ଭୁବନେଶ୍ବର : ଚଳିତ ବର୍ଷ ଧାନ ସଂଗ୍ରହକୁ ନେଇ ଦହଗଞ୍ଜ ହେଉଛନ୍ତି ଚାଷୀ । ୧୫୦ କୁଇଣ୍ଟାଲ ଧାନ ସଂଗ୍ରହ ପରେ ସଂପୃକ୍ତ ଚାଷୀର ଅତିରିକ୍ତ ଧାନ କିଣା ଉପରେ ୮୦୦ ଟଙ୍କା ସବସିଡି ନ ଦେବାକୁ ସରକାରଙ୍କ ଘୋଷଣା ଦୁର୍ଭାଗ୍ୟଜନକ । ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଜ ଏକ୍ସ ପୋଷ୍ଟରେ ରାଜ୍ୟ ସରକାରଙ୍କ ଏପରି ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିଜେପି ସରକାରର ପ୍ରଥମ ବର୍ଷରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ଚାଷୀଙ୍କ ଠାରୁ କଟନି ଛଟନି ପରିମାଣ ବଢିଚାଲିଛି । ରାଜ୍ୟରେ ଧାନ କିଣାକୁ ନେଇ ଲାଗି ରହିଛି ଅଚଳାବସ୍ଥା ।
ପ୍ରଦୂଷଣ ଓ ଥଣ୍ଡା କାରଣରୁ ଆପଣ ବ୍ୟାୟାମ ବନ୍ଦ କରି ଦେଇଛନ୍ତି କି, ବଢ଼ିପାରେ ଫୁସଫୁସ୍ ଓ ହାର୍ଟ ସମସ୍ୟା
ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଛି । ଏହି କାରଣରୁ ଅନେକ ଲୋକ ଓ୍ବାକ୍ କରିବା ଓ ବାହାରେ ଏକ୍ସରସାଇଜ କରିବା ଛାଡ଼ି ଦେଇଛନ୍ତି । ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିପାରେ । ନିୟମିତ ବ୍ୟାୟାମ କରୁଥିବା ଲୋକମାନେ ତାହାକୁ ଏବେ ଛାଡ଼ିଦେବା ଫଳରେ ଲଙ୍ଗସ୍ ଓ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ହେଲେ ଆବଶ୍ୟକତାରୁ ଅଧିକ ସତର୍କତା ଅନେକ ସମୟରେ ଫାଇଦା ବଦଳରେ କ୍ଷତି ପହଞ୍ଚାଇଥାଏ । ତେଣୁ ବିଶେଷଜ୍ଞଙ୍କ ମତରେ ଏହି ମୌସୁମୀରେ ଆପଣଙ୍କୁ ଏକ୍ସରସାଇଜ୍ ବିଲକୁଲ ଛାଡ଼ିବା ଅନୁଚିତ ।
ଦିଲ୍ଲୀର ଆପୋଲୋ ହସ୍ପିଟାଲର ଜଣେ କାର୍ଡିଓଲୋଜିଷ୍ଟଙ୍କ ମତରେ, ଥଣ୍ଡା ଓ ପ୍ରଦୂଷଣ କାରଣରୁ ଏକ୍ସରସାଇଜ ଛାଡ଼ିବା ଅନୁଚିତ । ଏକ୍ସରସାଇଜ ନ କରିବା ଫଳରେ ଫୁସଫୁସର କ୍ଷମତା କମିବା ସହ ପରର୍ବତ୍ତୀ ସମୟରେ ତାହା ହାର୍ଟ ବିମାରୀର କାରଣ ସାଜିପାରେ । ଫୁସଫୁସର କ୍ଷମତା ହ୍ରାସ ପାଇଲେ ଆଗାମୀ ଦିନରେ ତାହା ହାର୍ଟ ଆଟାକ ସମସ୍ୟାର କାରଣ ହୋଇପାରେ । ପ୍ରଦୂଷଣ ଭୟରେ ଓ ଥଣ୍ଡାରେ ବାହାରକୁ ନ ଯିବା ବିଲକୁଲ ଠିକ୍ । ମାତ୍ର ଲୋକମାନେ ଘରେ ରହି ବି ଏକ୍ସରସାଇଜ୍ କରୁନାହାନ୍ତି । ଏପରି ସ୍ଥିତିରେ ଲଙ୍ଗସ ଓ ହାର୍ଟ ସ୍ବାସ୍ଥ୍ୟ ପାଇଁ ଏକ୍ସରସାଇଜ କରିବା ଓ ଟେଷ୍ଟ କରିବା ଅତ୍ୟନ୍ତ ଜରୁରୀ । ସର୍ଦ୍ଦିରେ ଶାରୀରିକ କାର୍ଯ୍ୟ କମ୍ ହେବା ହାର୍ଟ ପାଇଁ ଠିକ୍ ନୁହେଁ । ଚଳିତ ମୌସୁମୀରେ ହାର୍ଟ ଆଟାକ ମାମଲା ଅଧିକ ଆସୁଛି । ଏକ୍ସରସାଇଜ ନଛାଡ଼ି ଘରେ ରହି ନିୟମିତ ୧୫ ମିନିଟ ସମୟ ଦେବାକୁ ଡାକ୍ତର କହିଛନ୍ତି ।
ତୃଣମୂଳ ସ୍ତରରେ ସଶକ୍ତ ହେବେ ଯୁବପିଢ଼ି, ଶକ୍ତି ଯୋଗାଇବ ଯୁବ ଶକ୍ତି ଟ୍ରଷ୍ଟ
ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦଙ୍କ ୧୬୪ ତମ ଜନ୍ମତିଥିରେ ଗଠିତ ହେଲା ଯୁବଶକ୍ତି ଟ୍ରଷ୍ଟ । ଜାତୀୟ ଯୁବ ଦିବସ ଅବସରରେ ଉନ୍ମୋଚିତ ହେଲା ଯୁବଶକ୍ତିର ଲୋଗୋ । ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ୍ ମଲ୍ଲିକଙ୍କ ନେତୃତ୍ୱରେ ଭୁବନେଶ୍ବର ପ୍ରେସ କ୍ଲବ ପରିସରରେ ଆୟୋଜିତ ହେଲା ଏହାର ପ୍ରଥମ ଅଧିବେଶନ । କାର୍ଯ୍ଯକ୍ରମରେ ପୁରୀ ସଂସଦ ଶୁଭାଶିଷ ଖୁଣ୍ଟିଆ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ତଥାଗତ ସତପଥି ଓ ଯୁବନେତା ମନ୍ମଥ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଯୁବ ନେତୃତ୍ୱ, ନିର୍ଭୀକତା, ସଙ୍ଘର୍ଷକୁ ନେଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବହୁ ସାମ୍ବାଦିକ, ଡାକ୍ତର ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଶକ୍ତି, ସଂକଳ୍ପ ଓ ସମ୍ଭାବନା ରେ ନାରୀଙ୍କ ନେତୃତ୍ୱକୁ ନେଇ କରାଯାଇଥିଲା ଆଲୋଚନା । ଏହି ଆଲୋଚନାଚକ୍ରରେ ଇଣ୍ଡଲଜ ପ୍ରତିଷ୍ଠାତା ସୁକ୍ରିତି ପଟ୍ଟନାୟକ, ଚାନ୍ଦି ଭଣ୍ଡାରର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ହଂସ, ଡା. ସ୍ଥିତିପ୍ରଜ୍ଞା ବେହେରା ଓ ତାନିଶା ମହାପାତ୍ର ନିଜ ନିଜ ମତ ରଖିଥିଲେ । ତୃତୀୟ ଅଧିବେଶନରେ ଯୁବଶକ୍ତି ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ବିଧାୟକ ପବିତ୍ର ସାଉଁଟା, ଫୋକସପ୍ଲସର ମୁଖ୍ୟ ସୁଧାଂଶୁ ରାଉତ ଏବଂ ବାମପନ୍ଥୀ ନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଯୋଗ ଦେଇଥିଲେ । ରାଷ୍ଟ୍ରଗଠନ ଏବଂ ସାମାଜିକ ପରିବର୍ତ୍ତନରେ ଯୁବବର୍ଗଙ୍କ ସକ୍ରିୟ ଯୋଗଦାନ ଆବଶ୍ଯକ । ତେଣୁ ଆଗାମୀ ଦିନରେ ହଜାର ହଜାର ଯୁବକଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ଏହାକୁ ଏହାକୁ ବିସ୍ତୃତ ଭବେ ଆଲୋକପାତ କରିଥିଲେ ଯୁବଶକ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ଅମିତ କୁମାର ମଲ୍ଲିକ ।
ସରକାରୀ ନିର୍ଦ୍ଦେଶକୁ ବେଖାତିର : ମାନୁ ନାହାନ୍ତି ଠିକାଦାର, ବଢୁଛି ପ୍ରଦୂଷଣ
କଟକ : ସରକାରୀ ନିର୍ଦ୍ଦେଶକୁ ବେଖାତିର । ମାନୁ ନାହାନ୍ତି ଠିକାଦାର, ବଢୁଛି ପ୍ରଦୂଷଣ । ରାସ୍ତା ଧୂଳିରେ ନୟାନ୍ତ ଲୋକେ । ଘରେ ପଶୁଛି ପାଉଁଶ ଗୁଣ୍ଡ । କଚ୍ଛପ ଗତିରେ ଚାଲିଛି କଟକ ଚହଟା ଗୋଲେଇ ଛକ ଠାରୁ ମଧୂସୁଦନ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ କାମ । ଦେଢ଼ ବର୍ଷହେଲା କାମ ଆରମ୍ଭ ହୋଇଥିଲେ ବି ସରିବାର ନାଁ ନେଉନି । ଖାଲ ପୋତିବା ପାଇଁ ପାହାଡ ଭଳି ମାଟି ଓ ପାଉଁଶ ଆଣି ଜମା କରାଯାଉଛି । ରାସ୍ତା ଉପରେ ୩ ଥର ପାଣି ସିଞ୍ଚନ କରିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଥିଲେ ବି ଏହାକୁ ମାନୁ ନାହାନ୍ତି ଠିକାଦାର । ଫଳରେ ପ୍ରଦୂଷଣରେ ଅତିଷ୍ଠ ହେଲେଣି ଲୋକେ । ଘର, ଆଖପାଖ ଦୋକାନ, ଗାଡ଼ି ସହୁ ଧୂଳି ଓ ପାଉଁଶ ଗୁଣ୍ଡରେ ପୋତି ହେଉଛି । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିଯୋଗ ପରେ ବାରବାଟୀ କଟକ ବିଧାୟିକା ସଂପୃକ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକାରୀଙ୍କୁ ବିଳମ୍ବ ନେଇ ସ୍ପଷ୍ଟିକରଣ ମାଗିବା ସହ ତୁରନ୍ତ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୨.୬ କିଲୋମିଟର ଏହି ରାସ୍ତା ନିର୍ମାଣ କାମ ପାଇଁ ମୋଟ ୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ କାମ ବିଳମ୍ବ ଯୋଗୁଁ ଅସୁବିଧା ଭୋଗୁଛନ୍ତି ଲୋକେ । ସରକାରୀ ସ୍ତରରେ ପ୍ରଦୂଷଣ ପାଇଁ କଟକଣା ସହ ଫାଇନ ବ୍ଯବସ୍ଥା ରହିଛି । ହେଲେ ଏହି ନିର୍ମାଣଧୀନ କାମ ଉପରେ ପ୍ରଶାସନ କାର୍ଯ୍ଯାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି ।
ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି : ହିଟ୍ ଆଣ୍ଡ ରନରେ ଯାଉଛି ଜୀବନ
ଭୁବନେଶ୍ୱର : ମୁଣ୍ଡ ଗଡୁଛି, ଚିନ୍ତା ବଢୁଛି । ହିଟ୍ ଆଣ୍ଡ ରନରେ ଯାଉଛି ଜୀବନ । କାଗଜ କଲମରେ ଚାଲିଛି ସଡ଼କ ସୁରକ୍ଷା । ଏହି ଦୃଶ୍ୟ ଯେତିକି କଷ୍ଟ ଦାୟକ, ସେତିକି ହୃଦୟ ବିଦାରକ । କାନ୍ଦରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର । ଦୁଇଟି ଦୁର୍ଘଟଣାରେ ରାଜଧାନୀରେ ଗଡ଼ିଛି ଦୁଇଟି ମୁଣ୍ଡ । ସନ୍ଧ୍ୟା ସମୟରେ କ୍ୟାପିଟାଲ ଥାନା ଅଧିନ ରାଜୀବ ଭବନ ସମ୍ମୁଖରେ ଗୋଟିଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ଠିକ ତାର ପରେ ପରେ ପାହାଳ ଥାନା ଅନ୍ତର୍ଗତ ହଂସପାଳରେ ହିଟ ଆଣ୍ଡ ରନରେ ସାଲିଆ ସାହିର ଦିଲ୍ଲୀପ କୁମାର ବେହେରାଙ୍କ ଅକାଳ ମୃତ୍ୟୁ । ରଙ୍ଗ କାମ କରି ପେଟ ପୋସନ୍ତି ଦିଲ୍ଲୀପ । ଘରେ ସ୍ତ୍ରୀ ଓ ୭ ବର୍ଷର ଛୁଆ । ସେପଟେ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହ ରାଜସ୍ଥାନର କିଲର ଡ୍ରାଇଭର କାଶ୍ମୀର ସିଂକୁ କୋର୍ଟଚାଲାଣ କରିଛି ପୋଲିସ ।
ଗୋଟିଏ ପଟେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସହର ଭିତରକୁ ଭରିଯାନ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ପୋଲିସର ନିୟମ ଏବେ ପାଣିର ଗାର ସଦୃଶ ପାଲଟିଛି । କେବଳ ଓଡ଼ିଶାରେ ପ୍ରତିଦିନ ୧୫ ରୁ ୧୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ଦେଶରେ ଦିନକୁ ଗଡୁଛି ପାଖାପାଖି ୫ ଶହ ମୁଣ୍ଡ । ସଡକ ସୁରକ୍ଷା ସପ୍ତାହ ପାଳନ ଆଳରେ ପଲ୍ୟୁସନ, ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ଟ୍ରିପଲ ରାଇଡିଂ ରେ କୋଟି କୋଟି ଟଙ୍କାର ଫାଇନ କଟୁଛି । କିନ୍ତୁ ପରିବହନ ବିଭାଗ, ପୋଲିସ ଓ ଏନଏଚଆଇ ମଧ୍ୟରେ ବିଭାଗୀୟ ତାଳମେଳ ରହୁନଥିବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ। କାଗଜ ପତ୍ରରେ ସଡକ ସୁରକ୍ଷା ଚାଲିଥିବା ବେଳେ ଏହାର କୌଣସି ବାସ୍ତବତା ନଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ । ଓଡ଼ିଶାରେ ଘଟୁଥିବା ରାସ୍ତା ଦୁର୍ଘଟଣା ଓ ନିରାକରଣ ଦିନରେ ଏକାଧିକ ଥର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କିନ୍ତୁ ଅବସ୍ଥା ଯଥା ପୂର୍ବାଂ ତଥା ପରଂ ।
ଭେନେଜୁଏଲା ରାଷ୍ଟ୍ରପତିଙ୍କୁ କିପରି ଉଠାଇ ନେଇଥିଲା ଆମେରିକା, କ’ଣ ଘଟିଥିବା ସେଦିନ ରାତିରେ……
ଜାନୁଆରୀ ୩ ତାରିଖରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମଦୁରୋଙ୍କୁ ଉଠାଇ ନେଇଥିଲା ଆମେରିକା । ଏହି ଅପରେସନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜ ଦେଶରେ ଥାଇ ଦେଖୁଥିଲେ । ଆମେରିକା ସେନା ମଦୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ କରାକସରୁ ଉଠାଇ ନେଇଥିଲା । ଯେଉଁ ସମୟରେ ମିଲିଟାରୀ ଆକ୍ସନ ହୋଇଥିଲା, ସେହି ସମୟରେ ଭେନେଜୁଏଲାର ସବୁଠାରୁ ଆଡଭାନ୍ସ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ ଫେଲ୍ ମାରିଥିଲା । ଋଷ ଠାରୁ କିଣାଯାଇଥିବା S-300 ଓ Buk-M2 ପରି ସିଷ୍ଟମ ଓ ଅନେକ ମିସାଇଲ ଲଞ୍ଚର ଗୋଦାମରେ ରଖାଯାଇଥିଲା । ଏଗୁଡ଼ିକୁ ସୈନିକ ଚଳାଇ ପାରିନଥିଲେ ।
ଏହି କାରଣରୁ ଭେନେଜୁଏଲାର ଏୟାର ସ୍ପେସରେ ପ୍ରବେଶ କରିବା ଆମେରିକା ପାଇଁ ବହୁତ ସହଜ ହୋଇଯାଇଥିଲା । ଏହି ଏୟାର ଡିଫେନ୍ସ ସିଷ୍ଟମ ଭେନେଜୁଏଲା ଓ ଋଷର ନିବିଡ଼ ବନ୍ଧୁତ୍ବକୁ ପ୍ରତିପାଦିତ କରିଥିଲା । ୨୦୦୯ରେ ଆମେରିକା ସହ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ଏହାକୁ ଋଷଠାରୁ କିଣିଥିଲା । ଏହି ହତିଆର ଆମେରିକାର କୌଣସି ହମଲାକୁ ରୋକିବାକୁ ସକ୍ଷମ ହେବ ବୋଲି ସେ ସମୟରେ ଭେନେଜୁଏଲା ରାଷ୍ଟ୍ରପତି କହିଥିଲେ, ମାତ୍ର ସେପରି ହୋଇନଥିଲା ।
ନ୍ୟୁୟର୍କ ଟାଇମ୍ସର ଯାଞ୍ଚରେ ଜଣାପଡ଼ିଥିଲା ଯେ, ହମଲା ସମୟରେ ଏୟାର ଡିଫେନ୍ସ ସିଷ୍ଟମର କିଛି ଅଂଶ ଏବେ ବି ଗୋଦାମରେ ପଡ଼ିରହିଥିଲା ଓ ମୁତୟନ କରାଯାଇନଥିଲା । ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ଚେତାବନୀ ପରେ ବି ଭେନେଜୁଏଲର ଆମେରିକା ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲା । ପୂର୍ବତନ ସିଆଇଏ ଅଧିକାରୀଙ୍କ ମତରେ, କିଛି ବର୍ଷ ଧରି ଚାଲିଆସିଥିବା ଭ୍ରଷ୍ଟାଚାର, ଖରାପ ବ୍ୟବସ୍ଥା ଓ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଭେନେଜୁଏଲାର ଏୟାର ଡିଫେନ୍ସ ସିଷ୍ଟମକୁ ବହୁତ ଦୁର୍ବଳ କରିଦେଇଥିଲା । ଏହି ସିଷ୍ଟମକୁ ଚାଲୁ ରଖିବାର ଦାୟିତ୍ବ ଋଷର ମଧ୍ୟ ରହିଥିଲା । କାରଣ ଋଷୀୟ ଟ୍ରେନର ଓ ଟେକ୍ନିସିଆନ ହିଁ ଏହାକୁ ଅପରେଟ କରିବାରେ ସହାୟତା କରିଥିଲେ ।
ଏକ୍ସପର୍ଟଙ୍କ ମୁତାବକ, ୟୁକ୍ରେନ ଯୁଦ୍ଧରେ ସାମିଲ ହେବା କାରଣରୁ ଋଷ, ଭେନେଜୁଏଲ ଏହି ସିଷ୍ଟମ ଉପରେ ଧ୍ୟାନ ଦେଇ ପାରିନଥିଲେ । ଋଷ ଜାଣିଶୁଣି ଏହାକୁ ଠିକରେ କାମ କରିବାକୁ ଦେଇ ନଥିଲା ବୋଲି କିଛି ପୂର୍ବ ଆମେରିକୀୟ ଅଧିକାରୀ କହିଛନ୍ତି । ଭେନେଜୁଏଲା ଋଷ ଠାରୁ ହତିଆର କିଣିଥିଲେ ହେଁ ସ୍ପୟାର ପାର୍ଟସ ଓ ଟେକନିକ ସହାୟତା ପାଇବା ମୁସ୍କିଲ ହୋଇଯାଇଥିଲା । ତାହାକୁ ଠିକ କରିବାର କ୍ଷମତା ଓ ଠିକରେ ଚଳାଇବାର ଅନୁଭବ ଭେନେଜୁଏଲା ନିକଟରେ ନଥିଲା ।
ଆମେରିକା ହମଲା ପରେ ସେନା ସମ୍ପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ରାଡାର ଚାଲୁ ନଥିଲା, ସୈନିକ ଠକ ଜାଗାରେ ମୁତୟନ ନଥିଲେ । ଆମେରିକା ବିମାନକୁ କୌଣସି ବିପଦ ନଥିଲା । ଆମେରିକା ଆକ୍ରମଣରେ ଚୀନ ଠାରୁ ମିଳିଥିବା ରାଡାର ମଧ୍ୟ ଧ୍ବଂସ ହୋଇଯାଇଥିଲା ।
୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି Meta: ରିପୋର୍ଟ
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ସ୍ବାମୀତ୍ବ କମ୍ପାନୀ ମେଟା ନିଜର ରିୟଲିଟୀ ଲ୍ୟାବସ ଡିଭିଜନର ପାଖାପାଖି ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି । କାରଣ କମ୍ପାନୀ ପରବର୍ତ୍ତୀ ପୀଢ଼ିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିର୍ମାଣ କରିବା ଦିଗରେ ଗୁରୁତ୍ବାରୋପ କରିବ । ଏକ ରିପୋର୍ଟ ମୁତାବକ, ଏହି ଛଟେଇ ବାବଦରେ ମେଟା ମଙ୍ଗଳବାର ଘୋଷଣା କରିପାରେ । ଏହାଦ୍ବାରା ମୁଖ୍ୟତଃ ଭର୍ଚୁଆଲ ରିୟଲିଟୀ ହେଡସେଟ ଓ ମେଟାଭର୍ସ ୟୁନିଟ ଭିତରେ VR-ଆଧାରିତ ସୋସିଆଲ ନେଟଓ୍ବାର୍କ ଉପରେ କାମ କରୁଥିବା କର୍ମଚାରୀମାନେ ପ୍ରଭାବିତ ହେବେ ।
ରିୟଲିଟୀ ଲ୍ୟାବସରେ ପାଖାପାଖି ୧୫ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହି ଛଟେଇ ହେଉଛି ମେଟାର ମୋଟ ୭୮ ହଜାର କର୍ମଚାରୀଙ୍କ ଏକ ଛୋଟ ଅଂଶ । ତେବେ ଏହି ଛଟେଇ ୧୦ ପ୍ରତିଶତରୁ ଅଧିକ ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ମେଟା ସିଟିଓ ଓ ରିୟଲିଟୀ ଲ୍ୟାବସ ମୁଖ୍ୟ Andrew Bosworth ଏକ ବୈଠକ ଡକାଇବା ପାଇଁ ଏହି ଛଟେଇ ଖବର ସାମ୍ନାକୁ ଆସିଥିଲା । ରିୟଲିଟୀ ଲ୍ୟାବ ମେଟା ପାଇଁ ଏକ ମହଙ୍ଗା ଜୁଆ ଭାବେ ଉଭା ହୋଇଛି । ଗତ ୨୦୨୦ ପରଠାରୁ ଏହା ୭୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି ।
ବିପଦରେ ପାଚିକା : ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ
ମୋହନା : ମିଳୁନି ଗ୍ୟାସ । ସରକାରୀ ସ୍କୁଲରେ ଗ୍ୟାସ ବଦଳରେ ଚୁଲିରେ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ । ବିପଦରେ ପାଚିକା । ଗଜପତି ଜିଲ୍ଲାରୁ ଆସିଛି ମିଡ-ଡେ’ ମିଲର ବିକଳ ଚିତ୍ର । ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ସରକାର ଗ୍ୟାସ ଚୁଲା ଯୋଗାଇ ଦେଉଛନ୍ତି । ହେଲେ ତାହା କାମରେ ଲାଗୁନି । ପାଚିକା ମାନେ ବିପଦଶଙ୍କୁଳ ଭାବେ ଛାତ୍ରଛାତ୍ରୀଙ୍କୁ ରୋଷେଇ କରି ଖାଇବାକୁ ଦେଉଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ମାନେ ଗ୍ୟାସ ସିଲିଣ୍ଡର ଭରିକି ଦେଉନଥିବାରୁ କାଠରେ ରୋଷେଇ କରୁଥିବା ଅଭିଯୋଗ କରିଛନ୍ତି ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ।
ଗଜପତି ଜିଲ୍ଲାର ଆହୁରି ଅନେକ ବିଦ୍ୟାଳୟକୁ ଏଯାଏଁ ଗ୍ୟାସ ଚୁଲା ବି ମିଳିନାହିଁ । ସରକାର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ହେଲେ ବିଦ୍ୟାଳୟରେ କାହିଁକି କାଠ ମାଧ୍ୟମରେ ରୋଷେଇ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟକୁ ଜାଳେଣି ବାବଦକୁ ୭୬ ପଇସା ଦେଉଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏକ ଟଙ୍କା ଦେଉଛନ୍ତି । ଏତେ କମ ଟଙ୍କାରେ ରନ୍ଧନ ଗ୍ୟାସରେ ରୋଷେଇ କରିବା ସମ୍ଭବ ହେଉନଥିବା ଅଭିଯୋଗ ହୋଇଛି । ସରକାର ଏ ଦିଗରେ ପଦକ୍ଷେପ ନେଇ ଜାଳେଣି ବାବଦକୁ ଅର୍ଥ ରାଶି ବଢାଇବାକୁ ଦାବି ହୋଇଛି । ସୁରକ୍ଷିତ ରହି ରୋଷେଇ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରକାର କରୁଛନ୍ତି । ହେଲେ କାହିଁକି ପାଚିକା ମାନଙ୍କୁ ଏଭଳି ବିପଦକୁ ଠେଲି ଦିଆଯାଉଛି ? କେବେ ସ୍କୁଲ ମାନଙ୍କୁ ଯୋଗାଇ ଦିଆଯିବ ଗ୍ୟାସ ? ତାକୁ ହିଁ ଅପେକ୍ଷା ।
ସ୍ଵାସ୍ଥ୍ୟକେନ୍ଦ୍ରରେ ଜଳାଭାବ, କିଡନୀ ରୋଗୀଙ୍କ ଡାଇଲିସିସ୍ ପାଇଁ ମିଳୁନି ଆବଶ୍ୟକୀୟ ପାଣି
ମାଥିଲି : ଡାଇଲିସିସ୍ ପାଇଁ ଜଳ ନିଅଣ୍ଟ । କିଡନୀ ରୋଗୀ ପ୍ରଭାବିତ । ୮ ମାସ ହେବ ହୀନସ୍ତା ଭୋଗୁଛନ୍ତି ରୋଗୀ । ନିଘୋଡ ନିଦ୍ରାରେ ପ୍ରଶାସନ । ମାଲକାନଗିରି ଜିଲ୍ଲା ମାଥିଲି ସଦର ସବଡିଭିଜନ ମେଡିକାଲରୁ ଆସିଛି ସ୍ଵାସ୍ଥ୍ୟସେବାର ବିକଳ ଚିତ୍ର । ମେଡିକାଲରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ଯନ୍ତ୍ରାଂଶ ଲାଗିଛି । ହେଲେ ଜଳ ନିଅଣ୍ଟରୁ ଦୈନିକ ମାତ୍ର ୪ ଗୋଟି ରୋଗୀଙ୍କ ଡାଇଲିସିସ୍ ହୋଇପାରୁଛି । ଅନ୍ୟ ରୋଗୀ ମାନେ ଅପେକ୍ଷା କରି ହଟହଟା ହେଉଛନ୍ତି ।
ମାଥିଲି ସବଡିଭିଜନ ମେଡିକାଲ ଉପରେ ଦୈନିକ ଶହ ଶହ ରୋଗୀ ନିର୍ଭର କରନ୍ତି । ଖଇରପୁଟ, ମାଥିଲି, କୁଡୁମୁଲୁଗୁମ୍ମା ଠାରୁ ଆରମ୍ଭ କରି ପଡୋଶୀ ଛତିଶଗଡ ସୀମାନ୍ତ ଗାଁ ଗଣ୍ଡାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ହେଲେ ମେଡିକାଲରେ ଆବଶ୍ୟକତା ଅନୁସାରେ ଜଳ ନଥିବାରୁ ରୋଗୀ ବହୁ ହଇରାଣ ହେଉଛନ୍ତି । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଡାକ୍ତର । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରୋଗୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି ।
ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ…
ଚଣ୍ଡିଖୋଲ : ଚଳଚଞ୍ଚଳ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି । ବୁଦ୍ଧଂ ଶରଣଂ ଗଚ୍ଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିରେ ଆରମ୍ଭ ହୋଇଛି ଗୁରୁ ପଦ୍ମସମ୍ଭବଙ୍କ ମହାସମାବେଶ । ଯେଉଁଥିରେ ଏକାଠି ହୋଇଛନ୍ତି ୧୭ଟି ଦେଶରୁ ଆସିଥିବା ୨ ହଜାର ବୌଦ୍ଧ ଧର୍ମାବଲମ୍ବୀ ଓ ବୌଦ୍ଧ ଗୁରୁ । ଗୁରୁ ପଦ୍ମସମ୍ଭବ ଦ୍ୱିତୀୟ ବୁଦ୍ଧ ଉପାଧି ପାଇଛନ୍ତି । ସେ ଓଡ଼ିଶା ସହ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିଥିଲେ ।
ଲାଇଟ ଅଫ ବୁଦ୍ଧ ଫାଉଣ୍ଡେସନ ପକ୍ଷରୁ ଏହି ମହାସମାବେଶ ଆୟୋଜନ କରାଯାଇଛି । ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ହୀରକ ତ୍ରିଭୁଜ ଉଦୟଗିରି, ରତ୍ନଗିରି, ଲଳିତଗିରିରେ ବୌଦ୍ଧ ଭିକ୍ଷୁ ମାନେ ସାରା ବିଶ୍ଵକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛନ୍ତି । ଉଦୟଗିରି ଠାରେ ପାଞ୍ଚ ଦିନ ଧରି ଏହି ସମାବେଶ ଅନୁଷ୍ଠିତ ହେଉଛି । ସମାବେଶରେ ଯୋଗ ଦେଇଥିବା ବୌଦ୍ଧ ଭିକ୍ଷୁ ମାନଙ୍କର ସମସ୍ତ ସୁବିଧା ସୁଯୋଗ ଓ ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

