ମକର ସଂକ୍ରାନ୍ତି ଉପଲକ୍ଷେ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର 4ଟାରେ ପହଡ ଖୋଲାଯାଇ 108 ଗରା ଜଳରେ ବାବା ଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ କରାଯିବା ପରେ ଖେଚୁଡି ଭୋଗ ଲାଗି କରାଯାଇଥିଲା। ବାବାଙ୍କୁ ବିଭିନ୍ନ ଫୁଲରେ ସଜ୍ଜିତ କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିଛି। । ମଧ୍ୟାହ୍ନରେ ଧବଳେଶ୍ଵରଙ୍କ ନିକଟରେ ମକର ଚାଉଳ ଲାଗି କରାଯିବ। ସୁରକ୍ଷା ଦୃଷ୍ଟିରୁ ୧ପ୍ଲାଟୁନ ପୋଲିସ ଫୋର୍ସ ସହ ଡିଏସପି , ଗୁରୁଡିଝାଟିଆ ଆଇଆଇସି ଉପସ୍ଥିତ ରହି ଭିଡକୁ ନିୟନ୍ତ୍ରଣ କରିଛନ୍ତି।
ମକର ସଂକ୍ରାନ୍ତିକୁ ନେଇ ବ୍ରହ୍ମପୁର ଉତ୍ସବମୁଖର
ମକର ସଂକ୍ରାନ୍ତି ପର୍ବ ତେଲୁଗୁ ସଂପ୍ରଦାୟର ଲୋକଙ୍କ ସବୁଠୁ ବଡ଼ ପର୍ବ। ଚାରିଦିନ ଧରି ଉତ୍ସବ ବେଶ୍ ଧୁମ୍ ଧାମରେ ପାଳନ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଗତକାଲି ମଧ୍ୟରାତ୍ରରୁ ଭୋଗି ଉତ୍ସବ ପାଳନ ହୋଇଯାଇଛି। ଏହାକୁ ନେଇ ରେଶମ ସହର ବ୍ରହ୍ମପୁର ବେଶ ଉତ୍ସବମୁଖର । ଭୋଗି ଜାଳି ନାଚ ଗୀତରେ ବେଶ ମସଗୁଲ ହୋଇଛନ୍ତି ତେଲୁଗୁ ସଂପ୍ରଦାୟର ଲୋକେ । ମକର ସଂକ୍ରାନ୍ତିକୁ ତେଲୁଗୁ ନୂଆବର୍ଷ ଭାବେ ପାଳନ କରାଯାଉଥିବାରୁ ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଏହି ଭୋଗୀ ପର୍ବ ପାଳନଙ୍କୁ ନେଇ ବେଶ ଉତ୍ସାହିତ ସମସ୍ତେ ।
ମକର ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ
ମକର ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀଙ୍କ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି | ସକାଳୁ ସେବାୟତ ମାନେ ମାଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ବଡ ସିଂହାର ବେଶ, ମଙ୍ଗଳ ଆଳତୀ ସମେତ ଯଥା ରିତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି। ମାଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ମକର ସଂକ୍ରାନ୍ତିରେ ମକର ବୁଡ ଦେଇ ମାଙ୍କର ସୁନାବେଶ ଦେଖିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି | ଏହା ସହିତ ମକର ସଂକ୍ରାନ୍ତିରେ ମାଙ୍କ ନିକଟରେ ମକର ଚାଉଳ ଭୋଗ ଲାଗିଥାଏ । ଏହି ମକର ଭୋଗ ପାଇଲେ ଭାଗ୍ୟବାନ ହୋଇଥାଏ ବୋଲି ବିସ୍ବାସ ରହିଛି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ: ଦର୍ଶନ ପ୍ରାୟ ଏକଘଣ୍ଟା ବନ୍ଦ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ। ଦର୍ଶନ ପ୍ରାୟ ଏକଘଣ୍ଟା ବନ୍ଦ। ଜୟ ବିଜୟ ଦ୍ଵାର ପାଖରେ ରକ୍ତ ପଡ଼ିଥିବାରୁ ବଡ ମହାସ୍ନାନ ଅନୁଷ୍ଠିତ ହେଉଛି। ଅବକାଶ ପୂଜା ପରେ ବଡ ମହାସ୍ନାନ କରାଯାଉଛି। ବଡମହାସ୍ନାନ ନୀତି ଏବେ ଆରମ୍ଭ ହୋଇଛି। ଏକ ଘଣ୍ଟା ପରେ ସ୍ୱାଭାବିକ୍ ହେବ ସର୍ବସାଧାରଣ ଦର୍ଶନ
ଦେଶୀ ମଦଭାଟି ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ରେଡ
ଦେଶୀ ମଦଭାଟି ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ରେଡ। ବାଲେଶ୍ଵର ଟାଉନ ଥାନା ଅନ୍ତର୍ଗତ ପୁରୁଣା ବାଲେଶ୍ବର ଅଞ୍ଚଳରେ ସ୍ଥାନୀୟ ଅଞ୍ଚଳରେ ବହୁଳ ଭାବରେ ଦେଶୀ ମଦ ବ୍ୟବସାୟ ଜାରି ରହିଥିବା ବେଳେ ଗତକାଲି ରାତିରୁ ଚଢାଉ ଜାରି ରହିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବାବେଳେ ଟାଉନ ଥାନା ପୋଲିସ ଓ ଅବକାରୀ ବିଭାଗର ଟିମ୍ ଉପସ୍ଥିତ ରହିଛି। ମାମଲାରେ ୧୫ ଜଣ ଲୋକଙ୍କୁ ଅଟକ ରଖାଯାଇଛି। ମଦ ରାନ୍ଧିବା ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ବହୁ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ।
ଆଜି ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ମକର ଚଉରାସୀ ବେଶ ଅନୁଷ୍ଠିତ ହେବ
ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ମକର ଚଉରାସୀ ବେଶ ଅନୁଷ୍ଠିତ ହେବ। ଏକମାସ ବାପ ଘରେ ବିତାଇ ଶ୍ରୀମନ୍ଦିରକୁ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତ୍ୟାବର୍ତନ ନେଇ ଆଜି ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼। ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି ହେବ। ସ୍ୱତନ୍ତ୍ର ମକର ତାଡ଼ରେ ହିଁ ମକର ଚାଉଳ ଭୋଗ କରାଯିବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢିଲା ପରେ କୁମ୍ଭାର ବିଶୋୟୀ ସେବକମାନେ ବାଘମୁହାଁ ବାନ୍ଧି ମା’ ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ଘଣ୍ଟ ଛତା କାହାଳି ସହିତ ୫ଟି ମକର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ମକର ତାଡ଼ ଶ୍ରୀମନ୍ଦିର ଭିତର ବେଢାରେ ଗୋଟିଏ ଥର ବୁଲାଇ ଅଚିନ୍ତା ପହଣ୍ଡି ରୋଷ ବେହେରଣ ଠାରେ ରଖାଯାଇଛି।
ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ
ପବିତ୍ର ମକର ସଂକ୍ରାନ୍ତି ପାଇଁ କଟକର ବିଭିନ୍ନ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ତେବେ କଟକରେ ରହୁଥିବା ୩୦ ହଜାର ତେଲଗୁ ସଂପ୍ରଦାୟର ଲୋକମାନେ ଆଜି ଭୋଗି ଉତ୍ସବ ପାଳନ କରୁଛନ୍ତି। ଅଗ୍ନୀ ଜାଳି ସେଥିରେ ପାତ୍ରରେ ପାଣି ଗରମ କରି ସେଥିରେ ସ୍ନାନ କଲେ ଶରୀର ସୁସ୍ଥ ରହେ ବୋଲି ବିଶ୍ଵାସ ରହିଛି। ଏଥି ସହିତ ଆସନ୍ତାକାଲି ତେଲଗୁ ଲୋକମାନେ ପବିତ୍ର ପୋଙ୍ଗଲ ପାଳନ ପାଇଁ ମନ୍ଦିର କୁ ସାଜ୍ଜସଜା କରି ପୂଜାପାଠ ଓ ଆଳତି ଅର୍ପଣ କରୁଛନ୍ତି।
ଅଭାବନୀୟ ଘଟଣା, ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର
ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା। ଚୁଲି ନିଆଁରେ ପଡି ଦୁଇ ମାସର ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି। ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ଅସାବଧାନତା ଯୋଗୁଁ ମାଆ ହାତରୁ ଶିଶୁଟି ଚୁଲିରେ ପଡି ଯାଇଥିଲା । ତେବେ ତୁରନ୍ତ ଚୁଲି ଭିତରୁ ଶିଶୁକୁ ପରିବାର ଲୋକେ ଉଦ୍ଧାର କରିଥିବା ବେଳେ ଅଧିକାଂଶ ଅଂଶ ପୋଡି ଯାଇଥିବା ଜଣାପଡିଛି । ଗୁରୁତର ଶିଶୁକୁ ପ୍ରଥମେ ବସ୍ତା ମେଡିକାଲ ଓ ପରେ ଅଧିକ ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲକୁ ପଠାଯାଇଛି ।

