ନନ୍ଦିଘୋଷ ବ୍ୟୁରୋ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଶାଗ ମାଛ ଦରରେ ପିଆଜ ବସ୍ତା ବିକ୍ରି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଶମ୍ଭୁପୁର ଆମ୍ବତୋଟା ପଡିଆରେ । ନାସିକରୁ ଆସିଥିବା ଏକ ପିଆଜ ଟ୍ରକ ପଚି ନଷ୍ଟ ହୋଇଯିବାରୁ ସେଗୁଡିକୁ ଏହି ଠାରେ ଖାଲି କରାଯାଇଥିଲା । ପିଆଜ ଗୁଡିକୁ କମ ଦାମରେ ବିକ୍ରି କରାଯାଇଥିଲା । ପଚାଶଢ଼ା ପିଆଜକୁ ବସ୍ତା ପ୍ରତି ୨ଶହ ଟଙ୍କା, ଟିକେ ଭଲଥିବା ପିଆଜ ବସ୍ତା ୩ଶହ ଏବଂ ଅତି ଭଲଥିବା ପିଆଜ ବସ୍ତା ୫ଶହ ଟଙ୍କାରେ ବିକ୍ରି କରାଯାଇଥିଲା । ପିଆଜ କିଣିବାକୁ ଲୋକଙ୍କ ଭିଡ ଜମିଥିଲା ।
କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ ?
ନନ୍ଦିଘୋଷ ବ୍ୟୁରୋ: କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ । ଯାନ୍ତ୍ରୀକ ତୃଟି ନାଁ ମନୁଷ୍ୟକୃତ ଭୁଲ। କାହାର ଅବହେଳାରୁ ଚାଲିଗଲା ୧୩ ଜଣଙ୍କ ଜୀବନ। ବିଭିନ୍ନ ଦିଗକୁ ନେଇ ନୌସେନା ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଘଟିଥିଲା ଏହି ବଡ଼ ଅଘଟଣ। ବୋଟ ବୁଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ ଥିବା ବେଳେ, ୧୦ ଜଣ ସାଧାରଣ ନାଗରିକ ଅଛନ୍ତି। ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୋଟକୁ ଧକ୍କା ଦେଇଥିଲା ଅନ୍ୟ ଏକ ସ୍ପିଡ୍ ବୋଟ୍। ବୋଟଟି ବୁଡିଯିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।
ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେଲିବ୍ରେଟିଙ୍କୁ ମୋହରା ବନାଇଛନ୍ତି ପାକିସ୍ତାନୀ ବେଟିଂ ଆପ୍ ମାଲିକ । ଟଙ୍କା ଦେଖଇ ଭାରତରେ ଚାଲିଛି ପାକିସ୍ତାନି ଆପ୍ ମାଲିକଙ୍କ ରାଜୁତି । ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଛି ଜୋରଦାର ପ୍ରଚାର । ଭାରତରେ ଚାଲିଥିବା ଏହି ଠକାମି ର ଖୁଲାସା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡ଼ି) ଦ୍ବାରା କରାଯାଇଥିବା ତଦନ୍ତ ରୁ ଜଣାପଡ଼ିଛି । ସୂଚନା ଅନୁସାରେ ଭାରତରେ ଚାଲିଥିବା ମ୍ୟାଜିକ୍ବିନ୍ ବେଟିଂ ଆାପ୍ ଟି ଜଣେ ପାକିସ୍ତାନୀ ନାଗରିକଙ୍କର ଅଟେ । ଭାରତରେ ନିଜ ଆାପ ର ପ୍ରମୋସନ ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି ଅନେକ ଭାରତୀୟ ଅଭିନେତ୍ରୀ । ମ୍ୟାଜିକ୍ୱିନ୍ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଥର ପାଇଁ ପାକିସ୍ତାନୀ ଲିଙ୍କ ଆବିଷ୍କାର କରିଛି।
ସୂତ୍ରରୁ ପ୍ରକାଶ ଯେ ଦୁବାଇ ଦେଇ ଭାରତରୁ ପାକିସ୍ତାନକୁ ଟଙ୍କା ପଠାଯାଇଥିଲା। ଉଭୟ ବଡ଼ ଏବଂ ଛୋଟ ପରଦାରୁ ଅଭିନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମ୍ୟାଜିକୱିନକୁ ପ୍ରୋତ୍ସାହିତ କରିଥିଲେ। ଏଥିରେ ସାମିଲ ଥିବା ସେଲିବ୍ରେଟି ମାନଙ୍କୁ ଇଡ଼ି ଡ଼ାକି ପଚରାଉଚରା କରୁଛି । ନିକଟରେ ଇଡି ଅଭିନେତା ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀଙ୍କୁ ପ୍ରଶ୍ନ କରିସାରିଛି। ଏହି ସପ୍ତାହ ଶେଷରେ ଅନ୍ୟ ଦୁଇଜଣ ସେଲିବ୍ରିଟିଙ୍କୁ ଇଡି ଡକାଇଥିବା ବେଳେ ଆସନ୍ତା ସପ୍ତାହରେ ଅତି କମରେ ସାତଜଣ ସେଲିବ୍ରିଟିଙ୍କୁ ଡକାଯିବର ସୂଚନା ମିଳିଛି ।
ଗତ ୬ ମାସ ମଧ୍ୟରେ ଇଡି ଏହି ମାମଲାରେ ୬୭ ଟି ସ୍ଥାନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେରେ ମ୍ୟାଜିକୱିନ୍ ମାମଲା ସହ ଜଡିତ ଥିବା ୨୧ ଟି ସ୍ଥାନ ଉପରେ ଇଡି ଚଢ଼ାଉ କରି ପ୍ରାୟ ୩.୫୫ କୋଟି ଟଙ୍କା ଜବତ କରିଥିଲା। ତଦନ୍ତ ବେଳେ ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମ୍ୟାଜିକୱିନ୍ ହେଉଛି ଏକ ବେଟିଂ ୱେବସାଇଟ୍ ଯାହା ଏକ ଗେମ୍ ୱେବସାଇଟ୍ ଭାବରେ ଦର୍ଶାଯାଇଛି। ଏହା ଦୁବାଇରେ ରହୁଥିବା ଭାରତୀୟ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଛି।
କାରକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ଶାହଜହାଁପୁରରେ ମର୍ମନ୍ତୁଦ ଦୁର୍ଘଟଣା। କାରକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ୫ ଜଣ ଗୁରୁତର ହୋଇପଡିଛନ୍ତି। କାର ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ଘଟିଥିଲା ଏ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ଯୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଦୁଇ ମହିଳାଙ୍କ ସହ ଦୁଇ ଜଣ ଶିଶୁ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାରକ କରିଥିଲେ। କାର ଭିତରୁ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
କାହିଁକି ବନ୍ଦ ରହିଥିଲା ମାନସରୋବର ଯାତ୍ରା ?
ନନ୍ଦିଘୋଷ ବ୍ୟୁରୋ: ୨୦୧୯ ରୁ ବନ୍ଦ ହୋଇଥିବା ମାନସରୋବର ଯାତ୍ରା ପାଇଁ ଭାରତ ଏବଂ ଚୀନ୍ ଉଭୟ ଦେଶ ସହମତି ଦେଇଛନ୍ତି । ପାଞ୍ଚ ବର୍ଷ ପାରେ ବିଭିନ୍ନ ସମସ୍ୟାକୁ ନେଇ ଦୁଇ ଦେଶ ଭିତରେ ଏକ ବୖଠକ ହୋଇଥିଲା ଯେଉଁଥିରେ ୬ଟି ମୁଦ୍ଦାକୁ ନେଇ ଉଭୟ ଦେଶ ସହମତି ଦେଇଛନ୍ତି । ଡ଼ିସେମ୍ବର ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ଲଦାଖରେ ଚାରି ବର୍ଷର ବିବାଦ ପରେ ସମ୍ପର୍କର ପନରୁଦ୍ଧାରକୁ ଦୃଷ୍ଟି ରେ ରଖି ସୀମା ପ୍ରସଙ୍ଗରେ ଗଠିତ ଏହି ସମାସ୍ୟା କୁ ଶେଷ କରିବା ଲଗି ଏକ ଗୁରୁତ୍ବପୂର୍ଣ୍ଣ ମିଟିଙ୍ଗ ହୋଇଛି । ଭାରତ ଓ ଚିନ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମାରେ ଭାରତୀୟ ପରାମଶର୍ଦାତା ଅଜିତ ଡ଼ୋଭାଲ ଏବଂ ଚୀନ ପକ୍ଷରୁ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଉପସ୍ଥିତ ଥିଲେ । ସୀମା ନଦୀ ଏବଂ ଉଭୟ ଦେଶର ବାଣିଜ୍ୟରେ ଉନ୍ନତି ଆାଣିବା ପ୍ରସଙ୍ଗରେ ସହମତ ଦେଇଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ସ୍ୱତନ୍ତ୍ର ପ୍ରତିନିଧୀ ବର୍ଣ୍ଣନା କରିଛନ୍ତି।ଭାରତ ଏବଂ ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧୀମାନେ ସୀମା ବିବାଦ ଉପରେ ଆଲୋଚନା କରି କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ରାଜି ହୋଇଥିଲେ। ଏହି ବାର୍ତ୍ତାଳାପ ପରେ ଭାରତର ଭକ୍ତମାନେ ଏକ ବଡ଼ ଖବର ପାଇଛନ୍ତି। ଏହାପୂର୍ବରୁ ବ୍ରାଜିଲର ରିଓ ଡି ଜେନେରେୋରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ। ଯେଉଁଥିରେ ମାନସରୋବର ଯାତ୍ରା ଆରମ୍ଭ କରିବା ଏବଂ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ପାଞ୍ଚ ବର୍ଷ ଧରି ଏହି ମାନସରୋବର ଯାତ୍ରା ବନ୍ଦ ରହିଥିଲା ।
ମାନସରୋବର ଯାତ୍ରା କ’ଣ?
ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଥିବା ଲିପୁଲେଖ ପାସ୍ ଦେଇ କୌଳାଶ ମାନସରୋଭାର ଯାତ୍ରା ଆରମ୍ଭ । ଏହି ଯାତ୍ରା ଜୁନ୍ ମାସରେ ଆରମ୍ଭ ହୋଇଥିଲାବେଳେ ଏହାର ପ୍ରସ୍ତୁତି ଜାନୁଆରୀରୁ ଆରମ୍ଭ ହୋଇଥାଏ । କୌଳାଶ ମାନସରୋବର ଯାତ୍ରା ଏକ ପବିତ୍ର ତୀର୍ଥ ଯାହା ହିନ୍ଦୁ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୌଳାଶ ମାନସରୋବର ଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ କୌଳାଶ ପର୍ବତକୁ ବୁଲି ମାନସରୋଭର ହ୍ରଦରେ ଗାଧୋଇଥାନ୍ତି। ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ଏବଂ ତୀର୍ଥଯାତ୍ରୀମାନଙ୍କୁ ଏଥିପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ । ଏହି ଯାତ୍ରା ସାଧାରଣତ ୧୪ ରୁ ୨୧ ଦିନ ମଧ୍ୟରେ ସମାପ୍ତ ହୋଇଥାଏ ।
କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ର କ’ଣ ରହିଛି ସଂଯୋଗ
କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି । କୌଳାଶ ମାନସରୋବର ଯାତ୍ରା କରିବା ସମୟରେ ଚୀନ୍ର ଅନୁମତି ଆବଶ୍ୟକ କାରଣ ଏହି ଯାତ୍ରା ‘ତିବ୍ଦତରେ’ ଅବସ୍ଥିତ। ‘ତିବ୍ଦତ’ ଯାହା ବର୍ତ୍ତମାନ ଚାଇନାର ଏକ ସ୍ୱୟଂଶାସିତ ଅଞ୍ଚଳ ଅଟେ ତେଣୁ ସେଠାକୁ ଯିବାକୁ ହେଲେ ଚାଇନାର ଟୁରିଷ୍ଟ ଭିସା ନେବାକୁ ପଡିବ। ଚୀନ୍ ସରକାର ଏହି ଅଞ୍ଚଳରେ ଭ୍ରମଣ ପାଇଁ ନିୟମ ଏବଂ ସର୍ତ୍ତ ସ୍ଥିର କରିଛନ୍ତି, ଯାହା ପାଳନ କରିବା ବାଧ୍ୟତାମୂଳକ ଅଟେ।
ମାନସରୋବର ଯାତ୍ରା କାହିଁକି ବନ୍ଦ ହେଲା?
ଗାଲୱାନ୍ ହିଂସା ଏବଂ କରୋନା ମହାମାରୀ ଯୋଗୁଁ ଭାରତ ଏବଂ ଚୀନ୍ ଏବଂ କୌଳାଶ ମାନସରୋବର ତୀର୍ଥଯାତ୍ରା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଅତୀତରେ ଚାଇନା ପ୍ରାୟ ୫୦,୦୦୦ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୌଳାଶ ମାନସରୋବର ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେତୁ ଡ୍ରାଗନ୍ ଭାରତୀୟଙ୍କ ପାଇଁ ନୂତନ ଅନୁମତି ନଦେବାକୁ ସୂଚିତ କରିଥିଲେ। ଗତ ବର୍ଷ ଏପ୍ରିଲରେ ବେଜିଂ କୌଳାଶ ମାନସରୋବରର ପ୍ରବେଶ ଦ୍ୱାର ହିଲସା ବର୍ଡର ପଏଣ୍ଟ ଖୋଲିଥିଲା। ପର୍ୟ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ ମଧ୍ୟ ଭାରତୀୟମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାରୁ ନିରାଶ ହୋଇଥିଲେ।
ନେପାଳର ଲୋକଙ୍କ ପାଇଁ ବାଣିଜ୍ୟ ଏବଂ ଗତିବିଧି ପାଇଁ ଚୀନ୍ କିଛି ସୀମା ପଏଣ୍ଟ ଖୋଲିଥିଲା କିନ୍ତୁ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ପ୍ରତିବନ୍ଧକ ଲଗାଇଥିଲା। ଏହି ନିଷେଧାଦେଶ ହଜାର ହଜାର ଭାରତୀୟଙ୍କ ବହୁ ସମ୍ମାନିତ ତୀର୍ଥସ୍ଥାନ ପରିଦର୍ଶନ କରିବାକୁ ଆଶା ହରାଇଥିଲା। ମାତ୍ର ଚୀନ ତାକୁ ରୋକିଦେଇଥିଲା । ୨୦୨୦ ମସିହାରୁ, କୌଳାଶ ମାନସରୋବର ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଲା ଜ୍ଝ ଏହି ଯାତ୍ରା ଉପରେ ଚୀନ୍ ଅନେକ ପ୍ରତିବନ୍ଧକ ଲଗାଇଥିଲା, ଯେଉଁଥିପାଇଁ ଭାରତୀୟଙ୍କ ପାଇଁ ଏହି ଯାତ୍ରା କରିବା କଷ୍ଟକର ହୋଇପଡିଥିଲା। ଚାଇନା ଏପରିକି କୌଳାଶ ମାନସରୋବର ଯାତ୍ରା ପାଇଁ ଶୁଳ୍କ ବୃଦ୍ଧି କରିଦେଇଥିଲା।ଯାହାଫଳରେ ଭାରତୀୟଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଥିଲା ।
ଜାମୁ କାଶ୍ମୀରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ
ନନ୍ଦିଘୋଷ ବ୍ୟୁରୋ: ଜାମ୍ମମୁ କାଶ୍ମୀର କୁଲଗାମରେ ବଡ଼ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମ ଜିଲ୍ଲା ବେହିବାଗ ଥାନା ଅଂଚଳର କଦେର ଗାଁରେ ଏହି ଗୁଳିବିନିମୟ ଚାଲିଛି। ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି ଯବାନ। ଗୁଳିବିନିମୟରେ ୨ ଜବାନ ଆହତ ହୋଇଥିବା ଜଣାପଡିଛି।ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରସୋରରେ ସର୍ଚ୍ଚ ଅପରେସନ ଚାଲିଛି। ଅଧିକ ସଂଖ୍ୟକ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ। ବିଶେଷ ଗୁଇନ୍ଦା ସୂଚନା ପାଇଁ ସେନାର ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଆତଙ୍କୀ ନିପାତ ଅପରେସନ। କାଶ୍ମୀର ପୋଲିସ ସହ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କୀ ଥିବା ନେଇ ଗତିବିଧି ସ୍ପଷ୍ଟ ହେବାପରେ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କୀ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଥିଲେ।ତେବେ ସେନାର ଯବାନଙ୍କ ପାଲଟା ଗୁଳିମାଡ଼ରେ ୫ ଆତଙ୍କୀ ନିପାତ ହୋଇଛନ୍ତି। ଗତ କିଛି ଦିନ ଧରି ଆତଙ୍କୀ ଗତିବିଧି ପୁଣିଥରେ ଜାମୁ କାଶ୍ମୀରରେ ଆରମ୍ଭ ହୋଇଛି। ଏହାକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆଣ୍ଟି ଟେରର ଅପରେସନକୁ ଜୋରଦାର କରାଯାଇଛି।
ଭାରତ ସ୍କାଉଟ ଗାଇଡ କ୍ୟାମ୍ପୋରୀ କାର୍ଯ୍ୟକ୍ରମରେ ୩ ଛାତ୍ରୀ ଗୁରୁତର
ସଂଚାର ବ୍ୟୁରୋ: ଭାରତ ସ୍କାଉଟ ଗାଇଡ କ୍ୟାମ୍ପୋରୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଅସୁସ୍ଥ ହେଲେ ୩ ଛାତ୍ରୀ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ନୋଡ଼ାଲ ହାଇସ୍କୁଲ ଠାରେ ତିନିଦିନିଆ ୩୨ ତମ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ ଗାଇଡ କ୍ୟାମ୍ପୋରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ବିଭିନ୍ନ ବିଦ୍ୟାଳୟର ୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ୩ ଦିନିଆ କାର୍ଯ୍ୟକ୍ରମରେ ଆୟୋଜକ କିଭଳି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଉପସ୍ଥିତ ନରଖିଲେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ କେଉଁ କାରଣରୁ ଛାତ୍ରୀମାନେ ଅସୁସ୍ଥ ହେଲେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।
ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ
ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ କୋହଲା ପାଗ ସାଙ୍ଗକୁ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି ତାପମାତ୍ରା କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ୨୪ ଘଣ୍ଟାରେ ଗଂଜାମ ,ଗଜପତି, ରାୟଗଡା ଓ ପୁରୀର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । । ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପାଗ ମେଘୁଆ ଥିବାରୁ ଗୋଟେ କିମ୍ବା ୨ ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ। ଏହାସହ ଆସନ୍ତା ୨୪ ଘଂଟାରେ କନ୍ଧମାଳ, କଳାହାଣ୍ଡି ଓ ସୁନ୍ଦରଗଡରେ ଘନ କୁହୁଡିର ସମ୍ଭାବନା ଥିବାରୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।
ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ମଙ୍ଗଳବାର ଦିନ ଭିତର ରତ୍ନଭଣ୍ଡାରରେ ବନ୍ଧାଯାଇଥିଲା ଲୁହାଭାରା। ଏଏସଆଇର ୧୫ ରୁ ୨୦ ଜଣ କୁଶଳୀ ଶ୍ରମିକଙ୍କ ଦ୍ବାରା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଇ ପରିଷ୍କାର କରାଯିବ। ଦୈନିକ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି। ଛତିଶାନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଥିଲା ଭିତର ଭଣ୍ଡାର ମରାମତି କାର୍ଯ୍ୟ। ଏକ୍ସପର୍ଟ ଟିମ୍ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍,ଏଏସଆଇ ପୁରୀ ସର୍କଲ ଅଧିକାରୀ ମାନେ ମରାମତି କାର୍ଯ୍ୟର ଅନୁଧ୍ୟାନ କରିବେ।ମରାମତି କାର୍ଯ୍ୟରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ମରାମତି ବେଳେ ଫାଟ ସୃଷ୍ଟି ହୋଇଥିବା ପଥର ଓ ବିମ୍ କୁ ଅପସାରଣ କରାଯିବ। ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ମଧ୍ୟ ବିଛାଯିବ ବୋଲି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ କହିଛନ୍ତି। ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତକାଲି ଦିବା ପହୁଡ଼ ନୀତି ଲାଗି ମରାମତି କାର୍ଯ୍ୟ ବନ୍ଦ ରହିଥିଲା।
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା
ଭୁବେନଶ୍ବର : ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଞ୍ଜାମ ବିଜେଡି ନେତା । ବ୍ରହ୍ମପୁର ମହାନଗର ନିଗମର ୩୪ କର୍ପୋରେଟର, ମେୟର, ଡେପୁଟି ମେୟର, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସହ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ ମଧ୍ୟ ଉପସ୍ଥିତ ରହିଥିଲେ । ବିକାଶ କାମ କିଭଳି ଆଗକୁ ବଢିବ ଓ ସଭ୍ୟ ସଂଗ୍ରହ କାର୍ଯ୍ୟ କିଭଳି ସମନ୍ୱୟ ରଖି ଆଗକୁ ଯିବ ସେ ନେଇ ଆଲୋଚନା ହୋଇଥିଲା । କୌଣସି ନେତା ନେତା ମଧ୍ୟରେ ମତଭେଦ ନାହିଁ। ସମସ୍ତେ ଏକ ହୋଇ କାମ କରିବେ ବୋଲି କହିଛନ୍ତି ବିକ୍ରମ ପଣ୍ଡା। ନବୀନ ବାବୁଙ୍କ କଥା ଆସିଲେ ସମସ୍ତେ ଏକାଠି ବୋଲି କହିଲେ ବିକ୍ରମ ପଣ୍ଡା। ସଭ୍ୟ ସଂଗ୍ରହ ବୃଦ୍ଧି କରାଯିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କହିଲେ ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର।

