ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଥିବା ଅନ୍ୟତମ ପୋଷା ହାତୀ ଭବାନୀର ମୃତ୍ୟୁ। ୬୨ ବର୍ଷ ବୟସରେ ଜେନାବିଲ ଠାରେ ତାର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାକୁ ନରମ ଖାଦ୍ୟ ଦିଆଯାଉଥିଲା। ଆଜି ସକାଳେ ତାର ମୃତ୍ୟୁ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶଵ ଵ୍ୟଵଚ୍ଛେଦ ପରେ ପୋତା ଯିବ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳକୁ ତିନୋଟି ହାତୀ ଶୋଭା, ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା। ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି।
ଚିକିଟିରେ ୪ ଜଣଙ୍କୁ ଅପହରଣ ମାମଲାରେ ୨ ଜଣ ଗିରଫ
ଚିକିଟି: ଚିକିଟିରେ ୪ ଜଣଙ୍କୁ ଅପହରଣ କରି ୨ କୋଟି ଦାବି ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ। ଅପହରଣ ଘଟଣାରେ ଅଟକ ଥିବା ଭୋଳାସିଙ୍ଗି ଗାଁର ପୃଥ୍ବୀରାଜ ସାହୁ ଓ ସୁନୀତା ବେହେରା ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ସୁନୀତାଙ୍କ ଘର ପଛପଟେ ଥିବା ପ୍ରାୟ ଏକରରୁ ଅଧିକ ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ରବିବାର ରାତିରେ ଚିକିଟିଗଡରେ ଥିବା ଏକ ଭଙ୍ଗାଦଦରା ଘରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଚାରି ଜଣଙ୍କୁ ଭଙ୍ଗାଦଦରା ଘରେ ରଖି ନାଗସାପ ଦେଖାଇ ୨ କୋଟି ଟଙ୍କା ମାଗିଥିଲେ ଅଭିଯୁକ୍ତ।
ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼: ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ
କୋଣାର୍କ: ଆସନ୍ତା ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗ ଦ୍ଵାରା ତୀର୍ଥ ପୁଷ୍କରିଣୀ ଖନନ, ବ୍ୟାରିକେଟ ନିର୍ମାଣ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ପାନୀୟଜଳ, ସିସିଟିଭି ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ନୀତିକାନ୍ତି ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଉପଜିଲ୍ଲାପାଳ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ନିମାପଡ଼ା ଏସଡିପିଓ ଓ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।
ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ପଥରମାଡ଼, ଯାତ୍ରୀ ଭୟଭୀତ
ସଙ୍ଗମ ନଗରୀରେ ମହାକୁମ୍ଭ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ଏହା ମଧ୍ୟରେ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ପଥରମାଡ଼ ହୋଇଛି । ଝାନସୀରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ପଥରମାଡ଼ ଓ ଭଙ୍ଗାରୁଜା ନେଇ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ହରପାଲପୁର ଷ୍ଟେସନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଟ୍ରେନ ଉପରେ ପଥରମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ ।

