ପ୍ରୟାଗରାଜ: ଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବୋଲେରୋ ଓ ବସ ମଧ୍ୟରେ ଧକ୍କାରେ ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ। ୧୯ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ମିର୍ଜାପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାକୁମ୍ଭ ଲାଗି ଛତିଶଗଡ଼ରୁ ପ୍ରୟାଗରାଜ ଆସୁଥିଲେ ଶ୍ରଦ୍ଧାଳୁ। ଦୁର୍ଘଟଣାରେ ବୋଲେରୋ ଛିନଛତ୍ର ହୋଇଯାଇଛି। ଦୁର୍ଘଟଣା ପରେ କାନ୍ଦ ରଡ଼ିରେ ଫାଟି ପଡିଥିଲା ପରିବେଶ। ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ମଧ୍ୟରାତ୍ରି ୧୨ ସମୟରେ ଘଟିଥିଲା ଏ ଭୟଙ୍କର ଦୁର୍ଘଟଣା। ମିର୍ଜାପୁର-ପ୍ରୟାଗରାଜର ମେଜା ଥାନା ଅଞ୍ଚଳରେ ଘଟିଛି ଏ ଦୁର୍ଘଟଣା। ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
ଭୁବନେଶ୍ଵର ଲୋୟର୍ ପିଏମଜିରେ ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ
ଭୁବନେଶ୍ବର: ଭୁବନେଶ୍ଵର ଲୋୟର୍ ପିଏମଜିରେ ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ। ସ୍ଥାୟୀ ନିଯୁକ୍ତି ଦାବିରେ ନାରାବାଜି କରୁଛନ୍ତି । ହଜାର ହଜାର ସଂଖ୍ୟାରେ ମହିଳା ଅହୋରାତ୍ର ଧାରଣାରେ ବସିବା ପରେ ବି ସରକାର ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି ।
୧୧୭ କେଜି ବେଆଇନ ଗଞ୍ଜେଇ ସମେତ ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ଜବତ: ଜଣେ ଗିରଫ
ବାଲିଗୁଡ଼ା: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ୧୧୭ କେଜି ବେଆଇନ ଗଞ୍ଜେଇ ସମେତ ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତ ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି । ଏହି ସମୟରେ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି । ଏହି ଚଢ଼ାଉରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ କୁମାର ସ୍ବାଇଁ ଓ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପୁର୍ଣ୍ଣ ସହଯୋଗ କରିଥିଲେ ।
ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା: ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ
ଜଗତସିଂହପୁର: ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା । ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶିକ୍ଷା ବିଭାଗ ଅଧୀନରେ ରହିଛି ବୈଦେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି। ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଯାହାଫଳରେ ଶିକ୍ଷାଦାନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆବଶ୍ୟକ ଶିକ୍ଷକ ପଦ ପୂରଣ ହେଉନାହିଁ। ଯାହାକୁ ନେଇ ତିର୍ତ୍ତୋଲ ଦାଇଁଲୋ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ଗତକାଲି ସ୍କୁଲ ଫାଟକରେ ତାଲା ପାକଇ ଧାରଣାରେ ବସି ରହିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକମାନେ । ଯେପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନହୋଇଛି ସେପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ଝୁଲିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।
ଆଜିଠାରୁ ରାଜ୍ୟରେ ବଢ଼ିବ ତାତି: ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ଭୁବନେଶ୍ବର: ମାଘ ଯାଉ ଯାଉ ମାଡ଼ି ଆସିଲାଣି ତାତି। ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ। ଉପକୂଳରେ ଉପରମୁହାଁ ପାରଦ। ଆଜିଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବର। ଗତକାଲି ୩୫.୯ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି। ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି। ତେବେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।
ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ
ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବା ବେଳେ ସରକାର ପଳାୟନପନ୍ଥି ହୋଇଛନ୍ତି। ଆଜି ମହିଳା-ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଶୂନ୍ୟକାଳରେ ଧାନର କଟନୀ ଛଟନୀ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଆଜି ଗୃହ ସ୍ବାଭାବିକ ଚାଲିବ ନା ପୁଣି ଆରମ୍ଭରୁ ଅଚଳାବସ୍ଥା ଜାରି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।

