spot_img
Home Blog Page 127

ଆଜି ବି ସଂକ୍ରାନ୍ତିରେ ଉପବାସରେ ପ୍ରଭୁ ଲିଙ୍ଗରାଜ: ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି

ଆଜି ବି ସଂକ୍ରାନ୍ତିରେ ଉପାସରେ ପ୍ରଭୁ ଲିଙ୍ଗରାଜ । ଗତକାଲି ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି। ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି। ଫଳରେ ଆଜି ବି ଉପାସରେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି। ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ। ଯେପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ।

୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ। ହଠାତ ୨୦୨୫ ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି। ଏନେଇ କୋର୍ଟରେ ମାମଲା ବି ରହିଛି। ୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା। ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା। କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି।

ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଖୁବଶୀଘ୍ର ଇରାନ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବିରୋଧ ପ୍ରଦର୍ଶନକାରୀଙ୍କୁ ଦେଶପ୍ରେମୀ ବୋଲି ସମ୍ବୋଧନ କରିଛନ୍ତି ଟ୍ରମ୍ପ । ବିରୋଧ ଜାରି ରଖିବା ସହ ପ୍ରତିଟି ସରକାରୀ ପ୍ରତିଷ୍ଠାନକୁ କବଜାକୁ ନେବାକୁ ଆନ୍ଦୋଳନକାରୀଙ୍କୁ ସେ ଅପିଲ କରିଛନ୍ତି । ଅତିଶୀଘ୍ର ସାହାର୍ଯ୍ୟ ପହଞ୍ଚୁଥିବା ମଧ୍ୟ ନିଜ ସୋସିଆଲ ମିଡ଼ିଆ ଏକ୍ସ ଲେଖି ବିରୋଧକାରୀଙ୍କୁ ଉତ୍ସାହିତ କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଏଭଳି ସଙ୍କେତକୁ ନେଇ ଇରାନ୍ ଉପରେ ଆମେରିକା ଆକ୍ରମଣ କରିବା ଅନୁମାନ ଦୃଢିଭୂତ ହୋଇଛି । ଟ୍ରମ୍ପ ତାଙ୍କ ନିଜ ସୋସିଆଲ ପେଜରେ ଲେଖିଛନ୍ତି “ଇରାନୀ ଦେଶଭକ୍ତମାନେ, ପ୍ରତିବାଦ ଜାରି ରଖନ୍ତୁ, ପ୍ରତିଷ୍ଠାନଗୁଡ଼ିକୁ କବଜା କରନ୍ତୁ । ହତ୍ୟାକାରୀ ଏବଂ ଅତ୍ୟାଚାରୀମାନଙ୍କ ନାମ ଲେଖନ୍ତୁ। ଏ ସବୁ ପାଇଁ ସେମାନେ ଭାରୀ ମୂଲ୍ୟ ଦେବେ। ଟ୍ରମ୍ପ ଇରାନୀ ଅଧିକାରୀଙ୍କ ସହ ସମସ୍ତ ବୈଠକ ବାତିଲ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପ୍ରଦର୍ଶନକାରୀଙ୍କ ନିର୍ବୋଧ ହତ୍ୟା ବନ୍ଦ ନହୁଏ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ସେ ତାଙ୍କର ପ୍ରିୟ ସ୍ଲୋଗାନ, MIGA ଉଲ୍ଲେଖ କରି ଇରାନୀ ପ୍ରଦର୍ଶନକାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଆମେରିକା ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି।” ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି କରିଛି ।

ଆହୁରି ୩ ଦିନ ଯାଏ ଜାରି ରହିବ ଶୀତ ଲହରୀ…

ଭୁବନେଶ୍ବର : ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ  ଶୀତ ଲହରୀ ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ଅନୁଗୁଳ, କଟକ,  ଖୋର୍ଦ୍ଧା, ଜଗତସିଂହପୁର ଓ ଝାରସୁଗୁଡା ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା୧୪ ତାରିଖରେ ଉପକୂଳ ଓଡିଶା ସମେତ ଏହି ୫ ଜିଲ୍ଲାକୁ ଶୀତ ଲହରୀ ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ ।ଆସନ୍ତା ୨୪ ଘଂଟାରେ କେନ୍ଦ୍ରାପଡା, ଜଗତସିଂପୁର ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଆସନ୍ତାକାଲି ପାଇଁ ଜଗତସିଂହପୁର, ପୁରୀ , କେନ୍ଦ୍ରାପଡା, ସୁନ୍ଦରଗଡ ଓ କୋରାପୁଟ ଏହି ୫ ଜିଲ୍ଳାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୧୪ ଟି ସ୍ଥାନରେ  ୧୦ ଡ଼ିଗ୍ରୀ ତଳକୁ  ତାପମାତ୍ରା ଖସିଛି । ରାଉଲକେଲା ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୧ ଓ ପାହାଡିଆ ଅଂଚଳରେ ଜି ଉଦୟଗିରି ରେ ୪.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।

ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି, ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ବିବାଦ…

ଭୁବନେଶ୍ବର : ୧୯ ମାସର ବିଜେପି ସରକାରରେ ପଦାରେ ପଡ଼ିଲା ଇନପୁଟ ସବସିଡି ଚଞ୍ଚକତା । କିଛି ଦିନ ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ, ଜଣେ ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ। ଏବଂ ବାକି ଧାନକୁ ସେ ବାହାରେ ବିକିବ। ଯାହାକୁ ଦୁର୍ଭାଗ୍ୟଜନକ କହିଛି ବିଜେଡି। ଧାନ କିଣା ପାଇଁ ଏମଏସପି ୨୩୦୦ ଟଙ୍କାରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଥିବାରୁ, ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପରିବର୍ତ୍ତେ ୩୧୬୯ ଟଙ୍କା ପ୍ରଦାନ କରିବା କଥା। ହେଲେ ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି। ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି କହିଛି ବିଜେଡି। ନିର୍ବାଚନ ସମୟରେ ବିଜେପି ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ, ରାଜ୍ୟର ସମସ୍ତ ବଳକା ଧାନ କିଣାଯିବ। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସଂଗ୍ରହ ହେଉନାହିଁ ନିର୍ଦ୍ଧାରିତ ହୋଇଥିବା ଧାନ। ୧୯ ଲକ୍ଷ ୬୬ ହଜାର ୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଦ୍ଧା ମାତ୍ର ୩ ଲକ୍ଷ ୪୦ ହଜାର ୨୯୪ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି। ଜାନୁଆରୀ ୧୦ ତାରିଖ ସୁଧା ରାଜ୍ୟର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ  ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଏଯାଏଁ ଖୋଲିନି ମଣ୍ଡି। ପାଣିର ଗାର ପାଲଟିଛି ସରକାରଙ୍କ ନିର୍ଦ୍ଦେଶ।  ତେଣୁ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ନହେଲେ, ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି।

ସରକାରଙ୍କ ଓକିଲାତି କରିବାକୁ ଯାଇ ଚିରାଚରିତ ଭାବେ ଉତ୍ତର ଦେଇଛି ବିଜେପି କୃଷକ ମୋର୍ଚ୍ଚା । ସରକାର ଦେଢ଼ ବର୍ଷ ହେବ ଆସିଛି। ଭିତ୍ତିଭୂମି ପାଇଁ ସମୟ ଦରକାର। ବିଜେପି କୃଷକ ମୋର୍ଚ୍ଚାର ଏପରି ଜବାବକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ୮୦୦ ଟଙ୍କା ବୋନସର ପ୍ରତିଶୃତି ଦେଇ ସରକାରକୁ ଆସିଲା ବିଜେପି। ହେଲେ ତାହା ବି ଠିକ ସେ ଦିଆଗଲାନି। ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁନି। ଗାଁ ଗାଁରେ ଏ ନେଇ ଲୋକଙ୍କୁ ସଚେତନ କରିବ ବୋଲି କହିଛି କଂଗ୍ରେସ। ଓଡ଼ିଶା ପରି ଛତିଶଡ଼ରେ ମଧ୍ୟ ବିଜେପି ସରକାର । ଓଡ଼ିଶାର ଟାର୍ଗେଟ ୭୩ ଲକ୍ଷ ମେଟ୍ରିକ ଟନ ଥିବା ବେଳେ, ଏବେ ସୁଦ୍ଧା ମାତ୍ର ୧୭.୮୫ ଲକ୍ଷ ଟନ ଧାନ ସଂଗ୍ରହ ହୋଇ ପାରିଛି । ଅପରପକ୍ଷରେ, ଛତିଶଗଡ଼ରେ ୮୦ ଲକ୍ଷ ଟନ ଧାନ କିଣା ଟାର୍ଗେଟ ଥିଲା ବେଳେ, ଏଯାଏଁ ୯୭ ଲକ୍ଷ ଟନ ଧାନ କିଣା ଗଲାଣି। ଏହାକୁ ଯଦି ବିଚାର କରିବା, ତେବେ ପଡ଼ୋଶୀ ଛତିଶଗଡ଼ ତୁଳନାରେ ଓଡିଶାର ସ୍ଥିତି ସଙ୍ଗୀନ ରହିଛି।

ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା, ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର

ଭୁବନେଶ୍ବର : ରାଜ୍ୟରେ ବଢିଲା ବୁଥ୍ ସଂଖ୍ୟା। ଏଣିକି ପ୍ରତି ବୁଥରେ ସର୍ବାଧିକ ୧୨ଶହ ଭୋଟର। ୩୬ ହଜାରରୁ ୪୩ ହଜାରକୁ ବଢିଲା ବୁଥ୍ ସଂଖ୍ୟା। ସବୁ ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ନିଯୁକ୍ତି ହେବା ସହ ପ୍ରଶିକ୍ଷଣ ବି ସରିଛି। ହେଲେ ଏବେ ସମସ୍ତଙ୍କ ନଜର ରାଜ୍ୟରେ ଲାଗୁ ହେବାକୁ ଥିବା ଏସଆଇଆର୍ ବା ସ୍ବତନ୍ତ୍ର ସଘନ ସଂଶୋଧନ ଉପରେ। ୨୦୦୨ ଓ ୨୦୨୫ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିବା ସେମାନଙ୍କର ଭେରିଫିକେସନ ଦରକାର ନାହିଁ ବୋଲି ଅତିରିକ୍ତ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୨୦୦୨ରେ ନାମ ଥିବା ଭୋଟରଙ୍କ ପୁଅ, ଝିଅଙ୍କ ନାମ ଯଦି ୨୦୨୫ ତାଲିକାରେ ଥାଏ, ସେମାନଙ୍କୁ ମଧ୍ୟ ଭେରିଫିକେସନ ଆବଶ୍ୟକ ନାହିଁ। ୨୦୦୨ ଏବଂ ୨୦୨୫ ଭୋଟର ତାଲିକା ଇଣ୍ଟିଗ୍ରେଟ କରାଯାଇଛି। ଏଥିରୁ ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି। ଯେଉଁ ଭୋଟର ମାନେ ମ୍ୟାପିଙ୍ଗ ପ୍ରକ୍ରିୟାରେ ଆସିବେ ନାହିଁ ସେମାନଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଧାର୍ଯ୍ୟ ଡକୁମେଣ୍ଟ ଦେବାକୁ ପଡ଼ିବ। ମୁଖ୍ୟତଃ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ରଖିବା ସୁନିଶ୍ଚିତ କରିବା ସହ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ଏସ୍ଆଇଆରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏସ୍ଆଇଆରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଥିବାରୁ ଓଡ଼ିଶାରେ ଲାଗୁ ହେବା ପୂର୍ବରୁ ଏହାକୁ ନେଇ ଆଶା ଆଶଙ୍କା ପ୍ରକାଶ ପାଇଛି। ଶାସକ ବିଜେପି ଏସଆଇଆରକୁ ସ୍ବାଗତ କରିଥିବା ବେଳେ ମଝିରେ ମଝିରେ ଭୋଟର ତାଲିକା ଅନୁଧ୍ୟାନ ଜରୁରୀ ବୋଲି କହିଛି। ବୁଥ୍ ସଂଖ୍ୟା ବୃଦ୍ଧିକୁ ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତେ ସ୍ବାଗତ କରିଛନ୍ତି । ଏସ୍ଆଇଆର୍ ନାମରେ ରାଜନୀତି କରାନଯାଉ ବୋଲି ବିଜେଡି ଓ କଂଗ୍ରେସ କହିଥିବା ବେଳେ କେବଳ ଶାସକ ଦଳକୁ ସୁହାଇଲା ଭଳି ନିଷ୍ପତ୍ତି ହେଲେ ଏହାକୁ ବିରୋଧ କରାଯିବ ବୋଲି ବିଜେଡି କହିଛି। ମାର୍ଚ୍ଚ ମାସ ପରେ ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୦୨ ଓ ୨୦୨୫ ମଧ୍ୟରେ ଥିବା ଭୋଟର ତାଲିକା ମ୍ୟାପିଙ୍ଗ କାର୍ଯ୍ୟ ସାରିବାକୁ ଜୋରଦାର କାମ ଚାଲିଛି।

ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ : ଲୋକଙ୍କ ସହ ରୁହ, ସମସ୍ୟା ଦୂର କର

ଭୁବନେଶ୍ବର : ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଲୋକଙ୍କ ସହ ରୁହ, ସମସ୍ୟା ଦୂର କର । ନିର୍ବାଚନ ମଣ୍ଡଳୀର ବିକାଶକୁ ଦେଖ । ଫୋକସରେ ତୃଣମୂଳ ସଂଗଠନ । ଏକତା ହିଁ ବଳ। ଲୋକଙ୍କ ସହ ଅଧିକ ଯୋଡିହୋଇ ନିର୍ବାଚନ ମଣ୍ଡଳୀର ବିକାଶ କାମକୁ ତଦାରଖ କର । ଯେଉଁଠି ସାଧାରଣ ଲୋକଟି ସମସ୍ୟାର ସମ୍ମୁଖୀନ ହେଉଛି ତାହାର ସମାଧାନ ବାଟ କାଢ ।  ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ସଂଗ୍ରାମ ଜାରି ରଖ । ନବୀନ ନିବାସରେ ଦଳୀୟ ବିଧାୟକମାନଙ୍କ ସହ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବା ପରେ ଏପରି ଟିପ୍ସ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ସଂନ୍ଧ୍ୟାରେ ୧୦ ଜଣ ବିଧାୟକଙ୍କ ସହ ନବୀନ ଆଲୋଚନା କରି ତୃଣମୂଳ ସଂଗଠନ ମଜବତୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଜେଡି ବିଧାୟକ ଓ କର୍ମୀମାନେ ବେଶ ଉତ୍ସାହିତ ।

ନିର୍ବାଚିତ ବିଧାୟକମାନେ  ନିଜ ନିର୍ବାଚନ ମଣ୍ଡଳୀର ବିକାଶ କିପରି ଅଧିକ ତ୍ବରାନ୍ବିତ କରିବେ ତାହା ଉପରେ ବିରୋଧୀ ଦଳ ନେତା ଗୁରୁତ୍ବ ଦେଇଥିଲେ । ତୃଣମୂଳ ସ୍ତରରୁ ଏକଜୁଟ ହୋଇ  ଲୋକଙ୍କ ପାଇଁ କାମ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଆଗମୀ ଦିନର ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି । ଓଡ଼ିଶାକୁ ନିଜର ପରିବାର ବୋଲି ଗ୍ରହଣ କରିଥିବା ନବୀନ ଶାସନରେ ଥିବା ବେଳେ ଯେମିତି ବିରୋଧୀ ଦଳରେ ଥାଇ ମଧ୍ୟ ସମାନ ଭୂମିକା ଲିଭାଉଛନ୍ତି । ଓଡିଶାବାସୀ ଓ ଓଡିଶାର ସ୍ବାର୍ଥ ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ ବୋଲି ବିଧାୟକଙ୍କୁ ସଫାସଫା ଶୁଣାଇଛନ୍ତି ନବୀନ ।

ଖୋର୍ଦ୍ଧା ପରେ ଏବେ ଢେଙ୍କାନାଳ ଜିଲ୍ଲାରେ ଜଣ୍ଡିସ ଆତଙ୍କ…..

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜବାହାର ନବୋଦୟ ସ୍କୁଲ ପରେ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବିଶ୍ବନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ କାୟା ବିସ୍ତାର କରିଛି । ଗତକାଲି ଜଣେ ଜଣ୍ଡିସ ଆକ୍ରାନ୍ତ ଛାତ୍ରଙ୍କ ଖବର ପାଇବା ପରେ ଆଜି ସ୍କୁଲ ଯାଇ ଢେଙ୍କାନାଳ ସିଡିଏମଓ ଓ ଜନସ୍ବାସ୍ଥ୍ୟ ଟିମ ଆବଶ୍ୟକ ପରୀକ୍ଷା କରିଛନ୍ତି। ଏଯାଏଁ ତିନୋଟି ପିଲାଙ୍କୁ ଜଣ୍ଡିସ ହୋଇଥିବା ସ୍ପଷ୍ଟ ହୋଇଛି । ଯାହା ପାଖରେ ଲକ୍ଷଣ ଦେଖା ଦେବ, ତାଙ୍କ ରକ୍ତ ପରୀକ୍ଷା କରାଯିବ। ୧୯୭ ଛାତ୍ରଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଦୁଇ ଦିନ ପରେ ଆସିବ ରିପୋର୍ଟ । ସ୍କୁଲରେ ହଷ୍ଟେଲ ନଥିବାରୁ, ମେସ୍ କରି ରହୁଥିଲେ ଛାତ୍ରଛାତ୍ରୀ । ସ୍କୁଲରୁ ପାଣି ଓ ମଧ୍ୟାହ୍ନ ଭୋଜନର ନମୁନା ବି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଯେଉଁଥି ପାଇଁ ଏ ଯାଏଁ ଜଣ୍ଡିସର ଉତ୍ସକୁ ଚିହ୍ନଟ କରାଯାଇ ପାରି ନାହିଁ । ଅସ୍ବାସ୍ଥ୍ୟକର ପରିବେଶ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲର ଓ୍ବାସରୁମରେ ପଡ଼ି ରହିଛି ଅଳିଆ ଆବର୍ଜନା । ପୁଣି ପରିସ୍ରାଗାର ଭିତରେ ଗୁଟଖା ଜରି ଓ କଦଳୀ ଚୋପା ଜମାଟ ବାନ୍ଧିଛି । ଦୀର୍ଘ ଦିନ ହେବ ଶୌଚାଳୟର କବାଟ ଭାଙ୍ଗି ଯାଇଛି। ବିଦ୍ୟାଳୟର ପାଣିକୁ ଦୂଷିତ ଆଶଙ୍କା କରି ଆରଡବ୍ଲୁଏସଏସ ବିଶୁଦ୍ଧ ପାଣି ଯୋଗାଉଛି ।

ରାଜ୍ୟର ବିଭିନ୍ନ ସ୍କୁଲ ଧୀରେ ଧୀରେ ଜଣ୍ଡିସ ଦ୍ବାରା କବଳିତ ହେଉଛି । ବିପଦରେ ପଡ଼ୁଛି କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ। ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ ହଜାଇ ଦେଇଛି । ସ୍କୁଲରେ ଜଣ୍ଡିସ ନିରାକରଣ ପାଇଁ ସବୁ ଜିଲ୍ଲାର ଡିଇଓଙ୍କୁ ସତର୍କ ରହିବାକୁ ପୁନଃ ନିର୍ଦ୍ଦେଶ ଦେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆବଶ୍ୟକ ପଡ଼ିଲେ, ସ୍ବାସ୍ଥ୍ୟ ବିଭାଗର ସହଯୋଗ ନିଆଯିବ। ଜଣ୍ଡିସର କାରଣ ଜାଣିବା ପରେ ସ୍କୁଲ ଗୁଡ଼ିକରେ ଆକ୍ବାଗାର୍ଡ ଲଗାଯିବ। ତୃଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଗତ ବର୍ଷ ହଇଜା ମହାମାରୀର ରୂପ ନେଇ ଅନେକ ମୂଲ୍ୟବାନ ଜୀବନ ଯାଇଥିଲା । କଣାସରୁ ଏହା ଯାଜପୁର, ଭଦ୍ରକ ପରି ଜିଲ୍ଲାରେ ଉଗ୍ର ରୂପ ଧାରଣ କରିଥିଲା । ଏବେ ଖୋର୍ଦ୍ଧାରୁ ଢେଙ୍କାନାଳ ଲମ୍ବିଲାଣି ଜଣ୍ଡିସ ରୋଗୀଙ୍କ ତାଲିକା । ସେଥିରେ ପୁଣି ସ୍କୁଲ ଆକ୍ରାନ୍ତ । ସରକାର ଠିକ୍ ସମୟରେ ଯତ୍ନବାନ ନ ହେଲେ, ସ୍କୁଲ ଗୁଡ଼ିକରେ ଜଣ୍ଡିସ ମହାମାରୀର ରୂପ ଧାରଣ କରିବାର ଯଥେଷ୍ଟ ଆଶଙ୍କା ରହିଛି ।

‘କୁକୁର କାମୁଡିଲେ ଏଣିକି ଜରିମାନା ଗଣିବେ ସରକାର ଓ ସ୍ଥାନୀୟ ପ୍ରଶାସନ’

ନନ୍ଦିଘୋଷ ବ୍ୟୁରୋ : ବୁଲା କୁକୁର କାମୁଡ଼ି ଓ ଦୁର୍ଘଟଣାରେ ଯାଉଛି ଜୀବନ। ଲୋକେ ହେଉଛନ୍ତି ଅକର୍ମଣ୍ଯ। ଏଣିକି କୁକୁର କାମୁଡ଼ି କୌଣସି  ପିଲା, ବୟସ୍କ ବ୍ଯକ୍ତିଙ୍କର ପ୍ରାଣହାନୀ କିମ୍ବା ଗୁରୁତର ଆହତ ହେଲେ ତଣ୍ଡ ଗଣିବେ ସରକାର। ଗତ ସପ୍ତାହରେ ୩ ଦିନ ଧରି କୁକୁର ନିୟନ୍ତ୍ରଣ ମାମଲାରେ ଶୁଣାଣି କରିବା ପରେ ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ  ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦିପ ମେହେଟ୍ଟା ଓ ଜଷ୍ଟିସ ଏନ. ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏଣିକି କୁକୁର କାମୁଡ଼ା ପାଇଁ ଦାୟୀ ରହିବେ ପ୍ରାଣୀ ପ୍ରେମୀ ଓ ସେମାନଙ୍କୁ ଖାଇବାକୁ ଦେଉଥିବା ସଂସ୍ଥା।  ଆନିମଲ ବାର୍ଥ କଣ୍ଟ୍ରୋଲ ଅଧିନିୟମ ୨୦୨୩ ପୂର୍ବରୁ ପ୍ରଚଳିତ ଅଛି। ଏହି ବ୍ଯବସ୍ଥା ଅନୁୟାଯୀ କୁକୁରମାନଙ୍କ ବନ୍ଧ୍ଯାକରଣ କରାଯିବ। ବୁଲୁ କୁକୁରମାନେ ହସ୍ପିଟାଲ, ସ୍କୁର ପରିସର, ଶିକ୍ଷାନୁଷ୍ଠାନ କ୍ଯାମ୍ପସ, ସରକାରୀ ଦପ୍ତର, ରେଳଷ୍ଟେସନ ଓ ବସ ଷ୍ଟାଣ୍ଡରେ ଦେଖାଦେଲେ ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ପ୍ରଶାସନ, ମହାନଗର ନିଗମ ଦାୟୀ ରହିବେ। ସର୍ବସାଧାରଣ ସ୍ଥାନରୁ କୁକୁରମାନଙ୍କୁ ଧରି ବନ୍ଧ୍ଯାକରଣ କରିବାକୁ ଗତବର୍ଷ ନଭେମ୍ବର ୭ ତାରିଖରେ ସୁପ୍ରିମକୋର୍ଟର ସବୁ ରାଜ୍ଯ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଅନ୍ତରୀଣ ଆଦେଶ  ଦେଇଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ଏ ପର୍ଯ୍ଯନ୍ତ କାହିଁକି କାର୍ଯ୍ଯାକାରୀ ହୋଇନି ସେ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପୀଠ। ଗତବର୍ଷ ସୁପ୍ରିମକୋର୍ଟ ରାୟ ଆସିବା ପରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ପ୍ରାଣୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର କରିବାକୁ ଏକାଧିକ ଆବେଦନ ଦାୟର ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ କହିଥିଲେ ଯେଉଁ ସ୍ଥାନରୁ ବୁଲା କୁକୁର ଧରାଯିବ ସେସବୁ କୁକୁରଙ୍କ ବନ୍ଧ୍ଯାକରଣ ପରେ ଆଉ ସେହି ସ୍ଥାନରେ ଛଡ଼ାଯିବ ନାହିଁ। କୁକୁର କାମୁଡ଼ାରେ କୌଣସି ବ୍ଯକ୍ତିଙ୍କ ମୃତ୍ଯୁ ହେଲେ ସମ୍ପୃକ୍ତ ରାଜ୍ଯ ସରକାର ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ। ଶୁଣାଣି ସମୟରେ ଆଜି କୋର୍ଟ ପ୍ରଶ୍ମ କରିଛନ୍ତି କୁକୁର କାମୁଡ଼ାରେ ଜଣେ ୯ ବର୍ଷର ପିଲାର ପ୍ରାଣହାନୀ ଘଟିଲା। ସେଥିପାଇଁ କିଏ ଦାୟୀ ? ଏପରିକି ଗତ ୫ ବର୍ଷ ଭିତରେ କୁକୁର କାମୁଡ଼ାରେ ମୃତ, ଆହତ ବ୍ଯକ୍ତିଙ୍କୁ ସମ୍ପୃକ୍ତ ରାଜ୍ଯ ସରକାରମାନେ କ୍ଷତିପୂରଣ ପ୍ରଦାନ କରିବେ। ଖାଲି ସେତିକି ନୁହଁ, କୁକୁର ପ୍ରେମୀ ବା ପ୍ରାଣୀ ପ୍ରେମୀମାନେ ଯଦି କୁକୁର ପ୍ରତି ଦୟା ମନୋଭାବ ରଖୁଛନ୍ତି ତାହେଲେ ସେମାନଙ୍କୁ ଖାଇବାକୁ ଦେବା ସହ ଆବଦ୍ଧ ଭିତରେ ରଖନ୍ତୁ। ଗତ ନଭେମ୍ବର ଅନ୍ତରୀଣ ଆଦେଶରେ କୋର୍ଟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ଯରେ କହିଥିଲେ ଜାତୀୟ ରାଜପଥରୁ ବୁଲା କୁକୁରଙ୍କୁ ହଟାଇବା ଦାୟିତ୍ବ ହେଉଛି ଏନଏଚଏଆଇର। କିନ୍ତୁ ଏ ପର୍ଯ୍ଯନ୍ତ ତାହା ପୂରା ମାତ୍ରାରେ କାର୍ଯ୍ଯକାରୀ ହୋଇନି। ବୁଲାକୁକୁର ସମସ୍ଯାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ କହିଛନ୍ତି ଏଣିକି ଆଦେଶ ଠିକ ଭାବେ ପାଳନ ନ କରାଗଲେ ସରକାର ଓ ପ୍ରଶାସନକୁ ଜରିମାନା ଗଣିବାକୁ ପଡ଼ିବ। ଆସନ୍ତା ୨୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ଯ କରିଛନ୍ତି।

ସରକାରଙ୍କ ଘୋଷଣା ଦୁର୍ଭାଗ୍ୟଜନକ : ମାନସ ରଞ୍ଜନ ମଙ୍ଗରାଜ

ଭୁବନେଶ୍ବର : ଚଳିତ ବର୍ଷ ଧାନ ସଂଗ୍ରହକୁ ନେଇ ଦହଗଞ୍ଜ ହେଉଛନ୍ତି ଚାଷୀ । ୧୫୦ କୁଇଣ୍ଟାଲ ଧାନ ସଂଗ୍ରହ ପରେ ସଂପୃକ୍ତ ଚାଷୀର ଅତିରିକ୍ତ ଧାନ କିଣା ଉପରେ ୮୦୦ ଟଙ୍କା ସବସିଡି ନ ଦେବାକୁ ସରକାରଙ୍କ ଘୋଷଣା ଦୁର୍ଭାଗ୍ୟଜନକ । ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଜ ଏକ୍ସ ପୋଷ୍ଟରେ ରାଜ୍ୟ ସରକାରଙ୍କ ଏପରି ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିଜେପି ସରକାରର ପ୍ରଥମ ବର୍ଷରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ଚାଷୀଙ୍କ ଠାରୁ କଟନି ଛଟନି ପରିମାଣ ବଢିଚାଲିଛି । ରାଜ୍ୟରେ ଧାନ କିଣାକୁ ନେଇ ଲାଗି ରହିଛି ଅଚଳାବସ୍ଥା ।

ପ୍ରଦୂଷଣ ଓ ଥଣ୍ଡା କାରଣରୁ ଆପଣ ବ୍ୟାୟାମ ବନ୍ଦ କରି ଦେଇଛନ୍ତି କି, ବଢ଼ିପାରେ ଫୁସଫୁସ୍ ଓ ହାର୍ଟ ସମସ୍ୟା

ଦେଶର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସମୟରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଛି । ଏହି କାରଣରୁ ଅନେକ ଲୋକ ଓ୍ବାକ୍ କରିବା ଓ ବାହାରେ ଏକ୍ସରସାଇଜ କରିବା ଛାଡ଼ି ଦେଇଛନ୍ତି । ତେବେ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିପାରେ । ନିୟମିତ ବ୍ୟାୟାମ କରୁଥିବା ଲୋକମାନେ ତାହାକୁ ଏବେ ଛାଡ଼ିଦେବା ଫଳରେ ଲଙ୍ଗସ୍‌ ଓ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ହେଲେ ଆବଶ୍ୟକତାରୁ ଅଧିକ ସତର୍କତା ଅନେକ ସମୟରେ ଫାଇଦା ବଦଳରେ କ୍ଷତି ପହଞ୍ଚାଇଥାଏ । ତେଣୁ ବିଶେଷଜ୍ଞଙ୍କ ମତରେ ଏହି ମୌସୁମୀରେ ଆପଣଙ୍କୁ ଏକ୍ସରସାଇଜ୍‌ ବିଲକୁଲ ଛାଡ଼ିବା ଅନୁଚିତ ।

ଦିଲ୍ଲୀର ଆପୋଲୋ ହସ୍ପିଟାଲର ଜଣେ କାର୍ଡିଓଲୋଜିଷ୍ଟଙ୍କ ମତରେ, ଥଣ୍ଡା ଓ ପ୍ରଦୂଷଣ କାରଣରୁ ଏକ୍ସରସାଇଜ ଛାଡ଼ିବା ଅନୁଚିତ । ଏକ୍ସରସାଇଜ ନ କରିବା ଫଳରେ ଫୁସଫୁସର କ୍ଷମତା କମିବା ସହ ପରର୍ବତ୍ତୀ ସମୟରେ ତାହା ହାର୍ଟ ବିମାରୀର କାରଣ ସାଜିପାରେ । ଫୁସଫୁସର କ୍ଷମତା ହ୍ରାସ ପାଇଲେ ଆଗାମୀ ଦିନରେ ତାହା ହାର୍ଟ ଆଟାକ ସମସ୍ୟାର କାରଣ ହୋଇପାରେ । ପ୍ରଦୂଷଣ ଭୟରେ ଓ ଥଣ୍ଡାରେ ବାହାରକୁ ନ ଯିବା ବିଲକୁଲ ଠିକ୍ । ମାତ୍ର ଲୋକମାନେ ଘରେ ରହି ବି ଏକ୍ସରସାଇଜ୍ କରୁନାହାନ୍ତି । ଏପରି ସ୍ଥିତିରେ ଲଙ୍ଗସ ଓ ହାର୍ଟ ସ୍ବାସ୍ଥ୍ୟ ପାଇଁ ଏକ୍ସରସାଇଜ କରିବା ଓ ଟେଷ୍ଟ କରିବା ଅତ୍ୟନ୍ତ ଜରୁରୀ । ସର୍ଦ୍ଦିରେ ଶାରୀରିକ କାର୍ଯ୍ୟ କମ୍ ହେବା ହାର୍ଟ ପାଇଁ ଠିକ୍ ନୁହେଁ । ଚଳିତ ମୌସୁମୀରେ ହାର୍ଟ ଆଟାକ ମାମଲା ଅଧିକ ଆସୁଛି । ଏକ୍ସରସାଇଜ ନଛାଡ଼ି ଘରେ ରହି ନିୟମିତ ୧୫ ମିନିଟ ସମୟ ଦେବାକୁ ଡାକ୍ତର କହିଛନ୍ତି ।