ନୂଆଦିଲ୍ଲୀ : ରେସଲର ବଜରଙ୍ଗ ପୁନିଆ ସସପେଣ୍ଡ। ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- ନାଡା। ପୁନିଆଙ୍କ ବିରୋଧରେ ଆକ୍ସନ ନେଇଛି ଆଣ୍ଟି ଡୋପିଂ ଏଜେନ୍ସି । ଜାତୀୟ ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ। ଗତ ମାର୍ଚ୍ଚ ୧୦ରେ ହୋଇଥିଲା ଚୟନ ପ୍ରକ୍ରିୟା। ସେତେବେଳେ ସେ ଡୋପିଂ ଟେଷ୍ଟକୁ ମନା କରିଥିଲେ। ନିର୍ବାଚନ ପୂର୍ବରୁ ପୁନିଆ କଂଗ୍ରେସରେ ହୋଇଥିଲେ ସାମିଲ। ନାଡାର କାର୍ଯ୍ୟାନୁଷ୍ଠାନ ଯୋଗୁ ବିଦେଶରେ ବି ଟ୍ରେନିଂ ନେଇପାରିବେନି ପୁନିଆ। ଗତ ଏପ୍ରିଲ ୨୩ରେ ଡୋପ ଟେଷ୍ଟ ଦେବାକୁ ବିଫଳ ହେବା ପରେ ପ୍ରଥମ ଥର ଲାଗି ପ୍ରାରମ୍ଭିକ ଭାବେ ତାଙ୍କୁ କରାଯାଇଥିଲା ସସପେଣ୍ଡ।
ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଲକ୍ଷ୍ମୌ : ଉତ୍ତରପ୍ରଦେଶ କନୌଜର ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପ୍ରାଣ ହରାଇଛନ୍ତି ୫ ଜଣ ଡାକ୍ତର। ଏକ କାରରେ ଡାକ୍ତରମାନେ ଦ୍ରୁତ ଗତିରେ ଯାଉଥିବାବେଳେ ରୋଡର ଏକ ଡିଭାଇଡରରେ ପିଟି ହୋଇଯାଇଥିଲା କାର। ପରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଡାକ୍ତରମାନେ ସାଇଫାଇସ୍ଥିତ ମିନି ପିଜିଆଇ ହସ୍ପିଟାଲର ବୋଲି ସୂଚନା ମିଳିଛି। ସେମାନେ ଲକ୍ଷ୍ମୌରୁ ଏକ ବିବାହ ଉତ୍ସବ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା।
ରାଜଧାନୀ ଦିଲ୍ଲୀରୁ ୧୭୦୧୫୦୦ ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଏକ ବଡ଼ ସଫଳତା ମିଳିଛି। ନକଲି ନୋଟର ଏକ ବଡ ନେଟଓ୍ବାର୍କକୁ ଧରିବାରେ ସଫଳ ହୋଇଛି । ନକଲି ଭାରତୀୟ ନୋଟ୍ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ନକଲି ନୋଟ୍ ମୁଦ୍ରଣ ନେଇ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ୍ ଉଦ୍ଧାର କରିଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ନିକଟରୁ ୧୭,୦୧,୫୦୦ ଟଙ୍କା ମୂଲ୍ୟର ନକଲି ଭାରତୀୟ ନୋଟ ଉଦ୍ଧାର କରାଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ବିକାଶ ଭରଦ୍ୱାଜ, ସତ୍ୟମ ସିଂ, ସଚିନ ଏବଂ ଅନୁରାଗ ଶର୍ମା।
ପୋଲିସ କହିଛି ଯେ ଅଭିଯୁକ୍ତ ବିକାଶ ଭରଦ୍ୱାଜଙ୍କ ଠାରୁ ୩୯୯ ଟି ନକଲି ନୋଟ୍ ଉଦ୍ଧାର କରାଯାଇଛି, ସେଥିମଧ୍ୟରୁ ୧୦୬ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୧, ୧୦୩ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୨, ୧୦୫ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୩ ଏବଂ ୮୫ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ ୬୮୯୦୦୪ ରହିଛି।
ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସତ୍ୟ ସିଂ ଏବଂ ସଚିନଙ୍କ ଠାରୁ ୨୦୦୦୦ ଟଙ୍କା ମୂଲ୍ୟର ନକଲି ନୋଟ ଉଦ୍ଧାର ହୋଇଥିବାବେଳେ ଅନୁରାଗ ଶର୍ମାଙ୍କ ଠାରୁ ୨.୪ ଲକ୍ଷ ଟଙ୍କା ମୂଲ୍ୟର ନକଲି ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରୁ ୨ ଟି ବଣ୍ଡଲ୍ A4 ସାଇଜ୍ ସିଟ୍, ୧ ଲାପଟପ୍, ୧ରଙ୍ଗ ପ୍ରିଣ୍ଟର୍, ୨ ଲାମିନେଟର, ୧ ପେପର କଟିଙ୍ଗ ମେସିନ୍ ଏବଂ ୯ ଟି ବଣ୍ଡଲ୍ A4 ସାଇଜ୍ କାଗଜପତ୍ର ଜବତ କରିଛି।
ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି। ଏହି ଅଭିଯୁକ୍ତମାନେ କିପରି ନକଲି ନୋଟ୍ ଛାପିବା ଶିଖିଲେ ଏବଂ ସେମାନେ କୌଣସି ବଡ ଗ୍ୟାଙ୍ଗ କିମ୍ବା ନେଟୱାର୍କ ସହିତ ସଂଯୁକ୍ତ କି ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି।
ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା : ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ
ସମ୍ବଲପୁର : ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା। ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ। ତେଣେ ଶିଶୁ ଚୋରର ଟେର୍ ପାଉନି ପୋଲିସ। ପ୍ରସୂତି ବିଭାଗରୁ ଶିଶୁ ଚୋରି କରି ନେଉଥିବାର ସିସିଟିଭି ଭିଜୁଆଲ ଅନୁିସାରେ ଚାରିଟି ଟିମ୍ ଗଠନ କରିଛି ପୋଲିସ। ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ । ଅନ୍ୟପଟେ ଏହି ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍। ଓଡ଼ିଶା, ଛତିଶଗଡ ସୀମା ସିଲ କରିଛି ପୋଲିସ।
ଶ୍ରୀଜୀଉଙ୍କ ବନକଲାଗି ନୀତି : ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
ପୁରୀ : ଆଜି ୫ ଘଣ୍ଟା ପର୍ଯ୍ଯନ୍ତ ଜଗା ଦର୍ଶନ ବନ୍ଦ । ମାର୍ଗଶୀର କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତନୀତି ସମାପନ କରାଯିବ। ଏନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ଓ ଦଇତାପତି ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତନୀତି ସମ୍ପାଦନ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
ଆସୁଛି ବାତ୍ୟା ! ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଗଭୀର ଅବପାତ
ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ନାଁ ଫେଙ୍ଗାଲ ରହିଥିବା ବେଳେ ଏହାର ନାମକରଣ କରିଛି ସାଉଦି ଆରବ। ଅବପାତଟି ନାଗାପାଟନମ୍ ଠାରୁ ୫୯୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି । ୨୯ ତାରିଖ ମଧ୍ୟରେ ବାତ୍ୟାଟି ତାମିଲନାଡୁ ଏବଂ ଶ୍ରୀଲଙ୍କା ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଇଏମଡି । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । କିନ୍ତୁ ବାତ୍ୟା ପ୍ରଭାବରେ କୋହଲା ପାଗ ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ୨୮ ତାରିଖରୁ ୩୦ ନଭେମ୍ବରରେ ସାମୁଦ୍ରିକ ବାୟୁର ପ୍ରଭାବ ରହିବ । ଉପକୂଳ ଓ ଦକ୍ଷିଣ ଜିଲ୍ଲା ତଥା କିଛି ସଂଲଗ୍ନ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡାର କିଛି କିଛି ଅଂଚଳମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ଷା ପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୀତ କମିବା ସହ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ସେହିଭଳି ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ, କଳାହାଣ୍ଡି ଏବଂ କନ୍ଧମାଳରେ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଅଧିକାଂଶ ଜିଲ୍ଲାମାନଙ୍କରେ ଖରିଫ ଧାନ ଅମଳ କାର୍ଯ୍ୟକ୍ରମ ଚାଲୁଥିବାରୁ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲର ନିଷ୍ପତ୍ତି
ନୂଆଦିଲ୍ଲୀ : କିଛି ମାସର ବ୍ଯବଧାନ ପରେ ମଧ୍ଯପ୍ରାଚ୍ଯରେ ଫେରିଛି ସାମୟିକ ଶାନ୍ତି। ଇରାନ ସମର୍ଥିତ ହିଜବୁଲ୍ଲା ସହ ଅସ୍ତ୍ରବିରତି ଲାଗି ଇସ୍ରାଏଲ ନିରାପତ୍ତା କ୍ଯାବିନେଟ ନିଷ୍ପତ୍ତି ନେଇଛି। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆମେରିକା ଓ ଫ୍ରାନ୍ସର ପ୍ରସ୍ତାବକୁ ଉଭୟ ପକ୍ଷ ସମ୍ମାନ ଦେଇ ଏହି ଅସ୍ତ୍ରବିରତ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ପଛରେ ରହିଛି ୩ଟି କାରଣ। ଇରାନ ଆଡୁ ଥିବା ବିପଦକୁ ଫୋକସ କରିବା। ଦ୍ବିତୀୟରେ ସୈନ୍ଯବାହିନୀକୁ ଅଧିକ ସୁସଞ୍ଜତ କରିବା। ତୃତୀୟରେ ହମାସକୁ ଅଲଗା କରିବା। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ-ଲେବାନନ ଯୁଦ୍ଧରେ ପ୍ରାଣ ହରାଇଲେଣି ୩ ହଜାର ୮୦୦ରୁ ଅଧିକ ଲୋକ। ୧୬ ହଜାରରୁ ଅଧିକ ଲୋକ ହେଲେଣି ଆହତ। ସେପଟେ ଗତକାଲି ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲ ହମଲା କରିଥିଲା। ୧୨୦ ସେକଣ୍ଡ ମଧ୍ୟରେ ୨୦ ପୃଥକ ପୃଥକ ସ୍ଥାନରେ ଆକ୍ରମଣ କରିଥିଲା ଇସ୍ରାଏଲ। ବେରୁତର ଜନଗହଳି ପୂର୍ଣ୍ଣ ଅଂଚଳରେ ହୋଇଥିଲା ଏ ଆକ୍ରମଣ। ହିଜବୁଲ୍ଲାର ଗଡ଼ ଭାବେ ପରିଗଣିତ ଦକ୍ଷିଣ ବେରୁତରେ ହୋଇଥିଲା ଜୋରଦାର ହମଲା। ସେପଟେ ଲେବାନନ ଉପରେ ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ। କିଛି ଦିନ ମଧ୍ୟରେ ଇସ୍ରାଏଲ ବାୟୁସେନା ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ଯୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ତେବେ ଇସ୍ରାଏଲ ଏବଂ ଲେବାନନ ଯୁଦ୍ଧ ବିରତି ନେଇ ଗାଜା ଆକ୍ରମଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଗାଜା ଉପରେ ଇସ୍ରାଏଲ ପୂର୍ବ ଭଳି ସୈନ୍ୟ ଅଭିଯାନ ଜାରି ରଖିବ।
ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ?
ମୁମ୍ବାଇ : ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ଜାରି ରହିଛି ସସପେନ୍ସ। ସେପଟେ ବିନା ବିବାଦରେ ସବୁକିଛିର ସମାଧାନ ହେବ ବୋଲି ସୂଚନା ଦେଇଛି ବିଜେପି। ଶିବସେନାର ଏକନାଥ ସିନ୍ଦେ ନା ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦ ନେଇ ଛିଣ୍ଡୁନି ଅଙ୍କ। ନିଜ ନିଜ ଜିତରେ ଅଟଳ ରହିଛନ୍ତି ଦୁଇ ନେତା। ଶିବସେନା ମହାୟୁତି ମେଣ୍ଟରେ ଦ୍ଵିତୀୟ ସର୍ବାଧିକ ଆସନ ହାସଲ କରିଥିବା ଦଳ ରହିଥିବାବେଳେ ସର୍ବାଧିକ ଆସନ ହାସଲ କରିଛି ବିଜେପି। ସେପଟେ ଏନସିପି ଅଜିତ ପାୱାର ଗୋଷ୍ଠୀ ୪୧ ଆସନ ସହ ତୃତୀୟ ସ୍ଥାନରେ ରହିଛନ୍ତି। ମହାୟୁତି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ସମାଧାନ ନେଇ ବାଟ ବାହାରି ପାରିନାହିଁ। ସେପଟେ ବିଜେପି ହାଇକମାଣ୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ ଚୟନରେ ଫେଲ ମାରିଛନ୍ତି। ଏବେ ବିଜେପି ପର୍ଯ୍ୟବେକ୍ଷକ ନେବେ ଅନ୍ତିମ ନିଷ୍ପତ୍ତି। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସି ଦଳୀୟ ଓ ମହାୟୁତି ମେଣ୍ଟ ସହଯୋଗୀ ନେତାଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇପାରେ। ତେଣେ ଏନସିପି ନେତା ଅଜିତ ପାୱାର ଓ ସିନ୍ଦେଙ୍କ ବୈଠକ ବଢାଇଛି ହାର୍ଟବିଟ। ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି। ବିଜେପି ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବ ବି ହ୍ରାସ ପାଇଛି।
ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ
ଭୁବନେଶ୍ବର : ଆଜି ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ବି ଗୃହ ବେଶ୍ ସରଗରମ ରହିପାରେ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଆଇନ ଶୃଙ୍ଖଳା, ଆମ୍ବ ଟାକୁଆ ଜାଉ ମୃତ୍ୟୁ, ରେଲୱେ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ସରକାରୀ ଦଳ ନିଜ ସଫଳତାକୁ ମଧ୍ଯ ଉଠାଇପାରେ।
ଘର କିଣି ଦେବେ କହି ଦଲାଲ୍ ଠକି ନେଲେ ଦେଢ଼ କୋଟି ଟଙ୍କା
ଭୁବନେଶ୍ବର : ହ୍ବାଟସଆପରୁ ସମ୍ପର୍କ ଓ ପରେ ଘର କିଣି ଦେବେ କହି ଦଲାଲ୍ ଠକି ନେଲେ ଦେଢ଼ କୋଟି ଟଙ୍କା । ରାଜଧାନୀ ଭୁବନେଶ୍ଵରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱର ଶତାବ୍ଦୀ ନଗର ଅଞ୍ଚଳର ବାସିନ୍ଦା ମିଥୁନ ସୁବୁଦ୍ଧି ଗତ ଅକ୍ଟୋବର ମାସରେ ଘର କିଣିବା ପାଇଁ ଜାଗମରା ଅଞ୍ଚଳର ବାସିନ୍ଦା ଆଶିଷ ଜେନାଙ୍କ ସହିତ ଯୋଗାଯୋଗ କରିଥିଲେ । ଏନେଇ ଅଗ୍ରୀମ ଦେଢ଼ କୋଟି ଟଙ୍କା ଦେଇଥିଲେ । କିନ୍ତୁ ଆଶିଷ ଘର କିଣି ଦେବା ନାଁ ରେ ସବୁତକ ଟଙ୍କା ଠକି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ମିଥୁନ ଗତ ୨୪ ତାରିଖରେ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହା ପରେ ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ କରିଥିଲେ । ଆଜି ଅଭିଯୁକ୍ତ ଆଶିଷ ଜେନା ଓ ତାଙ୍କ ସହଯୋଗୀଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ଅଭିଯୁକ୍ତ ଆଶିଷ ଜେନା ପାଖରୁ ଖଣ୍ଡଗିରି ପୋଲିସ ଏକ କାର ଜବତ ମଧ୍ୟ କରିଛି ।

