ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା। ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ରହିଛି ଡିସେମ୍ବର ୧୦। ଡିସେମ୍ବର ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ଯାହାର ସହ ୨୦ ତାରିଖରେ ଭୋଟଗ୍ରହଣ ହେବ। ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ
ଆଜିଠାରୁ ଗୁରୁଦ୍ୱାରରେ ବାସନ ମାଜିବେ ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ
ଚଣ୍ଡୀଗଡ: ବଢିଲା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଅଡୁଆ। ଆଜିଠାରୁ ଗୁରୁଦ୍ୱାରରେ ସେ ବାସନ ମାଜିବେ । କାରଣ ତାଙ୍କୁ ସିଖ୍ ସମ୍ପ୍ରଦାୟର ସବୁଠାରୁ ବଡ଼ ସଂସ୍ଥା ‘ଅକାଳ ତଖତ’ ‘ଧର୍ମୀୟ ଦଣ୍ଡ’ ଶୁଣାଇଛି । ଦୁଇ ମାସ ପୂର୍ବରୁ ’ଅକାଳ ତଖତ’ ତାଙ୍କୁ ତନଖୋୟା(ଧର୍ମୀୟ ମାମଲାର ଅପରାଧି) ଘୋଷିତ କରିଥିଲା। ‘ଅକାଳ ତଖତ’ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ତାଙ୍କୁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ କାମ ମଧ୍ୟ ଦେଇଛନ୍ତି। ‘ଅକାଳ ତଖତ’ ସଜା ଶୁଣାଇ ବାଦଲଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କୁ ସଜା ସମୟରେ ପ୍ରତିଦିନ ଗୁରୁଦ୍ବାରରେ କୀର୍ତ୍ତନ ଶୁଣିବାକୁ ହେବ। ସୁଖବୀରଙ୍କ ସମେତ ୧୭ଜଣଙ୍କୁ ଏହି ଦଣ୍ଡ ଦିଆଯାଇଛି । ଏହି ଦଣ୍ଡ ଆଜି ଠାରୁ ଆରମ୍ଭ ହେବ ।
ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। ସୁଖବୀର ଗୋଲ୍ଡେନ୍ ଟେମ୍ପଲରେ ପଞ୍ଚ ସିଂହ ସହିବାନୋଙ୍କ ଆଗରେ ନିଜ ଭୁଲ ସ୍ବୀକାର କରିଛନ୍ତି। ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ ହିଁ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ଦଣ୍ଡଘୋଷଣା କରି ଜଥେଦାର ଜ୍ଞାନୀ ରଣବୀର ସିଂହ ଶିରୋମଣିତିନି ଦିନ ଭିତରେ ତାଙ୍କର ଇସ୍ତଫା ସ୍ବୀକାର କରି ପାର୍ଟିରେ ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ ଶେଷ କରିବାକୁ ଅକାଳୀ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।
ଢେଙ୍କାନାଳ ପରଜଙ୍ଗରେ ହାତୀ ଉପଦ୍ରବ : ଆତଙ୍କ ଖେଳାଇଛନ୍ତି ୭୦ ଟିକିଆ ହାତୀ ପଲ
ଢେଙ୍କାନାଳ : ମହାବୀରୋଡ଼ ରେଞ୍ଜ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ୭୦ ଟିକିଆ ହାତୀପଲଙ୍କ ଉପଦ୍ରବ । ଦଳିଦେଲେ ଏକର ଏକର ଧାନ ଫସଲ । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ହିନ୍ଦୋଳ ବନାଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ପଶିଛନ୍ତି ୭୦ ଟିକିଆ ହାତୀପଲ । ସାଆନ୍ଦା, ପାଣିଭଣ୍ଡାର, ରୋଡ଼, କୁମୁସି, କମର, ପାଳସାହି, ରେଣ୍ଠାପାଟ, ଗଇଲୋ, ପାଟରପଦା ଆଦି ଗାଁ ଗୁଡିକରେ ଏକର ଏକର ଧାନଫସଲକୁ ଦଳି ନଷ୍ଟ କରିଦେଇଛନ୍ତି। ଗାଁ ନିକଟ ଜଙ୍ଗଲରେ ରହୁଥିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଧାନ ଫସଲ ଅମଳ ବେଳେ ହାତୀପଲଙ୍କ ଉପଦ୍ରବ ଚାଷୀ ମାନଙ୍କ ଚିନ୍ତା ବଢ଼ାଇଛି। ବନବିଭାଗର ସ୍ୱତନ୍ତ୍ର ଟିମ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।
ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର
ଜୟପୁର : ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଏକାଧିକ ଠିକଣାରେ ଚାଲିଛି ରେଡ୍। ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ସରକାରୀ ବାସଭବନ, ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ପୌରପାଳିକା ଅଫିସ ଚାମ୍ବର, ଜୟପୁର DIETରେ କାର୍ଯ୍ୟରତ ପତ୍ନୀଙ୍କ ଅଫିସ, ଭୁବନେଶ୍ଵର ପଟିଆରେ ଥିବା ସମ୍ପର୍କୀୟ ଏବଂ ଗଂଜାମ ବେଲଗୁଣ୍ଠା ସ୍ଥିତ ପୈତୃକ ଘରେ ଚାଲିଛି ରେଡ୍। ଜୟପୁର ପୌରପାଳିକାର ଇଂଜିନିୟର ଦାୟିତ୍ଵରେ ମଧ୍ୟ ଅଛନ୍ତି ବିଶ୍ଵନାଥ ପାତ୍ର। ଚଢାଉରୁ ଜୟପୁରରେ ଗୋଟିଏ ୩ ମହଲା କୋଠା ସହ ପୈତୃକ ଘର ବେଲଗୁଣ୍ଠାରେ ଗୋଟିଏ ଦୁଇ ମହଲା କୋଠା ଥିବା ଜଣାପଡିଛି। ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ ଇନ୍ସପେକ୍ଟର ଓ ଜଣ ଜଣ ଏଏସଆଇଙ୍କୁ ନେଇ ଚାଲିଛି ଏହି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିବାକୁ ଜୟପୁର ସ୍ଵତନ୍ତ୍ର ଭିଜିଲାନ୍ସ ଜଜ ୱାରେଣ୍ଟ ଜାରି କରିଥିଲେ।

