spot_img
Home Blog Page 1207

ବିଦାୟ ନେଲା ୨୦୨୪, ନୂଆ ଆଶା ଓ ଉଦ୍ଦୀପନା ସହ ପାଦ ଥାପିଲା ୨୦୨୫

ନନ୍ଦିଘୋଷ ବ୍ୟୁରୋ : ପାଦ ଥାପିଛି ନୂଆ ବର୍ଷ ୨୦୨୫ । ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ମହୋଦଧି କୂଳେ ସକାଳ ପ୍ରଥମ ସୂର୍ଯ୍ୟୋଦୟ ସହ ଶ୍ରୀମୁଖ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପ୍ରବଳ ଗହଳି । ରାତ୍ର ୧୨ଟା୩୫ରେ ଦ୍ୱାର ଫିଟା ଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ ଦେଇ ଦର୍ଶନ ପାଇଁ ସିଂହଦ୍ୱାର ବାଟେ ପ୍ରବେଶ କରିଛନ୍ତି।

ସେପଟେ ଆଜି ସୂର୍ଯ୍ୟ ଉଦୟ ଦର୍ଶନ ପାଈଁ ମଧ୍ୟ ମହୋଦଧି ଠାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏନେଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ମୁତୟନ ହୋଇଛନ୍ତି ।

ଅନ୍ୟପଟେ ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି ଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ। କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି ।

ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ି ଗୁଡିକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନ ଗୁଡ଼ିକ ସିସିଟିଭି ନଜରରେ ରହିଛି ।

ଧୂମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଓଡ଼ିଶାବାସୀ

ଭୁବନେଶ୍ବର: ବାଜିଲା ରାତି ୧୨ । ଆଉ ସାରା ଓଡ଼ିଶାରେ ଉତ୍ସାହର ସହ ସ୍ବାଗତ କଲେ ରାଜ୍ୟବାସୀ । କେଉଁଠି ବାଣ ଫୁଟାଇ ତ କେଉଁଠି ନାଚଗୀତର ଧୂମରେ ନାଚି ଉଠିଲା ସାରା ଓଡ଼ିଶା । ପିଲାଠୁ ବୟସ୍କ ସମସ୍ତେ ନିଜ ନିଜ ଅନୁସାରେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।

ସହରଠୁ ଗାଁ ନୂଆବର୍ଷକୁ ନେଇ ବହୁତ କିଛି ଆୟୋଜନ ଦେଖିବାକୁ ମିଳିଥିଲା । ସହରର ବଡ଼ ବଡ଼ ହୋଟେଲ ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନରେ ନୂଆବର୍ଷ ପାଇଁ ସ୍ପେଶାଲ ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚର ତାଳେ ତାଳେ ଝୁମି ଝୁମି ନୂଆବର୍ଷକୁ ସ୍ବାଗତ କରିଥିଲେ ରାଜ୍ୟବାସୀ ।

ଗାଁ ବି ପଛରେ ପଡି ନଥିଲା । ବିଭିନ୍ନ ଅନୁଷ୍ଠାନ ଓ କ୍ଲବମାନଙ୍କରେ ଦେଖିବାକୁ ମିଳିଥିଲା ନୂଆବର୍ଷର ମସ୍ତି । ନାଚଗୀତ, ବଣଭୋଜିର ଜମିଥିଲା ଆସର । ଆଉ ରାତି ୧୨ଟାରେ ବିଭିନ୍ନ ସ୍ଥାରେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରୁଥିବା ଦେଖିବାକୁ ମିଳିଥିଲା ।

ବର୍ଷ ସରିଲା, ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ମୋହନ ସରକାର

ଭୁବନେଶ୍ବର: ୨୦୨୪ ସରିଲା, ଆଉ କିଛି ଘଣ୍ଟା ପରେ ଆସିଯିବ ୨୦୨୫ ହେଲେ ନିର୍ବାଚନ ପ୍ରତିଶ୍ରୁତି ପାଳନ କଲେନି ମୋହନ ସରକାର । ହେଲେ ଯେଉଁ ପ୍ରତିଶ୍ରୁତି ଦେଇ ନଥିଲେ ତାହାକୁ ପାଳନ କରିବାରେ ତତ୍ପରତା ଦେଖାଉଛନ୍ତି । ରଙ୍ଗ ବଦଳାଇବା ସହ ଯୋଜନାର ନାଁ ପରିବର୍ତ୍ତନରେ ସୀମିତ ରହିଛି ସରକାର । ଏପରି କହି ବିଜେପି ସରକାରଙ୍କୁ ବର୍ଷର ଶେଷ ଦିନରେ ଟାର୍ଗେଟ କରିଛି ବିଜେଡି । ସେପଟେ କଂଗ୍ରେସ ପଚାରିଛି କୁଆଡେ ଗଲା ମାଗଣା ବିଜୁଳି ? ତା’ ସାଙ୍ଗକୁ ୩୫୦୦ ଟଙ୍କାର ଭତ୍ତା । ଅନ୍ୟପଟେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛି ବିଜେପି । ଯାହାକୁ ନେଇ ବେଶ ସରଗରମ ହୋଇଛି ରାଜ୍ୟ ରାଜନୀତି ।

୨୦୨୪ରେ ରାଜ୍ୟରେ ବଦଳିଲା ସରକାର । ମାଳ ମାଳ ପ୍ରତିଶ୍ରୁତି ଦେଇ ରାଜ୍ୟରେ ସରକାର ଗଠନ କଲା ବିଜେପି । ଏହାରି ଭିତରେ ସରକାର ଗଠନକୁ ୬ ମାସ ଯାଇ ୭ ମାସ ଚାଲିଛି । ହେଲେ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା ବିଜେପି । ଯାହାକୁ ନେଇ ଶାସକ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ କଟାକ୍ଷ କରି କହିଛନ୍ତି, ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇ ନଥିଲା ତାହାକୁ ଭଲ ଭାବେ ପାଳନ କରୁଛି । ସବୁଠି ରଙ୍ଗ ବଦଳାଇଛି, ଯୋଜନାର ନାଁ ପରିବର୍ତ୍ତନ କରିଛି । ଅନେକ ଜନହିତକାରୀ ଯୋଜନା ବି ବନ୍ଦ କରିଛି । ବିଜେପି ସରକାରକୁ ଆସିଲା ପରେ ରାଜ୍ୟରେ ରାସନ୍ ୩ ମାସ ବନ୍ଦ କଲା । ଆମ୍ବ ଟାକୁଆ ଖାଇ ଆଦିବାସୀଙ୍କ ଜୀବନ ଗଲା । ଖାଲି ସେତିକି ନୁହେଁ, ଲୋକଙ୍କୁ ନା ମିଳିଲା ମାଗଣା ୩୦୦ ୟୁନିଟ୍ ବିଜୁଳି ନା ମହିଳାଙ୍କୁ ମିଳିଲା ୨ ବର୍ଷରେ ୫୦ ହଜାର ଟଙ୍କା । ଏବେ ମୋହନ ସରକାରଙ୍କୁ ପ୍ରଶ୍ନ କେବେ ମିଳିବ ୩୫୦୦ ଟଙ୍କା ଭତ୍ତା । କାହିଁକି ୬ ମାସ ପରେ ବି ବିଜେପି ସରକାର ନିଜ ପ୍ରତିଶ୍ରୁତି ପାଳନ କରୁନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।

କଂଗ୍ରେସ ମଧ୍ୟ ବିଜେପି ସରକାରର ଲମ୍ବା ବିଫଳତାକୁ ନେଇ ବର୍ଷିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ସରକାର ଓଡ଼ିଶାବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି । ମହିଳା, ଯୁବକ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ବିଜେପି ସରକାର ଠକିଥିବା ଅଭିଯୋଗ କରିଛି କଂଗ୍ରେସ । ହେଲେ ବିଜେପି ରୋକଠୋକ୍ ବିଜେଡି ଓ କଂଗ୍ରେସର ଆରୋପକୁ ଖଣ୍ଡନ କରିଛି ।

ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା ମିଳିବା, ସରକାର ଗଠନ ଦିନ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ଦାଦନ ରହିବନି ପରି ବଡ଼ ବଡ଼ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ୨୦୨୪ରେ ଓଡ଼ିଶାବାସୀଙ୍କଠାରୁ ଭୋଟ ନେଇଥିଲା ବିଜେପି । ହେଲେ ସରକାର ଗଠନ ପରେ ଏସବୁ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।

ମୃତ ଚାଷୀ କୃତ୍ତିବାସଙ୍କ ଘରେ ପହଞ୍ଚିଲେ ନବୀନ

ଜଗତସିଂହପୁର: ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ଜଣେ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଆଉ କିଏ ଉଜୁଡା କ୍ଷେତ ଦେଖି ହତାଶାରେ ଟଳିପଡୁଛନ୍ତି । ମୁଖିଆଙ୍କ ମୃତ୍ୟୁ ପରେ ଛାରଖାର ହୋଇଯାଇଛି ପରିବାର । ହେଲେ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରୁ ନଥିବା ବେଳେ ସେମାନଙ୍କ ସାହାରା ବନୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଜଗତସିଂହପୁର ବାଲିକୁଦା ବ୍ଲକ ତଣ୍ଡିକୂଳ ପଂଚାୟତର ସାରଣା ଗାଁର ମୃତ ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାର ପାଖରେ ପହଁଚିଛନ୍ତି ନବୀନ । ନବୀନଙ୍କୁ ଦେଖି କୋହ ସମ୍ଭାଳି ପାରିନାହାନ୍ତି ପରିବାର ଲୋକେ ।

ଗତ ରାତିରେ ସାରଣା ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ କୃତ୍ତିବାସ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସହି ନପାରି ଆତ୍ମହତ୍ୟା କରିଛନ୍ତି । ବାପା ମାଆ ରୋଗଗ୍ରସ୍ତ । କୃତ୍ତିବାସଙ୍କ ଦୁଇ ଝିଅ । ଜଣଙ୍କୁ ୫ ବର୍ଷ ଆଉ ଜଣେ ଏକ ବର୍ଷ । ବାପାଙ୍କ ଦେହ ଖରାପ ହେବା ପରେ ଏକା କୃତ୍ତିବାସ ହିଁ ପରିବାର ଭରଣପୋଷଣ କରୁଥିଲେ । ଏବର୍ଷ ସେ ୪ ଏକର ଭାଗରେ ଆଉ ନିଜର ଏକରେ ଜମିରେ ଧାନ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷାରେ ସବୁ ଧାନ କ୍ଷେତରେ ଶୋଇଗଲା । ଚାଷ ପାଇଁ ବହୁ ଟଙ୍କା କରଜ କରିଥିଲେ । କେମିତି କରଜ ସୁଝିବେ ସେହି ଚିନ୍ତାରେ ଗତକାଲି ସନ୍ଧ୍ୟାରେ ବାପାଙ୍କୁ ଔଷଧ ଦେଇ ଛାତ ଉପରେ ଆତ୍ମହତ୍ୟା କରିଛନ୍ତି । ତା’ ପୂର୍ବରୁ ସ୍ତ୍ରୀ ଚା ପିଇବାକୁ ଡାକୁଥିଲେ, କିନ୍ତୁ ପରେ ପିଇବି କହି ଚାଲିଯାଇଥିଲେ ଯେ ଆଉ ଆସିଲେନି । ଆଜି ଗାଁରେ ନବୀନ ପହଁଞ୍ଚିବା ପରେ ପରିବାରର ସବୁ ଦୁଃଖ ବଖାଣିଥିଲେ ପରିବାର ଲୋକେ ।

ମୃତ କୃତ୍ତିବାସଙ୍କ ପରିବାରକୁ ନବୀନ ଭେଟିବା ସମୟରେ ସାରଣା ଗ୍ରାମବାସୀ ନବୀନଙ୍କ ନିକଟରେ ଏକାଠି ହୋଇ ଦୁଃଖ ଜଣାଇଥିଲେ । ଚାଷୀଙ୍କ ଏଭଳି ଦୁଃଖ ସମୟରେ ପ୍ରଶାସନର ଦେଖା ମିଳି ନଥିବା ବେଳେ ମୁରବି ଭାବେ ନବୀନଙ୍କ ଉପସ୍ଥିତିକୁ ପ୍ରଶଂସା କରିଥିଲେ ଗ୍ରାମବାସୀ । ବର୍ଷାରେ ଫସଲହାନି ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ଏନେଇ ସରକାର ସମ୍ବେଦନଶୀଳ ହୋଇ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି ନବୀନ ।

ଗତରାତିରୁ କୃତ୍ତିବାସ ଆତ୍ମହତ୍ୟା କଲେଣି । ହେଲେ ପହଁଚି ନଥିଲା ପ୍ରଶାସନ। ନବୀନ ପଟ୍ଟନାୟକ ପହଁଚି ପରିବାର ସହ ଆଲୋଚନା କରିବା ପରେ ସରକାରଙ୍କ ଚେତା ପଶିଥିଲା । ଆଉ ନବୀନ ବାଲିକୁଦାରୁ ଫେରିବା ପରେ କୃତ୍ତିବାସଙ୍କ ପରିବାର ପାଖରେ ପହଁଚିଥିଲେ କିଛି ଜିଲ୍ଲା ପ୍ରଶାସନ ଅଧିକାରୀ ।

ନଷ୍ଟ ଧାନ ବିଡ଼ା ଦେଖାଇ ନବୀନଙ୍କ ଦୁଃଖ ଜଣାଇଲେ ଚାଷୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ଦିନରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସମବେଦନା ଜଣାଛନ୍ତି । ବିଲମୁଣ୍ଡକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଦେଖିଛନ୍ତି ଓ ଚାଷୀଙ୍କୁ ଆଶ୍ବାସନା ଦେଇଛନ୍ତି । ସରକାରଙ୍କ ଉପରେ ଆଉ ଚାଷୀଙ୍କର ଭରସା ନାହିଁ । ଆଗୁଆ ସୂଚନା ଦିଆଯାଇଥିଲେ ଫସଲ କ୍ଷତି ହୋଇ ନଥାନ୍ତା କି ଏକାଧିକ ଚାଷୀଙ୍କ ଜୀବନ ଯାଇନଥାନ୍ତା ବୋଲି କହିଛନ୍ତି ନବୀନ । ଏଥିସହ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ନବୀନଙ୍କୁ ଦେଖି କେଉଁଠି ମହିଳା କାନି ପାରି ଦୁଃଖ କହୁଛନ୍ତି ତ କେଉଁଠି ଚାଷୀ ନଷ୍ଟ ହୋଇଥିବା ଧାନକେଣ୍ଡା ଧରି ଛିଡା ହୋଇଛି । ଚାଷୀଙ୍କ ପାଇଁ ଏବେ ବି ନବୀନ ସର୍ବେସର୍ବା, ସେ ହିଁ ଆଶା ଓ ଭରସା । କେବଳ ନବୀନ ପଟ୍ଟନାୟକ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ଓ ନଷ୍ଟ ହୋଇଥିବା ଫସଲ ପାଇଁ କ୍ଷତିପୂରଣ ମିଳିପାରିବ । ଏହି ଆଶା ନେଇ ଆଜି ଉପକୂଳ ଓଡିଶାର ଚାରି ଜିଲ୍ଲାକୁ ବିରୋଧୀ ଦଳ ନେତାଙ୍କ ଗସ୍ତ ସମୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ।  ଏହି ସମୟରେ ହଜାର ହଜାର  ଚାଷୀ ଓ ମହିଳା ତାଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ ।

ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରାଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଥିଲେ । ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ । ଏପରିକି ପୂର୍ବ ସରକାରରେ ସେମାନଙ୍କୁ ଭତ୍ତା, ଚାଉଳ ସବୁ ସୁବିଧାରେ ମିଳୁଥିଲା । ସରକାର ବଦଳିବା ପରେ ହତାଦର ହେଉଥିବା ନେଇ ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ନବୀନ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ଶୁଣିବା ସହ ଆଶ୍ୱାସନା ଦେଇ ସେ ସବୁବେଳେ ଚାଷୀ ପରିବାର ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି । ସରକାରଙ୍କ ଉପରେ ଚାଷୀ କୂଳର ଆଉ ଭରସା ନାହିଁ ବୋଲି ନବୀନ ଅଭିଯୋଗ କରିବା ସହ ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଦୃଢ ଦାବି କରିଛନ୍ତି ।

୨୦୨୪ ଶେଷଦିନରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ

ପୁରୀ: ୨୦୨୪ ମସିହାରେ ଆଜି ଶେଷ ଦିନ । ଆସନ୍ତାକାଲି ଇଂରାଜୀ ନୂଆବର୍ଷର ପ୍ରଥମ ଦିନ । ଆଜି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଆସନ୍ତାକାଲି ଆହୁରି ଅଧିକ ଭକ୍ତ ଆସିବେ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ପଟେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଅନ୍ୟ ତିନି ଦ୍ୱାରର ପ୍ରସ୍ତାନ କରୁଛନ୍ତି । ତେବେ ବୟସ୍କ ଓ ବୃଦ୍ଧ ଭକ୍ତମାନଙ୍କ ପାଇଁ ସ୍ୱତ୍ରନ୍ତ୍ର ସୁବିଧା ଯୋଗାଇ ଦେବା ଓ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରାଯାଇ ଦର୍ଶନ ବ୍ୟବସ୍ଥା କିଭଳି ତ୍ୱରାନିତ ହୋଇପାରିବ ସେ ଦିଗରେ ସେବାୟତମାନଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବ ସରକାର ସମୟରେ ଭକ୍ତମାନଙ୍କ ପାଇଁ ବ୍ୟବସ୍ଥା ବେଶ ପ୍ରଶଂସନୀୟ ଥିବା ମତ ପ୍ରକାଶ ପାଇଛି ।

ଆଉ କେଇ ଘଣ୍ଟା ପରେ ନୂଆବର୍ଷ । ମହୋଦଧି କୂଳେ ସକାଳ ପ୍ରଥମ ସୂର୍ଯ୍ୟୋଦୟ ସହ ଶ୍ରୀମୁଖ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଗହଳି । ଗତ ଦୁଇ ଦିନଠାରୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ଏନେଇ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ହୋଇଛନ୍ତି ୬୨ ଇନ୍ସପେକ୍ଟର । ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ପାହ୍ୟା କର୍ମଚାରୀ ମୁତୟନ ରହିବେ । ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର, କନଷ୍ଟେବଳଙ୍କ ସହ ୬୫୦ ଗୃହରକ୍ଷୀ ମୁତୟନ ହେବେ ।

ଅନ୍ୟପଟେ ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ିଗୁଡିକ ଜେଲ୍ ରୋଡ ଓ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ । କୋଣାର୍କ ପଟୁ ଆସୁଥିବା ଗାଡ଼ିଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ିଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି । ଆଜି ଓ ଆସନ୍ତା କାଲି ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପୁରୀ ସହରର ତିନୋଟି ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ିଗୁଡିକୁ ଯାଞ୍ଚ କରାଯାଉଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ର କୂଳ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସିସିଟିଭି ନଜରରେ ରହିଛି । ସେପଟେ ଆଜି କିଛି ଦିବ୍ୟାଙ୍ଗ ଓ ବୃଦ୍ଧା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଶେଷ ସୁବିଧା ପାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ ।

ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଆଗମନ ଜାରି ରହିଛି । ଗହଳି ଯୋଗୁଁ ଅନେକ ଭକ୍ତ କଲବଲ ହେଉଥିବାବେଳେ ଦିବ୍ୟାଙ୍ଗ ଓ ବୃଦ୍ଧା ଭକ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ବର୍ଷ ଭକ୍ତମାନଙ୍କ ପାଇଁ ଏସି ସେଡ ପାଥ ୱେ ବ୍ୟବସ୍ଥା କରାଯାଇଥିବାବେଳେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ । କିନ୍ତୁ ଚଳିତବର୍ଷ କୌଣସି ବି କ୍ଷେତ୍ରରେ ସୁବିଧା ନପାଇ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସମସ୍ତଙ୍କର ଅପେକ୍ଷା ସେହି ଜିରୋ ନାଇଟ୍ ମୁହୂର୍ତ୍ତକୁ ।

ଦାମୋଦର ପର୍ବ: ପରମ୍ପରା ଓ ସଂସ୍କୃତି ପାଳନର ଏକ ନିଆରା ଉଦାହରଣ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଧୁମଧାମରେ ପାଳନ କରାଯାଉଛି ଦାମୋଦର ପର୍ବ । ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ବହନ କରୁଥିବା ଏହି ପର୍ବରେ ସାମିଲ ହୋଇଛନ୍ତି ୫୦ ହଜାରରୁ ଅଧିକ ଲୋକ । ପ୍ରକୃତି କୋଳରେ ବଢ଼ୁଥିବା ଓ ପ୍ରକୃତିକୁ ଭଲ ପାଉଥିବା ଆଦିବାସୀମାନେ ବର୍ଷରେ ଥରେ ପାଳନ କରିଥାନ୍ତି ଦାମୋଦର ପର୍ବ । ନିଆରା ଭାବେ ପାଳନ ହେଉଥିବା ଏହି ପର୍ବକୁ ଆଦିବାସୀଙ୍କ ବଡ଼ ପର୍ବ ଭାବେ ବିବେଚନା କରାଯାଏ । ବର୍ଷ ସାରା ପ୍ରାଣ ହରାଇଥିବା ପରିବାର ସଦସ୍ୟ ସାମୂହିକ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ କରିବା ଏହି ପର୍ବର ମୂଳ ଲକ୍ଷ୍ଯ

ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ଗାଁର ବୈତରଣୀ ଘାଟ । ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଘାଟରେ ଲାଗିଥାଏ ହଜାର ହଜାର ଆଦିବାସୀଙ୍କ ଭିଡ଼ । ପାଖାପାଖି ୪ଟି ଜିଲ୍ଲା ତଥା ରାଜ୍ୟ ବାହାରର ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ଏକାଠି ହୋଇ ପାଳନ କରନ୍ତି ଦାମୋଦର ପର୍ବ । ପରିବାରରେ ସମ୍ପର୍କୀୟର ମୃତ୍ୟୁ ହୋଇଥିଲେ ମୃତ ବ୍ୟକ୍ତିର ଅସ୍ତି ବିସର୍ଜନ ଏହି ପର୍ବର ମୂଳ ଲକ୍ଷ୍ଯ । ଅମାରଙ୍ଗରେ ହେଉଥିବା ଦାମୋଦର ପର୍ବର ପରିଚାଳନା ଦାଇତ୍ୱ ମାର୍ଶାପାଳ କଲଚରାଲ ଆସୋସିଏସନ କରିଥାଏ ।

ଆଦିବାସୀ ଲୋକମାନେ ପୁଣ୍ୟତୋୟା ବୈତରଣୀ ନଦୀକୁ ଗଙ୍ଗା ଭାବେ ବିବେଚନା କରିଥାନ୍ତି । ତେଣୁ ବୈତରଣୀ ନଦୀ କୂଳରେ ପହଞ୍ଚି ନିଜର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ଲଣ୍ଡା ହୋଇ ବୁଡ଼ ପକାଇଥାନ୍ତି । ଏତେ ସଂଖ୍ୟକ ଲୋକଙ୍କ ଭିଡ଼କୁ ନଜରରେ ରଖି ପୋଲିସ୍ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ଲୋକେ ପୂଜାର୍ଚ୍ଚନା କରିଛନ୍ତି ।

ନୂଆବର୍ଷ ପାଳନ କରିବେନି ନବୀନ, ଶୁଭେଚ୍ଛା ଜଣାଇବାକୁ ନଆସିବାକୁ କଲେ ଅନୁରୋଧ

ଭୁବନେଶ୍ବର: ଚଳିତବର୍ଷ ନୂଆବର୍ଷ ପାଳନ କରିବେନି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତରେ ହୋଇଥିବା ବେଳେ ଦେଶ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି । ଏହାସହ ଅଦିନିଆ ବର୍ଷା ରାଜ୍ୟରେ ଚାଷକୁ ଛାରଖାର କରି ଦେଇଛି । ବର୍ଷାରେ ଅମଳ ହେବାକୁ ଥିବା ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଘରେ ଚୂଲି ଜଳୁନି । ଏମିତି ସ୍ଥିତିରେ ନୂଆବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଏହାସହ ଅଭିନନ୍ଦନ ଜଣାଇବାକୁ ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ।

ୟୁଟ୍ୟୁବର ସୋନାଲି ମୃତ୍ୟୁ ଘଟଣା: ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଭୁବନେଶ୍ଵର: ପଟିଆ ଅଞ୍ଚଳରେ ଥିବା ଲେଡିଜ ହଷ୍ଟେଲରୁ ୟୁଟ୍ଯୁବର ସୋନାଲି ସଂଘମିତ୍ରା ପରିଡାଙ୍କ ମୃତଦେହ ଉଦ୍ଧାର ଘଟଣା । ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ । ସୋନାଲିଙ୍କ ବାପା ଦିଲୀପ କୁମାର ପରିଡା ଆଜି ପାଟକୁରା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ସୋନାଲିଙ୍କୁ ଷଡଯନ୍ତ୍ର କରି ମାରି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ସୋନାଲି ଭୁବନେଶ୍ୱରର ଏକ ବିଲଡର କମ୍ପାନୀରେ ଚାକିରି କରିଥିଲେ । ଆଉ ୟୁଟ୍ୟୁବରେ ବିଭିନ୍ନ ଭିଡିଓ କରି ଛାଡୁଥିଲେ । ଦୁଇ ଦିନ ତଳେ ତାଙ୍କର ପଟିଆ ସ୍ଥିତ ଲେଡ଼ିଜ ହଷ୍ଟେଲର ଗାଧୁଆ ଘରୁ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ପାଟକୁରା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ୨୦୨୫କୁ ସ୍ବାଗତ, କ୍ଲକ ଟାଓ୍ବାରରେ ଆତସବାଜି

ଆକଲାଣ୍ଡ: ୨୦୨୫କୁ ସ୍ବାଗତ ଆରମ୍ଭ ହୋଇଯାଇଛି । ଦ୍ବିତୀୟ ଦେଶ ଭାବେ  ନ୍ୟୁଜଲାଣ୍ଡର ଆକଲାଣ୍ଡ ସହରବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି । ଆକଲାଣ୍ଡର କ୍ଲକ ଟାଓ୍ବାରରୁ ଆଖି ଖୋସି ହୋଇଯିବା ପରି ଆତସବାଜି ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ୪ଟା ୩୮ରେ ଆକଲାଣ୍ଡରେ ୨୦୨୫ରେ ନୂଆବର୍ଷ ପାଳନ କରାଯାଇଛି ।

ନୂଆବର୍ଷକୁ ସ୍ବାଗତ କରିବାକୁ ସବୁ ଦେଶର ଲୋକେ ପ୍ରସ୍ତୁତ ହୋଇ ରହିଛନ୍ତି । ଆକଲାଣ୍ଡରେ ନୂଆବର୍ଷକୁ ସ୍ବାଗତ କରାଯାଇଥିବା ବେଳେ ଅନ୍ୟ ଦେଶମାନଙ୍କରେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି ।

କିରିଟିମାଟି ଦ୍ବୀପରେ ପ୍ରଥମ ନୂଆବର୍ଷ ପାଳନ

ଭିନ୍ନ ଭିନ୍ନ ଦେଶରେ ଟାଇମ ଜୋନ ଅଲଗା ହୋଇଥିବାରୁ ଜିରୋ ନାଇଟ୍ସ ସେଲିବ୍ରେସନ ମଧ୍ୟ ଅଲଗା ଅଲଗା ହୋଇଥାଏ । ପ୍ରଥମେ କିରିଟିମାଟି ଦ୍ବୀପ (କ୍ରିସମାସ ଦ୍ବୀପ)ରେ ନୂଆବର୍ଷ ପାଳନ ହୋଇଛି । ଏହା ଆଇଲାଣ୍ଡ କିରିବାତି ରିପବ୍ଲିକର ଏକ ଅଂଶ । ଏଠାରେ ସମୟ ଭାରତୀୟ ସମୟଠାରୁ ସାଢ଼େ ୭ ଘଣ୍ଟା ଆଗରେ । ଭାରତୀୟ ସମୟ ସାଢ଼େ ୩ଟାରେ ଏଠାରେ ନୂଆବର୍ଷ ପାଳନ କରାଯାଇଛି ।

ଭାରତ ପୂର୍ବରୁ ୪୧ ଦେଶ ପାଳନ କରନ୍ତି ନୂଆବର୍ଷ

ଭାରତୀୟ ସମୟ ରାତି ୧୨ଟାରେ ନୂଆବର୍ଷକୁ ସ୍ବାଗତ କରାଯିବ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ତେବେ ଜାଣିଛନ୍ତି କି ଭାରତ ପୂର୍ବରୁ ୪୧ ଦେଶ ନୂଆବର୍ଷ ପାଳନ କରିଥାନ୍ତି । ଅର୍ଥାତ ୪୨ ତମ ଦେଶ ଭାବେ ଭାରତ ନୂଆବର୍ଷ ପାଳନ କରିବ ।

ସମୋଆ ଓ ନିୟୁ ଦ୍ବୀପ ଶେଷରେ ପାଳନ କରନ୍ତି ନୂଆବର୍ଷ

କିରିଟିମାଟି ଦ୍ବୀପରେ ନୂଆବର୍ଷ ପାଳନର କିଛି ମିନିଟ ପରେ ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ନୂଆବର୍ଷ ପାଳନ ହୋଇଥାଏ । ଭିନ୍ନ ଭିନ୍ନ ଦେଶରେ ଟାଇମ ଜୋନ ଅନୁସାରେ ନୂଆବର୍ଷ ପାଳନ କରାଯାଉଛି । ଏହି କ୍ରମରେ ଆମେରିକାର ସମୋଆ ଓ ନିୟୁ ଦ୍ବୀପରେ ଶେଷରେ ନୂଆବର୍ଷ ପାଳନ କରାଯିବ ।