spot_img
Home Blog Page 1282

ଦୃଶ୍ୟମ ଫର୍ମୁଲା ଆପଣାଇ ବେଳେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫଶ କଲା କମିଶନରେଟ ପୋଲିସ

କଟକ: ବହୁ ଚର୍ଚ୍ଚିତ ବେଲେଶ୍ୱର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ । ବଲିଉଡ଼ ଫିଲ୍ମ ‘ଦୃଶ୍ୟମ-୨’ ଷ୍ଟାଇଲରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଫିଲ୍ମରେ ପୋଲିସ ସିନା ଅଜୟ ଦେବଗନଙ୍କୁ ଧରି ପାରି ନଥିଲା । ହେଲେ ସମାନ ଟ୍ରିକ୍ ଆପଣାଇ କମିଶନରେଟ ପୋଲିସ ବେଲେଶ୍ବର ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ଦୀର୍ଘ ୫ ବର୍ଷ ପରେ ପୋଲିସକୁ ଏହି ସଫଳତା ମିଳିଛି । ମୃତ ଶ୍ରୀନାଥ ସାମଲ ଏବଂ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କ ଘରେ କାମ କରୁଥିବା ଚାକରାଣୀ ଓ ତାଙ୍କ ସ୍ୱାମୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଚାକରାଣୀକୁ ଉଭୟ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ସାମ୍ୱାଦିକ ସମ୍ମୀଳନୀରେ ପୋଲିସ କହିଥିବା ବେଳେ ଦୀର୍ଘ ବର୍ଷର ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ପରିବାର ଲୋକେ ମଧ୍ୟ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

୨୦୧୯ରେ ଘଟିଥିଲା ହତ୍ୟା । ୨୦୨୫ରେ ଗିରଫ । ବହୁଚର୍ଚ୍ଚିତ ବେଲେଶ୍ୱର ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କ ହତ୍ୟା ଘଟଣାର ପର୍ଦ୍ଧାଫାଶ । ଚାକରାଣୀ ବାସନ୍ତୀ ଓ ତାଙ୍କ ସ୍ୱାମୀ ସନ୍ତୋଷ ଗିରଫ । ଉଭୟେ ଶ୍ରୀନାଥ ଏବଂ ବିଦୁଲତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଦୀର୍ଘ ବର୍ଷ ତଦନ୍ତ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଞ୍ଚି ପାରି ନଥିବାବେଳେ ହଠାତ ଏହି ମାମଲାର ତଦନ୍ତ ପୁଣି ଆରମ୍ଭ ହୋଇଥିଲା । ସିଡିଆର ବା କଲ ଡିଟେଲ୍ସ ରେକର୍ଡ ଯାଞ୍ଚ କରୁ କରୁ ହତ୍ୟାକାଣ୍ଡ ପୂର୍ବ ଦିନରୁ ହତ୍ୟାକାଣ୍ଡ ପରଦିନ ପର୍ଯ୍ୟନ୍ତ ପ୍ରାୟ ୪୦ ଘଣ୍ଟା ଧରି ଚାକରାଣୀ ବାସନ୍ତୀର ଫୋନ ସୁଇଚ ଅଫ ଥିଲା ବୋଲି ଜଣାପଡିଥିଲା । ଆଉ ସେହି ଠୁଁ ହିଁ ପୋଲିସର ସନ୍ଦେହ ବଢିବା ସହ ପୁଣି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ ସେମାନଙ୍କ ନିକଟରେ ପହଁଞ୍ଚିବା ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନା ମୁତାବକ ବେଲେଶ୍ୱର ଅଞ୍ଚଳରେ ରହୁଥିବା ବାସନ୍ତୀ ଓ ସ୍ୱାମୀଙ୍କ ସହ ଚାକର ସାଜି ଯୋଗଯୋଗ କରିଥିଲା ପୋଲିସ । ଦୁହିଁଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଏହି ଜାଲରେ ଉଭୟେ ଫସି ନିଜ ଦୋଷ ମାନିବା ସହ ପୋଲିସ ହାତରେ ଗିରଫ ହୋଇଛନ୍ତି । ପୋଲିସ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ ମଧ୍ୟ କରିଛି ।

ଉଭୟଙ୍କ ଗିରଫ ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ମୃତ ଶ୍ରୀନାଥ ଓ ବିଦୁଲତାଙ୍କ ପରିବାର । ହେଲେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି । ତେବେ ପୋଲିସର ତଦନ୍ତକୁ ନେଇ ସୃଷ୍ଟି ହୋଇଛି ନାନା ସନ୍ଦେହ । ୫ ବର୍ଷ ପରେ ସିଡିଆର ରିପୋର୍ଟରେ ଯଦି ଉଭୟଙ୍କ ଫୋନ ସୁଇଚ ଅଫ ଥିଲା ଜଣାପଡିଲା, ସେତେବେଳେ କାହିଁକି ତେବେ ତାହା ପୂର୍ବରୁ ଜଣାପଡିଲା ନାହିଁ କେମିତି ? ହତ୍ୟାକାଣ୍ଡ ପୂର୍ବରୁ ଚାକରାଣୀ ଘରୁ ପଳାଇ ଯାଇଥିବା ବେଳେ ପୋଲିସ କାହିଁକି ସନ୍ଦେହ କରି ନଥିଲା ? ତଦନ୍ତ ପରିସରଭୁକ୍ତ କାହିଁକି ହୋଇ ନଥିଲେ ଦମ୍ପତି ? ପୋଲିସର ହସ୍ତଗତ ହୋଇଥିବା ଫିଙ୍ଗର ପ୍ରିଣ୍ଟ ସତ ନା ନାହିଁ ? କଟୁରିରେ ହାଣି ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଜବତ କରିନାହିଁ ପୋଲିସ । ଉଭୟଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପୋଲିସ ପାଇଁ କାଠିକର ପାଠ ହେବ ବୋଲି ଆଇନଜୀବି ମତ ଦେଇଛନ୍ତି ।

ମୋତେ ଯଦି ସୁଯୋଗ ମିଳେ, ଓଡ଼ିଆ ଫିଲ୍ମ କରିବି : ବରୁଣ ଶର୍ମା

ଭୁବନେଶ୍ବର: ନନ୍ଦିଘୋଷ କନକ୍ଲେଭ ୨୦୨୫ରେ ଯୋଗ ଦେଲେ ବଲିଉଡ ଅଭିନେତା ବରୁଣ ଶର୍ମା । ଏହି ଅବସରରେ ଓଲିଉଡକୁ ନେଇ କହିଲେ ବଡ଼ କଥା । ବରୁଣ କହିଛନ୍ତି କି, ମୋତେ ଯଦି ସୁଯୋଗ ମିଳିବ ତା’ହେଲେ ଓଡ଼ିଆ ଫିଲ୍ମ କରିବି । ମୋତେ ନୂଆ ନୂଆ ଭାଷା ଶିଖିବାକୁ ବହୁତ ଭଲ ଲାଗେ । ଯଦି ସୁଯୋଗ ମିଳେ ତା’ହେଲେ ଓଡ଼ିଆ ଫିଲ୍ମ କରିବି ।

ଏହାସହ ନିଜର କ୍ୟାରିୟର ସାଙ୍ଗକୁ ନିଜର ଜୀବନ କାହାଣୀକୁ ନେଇ ମଧ୍ୟ ଏହି କନକ୍ଲେଭ ମାଧ୍ୟମରେ କହିଥିଲେ । ସେପଟେ କମେଡିକୁ ନେଇ ମଧ୍ୟ କହିଛନ୍ତି କି, ମୁଁ କେବେ କମେଡି ଛାଡ଼ିବି ନାହିଁ । ମୋତେ କମେଡି ରୋଲରେ ଅଭିନୟ କରିବାକୁ ବହୁତ ଭଲ ଭାଗେ । ଲୋକଙ୍କ ମୁହଁରେ ହସ ଫୁଟାଇବା ଏକ ବଡ଼ କଥା । କିନ୍ତୁ ମୋତେ ସବୁ ଭୂମିକାରେ ଅଭିନୟ କରିବାକୁ ଭଲ ଲାଗେ । ଓଡ଼ିଶାକୁ ପ୍ରଂଶସା କରିବା ସହ ଓଡ଼ିଆ ଖାଦ୍ୟ ସମ୍ପର୍କରେ କହିଛନ୍ତି । ଡାଲମା ବହୁତ ଭଲ ଲାଗେ ବୋଲି କହିଛନ୍ତି ବରୁଣ ।

ବିବାହକୁ ନେଇ କରାଯାଇଥିବା ପ୍ରଶ୍ନରେ କହିଥିଲେ, ଦୁଇବର୍ଷ ହେବ ସମାନ କଥା ଶୁଣି ଆସୁଛି । ଘରେ ମା ପ୍ରତିଦିନ ସମାନ ପ୍ରଶ୍ନ ପଚାରନ୍ତି । କିନ୍ତୁ ମୁଁ ଏହାକୁ ଏଡ଼ାଇ ଦେଇଥାଏ । କିନ୍ତୁ ସମୟ ଆସିଲେ ଏହା ହେବ । ସେପଟେ ଫିଲ୍ମକୁ ନେଇ କହିଛନ୍ତି କି, ଦିଲଓ୍ବାଲେ ଫିଲ୍ମ ମୋ ପାଇଁ ଚ୍ୟାଲେଞ୍ଜିଙ୍ଗ ଥିଲା । ଏଥିରେ ବହୁତ ବଡ଼ ବଡ଼ କଳାକାଳର ଥିଲେ । ଶାହରୁଖ ସାରଙ୍କ ଭଳି ସୁପରଷ୍ଟାର ମୁଖ୍ୟ ଭୂମିକାରେ ଥିଲେ । ଏମିତି ଫିଲ୍ମରେ ଦର୍ଶକଙ୍କ ଆଟେନସନ୍ ନିଜ କାଡକୁ ଟାଣିବା ବହୁତ ଚ୍ୟାଲେଞ୍ଜିଂ ଥିଲା । ଏହାସହ ଶାହରୁଖ ଖାନ ତାଙ୍କ ଆଦର୍ଶ ବୋଲି ବରୁନ କହିଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୫: ନାରୀ; କେବଳ ଦୁଇଟି ଅକ୍ଷର ନୁହେଁ

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭର ତୃତୀୟ ଅଧିବେଶନ ଆଜିର ଦିନରେ ମହିଳାମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜକୁ ନେଇ ରହିଥିଲା ବିତର୍କ ‘ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ’ । ଏଥିରେ ବିଏମସି ମେୟର ସୁଲୋଚନା ଦାସ, କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଏବଂ ଅଭିନେତ୍ରୀ ପୁଷ୍ପା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।

ବିଏମସି ମେୟର ସୁଲୋଚନା ଦାସ କହିଥିଲେ, ଜୀବନରେ ସବୁଠି ଚ୍ୟାଲେଞ୍ଜ ଅଛି । କେଉଁଠାରେ କିଛି ବି ସହଜ ନୁହେଁ । ଚ୍ୟାଲେଞ୍ଜକୁ ଏକ ସୁଯୋଗ ଭାବି ଆଗକୁ ବଢ଼ିବାକୁ ପଡ଼ିବ । ସରକାର ବଦଳିବା ପରେ ମୋତେ ଏମିତି ପ୍ରଶ୍ନ କଷ୍ଟ ଦେଉଥିଲା । ମୁଁ କହିଥିଲି, ସତ୍ତା ପରିବର୍ତ୍ତନକୁ ସ୍ବୀକାର କରିବା ସହ ଆଗକୁ ବଢ଼ିବାକୁ ପଡ଼ିବ । ଅସୁବିଧା ଆସିବ, ଏହାକୁ ମୁକାବିଲା କରିବାର ମଧ୍ୟ କଳା ଅଛି । ଲୋକେ ଆମକୁ କାମ କରିବାକୁ ପଠାଇଛନ୍ତି, ଆମେ ତାଙ୍କ ପାଇଁ କାମ କରିବା ।

ସେହିପରି ଗୃହଣୀ ବତ କିଛି କମ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉନାହାନ୍ତି । ଏକ ସୁନ୍ଦର ପରିବାର ଗଢ଼ିବା ଓ ଏହାକୁ ସୁରୁଖୁରରେ ଚଲାଇବା ଏକ ବଡ଼ ଚ୍ୟାଲେଞ୍ଜ । ଆମକୁ ଏଠି ପହଞ୍ଚାଇବାରେ ପୁରୁଷଙ୍କର ବି ହାତ ରହିଛି । ପୁରୁଷ କି ମହିଳା ଏକୁଟିଆ କେହି କିଛି କରିପାରିବେ ନାହିଁ । ଏକ ସୁସ୍ଥ ସମାଜ ଗଠନ ପାଇଁ ମିଳିମିଶି କାମ କରିବାକୁ ପଡ଼ିବ । ଆମ ପରି ମହିଳାଙ୍କୁ ଏପରି ଚ୍ୟାଲେଞ୍ଜକୁ ଆହ୍ବାନ ଭାବେ ଗ୍ରହଣ କରି ଅସୁବିଧାକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ ।

ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଥିଲେ, ଆମକୁ ଆମ ସାଂସ୍କୃତି ଓ ପରମ୍ପରାକୁ ନେଇ ଆଗକୁ ବଢ଼ିବାକୁ ପଡ଼ିବ । ଚରମ ସ୍ବାଧୀନତାରେ ମଧ୍ୟ ବହୁତ ସମସ୍ୟା ରହିଛି । ପୁରୁଷ ଓ ମହିଳା ସମାନ ଭାବେ ଅଂଶଗ୍ରହଣ କରିବା ଉଚିତ । ମହିଳାମାନେ ନିଜ ଗୋଡ଼ରେ ଛିଡ଼ା ହେଲେ ଏହା ସମ୍ଭବ ହୋଇପାରିବ । ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବାକୁ ପଡ଼ିବ । ସହରାଞ୍ଚଳରେ ପରିବେଶ ବଦଳିଲାଣି । ଏଠାରେ ବହୁତ ସୁବିଧା ମିଳୁଛି । ହେଲେ ଗ୍ରାମାଞ୍ଚଳରେ ସେପରି ସୁବିଧା ନାହିଁ । ଝିଅମାନେ ଆଜି ବି ଜାଣିପାରୁନାହାନ୍ତି ପାଠ ପଢ଼ିବା ପରେ କ’ଣ କରିବେ । ଷ୍ଟାର୍ଟ ଅଫ୍ କେବଳ ଭୁବନେଶ୍ଵର କି କଟକରେ ହେଲେ ହେବନି । କଟକ ଓ ଭୁବନେଶ୍ବର ଛାଡ଼ି ରାଜ୍ୟରେ ଅନ୍ୟ ସ୍ଥାନକୁ ବି କମ୍ପାନୀଙ୍କୁ ନଜର ଦେବାକୁ ପଡ଼ିବ ।

ସେହିପରି ଅଭିନେତ୍ରୀ ପୁଷ୍ପା ପଣ୍ଡା ଅତିଥି ଭାବେ ଯୋଗ ଦେଇ କହିଥିଲେ, ନାରୀ କେନ୍ଦ୍ରିକ ଚଳଚ୍ଚିତ୍ର ହୋଇଛି, କିନ୍ତୁ ଅଧିକ ନୁହେଁ । ଆଜିର ରେବତୀ ନାଁରେ ଏକ ନାରୀ କେନ୍ଦ୍ରୀକ ଫିଲ୍ମ ଆସୁଛି । ଏଥିରେ ମୁଁ ଏକ ରୁକ୍ଷ ଚରିତ୍ରରେ ଅଭିନୟ କରିଛି । ପୁରୁଷମାନଙ୍କ ପାଇଁ ବି ଲକ୍ଷ୍ମଣରେଖା ରହିଛି । ନାରୀ ପାଖେ ସଂସ୍କାର ଥିଲେ, ପରିବାର କି ପିଲାଛୁଆ ଲକ୍ଷ୍ମଣରେଖା ଡେଇଁବେନି । ଏବେ ବି ମହିଳା ଦୁଷ୍କର୍ମ ଓ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି । ଏହା ବନ୍ଦ ହେବା ଦରକାର । ଲୋକଙ୍କ ମାନସିକତା ଧୀରେ ଧୀରେ ବଦଳୁଛି । ଭଲ ଥିଲେ ଖରାପ ଥାଏ, ଖରାପ ଥିଲେ ଭଲ ଥାଏ । ସମାଜର ଦୃଷ୍ଟିଭଙ୍ଗୀ ବଦଳିଛି ।

ଦାରୀ ନିର୍ଯାତନାକୁ ନେଇ ସୁଲୋଚନା କହିଥିଲେ, ମାନସିକତା ବଦଳିବା ଦରକାର । ଘରୁ ଏହା ଆରମ୍ଭ ହେବା ଉଚିତ । ବାପାମାଆ ସବୁବେଳେ ଚାହାନ୍ତି ସେମାନଙ୍କ ଝିଅ ସୁରକ୍ଷିତ ରହୁ । ସବୁବେଳେ ପୁଅଙ୍କୁ ବଦନାମ କରିବା ଉଚିତ ନୁହେଁ । ଶିକ୍ଷିତ ହେବା ସତ୍ତ୍ଵେ ଗର୍ଭପାତ ହେଉଛି । ପାଠ ପଢୁଆ ଘରେ ବି ଏହି ମାନସିକତା ରହୁଛି । ସମସ୍ତେ ପୁଅ ଚାହିୁଛନ୍ତି । ଧୀରେ ଧୀରେ ଏହା ବଦଳୁଛି । ସମସ୍ତେ ସଚେତନ ହେବା ଉଚିତ । ଝିଅମାନେ ବି ନିଜକୁ ସାବ୍ୟସ୍ତ କରୁଛନ୍ତି । ସମସ୍ତେ ମିଶିଲେ ହିଁ ସୁନ୍ଦର ସମାଜ ଗଠନ ହୋଇପାରିବ ।

ଆଗକୁ ସୁଲୋଚନା କହିଥିଲେ, ଏମିତି ବି ସମୟ ଆସିବ ଲାଗିବ ଆଉ ହେବନି । ହେଲେ ମହିଳାଙ୍କୁ ହାର ମାନିବା ଉଚିତ ନୁହେଁ । ଯଦି ହେଲାନି ତ ପୁଣି ଚେଷ୍ଟା କରିବା, ଯେଉଁଠି ଅସୁବିଧା ରହିଲା ତାକୁ ସୁଧାରିବା । କ୍ୟାରିୟର୍ ଓ ପରିବାର ତାକୁ ସବୁବେଳେ ଦ୍ଵନ୍ଦ୍ଵ ରହିବ । ମୋ ପାଇଁ ମୋ ପୁଅର କ୍ୟାରିୟର ଅଧିକ ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ମୁଁ ତାକୁ ପ୍ରାଥମିକତା ଦେଲି । ତା’ପରେ ମୁଁ ପଲିଟିକ୍ସକୁ ଆସିଲି ।

ସେହିପରି ରାଜନୀତିରେ ଅଧିକ ସଂଖ୍ୟାରେ ମହିଳା ସାମିଲ ହେବା ଉପରେ ସୋଫିଆ ଗୁରୁତ୍ବ ଦେଇଥିଲେ । ସେ କହିଥିଲେ ଅଧିକ ସଂଖ୍ୟାରେ ମହିଳା ସାଂସଦ ଓ ବିଧାୟକ ଜିତି କି ଆସିଲେ ସେମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶ ହେବେ । ଦଣ୍ଡ ପ୍ରତି ଭୟ ନ ରହିଲେ ଅପରାଧ ବଢିବ । ତେଣୁ ଅପରାଧ ପ୍ରତି ଲୋକଙ୍କ ଭୟ ରହିବା ଦରକାର । ସୁଯୋଗ ମିଳିଲେ ମହିଳା ବି ସଫଳତା ପାଇ ପାରିବେ ବୋଲି କହିଥିଲେ ।

ଦକ୍ଷତା ନ ଥିଲେ ଅଧିକାର କେହି ଦେବେନି । ଶାଳୀନତା ଭିତରେ ରହି ଦକ୍ଷତାକୁ ପ୍ରତିପାଦିତ କଲେ ଅଧିକାର ଆପେ ଆପେ ମିଳିବ । ଆଉ ଇଚ୍ଛାଶକ୍ତି ଥିଲେ ଏହା ସମ୍ଭବ ହୋଇପାରିବ । ନାରୀଙ୍କ ସମ୍ମାନ ପାଇଁ ରାମାୟଣ ଓ ମହାଭାରତ ହୋଇଛି । ମହିଳାଙ୍କ ପାଖରେ ପାୱାରଫୁଲ୍ ଜିନ୍ ରହିଛି । ନିଜକୁ ଶକ୍ତିଶାଳୀ ଜେନେଟିକାଲି ବୋଲି ମହିଳାଙ୍କୁ  ଭାବିବାକୁ ପଡ଼ିବ । ଏଥିପ୍ରତି ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ସହଯୋଗିତାରେ ଚାଲିଲେ ସମସ୍ୟା ରହିବ ନାହିଁ । ସିଙ୍ଗଲ୍ ଓମେନଙ୍କ ପାଇଁ ଚ୍ୟାଲେଞ୍ଜ ରହିଛି । ସେମାନେ କିପରି ସୁରକ୍ଷିତ ଭାବେ ବଞ୍ଚି ପାରିବେ, ତାକୁ ଦେଖିବାକୁ ପଡ଼ିବ ବୋଲି ଅତିଥିମାନେ ମତ ଦେଇଥିଲେ ।

ଆମ୍ ଆଦମୀ ପାର୍ଟିକୁ ଝଟକା: ଆପ୍ ଛାଡ଼ି ବିଜେପିରେ ସାମିଲ ହେଲେ ତିନି କାଉନସିଲର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବି ଆମ୍ ଆଦମୀ ପାର୍ଟିକୁ ଝଟକା ଲାଗିବା ବନ୍ଦ ହେଉନି । ହାତରୁ ଦିଲ୍ଲୀ ସିଂହାସନ ଯିବାର ୭ ଦିନ ପରେ ପୁଣି ଏକ ଝଟକା ଲାଗିଛି । ଦଳର ତିନି ଜଣ କାଉନସିଲର ଆପ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଦଳ ଛାଡିଥିବା ଏହି କାଉନସିଲରମାନେ ହେଲେ ଅନିତା ବସୋୟା, ନିଖିଲ ଚପରାନା ଏବଂ ଧର୍ମବୀର । ଅନିତା ଆଣ୍ଡ୍ରୁଜଗଞ୍ଜ, ନିଖିଲ ବଦରପୁର ଏବଂ ଧର୍ମବୀର ଆରକେ ପୁରମରୁ ଆପ ଟିକେଟରେ କାଉନସିଲର ଥିଲେ । ବିଜେପି ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚ୍ଚିଦେବାଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବାକୁ ନେଇ ଦିଲ୍ଲୀ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି । ନିର୍ବାଚନ ଫଳାଫଳର ଏହା ସାଇଡ ଡିଫେକ୍ଟ ବୋଲି କୁହାଯାଉଛି । ନିର୍ବାଚନ ଫଳାଫଳ ବାହାରିବାର କିଛି ଦିନ ହୋଇନି ଲାଗୁଛି ଅରବିନ୍ଦ କେଜ୍ରିଓ୍ବାଲ ଏବଂ ତାଙ୍କ ଦଳ ଆପର ଖରାପ ସମୟ ଆରମ୍ଭ ହୋଇଯାଇଛି । ନିର୍ବାଚନ ପୂର୍ବରୁ ବିଜେପି ଆପକୁ ଝଟକା ଦେବା ଆରମ୍ଭ କରିଥିବା ବେଳେ ଫଳାଫଳ ଆସିବା ପରେ ମଧ୍ୟ ଏହା ଜାରି ରହିଛି । ଦିଲ୍ଲୀରେ ଗତ ୫ ତାରିଖରେ ଭୋଟ ପଡ଼ିଥିଲା । ଏହା ପୂର୍ବରୁ ୬ ଜଣ ବିଧାୟକ ଟିକେଟ କଟିବା ପୂର୍ବରୁ ବିଦ୍ରୋହ କରିଥିଲେ । ଏପରିକି ଏମାନେ ବିଜେପିରେ ସାମିଲ ହୋଇଯାଇଥିଲେ ।

ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୫: ଏକ ରାଷ୍ଟ୍ର ଏକ ନିର୍ବାଚନ କେତେଦୂର ଯୁକ୍ତିଯୁକ୍ତ ?

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ର ଦ୍ବିତୀୟ ଅଧିବେଶନର ବିତର୍କ ଥିଲା ଏକ ରାଷ୍ଟ୍ର ଏକ ନିର୍ବାଚନ । ରାଜ୍ୟସଭା ସାଂସଦ ମହୁଆ ମାଜି ଏବଂ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ ଅତିଥି ଭାବେ ଯୋଗ ଦେଇ ନିଜ ମତ ରଖିଛନ୍ତି ।

ରାଜ୍ୟସଭା ସାଂସଦ ମହୁଆ ମାଜି କହିଛନ୍ତି, ଏକ ଦେଶ ଏକ ନିର୍ବାଚନରେ ଆଞ୍ଚଳିକ ଦଳକୁ କ୍ଷତି ପହଞ୍ଚି ପାରେ । ରାଷ୍ଟ୍ରୀୟ ଦଳଗୁଡିକର ନିର୍ବାଚନରେ ପ୍ରଭାବ ଅଧିକ ରହିବା ସମ୍ଭାବନା ରହିଛି । ଆଞ୍ଚଳିକ ଦଳ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇପାରିବେ । କିନ୍ତୁ ଜାତୀୟ ଦଳ କେବଳ ଟିକେଟ ରାଜନୀତି କରିଥାଏ । ସ୍ଥାନୀୟ ବାସିନ୍ଦା ହୋଇ ନଥିଲେ ମଧ୍ୟ ଟିକେଟ ମିଳିଯାଏ ।ଇ ଏହାର କ୍ଷତି ସାଧାରଣ ଜନତା ସହିଥାନ୍ତି । ଅଂଚଳର ବିକାଶରେ ଆଞ୍ଚଳିକ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ନିର୍ବାଚନ ଭୁଲ ନୁହଁ, କିନ୍ତୁ ଏହା ପଛରେ ଉଦ୍ଦେଶ୍ୟ ମନ୍ଦ ରହିଛି ବୋଲି କହିଛନ୍ତି ମହୁଆ । ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛନ୍ତି ଆଞ୍ଚଳିକ ଦଳ । ଆଞ୍ଚଳିକ ଦଳଗୁଡିକୁ ଦମନ କରିବାକୁ ଷଡ଼ଯନ୍ତ୍ର ସନ୍ଦେହ ହେଉଛି ବୋଲି ସେ କହିଛନ୍ତି । ସମ୍ବିଧାନ ଉପରେ ମଧ୍ୟ ବିପଦ ସୃଷ୍ଟି ହେବା ଭଳି ମନେ ହେଉଛି । ଲୋକତନ୍ତ୍ର ଏକତନ୍ତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହାକୁ ନେଇ ବିରୋଧ ହେଉଛି ବୋଲି କହିଛନ୍ତି ମହୁଆ ।

ଅନ୍ୟପଟେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ପୂର୍ବରୁ ଦେଶରେ ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା ଥିଲା । ଜନତା ଯେଉଁ ନେତାକୁ ବାଛିବାକୁ ଚାହିଁବେ ବାଛିବେ । ଏକକ ନିର୍ବାଚନ ହେଉ ବି ପୃଥକ ନିର୍ବାଚନ । ଏକ ଦେଶ ଏକ ନିର୍ବାଚନକୁ ନେଇ ବିରୋଧୀ ବିରୋଧ କରି ଆସୁଛନ୍ତି । ତେବେ ନିର୍ବାଚନ ତୁଳନାରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ନେଇ ବିରୋଧୀଙ୍କ ଆପତ୍ତି ରହିଛି ବୋଲି କହିଛନ୍ତି ଯଶବନ୍ତ । ଓଡ଼ିଶାରେ ଏକା ଥରକେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଛି । ଏଠାରେ ଅଲଗା ଅଲଗା ଦଳରର ସରକାର ଆସୁଥିଲା । ଚଳିତଥର କେବଳ ଗୋଟିଏ ଦଳର ସରକାର ଆସିଛି । ଯେଉଁ ଦଳ ସରକାରରେ ଅଛି ବିପକ୍ଷଙ୍କ ବିଶ୍ଵାସ ନେଇ ସାଥିରେ ଯିବା ଆବଶ୍ୟକ । ଯଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେଲେ ମ୍ୟୁନିସିପାଲିଟିଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ନିର୍ବାଚନରେ ନିର୍ବାଚିତ ପ୍ରତିନିଧି ୫ ବର୍ଷ ପର୍ଯ୍ୟନ୍ତ ଆଉ ଜନତାଙ୍କ ନିକଟକୁ ନଯିବା ଭଲି ସ୍ଥିତି ଉପଜି ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଯଶବନ୍ତ ଦେଶମୁଖ ।

କିନ୍ନର ଆଖଡ଼ା ବିବାଦ: ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦେଲେ ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀ

ପ୍ରୟାଗରାଜ: ମହାକୁମ୍ଭରୁ ଆରମ୍ଭ ହୋଇଥିବା କିନ୍ନର ଆଖଡ଼ା ବିବାଦ ଥମିବାର ନାଁ ନେଉନି । ଆଖଡ଼ାର ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀଙ୍କ ବୟାନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଆଖଡ଼ାରେ ଚାଲିଥିବା ବିବାଦକୁ ନେଇ ସେ ନା କେବଳ କିନ୍ନର ଆଖଡ଼ା ଛାଡୁଛନ୍ତି, ବରଂ ସନାତନ ଧର୍ମ ଛାଡ଼ିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଏହି ବିବାଦ ତାଙ୍କ ସହିବା ଶକ୍ତି ବାହାରକୁ ଚାଲିଯାଇଛି । ଏମିତି ସ୍ଥିତିରେ ସେ ଶୀଘ୍ର ଧର୍ମ ପରିବର୍ତ୍ତନ କରିବାକୁ ବିଚାର କରିବେ ।

କିନ୍ନର ଆଖଡ଼ାର ନୂଆ ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦଗିରିଙ୍କୁ ଆକ୍ରମଣ ଘଟଣା ପରେ ହିମାଙ୍ଗୀ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ନନ୍ଦଗିରିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ତାଙ୍କ ଉପରେ ଲାଗିଛି । ହେଲେ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ । ଏହାପୂର୍ବରୁ ମୋ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ନିଜେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କରାଇଥିବା ସେ ଅଭିଯୋଗ କରିଥିଲେ ।

ଧର୍ମ ପରିବର୍ତ୍ତନର ଧମକ ଦେଲେ ହିମାଙ୍ଗୀ

କିନ୍ନର ଆଖଡ଼ା ବିବାଦକୁ ନେଇ ସେ କହିଛନ୍ତି, ଏଠାରେ କ୍ଷମତାର ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ଦରକାର । ଯଦି ଏହାର ଅନ୍ତ ଶୀଘ୍ର ନହୁଏ ତେବେ ସେ କିନ୍ନର ଆଖଡ଼ା ଓ ସନାତନ ଧର୍ମ ଛାଡିବାକୁ ବିଚାର କରିପାରନ୍ତି । ଏପରିକି ସେ ଧର୍ମ ପରିବର୍ତ୍ତନ କରିବାକୁ ସିଧା ସିଧା ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ବଲିଉଡ଼ ଅଭିନେତ୍ରୀ ମମତା କୁଲକର୍ଣ୍ଣି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ହେବାକୁ ନାଇ ହିମାଙ୍ଗୀ ସଖୀ ପ୍ରଥମେ ପ୍ରଶ୍ନ ଉଠାଇ ଥିଲେ । ଏହାପରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।  ଏଥିରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀଙ୍କ ହାତ ଥିବା ହିମାଙ୍ଗୀ ସଖୀ ଅଭିଯୋଗ କରିଥିଲେ । ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ପଦ ଛାଡିବା ଓ ପୁଣି ସେହି ପଦରେ ବସିବାକୁ ହିମାଙ୍ଗୀ ସଖୀ ମଜାକ ବୋଲି କହି କଟାକ୍ଷ କରିଛନ୍ତି । ଏହାସହ କହିଛନ୍ତି, ଏମାନଙ୍କ ପାଇଁ ଧର୍ମ ଓ ଶାସ୍ତ୍ର କିଛି ମହତ୍ବ ରଖେନି । କେବଳ ଦେଖେଇ ହେଉଛନ୍ତି । ଏମାନେ ସନାତନ ଧର୍ମକୁ ବି ମଜାକ ବନାଇ ଦେଇଛନ୍ତି । ଏପରିକି କିନ୍ନର ଆଖଡ଼ାରେ ମାଂସ ଖିଆଯିବା ସହ ମଦ ପିଆବା ଭଳି ଅଭିଯୋଗ କରିଛନ୍ତି । ଏପରିକି ମଦ ପିଇ କିଛି ଲୋକ ମୋ ଶିବିରକୁ ପଶି ଆସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

‘ଓଡ଼ିଶା ନିଜ କ୍ଷମତା ବଳରେ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି’

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ର ପ୍ରଥମ ଅଧିବେଶନ ଥିଲା ‘୨୦୩୬ ପାଇଁ ବିକାଶର ନକ୍ସା’ ପ୍ରସଙ୍ଗ । ଆଲୋଚନାରେ ଭାଗ ନେଇ ମତ ରଖିଛନ୍ତି ଅତିଥି । ରାଜ୍ୟ ଅବହେଳାର ଶିକାର ହୋଇ ବି କେମିତି ନିଜ କ୍ଷମତା ବଳରେ ଆଜି ଭାରତର ଏକ ବିକାଶଶୀଳ ରାଜ୍ୟରେ ପରିଣତ ହୋଇ ପାରିଛି ତା’ ଉପରେ ମତ ରଖିଛନ୍ତି ଅତିଥି ।

ବରିଷ୍ଠ ସାମ୍ଵାଦିକ ଦିଲ୍ଲୀପ ବିଷୋୟୀ କହିଛନ୍ତି, ୯୦ ବର୍ଷ ମଧ୍ୟରେ ଆମେ ଅବହେଳାର ଶିକାର ହୋଇଛୁ । ଓଡ଼ିଶା ନିଜ କ୍ଷମତା ବଳରେ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି । ଖାଦ୍ୟାଭାବୁ କେହି ମରୁ ନଥିବେ, ଚିକିତ୍ସା ଅଭାବରୁ କେହି ଯନ୍ତ୍ରଣା ପାଉ ନଥିବେ । ସେମିତି ରାଜ୍ୟ ଯଦି ଆମେ ଦେଖିପାରିବା, ସେତେବେଳେ ଆମେ ବିକଶିତ ରାଜ୍ୟ କହି ପାରିବା ।

ସେହପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ୨୦୩୬ ପାଇଁ ବିକାଶର ନକ୍ସା ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ । ଏକ ରୁଗଣ ଅର୍ଥନୈତିକ ସ୍ଥିତିରେ ଓଡ଼ିଶା ଜନ୍ମ ନେଇଥିଲା । ଏବେ ବଳକା ରାଜ୍ୟରେ ଓଡ଼ିଶା ପରିଣତ ହୋଇଛି । ୨୦୩୬ ବଜେଟର ଆକଳନ ଯାହା ହେଉଛି ୩୨ ଲକ୍ଷ କୋଟିରୁ ୩୫ କୋଟି ଭିତରେ ଖର୍ଚ୍ଚ ହେବ । ଆଜିବି ଓଡ଼ିଶା ଏକ ପ୍ରକାର ଶୋଷଣର ଶିକାର ହୋଇଚାଲିଛି । ଇଚ୍ଛାଶକ୍ତି ଓ ରୋଡମ୍ୟାପ୍ ରହିଲେ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବା ।

ଏହି ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି ସିୱାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ । ଆଜି ସାରା ଦେଶରେ ମୁଣ୍ଡପିଛା କାର୍ବନ ଏମିସନ ଓଡ଼ିଶାରେ ସର୍ବାଧିକ । ୨୦୩୨ ବେଳକୁ ଚରମ ସୀମାରେ ପହଞ୍ଚିଥିବ ସ୍ଥିତି। ଜନସଂଖ୍ୟା ବଢୁଛି କିନ୍ତୁ ଜନସଂଖ୍ୟାର ହାର କମୁଛି । ୨୦୩୬ ବେଳକୁ ୧୫ ପ୍ରତିଶତରୁ ଅଧିକ ଲୋକ ୬୦ ବର୍ଷରୁ ଅଧିକା ହୋଇଥିବେ । ବିକଶିତ ଓଡ଼ିଶାରେ ଭଲ ବାସସ୍ଥାନର ଆବଶ୍ୟକତା ଅଛି । ଦୁର୍ବିପାକ ପ୍ରତିରୋଧର ଘରର ଆବଶ୍ୟକ ରହିଛି । ମହିଳାଙ୍କ ସୁରକ୍ଷିତ ସ୍ଵାସ୍ଥ୍ୟ ଓ ନିରାପତ୍ତା ବିକାଶର ଆଉ ଏକ ଚିତ୍ର । ଖଣି, ଖାଦାନକୁ ଆମେ ପର ପୀଢି ପାଇ ସଂରକ୍ଷିତ କରି ରଖିବାକୁ ପଡ଼ିବ । ପରିବେଶର ସୁରକ୍ଷା ମଧ୍ୟ ବିକଶିତ ଓଡ଼ିଶାର ଆଉ ଏକ ଦିଗ ବୋଲି ସେ କହିଥିଲେ ।

ନନ୍ଦିଘୋଷ ଟିିଭିର ସ୍ବନକ୍ଷତ୍ର ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବେନଶ୍ବର: ଆଜି ନନ୍ଦିଘୋଷ ଟିଭିର ସ୍ବନକ୍ଷତ୍ର ଦିବସ ଅବସରରେ ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦ ମାନସ ମଙ୍ଗରାଜ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ । ନବୀନଙ୍କ ପରି ଜଣେ ରାଷ୍ଟ୍ରନାୟକଙ୍କ ପାଇଁ ଏହି ମୁହୂର୍ତ୍ତ ନିଶ୍ଚିତ ଭାବେ ଏକ ନିଆରା ଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥି ଓ ଟିଭି ତଥା ସୋସିଆଲ ମିଡ଼ିଆରେ ଏହି କାର୍ଯ୍ୟକ୍ରମକୁ ଦେଖୁଥିବା ଦର୍ଶକ କିଛି ମୁହୂର୍ତ୍ତ ପାଇଁ ଭାବପ୍ରବଣ ହୋଇଉଠିଥିଲେ । ଆଜି ବି ନବୀନଙ୍କ ପ୍ରତି କୋଟି କୋଟି ଓଡ଼ିଶାବାସୀଙ୍କର ରହିଛି ଅତୁଟ ଭଲପାଇବା । ଏହା ପୁଣି ଥରେ ହୋଇଛି ପ୍ରମାଣିତ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜୟ ଜଗନ୍ନାଥରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ନନ୍ଦିଘୋଷ ଟିଭିର ଜାତି ନନ୍ଦିଘୋଷରେ ଯୋଗ ଦେଇ ବହୁତ ଖୁସି ବୋଲି କହିଥିଲେ ନବୀନ। ନନ୍ଦିଘୋଷ ଶବ୍ଦ ଓଡ଼ିଆ ଜାତିର ସମ୍ପର୍କର ଭାବପ୍ରବଣତା ରହିଛି। ନନ୍ଦିଘୋଷ ନାମ ନେଲେ ମହାପ୍ରଭୁଙ୍କ ରୂପ ଆଖି ଆଗକୁ ଆସିଯାଏ। ଆଶା କରୁଛି ନନ୍ଦିଘୋଷ ଟିଭି ଲୋକଙ୍କ ଓଡ଼ିଆ ଲୋକଙ୍କ ବିକାଶ ଯାତ୍ରାକୁ ଆହୁରି ଆଗକୁ ନେବାରେ ସହାୟକ ଭୂମିକା ନେବ ବୋଲି କହିଥିଲେ ନବୀନ। ଗଣତନ୍ତ୍ରରେ ଗଣମାଧ୍ୟମ ହେଉଛି ଲୋକଙ୍କ ସ୍ଵର। ଲୋକଙ୍କ ସ୍ଵାର୍ଥ ପାଇଁ ଗଣମାଧ୍ୟମ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ। ସମସ୍ତ ଚାପ ସତ୍ଵେ ସତ୍ୟର ପ୍ରତୀକ ଭାବେ ଗଣମାଧ୍ୟମ ରହିବା ଆବଶ୍ୟକ। ମିଛ ଓ ଭୁଲ୍ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମ ଦୂରରେ ରହିବା ଆବଶ୍ୟକ ବୋଲି କହିଥିଲେ ନବୀନ।

ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ରେ ଯୋଗଦେଇ ସ୍ଵାଗତ ଭାଷଣ ରଖିଥିଲେ ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।  ଏହି ଅବସରରେ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ପ୍ରଶାସନରେ ଥିବା ତୃଟି ଓ ବିଚ୍ୟୁତିର ସକାରାତ୍ମକ ସମାଧାନ ପାଇଁ କାର୍ଯ୍ୟ କରିବୁ। ଏହି ପଣକୁ ସାକାର କରିବାକୁ ନନ୍ଦିଘୋଷ ଟିଭି ଆରମ୍ଭ ହୋଇଥିଲା ଓ ପରେ ସକାଳ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ସମାଜର ଶେଷ ଧାଡ଼ିର ଲୋକଙ୍କ ନିକଟରେ ପହଞ୍ଚି ପାରିଛୁ। ପ୍ରତିଟି ଲୋକଙ୍କ କଥା ଦର୍ଶକ ଓ ପାଠକଙ୍କ ନିକଟରେ ପହଞ୍ଚାଇବାରେ କେତେକ ସଫଳ ହୋଇଛୁ। ସବୁ ଘାତ ପ୍ରତିଘାତ ସତ୍ଵେ ଓଡ଼ିଶାର ସ୍ଵର ଭାବେ ପରିଣତ ହୋଇଛି ବୋଲି କହିଥିଲେ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ଅଧ୍ୟକ୍ଷ ମାନସ ମଙ୍ଗରାଜ।

ନନ୍ଦିଘୋଷ ଟିଭିର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ: ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫କୁ ଉଦଘାଟନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନନ୍ଦିଘୋଷ ଟିଭିର ପଞ୍ଚମ ସ୍ବନକ୍ଷତ୍ର ଆଜି । ଏହି ଅବସରରେ ’ଜାତି ନନ୍ଦିଘୋଷ’ କନକ୍ଲେଭ କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ନବୀନ ସମ୍ମାନିତ କରିଥିଲେ ।  ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ ।

ନିଜ ବକ୍ତବ୍ୟରେ ନବୀନ କହିଥିଲେ,  ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଓଡ଼ିଆ ଜାତିର ବିକାଶ ଯାତ୍ରାକୁ ନନ୍ଦିଘୋଷ ଟିଭି ଆହୁରି ଆଗକୁ ନେବ । ମିଡ଼ିଆ ହେଉଛି ଗଣତନ୍ତ୍ରର ଏକ ପ୍ରମୁଖ ମାଧ୍ୟମ । ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ମିଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ । କିଛି ସମୟ ପାଇଁ ସତକୁ ଲୁଚାଇ ହେବ, ହେଲେ ସବୁ ସମୟରେ ନୁହେଁ । ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ନନ୍ଦିଘୋଷ ଟିଭି ଓ ‘ସକାଳ’ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ । ଏଥିସହିତ ସ୍ୱରହୀନଙ୍କ ସ୍ୱର ହେବାକୁ କନକ୍ଲେଭରେ ଗଣମାଧ୍ୟମକୁ ପରାମର୍ଶ  ଦେଇଥିଲେ ନବୀନ ।

କାର୍ଯ୍ୟକ୍ରମରେ ନାଟ୍ୟକାର ଓ ଗବେଷକ ରମେଶ ପ୍ରସାଦ ପାଣିଗ୍ରାହୀ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା କମିଶନର ପୂର୍ବତନ ସଦସ୍ୟ ଦିଲ୍ଲୀପ ବିଶୋଇ, ହକି ଖେଳାଳୀ ତଥା ଅଲମ୍ପିୟାନ ନମିତା ଟପୋ, ହାଇଟେକ୍ ମେଡିକାଲର ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀ, ଗବେଷକ ତଥା ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ମୋହନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପଟ୍ଟନାୟକ ।

କାର୍ଯ୍ୟକ୍ରମରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଜାତି ନନ୍ଦିଘୋଷ କନକ୍ଲେଭ, ବିତର୍କ: ୩୬ ପାଇଁ ବିକାଶ ନକ୍ସା, ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ, ୟୁଟ୍ୟୁବ ରୋଜଗାରର ମାଧ୍ୟମ, ହାସ୍ୟ ଅଭିନୟ; ଦିଗବଳୟ ଯାଏ, ଏକ ରାଷ୍ଟ୍ର ଏକ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବ । ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ଭାବେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେଇଥିଲେ । ସାଂସଦ ମାନସ ମଙ୍ଗରାଜ ନନ୍ଦିଘୋଷ ଟିଭିର ୫ ବର୍ଷର ସଫଳତା ବଖାଣିଥିଲେ । କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭି COO ଜବର ସିଂହ ପନଓ୍ବର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇଥିଲେ ।

ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାନେଲ ଆଲୋଚନାରେ ବଲିଉଡ ହାସ୍ୟ ଅଭିନେତା ବରୁଣ ଶର୍ମା, ସିଓ୍ବାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ବିଏମସି ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

ପାରାଦୀପରେ ଚୋରା କୋଇଲା କାରବାର: କମ୍ପାନୀକୁ ଯାଉଥିବା କୋଇଲାକୁ ଦୁର୍ବୃତ୍ତ ବିକ୍ରି କରୁଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଚୋରା କୋଇଲା କାରବାର । ପାରାଦୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା କୋଇଲାକୁ କିଛି ଦୁର୍ବୃତ୍ତ ଅଧା ବାଟରେ କାଢି ନେଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଗତ ୨ ତାରିଖ ରାତିରେ ପାରାଦୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢିଥିଲେ । ଖବର ପାଇବା ପରେ ରେଲୱେ ସୁରକ୍ଷା ବଳ ସେଠାରେ ପହଞ୍ଚି ପାଖାପାଖି ୫ ଟନର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ ଜବତ କରିଥିଲେ । ଏହି ଘଟଣା ପରେ ରେଲୱେ କ୍ରାଇମବ୍ରାଞ୍ଚ ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୋଛକି ନିକଟ ଏକ ପାଲ ଘେରା ଘରୁ ୩୦ ଟନ୍ ଚୋରା କୋଇଲା ଓ ତେଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ ପାରାଦୀପ ଅଠରବାଙ୍କି ନିକଟ କଲୋନୀରୁ ବିପୁଳ ପରିମାଣର ରୋଚା କୋଇଲା ଜବତ କରିଛି । ଜବତ କୋଇଲାକୁ ବନ୍ଦର ସିଆଇଏସ‌ଫ ଓ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ମୂଲ୍ୟ ଆକଳନ କରାଯିବ ବୋଲି ସୂଚନା ମିଳିଛି ।