ନନ୍ଦିଘୋଷ ବ୍ୟୁରୋ: ଭାରତ ସରକାର ମନୁ ଭାକର ଓ ଡୀ ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେହିପରି ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ । ହକି ଖେଳାଳି ହରମନପ୍ରୀତ ସିଂହ ଓ ପାରା ଆଥଲେଟ ଖେଳାଳି ପ୍ରବୀଣ କୁମାରଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାର ମିଳିବ । ଆଥଲେଟ ଅନ୍ନୁ ରାଣୀ ଓ ଜ୍ୟୋତି ୟାରାଜୀ, ବକ୍ସର ସ୍ବୀଟୀ ଓ ନୀତୁ, ଚେସ ଖେଳାଳି ବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲୀମା ଟେଟେ, ଅଭିଷେକ, ସଞ୍ଜୟ, ଜରମନପ୍ରୀତ ସିଂହ ଓ ସୁଖଜୀତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଆଜି ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି । ଜାନୁଆରୀ ୧୭ ତାରିଖ (ଶୁକ୍ରବାର) ସକାଳ ୧୧ଟା ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମସ୍ତ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ପ୍ରଦାନ କରିବେ । କମିଟିର ସୁପାରିଶ ଆଧାରରେ ଓ ଉଚିତ ଯାଞ୍ଚ ପରେ କେନ୍ଦ୍ର ସରକାର ଏହି ସମସ୍ତ ଖେଳାଳି, କୋଚ, ବିଶ୍ବବିଦ୍ୟାଳୟ ଓ ସଂସ୍ଥାମାନଙ୍କୁ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।
ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ଚଢ଼ାଉ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ସବୁଠାରୁ ବଡ ରେଡ। ଗନ୍ଦିଆ ତହସିଲ ନିହଲ ପ୍ରସାଦ ବେଆଇନ ପାହାଡ ଓ ପଥର ଖଣି ଗୁଡ଼ିକରେ ପ୍ରଶାସନର ଜୋରଦାର ଚଢ଼ାଉ । ତିନି ଦିନ ହେଲା ଚାଲିଛି ରେଡ । ଏଯାବତ ବେଆଇନ କାରବାର ଅଭିଯୋଗରେ ୬ ଜିଲ୍ଲାର ୨୧ ଖଣି ମାଫିଆଙ୍କୁ ପ୍ରଶାସନ ବାନ୍ଧିଲାଣି । ୧୭ ଟ୍ରକ୍ ସମେତ ଗୋଟିଏ କାର ଓ ବାଇକ୍ ଜବତ ହୋଇଛି । ସଂରକ୍ଷିତ ଜଙ୍ଗଲରେ ଥିବା ଖଣି ଖାଦାନରୁ ମାଫିଆ ଖଣି ଲୁଟ କରୁଥିବା ଅଭିଯୋଗ ହୋଇଥିଲା । ୧୬୩ ଧାରା ଜାରି ସତ୍ତ୍ବେ ନିଶ୍ଚିନ୍ତା ପାହାଡକୁ କାଟି କଳା ପଥର ଲୁଟ କରୁଥିଲେ ଢେଙ୍କାନାଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର,କଟକ,ଖୋର୍ଦ୍ଧା,ଓ ଭଦ୍ରକ ଖଣି ମାଫିଆ । ଏହାପରେ ଏନଜିଟି ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନର ତିନିଟି ବିଭାଗ ରେଡ ଆରମ୍ଭ କରିଥିଲେ । ଏଥିରେ ପୋଲିସ ସହ ରାଜସ୍ବ ଓ ବନ ବିଭାଗ ସାମିଲ ଅଛନ୍ତି । ଏକସାଙ୍ଗରେ ୯୦ ଜଣ କର୍ମଚାରୀ ରେଡ କରୁଛନ୍ତି । ଜିଲ୍ଲାପାଳ କହିଛନ୍ତି, ଏହି ଚଢାଉ ଜିଲ୍ଲାର ପ୍ରତ୍ଯେକ ଅଞ୍ଚଳରେ ହେବ । ଆଠଟି ତହସିଲରେ ଥିବା ବେଆଇନ ଖଣି କ୍ରସର ଗୁଡ଼ିକରେ ରେଡ ହେବ। ଖଣି ମାଫିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆମେରିକା ନ୍ୟୁ ଅର୍ଲିନ୍ସରେ ଆଖିବୁଜା ଗୁଳିମାଡ଼ ଘଟଣାରେ ମୃତ୍ୟୁ ସଂଖ୍ଯା ୧୫କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷକୁ ନେଇ ସମଗ୍ର ବିଶ୍ବରେ ଉତ୍ସବର ମାହୋଲ ଥିବାବେଳେ ଆମେରିକାର ନ୍ୟୁ ଅର୍ଲିନ୍ସ ସହରରେ ଘଟିଛି ଅଘଟଣ। ନୂଆବର୍ଷ ପାଳନ ବେଳେ ଦ୍ରୁତ ଗତିରେ ମାଡିଆସିଥିଲା ଏକ ଟ୍ରକ। କେହି କିଛି ବୁଝିବା ଆଗରୁ ଲୋକଙ୍କ ଉପରେ ଟ୍ରକଟି ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରୁ ଓହ୍ଲାଇ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣକାରୀକୁ ଗୁଳି କରି ମାରିଦେଇଛି। ତେବେ କାହିଁକି ଏଭଳି କାଣ୍ଡ ଘଟାଇଲା ତାହା ସ୍ପଷ୍ଟ ହୋଇପାରିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ISIS ଆତଙ୍କୀ ଲିଙ୍କର ଗନ୍ଧ ବାରିଲା ତଦନ୍ତକାରୀ ସଂସ୍ଥା ଏଫବିଆଇ। ନାଗରିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ଵାରୋପ କଲେ ରାଷ୍ଟ୍ରପତି ବାଇଡେନ।

