ନନ୍ଦିଘୋଷ ବ୍ୟୁରୋ: ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅପହରଣ ଉଦ୍ୟମ ପଣ୍ଡ। ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର। ଯୋଗଡା ଓ ମୁରାରିପୁର ଗାଁର ଦୁଇ ଯୁବତୀ ଜାରକା ଅଞ୍ଚଳରେ ଏକ ସୁନା ଦୋକାନରେ କାମ କରନ୍ତି। ଗତକାଲି ରାତିରେ ଦୋକାନରୁ କାମ ସାରି ଘରକୁ ଫେରୁଥିବା ସମୟରେ କଣ୍ଟାମାଳିଆ ଓ ଥାନୁଆଳ ମଝି ରାସ୍ତାରେ ଜଣେ ଯୁବକ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କୁ ଅଟକାଇ ଥିଲେ। ପୂର୍ବ ଯୋଜନା ଅନୁସାରେ ଆଉ ଏକ କାରରେ ୩ ଯୁବକ ଆସି ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ କାର ଭିତରକୁ ଉଠାଇ ନେଇଥିଲେ। ଏହା ଦେଖି ସାଥିରେ ଥିବା ଅନ୍ୟ ଜଣେ ଯୁବତୀ ପାଟି କରିବା ସହ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ସହାୟତା ପାଇଁ ଡାକିଥିଲେ। ବାଇକ ଆରୋହୀ ଆସିବା ପରେ କାରରୁ ଯୁବତୀଙ୍କୁ ବାହାର କରି ଦୁବୃର୍ତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବତୀ ଜଣକ ଗାଡି ଅଟକାଇଥିବା ବାଇକ ଆରୋହୀଙ୍କ ଗାଡିର ଚାବି ରଖି ଦେଇଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିବା ପରେ ଜଣଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳ ରେ ଧର୍ମଶାଳା ପୋଲିସ୍ ପହଞ୍ଚି ଅଟକ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ବାଇକ ଜବତ୍ କରିଛି। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। କେଉଁ କାରଣରୁ ଯୁବତୀଙ୍କୁ ଅପହରଣ କରୁଥିଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।ଦିନକୁ ଦିନ ଧର୍ମଶାଳା ଅଞ୍ଚଳ ରେ ଚୋରି, ରାହାଜାନୀ ଡ଼କାୟତି ବଢ଼ି ଚାଲିଥିବା ବେଳେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ପାଇଁ ଦାବୀ ହୋଇଛି…
ସାର ପରେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ବାରହା
ନନ୍ଦିଘୋଷ ବ୍ୟୁରୋ: ସାର ପରେ ଏବେ ପୁଣି ଚାଷୀଙ୍କୁ ଘାରିଛି ଫସଲ ସୁରକ୍ଷା ଚିନ୍ତା। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜେନାପୁର ଗାଁରେ ଆତଙ୍କ ଖେଳାଇଛନ୍ତି ବାରହା। ଧାର କରଜ କରି ଚାଷ କରିଥିବା ଚାଷୀର ହେକ୍ଟର ହେକ୍ଟର ଫସଲ ନଷ୍ଟ କରୁଛନ୍ତି ବାରହା। ଅନ୍ୟ ଉପାୟ ନ ପାଇ ନିଜ ଜମିର ଫସଲକୁ ବାରାହା କବଳରୁ ରକ୍ଷା କରିବା ପାଇଁ ମଞ୍ଚା କରି ଜଗି ରହିଛନ୍ତି ଚାଷୀ। ପାଳି କରି ବିଲରେ ପହରା ଦେଉଛନ୍ତି ଚାଷୀ। ବାରହାକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇବା ସହ ମାଇକ ଲଗାଇ ରାତି ଉଜାଗର ରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଡ୍ରେସ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟ ଏକ କପଡ଼ା ଦୋକାନରେ ଭୟବହ ଅଗ୍ନିକାଣ୍ଡ ।ଲକ୍ଷାଧିକ ଟଙ୍କାର ପୋଷାକ ପୋଡି ନଷ୍ଟ ହୋଇଥିବା ସୂଚନା ରହିଛି। ଗୁଣୁପୁର ଓ ଗୁମୁଡା ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରୁଛି ଅଗ୍ନିଶମବାହିନୀ। ବିଳମ୍ବିତ ରାତିରେ ନିଆଁ ଲାଗିଥିବାବେଳେ ତିନି ମହଲା କୋଠା ଉପରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ। କେମିତି ଲାଗିଲା ନିଆଁ ଅନୁସନ୍ଧାନ କରୁଛି ଅଗ୍ନିଶମବାହିନୀ।
ଦୁଇଦିନ ମଧ୍ୟରେ ଖୋଲିବ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଗୁରମ !
ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ଯା ମାମଲାର ୧୬ ଦିନ ପରେ ମୁହଁ ଖୋଲିଛି ପୋଲିସ । ତଦନ୍ତ ଆଗକୁ ବଢିଛି, ଆସନ୍ତା ଦୁଇଦିନ ମଧ୍ଯରେ ବ୍ରହ୍ମପୁର ଏସପି ଗଣମାଧ୍ଯମକୁ ଏନେଇ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।
ବର୍ତ୍ତମାନ ଲାଷ୍ଟ ଲିଙ୍କରେ ତଦନ୍ତ ଚାଲିଛି । ଖୁବଶୀଘ୍ର ହତ୍ଯାକାରୀ, ଷଡ଼ଯନ୍ତ୍ରକାରୀ ଓ ସେମାନଙ୍କ ମୋଟିଭକୁ ନେଇ ହେବ ଖୁଲାସା । ମାମଲାରେ ଦୁଇଶହରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସନ୍ଦେହରେ ଶତାଧିକ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରାଯାଇଛି । ନିକଟରେ ଡିଜିପି ମଧ୍ଯ ମାମଲାରେ ଅଗ୍ରଗତି ହୋଇଥିବା ସୂଚନା ଦେଇଥିଲେ । ପୋଲିସର ୬ଟି ସ୍ବତନ୍ତ୍ର ଟିମ୍ ଝାଳବୁହା ପରିଶ୍ରମ କରୁଛନ୍ତି । ୯ ଜଣଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛନ୍ତି ।
ଗତକାଲି ସହରର ଜଣେ ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଉଠାଇ ନେଇଛି ପୋଲିସ । ଅଟକଙ୍କ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠ ତଥା ଅନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀ ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଥିବା ବେଳେ ପୋଲିସ ସ୍କାନରରେ ଚର୍ଚ୍ଚିତ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର ରହିଥିବା ଜଣାପଡ଼ିଛି । ଗ୍ୟାଙ୍ଗର ସର୍ଦ୍ଦାର ଫେରାର ଥିବା ସୂଚନା ମିଳିଛି । ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସଷ୍ଟାଣ୍ଡରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବା ବେଳେ ରାତି ୯ ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ ।

