spot_img
Home Blog Page 1301

ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଟଙ୍କେ ଦୁଇ ଟଙ୍କା ବୃଦ୍ଧି ହାସ୍ୟସ୍ପଦ

ଭୁବନେଶ୍ବର: ଲୁଣଠୁ ଚିନି, ତେଲଠୁ ପରିବା ସବୁର ଦର ଆକାଶ ଛୁଆଁ । ଏମିତି ସ୍ଥିତିରେ ରାଜ୍ୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କେମିତି ଚାଲିଥିଲା ସମସ୍ତଙ୍କୁ ଜଣା । ଏହି ମହରଗ ଦୁନିଆରେ ପିଲାମାନଙ୍କୁ ପୁଷ୍ଠିକର ଖାଦ୍ୟ ଦେବା କଷ୍ଟକର ହୋଇ ପଡୁଥିବା ବେଳେ ଖର୍ଚ୍ଚ ବୃଦ୍ଧି କରିବାକୁ ସବୁ ମହଲରେ ଦାବି ହେଉଥିଲା । ଆଉ ସରକାର ଖର୍ଚ୍ଚ ବୃଦ୍ଧି ମଧ୍ୟ କରିଛନ୍ତି । ହେଲେ ଏହାକୁ ନେଖିଲେ ଲାଗୁଛି, ଖର୍ଚ୍ଚ ବୃଦ୍ଧି କରିବାକୁ ଯେମିତି ସରକାରଙ୍କ ଆନ୍ତରିକତା ନଥିଲା । ସବୁ ଖାଦ୍ୟ ସାମଗ୍ରୀର ଦର ଉଚ୍ଚା ରହିଥିବା ବେଳେ ଟଙ୍କେ କି ଦୁଇଟଙ୍କା ବଢ଼ାଇ ଦେଲେ ପିଲାମାନେ କେମିତି ପୁଷ୍ଠିକର ଖାଦ୍ୟ ପାଇବେ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଖର୍ଚ୍ଚ ହେବ ୭ ଟଙ୍କା ୬୪ ପଇସା । ପୂର୍ବରୁ ପ୍ରତି ପିଲା ପାଇଁ ଖର୍ଚ୍ଚ ହେଉଥିଲା ୫ ଟଙ୍କା ୯୦ ପଇସା । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସା । ପୂର୍ବରୁ ପ୍ରତି ପିଲାଙ୍କ ପାଇଁ ଖର୍ଚ୍ଚ ହେଉଥିଲା ୮ ଟଙ୍କା ୮୨ ପଇସା । ଡିସେମ୍ବରରୁ ଏହି ବର୍ଦ୍ଧିତ ରାଶିରେ ମିଳିବ ମଧ୍ୟାହ୍ନଭୋଜନ ।

ଦରବୃଦ୍ଧିକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ହେଲେ ଦରବୃଦ୍ଧି କାଳରେ ଦେଶର ଭବିଷ୍ଯତଙ୍କ ଲାଗି ଟଙ୍କେ, ଦି ଟଙ୍କା ବଢାଇବା ହାସ୍ଯାସ୍ପଦ ବୋଲି କହିଛନ୍ତି ଅଭିଭାବକ ଓ ଶିକ୍ଷକ ସଂଘ । ଏତେ କମ୍ ପଇସା ବଢାଇଲେ ପିଲାମାନେ କିପରି ସୁଷମ ଖାଦ୍ଯ ପାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

୨୪ ଘଣ୍ଟାରେ ପପୁ ଯାଦବଙ୍କୁ ହତ୍ୟା କରିବାକୁ ଧମକ ..

ନନ୍ଦିଘୋଷ ବ୍ୟୁରୋ: ବିହାର ଏମପି ପପୁ ଯାଦବଙ୍କୁ ହତ୍ୟା ଧମକ। ୨୪ ଘଣ୍ଟାରେ ପପୁ ଯାଦବଙ୍କୁ ହତ୍ୟା କରାଯିବାର ମିଳିଛି ଧମକ । ଏକ ଅଜ୍ଞାତ ନମ୍ବରରୁ ପୁର୍ନିଆ ଏମପି ପପୁ ଯାଦବଙ୍କ ହ୍ବାଟସ ଆପ ନମ୍ବରରେ ମୃତ୍ୟୁ ଧମକ ମିଳିଛି । ଯେଉଁଥିରେ  ଲେଖା ଅଛି, ‘୨୪ ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମର ସାଥୀମାନଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଆମର ସାଥୀମାନେ ଆପଣଙ୍କର ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ସୁରକ୍ଷାକର୍ମୀ ମାନେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ବଞ୍ଚାଇବାକୁ ଅସମର୍ଥ ହେବେ । ପୁର୍ନିୟା ଏମପି ରାଜେଶ ରଂଜନ ଓରଫ ପପୁ ଯାଦବ ତୁମର ଶେଷ ଦିନକୁ ଉପଭୋଗ କରନ୍ତୁ।

ଶନିବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପପୁ ଯାଦବ କହିଛନ୍ତି ଯେ ଗତ ଦେଢମାସ ଧରି ତାଙ୍କୁ ନିରନ୍ତର ଧମକ ମିଳୁଛି। କିନ୍ତୁ ମୁଁ ଧମକକୁ ଭୟ କରେ ନାହିଁ, ମୁଁ ଧମକ ବିଷୟରେ ଚିନ୍ତା କରେ ନାହିଁ । କିଏ ଧମକ ଦେଉଛନ୍ତି ? ତାଙ୍କ ଉଦ୍ଦେଶ୍ୟ କ’ଣ ? ସେମାନେ କାହା ପାଇଁ କାମ କରୁଛନ୍ତି ? ଜେଲରୁ କାହିଁକି ଧମକ ମିଳୁଛି ? ଏହାର ଯାଞ୍ଚ କରାଯାଉ ।

ସାଂସଦ ପପୁ ଯାଦବ କହିଛନ୍ତି ଯେ ସରକାର ମୋତେ ସୁରକ୍ଷା ଦିଅନ୍ତୁ କି ନଦିଅନ୍ତୁ  । ଅନ୍ତତଃ ଲୋକଙ୍କୁ କହିବା ଉଚିତ କି ଯେ ମୋତେ କାହିଁକି ଧମକ ମିଳୁଛି ? ଯଦି ସତ୍ୟ କହିବା ପାଇଁ ଏମିତି ଦଣ୍ଡ ମିଳେ, ତେବେ ମୁଁ ହଜାର ଥର ଏପରି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ । ମୁଁ ମୋ ଜୀବନକୁ ଭୟ କରେ ନାହିଁ । କିନ୍ତୁ ଜେଲ ଭିତରୁ କିପରି ଧମକ ଆସୁଛି ତାହା ସରକାର କୁହନ୍ତୁ । କିଏ ଏବଂ କାହା ନିର୍ଦ୍ଦେଶରେ ଏହି ସବୁ ଘଟୁଛି ତଦନ୍ତ କରିବା ଦରକାର ।

ପପୁ ଯାଦବଙ୍କ ମିଳିଥିବା ଧମକପୂର୍ଣ୍ଣ ବାର୍ତ୍ତାର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଲେଖା ଅଛି ଯେ ସେମାନେ ଗତ ୨୪ ଘଣ୍ଟା ମଧ୍ୟରେ ତୁମକୁ ହତ୍ୟା କରାଯିବ । ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଛି, ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି  । ଏପରିକି ଆପଣଙ୍କର ସୁରକ୍ଷାକର୍ମୀ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ  । ପପୁ ଯାଦବଙ୍କୁ ଗତ ସପ୍ତାହରେ ପାକିସ୍ତାନୀ ନମ୍ବରରୁ ଧମକ ମିଳିଥିଲା। ଏହି ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି କହିଛନ୍ତି। ଗତ ମାସରେ ପୋଲିସ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ​​ଯିଏ ପପୁ ଯାଦବଙ୍କୁ ଧମକ ଦେଇଥିଲା।

ଏହି ତାରିଖରେ ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ନନ୍ଦିଘୋଷ ବ୍ୟୁରୋ: ୫ ଡିସେମ୍ବରରେ ମହାରାଷ୍ଟ୍ରକୁ ମିଳିବ ନୂତନ ମୁଖ୍ୟମନ୍ତ୍ରୀ ! ଶପଥ ଗ୍ରହଣ ପାଇଁ ମଇଦାନ ମଧ୍ୟ ଚୟନ ସରିଛି । ଶପଥ ଗ୍ରହଣର ମହାନ କାର୍ଯ୍ୟ ମୁମ୍ବାଇର ଐତିହାସିକ ଆଜାଦ ମଇଦାନରେ ହେବ । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଏଠାରେ ଶପଥ ଗ୍ରହଣ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ କେତେ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ । ସୂଚନାନୁସାରେ, ବିଜେପି ସରକାର ଶପଥ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି । ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱାନକୁଲେ ନିଜେ ଏହି ପ୍ରସଙ୍ଗରେ ତଦାରଖ କରୁଛନ୍ତି । ବାୱାନକୁଲେ ହିଁ ଏହି ଶପଥ ଗ୍ରହଣ ବିଷୟରେ ସୂଚନା ଦେଉଛନ୍ତି ।

ଡିସେମ୍ବର ୨ କିମ୍ବା ୩ ରେ ମୁମ୍ବାଇରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଧାୟକ ଦଳର ନେତା ବଛାଯିବେ। ବିଧାୟକ ଦଳର ନେତା ବାଛିବା ପାଇଁ ବିଜେପି କେନ୍ଦ୍ରରୁ ପର୍ଯ୍ୟବେକ୍ଷକ ପଠାଯିବ । ବିଧାୟକ ଦଳର ବୈଠକ ପରେ ତୁରନ୍ତ ସରକାର ଗଠନ ପାଇଁ ଦାବି କରାଯିବ। ଏହା ପରେ ଶପଥ ଗ୍ରହଣ ତାରିଖ ଘୋଷଣା କରାଯିବ।

୨୦୧୪ରେ ଯେତେବେଳେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶପଥ ନେଇଥିଲେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ।  ୨୦୧୯ରେ, ଫଡନାଭିସ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ସେତେବେଳେ ରାଜ ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା  ।

ଯେତେବେଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଶପଥ ଗ୍ରହଣ ସମାରୋହ ପାଇଁ ଶିବାଜୀ  ମଇଦାନକୁ ବାଛିଥିଲେ । ବାଲାସାହେବଙ୍କ ଅନ୍ତିମ ସଂସ୍କାର ଏହି ମଇଦାନରେ ହୋଇଥିବାରୁ ଶିବସେନା ପାଇଁ ଏହି ଭୂମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ମହାରାଷ୍ଟ୍ର ୨୮୮ ବିଧାନସଭା ଆସନ ମଧ୍ୟରୁ୨୩୦ ଟି ଜିତିଛି  । ରାଜ୍ୟରେ ସର୍ବାଧିକ ୧୩୨ ଟି ଆସନ ଜିତିଛି ଭାଜପା । ସିନ୍ଦେ ସେନା ୫୭ ଟି ସିଟ୍ ଏବଂ ଅଜିତ ପାୱାରଙ୍କ ଦଳ ୪୧ଟି ସିଟ୍ ଜିତିଛି।

ଟ୍ରମ୍ପ ଶପଥ ନେବା ପୂର୍ବରୁ ବିଦେଶୀ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ

ଓ୍ବାସିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଜାନୁଆରୀରେ ଲାଗୁ ହୋଇପାରେ ଟ୍ରାଭେଲ ବ୍ୟାନ୍ ନିର୍ଦ୍ଦେଶ । ଏହା ପୂର୍ବରୁ ଆମେରିକାକୁ ଫେରି ଆସିବାକୁ ବିଦେଶୀ ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ଆମେରିକାର ବହୁ ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଜାନୁଆରୀ ୨୦ରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବେ । ୪୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଅର୍ଥନୀତି, ଇମିଗ୍ରେସନ ସମ୍ପର୍କିତ କେତେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାର ସମ୍ଭାବନା ଥିବାରୁ ବିଶ୍ବବିଦ୍ୟାଳୟଗୁଡିକ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ଶିକ୍ଷା ଓ ସଂସ୍କୃତି ବ୍ଯାପାର ବ୍ୟୁରୋ ଓ ଅନ୍ତର୍ଜାତୀୟ ଶିକ୍ଷା ପ୍ରତିଷ୍ଠାନର ସୂଚନା ଅନୁସାରେ ଆମେରିକାରେ ଯେତିକି ବିଦେଶୀ ଛାତ୍ରଛାତ୍ରୀ ଅଛନ୍ତ ସେମାନଙ୍କ ମଧ୍ୟରୁ ଚୀନ ଓ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ଯା ୫୪ ପ୍ରତିଶତ । ୨୦୦୯ରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ଯା ୩ ଲକ୍ଷ ୩୧ ହଜାର ହୋଇଥିବାବେଳେ ବର୍ତ୍ତମାନ ସେହି ସଂଖ୍ଯା ୨୩ ପ୍ରତିଶତ ବୃଦ୍ଧି ପାଇଛି । ବିଦେଶୀ ଛାତ୍ରଛାତ୍ରୀମାନେ ଆମେରିକା ଦୂତାବାସ କିମ୍ବା କନସୁଲେଟ ନିକଟରେ ନୂଆ ଏଣ୍ଟ୍ରି ଭିସା ଆବେଦନ କରିବା ଲାଗି ପରାମର୍ଶ ଦିଆଯାଇଛି ।

ନିଜର ପ୍ରଥମ ପାଳିରେ ୨୦୧୭ ଜାନୁଆରୀରେ ଟ୍ରମ୍ପ ଏକ ଗୁରୁତ୍ବପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ । ମୁସଲିମ ବହୁଳ ଇରାକ, ସିରିଆ, ଇରାନ, ଲିବ୍ଯା, ସୋମାଲିଆ, ସୁଡାନ ଓ ୟେମନର ନାଗରିକଙ୍କ ଉପରେ ନିଷେଧାଦେଶ ଜାରି କରିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ଘୋଷଣାନାମାକୁ ନେଇ ଅସୁବିଧାରେ ପଡିଥିଲେ ଏହି ୭ଟି ଦେଶର ନାଗରିକ ।

ବାରମ୍ବାର ଏହି ମାମଲାରେ ମୋ ସ୍ତ୍ରୀକୁ ଟାଣନ୍ତୁ ନାହିଁ, ଇଡି ରେଡ ପରେ ରାଜ କୁନ୍ଦ୍ରାଙ୍କ ପ୍ରଥମ ବୟାନ ..

ନନ୍ଦିଘୋଷ ବ୍ୟୁରୋ: ଗତକାଲି ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ନିର୍ମାଣ, ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି । ରାଜଙ୍କ ସହ ଜଡିତ ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢାଉ କାର୍ଯ୍ୟ ଚାଲିଛି। ମୋବାଇଲ ଆପ୍ଲିକେସନ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଅଶ୍ଳୀଳ ଭିଡିଓ ବିତରଣରେ ସନ୍ଦିଗ୍ଧଙ୍କ ଭୂମିକା ସମ୍ପର୍କରେ ଅନୁସନ୍ଧାନ କରାଯାଇଛି।

ତେବେ ଇଡି ଚଢାଉର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରାଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ସେ ଏଥିରେ ଉଲ୍ଲେଖ କରିଛନ୍ତି କି ଏସବୁ ମାମଲାରେ ମୋ ସ୍ତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଟାଣିବା ଉଚିତ୍ ନୁହେଁ । ଏହାସହିତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ରାଜ କୁନ୍ଦ୍ରା ଲେଖିଛନ୍ତି ମୁଁ ଗତ ଚାରି ବର୍ଷ ଧରି ଅନୁସନ୍ଧାନରେ ସହଯୋଗ କରିଆସୁଛି । ଏବଂ ସତ କେବେ ଲୁଚି ରହେନା । ଶେଷରେ କେବଳ ନ୍ୟାୟ ମିଳିବ ।

ଶିଳ୍ପା ଶେଟ୍ଟୀଙ୍କୁ ଆହୁରି ସମର୍ଥନ କରି ସେ ଲେଖିଛନ୍ତି, “ଏହି ମାମଲାରେ ମୋ ପତ୍ନୀଙ୍କୁ ବାରମ୍ବାର ଟାଣିବା ଗ୍ରହଣୀୟ ନୁହେଁ। କାହାକୁ କହିବାର ଗୋଟେ ସୀମା ଥାଏ । ଏହା ଏକ ସମ୍ବେଦନଶୀଳ ମାମଲା  । ଯେଉଁଥିରେ ମୋ ସ୍ତ୍ରୀଙ୍କର କୌଣସି ସମ୍ପର୍କ ନାହିଁ । ଏହାପୂର୍ବରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ୨୦୨୧ ମସିହା ଜୁନ୍ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୁଲିସ। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ମୁକୁଳିଥିଲେ।

ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଶିଳ୍ପା ଶେଟ୍ଟୀଙ୍କ ଓକିଲ ମଧ୍ୟ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ଶିଳ୍ପାଙ୍କ ନାମ ଏବଂ ଚିତ୍ର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହି ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଶିଳ୍ପା ଏବଂ ରାଜ କୁନ୍ଦ୍ରା ୨୨ନଭେମ୍ବର ୨୦୦୯ରେ ବିବାହ କରିଥିଲେ। ଉଭୟ ଦୁଇଟି ସନ୍ତାନର ପିତାମାତା  ।

କଳା ବେଲୁନ ଦେଖାଇ ପ୍ରାଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କଂଗ୍ରେସର ବିରୋଧ

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ସାମିଲ ହେବାକୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ତେବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯାଇଛି । ମୁଣ୍ଡରେ କଳା ପଟି ବାନ୍ଧି କଳା ବେଲୁନ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିରୋଧ କରାଯାଇଛି । କଂଗ୍ରେସ ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ ବିକ୍ଷୋଭ ଯାତ୍ରା ବେଳେ ସହ ଯୁବ ଓ ଛାତ୍ର କଂଗ୍ରେସର ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡି଼ଶା ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବାବେଳେ ଡିଜିପି ସମ୍ମିଳନୀ କରିବାରେ ଲାଭ କ’ଣ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।

ଦେଶରେ ବେରୋଜଗାରୀ ବଢ଼ି ଚାଲିଛି । ଆଦାନୀକୁ ଜମି ପାଣି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନି । ରାଜ୍ୟପାଳଙ୍କ ପୁଅକୁ ଗିରଫ ନକରି ବିଜେପି ସମର୍ଥିତ ବିଧାୟକ ଲିକୁ ସାହୁଙ୍କ କ୍ଷେତ୍ରରେ ବିଜେପି ସରକାର ବେଶୀ ତତ୍ପରତା ଦେଖାଉଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ ।

ସେହିପରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସମ୍ପର୍ଣ୍ଣ ଫେଲ ମାରିଛନ୍ତି ସରକାର । ଯାହା ପ୍ରତିଶ୍ରୁତି ଦେଇଥିଲେ ସବୁ ମିଛ ପାଲଟିଛି । ତିନି ଶହ ୟୁନିଟ ବିଜୁଳି ଗଲା କୁଆଡେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି । ଦରଦାମ ନିୟନ୍ତ୍ରଣରେ ଡବଲ ଇଞ୍ଜିନ ପୂରା ଫେଲ । ବିଜେପି ସରକାର ଓଡ଼ିଶାରେ ଆସିବା ପରେ ରାଜ୍ଯର ଖଣିଜ ସମ୍ପଦ ଆଦାନୀ-ଅମ୍ବାନୀଙ୍କ ହାତରେ ଟେକି ଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ ।

ପଳାତକ କମ୍ପାନୀକୁ ନିମନ୍ତ୍ରଣ ଓ ମେଟ୍ରୋ ପ୍ରକଳ୍ପକୁ ଏକ ବ୍ଲାକ ଲିଷ୍ଟ କମ୍ପାନୀ ହାତକୁ ଟେକି ଦେବା ବିରୋଧରେ ନାରାବାଜି କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ । ବିରୋଧ ସମୟରେ ପୋଲିସ ସହିତ ମୁହିଁମୁହିଁ ହୋଇଥିଲେ ଦଳୀୟ ନେତା ଓ କର୍ମୀ । ଗାନ୍ଧୀ ମାର୍ଗରେ ଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।

ବିଜେପି ଶୀର୍ଷ ନେତୃତ୍ବଙ୍କ ଓଡ଼ିଶାକୁ ଏତେ ଫୋକସ୍ କେବଳ ଲୁଟିବା ପାଇଁ: ଜୟଦେବ

ଭୁବନେଶ୍ବର: ଡିଜିପି ସମ୍ମିଳନୀ ଦେଶର ଯେ କୌଣସି ରାଜ୍ୟରେ ହୁଏ, ଏଥର ଓଡିଶାରେ ହେଉଛି । ଆନ୍ଧ୍ର, ମହାରାଷ୍ଟ୍ରରେ ନୌବାହିନୀ ଶୋ’ ହୁଏ, ଏଥର ପୁରୀରେ ହେଉଛି । ବ୍ରିଟିଶ ଅମଳରୁ ଡିଜିପି ସମ୍ମିଳନୀ ହେଉଥିଲେ ସୁଦ୍ଧା ଓଡି଼ଶାରେ ବିଜେପି ଏହାକୁ ପ୍ରଥମ ଥର ପାଇଁ ଆୟୋଜନ କରିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା । ବିଜେପି ଶୀର୍ଷ ନେତୃତ୍ବ ଓଡି଼ଶାବାସୀଙ୍କୁ ବୋକା ଭାବୁଛନ୍ତି ବୋଲି କହି ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ସେ କହିଛନ୍ତି, ପର୍ଯ୍ୟଟନ ବିକାଶ ନେଇ ଯାହା ଘୋଷଣା କରିଛନ୍ତି ତାହା ଦିନରେ ସ୍ବପ୍ନ ଦେଖିବା ଭଳି l ଏହା ପଛରେ ଆଦାନୀ ଷଡଯନ୍ତ୍ର ରହିଛି l ଭାରତ ବର୍ଷରେ ଓଡିଶାରୁ ଅଧିକ ଲୁଟ ହୋଇପାରିବ ବୋଲି ବିଜେପିର ଡବଲ ଇଞ୍ଜିନ ସରକାର ଜାଣିଛି l ତେଣୁ ଓଡ଼ିଶାର ଉପରେ ଏବେ ନଜର ପକାଇଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ଜୟଦେବ l

୫ ମାସ ଭିତରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା କରିନାହାଁନ୍ତି l ସୁଭଦ୍ରା, ଭତ୍ତା ପରି ସବୁ କ୍ଷେତ୍ରରେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି l ଓଡିଶାରେ ଆମ୍ବ ଟାକୁଆ ଖାଇ ଲୋକେ ମରୁଛନ୍ତି । ବିଜେପି ମନ୍ତ୍ରୀମାନେ ଯେପରି ବୟାନ ଦେଉଛନ୍ତି ତାହା ସଭିଙ୍କୁ ବ୍ୟଥିତ କରିଛି l ବିଜେପି ୫ ମାସ ଭିତରେ ଯେତେ ବଦନାମ ହୋଇଛି, ତାହା ୫୦ ବର୍ଷ ରାଜନୀତିରେ କେବେ ଦେଖିନି ବୋଲି କହିଛନ୍ତି ଜୟଦେବ l

ଆଗକୁ ସେ କହିଛନ୍ତି, ୫ ମାସ ଭିତରେ ଓଡ଼ିଶାବାସୀଙ୍କ ମନରେ ଯେତିକି ଅସନ୍ତୋଷ ହୋଇଛି ତାହାକୁ ପ୍ରଶମିତ କରିବା ପାଇଁ ବିଜେପିର ଶୀର୍ଷ ନେତୃତ୍ୱ ଏଠାକୁ ଆସିଛନ୍ତି । ତେଣୁ ବିଜେପି ନେତାଙ୍କୁ ଶୀର୍ଷ ନେତୃତ୍ୱ ଦଳୀୟ କାର୍ଯ୍ୟାଳୟରେ ଏକାଠି କରି ସଚେତନ କରିଛନ୍ତି l ବାହାରକୁ କିନ୍ତୁ ଭିନ୍ନ ବାର୍ତ୍ତା ଦେଉଛନ୍ତି ବୋଲି ସମାଲୋଚନା କରିଛନ୍ତି ଜୟଦେବ । ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାରେ ଲମ୍ବା ସମୟ ଧରି ରହିଥିଲେ l ଖଣ୍ଡଗିରିରେ ଏଆଇସିସି ଅଧିବେସନ ହୋଇଥିଲା l ତେଣୁ ଏଥିରେ କିଛି ନୂତନତା ନାହିଁ ବୋଲି କହିଛନ୍ତି ଜୟଦେବ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ପ୍ରଧାନମନ୍ତ୍ରୀ ଯଦି ପ୍ରକୃତରେ ଓଡ଼ିଶାକୁ ଭଲ ପାଆନ୍ତି ଓ ସ୍ଵତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି କହୁଛନ୍ତି ତେବେ ଓଡ଼ିଶାକୁ ଆନ୍ଧ୍ର, ବିହାର ପରି ସ୍ଵତନ୍ତ୍ର ପ୍ୟାକେଜ ଦିଅନ୍ତୁ । ପୋଲାଭରମରେ ମାଲକାନାଗିରି ବୁଡିଲାଣି । ମହାନଦୀରେ ପାଣି ନାହିଁ । ଆମ୍ବ ଟାକୁଆ ଖାଇ ୩ ଜଣଙ୍କ ମୃତ୍ୟୁ ହେଲା । ସେ ବିଷୟରେ ପ୍ରଧାନମନ୍ତ୍ରୀ ଚୁପ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡି଼ଶାବାସୀ ବିଜେପିକୁ ୨୦ ସାଂସଦ ଦେଇଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ କ’ଣ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର । ଓଡିଶାବାସୀ ତାଙ୍କୁ ବିଶ୍ୱାସ କରି ଭୋଟ ଦେଇଛନ୍ତି l ଏଯାଏଁ ଓଡ଼ିଶାକୁ ବିଜେପିର ଡବଲ ଇଞ୍ଜିନ ସରକାର ଅଣଦେଖା କରିଛି ବୋଲି ସମାଲୋଚନା କରିଛନ୍ତି ରାମଚନ୍ଦ୍ର ।

କେଉଁଠି ଅଛନ୍ତି ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବି, ମିଳୁନି ସୁରାଗ ..

ନନ୍ଦିଘୋଷ ବ୍ୟୁରୋ: କେଉଁଠି ଅଛନ୍ତି ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବି । ନିଖୋଜ ବୁଶରା ବିବିଙ୍କୁ ଖୋଜିବାକୁ ଚାରିଆଡେ ଘୁରିବୁଲୁଛି ପାକିସ୍ତାନ ପୋଲିସ । ୧୯କୋଟି ପାଉଣ୍ଡ ଦୁର୍ନୀତି ମାମଲାରେ ଫସିଥିବା ବୁଶରା ବିବି କୋର୍ଟରେ ହାଜର ହେଉନଥିବାରୁ ତାଙ୍କୁ ଖୋଜା ଚାଲିଛି । ଲଗାତାର ୮ଟି ଶୁଣାଣୀ ସମୟରେ ବୁଶରା କୋର୍ଟରେ ଅନୁପସ୍ଥିତି ଥିବାରୁ ତାଙ୍କ ନାଁରେ କୋର୍ଟ ଓ୍ବାରେଣ୍ଟ ଜାରୀ କରିଛନ୍ତି ।

ଜଷ୍ଟିସ ନାସିର ଜାଭେଦ୍ ରାଣା କୋର୍ଟରେ ହାଜର ନହେବା ପାଇଁ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେବେଠାରୁ ବୁଶରାଙ୍କୁ ଗିରଫ କରିବା ପାଇଁ ଖୋଳତାଡ ଆରମ୍ଭ କରାଯାଇଛି । ବୁଶରା ବିବି ବର୍ତ୍ତମାନ ଖେଓ୍ବର ପଙ୍ଖତୁନଖୱା ପ୍ରଦେଶର ରାଜଧାନୀ ପେଶୱାରରେ ରହୁଛନ୍ତି । ଖେଓ୍ବର ପଙ୍ଖତୁନଖୱା ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ କ୍ଷମତାରେ ଅଛି।

ବୁଶରାଙ୍କୁ ଗିରଫ କରିବାକୁ ଯାଇଥିଲେ ଟିମ୍

ମିଡିଆ ରିପୋର୍ଟ ଅନୁଯାୟୀ ଯେ ଟିମ୍ ବୁଶରା ବିବିଙ୍କୁ ଗିରଫ କରିବା ପାଇଁ ନଭେମ୍ବର ୨୩ରେ ପେଶୱାର ଯାଇଥିଲେ । ଯେତେବେଳେ ଅଧିକାରୀମାନେ ବୁଶରା ବିବିଙ୍କ ଘରେ ଗିରଫ ୱାରେଣ୍ଟ ଦେଖାଇଥିଲେ, ସେତେବେଳେ ସେ ଘରେ ଉପସ୍ଥିତ ନଥିଲେ । ଏହି କାରଣ ପାଇଁ ଟିମକୁ ଖାଲି ହାତରେ ଫେରିବାକୁ ପଡିଥିଲା ।

ବୁଶରା ବିବିଙ୍କ ବିରୋଧରେ ଅଭିଯୋଗ

ଉଭୟ ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କ ଉପରେ ୧୯କୋଟି ପାଉଣ୍ଡର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି, ଯାହା ବ୍ରିଟେନର ନ୍ୟାସନାଲ କ୍ରାଇମ ଏଜେନ୍ସି ଦ୍ୱାରା ସମ୍ପତ୍ତି ବ୍ୟବସାୟୀଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ଫେରସ୍ତ କରାଯାଇଥିଲା। ଏହି ଅର୍ଥ ପାକିସ୍ତାନର ଜାତୀୟ ରାଜକୋଷ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଏହା ବିଶ୍ୱବିଦ୍ୟାଳୟ ଏବଂ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହୃତ ହୋଇଥିଲା । ବୁଶରା ବିବି ଅଲ-କାଦିର ଟ୍ରଷ୍ଟର ଟ୍ରଷ୍ଟି ଭାବରେ ଏହି ଚୁକ୍ତିରୁ ଲାଭବାନ ହୋଇଥିବା ଅଭିଯୋଗ ହୋଇଛି। ବୁଶରା ମଧ୍ୟ ଝେଲମର ଅଲ-କାଦିର ବିଶ୍ୱବିଦ୍ୟାଳୟ ପାଇଁ ୪୫୮ କେନାଲ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଛି।

ବିଜେପି ସରକାର ରଙ୍ଗ ବଦଳାଇବା ଭଳି ମତ ବଦଳାଉଛନ୍ତି ପ୍ରଧାନମନ୍ତ୍ରୀ: ବିଜେଡି

ଭୁବନେଶ୍ବର: ରାଜ୍ୟ ବିଜେପି ସରକାର ଯେମିତି ରଙ୍ଗ ବଦଳା ରାଜନୀତି କରୁଛି, ପ୍ରଧାନମନ୍ତ୍ରୀ ସେମିତି ମତ ପରିବର୍ତ୍ତନ କରୁଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ସଂସଦରେ ବିଜେଡିକୁ ପ୍ରଶଂସା କରିଥିଲେ । କହିଥିଲେ, ଯଦି ସଂଘୀୟ ବ୍ୟବସ୍ଥାକୁ କିଏ ସବୁଠୁ ଅଧିକ ଅନୁପାଳନ କରୁଥାଏ ସେ ହେଉଛି ବିଜେଡି ସରକାର । ଆଉ ଏବେ ଓଡ଼ିଶାର ବିଜେପି ସରକାରଙ୍କ ରଙ୍ଗ ବଦଳା ଭଳି ପ୍ରଧାନମନ୍ତ୍ରୀ ବି ବର୍ତ୍ତମାନ ମତ ବଦଳାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ଏପରି କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେ କହିଛନ୍ତି, ୫ ମାସ ହେଲା ବିଜେପି ସରକାର ରାଜ୍ଯରେ କିଛି କରିନାହାଁନ୍ତି । ଖାଲି ରଙ୍ଗ ବଦଳାଇଛନ୍ତି । ୨୨ଟି ଯୋଜନାର ନାମ ବଦଳାଇଛନ୍ତି । ଓଡିଶାକୁ ଯେଉଁ ପ୍ରାଧାନ୍ୟ ଦେଇଛନ୍ତି ବୋଲି କହୁଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କ ଚିରାଚରିତ କଥା । ଯେଉଁ ରାଜ୍ୟକୁ ଯାଆନ୍ତି ସେ ଏହି କଥା କୁହନ୍ତି । ତେଲଙ୍ଗନା ଓ ମହାରାଷ୍ଟ୍ର ଯାଇଥିଲେ ସେଠି ମଧ୍ଯ ଏହି କଥା କହିଥିଲେ । ଯଦି ଓଡିଶାକୁ ପ୍ରାଧାନ୍ୟ ଦେଇଥାନ୍ତେ ତା’ହେଲେ କୋଇଲା ରୟାଲଟି କାହିଁକି ସଂଶୋଧନ  କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡିଶାକୁ ଯେଉଁ ଅର୍ଥ ଦେଉଛନ୍ତି ତାହା ଦେଶର ପଇସା । ପ୍ରଧାନମନ୍ତ୍ରୀଙ୍କ ନିଜ ପଇସା ନୁହେଁ । ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଦେଉଛନ୍ତି । କିଛି ଶିଖିବାର ଅଛି ଯଦି ନବୀନଙ୍କଠାରୁ ଶିଖନ୍ତୁ ବୋଲି ପ୍ରସନ୍ନ କହିଛନ୍ତି ।

ସେହିଭଳି ନବୀନ ନିବାସ ଆଗରେ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଆୟୋଜନ ନେଇ ପ୍ରସନ୍ନ କହିଛନ୍ତି, ନବୀନ ନିବାସ ଆଗରେ ସଭା ପାଇଁ ସେମାନେ ଅନୁମତି ଆଣିଥିବେ । ମୁଁ ଭାବୁଛି ସେଭଳି କିଛି ମନୋଭାବ ରଖି ନଥିବେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ୬ ମାସ ସରକାରକୁ ନେଇ ଲୋକେ କେତେ ଖୁସି ସମସ୍ତେ ଜାଣିଛନ୍ତି । ବିଜେଡି ପୁଣି କ୍ଷମତାକୁ ଫେରିବ ପ୍ରଶ୍ନରେ ପ୍ରସନ୍ନ କହିଛନ୍ତି, ଏହା ନିଧାର୍ଯ୍ୟ ।

ଜାଣନ୍ତୁ ଜାମା ମସଜିଦକୁ ନେଇ ଚର୍ଚ୍ଚାରେ ଥିବା ସମ୍ଭଲର ଇତିହାସ କ’ଣ ?

ନନ୍ଦିଘୋଷ ବ୍ୟୁରୋ: ସମ୍ଭଲ ଏକ ଐତିହାସିକ ସ୍ଥାନ । ଯାହାର ରହିଛି ଅନେକ ଇତିହାସ । ମୋଗଲ,ମରାଠାଙ୍କ ଠାରୁ ଆରମ୍ଭ କରି ବ୍ରିଟିଶ ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଥାନରେ ପାଦ ଥାପିଛନ୍ତି । ସମ୍ଭଲ କୋଳରେ ଲୁଚିରହିଛି ଅନେକ ଇତିହାସ । ଜାମା ମସଜିଦକୁ ନେଇ ଘଟିଥିବା ହିଂସା କାରଣରୁ ସାମ୍ନାକୁ ଆସିଥିବା ସମ୍ଭଲ ବିଷୟରେ ହୁଏତ ଅଧିକାଂଶ ଜାଣିନଥିବେ । ୨୮ ସେପ୍ଟେମ୍ବର ୨୦୧୧ରେ ଏହା ଜିଲ୍ଲାରେ ପରିଣତ ହୋଇଥିଲା । ସେତେବେଳେ ଏହା ନାମଥିଲା ଭୀମନଗର । ୨୩ ଜୁଲାଇ ୨୦୧୨ରେ ଏହାର ନାମ ସମ୍ଭଲରେ ପରିବର୍ତ୍ତନ କରାଯାଇଥିଲା । ଏହା ହେଉଛି ସେହି ସମ୍ଭଲ ଯାହା ଏକଦା ଦିଲ୍ଲୀର ସୁଲତାନଙ୍କୁ ଜାଗିର ଭାବରେ ଦିଆଯାଇଥିଲା ଏବଂ ପରବର୍ତ୍ତୀ କାଳରେ ମରାଠାଙ୍କ ଦ୍ବାରା ଲୁଣ୍ଠିତ ହୋଇଥିଲା । ସମ୍ଭଲ ଏକଦା ପୃଥ୍ୱୀରାଜ ଚୌହାନଙ୍କ ପ୍ରିୟ ସହର ମଧ୍ୟ ଥିଲା |

ସମ୍ଭଲର ଏକ ମାନ୍ୟତା ଅଛିକି ଏହାର ଅସ୍ତିତ୍ବ ଚାରୋଟି ଯୁଗରେ ବିଦ୍ୟମାନ ଅଛି । ସତ୍ୟଯୁଗରେ ଏହାର ନାମ ସତ୍ୟଭ୍ରତ, ତ୍ରେତୟାରେ ଏହା ମହାଦାଗିରି, ଦ୍ୱାପରରେ ଏହାକୁ ପିଙ୍ଗଲ ଏବଂ କଳିଯୁଗରେ ଏହା ସମ୍ଭଲ ନାମରେ ପରିଚିତ । ସମ୍ଭଲରୁ ୮୮୫ ସମ୍ୱତ କନୌଜ ଶାସକ ନାଗଭଟ୍ଟ-୨ଙ୍କର ଏକ ତାମ୍ରପତ୍ର ମିଳିଛି । ଏହି ତାମ୍ରପତ୍ରରେ ସମ୍ଭଲକୁ ଶମ୍ଭୁ ପାଲିକା କୁହାଯାଇଛି । ଏହି ତାମ୍ରପତ୍ର ଦର୍ଶାଏ ଯେ ସମ୍ୱଲରେ ଅନେକ ବଡ଼ ବଡ ମନ୍ଦିର ଥିଲା ।

୬୮ ତୀର୍ଥସ୍ଥାନ ଏବଂ ୧୯ ଟି କୂଅ

ସ୍କନ୍ଦ ପୁରାଣ ଉପରେ ଆଧାରିତ ସମ୍ୱଲ ମହାତ୍ମ୍ୟ ନାମକ ଏକ ପୁସ୍ତକ ରଚନା କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସମ୍ଭାଲରେ ୬୮ଟି ତୀର୍ଥସ୍ଥାନ ଏବଂ ୧୯ ଟି କୂଅ ଥିଲା । ପ୍ରାୟ ୭୦୦ଖ୍ରୀଷ୍ଟାବ୍ଦରେ ସମ୍ଭଲରେ ତୋମର ରାଜବଂଶର ଶାସନ ପ୍ରତିଷ୍ଠା ହୋଇଥିଲା । ଏହାର ରାଜା ଥିଲେ ଜଗତ ସିଂ। ବିଶ୍ବାସ କରାଯାଏ ଯେ ସେ ହିଁ ଏହି ୬୮ତୀର୍ଥସ୍ଥାନ ନିର୍ମାଣ କରିଥିଲେ। ଡୋର ରାଜବଂଶର ରାଜା ନହର ସିଂ ସମ୍ଭଲରେ ପ୍ରସିଦ୍ଧ ଦୁର୍ଗ ନିର୍ମାଣ କରିଥିଲେ, ଯାହା ପରେ ପୃଥ୍ୱୀରାଜ ଚୌହାନଙ୍କ ଦ୍ୱାରା ଏକ ନୂତନ ରୂପ ଦିଆଯାଇଥିଲା । ଯେତେବେଳେ ଚୌହାନ ରାଜବଂଶର ରାଜା ବିସାଲଦେବ ଦିଲ୍ଲୀକୁ କାବୁ କରି ତୋମର ରାଜବଂଶକୁ ସମାପ୍ତ କଲେ, ସମ୍ଭଲ ଚୌହାନ ଅଧୀନରେ ଥିଲା। ଏହି ରାଜବଂଶର ମହାନ ରାଜା ପୃଥ୍ୱୀରାଜ ଚୌହାନ ସମ୍ଭଲ ଏବଂ ଅମରୋହା ଚାରିପାଖରେ ଅନେକ ଛୋଟ ଦୁର୍ଗ ନିର୍ମାଣ କରିଥିଲେ । ଏବେ ମଧ୍ୟ ଚୌରାଖେଡା ନାମକ ଏକ ପ୍ରାଚୀନ ଦୁର୍ଗର ଅବଶେଷ ସୋତ୍ ନଦୀ କୂଳର ବହଜୋଇରେ ଦେଖିବାକୁ ମିଳେ ।

ପୃଥ୍ୱୀରାଜ ଚୌହାନ ସାମନ୍ତଙ୍କ ପାଇଁ ନିର୍ମାଣ କରିଥିଲେ ଦୁର୍ଗ

ଏଠାରେ ଏକ ପ୍ରସିଦ୍ଧ ପ୍ରାଚୀନ ଶିବ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ଦୂରଦୂରାନ୍ତରୁ ଲୋକମାନେ ଶ୍ରାବଣରେ ଜଳାଭିଷେକ ପାଇଁ ଆସନ୍ତି । ଏଠାରେ ପୃଥିରାଜ ଚୌହାନ ତାଙ୍କ ପ୍ରିୟ ସାମନ୍ତ ଚୌଧୁରୀଙ୍କ ପାଇଁ ଏକ ଦୁର୍ଗ ନିର୍ମାଣ କରିଥିଲେ। ଦିଲ୍ଲୀ ସୁଲତାନ ଶାସନ ସମୟରେ ଏହି ଦୁର୍ଗକୁ ଭାଙ୍ଗି ଦିଆଯାଇଥିଲା। ଆଖପାଖ ଗ୍ରାମଗୁଡିକରେ ଏହି ଦୁର୍ଗର ଇଟାରେ ଘର ନିର୍ମାଣ କରାଯାଇଥିଲା । ତଥାପି ଭାଙ୍ଗିଯାଇଥିବା ଦୁର୍ଗର ଏକ ଅଂଶ ଏବେବି ସୁରକ୍ଷିତ ଅଛି । କୁହାଯାଏ ଯେ ପୃଥିରାଜ ଚୌହାନ ଏଠାରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ ଯାହାକୁ ହରି ମଣ୍ଡଳ କୁହାଯାଉଥିଲା। ରୋହିଲଖଣ୍ଡର ଏହା ଏକମାତ୍ର ଅବଶିଷ୍ଟ କୋଠା, ଯାହା ରାଜପୁତ ସମୟର କାରିଗରର ଏକ ଚମତ୍କାରିତାର ଉଦାହରଣ ଦିଏ । ଏହି ବିଷ୍ଣୁ ମନ୍ଦିର ଆକବର ସମୟ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା।

କୁତବୁଦ୍ଦିନ ଆଇବାକଙ୍କ ସମୟରେ ମୁଖ୍ୟ କେନ୍ଦ୍ର ଥିଲା

ମଧ୍ୟଯୁଗରେ କୁତବୁଦ୍ଦିନ ଆଇବାକ୍ ସମ୍ଭଲ ଏବଂ ଅମରୋହାକୁ ମୁସଲିମ ଶାସନର ମୁଖ୍ୟ କେନ୍ଦ୍ର କରିଥିଲେ। ୧୨୪୮ ଖ୍ରୀଷ୍ଟାବ୍ଦରେ, ମଲିକ ଜାଲାଲୁଦ୍ଦିନଙ୍କୁ ଦିଲ୍ଲୀ ସଲତନତ୍ ତରଫରୁ ସମ୍ଭଲର ରାଜ୍ୟପାଳ କରାଯାଇଥିଲା, କିନ୍ତୁ ସେ ଏଠାରେ ରାଜପୁତ କ୍ଷମତାକୁ ହଟାଇବାରେ ବିଫଳ ହୋଇଥିଲେ। ପୂର୍ବୀ ଜୌନପୁରର ଶାର୍କି ସୁଲତାନ ଇବ୍ରାହିମ ଶାର୍କି ୧୪୦୭ଖ୍ରୀଷ୍ଟାବ୍ଦରେ ସମ୍ଭଲକୁ ହାସଲ କରିଥିଲେ। ଆଜି ବି ଇବ୍ରାହିମ ଶାର୍କିଙ୍କ ଦ୍ୱାରା ନିର୍ମିତ ମୁଦ୍ରା ସାମ୍ୱଲ ଅଞ୍ଚଳରେ ବହୁ ସଂଖ୍ୟାରେ ଦେଖିବାକୁ ମିଳେ।

ବହଲୋଲ ଲୋଦୀ ପୁଅକୁ ସମ୍ପତ୍ତିରେ ଦେଇଥିଲେ ସମ୍ବଲ

ସମ୍ବଲ ଦିଲ୍ଲୀ ସୁଲତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଥିଲା । ଏବଂ ତାଙ୍କ ଶାସନ କାଳରେ ବହଲୋଲ ଲୋଦୀ ସମ୍ଭଲକୁ ତାଙ୍କ ପୁଅ ସିକନ୍ଦର ଲୋଦୀଙ୍କୁ ଜାଗିର ଭାବେ ଦେଇଥିଲେ। ଏପରିକି ଯେତେବେଳେ ସିକନ୍ଦର ଲୋଦୀ ଦିଲ୍ଲୀର ସିଂହାସନ ଆରୋହଣ କରିବା ପରେ ବି ଆଗାମୀ ଚାରି ବର୍ଷ ପାଇଁ ସମ୍ଭଲରେ ତାଙ୍କର ବାସସ୍ଥାନ ଥିଲା । ମୋଗଲ କାଳରେ, ଯେତେବେଳେ ଶେରଶାହା ସୁରୀ ହୁମାୟୁଙ୍କ ଠାରୁ ଦିଲ୍ଲୀ ଛଡ଼ାଇ ନେଇଥିଲେ, ସେତେବେଳେ ସେ ମିତ୍ରସେନଙ୍କୁ ୧୫୫୨ଖ୍ରୀଷ୍ଟାବ୍ଦରେ ସମ୍ଭଲର ରାଜ୍ୟପାଳ ଭାବରେ ନିଯୁକ୍ତ ଦେଇଥିଲେ। ପରେ, ଯେତେବେଳେ ହୁମାୟୁ ନିଜର ହଜିଯାଇଥିବା ରାଜ୍ୟକୁ ଫେରି ପାଇଲେ, ସେତେବେଳେ ସେ ଏହାକୁ ବୈରାମ ଖାନଙ୍କୁ ଜାଗିର ଭାବରେ ଦେଇଥିଲେ । ପରେ ବୈରାମ ଖାନ ଇଶା ଖାନଙ୍କୁ ଏହି ସ୍ଥାନର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ଆକବରଙ୍କ ଶାସନ କାଳରେ ସମ୍ଭଲ ଦିଲ୍ଲୀ ସରକାରଙ୍କ ଏକ ଅଂଶ ଥିଲେ। ସେତେବେଳେ ସମ୍ବଲରେ ୨୭ ଟି ପ୍ରାସାଦ ଥିଲା |

ମରାଠାମାନେ କରିଥିଲେ ଲୁଟ୍

୧୭୭୨ରେ ମରାଠା ସମ୍ଭଲ ଉପରେ ଦ୍ୱିତୀୟଥର ଆକ୍ରମଣ କରିଥିଲେ । ଏଥର ସମ୍ଭଲ ମୋରାଦାବାଦ ଏବଂ ବିଜନୋରର ପ୍ରାୟ ୧୩୦୦ ଗାଁରେ ଲୁଟ ହୋଇଥିଲା। ୧୮୦୫ ଖ୍ରୀଷ୍ଟାବ୍ଦରେ ପିଣ୍ଡାରି ଦସ୍ୟୁ ଏହି ଅଞ୍ଚଳ ଉପରେ ଆକ୍ରମଣ କରି ଲୁଟ ଥିଲେ।

ପ୍ରଥମ ସ୍ୱାଧୀନତା ସଂଗ୍ରାମର ସାକ୍ଷୀ ସମ୍ଭଲ

୧୮୫୭ ବିପ୍ଳବ ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ବିପ୍ଳବର ଖବର ସମ୍ଭଲରେ ୧୩ମେ ୧୮୫୭ ରେ ପହଞ୍ଚିଥିଲା। ଶେଷ ମୋଗଲ ଶାସକ ବାହାଦୂର ଶାହା ଜାଫର ବିପ୍ଳବର ନେତୃତ୍ୱ ନେବା ପାଇଁ କମାଣ୍ଡର ବଖତ ଖାନଙ୍କୁ ସମ୍ଭଲ ପଠାଇଥିଲେ। ଯେତେବେଳେ ସମ୍ଭଲ ଲୋକମାନେ ଅନୁଭବ କଲେ ଯେ ବ୍ରିଟିଶ ସୈନ୍ୟଙ୍କ ହେତୁ ମେରଟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଶକ୍ତି ହ୍ରାସ ପାଉଛି ଏବଂ ସେମାନେ ବିପଦରେ ପଡ଼ିପାରନ୍ତି ତେଣୁ ସେମାନେ ସହଯୋଗର ହାତ ବଢାଇଥିଲେ ।

ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲା, ସେତେବେଳେ ସମ୍ଭଲର ଲୋକମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଆଜି ସମ୍ଭଲ ଜିଲ୍ଲାର ତିନୋଟି ତହସିଲ ଅଛି: ସମ୍ବଲ, ଚାନ୍ଦୁସି ଏବଂ ଗୁନ୍ନାଉର | ତିନୋଟି ମ୍ୟୁନିସିପାଲିଟି କର୍ପୋରେସନ୍ ସମ୍ଭଲ, ଚାନ୍ଦୁସି ଏବଂ ବାହୋଇଙ୍କ ବ୍ୟତୀତ ପାଞ୍ଚଟି ନଗର ପଞ୍ଚାୟତ ଗୁନ୍ନା, ବାବ୍ରାଲା, ଗାଭାନ୍, ନାରୁଲି ଏବଂ ସିରସି ଅଛନ୍ତି ।ସମ୍ଭଲ ଜିଲ୍ଲାରେ ଆଠଟି ବ୍ଲକ ଏବଂ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଏବଂ ଏହା ୨୨୭୭ ବର୍ଗ କିଲୋମିଟର ଉପରେ ବ୍ୟାପିଛି ।