spot_img
Home Blog Page 1260

ଭୁବନେଶ୍ବରରେ ସୁନାଗହଣା ଲୁଟିନେଲେ ଦୁବୃର୍ତ୍ତ, ଭାଙ୍ଗିନେଲେ ସିସିଟିଭି

ଭୁବନେଶ୍ବର: ଝିଅ ବାହାଘର ପାଇଁ ରଖିଥିଲେ ସୁନା। ଦୁର୍ବୃତ୍ତ ବୁଲାଇଲେ କଳାକନା। ପାହାଳ ଥାନା ସିଟି ହୋମ ଡୁପ୍ଲେକ୍ସ D-13ରୁ ପୋଛି ନେଲେ ସୁନା, ହୀରା, ରୁପା ଓ ଟଙ୍କା। ମାଲିକଙ୍କ ଅଭିଯୋଗ ଅନୁସାରେ, ୪୦ ଲକ୍ଷ ଟଙ୍କାର ଜିନିଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି। ତେବେ ଡିଭିଆରରୁ ଭିଡିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ। କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ଅବସରରେ ଭାଷଣର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମ୍ବିଧାନର ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସର। ଆଜି ମଧ୍ୟ ସଂସଦରେ ହେବ ସବିଶେଷ ଆଲୋଚନା। ବିଭିନ୍ନ ଦଳର ସଦସ୍ୟଙ୍କ ଭାଷଣ ଉପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବିଧାନ ପ୍ରଣୟନର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ମଧ୍ୟ ଆଲୋଚନା ହେବ। ଆସନ୍ତା ୧୬ ଏବଂ ୧୭ ତାରିଖରେ ହେବ ଏହି ଆଲୋଚନା । ଗତକାଲି ଲୋକସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଥମ ଭାଷଣ ରଖିଥିଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ସମ୍ବିଧାନ ଦେଶର ସୁରକ୍ଷା କବଚ ଭାବେ ବିବେଚନା କରି ସରକାରଙ୍କୁ କଡ଼଼ା ସମାଲୋଚନା କରିଥିଲେ। ସରକାରୀ ଦଳ ଏହାକୁ ଭଂଗ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଅବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ସମାଲୋଚନା କରଥିଲେ। ୧୦ ବର୍ଷ ଧରି କେନ୍ଦ୍ରରେ ଥିବା ସରକାର ଜନତାଙ୍କ ଏହି କବଚକୁ ଭାଙ୍ଗିବାକୁ ଚାହୁଛନ୍ତି। ସମ୍ବିଧାନ ଜନତାଙ୍କ ସୁରକ୍ଷା କବଚ। ନ୍ୟାୟ, ଏକତା ଏବଂ ମତବ୍ୟକ୍ତର ଏହା କବଚ ବୋଲି କହିଥିଲେ ପ୍ରିୟଙ୍କା। ଏହି ସମ୍ବିଧାନ ଆମକୁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସୁରକ୍ଷା ପ୍ରଦାନ କରିଆସୁଛି। ଏହି ଅବସରରେ ୨୦୦୧ ମସିହାରେ ଘଟିଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇ ଦିବଙ୍ଗତ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଯିବେ ୧୦୧ ଚାଷୀ ,ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦାବି

ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଅଭିଯାନ। ଏମଏସପି ଗ୍ୟାରେଣ୍ଟି ଦାବି ନେଇ ଆଜି ଦିଲ୍ଲୀ ଚଲୋ ଅଭିଯାନ ଦେଇଛନ୍ତି କୃଷକ ସଂଗଠନ। ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ପୂର୍ବରୁ ଦିଲ୍ଲୀ ଚଲୋ ଅଭିଯାନ ନାରା ଦେଇଥିବା ଚାଷୀ ସୀମାନ୍ତ ସମ୍ଭୁ ବର୍ଡରେ ଅଟକି ଅଛନ୍ତି। ଆଜିଠାରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା କୃଷକ ସଂଗଠନ। ଚାଷୀଙ୍କ ଆନ୍ଦୋଳନ ଡାକରା ଦେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ। ଶମ୍ଭୁ ବର୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଚାଷୀଙ୍କ ଆନ୍ଦୋଳନ ସମୟରେ ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।

ଉପର ବାରାକାମୁଡ଼ାରେ ୩ ଡିଗ୍ରୀ, ଅସମ୍ଭାଳ ଜାଡରେ ଥରୁଛି ମୟୂରଭଞ୍ଜ

ମୟୂରଭଞ୍ଜ: ମୟୂରଭଞ୍ଜରେ ଅସମ୍ଭାଳ ଜାଡ । ଆଜି ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ରହିଛି । ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମିଳିଛି । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ କାଠ ଜାଳି ନିଆଁ ପୁଉଁଛନ୍ତି। ଥଣ୍ଡାର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଶିମିଳିପାଳର ବିଭିନ୍ୟ ସ୍ଥାନରେ ଆଜିର ତାପମାତ୍ରା ହ୍ରାସ ପାଇଛି। ଉପର ବାରାକାମୁଡ଼ାରେ ତିନି ଡିଗ୍ରୀ, ନଅଣାରେ ପାଞ୍ଚ, ଚହଲାରେ ୪, ଗୁରିଗୁଡ଼ିଆରେ ୬, ବରେହିପାଣି ୬ ଏବଂ ରlମତିର୍ଥ ଠାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି l କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ରହିଛି ରାଜ୍ୟର ଅନେକ ସହର । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚଞ୍ଚଳଗୁଡା ଜେଲରୁ ବାହାରିଲେ ପୁଷ୍ପା ରାଜ୍ ଅଲ୍ଲୁ ଅର୍ଜୁନ୍

ହାଇଦ୍ରାବାଦ : ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ । ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ନାମପଲ୍ଲୀ କୋର୍ଟର ୧୪ ଦିନିଆ ରିମାଣ୍ଡ ଆଦେଶ ପରେ ଚଞ୍ଚଲଗୁଡା ଜେଲରେ ଥିବା ଅଭିନେତା ଅଲୁ ଅର୍ଜୁନଙ୍କୁ ଆଜି ସକାଳେ ମୁକ୍ତ କରାଯାଇଛି । ଗତକାଲି ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ୍ ସତ୍ତ୍ବେ ଜେଲରେ ରାତି କାଟିଛନ୍ତି ଅଲ୍ଲୁ ଅର୍ଜୁନ । ଏ ନେଇ ସକାଳେ ଜେଲ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତାଙ୍କୁ ଜାମିନରେ ବାହାର କରିବା ପାଇଁ ଅଲ୍ଲୁ ଅର୍ଜୁନଙ୍କ ଲିଗାଲ୍ ଟିମ୍ ୫୦ହଜାର ଟଙ୍କାର ଏକ ବେଲ ପେପର ଚଞ୍ଚଲଗୁଡା ଥାନାରେ ଦାଖଲ କରିଥିଲେ । ବିଳମ୍ବିତ ରାତିରେ ଏହି ବେଲ୍ ପେପର ହାଇକୋର୍ଟରୁ ଆସିଥିଲା ଫଳରେ ପୁଷ୍ପା ରାଜ୍ ଅଲ୍ଲୁଙ୍କୁ ରାତି ଜେଲରେ କାଟିବାକୁ ପଡିଥିଲା  ।

ଗତକାଲି୍ ଅଲ୍ଲୁ ଅର୍ଜୁନଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରିବା ପରେ ଜେଲ୍ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିକୁ ଦେଖି ଜେଲ୍ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଗତ ୪ ତାରିଖରେ ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ମାମଲାର ଶୁଣାଣି କରି ୧୪ ଦିନିଆ ବିଚାରବିଭାଗୀୟ ଜେଲକୁ ପଠାଇଥିଲେ ନାମପଲ୍ଲୀ କୋର୍ଟ। ଅଲ୍ଲୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ମଧ୍ୟ ଖାରଜ କରିଥିଲେ । ଏହାପରେ ଜରୁରୀକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିବାକୁ ଅଲୁ ଅର୍ଜୁନଙ୍କ ପକ୍ଷରୁ ତାଙ୍କ ଓକିଲ ତେଲଙ୍ଗାନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ବେଙ୍ଗାଲୁରୁ ସଫଟୱେର ଆତ୍ମହତ୍ୟା ଘଟଣାରେ ସ୍ତ୍ରୀ, ଶାଶୁ, ଶଳାକୁ ପୋଲିସର ନୋଟିସ୍

0

ବେଙ୍ଗାଲୁରୁ: ସ୍ତ୍ରୀ ନିର୍ଯାତନା ସହିନପାରି ବେଙ୍ଗାଲୁରୁର ସଫଟୱେର ଆତ୍ମହତ୍ୟା କରିବା ଘଟଣାରେ ସ୍ତ୍ରୀକୁ ପୋଲିସର ନୋଟିସ । ବୟାନ ରେକର୍ଡ ପାଇଁ ଡାକିଛି ବେଙ୍ଗାଲୁରୁ ପୋଲିସ। ତିନି ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପତ୍ନୀ ନିକିତା ସିଙ୍ଘାନିଆ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା କହିଥିଲେ ଅତୁଲ ସୁଭାଷ। ୨୪ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ବି ଲେଖିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତାର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ତାର ଏକ ଉଦାହରଣ। ସ୍ଵାମୀଙ୍କ ବିରୋଧରେ ମିଛ କେସ୍ କରି କୋଟି କୋଟି ଟଙ୍କା ଅସୁଲ କରୁଥିଲେ ନିକିତା। ତାଙ୍କ ସହିତ ମାଆ ଓ ଭାଇଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ବେଙ୍ଗଳୁରୁ ପୋଲିସ । କିନ୍ତୁ  ଅତୁଲଙ୍କ ଆତ୍ମହତ୍ୟା ପରଠୁ ଏହି ଦିନି ଜଣ ଫେରାର ଥିବା ଜଣାପଡ଼଼ିଛି। କେଉଁଠି ବି ଦେଖିବାକୁ ମିଳୁନି। ନିକିତାଙ୍କ ଘର ଉତ୍ତର ପ୍ରଦେଶର ଜୋନପୁରରେ। ତାଙ୍କ ଘର ଆଗରେ ବେଙ୍ଗାଲୁରୁ ପୋଲିସ ନୋଟିସ୍ ମାରିଛି ।

 

ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣା, ସଚିବଙ୍କ ଡ୍ରାଇଭରଙ୍କୁ ସିବିଆଇର ସମନ

ଭୁବନେଶ୍ଵର : ଭୁବନେଶ୍ଵରରେ ଦାମୀ କାରରୁ ୧୦ ଲକ୍ଷ ଜବତ ଘଟଣା  । ଟଙ୍କା କାରବାର ମାମଲାର ନୂଆ ମୋଡ଼  । ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ ।  ପ୍ରମୁଖ ସଚିବଙ୍କ ଡ୍ରାଇଭରଙ୍କୁ ମେଲ ମାଧ୍ୟମରେ ନୋଟିସ କଲା ସିବିଆଇ । ଏହି ନୋଟିସକୁ ନେଇ ପାୱାର କରିଡରରେ ହଇଚଇ  । ଭାଇରାଲ ହେଉଛି ସିବିଆଇ ମେଲ ସ୍କ୍ରିନସଟ  । କିଏ ସେ  ସଚିବ ତାକୁ  ନେଇ ଜୋରଦାର  ଚର୍ଚ୍ଚା  । ଟଙ୍କା କାରବାରରେ କିଛି ଲିଙ୍କ ଥିଲା କି ସଚିବଙ୍କ ଡ୍ରାଇଭରଙ୍କର ?

ନବୀନ ସରକାର ଆରମ୍ଭ କରିଥିବା ବସୁନ୍ଧରା ଯୋଜନାକୁ ରାଜସ୍ବ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : ଭୂମିହୀନଙ୍କୁ ମାଗଣା ଜମି ଦେବା ପାଇଁ ନବୀନ ସରକାର ଆରମ୍ଭ କରିଥିବା ବସୁନ୍ଧରା ଯୋଜନାକୁ ରାଜସ୍ବ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ହେଲେ ଏଥିରେ କିଛି ସମସ୍ୟା ହେଉଥିବାରୁ ଲ୍ୟାଣ୍ଡ ସେଟଲମେଣ୍ଟ ଆଇନ ୧୯୬୨ର ୧୯୮୩ ମସିହାରେ ହୋଇଥିବା ନିୟମକୁ ସଂଶୋଧନ କରିବାକୁ ରାଜସ୍ବ ବିଭାଗ ବିଜ୍ଞପ୍ତି ଜାରି କରିଛି। ୩୦ ଦିନ ମଧ୍ୟରେ ସମସ୍ତେ ଆପତ୍ତି ଅଭିଯୋଗ କରିପାରିବେ। ଭୂମିହୀନଙ୍କ ମିଳୁଥିବା ମାଗଣା ବାସୋପଯୋଗୀ ୪ ଡିସିମିଲର ଜମି ୧୦ ବର୍ଷ ପର୍ଯ୍ୟନ୍ତ ବିକ୍ରି ପାଇଁ ବାରଣ ରହିଛି । ହେଲେ ହିତାଧିକାରୀମାନେ ୧୦ ବର୍ଷ ପରେ ଏହାକୁ ବିକ୍ରି କରିଦେଇ ପୁଣି ଥରେ ଭୂମିହୀନ ହୋଇଯାଉଛନ୍ତି । ପ୍ରସ୍ତାବିତ ସଂଶୋଧନରେ ହିତାଧିକାରୀମାନେ ସରକାର ଦେଇଥିବା ମାଗଣା ଜମି ଆଦୌ ବିକ୍ରି ନ କରିପାରିବାର ବ୍ୟବସ୍ଥା ଥିବା ବେଳେ ଏହା କେବଳ ଉତ୍ତରାଧିକାରୀ ସୁତ୍ରରେ ସ୍ଥାନାନ୍ତର ହୋଇପାରିବ। ଏହା ସହ ଯେଉଁମାନେ ଉତ୍ତରାଧିକାରୀ ସୂତ୍ରରେ ୪ ଡିସିମିଲରୁ କମ୍ ଜମି ପାଇଛନ୍ତି, ସେମୋନେ ଭୂମିହୀନ ତାଲିକାରେ ଆସୁନଥିବାରୁ ବସୁନ୍ଧରା ଯୋଜନାର ସୁଫଳ ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ପ୍ରସ୍ତାବିତ ସଂଶୋଧନରେ ଉତ୍ତରାଧିକାରୀ ସୂତ୍ରରେ ୪ ଡିସିମିଲରୁ କମ୍ ଜାଗା ପାଇଥିବା ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯିବ ଏବଂ ଏମାନେ ନିଜ ଜାଗା ସରକାରଙ୍କୁ ଦେଲେ, ସରକାର ଅନ୍ୟ ଜାଗାରେ ସେମାନଙ୍କୁ ବି ୪ ଡିସିମିଲ ଜମି ଯୋଗାଇବାର ବ୍ୟବସ୍ଥା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

‘ରାଜ୍ୟରେ ଆଳୁ ସଙ୍କଟକୁ ବଢ଼ାଇ ଚାଲିଛନ୍ତି ସରକାର’

ଭୁବନେଶ୍ବର : ସ୍ଵପ୍ନ ହେଲାଣି ସୁଲଭ ମୂଲ୍ୟରେ ଆଳୁ ପାଇବା । ୧୮ ଦିନ ହେଲାଣି ରାଜ୍ୟରେ କେବଳ ଗପରେ ମିଳୁଛି ୩୦ ଟଙ୍କାରେ ଆଳୁ । ଆଜି ବି ଆଳୁ ଦର ୪୦ ରୁ ୫୦ ଟଙ୍କା। ସେହି ଢଙ୍ଗରେ ଆଳୁ ଉତ୍ପାଦନରେ ରାଜ୍ୟକୁ ସ୍ୱୟଂସମ୍ପୁର୍ଣ୍ଣ କରିବାକୁ ସରକାର ବ୍ୟାପକ ଆଳୁ ବିହନ ଦେଇଥିବା ପ୍ରଚାର କରୁଛନ୍ତି। ସତ କଥା ହେଲା ସବୁ ଚାଷୀଙ୍କୁ ବିହନ ମିଳିନାହିଁ । ଏକଥା ଖୋଦ ଚାଷୀ ଓ କୃଷକ ସଙ୍ଗଠନ କହିଛନ୍ତି। ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଓଡିଶା ନିର୍ଭରଶୀଳ ରହିଥାଏ। ହେଲେ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରୁନାହାନ୍ତି। ରାଜ୍ୟରେ ଆଳୁର ଅଭାବ ମେଣ୍ଟାଇବା ପାଇଁ ୬୦ ପ୍ରତିଶତ ଆଳୁ ପଶ୍ଚିମବଙ୍ଗରୁ ଚୋରାରେ ଆସୁଛି। ଯାହାର ଆର୍ଥିକ ବୋଝ ସାଧାରଣ ଲୋକେ ଭୋଗୁଛନ୍ତି। ଜନତାଙ୍କ ଦୁଃଖ ବୁଝିବାରେ ବିଫଳ ହୋଇଛନ୍ତି କୁହାଳିଆ ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛି ବ୍ୟବସାୟୀ ମହାସଂଘ। ସରକାର ଚୁପ ରହିବା ଯୋଗୁଁ ଲୋକଙ୍କ ଭରସା ତୁଟିଲାଣି ।

ଆଳୁ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଚାଷୀଙ୍କୁ ବିହନ ଯୋଗାଣ କଥା କହୁଛନ୍ତି । ଚଳିତ ରବି ଋତୁ ପାଇଁ ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ପଦକ୍ଷେପ ନିଆଯାଇଛି । ୬୪.୧୭ କୋଟି ବ୍ୟୟବରାଦ କରିଥିବା ବିଜ୍ଞାପନ ଦେଇଛନ୍ତି ସରକାର। ଆଳୁ ବିହନ ଯୋଗାଣରେ ସରକାରଙ୍କ ପ୍ରଚାର ଓ ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୃଷକ ଓ ଚାଷୀ ନେତା। ସରକାରଙ୍କ ଆଳୁ ବିହନ ଯୋଗାଣ କାଗଜକଲମରେ ରହିଯାଇଥିବା କହିଛି କୃଷକ ମଜଦୂର ମହାସଂଘ। ପ୍ରସଙ୍ଗକୁ ଦିଲ୍ଲୀ ସ୍ତରରେ ଉଠାଇବାକୁ ଡିସେମ୍ଵର ୧୪ରେ ଦିଲ୍ଲୀ ଯିବ କୃଷକ ନେତାଙ୍କ ଏକ ଟିମ୍ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଚଣ୍ଡିଗଡ଼ରେ ହେବାକୁ ଥିବା ଜାତୀୟ ସ୍ତରୀୟ ଚାଷୀ ନେତୃତ୍ୱଙ୍କ ସହ ଆଳୁ ସମସ୍ୟା ସମ୍ପର୍କରେ ଆଲୋଚନା ହେବ। ଓଡ଼ିଶାରେ ବର୍ଷକୁ ୧୪ ଲକ୍ଷ ୩୦ ହଜାର ଟନ ଆଳୁ ଆବଶ୍ୟକ। ସରକାରଙ୍କ ବିହନରେ ଆଳୁ ଉତ୍ପାଦନ ସମୁଦ୍ରକୁ ଶଂଖେ। ପଶ୍ଚିମବଙ୍ଗ ସହ କଥାହୋଇ ଆଳୁ ସମସ୍ୟା ଦୂର ନକଲେ ରାଜ୍ୟରେ ଆଳୁ ଅଭାବ ପୂରଣ କରିବାରେ ଅସମର୍ଥ ହେବେ ସରକାର

ଦଳୀୟ ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର : ପୂର୍ବ ପରି ଲୋକଙ୍କ ସହ ଯୋଡ଼ି ରୁହ । ଲୋକଙ୍କ ସେବା କର । ନବୀନ ନିବାସରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ଏହି ନିର୍ଦ୍ଦେଶ । ଏହାସହ ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନକୁ ତ୍ଵରାନ୍ବିତ କରିବାକୁ ବିଜେଡି ସୁପ୍ରିମୋ ଦେଇଛନ୍ତି ନିର୍ଦ୍ଦେଶ । ୨୦ ତାରିଖ ଭିତରେ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ଦାଖଲ ପାଇଁ ଏଥିପାଇଁ  ଦିଆଯାଇଛି ଡେଡଲାଇନ୍। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଅଧିକରୁ ଅଧିକ ଲୋକଙ୍କୁ  ଦଳ ସହ ଯୋଡିବା ପାଇଁ ନେତାଙ୍କୁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଛନ୍ତି ନବୀନ। ତୃଣମୂଳ ସ୍ତରରେ ସୁସଂଗଠିତ ହୋଇ ଦଳ କେମିତି ଆଗକୁ ବଢିବ ତାକୁ ନେଇ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଏବେବି ନବୀନ ବାବୁଙ୍କ ସହ ଲୋକଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ତେଣୁ ସଦସ୍ୟତା ଅଭିଯାନ ପାଇଁ ଅସୁବିଧା ହେଉନି ବୋଲି କହିଛନ୍ତି ବାଲେଶ୍ବର ପୂର୍ବତନ ବିଧାୟକ ସ୍ବରୂପ ଦାସ। ଆଜିର ବୈଠକରେ ପାଖାପାଖି ୪୦ରୁ ଅଧିକ ନେତା ନବୀନ ନିବାସରେ ଉପସ୍ଥିତ ଥିଲେ।