spot_img
Home Blog Page 1286

ଚାମ୍ପିୟନ୍ସ ଟ୍ରଫିରେ କେତେ ଟଙ୍କା ରହିଛି ପୁରସ୍କାର ରାଶି ? ପଢ଼ନ୍ତୁ ଏହି ଖବର..

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମିନି ବିଶ୍ବକପ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି । ତେବେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟରେ କଣ ରହିଛି ପୁରସ୍କାର ରାଶି ? ଏହା ଜାଣିବା ପାଇଁ ସମସ୍ତେ ଇଛୁକ ରହିଥିବାବେଳେ ଆଇସିସି ପକ୍ଷରୁ ପୁରସ୍କାର ରାଶି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ୨୦୧୭ ମସିହା ପରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି । ତେବେ ପୁରସ୍କାର ରାଶିରେ ଏଥରକ ୫୩ ପ୍ରତିଶତ ବୃଦ୍ଧି କରାଯାଇଛି । ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବିଜେତା ଦଳକୁ ୧୯.୪୫ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ଏହାସହ ଉପବିଜେତା ୯.୭୨ କୋଟି ଟଙ୍କା, ସେମିଫାଇନାଲରେ ପରାଜିତ ଦଳମାନେ ୪.୮୬ କୋଟି ଟଙ୍କା ଲେଖାଏ ପାଇବେ । ସେହିପରି ଗ୍ରୁପସ୍ତରରେ ପ୍ରତ୍ୟେକ ମ୍ୟାଚ ଜିତୁଥିବା ଦଳମାନଙ୍କୁ ୨୯.୫୯ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ । ପଞ୍ଚମ କିମ୍ବା ଷଷ୍ଠ ସ୍ଥାନ ଅଧିକାର କରୁଥିବା ଦଳକୁ 3.03 କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସପ୍ତମ ଏବଂ ଅଷ୍ଟମ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକୁ 1.21 କୋଟି ଟଙ୍କା ମିଳିବ। ଏହା ସହିତ, ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ସମସ୍ତ ଆଠଟି ଦଳକୁ ଅତିରିକ୍ତ ₹୧.୦୮ କୋଟି ଟଙ୍କା ମିଳିବ। ଏଥରକ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଭାରତୀୟ ଦଳ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଭାରତ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟୁଥିବାବେଳେ ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ଭେଟିବ ।

ଏହି ଖେଳାଳିଙ୍କ ଲଗେଜ ପାଇଁ ବିସିସିଆଇ କଲା କଡ଼ା ନିୟମ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର ପରାଜୟ ପରେ ବିସିସିଆଇ କେତେକ କଡ଼ା ନିୟମ କରିଛି । ଯେଉଁଥିରେ ଖେଳାଳିଙ୍କ ଲଗେଜଠାରୁ ଆରମ୍ଭ କରି ପରିବାର ସଦସ୍ୟ ନେଇ ନପାରିବା ଭଳି ନିୟମମାନ ରହିଛି । ତେବେ ଟିମ ଇଣ୍ଡିଆର ଜଣେ ଖେଳାଳିଙ୍କ ଭୁଲ ପାଇଁ ଏଭଳି ନିୟମ କଡ଼ାକଡ଼ି କରାଯାଇଥିବା କୁହାଯାଉଛି । ତେବେ ବିସିସିଆଇ ୧୦ଟି କଡ଼ା ନିୟମ କରିଛି । ଏବେ ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯିବ । ଏଣୁ ଏହି ସମୟରେ ଖେଳାଳିମାନେ ୧୫୦ କିଲୋଗ୍ରାମରୁ ଅଧିକ ସାମଗ୍ରୀ ନେଇପାରିବେ ନାହିଁ । ଯଦି କେହି ଅଧିକ ଓଜନର ସାମଗ୍ରୀ ନିଅନ୍ତି ତାହେଲେ ଏହାର ଖର୍ଚ୍ଚ ସେ ନିଜେ ଭରିବେ  । କାରଣ ଏହା ପୂର୍ବରୁ ଜଣେ ଖେଳାଳି ୨୫୦ କିଲୋଗ୍ରାମରୁ ଅଧିକ ଓଜନର ସାମଗ୍ରୀ ନେଇଥିବା ଜଣାପଡ଼ିଛି । ଯାହାପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ନିୟମ ଆରମ୍ଭ କରିଛି ବିସିସିଆଇ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ତାଙ୍କ ସହିତ ୨୭ଟି ବ୍ୟାଗ୍ ଏବଂ ଟ୍ରଲି ବ୍ୟାଗ୍ ନେଇଥିଲେ। ଏଥିରେ କ୍ରିକେଟରଙ୍କ ବ୍ୟତୀତ ତାଙ୍କ ବ୍ୟକ୍ତିଗତ କର୍ମଚାରୀ ଏବଂ ପରିବାରର ବ୍ୟାଗ ମଧ୍ୟ ଥିଲା। ଏପରି ପରିସ୍ଥିତିରେ, ଏହି ଖେଳାଳିଙ୍କ ଲଗେଜର ମୋଟ ଓଜନ ପ୍ରାୟ 250 କିଲୋଗ୍ରାମ ଥିଲା। ସେହିପରି, ଅଷ୍ଟ୍ରେଲିଆରେ ମଧ୍ୟ, ଏହି ଖେଳାଳି ଏହି ଲଗେଜଟିକୁ ସବୁଠି ସାଙ୍ଗରେ ନେଇ ଯାଇଥିଲେ। ଏପରି ପରିସ୍ଥିତିରେ, ଏହି ସମୟ ମଧ୍ୟରେ ଖେଳାଳିଙ୍କ ଲଗେଜର ସମ୍ପୂର୍ଣ୍ଣ ଖର୍ଚ୍ଚ ବିସିସିଆଇକୁ ବହନ କରିବାକୁ ପଡିଲା, ଯାହା ଲକ୍ଷ ଲକ୍ଷ ଟଙ୍କା ଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ବିସିସିଆଇ ଏହି ଖେଳାଳିଙ୍କ କାରଣରୁ ଏହି ନିୟମ ପରିବର୍ତ୍ତନ କରିଛି, କାରଣ ଏହି ଖେଳାଳିଙ୍କୁ ଦେଖିବା ପରେ ଅନ୍ୟ ଖେଳାଳିମାନେ ମଧ୍ୟ ସମାନ କରିବା ଆରମ୍ଭ କରିଥିଲେ।

ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ମୃତ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ବଲୁଚିସ୍ତାନରେ ପୁଣି ବୋମା ବିସ୍ଫୋରଣ । କୋଇଲା ଖଣିକୁ କାମ କରିବାକୁ ଯାଉଥିବା ୧୧ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ହରନାଇ ଅଞ୍ଚଳରେ ହୋଇଛି । ବୋସ୍ଫୋରଣରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ଅଟନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ, ଶ୍ରମିକମାନେ ପାକିସ୍ତାନର କ୍ୱେଟା ସହରର ହରନାଇରେ ବସ୍ ଯୋଗେ କୋଇଲା ଖଣିକୁ ଯାଉଥିଲେ। ଏହି ସମୟରେ, ରାସ୍ତା କଡ଼ରେ ଏକ ଆଇଇଡି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ବିସ୍ଫୋରଣ କିଏ ଏବଂ କାହିଁକି କରିଛି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

୧୦୦ ଦିନ ଭିତରେ ପାକିସ୍ତାନରେ ଦ୍ବିତୀୟ ବୋମା ବିସ୍ଫୋରଣ । ନଭେମ୍ୱର ୯, ୨୦୨୪ ମସିହାରେ ପାକିସ୍ତାନ ବେଲୁଚିସ୍ତାନର କ୍ବେଟା ଷ୍ଟେସନ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଷ୍ଟେସନରେ ଦୌଡଧାପଡ କରିଥିଲେ ଯାତ୍ରୀ ।

ପାକିସ୍ତାନରେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୋମା ବିସ୍ଫୋରଣରେ IED ବ୍ୟବହାର କରାଯାଇଛି। ପାକିସ୍ତାନରେ IED ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। 

ସାମ୍ନାକୁ ଆସିଲା ଛାତ୍ରଙ୍କୁ ଅମାନୁଷିକ ରାଗିଂର ଭିଡ଼ିଓ , ପ୍ରକୃତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : କେରଳର କୋଟ୍ଟାୟମରେ ଥିବା ସରକାରୀ ନର୍ସିଂ କଲେଜର ତୃତୀୟ ବର୍ଷର ପାଞ୍ଚ ଜଣ ଛାତ୍ରଙ୍କୁ ଜୁନିଅର ଛାତ୍ରମାନଙ୍କୁ ନିର୍ମମ ଭାବରେ ରାଗିଂ କରିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସିନିୟର ଛାତ୍ରମାନେ ହସୁଛନ୍ତି ଏବଂ ଜୁନିଅର ଛାତ୍ରଟି ଜ୍ୟାମିତି ଡିଭାଇଡର୍ ଦ୍ୱାରା ଆଘାତ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। ସିନିୟରମାନେ ତାଙ୍କୁ କେତେଥର ଡିଭାଇଡର୍ ସହିତ ଫୋଡ଼ିଥିଲେ ତାହା ମଧ୍ୟ ଗଣନା କରାଯାଉଛି। ପୋଲିସ କଲେଜ ପ୍ରଶାସନ ଏବଂ ହଷ୍ଟେଲ ୱାର୍ଡେନଙ୍କ ଭୂମିକାର ମଧ୍ୟ ତଦନ୍ତ କରୁଛି। ଜୁନିଅରମାନଙ୍କଠାରୁ ସଂଗୃହୀତ ଟଙ୍କାରୁ ସିନିୟରମାନେ ଡ୍ରଗ୍ସ କିଣିଥିଲେ କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି। ଏକ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବାମପନ୍ଥୀ ଛାତ୍ର ସଂଗଠନର ସଦସ୍ୟ ଥିବାରୁ ଜୁନିଅରମାନେ ଅଭିଯୋଗ କରିନଥିଲେ, ଯାହାକୁ ବର୍ତ୍ତମାନ ସଂଗଠନରୁ ବହିଷ୍କାର କରାଯାଇଛି।

କେରଳ ଭୟଙ୍କର ରାଗିଂ ଘଟଣାରେ ତଦନ୍ତ ଜାରି ରହିଛି। ସ୍ଵାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ସଂପୃକ୍ତ ନର୍ସିଂ ସ୍କୁଲରୁ ଡିଏମଇ ଏକ ରିପୋର୍ଟ ପାଇଛନ୍ତି। ଅଧିକ ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଟିମ୍ ସଂପୃକ୍ତ ନର୍ସିଂ ସ୍କୁଲକୁ ଯିବ ଓ ପ୍ରକୃତ ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

କେରଳର କୋଟାୟାମରେ ଥିବା ଏକ ସରକାରୀ ନର୍ସିଂ କଲେଜରେ ଭୟଙ୍କର ରାଗିଂ ହୋଇଥିଲା। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ର ଦେଉଥିଲେ ଅମାନୁଷିକ ନିର୍ଯାତନା। ଏପରିକି ଗୁପ୍ତାଙ୍ଗରେ ଝୁଲାଇ ଦେଉଥିଲେ ଡମବେଲ। କେବଳ ଏତିକି ନୁହେଁ, କମ୍ପାସରେ ଆଘାତ କରିବା ସହ ଆଖିବୁଜା ମାଡ ମାରୁଥିଲେ। ରାଗିଂର ଶିକାର ହୋଇ କୋଚିରେ ଜଣେ ୧୫ ବର୍ଷୀୟ ଛାତ୍ରର ଆତ୍ମହତ୍ଯା ପରେ ନର୍ସିଂ କଲେଜର ଘଟଣା ପଦାକୁ ଆସିଛି। ୫ ଜଣ ତୃତୀୟ ବର୍ଷ ନର୍ସିଂ ଛାତ୍ରଙ୍କୁ ଗିରଫ କରାଯାଇଛି।

ଭାରତ ପାଇଁ ଆଜି କଳାଦିନ: ପୁଲୱାମା ଆକ୍ରମଣକୁ ପୂରିଲା ୬ ବର୍ଷ

ନନ୍ଦିଘୋଷ ବ୍ୟୁରୋ : ୧୪ ଫେବୃଆରୀ ୨୦୧୯ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ଦେଶବାସୀ ଭୁଲି ପାରିନାହାନ୍ତି । ଏହି ଦିନ ଆମ ଦେଶ ୪୦ ବୀରପୁତ୍ରଙ୍କୁ ହରାଇଥିଲା। ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିଥିଲେ ମଧ୍ୟ ଆଜି ବି ଲୋକମାନଙ୍କ ଆଖିରୁ ଲୁହ ଝରିଆସେ। ସେବେଠୁ ଫେବୃଆରୀ ୧୪ ତାରିଖ ଭାରତ ପାଇଁ କଳାଦିନ ହୋଇ ରହିଯାଇଛି ।

ଫେବୃଆରୀ ୧୪, ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ବଳିଦାନ ଦେଇଥିବା ୪୦ ସିଆରପିଏଫ ଯବାନଙ୍କୁ ଆଜି ବି ଝୁରିଛି ଦେଶ ମାଟି । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା। ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ । ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା। କେହି କିଛି ବୁଝିବା ପୂର୍ବରୁ ଏତେ ଜୋରରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ। କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ଆତଙ୍କବାଦୀ।

ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ: ନିଜର କ୍ଷମତା ପ୍ରଦର୍ଶନ କଲା ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ

ନନ୍ଦିଘୋଷ ବ୍ୟୁରୋ : ବେଙ୍ଗାଲୁରୁରେ ଚାଲିଛି ଏରୋ ଇଣ୍ଡିଆ ସୋ। ୟେଲହେଙ୍କା ସ୍ଥିତ ବାୟୁସେନା ଷ୍ଟେସନରେ ଚାଲିଛି ଏସିଆର ସବୁଠାରୁ ବଡ଼଼ ଏୟାର ସୋ। ଏୟାର ସୋର ଆଜି ଅନ୍ତିମ ଦିନ। ଆମେରିକାର ଏଫ-୧୬ ଏବଂ ଏଫ-୩୫ ବିମାନ ନିଜର କ୍ଷମତା ପ୍ରଦର୍ଶନ କରିଛି। ସେହିପରି ରୁଷର ଏସଯୁ-୫୭ ବିମାନ ମଧ୍ୟ ତାର ଶକ୍ତି ପ୍ରଦର୍ଶନ କରିଛି। ଏହି ଦୁଇ ବିମାନ ସହ ଭାରତ ସମେତ ଅନ୍ୟ ଦେଶର ଶକ୍ତିଶାଳୀ ବିମାନ ମଧ୍ୟ ସେମାନଙ୍କ ନିଜ ନିଜ କ୍ଷମତା ପ୍ରଦର୍ଶନ କରିଛନ୍ତି। ଏହାସହ ଏଚଏଏଲ ଦ୍ଵାରା ପ୍ରସ୍ତୁତ ଲାଇଟ ଯୁଟିଲିଟି ହେଲିକପ୍ଟର ମଧ୍ୟ କ୍ଷମତା ପ୍ରଦର୍ଶନ କରିଥିଲା। ଦୀର୍ଘ ୬ ମିନିଟ ଧରି ଏହି ହେଲିକପ୍ଟର ଶକ୍ତି ପ୍ରଦର୍ଶନ କରିଥିଲା।

ସେହିପରି ଏସଯୁ-୩୦, ଏମକେଆଇ ଫାଇଟର ଏଯାରକ୍ରାଫ୍ଟ କଳାକୌଶଳ ପ୍ରଦର୍ଶନ କରିଥିଲେ। ଏହାପରେ ନ୍ୟାସନାଲ ଏଭିଏସନ ଲାବୋରେଟୋରିଜ ଦ୍ଵାରା ନିର୍ମିତ ହଂସା ଏୟାରକ୍ରାଫ୍ଟ କୌଶଳ ପ୍ରଦର୍ଶନ କରିଥିଲା। ଏହାପରେ ରୁଷର ଏସଯୁ-୫୭ ଏୟାରକ୍ରାଫ୍ଟ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲା। ଫାଇଟର ଜେଟ ଓ ହେଲିକପ୍ଟର କଳା କୌଶଳ ପ୍ରଦର୍ଶନରେ ଦର୍ଶକଙ୍କ ଛାତି ଦୁଲୁକି ଉଠିଥିଲା। ୩୬୦ ଡିଗ୍ରୀ ଚକ୍କର ଲଗାଇ ଭୂମି ପଟକୁ ଖସି ପୁଣି ଉପରକୁ ଉଠିଥିଲା ଏହି ବିମାନ। ଏୟାର ସୋର ମଜା ଉଠାଇଥିଲେ ଦର୍ଶକ।

ଏରୋ ଇଣ୍ଡିଆ ସୋର ଏହା ୧୪ତମ ସଂସ୍କରଣ। ୫ଦିନିଆ ଏହି କାର୍ଯ୍ୟକ୍ରମରେ ୯୮ ରାଷ୍ଟ୍ରର ପ୍ରାୟ ୮୦୯ କମ୍ପାନୀ ଏହି ଶୋରେ ଭାଗ ନେଇ ଏୟାରସ୍ପେସ ଓ ପ୍ରତିରକ୍ଷା କ୍ଷମତାକୁ ପ୍ରଦର୍ଶନ କରିଛନ୍ତି।

ପ୍ରଶାସନିକ ଅବହେଳାର କରୁଣ ପରିଣତି, ବର୍ଦ୍ଧିତ ଭତ୍ତା ପାଇଁ ୧୭ କିମି ଚାଲିଲେ ଦିବ୍ୟାଙ୍ଗ

କେନ୍ଦ୍ରାପଡ଼ା : ଅଣ୍ଟା ନଇଁ ଯାଇଛି । ସିଧା ହୋଇ ଚାଲି ପାରୁନାହାନ୍ତି । ତଥାପି ବର୍ଦ୍ଧିତ ଭତ୍ତା ପାଇଁ ୧୭ କିଲୋ ମିଟର ଚାଲିଲେ ଦିବ୍ୟାଙ୍ଗ । କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଏ ଦୃଶ୍ୟ ଆପଣଙ୍କୁ ମର୍ମାହତ କରିବ । ସରକାର ଓ ପ୍ରଶାସନର ଅବହେଳା ଯୋଗୁଁ ଭତ୍ତା ବୃଦ୍ଧି ପାଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକ ପର୍ଯ୍ୟନ୍ତ ୧୭ କିଲୋ ମିଟର ଚାଲିଚାଲି ଆସିଲେ ୬୧ ବର୍ଷୀୟ ଦିବ୍ୟାଙ୍ଗ ଭାଗ୍ୟଧର ଖଟୁଆ ।

ଡେରାବିଶ ବିଡିଓଙ୍କୁ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨ଶହ ଟଙ୍କାରୁ ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି । ଭାଗ୍ୟଧରଙ୍କ ଶରୀର ଷତପ୍ରତିଶତ ଦିବ୍ୟାଙ୍ଗ ପାଲଟି ଯାଇଥିବା ବେଳେ ୮୦ ପ୍ରତିଶ ହାଣ୍ଡିକାପ୍ଟ ସାର୍ଟିଫିକେଟ ଅଛି । ସରକାରୀ ନିୟମ ମୁତାବକ ତିନି ହଜାର ପାଞ୍ଚ ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ପାଇବା କଥା । ଯୋଗ୍ୟତା ପ୍ରମାଣ ପତ୍ର ଥାଇବି ପ୍ରଶାସନିକ ଅବହେଳା କାରଣରୁ ଭାଗ୍ୟଧର ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ଘଟଣାର ତଦନ୍ତ କରି ସୁବିଧା ଯୋଗାଇବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ । ଡବଲ ଇଞ୍ଜିନ ସରକାର ପ୍ରଚାର ସର୍ବସ୍ଵ । ସରକାରୀ କଳର ନିଷ୍କ୍ରିୟତା ଯୋଗୁଁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା କହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରଦୀପ ଦାଶ ।

ବଲିଉଡର ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନିଙ୍କ ଦୁର୍ଘଟଣା

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ବିଶାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ପୁନେରେ ଏକ କନସର୍ଟ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି । ବିଶାଲ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସୁସ୍ଥ ହେବା ପରେ, ସେ ଖୁବ୍ ଶୀଘ୍ର ତାଙ୍କ କନସର୍ଟ ବିଷୟରେ ସୂଚନା ଦେବେ ବୋଲି କହିଛନ୍ତି ।

ବିଶାଲ ଦଦଲାନିଙ୍କ ସହ ଘଟିଥିବା ଦୁର୍ଘଟଣା ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । ବିଶାଲ ଦଦଲାନୀ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା । ଶୋ’ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ପୁଣି କେବେ ହେବ ତାହା ଘୋଷଣା କରାଯାଇ ନାହିଁ । ମୁଁ ଶୀଘ୍ର ଫେରିବି, ତୁମ ସମସ୍ତଙ୍କୁ ଅପଡେଟ୍ ରଖିବି । ବିଶାଲଙ୍କ ସହିତ, ଆୟୋଜକମାନେ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି।

ପୁଣେରେ ଏହି କନସର୍ଟ ମାର୍ଚ୍ଚ ୨ ରେ ହେବାର ଥିଲା ଏବଂ ବର୍ତ୍ତମାନ ଦ୍ୱିତୀୟ ତାରିଖ ବିଷୟରେ କୌଣସି ଅପଡେଟ୍ ନାହିଁ । କନସର୍ଟ ତାରିଖ ପରିବର୍ତ୍ତନ ହୋଇଥିବାରୁ ଟିକେଟ କରିଥିବା ଲୋକଙ୍କୁ ପଇସା ରିଫଣ୍ଡ କରାଯିବ ବୋଲି କୁହାଯାଇଛି । ଖୁବଶୀଘ୍ର ଲୋକଙ୍କ ଆକାଉଣ୍ଟକୁ ପଇସା ଯିବ।

ଗିରଫ ହେଲେ କୋଟିପତି ଅଧିକାରୀ, ଆଜି କରାଯିବ କୋର୍ଟ ଚାଲାଣ

କୋରାପୁଟ : ଗିରଫ ହେଲେ କୋଟିପତି ଅଧିକାରୀ । କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଏସ. ପାର୍ଥ ସାରଥି ବିଷୋୟୀଙ୍କୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପାର୍ଥ ସାରଥିଙ୍କ ବିଷୋୟୀଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସର ଟିମ୍ ।

ବୋରିଗୁମା ଚମ୍ପିଆସ୍ଥିତ ବାସଭବନ, ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ଚମ୍ପିଆସ୍ଥିତ ସାଇକ୍ରିଷ୍ଣା ଏଣ୍ଟରପ୍ରାଇଜେସ, ବୋରିଗୁମା ସ୍ଥିତ ତିନି ମହଲା କୋଠା, କୋଟପାଡ ବ୍ଲକ ବାଟସାନସ୍ଥିତ ଅଫିସରେ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉରେ ଏସ. ପାର୍ଥ ସାରଥି ବିଷୋୟୀଙ୍କ ୩ଟି ବହୁତଳ କୋଠା, ୧୬ଟି ଦାମୀ ପ୍ଲଟ୍, କାଜୁ ପ୍ରସେସିଂ ପ୍ଲାଣ୍ଟ, ୨୮୫ ଗ୍ରାମ ସୁନା ଅଳଙ୍ଗାର, ନଗଦ ୨ଲକ୍ଷ ୪୫ ହଜାର ଟଙ୍କା, ୨ଟି କଂକ୍ରିଟ୍ ମିକ୍ସର ମେସିନ୍‌‌, ୨ଟି ଧାନ ଥ୍ରେସର, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ଭିଜିଲାନ୍ସ ଟିମ୍ ।

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ସମସ୍ତ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା

ନନ୍ଦିଘୋଷ ବ୍ୟୁରୋ : ହାସ୍ୟ ଅଭିନେତା ସମୟ ରୈନା ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି। ତାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ପ୍ରଦର୍ଶିତ ଅଶ୍ଳୀଳ ହାସ୍ୟରସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ସେ ଏହାକୁ ନେଇ କହିଛନ୍ତି କି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା।

ଏହା ଛଡ଼ା ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ଚାଲିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏସବୁକୁ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ଥିଲା। ଏହା ବ୍ୟତୀତ, ସମୟ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସମ୍ପୂର୍ଣ୍ଣ ମାମଲାରେ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବେ।

ସମୟ ରୈନ ତାଙ୍କ ପୋଷ୍ଟରେ ଲେଖିଛନ୍ତି , ‘ଯାହା ଘଟୁଛି ତାହା ମୋ ପାଇଁ ବହୁତ ଅଧିକ।’ ମୁଁ ମୋ ଚ୍ୟାନେଲରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ର ସମସ୍ତ ଭିଡିଓ ହଟାଇ ଦେଇଛି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ସେମାନଙ୍କୁ ଏକ ଭଲ ସମୟ ଦେବା। ସମସ୍ତ ଏଜେନ୍ସିଗୁଡ଼ିକର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ ହେବା ନିଶ୍ଚିତ କରିବା ପାଇଁ ମୁଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବି। ଧନ୍ୟବାଦ।