ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ଲାଗି ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ସଂଧ୍ୟା ୬ଟାରେ ବସିବ ଏହି ବୈଠକ । ସାଂସଦଙ୍କୁ ନବୀନ ଦେବେ ଗୁରୁମନ୍ତ୍ର। ରାଜ୍ୟ ସ୍ବାର୍ଥ ଲଢ଼େଇ ପାଇଁ ଚୁଡାନ୍ତ ହେବ ରଣନୀତି। ୱାନ ନେସନ ୱାନ ଇଲେକ୍ସନ ଆଭିମୁଖ୍ୟ ନେଇ ଚର୍ଚ୍ଚା କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। ଶୀତ ଅଧିବେଶନରେ ବିଜେଡିର ୭ ସାଂସଦଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ବଜେଟ ଅଧିବେଶନରେ ସାଂସଦ ରାଜ୍ୟ ସ୍ବାର୍ଥ ପ୍ରସଂଗକୁ କିପରି ଶାଣିତ କରିବେ ତାହା ଉପରେ ବୈଠକରେ ଫୋକସ ରହିବ । ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସାଂସଦ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ବୃଦ୍ଧି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ସ୍ବାର୍ଥ ସମେତ ବିଜେଡିର ୭ ସାଂସଦ ବିଭିନ୍ନ ଜାତୀୟ ପ୍ରସଂଗରେ ମଧ୍ୟ ଶାଣିତ ସ୍ବର ଉପସ୍ଥାପନ କରିବେ ।
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ T-20 ମୁକାବିଲା: ସିରିଜ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ରାଜକୋଟ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ବେଣ୍ଟି ମୁକାବିଲା । ରାଜକୋଟରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ପ୍ରଥମ ଦୁଇଟି ମ୍ୟାଚ ଜିତି ୫ଟିକିଆ ସିରିଜରେ ୨-୦ରେ ଅଗ୍ରଣୀ ରହିଛି ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ ଜିତି ସିରିଜ କବଜା କରିବାକୁ ଭରପୂର ଉଦ୍ୟମ କରିବ ମେନ ଇନ୍ ବ୍ଲୁ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ୟାଚ ଜିତି ସିରିଜରେ ନିଜ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ରାଜକୋଟରେ ମ୍ୟାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । କୋଲକାତା ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଭାରତ ୭ ୱିକେଟରେ ଜିତିଥିଲା । ସେହିପରି ଚେନ୍ନାଇରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚକୁ ଦୁଇ ୱିକେଟରେ ଜିତିଥିଲା ଟମ୍ ଇଣ୍ଡିଆ । ତେଣୁ ୫ ଟିକିଆ ସିରିଜର ତୃତୀୟ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର ଆଣ୍ଡ କୋ । ସିରିଜର ଚତୁର୍ଥ ମ୍ଯାଚ ପୁନେରେ ୨୫ ତାରିଖରେ ଖେଳାଯିବାକୁ ଥିବାବେଳେ ଶେଷ ତଥା ପଞ୍ଚମ ମ୍ୟାଚ ଫେବୃଆରୀ ୨ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ଏହି ସିରିଜର ଦ୍ବିତୀୟ ମ୍ୟାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଅନୁଷ୍ଠିତ ହେବ ।
ଆଜି ବି ରାଜ୍ୟରେ ଘନ କୁହୁଡ଼ିର ପ୍ରଭାବ: ଭୋରରୁ ଯାତାୟତ ବାଧାପ୍ରାପ୍ତ
ଭୁବନେଶ୍ବର: ଆଜି ବି ଘନ କୁହୁଡି ପକାଇଲା ପ୍ରଭାବ । ଭୋରରୁ ଯାତାୟତ ବାଧାପ୍ରାପ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା। ଘନ କୁହୁଡି ନେଇ ଆଜି କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାରେ ଭିଜିବିଲିଟି ୫୦ ମିଟରରୁ କମ୍ ରହିପାରେ ବୋଲି କୁହାଯାଇଥିଲା। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଥିଲା । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।
ଦୟା ନଦୀ ପ୍ରଦୂଷଣ ଘଟଣା: ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା
ଭୁବନେଶ୍ବର: ଦୟା ନଦୀ ପ୍ରଦୂଷଣରେ ମୃତ୍ୟୁ ପାଇଁ ଦାୟୀ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକ । ଦୁହିଁଙ୍କ ବିରୋଧରେ ଖାରବେଳ ଥାନାରେ ଏତଲା ଦେଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ । ଦୟାର ପ୍ରଦୂଷିତ ବିଷାକ୍ତ ପାଣି ବ୍ୟବହାର କରି କଣାସ ବ୍ଲକର ଚାରି ଜଣଙ୍କ ମୃତ୍ୟୁ ସହିତ ଶତାଧିକ ଲୋକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଭୁବନେଶ୍ୱରର ସମସ୍ତ ବର୍ଯ୍ୟବସ୍ତୁ ସହିତ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ସିଧାସଳଖ ଯାଇ ଦୟା ନଦୀରେ ମିଶୁଛି l ସେହି ଜହର ଯୁକ୍ତ ପାଣି ବ୍ୟବହାର କରି କଣାସ ଅଞ୍ଚଳର ଲୋକଙ୍କ ଦୁର୍ଦଶା ବଢ଼ି ଚାଲିଛି ।
ଭୁବନେଶ୍ୱରର ସତ୍ୟନଗର ନିକଟରେ ଥିବା ରେଳ ବିଭାଗର ରେଳ ୱାସିଙ୍ଗ ପଏଣ୍ଟରେ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଯ୍ୟବସ୍ତୁ, ବାଇଓ ଟଏଲେଟର ମଳମୂତ୍ର ଇତ୍ୟାଦି ସେଠାରୁ ସିଧା ଗଙ୍ଗୁଆକୁ ଛାଡି ଦିଆଯାଉଛି । ଏହା ଗଙ୍ଗୁଆ ପ୍ରଦୂଷଣର ଏକ ମୁଖ୍ୟ କାରଣ । ଭୁବନେଶ୍ୱର ମହାନଗର ନିଗମ ସମସ୍ତ ଡ୍ରେନ ଗଙ୍ଗୁଆ ସହିତ ସଂଯୋଗ କରାଯାଇଛି । ତେଣୁ ଦୟା ପ୍ରଦୂଷଣର ପ୍ରମୁଖ ଅଭିଯୁକ୍ତ ହେଉଛନ୍ତି ବିଏମସି କମିଶନର ଓ ପୂର୍ବତଟ ରେଳବାଇ ମୁଖ୍ୟ ପ୍ରବନ୍ଧକ ।
ସଂଗଠନର ଏକ ପ୍ରତିନିଧି ଦଳ ଆଜି ସତ୍ୟନଗରର ରେଳ ୱାସିଙ୍ଗ ପଏଣ୍ଟକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛି । ଏହା ଅନ୍ୟନ୍ତ ସାଂଘାତିକ ବୋଲି କହିଛି ସଙ୍ଗଠନ । ରେଳ ୱାସିଙ୍ଗ ୟାର୍ଡର ସବୁ ବର୍ଯ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି । ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବାସ ଯାଇଛି । ହେଲେ ତାହା ଦିନରେ ଲଣ୍ଠନ ଦେଖାଇଲା ଭଳି । ତାହା ବହୁବର୍ଷ ହେଲା କାମ କରୁନି, ନାମକୁ ମାତ୍ର ଅଛି । ଟାଙ୍କିରେ କଳଙ୍କି ଲାଗି ଗଲାଣି । ଯୋଉ ବଡ଼ ବଡ଼ ସୋପ ପିଟ ଅଛି ସେଠାରେ ପୋକ ସାଲୁବାଲୁ ହେଉଛନ୍ତି । ସବୁ ବର୍ଯ୍ୟ ପାଣି ବଡ଼ ବଡ଼ ପାଇପ ମାଧ୍ୟରେ ସିଧା ଡ୍ରେନରେ ଯାଇ ଗଙ୍ଗୁଆ ନାଳରେ ମିଶୁଛି । ଏନେଇ ପାଣି ପ୍ରଦୂଷଣ ଜନିତ ମୃତ୍ୟୁ ତଥା ଜଳ ଉତ୍ସରେ ବିଷାକ୍ତ ପାଣି ମିଶାଉଥିବା ଅଭିଯୋଗରେ ବିଏମସି କମିଶନର ଓ ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ ।
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି: କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ?
ଭୁବନେଶ୍ବର: ବହୁ ବାଦ ବିବାଦ, ଜୋରଦାର୍ ଆନ୍ଦୋଳନ ପରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଆରମ୍ଭ ହୋଇଥିଲା । ୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀରରୁ ବିଚ୍ଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ୬ ବର୍ଷ ପୂରିଛି, ହେଲେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଅନ୍ୟପଟେ ରେଳପଥ ଶୀଘ୍ର କରିବା ପାଇଁ ବିଜେଡି ସରକାରଙ୍କ ସମୟରେ ମାଗଣାରେ ଜମି ସହ ୧୩ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ସେଥିରୁ ପାଖାପାଖି ୭ ଶହ କୋଟି ଟଙ୍କା ଖର୍ଚ୍ଚ କରିପାରିଛି ରେଳ ବିଭାଗ । ବାକି ୬ ଶହ କୋଟି ଟଙ୍କା ପଡି ରହିଛି ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାରଙ୍କ ମିଛ ଧରା ପଡିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଜଣାଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ବିଜେଡି ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ୫ ବର୍ଷରେ ୧୩ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି I କିନ୍ତୁ ପ୍ରକଳ୍ପ ଶେଷ ଧାର୍ଯ୍ୟ ସୀମା ପ୍ରତିବର୍ଷ ବୃଦ୍ଧି କରାଯାଉଛି । ୨୦୨୧ରୁ ୨୦୨୪ କରାଗଲା ଏବେ ୨୦୨୬କୁ ବୃଦ୍ଧି କରାଯାଇଛି । ବଲାଙ୍ଗୀର ପଟୁ ସୋନପୁର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିବା ବେଳେ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରୁଛି । ୩୦୧ କିମି ଲମ୍ବ ରେଳପଥରୁ ବର୍ତ୍ତମାନ ୧୯୮ କିମି ନିର୍ମାଣ କରାଯାଇଥିବା ବେଳେ ବାକି ରହିଥିବା ୧୨୬୯ ଏକର ଜମିକୁ ଷ୍ଟେଜ-୨ ମଞ୍ଜୁରୀ ମିଳି ନଥିବା ଜଣାପଡିଛି । ବୌଦ୍ଧରୁ ପୁରୁଣାକଟକ ୨୬ କିମି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ପୁରୁଣାକଟକରୁ ଦଶପଲ୍ଲା ୭୫ କିମି ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି ।
ଗତ ୫ ବର୍ଷରେ ଏହି ରେଳପଥ ପାଇଁ ୪୩୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୩୩୮ କୋଟି ଟଙ୍କା । ୨୦୧୮-୧୯ରେ ୬୨୫ କୋଟି ବଜେଟ ଘୋଷାଣ ହୋଇଥିଲା କିନ୍ତୁ ଖର୍ଚ୍ଚ ହୋଇଥିଲା ୧୫୯ କୋଟି, ୨୦୧୯-୨୦ରେ ୩୫୦ କୋଟି ଘୋଷାଣ କିନ୍ତୁ ଖର୍ଚ୍ଚ ୧୫୩ କୋଟି, ୨୦୨୦-୨୧ରେ ୫୧୯ କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୧୭୦ କୋଟି, ୨୦୨୧-୨୨ରେ ୧୦୦୦କୋଟି ଘୋଷଣା କିନ୍ତୁ ଖର୍ଚ୍ଚ ୩୭୧ କୋଟି । ସେହିପରି ୨୦୨୨-୨୩ରେ ୮୯୧କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ୨୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା I ୨୦୨୩-୨୪ରେ ୧୫୯୯ କୋଟି ଟଙ୍କା ଘୋଷଣା ହୋଇଥିଲା । ହେଲେ ଏହାର ଅଧା ବି ରେଳ ବିଭାଗ ଖର୍ଚ୍ଚ କରିପାରୁନାହିଁ ।

