ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଗଂଜାମ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ଦଳର ବରିଷ୍ଠ ନେତା। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ବେହେରା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଅନ୍ୟ କର୍ମୀ ଓ ଛାମୁଆ ନେତାମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଇଛନ୍ତି। ସେମାନେ ଆସିକା ବ୍ଳକର କଇଁଫୁଲିଆ ଛକ ନିକଟରେ ଧାନ ଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଆସନ୍ତକାଲି ଗଂଜାମ ଜିଲ୍ଲାର ଶେରଗଡ, ହିଂଜିଳି, ଆସିକା ଓ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କ୍ରିକେଟ ଖେଳକୁ ନେଇ ରାଜନୀତି : ଲକ୍ଷ୍ମୀସାଗର ହାଇସ୍କୁଲ ପଡିଆରେ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ଖେଳକୁ ନେଇ ରାଜନୀତି । ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲ ପଡିଆରେ ଉତ୍ତେଜନା। ବିଜେପି ନେତାଙ୍କ ମନମାନିକୁ ବିରୋଧ। ସେଠାରେ ଚାଲିଥିବା ୧୬ତମ ଲକ୍ଷ୍ମୀସାଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ବିଜେପି ନେତାଙ୍କ ଚକ୍ରାନ୍ତ ଅଭିଯୋଗ। ପୋଲିସ ଲଗାଇ ମ୍ୟାଚ ବନ୍ଦ କରିବାକୁ ହୀନ ଷଡଯନ୍ତ୍ରକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ବିଜେପି ନେତା ମୁଖ୍ୟ ଅତିଥି ନ ହୋଇଥିବାରୁ ଏହି ଚକ୍ରାନ୍ତ କରୁଥିବାରୁ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଉତ୍ତେଜନା କାରଣରୁ ରସୁଲଗଡ କଳ୍ପନା ଜାତୀୟ ରାଜପଥରେ ଅଟକିଥିଲା ହଜାର ହଜାର ଯାନବାହନ। ଫଳରେ ପୁରୀ ଆସୁଥିବା ପର୍ଯ୍ୟଟକ ସେଠାରେ ଫସିଯାଇଥିଲେ। ଲକ୍ଷ୍ମୀସାଗର ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ନାହିଁ ନଥିବା ହୀନସ୍ତା ହୋଇଛନ୍ତି। ପୋଲିସ ବୁଝାସୁଝା ବେଳେ ପୋଲିସକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।
MKCG ମେଡିକାଲ କଲେଜର ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର
ବ୍ରହ୍ମପୁର : ବ୍ରହ୍ମପୁର MKCG ମେଡିକାଲ କଲେଜର ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜଣେ ପିଜି ଛାତ୍ରଙ୍କୁ ମାଡ଼ ଘଟଣାରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କର୍ତ୍ତୃପକ୍ଷ। ଚାକିରିରୁ ବହିଷ୍କୃତ ହୋଇଥିବା ୪ ଡାକ୍ତରଙ୍କ ମଧ୍ୟରେ ଅଛନ୍ତି ଜଣେ ସହକାରୀ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର। ଜଣେ ପିଜି ଛାତ୍ରଙ୍କୁ ୬ ମାସ ହଷ୍ଟେଲ ଆସିବାକୁ ମଧ୍ୟ ମନା କରାଯାଇଛି। ଗତ ୨୦ ତାରିଖରେ ୩ ନମ୍ବର ହଷ୍ଟେଲରେ ଏହି ଗଣ୍ଡଗୋଳ ହୋଇଥିଲା। ଶିଶୁ ବିଭାଗର ଜଣେ ପିଜି ଛାତ୍ରଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଥିଲା। ତେଣୁ ଏହି କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯାଇଥିବାର ସୂଚନା ଦେଇଛନ୍ତି ଡିନ୍ ସୁଚିତ୍ରା ଦାଶ। DMETଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନିଆଯାଇଥିବାର ସେ କହିଛନ୍ତି।
ବୋରୱେଲରେ ପଡ଼ି ୧୦ ବର୍ଷର ପିଲା ମୃତ ୧୬ ଘଣ୍ଟାର ଅପରେସନ ଫେଲ୍
ମଧ୍ୟପ୍ରଦେଶ : ବୋରୱେଲରେ ପଡ଼ି ୧୦ ବର୍ଷର ପିଲା ମୃତ। ୧୬ ଘଣ୍ଟା ଧରି ହୋଇଥିବା ଉଦ୍ଧାର ଅପରେସନ ଫେଲ୍ ମାରିଛି। ଏହି ଅଘଟଣ ହେଉଛି ମଧ୍ୟପ୍ରଦେଶର। ପିଲାଟି ୪୦ ଫୁଟର ବୋରୱେଲରେ ପଡ଼ି ଯାଇଥିଲା। ଗତକାଲିଠାରୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଏନଡିଆରଏଫ୍, ଏସଡିଆରଏଫ୍ ଓ ପୋଲିସ। ଗୁଣା ଜିଲ୍ଲାରେ ଘଟିଥିଲା ଏହି ଅଘଟଣ। ଗତକାଲି ଅପରାହ୍ନ ୩ଟାରେ ରାଘୋଗଡ଼ ଅଞ୍ଚଳର ଜଞ୍ଜାଳିରେ ପିଲାଟି ବୋରୱେଲରେ ପଡ଼ି ଯାଇଥିଲା। ସଂଧ୍ୟାରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଆଜି ସକାଳ ସାଢ଼େ ୯ଟାରେ ତାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇ ଅକସିଜେନ ବି ଦିଆଯାଇଥିଲା। ଏହା ସତ୍ତ୍ଵେ ସେହି ବାଳକର ଜୀବନ ରକ୍ଷା ହୋଇପାରିନାହିଁ। ଏହା ଆଗରୁ ଗତ ସପ୍ତାହରେ ରାଜସ୍ଥାନର କଟପୁତଲି ଅଞ୍ଚଳରେ ୭୦୦ ଫୁଟର ବୋରୱେଲରେ ପଡ଼ି ଯାଇଥିଲା ୩ ବର୍ଷର କୁନି ଝିଅ। ସେ ପ୍ରାୟ ୧୫୦ ଫୁଟ ତଳେ ଫସି ରହିଛି। ଏଯାଏ ଉଦ୍ଧାର କରାଯାଇପାରିନାହିଁ। ଦୌଷା ଜିଲ୍ଲାରେ ବି ଏପରି ଏକ ଘଟଣା ଘଟିଥିଲା, ଯେଉଁଥିରେ ଜଣେ ୫ ବର୍ଷର ପୁଅର ମୃତ୍ୟୁ ହୋଇଥିଲା।
ରାଜଧାନୀରେ ବୁଲୁଛନ୍ତି ଭଣ୍ଡବାବା , ବାବାଙ୍କୁ ଆସୁନି ଗାୟତ୍ରୀ ମନ୍ତ୍ର
ଭୁବନେଶ୍ବର : ବାବାଙ୍କୁ ଆସୁନି ଗାୟତ୍ରୀ ମନ୍ତ୍ର । ଲୋକମାନେ ବାବାଙ୍କୁ ଗାୟତ୍ରୀ ମନ୍ତ୍ର ଉଚାରଣ କରିବାକୁ କହିଲେ ଭୁଲ ଉଚାରଣ କରିବା ସହ ପାଟି ଖନି ମାରିଯାଉଛି । ଗେରୁଆ ବସ୍ତ୍ର ଏବଂ ଚିତା ଲଗାଇ ସାଧୁଙ୍କ ବେଶ ଧାରଣ କରିଥିବା ଏହି ବ୍ୟକ୍ତିଙ୍କୁ ଗାୟତ୍ରୀ ମନ୍ତ୍ର ନଆସିବା ସନ୍ଦେହ ସୃଷ୍ଟି କରିଥିଲା । କିଛିଦିନ ତଳେ ଭୁବନେଶ୍ବର ପଳାସପଲ୍ଲୀ ଅଞ୍ଚଳରେ କିଛି ଲୋକେ ବାବା ବେଶ ଧାରଣ କରି ଜବରଦସ୍ତ ଘରେ ପସି ଟଙ୍କା ମାଗିଥିଲେ । ଭିକ୍ଷା ମାଗିବା ଆଳରେ ଅଚାନକ ଘରେ ପସିଥିଲେ ଭଣ୍ଡ ସାଧୁ । ତାଙ୍କୁ ଅଟକ ରଖି ଗାୟତ୍ରୀ ମନ୍ତ୍ର ବୋଲିବାକୁ କହିଥିଲେ ଲୋକେ । କମ ପାଠ ପଢିଥିବାରୁ ମନ୍ତ୍ର ବୋଲି ପାରୁନାହାଁନ୍ତି ବୋଲି ସେ କହିଲେ । ଭୁଲ ଗାୟତ୍ରୀ ମନ୍ତ୍ର ବୋଲିବାରୁ ଲୋକମାନେ ତାଗିଦ କରିବା ସହ ଏୟାରଫିଲ୍ଡ ଥାନାକୁ ଖବର ଦେଇଥିଲେ । ଗତକାଲି ମୈତ୍ରୀ ବିହାର ଅଞ୍ଚଳରେ ସମାନ ଢଙ୍ଗରେ ଟଙ୍କା ଆଦାୟ କରୁଥିଲେ ବାବା ଗ୍ୟାଙ୍ଗ । ଗଣମାଧ୍ୟମରେ ଖବର ଦେଖି ଆଜି ବାବା ମାନଙ୍କ ଭିଡିଓ ଜାରି କରିଛନ୍ତି ଲୋକେ ।
ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ
ବାଂଲାଦେଶ : ବାଂଲାଦେଶରେ ଗତ ଅଗଷ୍ଟରେ ଘଟିଥିବା ଆନ୍ଦୋଳନରେ ସାମ୍ବାଦିକଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରତିବାଦ । ବହିଷ୍କୃତ ହୋଇଥିବା ୫ ବରିଷ୍ଠ ଟିଭି ସାମ୍ବାଦିକଙ୍କୁ ପୁନଃଅବସ୍ଥାପିତ କରିବାକୁ ମହମ୍ମଦ ୟୁନୁସ ସରକାରଙ୍କ ଉପରେ ଚାପ ପକାଇଲେ ବିଭିନ୍ନ ଅନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ । ଫରେନ କରସ୍ପଣ୍ଡେଣ୍ଟ କ୍ଲବ ଅଫ ସାଉଥ ଏସିଆ ବା FCCSA, ଦି ପ୍ରେସ କ୍ଲବ ଅଫ ଇଣ୍ଡିଆ, ଦି ଇଣ୍ଡିଆନ ଆସୋସିଏସନ ଅଫ ଫରେନ ଆଫାୟାର୍ସ କରସ୍ପଣ୍ଡେଣ୍ଟ୍ସ ପକ୍ଷରୁ ଏହି ଦାବି କରାଯାଇଛି । ଅଗଷ୍ଟ ଆନ୍ଦୋଳନରେ ଏହି ସାମ୍ବାଦିକମାନଙ୍କୁ ବହିଷ୍କାର କରିବା ଲାଗି ଛାତ୍ର ସଂଗଠନଗୁଡିକ ପକ୍ଷରୁ ଦାବି କରାଯିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଗଣମାଧ୍ୟମର ସ୍ବାଧୀନତା ରକ୍ଷାକୁ ଗୁରୁତ୍ବ ଦିଆଯାଉବୋଲି ୟୁନୁସ ସରକାରଙ୍କ ନିକଟରେ ଦାବି ରଖିଛି FCCSA । ଦେଶର ସର୍ବବୃହତ ଚାନେଲ କୁହାଯାଉଥିବା ସମୟ ଟିଭିକୁ ଗତ ଡିସେମ୍ବର ୧୭ରେ ଛାତ୍ର ସଂଗଠନ ନେତା ହସନତ ଅବଦୁଲ୍ଲା ଗସ୍ତ କରିଥିଲେ ଏବଂ ଏହି ସାମ୍ବାଦିକମାନଙ୍କୁ ବହିଷ୍କାର କରିବା ଲାଗି ଦାବି କରିଥିଲେ । ତାଙ୍କର ଦାବି ଅନୁସାରେ ସମୟ ଟିଭିରେ ଦଶନ୍ଧିରୁ ଅଧିକ ଦିନ ଧରି କାର୍ଯ୍ୟରତ୫ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଥିଲା । ବହିଷ୍କୃତ ସାମ୍ବାଦିକମାନେ ହେଲେ ଚିଫ୍ ଇନପୁଟ ଏଡିଟର ଓମାର ଫାରୁକ, ଚିଫ ଆଉଟପୁଟ ଏଡିଟର ଅରିଫଲ ସଜ୍ଜାଦ, ଡିଜିଟାଲ ହେଡ କମଲ ଶାହରିଅର, ଆସିଷ୍ଟାଣ୍ଟ ସ୍ପେଶାଲ ପ୍ରେଜେଣ୍ଟର ଦେବାଶିଷ ରାୟ, ସିନିୟର ରିପୋର୍ଟର ବୁଲବୁଲ ରେଜା । ଅବଦୁଲ୍ଲାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ସମୟ ଟିଭି ମ୍ଯାନେଜମେଣ୍ଟ ଗତ ଡିସେମ୍ବର ୨୨ ତାରିଖରେ ଏହି ସାମ୍ବାଦିକଙ୍କୁ ବହିଷ୍କାର କରିଥିଲେ । ଅବଦୁଲ୍ଲା ଅଭିଯୋଗ କରିଥିଲେ ଯେ ଚାନେଲ ପକ୍ଷରୁ ତାଙ୍କ ବିବୃତିକୁ ବିଭ୍ରାନ୍ତିମୂଳକ ଭାବେ ପ୍ରସାରଣ କରାଯାଇଥିଲା ଏବଂ ପତନ ଘଟିଥିବା ଏକ ରାଜନୈତିକ ଦଳ ଲାଗି ଆଭିମୁଖ୍ଯ ରଖାଯାଇଥିଲା । ୟୁନୁସ ସରକାର ଗଠନ ପରଠାରୁ ଭାରତ ଓ ବାଂଲାଦେଶ ମଧ୍ଯରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଗତ ଅଗଷ୍ଟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆଶ୍ରୟ ନେଇଥିବାବେଳେ ତାଙ୍କୁ ପ୍ରତ୍ୟର୍ପଣ ଲାଗି ବାଂଲାଦେଶ ପକ୍ଷରୁ ଦାବି ହୋଇଛି ।
ମିକ୍ଚର ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ , ଦଶଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ବଡ଼ ଧରଣର ଅଗ୍ନିକାଣ୍ଡ। ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ରାତିରେ କାମସାରି ଫ୍ୟାକ୍ଟ୍ରି ବନ୍ଦ କରିଥିଲେ ମାଲିକ। ଫ୍ୟାକ୍ଟ୍ରି ଭିତରୁ ଧୁଆଁ ଓ ନିଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଜଣାଇଥିଲେ ମାଲିକ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ସେତେବେଳେକୁ ଫ୍ୟାକ୍ଟ୍ରି ଭିତରେ ଥିବା ମିକ୍ଚର, କଞ୍ଚାମାଲ୍, ବିଭିନ୍ନ ମେସିନାରୀ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି। ସେପଟେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି ।









