spot_img
Home Blog Page 1320

ସଂସଦ ଶୀତ ଅଧିବେଶନ: ସର୍ବଦଳୀୟ ବୈଠକ ପୂର୍ବରୁ ବିବାଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ତେବେ ବୈଠକ ଆରମ୍ଭରୁ ଦେଖାଦେଇଛି ବିବାଦ । ଅଧିବେଶନରେ ଆଦାନୀ ଗ୍ରୁପ ବିରୋଧରେ ଉଠିଥିବା ଲାଞ୍ଚ ମାମଲାର ପୁଙ୍ଖାନୁପୁଙ୍ଖ ଆଲୋଚନା ଦାବି କରିଛି କଂଗ୍ରେସ । ସେହିପରି ମଣିପୁର ଓ ଉତ୍ତର ଭାରତରେ ପ୍ରଦୂଷଣ ଓ ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରିଛନ୍ତି ବିରୋଧୀ । ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଦାନୀ ଗ୍ରୁପର ୨୩୦୦ କୋଟି ଟଙ୍କା ଲଞ୍ଚ ମାମଲା ଦେଶର ଅର୍ଥନୀତି ଓ ନିରାପତ୍ତା ନେଇ ପ୍ରଶ୍ନ ସୃଷ୍ଟି କରିଛି ବୋଲି କଂଗ୍ରେସ କହିଛି । ସର୍ବଦଳୀୟ ବୈଠକକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ ଆହୁତ କରିଥିବାବେଳେ ଏଥିରେ ଅଧିକାଂଶ ଦଳର ନେତାମାନେ ସାମିଲ ହୋଇଥିଲେ । ଚଳିତ ଅଧିବେଶନରେ ୧୬ଟି ବିଲ୍ ଆଗତ ହେବ । ତନ୍ମଧ୍ଯରେ ରହିଛି ୱାକଫ ସଂଶୋଧନ ବିଲ୍ । ନଭେମ୍ବର ୨୬ରେ ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ନେଇ ବି ଆଲୋଚନା ହୋଇଛି ।

ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ଚାକିରି ଦେବାକୁ ଆଣି ଦେହ ବ୍ୟବସାୟ କରିବାକୁ କରାଯାଉଥିଲା ବାଧ୍ୟ

କଟକ: କଟକ ମଧୁପାଟଣାରୁ ଗତ ୯ ତାରିଖରେ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ । ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ କଟକ ଆଣି ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିବା ବୟାନ ଦେଇଛନ୍ତି ନାବାଳିକା । ସିଡବ୍ଲୁସି ନିକଟରେ ସେ ଏହି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ନାବାଳିକା ଜଣଙ୍କ ଦେହ ବ୍ୟବସାୟ କରିବାକୁ ରାଜି ହୋଇ ନଥିଲେ । କୌଣସି ମତେ ସେମାନଙ୍କ କବଳରୁ ଖସି ଆସି ମଧୁପାଟଣା ଅଞ୍ଚଳରେ ଏକା ଏକା ବୁଲୁଥିବା ବେଳେ, ପୋଲିସ ଉଦ୍ଧାର କରି ଚାଇଲ୍ଡ କେୟାର ହୋମକୁ ନେଇଥିଲା । ସେଠାରୁ ପରେ ସିଡବ୍ଲୁସି ଜିମା ଦେଇଥିଲା ।

ପଚରାଉଚରା ପରେ ନାବାଳିକା ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ପୋଲିସ ଏ ନେଇ ମଧୁପାଟଣା ଥାନାରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଛି । ଜୋନ-୬ ଏସିପିଙ୍କ ନେତୃତ୍ବ ରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି ।

ଚାକିରି ପ୍ରଲୋଭନ ଦେଖାଇ ବାଂଲାଦେଶରୁ ଯୁବତୀ ଆଣି ଭୁବନେଶ୍ବରରେ ଲଗାଯାଉଛି ସେକ୍ସ ରାକେଟରେ

ଭୁବନେଶ୍ବର: ଭୁବନେଶ୍ୱରରେ ବାଂଲାଦେଶୀ ଯୁବତୀ I ଜଣେ କି ଦୁଇ ଜଣ ନୁହଁନ୍ତି ପୂରା ୨୩ ଜଣ । ଏବେ ଏକ ଆପାର୍ଟମେଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଦେଇ ରଖାଯାଉଛି I ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ବର ଅଣାଯିବା ପରେ ଏଠାରେ ସେକ୍ସ ରାକେଟରେ ନିୟୋଜିତ କରାଯାଉଥିବା ହୋଇଛି ଅଭିଯୋଗ । ଖୋଦ ଜଣେ ବାଂଲାଦେଶୀ ଯୁବତୀ ଏହାର ପର୍ଦ୍ଦାଫାସ କରିଛନ୍ତି ।

ସେକ୍ସ ରାକେଟରେ ଛନ୍ଦି ହୋଇଥିବା ଜଣେ ଯୁବତୀ ଗ୍ରାହକ ସହ ଯାଉଥିବା ବେଳେ, ଗୋଟି ଗୋଟି କରି ସବୁ କଥା କହିଛନ୍ତି । ଯାହାର ଏକ୍ସକ୍ଲ୍ୟୁସିଭ ଭିଜୁଆଲ ଲାଗିଛି ନନ୍ଦିଘୋଷ ହାତରେ । ଗାଡିରେ ଗ୍ରାହକଙ୍କ ସହ କଥା ହେବା ବେଳେ ଯୁବତୀ ଜଣଙ୍କ କହୁଛନ୍ତି, ଦିନକୁ ୨ ହଜାର ଟଙ୍କା ଦେବାକୁ କହି ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ହେଲେ ଏଠି ଅକଥନୀୟ ନିର୍ଯାତନା ଦିଆଯାଉଛି ।

ତେବେ କିଏ ସେହି ମାଷ୍ଟରମାଇଣ୍ଡ, ଯିଏ ସେମାନଙ୍କୁ ଏଠାରେ ବର୍ଷ ବର୍ଷ ଧରି ବନ୍ଦୀ କରି ରଖିଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସେପଟେ ଏ ନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ଛାନବିନ ଆରମ୍ଭ ହୋଇଛି । ଏ ପ୍ରସଙ୍ଗରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଉଭୟ କଟକ ଓ ଭୁବନେଶ୍ବରରେ ଚଢ଼ାଉ ଚାଲିଛି । ଗତକାଲିଠାରୁ ଏମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । କେଉଁ ଆପାର୍ଟମେଣ୍ଟରେ ଏଭଳି ଧନ୍ଦା ଚାଲିଛି ସେ ନେଇ ଛାନବିନ ଚାଲିଛି । କୌଣସି ସୂଚନା ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଓ୍ବାକଫ ବିଲକୁ ବିରୋଧ: ବିଜେଡି ସଂଖ୍ୟାଲଘୁ ସେଲର ବିକ୍ଷୋଭ

ଭୁବନେଶ୍ବର: କେନ୍ଦ୍ରର ଓ୍ବାକଫ ବିଲକୁ ବିଜେଡିର ବିରୋଧ । ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ, ଭଉଣୀଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କରାଯାଇଛି ବିକ୍ଷୋଭ । ରାଜଭବନ ନିକଟରେ ଧାରଣା ଦେଇଛି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ ସଦସ୍ୟ ।

ସଂଖ୍ୟାଲଘୁ ସମ୍ପ୍ରଦାୟକ ଭାଇ, ଭଉଣୀଙ୍କ ହକ୍ ପାଇଁ ଦଳ ଲଢ଼େଇ ଜାରି ରଖିବ ବୋଲି ଚେତାବନୀ ଦେଇଛି ବିଜେଡି । ନୂଆ ୱାକଫ ବିଲ ଆସିଲେ, ଦେଶରେ ହିନ୍ଦୁ ମୁସଲିମ ଭିତରେ ବିଭେଦ ସୃଷ୍ଟି ହେବ ବୋଲି ଦଳ ଅଭିଯୋଗ କରିଛି ।

କେନ୍ଦ୍ର ସରକାର ଷଡଯନ୍ତ୍ର କରି ୱାକଫ ବିଲରେ ୪୪ଟି ସଂଶୋଧନ ଆଣିବାକୁ ଯାଉଛନ୍ତି । ଯାହା ସାମ୍ପ୍ରଦାୟିକ ହିଂସା ବଢ଼ାଇବାର ଆଶଙ୍କା ରଖିଛି । ୱାକଫ ସମ୍ପତ୍ତିକୁ ୨୦୧୩ରେ ତତ୍କାଳୀନ କେନ୍ଦ୍ର ସରକାର ସର୍ଭେ କରିବାକୁ କହିଥିଲେ । ହେଲେ ସରକାର ବଦଳିଲା ଓ ୧୧ ବର୍ଷ ହୋଇଗଲା କିନ୍ତୁ ସର୍ଭେ ହେଲାନି । ୨୦୧୩ରେ ନିୟମ ଥିଲା ଯେ ୱାକଫ ସମ୍ପତ୍ତିରୁ ଜବରଦଖଲ ହଟାଇବା କାମ ଜିଲ୍ଲାପାଳଙ୍କର । ଏପରି ନକଲେ ଦୈନିକ ୫୦୦ ଟଙ୍କା ଜରିମାନାର ପ୍ରାବଧାନ ଅଛି । ହେଲେ ନୂଆ ଆଇନ ଆସିଲେ, ଜିଲ୍ଲାପାଳ ୱାକଫ ସମ୍ପତ୍ତି ଘୋଷଣା କରିବେ । ଯାହାକି ଜମି ମାଫିଆଙ୍କୁ ସୁହାଇବ ବୋଲି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ବିରାଟ ପାଟୁଆରରେ ବିଜେଡି ସଂଖ୍ୟାଲଘୁ ସେଲ ରାଲି କରି ରାଜଭବନ ନିକଟରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଧର୍ମଶାଳା ବିଧାୟକଙ୍କ ରାତି ଅଧିଆ ଯାଜପୁର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କାହିଁକି ରାତି ଅଧିଆ ଯାଜପୁର ଯାଇଥିଲେ ? କ’ଣ ପାଇଁ ଧର୍ମଶାଳାରୁ ଶତାଧିକ ଲୋକଙ୍କୁ ନେଇ ଯାଇଥିଲେ ? ମନ୍ଥର ଗତିରେ ଚାଲିଥିବା ବିରଜା ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କାହିଁକି ଗସ୍ତ କରିଥିଲେ ବିଧାୟକ ? ଏତେ ଲୋକଙ୍କୁ ଠେଙ୍ଗା ଧରାଇ କାହିଁକି ବିଧାୟକ ଯାଜପୁର ନେଇଥିଲେ ? ବୋଲି ଆଜି ପ୍ରଶ୍ନ କରିଛି ବିଜେଡି ।

ସେଦିନର ଘଟଣାରେ ବିଜେଡି ଲୋକ ଗିରଫ ହେଲେ । ମାତ୍ର ବିଧାୟକଙ୍କ ଲୋକ କାହିଁକି ଗିରଫ ହେଲେନି ବୋଲି ଦଳ ପ୍ରଶ୍ନ କରିଛି । ପୋଲିସ ଠିକ ନ୍ୟାୟ କରୁନି ବୋଲି କହିଛି ବିଜେଡି ।

ଧର୍ମଶାଳା ବିଧାୟକ ଗୋଟିଏ ବାଇଟରେ କହିଥିଲେ ସେ ଚାନ୍ଦା ନିଅନ୍ତି ବୋଲି । ସେ ରାତିରେ ଡିଡିଏମ ଅଫିସକୁ କାହିଁକି ଯାଇଥିଲେ । ଲୋକ ଯଦି ବାଡେଇଲେ, ଦାଗ କୁଆଡେ ଗଲା ? ବେକର ଗାମୁଛା ପଡିନି । ସୁନା ଚେନ କେମିତି ଚୋରି ହେଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ମାର୍କେଟ କେମିତି କାର୍ଯ୍ୟକାରୀ ହେବ, ହାଟ କେମିତି ଚାଲିବ, ଏସବୁ ପ୍ରସଙ୍ଗ ନେଇ ଭବ ପ୍ରସାଦ ଦାସ ନେତୃତ୍ୱ ନେଇ ପ୍ରଶାସନକୁ ଜଣାଇବା ପାଇଁ ଯାଇଥିଲେ । ହେଲେ ଭବ ପ୍ରସାଦ ଦାସଙ୍କୁ ଯେଉଁ ପରି ଯାଜପୁର ପୋଲିସ ପକ୍ଷରୁ ଗିରଫ କରାଯାଇଛି ତାହା ନିନ୍ଦନୀୟ । ବିଜେପି ଆସିବା ଦିନଠୁଁ ଆଇନ ଶୃଙ୍ଖଳା ବିଗୁଡୁଛି। ଭଦ୍ରକ ବାଲେଶ୍ୱରରେ ଦଙ୍ଗା ହେଲା । ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି । ନାରୀ ନିର୍ଯାତନା, ଚୋରି, ହିଂସା ରୋକିବାକୁ ପଦକ୍ଷେପ ନାହିଁ । ବିଜେଡି ଲୋକଙ୍କୁ ହଇରାଣ କରାଯାଉଛି । ବିଜେପି କର୍ମୀଙ୍କ କେସ ଜରିଆରେ ବିଜେଡି ନେତାଙ୍କୁ ହଇରାଣ କରୁଛି ପୋଲିସ । କୁଚିଣ୍ଡା, ନୀଳଗିରି, ବଙ୍ଗୋମୁଣ୍ଡା, କଟକ ଆଦିର ଘଟଣା ଏହାର ଉଦାହରଣ । ପୋଲିସ ବିଜେପିର ସରକାରୀ ଗୁଣ୍ଡା ଭାବେ କାମ କରୁଛି ।

ପୋଲିସକୁ ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଭୁବନେଶ୍ବର: ସରକାର ବଦଳିବା ପରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଚୋରି, ଡକାୟତି, ଲୁଟ୍, ଦୁଷ୍କର୍ମ, ଗଣ୍ଡୋଗୋଳ ଯେମିତି ନିତିଦିନିଆ ଘଟଣା ହୋଇଗଲାଣି । ରାଜ୍ୟ ସରକାର ପୋଲିସକୁ ବ୍ୟବହାର କରି ହିଂସାକୁ ଉତ୍ସାହିତ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ଏମିତି କିଛି ଢଙ୍ଗରେ ରାଜ୍ୟର ମୋହନ ସରକାର ଉପରେ ବର୍ଷିଛି ବିଜେଡି ।

ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ପୋଲିସକୁ ବ୍ଯବହାର କରି ହିଂସାକୁ ଉତ୍ସାହିତ କରାଯାଉଛି । ବାଲେଶ୍ବର, ଭଦ୍ରକରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରାଗଲା । ସରକାର ଆସିବା ଦିନଠାରୁ ଚୋରି, ଡକାୟତି ବଢ଼ିଛି । ପୋଲିସକୁ ବ୍ଯବହାର କରି ହିଂସାକୁ ଉତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି । ପୋଲିସକୁ ସରକାରୀ ଗୁଣ୍ଡା ଭାବେ ବ୍ଯବହାର କରାଯାଉଛି ।

ଯାଜପୁର ଘଟଣା, କୁଚିଣ୍ଡା ଗଣଦୁଷ୍କର୍ମ, ବଙ୍ଗୋମୁଣ୍ଡା, କଟକ, ନୀଳଗିରି ଘଟଣାର ଉଦାହରଣ ଦେଇ ବିଜେପିକୁ ପ୍ରମିଳା ଟାର୍ଗେଟ କରିଛନ୍ତି । ଧର୍ମଶାଳା ବିଧୟାକ ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଧର୍ମଶାଳାର ବିଧାୟକ ଶହେରୁ ଅଧିକ ଲୋକଙ୍କୁ ନେଇ ଯାଜପୁର ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଦଳ ପକ୍ଷରୁ ପଚରାଯାଇଛି । ଧର୍ମଶାଳା ବିଧାୟକ କାହିଁକି ଶହେ ଲୋକଙ୍କୁ ନେଇ ଯାଜପୁର ଯାଇଥିଲେ । ଗଣ୍ଡଗୋଳ ଘଟଣାରେ କେବୂ ବିଜେଡି କର୍ମୀଙ୍କୁ ଗିରଫ କରାଯିବା ଓ ସରକାରୀ ଦଳର ନେତା ଓ କର୍ମୀଙ୍କୁ କାହିଁକି ଗିରଫ କରାଗଲାନାହିଁ ବୋଲି ଦଳ ପ୍ରଶ୍ନ କରିଛି ।

ସେ ଆଗକୁ କହିଛନ୍ତି, ଯାଜପୁରରେ ଗଣତାନ୍ତ୍ରୀୟ ଉପାୟରେ ଆନ୍ଦୋଳନ ଚାଲିଥିଲା ।  ଧର୍ମଶାଳା ବିଧାୟକ ଜବରଦସ୍ତ ଆନ୍ଦୋଳନ ଭିତରକୁ ପଶିଥିଲେ । ବିଧାୟକଙ୍କ ଯୋଗୁଁ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଲା  ।ଗୋଟିଏ ରାଜନୈତିକ ଦଳର ୧୯ଜଣଙ୍କୁ ଗିରଫ କରାଗଲା । ଅନ୍ଯ ଦଳରେ ଜଣେ ବି କାହାକୁ ଗିରଫ କରାଗଲା ନାହିଁ । ଏହାବାଦ ସଂଘବଦ୍ଧ ଭାବେ ବିଜେଡି କର୍ମୀମାନଙ୍କୁ ଆକ୍ରମଣ କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ ବୋଲି ଦଳ ପକ୍ଷରୁ ପ୍ରମିଳା କହିଛନ୍ତି ।

 

ଇଭିଏମକୁ ମସ୍କଙ୍କ ପ୍ରଶଂସା: ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନକୁ ନେଇ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲେନ ମସ୍କଙ୍କ ବଡ଼ ବୟାନ । ଯାହା ଆମେରିକା ସମେତ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ମସ୍କ ଏହି ଟଇପ୍ପଣି ଦେଇଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ସାଇଡରେ ଏକ ପୋଷ୍ଟ କରି ଲେଖିଛନ୍ତି, ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ୍ ଗଣତି କରିଦେଲା । ହେଲେ ଆମେରିକାର କାଲିଫର୍ଣ୍ଣିଆରେ ଏବେ ବି ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟର ଗଣତି ଚାଲିଛି ।

ସୂଚନାଯୋଗ୍ୟ, ଆମେରିକାରେ ଗତ ୫ ଓ ୬ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏହାପରଠାରୁ ସେଠାରେ ଭୋଟ ଗଣତି ଚାଲିଛି । ଆମେରିକାର ଅନ୍ୟ ରାଜ୍ୟରେ ଭୋଟ ଗଣତି ସରିଯାଇଥିଲେ ମଧ୍ୟ ୧୮ ଦିନ ପରେ ବି କାଲିଫର୍ଣ୍ଣିଆରେ ଏବେ ବି ଗଣତି ଚାଲିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜେତା ଘୋଷଣା କରାଯାଇ ସାରିଛି । ଜଣେ ୟୁଜର୍ସ ଲେଖିଛନ୍ତି, ଭାରତରେ ୬୪ କୋଟି ଭୋଟ ଗୋଟିଏ ଦିନରେ ଗଣତି ହୋଇଯାଉଥିବା ବେଳେ କାଲିଫର୍ଣ୍ଣିଆରେ ୧.୫ କୋଟି ଭୋଟ ଗଣତିକୁ ୧୮ ଦିନ ହୋଇଗଲାଣି । ଏହାର ଉତ୍ତର ଦେବାକୁ ଯାଇ ଏହା ଏକ ଦୁଃଖଦ ଘଟଣା ବୋଲି ମସ୍କ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତରେ ଇଭିଏମ ମେସିନରେ ଭୋଟ ଗଣତି ହେଉଥିବା ବେଳେ ଆମେରିକାରେ ଏବେ ବି ବାଲାଟ ପେପରରେ ଭୋଟ ହୋଇ ଗଣତି ହେଉଛି ।

କହି ରଖିବାକୁ ଚାହୁଁଛୁ, ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରୁଥିବା ମସ୍କ କିଛିଦିନ ପୂର୍ବେ ଏହାକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଇଭିଏମକୁ ସେ ବିପଦଜନକ ବୋଲି କହିଥିଲେ । ସେତେବେଳେ ସେ କହିଥିଲେ ଇଭିଏମ ଓ ପୋଷ୍ଟାଲ ଭୋଟିଂ ବହୁତ ବିପଦଜନକ । ଏହାକୁ ବଦଳାଇ ବାଲାଟ ପେପରରେ ଭୋଟ ହେବା ଆବଶ୍ୟକ । ଏହାର କିଛିଦିନ ପୂର୍ବରୁ ମସ୍କ କହିଥିଲେ, ଆମକୁ ଇଭିଏମ ବ୍ୟବସ୍ଥାର ଅନ୍ତ କରିବା ଆବଶ୍ୟକ । ଏହାକୁ ହ୍ୟାକ କରିବାର ଆଶଙ୍କା ରହୁଛି ।

ଦାଦାବଟି ନଦେବାରୁ ଜେସିବି ଓ ରୋଲର ଭାଙ୍ଗିଲେ ଦୁର୍ବୃତ୍ତ

ଗଞ୍ଜାମ: ଠିକାଦାର ଦେଲେ ନି ଦାଦାବଟି । ରାସ୍ତା କାମରେ ବ୍ୟବହୃତ ସାମଗ୍ରୀ ଉପରେ ରାଗ ସୁଝାଇଲେ ଦୁର୍ବୃତ୍ତ । ଭାଙ୍ଗିଲେ ଜେସିବି ଓ ରୋଲର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁସାରେ, ବଡ଼ମହୁରୀ ଓ ଚାମ୍ପେଇତପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଛି । ଏଥିରେ ଜେସିବି ଓ ରୋଲର ମଧ୍ୟ ବ୍ୟବହାର କରାଯାଉଛି । ତେବେ କିଛି ଯୁବକ ଆସି କାମ ବନ୍ଦ କରିବାକୁ କର୍ମଚାରୀଙ୍କୁ ଧମକ ଦେଇଥିଲେ । କାମ କରିବାକୁ ହେଲେ ଟଙ୍କା ଦେବାକୁ ଦାବି କରିଥିଲେ । ଠିକାଦର ଟଙ୍କା ନଦେବାରୁ ସେମାନେ ଜେସିବି ଓ ରୋଲର ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଓଲଟିଲା କୁକୁଡା ବୋଝେଇ ପିକଅପ୍, ଯିଏ ଯେତେ ପାରିଲେ ବୋହି ନେଲେ

କେନ୍ଦୁଝର: ଓଲଟିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ୍ । ବହୁ କୁକୁଡା ମରିଯାଇଥିବା ବେଳେ ଆହତ ହୋଇଛନ୍ତି ଡ୍ରାଇଭର । ହେଲେ ରାସ୍ତାରେ ଯାଉଥିବା ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରିବେ କ’ଣ କୁକୁଡ଼ା ଉପରେ ମଡ଼ି ପଡ଼ିଲେ । ଯିଏ ଯେତେ ପାରିଲା ବୋହି ନେଲା । କିଏ ଗୋଟିଏ ତ କିଏ ଦୁଇଟା ଆଉ କିଏ ଦୁଇ ହାତରେ ଯେତେ ସମ୍ଭବ ଧରି ଦୌଡ଼ିଲେ । ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ।

ଅନୁଗୋଳରୁ ରାଇରଙ୍ଗପୁର ଯାଉଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଚିଲିଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଲାଗିପଡ଼ି ଭ୍ୟାନଟିକୁ ଛିଡ଼ା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା କୁକୁଡ଼ା ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା । ଯିଏ ଯେତେ ପାରିଲେ ଧରିକି ଘଟଣା ସ୍ଥଳରୁ ଚମ୍ପଟ ମାରିଲେ ।

ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ ପହଞ୍ଚିବା ବେଳକୁ ଭ୍ୟାନରୁ ଅଧାରୁ ଅଧିକ କୁକୁଡ଼ା ଲୁଟି ନେଇଥିଲେ ଲୋକେ ।

ସୂଚନାଯୋଗ୍ୟ, ଦୁର୍ଘଟଣା ଗସ୍ତ ଗାଡିରୁ ଲୁଟିବା କିଛି ନୂଆ କଥା ନୁହେଁ । କେବଳ ଓଡ଼ିଶା ନୁହେଁ, ବିଭିନ୍ନ ସ୍ଥାନରେ ଏମିତି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥିଏ । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୁଟିବାକୁ ଲୋକେ ଏମିତି ଝାମ୍ପି ପଡ଼ନ୍ତି, ଯେମିତି ବର୍ଷ ବର୍ଷ ଧରି ସେମାନେ ଭୋକିଲା ଅଛନ୍ତି କି ସେ ଜିନିଷ ବ୍ୟବହାର କରିନାହାନ୍ତି । ସେପଟେ ଦୁର୍ଘଟଣାରେ ଆହତ ଗାଡି କର୍ମଚାରୀ ମରିଛି କି ବଞ୍ଚିଛି ତାହା ମଧ୍ୟ ଦେଖନ୍ତି ନାହିଁ କି ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନିଅନ୍ତି ନାହିଁ । ଏମିତି ମାନସିକ ବାରମ୍ବାର ଦେଖା ଦେଉଥିବା ବେଳେ ସମାଲୋଚନା ମଧ୍ୟ କରାଯାଏ । ଲୁଟ ବେଳର ଭିଡିଓ ବି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଛି । ହେଲେ ଏମିତି ଅମାନବୀୟ, ଅସଭ୍ୟ କାମର ଭିଡିଓ ସମସ୍ତେ ଦେଖନ୍ତୁ । ତଥାପି ଏଥିରୁ କିଛି ଶିକ୍ଷା ଲାଭ କରିବା ପରି ମନେ ହୁଏ ନାହିଁ । ଆଉ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୁଟିବା ଦୃଶ୍ୟ ପୁଣି ଦେଖିବାକୁ ମିଳିଥାଏ ।

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୮୦ରୁ ଅଧିକ ଅଟକ, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ୨୫ କାର ଜବତ

ନୂଆପଡ଼ା: ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବେଳେ ରେଡ ମାରିଲା ପୋଲିସ । ୮୦ରୁ ଅଧିକଙ୍କୁ ଧରିବା ସହ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ୨୫ଟି କାର ଜବତ କରିଛି ପୋଲିସ ।

ଶନିବାର ବିଳମ୍ବିତ ରାତିରେ ନୂଆପଡା ଜିଲ୍ଲା ଖରିଆରରୋଡ ସହରସ୍ଥିତ ଠେଲାକୋ ବେଡା ବସ୍ତିରେ ଏହି ଜୁଆ ଆଡ୍ଡା ଚାଲିଥିଲା । ଖରିଆର ରୋଡ ସହର ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ବହୁ ନାମୀଦାମୀ ଲୋକ ଏଥିରେ ସାମିଲ ହୋଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଡିଆଇଜିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଅତର୍କିତ ଭାବେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ ।

ପୋଲିସ ଟିମ ପ୍ରଥମେ ଆଡ୍ଡାକୁ ସିଲ କରି ନୂଆପଡା ଏସପି ସମେତ ଖରିଆର ରୋଡ ଥାନା ପୋଲିସକୁ ଖବର ଦେଇଥିଲେ । ଅଟକ ଲୋକଙ୍କୁ ପୋଲିସ ପଚରାଉଚରା କରୁଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।