଆକ୍ରମଣ ପରଠାରୁ ସେ ସର୍ବଦା ଭାରତ ସପକ୍ଷରେ ରହିଆସିଛନ୍ତି । ଅଲ କ୍ବେଦା ନେତା ଓସମା ବିନ ଲାଡେନଙ୍କୁ ଆଶ୍ରୟ ଦେବା ଘଟଣାରେ ବି ପାକିସ୍ତାନକୁ ଟାର୍ଗେଟ କରିଆସୁଛନ୍ତି ଗାବାର୍ଡ ।

ସେହିପରି ସିଆଇଏ ମୁଖ୍ଯ ଜନ ରାଟକ୍ଲିଫ ବି ରହିଛନ୍ତି ପାକିସ୍ତାନ ବିରୋଧରେ । ଚୀନ, ଇରାନ ପରି ପାକିସ୍ତାନକୁ ସର୍ବଦା ସତର୍କ ଦୃଷ୍ଟି ରଖି ଆସିଛନ୍ତି ରାଟକ୍ଲିଫ । ଆର୍ଥିକ ସମସ୍ଯାରେ ପାକିସ୍ତାନ ଛଟପଟ ହେଉଥିବାବେଳେ ପାକିସ୍ତାନ ବିରୋଧୀ ପଦାଧିକାରୀଙ୍କୁ ଟ୍ରମ୍ପ ନିଯୁକ୍ତି ଦେବା ଘଟଣା ଶେହବାଜ ସରିଫ ସରକାର ଲାଗି ଚିନ୍ତାର କାରଣ ହୋଇଛି ।

ସରକାରୀ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଅସମ୍ମାନ, ତାତିଲେ ବିଜେଡି କର୍ମୀ

ରେଢ଼ାଖୋଲ: ରେଢାଖୋଲରେ ସରକାରୀ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଅସମ୍ମାନ। ଏହାକୁ ନେଇ ତାତିଲେ ବିଜେଡି କର୍ମୀ । ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ଡାଏଲିସିସ୍ ସେବା ଲୋକାର୍ପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ନଥିବାକୁ ନେଇ ତାତିଲେ ବିଜେଡି କର୍ମୀ ।

କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ମେଡିକାଲର ଫାଟକରେ ଲାଗିଥିବା ବ୍ଯାନରରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ନଥିବାକୁ ନେଇ ବିଜେଡି କର୍ମୀ ତାତିଥିଲେ । ଉତ୍ତେଜନା ପ୍ରକାଶ ପାଇବା ପରେ ବିଜେଡି କର୍ମୀଙ୍କୁ ଆସି ବୁଝାଶୁଝା କରିଥିଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁ ।

କଟକ ବାଲିଯାତ୍ରା: ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସାଂଘାତିକ ତ୍ରୁଟି, ବିଜେଡିର ସମାଲୋଚନା

କଟକ: ବାଲିଯାତ୍ରା ଆଯୋଜନ ଅତି ନିମ୍ନସ୍ତରର । ପ୍ରସ୍ତୁତିରେ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନର ସାଂଘାତିକ ତ୍ରୁଟି ସବୁ ପଦାକୁ ଆସୁଛି । ଏଥିପାଇଁ ଉଭୟଙ୍କୁ ଦାୟୀ କରିଛି ପ୍ରେସମିଟ କରି କଡ଼ା ସମାଲୋଚନା କରିଛି ବିଜେଡି । ବାଲିଯାତ୍ରା ରାଜ୍ଯର ଗର୍ବ ହୋଇଥିବାବେଳେ ଏହାର ସମ୍ମାନହାନୀ ଲାଗି ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନକୁ ଉତ୍ତରଦାୟୀ କରିଛି ବିଜେଡି ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଦ୍ଯୁତ ଯାନ ନଥିଲା, ସେ କାନ୍ଦିଲେ । ବାଲିଯାତ୍ରା ଦେଖାଇବାକୁ ୧୪ ରାଷ୍ଟ୍ରର ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଛନ୍ତି । ହେଲେ ସବୁସ୍ତରରେ ଆୟୋଜନ ଢିଲା ବୋଲି କଟାକ୍ଷ କରିଛି ବିଜେଡି । ବାଲିଯାତ୍ରା ଓଡ଼ିଆ ଐତିହ୍ୟ ହୋଇଥିବାବେଳେ ଡବଲ ଇଞ୍ଜିନ ସରକାର ଏହାକୁ ଜାତୀୟ ମାନ୍ଯତା ଦେଇପାରିଲେନି । କୁମ୍ଭ ମେଳାକୁ ଜାତୀୟ ମାନ୍ୟତା ଦିଆଯାଇଛି । ହେଲେ ବାଲିଯାତ୍ରାକୁ ଦେଲେନି । ମାନ୍ୟତା ମିଳିଲେ କେନ୍ଦ୍ର ବି ବାଲିଯାତ୍ରା ପାଇଁ ଅର୍ଥ ଖର୍ଚ୍ଚ କରିବେ । କାହା ତୁଣ୍ଡରୁ ଶୁଣି ପାରିଲୁନି କି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳୁ ବୋଲି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ବିଜେଡି ।

ନିମନ୍ତ୍ରଣ ପତ୍ରରେ ମୁଖ୍ଯମନ୍ତ୍ରୀଙ୍କ ନାଁ ନାହିଁ । ଗୋଟିଏ ବିଜେପି ଗୋଷ୍ଠୀ କଥାରେ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଲାନି । ମୁଖ୍ୟମନ୍ତ୍ରୀଙ୍କୁ ଖାତିର କଲେନି, ରାଜ୍ୟକୁ ସୁରକ୍ଷା କ’ଣ ଦେବେ ବୋଲି ପ୍ରଶ୍ନ କରିଛି ବିଜେଡି । କଟକ ଜିଲ୍ଲାପାଳ ଓ ଏସପି ବିଜେପି ମୁଖପାତ୍ର ପାଲଟିଛନ୍ତି । କେଉଁ ବିଜେପି କଥାରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଖରାପ ବ୍ୟବହାର କରାଗଲା ? ପୋଲିସ ଯଦି ପାରୁନି ହାତ ଟେକି ଆମେ ପାରୁନୁ ବୋଲି କହିଦେବାକୁ ଦାବି କରିଛି ବିଜେଡି ।

ଯେଉଁ ଯୁକ୍ତଦୁଇ ପିଲା କରେଣ୍ଟ ଖାଇ ମଲା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ । ବିଭିନ୍ନ ମାମଲାରେ ଡବଲ ଇଂଜିନ ଫେଲ । ରିଭର ଫ୍ରଣ୍ଟ କଥା କୁହନ୍ତୁ ନାହିଁ କାରଣ ମହାନଦୀ କଥାରେ କ’ଣ କଲେ ବୋଲି ପ୍ରଶ୍ନ କରିଛି ବିଜେଡି । ବାଲିଯାତ୍ରା ସମୟ ରାତି ୧୨ ଯାଏଁ ହେଉ । ବାଲିଯାତ୍ରାର ସ୍ୱାଗତ ଭାଷଣ ମେୟର ଦିଅନ୍ତି । ହେଲେ କେମିତି କଟକ ସଦର ବିଧାୟକ ଆରମ୍ଭ କଲେ ? ତାହା ପୁଣି କି ଇଂରାଜୀ ? ବୋଧେ ବାର୍ତ୍ତା ଦେଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଭଲ ଇଂରାଜୀ କୁହନ୍ତି । ତାଙ୍କ ଭାଷଣରେ ଓଡ଼ିଶାକୁ ବିଧାୟକ ଲଜ୍ଜିତ କରିଛନ୍ତି । ତେବେ ବାକି ଦିନଗୁଡିକ ଯାତ୍ରା ଶୃଙ୍ଖଳିତ ହେବ ବୋଲି ଆଶା କରିଛି ବିଜେଡି ।

ଡାଏରୀରେ ଆତ୍ମଘୋଷିତ ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ, ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ

ଭୁବନେଶ୍ବର: ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମରେ ମାନବକୁ ଭଗବାନ ରୂପେ ପୂଜାର୍ଚ୍ଚନା ଘଟଣା । ମିଳିଲା ଡାଏରୀ । ଏଥିରେ ରହିଛି କୁନି ବାବାଙ୍କ ନିତିଦିନିଆ କାର୍ଯ୍ୟକ୍ରମ । କେତେବେଳେ ଉଠିବେ, କେତେ ବେଳେ ଶୋଇବେ, କେତେ ବେଳେ ଖାଇବେ ଆଉ କେତେ ବେଳେ ଲୋକଙ୍କ ଠକିବେ ସବୁକିଛି ସମୟ ଅନୁସାରେ ଉଲ୍ଲେଖ ରହିଛି ।

ସକାଳ ୫ଟା ୪୫ରୁ ଆଶ୍ରମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥାଏ ଓ ରାତି ୯ଟା ୪୫ ପର୍ଯ୍ୟନ୍ତ ଚାଲିଥାଏ । ଆଉ ୯ଟା ୪୫ ପରେ ଆତ୍ମଘୋଷିତ ବାବା ଚାଲିଯାଆନ୍ତୁ ଶୋଇବାକୁ । ଆସନ୍ତୁ ଜାଣିବା ସକାଳୁ ରାତି ପର୍ଯ୍ୟନ୍ତ ଆଶ୍ରମରେ କ’ଣ ହେଉଥିଲା ।

ସକାଳ ୫ଟା ୪୫ରୁ ଆରମ୍ଭ ହୁଏ ଆଶ୍ରମର କାର୍ଯ୍ୟକ୍ରମ । ପ୍ରଥମେ ହୋଇଥାଏ ସମ୍ମିଳନୀ । ଏଥିରେ ଶଙ୍ଖ ଓ ଘଣ୍ଟ ବଜାଇବା, ହୁଳହୁଳି ପକାଇବା ଓ ତୁଳସୀ ଲାଗି ସମ୍ପର୍କରେ ଲେଖାଯାଇଛି ।

ଏହାପରେ ହୋଇଥାଏ ପ୍ରଭାତ ସନ୍ଧ୍ୟା । ପ୍ରଭାତ ସନ୍ଧ୍ୟାର ପ୍ରଥମ ସୋପାନରେ ୪୫ ମିନିଟ ଧରି ହୋଇଥାଏ ପ୍ରଭାତ ଫେରି । ଏହାପରେ ଜଳଖିଆ ଖାଇବାର ସମୟ । ଯାହା ଡାଏରୀରେ ଲେଖା ଯାଇଛି ବ୍ରେକଫାଷ୍ଟ ୭ଟା ୩୦ରୁ ସାଢ଼େ ୮ଟା । ଏହାପରେ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲେ ଭଜନ କିର୍ତ୍ତନ । ଭଜନ କିର୍ତ୍ତନ ପରେ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିଥାଏ ପ୍ରବଚନ । ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଆଶ୍ରମରେ ହୋଇଥାଏ ଭାଗବତ ପାଠ ।

୧୨ଟାରୁ ଆରମ୍ଭ ହୋଇଯାଏ ମଧ୍ୟାହ୍ନ ସନ୍ଧ୍ୟା । ଏହା ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥାଏ । ଏହାପରେ ପ୍ରସାଦମ୍ (ପ୍ରସାଦ ସେବନ) ସାଢ଼େ ୧୨ଟାରୁ ଆରମ୍ଭ ହୋଇ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲେ । ପ୍ରସାଦ ସେବନ ପରେ ଆତ୍ମଘୋଷିତ ବାବା ବିଶ୍ରାମ ନେବାକୁ ଚାଲିଯାଆନ୍ତି । ୨ଟାରୁ ୫ଟା ପର୍ଯ୍ୟନ୍ତ ରହିଥାଏ ବିଶ୍ରାମ ସମୟ ।

୫ଟା ୪୫ରେ ଆରମ୍ଭ ହୋଇଥାଏ ସଭା । ୫ଟା ୪୫ରୁ ୬ଟା ୧୫ ପର୍ଯ୍ୟନ୍ତ ଚାଲେ ସନ୍ଧ୍ୟା କାର୍ଯ୍ୟକ୍ରମ । ଏଥିରେ ଦଶବତାର ସମ୍ପର୍କରେ ଆଲୋଚନା ହୋଇଥାଏ । ୬ଟା ୧୫ରୁ ୮ଟା ୩୦ ପର୍ଯ୍ୟନ୍ତ ଚାଲେ ସତସଙ୍ଗ । ୮ଟା ୪୫ରୁ ୯ଟା ୪୫ ରାତ୍ରୀ ଭୋଜନ ପରେ ବାବା ଶୋଇବାକୁ ଚାଲିଯାନ୍ତି ।

ବର୍ଷକର ଯଜ୍ଞ ତାଲିକା

ଡାଏରୀରେ ରହିଛି ପୂରା ବର୍ଷର ଯଜ୍ଞ ତାଲିକା । କେଉଁଠି କେଉଁଦିନ ଯଜ୍ଞ ହୋଇଥାଏ ଏଥିରେ ଲେଖାଯାଇଛି । ନୟାଗଡ଼ (ଲାଠିପଡ଼ା) ବ୍ରାହ୍ମଣୀଦେବୀରେ ରଜ ସଂକ୍ରାନ୍ତିରେ ହୋଇଥାଏ ଯଜ୍ଞ । ଏହାପରେ ପଣା ସଂକ୍ରାନ୍ତିରେ ହରପାର୍ବତୀ ପୂଜା କୃଷ୍ଣଦାସପୁରରେ ହୋଇଥାଏ । ପଟ୍ଟାମୁଣ୍ଡାଇର ପତ୍ରପୁରରେ ଅଗ୍ନିଉତ୍ସବ ଦିନ ଯଜ୍ଞ ହୋଇଥାଏ ।

ପୂଜା ପାଇଁ ୩୫ ହଜାର ଟଙ୍କାର ଫୁଲ

ଡାଏରୀରେ ଆତ୍ମଘୋଷିତ ବାବାଙ୍କ ପୂଜା ପାଇଁ କେତେ କ’ଣ ଖର୍ଚ୍ଚ ହେବ ତାହା ମଧ୍ୟ ଉଲ୍ଲେଖ ରହିଛି । ଜଣେ ଭକ୍ତଙ୍କୁ ବାବାଙ୍କ ପୂଜା ପାଇଁ ଯେଉଁ ଲିଷ୍ଟ ଦିଆଯାଇଛି ସେଥିରେ କେବଳ ଫୁଲ ଖର୍ଚ୍ଚ ୩୫ ହଜାର ଟଙ୍କା ରହିଛି । ଏଥିରେ ପଳାସ ଫୁଲ ପାଇଁ ୨୩ ହଜାର ୪ ଶହ ସହ ୫ ଶହ ଟଙ୍କା ଆଟୋ ଖର୍ଚ୍ଚ । ହଜାରେ ଟଙ୍କିଆ କାର୍ପେଟ, ୨୫ ଶହ ଟଙ୍କାର ଅନ୍ୟ ଫୁଲ । ଗାଡି ବାବାଦକୁ ୫ ଶହ ଟଙ୍କା ଉଲ୍ଲେଖ ରହିଛି ।

ଏହାବାଦ ୨୫୦ କେଜି ଗେଣ୍ଡୁ ଫୁଲ, ୫ଟା କଟାରି, ୩୦ ପିସ୍ ସୋଲ, ରଜନୀଗନ୍ଧା ୩୦ ବିଡ଼ା (ପ୍ରତି ବିଡାରେ ୨୦ଟି), ଗୋଲାପ ଫୁଲ ୨ ହଜାର ଓ କଡି ୫ ଶହ, ରଜନୀଗନ୍ଧା ମାଳ ଏକ ହଜାର, ଖୋଲା ରଜନୀଗନ୍ଧା ଫୁଲ ୫୦ କେଜି, ଜାରବେରା ଶହେ ବିଡ଼ା ସହ ଆହୁରି ବି ବହୁତ କିଛି ଏଥିରେ ଲେଖାଯାଇଛି ।

ଏହାସହ ଡାଏରୀରେ କଳକୀ ଅବତାରଙ୍କ ଫଟୋ ସହ ଭଜନ ଲେଖାଯାଇଛି । ଏହି ଭଜନ ଆତ୍ମଘୋଷିତ ବାବାଙ୍କ ପାଖରେ ବୋଲା ଯାଇଥାଏ । କେବଳ ଡାଏରୀ ମିଳିନାହିଁ । ଆଶ୍ରମରୁ ବିଡି ବିଡା ଲଫାପା ମଧ୍ୟ ମିଳିଛି । ଯେଉଁଥିରେ ପୂଜା ଖର୍ଚ୍ଚର ଲିଷ୍ଟ ଲୋକଙ୍କ ପାଖକୁ ପଠାଯାଉଥିଲା ।

ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ପାଇଁ ମତଦାନ, ବୁଥ ମୁହାଁ ପୋଲିଂ ପାର୍ଟି

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧନସଭା ମତଦାନ । ସମସ୍ତ ୨୮୮ ଆସନରେ ହେଉଛି ମତଦାନ । ଏଥିପାଇଁ ପ୍ରସ୍ତୁତି ଏକ ପ୍ରଚାର ଚୂଡ଼ାନ୍ତି ହୋଇଛି । ବୁଥମୁହାଁ ହେଉଛନ୍ତି ପୋଲିଂ ପାର୍ଟି। ଇଭିଏମ୍ ଧରି ବୁଥରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ । ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ ।

ଏଥର ମହାୟୁତି ଓ ମହା ଅଗାଡ଼ି ମେଣ୍ଟରେ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଅଛି । ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ସଦସ୍ଯ ସଂଖ୍ଯା ରହିଛି ୨୦୨ । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି । ସେହିପରି ମହାବିକାଶ ଅଘାଡିର ସଦସ୍ଯ ସଂଖ୍ଯା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି ।

ରାଜ୍ଯର ମୋଟ ଭୋଟର ୯ କୋଟି ୬୩ ଲକ୍ଷ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ଯା ୪ କୋଟି ୯୭ ଲକ୍ଷ । ମହିଳା ଭୋଟରଙ୍କ ସଖ୍ଯା ୪ କୋଟି ୬୬ ଲକ୍ଷ । ଯୁବ ଭୋଟରଙ୍କ ସଂଖ୍ଯା ୧ କୋଟି ୮୫ ଲକ୍ଷ । ମୋଟ ପୋଲିଂ ଷ୍ଟେସନ ସଂଖ୍ଯା, ୧ ଲକ୍ଷ ୧୮୬ ।

ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଥିବାବେଳେ ପ୍ରତି ବିଧାନସଭା ମଣ୍ଡଳୀରେ ୮୦ ହଜାର ଲେଖାଏଁ ମହିଳା ଉପକୃତ ହେଉଛନ୍ତି । ସେପଟେ ଏମଭିଏ ପ୍ରତି ମୁସଲିମ ଭୋଟରଙ୍କ ରହିଛି ଅଧିକ ସମର୍ଥନ । ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ମହାୟୁତି ଓ ଏମଭିଏରେ ଚିନ୍ତା ବଢିଛି । ସମସ୍ତ ଆସନରେ ବିଦ୍ରୋହୀଙ୍କ ସଂଖ୍ଯା ଅଧିକ ଥିବା ଜଣାଯାଇଛି । ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ଯା ମୋଟ ଜନସଂଖ୍ଯାର ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ବହୁ ବୃହତ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରୁ ଗୁଜରାଟ ଚାଲିଯାଉଥିବାରୁ ଏହାକୁ ନେଇ ବଢିଛି ରାଜନୀତି । ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର । କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ହେବିଓ୍ବେଟଙ୍କ ମଧ୍ୟରେ ଜୋରଦାର ଟକ୍କର

ଚଳିତ ନିର୍ବାଚନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ସେ କୋପରି ପଚପଖାଡ଼ି ଆସନରୁ ଲଢୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଶିବସେନା ୟୁବିଟିର କେଦାର ଦିଘେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଏକନାଥ । ନାଗପୁର ଦକ୍ଷିଣ ପଶ୍ଚିମରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପ୍ରଫୁଲ୍ଲ ଗୁଧାଦେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଦେବେନ୍ଦ୍ର । ବହୁଚର୍ଚ୍ଚିତ ବାରମତିରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଏନସିପି ଏସପିର ଯୁଗେନ୍ଦ୍ର ପାଓ୍ବାର । ଅଜିତ ପାଓ୍ବାରଙ୍କ ପୁତୁରା ହେଉଛନ୍ତି ଯୋଗେନ୍ଦ୍ର ପାଓ୍ବାର । ୧୯୯୧ରୁ ବାରମତିରୁ ବିଜୟୀ ହୋଇଆସୁଛନ୍ତି ଅଜିତ । ପ୍ରଥମେ କଂଗ୍ରେସରେ ଥିଲେ ଅଜିତ ପାଓ୍ବାର ।

ମନୋଜ ବିଗାଡ଼ିବେ ଖେଳ !

ମହାରାଷ୍ଟ୍ର ଫଳାଫଳକୁ ଓଲଟପାଲଟ କରିପାରନ୍ତି ସମାଜସେବୀ ମନୋଜ ଜାରାଙ୍ଗେ ପାଟିଲ । ମରାଠୀଙ୍କ ଲାଗି ସଂରକ୍ଷଣ ଦାବି କରିଆସୁଥିବା ମନୋଜଙ୍କୁ ନେଇ ଏବେ ମହାୟୁତିରେ ଚିନ୍ତା । ବିଭିନ୍ନ ଆସନରେ ଦେଇଥିବା ନିଜର ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ଲାଗି ନିଷ୍ପତ୍ତି ନେବା ପରେ ମହାୟୁତିରେ ଛନକା ପଶିଛି । ଗତ ଲୋକସଭା ନିର୍ବାଚନରେ ମନୋଜ ଫାକ୍ଟର ଲାଗି ମହାୟୁତି ସହିଥିଲା କ୍ଷତି । ଲୋକସଭା ନିର୍ବାଚନରେ ମନୋଜ ଏମଭିଏକୁ କରିଥିଲେ ଲାଭବାନ । ଚଳିତ ନିର୍ବାଚନରେ ସେ ୧୫ରୁ ୨୦ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା ଅଞ୍ଚଳରେ ମହାୟୁତି କ୍ଷତି ସହିବାର କାରଣ ମନୋଜ । ମରାଠାଓ୍ବାଡା ଅଞ୍ଚଳର ୮ ଲୋକସଭା କ୍ଷେତ୍ରରେ ମନୋଜଙ୍କ ପ୍ରଭାବ ରହିଛି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା, ବିଦର୍ଭ ଓ ପଶ୍ଚିମ ମହାରାଷ୍ଟ୍ରରେ ମହାୟୁତିକୁ କ୍ଷତି ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମନୋଜ । ରାଜ୍ଯ ଜନସଂଖ୍ଯାର ପ୍ରାୟ ୩୩ ପ୍ରତିଶତ ହେଉଛନ୍ତି ମରାଠୀ । ମନୋଜ ସମର୍ଥିତ ପ୍ରାର୍ଥୀ ପ୍ରତ୍ଯାହାର ପରେ ଏମଭିଏକୁ ଲାଭ ଆଶା କରାଯାଉଛି । ମନୋଜଙ୍କ ପ୍ରାର୍ଥୀ ମରାଠୀ, ଦଳିତ, ମୁସଲିମ ଭୋଟ ହାତେଇଥାନ୍ତେ ଯାହା ଏମଭିଏକୁ କ୍ଷତି କରିଥାନ୍ତା । ମରାଠାଓ୍ବାଡା ଅଞ୍ଚଳରେ ୪୬ ଓ ପଶ୍ଚିମାଞ୍ଚଳରେ ରହିଛି ୭୦ ଆସନ । ଏହି ୧୧୬ ଆସନରେ ମନୋଜ ପାଟିଲଙ୍କ ଅଖଣ୍ଡ ପ୍ରଭାବ ରହିଛି ।

GSAT-20 ଉପଗ୍ରହ ଲଞ୍ଚ୍‌ ସଫଳ, ଏଣିକି ବିମାନ ଭିତରେ ମିଳିବ ଇଣ୍ଟରନେଟ୍‌

ନନ୍ଦିଘୋଷ ବ୍ୟୁରୋ: ସୋମବାର ବିଳମ୍ବିତ ରାତିରେ ଏଲନ ମସ୍କଙ୍କ ରକେଟ ଇସ୍ରୋର ଜିସ୍ୟାଟ୍‌ ୨୦ ସାଟେଲାଇଟକୁ ନେଇ ସଫଳତାର ସହ ଉତକ୍ଷେପଣ ହୋଇଛି  । ଏଲନ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସର ଫାଲ୍କନ ୯ ରକେଟ୍‌ ଭାରତର ଯୋଗାଯୋଗ ଉପଗ୍ରହ ଜିସ୍ୟାଟ ୨୦ର ସଫଳ ଲଞ୍ଚ୍‌ ହୋଇଛି  । ସହଜ ଇଣ୍ଟରନେଟ ସେବା ପାଇଁ ୪୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଜିସ୍ୟାଟ୍‌ ଏନ ୨ ଲକ୍ଷ୍ୟ ରଖିଛି ।

ଅପହଞ୍ଚ ଇଲାକାରେ ଡାଟା ଓ ଇଣ୍ଟରନେଟ ସେବା ପ୍ରଦାନ ସହ ଭାରତୀୟ ଉପମହାଦ୍ବୀପ (ଆଣ୍ଡାମାନ ନିକୋବର, ଲକ୍ଷାଦ୍ବୀପ) ରେ ଇଣ୍ଟରନେଟ ସେବା ମିଳିବା ବିମାନ ଭିତରେ ଇଣ୍ଟରନେଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଜିସ୍ୟାଟ ଏନ ୨କୁ ଡିଜାଇନ କରାଯାଇଛି  । ଇସ୍ରୋର ମାର୍କ ୩ ଲଞ୍ଚ ବାହାନ ଜିଓ ଷ୍ଟେସନାରୀ ଟ୍ରାନ୍ସଫର ଅର୍ବିଟରେ ସର୍ବାଧିକ ୪ ହଜାର କିଲୋଗ୍ରାମ ଓଜନ ସମ୍ଭାଳିବାର କ୍ଷମତା ରଖୁଛି  । କିନ୍ତୁ ଏହି ଉପଗ୍ରହର ଓଜନ ୪ ହଜାର ୭୦୦ କିଲୋଗ୍ରାମ ଥିବାରୁ ସ୍ପେଶ ଏକ୍ସର ସାହାଯ୍ୟ ନେଇଛି ଇସ୍ରୋ  ।

 

ବର୍ତ୍ତମାନ ସୁଦ୍ଧା ଭାରତରେ ଅବତରଣ କରୁଥିବା ବିମାନକୁ ନିଜ ଇଣ୍ଟରନେଟ ସେବା ବନ୍ଦ କରିବାକୁ ପଡିଥାଏ  । କାରଣ ଭାରତ ପ୍ରଥମେ ଇନ୍‌ ଫ୍ଲାଇଟ କନେକ୍ଟିଭିଟିକୁ ଅନୁମତି ଦେଉନଥିଲା  । କିନ୍ତୁ ନିକଟରେ ନିୟମ ପରିବର୍ତ୍ତନ ପରେ ଭାରତୀୟ ବିମାନ କ୍ଷେତ୍ରରେ ଇନ ଫ୍ଲାଇଟ ଇଣ୍ଟରନେଟ ଆକ୍ସେସକୁ ଅନୁମତି ମିଳିଛି  । ନୂଆ ନିୟମ ଅନୁସାରେ ୩ ହଜାର ମିଟରରୁ ଅଧିକ ଉଚ୍ଚତାରେ ଉଡାଣ ଭରୁଥିବା ବିମାନକୁ ୱାଇଫାଇ ସେବାର ଅନୁମତି ମିଳିବ  । କିନ୍ତୁ ଉଡାଣ ବେଳେ ଇଲେକ୍ଟ୍ରୋନିକ ସାମଗ୍ରୀର ବ୍ୟବହାର କରିବାକୁ ଅନୁମତି ଥିଲେ ହିଁ ଏହି ସେବା ଉପଲବ୍ଧ ହେବ ।

ରାସନ ପାଇବାକୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଲେ କନ୍ଧମାଳର ମହିଳା

0

ଭୁବନେଶ୍ବର: ଖାଲି ବାହାସ୍ଫୋଟ ମାରୁଛନ୍ତି ରାଜ୍ଯ ସରକାର । ସରକାର ଲୋକଙ୍କ ଦୁଃଖ ଶୁଣି ତତ୍କାଳ ନିଷ୍ପତ୍ତି ନେଉଛନ୍ତି ବୋଲି ଡିଣ୍ଡିମ ପିଟିଚାଲିଛନ୍ତି । ହେଲେ ଆଜି ମୁଖ୍ଯମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦୁଇ ଥର ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେଲେଣି କନ୍ଧମାଳର ଏହି ଦୁଇ ୫୫ ବର୍ଷୀୟା ମହିଳା ।

ରାସନ ପାଉନଥିବାରୁ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ରାସନ ଦେବାକୁ ନିବେଦନ କରିଥାନ୍ତେ । ହେଲେ ସେମାନେ ଦୁଃଖ ଶୁଣାଇ ପାରୁନାହାଁନ୍ତି । ରାସନ ନପାଇଲେ ଆମ୍ବ ଟାକୁଆ ଖାଇବାକୁ ସେମାନେ ବାଧ୍ଯ ହେଉଛନ୍ତି । ବହୁ କଷ୍ଟରେ ସେମାନେ ବାରମ୍ବାର ରାଜଧାନୀ ଆସୁଥିଲେ ସୁଦ୍ଧା ସେମାନେ ସରକାରଙ୍କ ପାଖରେ ଗୁହାରୀ ଜଣାଇପାରୁନାହାଁନ୍ତି । ସରକାର ରାସନ ଦେଲେ ଦୁଇ ଓଳି ସେମାନେ ଖାଇବାକୁ ପାଇ ପାରିବେ ଓ ସେମାନଙ୍କ ଜୀବନ ବଞ୍ଚିଯିବ ବୋଲି କହିଛନ୍ତି ଦୁଇ ମହିଳା ।