spot_img
Home Blog Page 120

ବିନା ପ୍ରଦୂଷଣ ପ୍ରମାଣପତ୍ରରେ ପରିବହନ ବିଭାଗରେ ଚାଲୁଛି ମାଳ ମାଳ ଗାଡ଼ି: ଉତ୍ତର ରଖିଲେ ପରିବହନ ମନ୍ତ୍ରୀ

ବିନା ପ୍ରଦୂଷଣ ପ୍ରମାଣ ପତ୍ରରେ ଖୋଦ ସରକାରଙ୍କ ପରିବହନ ବିଭାଗରେ ଚାଲୁଛି ମାଳ ମାଳ ଗାଡ଼ି। ଆଜି ବିଧାନସଭାର ଏକ ଅଣତାରା ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଖୋକୋଦ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଖୋଦ ସରକାରଙ୍କ ନିଜସ୍ବ ଓ ଭଡ଼ାରେ ପରିବହନ ବିଭାଗରେ ଚାଲୁଛି ୨୪୨ଟି ଗାଡ଼ି। ଏସବୁ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ବା PUCC ଗତ ଡିସେମ୍ବର ୨୨ ତାରିଖରୁ ସରିଗଲାଣି। ସେପଟେ ରାଜ୍ଯରେ ଗଡ଼ୁଥିବା ସ୍କୁଲ ଅଧିକାଂଶ ସ୍କୁଲ ବସ ଗୁଡ଼ିକର ଫିଟନେସ ସରିଗଲାଣି। ତଥାପି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିନା ଫିଟନେସ ପ୍ରମାଣ ପତ୍ରରେ ଗାଡ଼ି ଚଳାଉଛନ୍ତି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସ୍କୁଲ ବସର ଫିଟନେସ ଓ PUCC ଆବଶ୍ୟକ । ଏସବୁର ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ ସେହି ଗାଡିଗୁଡିକର RC ବାତିଲ ହେବ ବୋଲି ମନ୍ତ୍ରୀ ସଚେତନ କରାଇଦେଇଛନ୍ତି । ତେବେ ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି ବୋଲି ଡେଡଲାଇନ ଦିଆଯାଉନି ବୋଲି ମନ୍ତ୍ରୀ କଟାକ୍ଷ କରିଛନ୍ତି ।

ରାଜ୍ୟରେ ମାଳ ମାଳ ସୁନା ଖଣି, ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ରାଜ୍ୟରେ ମାଳ ମାଳ ସୁନା ଖଣି । ଗୃହରେ ଏକଥା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଧାୟକ ବିଜୟ ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ସେ କହିଛନ୍ତି, ରାଜ୍ୟରେ ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳ, କେଉଁଝର ଜିଲ୍ଲାର ଗୋପୁର-ଜଳଡ଼ିହି ଅଞ୍ଚଳ ଓ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନାପଥର ଥିବା ସନ୍ଧାନ ମିଳିଛି । ଏଠାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି । ଏହାବାଦ ଓଡିଶା ଖଣି ନିଗମ ଦ୍ବାରା ବିଭିନ୍ନ ପର୍ଯ୍ୟାୟରେ ପ୍ରାରମ୍ଭିକ ଅନୁସନ୍ଧାନ ପରେ ବିଭିନ୍ନ ସ୍ଥାନ ଗୁଡିକରେ ସୁନା ଥିବା ଅନୁମାନ କରାଯାଉଛି । ସେଗୁଡିକ ହେଲା କେନ୍ଦୁଝର ଜିଲ୍ଲାର ଗାଜିପୁର, ସଲେଇକଣା, ଡିମିରିମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଲକୁଚା, ମରେଡ଼ିହି ଓ ସୁଲେଇପାଟ ବା ଧୂସୁରା ପାହାଡ ଏବଂ ବାଦାମ ପାହାଡ ଅଞ୍ଚଳରେ ସୁନା ଥିବା ଅନୁମାନ କରାଯାଉଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଦିଗଝରଣ, ମାଲଡ଼ିହି, ଘୋଗର ଓ ଗିରିଙ୍ଗିକେଳା, କୋରାପୁଟ ଜିଲ୍ଲାର ରୋଙ୍ଗପନ୍ତ, ଗାରିଆ ଓ ଦଶମନ୍ତପୁର, ମାଲକାନଗିରି ଜିଲ୍ଲାର ସୁନାପଦର, କ୍ୟାଙ୍ଗ ଓ ଗୋବିନ୍ଦପଲ୍ଲୀ, ଅନୁଗୁଳ ଜିଲ୍ଲାର ମାଙ୍କଡଚୁଆଁ, ଟିକିର, ସୋମାକୋଇ, ବୌଦ୍ଧ ଜିଲ୍ଲାର କୁଦଗାଁ, ଜହ୍ନପଙ୍କ ଓ ରାମଗଡ ଅଞ୍ଚଳ, ସମ୍ବଲପୁର ଜିଲ୍ଲାର କେନ୍ଦୁଖୁଣ୍ଟି ଓ କୁନ୍ତରବାହଲ , ଦେବଗଡ ଜିଲ୍ଲାର ସୁନାକେନି, ନିକିତାମାଲ ଓ ଗାଇଲୋ ଅଞ୍ଚଳରେ ସୁନାପଥର ବିକ୍ଷିପ୍ତ ଭାବରେ ଥିବାର ଅନୁମାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଥାଇଲାଣ୍ଡରେ ଫସିଛନ୍ତି ୬ ଜଣ ଓଡିଆ ଶ୍ରମିକ: ୫ ଦିନ ହେଲା ଭୋକ ଉପାସରେ କାଟୁଛନ୍ତି ଦିନ

ଥାଇଲାଣ୍ଡରେ ଫସିଛନ୍ତି ୬ ଜଣ ଓଡିଆ ଶ୍ରମିକ । ପେଟପାଟଣା ପାଇଁ ଥାଇଲାଣ୍ଡ ଯାଇଥିବା କେନ୍ଦ୍ରାପଡ଼ା ରାଜକନିଆ ଅଞ୍ଚଳର ୬ ଜଣ ଯୁବକ ଫସି ଯାଇଛନ୍ତି । ଚାରି ମାସ ହେବ ସେମାନଙ୍କୁ ଟଙ୍କା ମିଳୁନି । ୫ ଦିନ ହେଲା ଭୋକ ଉପାସରେ ଦିନ କାଟୁଛନ୍ତି । ଘରକୁ ଫେରିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ୬ ଜଣ ଶ୍ରମିକ । ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ କୁଜିପୁରୁ ଗାଁର ଉମାକାନ୍ତ ସାହୁଙ୍କ ପୁଅ ଯଶବନ୍ତ ସାହୁ, ନୂଆଗାଁର ଜୟନ୍ତ ମଲିକ, ଉପୁଳାଇ ଗାଁର ପ୍ରଶାନ୍ତ ରାଉତ, କଟଣା ବଣିଆ ଗାଁର ହେମନ୍ତ କୁମାର ବେହେରା ଓ କୌଡିଆପାଳ ଗାଁର ମନୋରଞ୍ଜନ ସାହୁ ଥାଇଲାଣ୍ଡରେ ଫସିଯାଇଛନ୍ତି । ରୋଜଗାର ପାଇଁ ୨୦୨୫ ଅଗଷ୍ଟ ମାସରେ ୬ ଜଣ ଯୁବକ ଥାଇଲାଣ୍ଡ ଯାଇଥିଲେ । ଥାଇଲାଣ୍ଡ ଚୋନ ବୁରୀ ଅଞ୍ଚଳରେ ଏକ ପ୍ଲାଇ ଉଡ କମ୍ପାନୀରେ କାମ କରୁଥିଲେ । ହେଲେ ଚାରି ମାସ ହେବ କମ୍ପାନୀ ସେମାନଙ୍କୁ ଟଙ୍କା ଦେଉନି । ଛଅ ଦିନ ହେବ ଖାଇବାକୁ ଦେଉ ନାହିଁ । ଭିସା ଗୁଡିକ ଛଡାଇ ନେଇଯାଇଛନ୍ତି କମ୍ପାନୀ ମାଲିକ । ପାଖରେ ଟଙ୍କାଟିଏ ନାହିଁ । ଫଳରେ ଭୋକ ଉପାସରେ ପଡି ରହିଛନ୍ତି ୬ ଜଣ ଓ଼ଡ଼ିଆ ଶ୍ରମିକ l ଘରକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏପଟେ ଯଶବନ୍ତଙ୍କ ଘରେ କାନ୍ଦ ବୋବାଳିରେ ଫାଟି ପଡୁଛି । ଘରେ ଚୂଲି ଜଳୁନି । ୬ ଜଣ ପୁଅଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପୁରା ପରିବାର l

ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା

ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ଆକ୍ରମଣ କରିପାରେ ଆମେରିକା। ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ରହିଛି। କେବଳ ରାଷ୍ଟ୍ରପତି ଟ୍ରମ୍ପଙ୍କ ହଁକୁ ଅପେକ୍ଷା। ଅନ୍ତର୍ଜାତୀୟ ସ୍ତରରେ ଏହି ଆଶଙ୍କା ପ୍ରକାଶ ପାଇଛି। ଏହାର କାରଣ ହେଲା ୨୦୦୩ ଇରାକ ଯୁଦ୍ଧ ପରଠୁ ମଧ୍ୟପ୍ରାଚ୍ୟରେ ଆମେରିକାର ଏବେ ସବୁଠୁ ବଡ଼ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ବାୟୁସେନା ଓ ନୌସେନା ପ୍ରସ୍ତୁତ ହୋଇ ରହିଛନ୍ତି।

ପ୍ରସ୍ତୁତ ହୋଇ ରହିଛନ୍ତି ଯୁଦ୍ଧ ବିମାନ F 35, F22, F 15 ଓ F 16 । ଆହୁରି କେତେକ ଯୁଦ୍ଧ ବିମାନ ଆସୁଥିବା ଜଣାପଡ଼ିଛି। ତା ସହିତ ମୁତୟନ କରାଯାଇଛି ଏୟାର ଡିଫେନ୍ସ ସିଷ୍ଟମ। ଏପରି ହେଲେ ମଧ୍ୟପ୍ରାଚ୍ୟରେ ଦେଖାଯିବ ଅସ୍ଥିରତା। ଗାଜା ଯୁଦ୍ଧ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ବିଶ୍ଵରେ ଆଉ ଏକ ଯୁଦ୍ଧର ଆଶଙ୍କା ଦେଖା ଦେଲାଣି। ସେହିପରି ଆମେରିକାର ୧୩ଟି ଯୁଦ୍ଧ ଜାହାଜ ମଧ୍ୟପ୍ରାଚ୍ୟ ଓ ଭୂମଧ୍ୟସାଗରରେ ଅଛନ୍ତି। ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ବି ମୁତୟନ ହୋଇଛନ୍ତି। ତେବେ ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରୁ କିଛି ସକରାତ୍ମକ ଫଳ ବାହାରିଥିବା ଜଣାପଡ଼ିଛି। ଆମେରିକା ଚାହୁଁଛି, ଆଣବିକ କାର୍ଯ୍ୟକ୍ରମ ବନ୍ଦ କରୁ ଇରାନ। ତେବେ ତେହେରାନର କହିବା କଥା, ଆମେ ବୋମା ନୁହେଁ ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ଆମର କାର୍ଯ୍ୟକ୍ରମ।

ରାଜଧାନୀରେ ରେଭ ପାର୍ଟି: ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା

ରାଜଧାନୀରେ ରେଭ ପାର୍ଟି । ବାର ଗାର୍ଲଙ୍କ ଉପରେ ଉଡୁଛି ପୁଳା ପୁଳା ଟଙ୍କା । ରାତି ଅଧ ଯାଏଁ ଖୋଲି ଛାତି ଥରାଇ ଦେଉଛି ବାର । ଗରାଖ ଉଡାଉଛନ୍ତି ଲକ୍ଷାଧିକ ଟଙ୍କା । ରାଜଧାନୀ ଭୁବନେଶ୍ବରର ଏକ ବାରରେ ଗତକାଲି ଦେଖିବାକୁ ମିଳିଛି ଏ ଦୃଶ୍ୟ । ରାତି ସାଢ଼େ ୩ ପର୍ଯ୍ୟନ୍ତ ଖୋଲାଥିଲା ବାର । ଭିତରେ ଚାଲିଥିଲା ରେଭ ପାର୍ଟି । ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ ।

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା: ଏଥର ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଅଧିକ ପିଲା

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏଥର ୫ ଲକ୍ଷ ୬୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ କରାଯାଇଛି ୩ ହଜାର ୮୨ଟି ସେଣ୍ଟର । ୯ଟାରୁ ପରୀକ୍ଷା ଆରମ୍ଭ ଆରମ୍ଭ ହୋଇ ସାଢ଼େ ୧୧ଟା ୩୦ରେ ଶେଷ ହେବ। ପିଲାମାନେ ସାଢ଼େ ୮ଟାରୁ ହଲରେ ପ୍ରବେଶ କରିଥିଲେ । ତେବେ ସକାଳ ୯.୩୦ ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ସୁଯୋଗ ଦେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତା ପରେ ଆଉ ସୁଯୋଗ ଦିଆଯିବନି। ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌କାର୍ଡରେ କୌଣସି ତ୍ରୁଟି ରହିଥିଲେ, ପ୍ୟାରେଣ୍ଟ ସ୍କୁଲର ଶିକ୍ଷକଙ୍କ ପରାମର୍ଶ କ୍ରମେ ପିଲାଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ l କୌଣସି ପିଲା ଯେପରି ପରୀକ୍ଷା ଦେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଯତ୍ନଶୀଳ ହେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତି ପ୍ରଶ୍ନପତ୍ର ବୁକଲେଟ୍‌ର ପ୍ରତି ପ୍ରଶ୍ନରେ ୱାଟର ମାର୍କ ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲାଯାଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରାଯାଇଛି। ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସେଣ୍ଟ୍ରାଲ ସ୍ଟ୍ରାଡ୍ କରାଯିବା ସହ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କ ପକ୍ଷରୁ ଫ୍ଲାଇଂ ସ୍ପାଡ୍ ବ୍ୟବସ୍ଥା ହୋଇଛି। ପରୀକ୍ଷାକେନ୍ଦ୍ରକୁ କେବଳ ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କାହାରିକୁ ମୋବାଇଲ୍ ଫୋନ ନେବା ଉପରେ କଟକଣା କରାଯାଇଛି।

ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଡବଲ ଧୋକ୍କା: ଦିବ୍ୟଶଙ୍କର ମିଶ୍ର

ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରୁଥିବାରୁ ଆଜି ମଧ୍ୟ ବିଧାନସଭା ଠିକରେ ଚାଲିପାରି ନାହିଁ । ତେଣୁ ବାଚସ୍ପତି ସୁରମୀ ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗତ ଦୁଇଦିନ ଧରି ବିଜେଡି ବିଧାନସଭାରେ ଚାଷୀ ପ୍ରସଙ୍ଗ ଉଠାଇଥିବା ଦେଖିବାକୁ ମିଳୁଛି । ଡବଲ ଇଞ୍ଜିନ ସରକାର ଠିକ୍ ଦିଗରେ ଯାଇ ପାରୁନାହିଁ । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । କଳାହାଣ୍ଡି, ବରଗଡ଼ ପରି ସବୁ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ମନ୍ତ୍ରୀମାନଙ୍କର ବକ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ସରକାରଙ୍କ ଦାୟିତ୍ବହୀନତାକୁ ସୂଚାଉଛି । ଗରିବ ଚାଷୀଟିଏ ଯଦି ତା’ର ଉତ୍ପାଦିତ ଫସଲ ବିକ୍ରି କରିପାରିବ ନାହିଁ, ତେବେ ସେ ଚଳିବ କିପରି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ  କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଥିବା ଅଭିଯୋଗ କଲା ବିଜେଡି

ଆଜି ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ସଦସ୍ୟମାନେ ଗୃହରେ ନାରାବାଜି କରିବା ସହିତ ପ୍ଲାକାର୍ଡ କରି ସ୍ଲୋଗାନ ଦେଇଥିଲେ । ମଣ୍ଡି ବିଭ୍ରାଟକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଥିଲା । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ଅନୁରୋଧ କରିଥିଲେ ଓ ନିଜ ନିଜ ଆସନକୁ ଫେରିଯିବାକୁ ଗୃହର ସଦସ୍ୟମାନଙ୍କୁ କହିଥିଲେ । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ବିଧାୟକମାନେ ହଟ୍ଟଗୋଳ କରିଥିଲେ । ତେଣୁ ପରିସ୍ଥିତିକୁ ଦୃଷ୍ଟିର ରଖି ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ତେବେ ସରକାର ଚାଷୀ ମାରଣନୀତି ଅବଲମ୍ବନ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ଧାନ କିଣା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଅବ୍ୟବସ୍ଥିତ କରିଛନ୍ତି । ୮ରୁ ୧୨ କିଲୋ ପର୍ଯ୍ୟନ୍ତ କଟନି ଛଟନି ହେଉଛି । ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଛି । ଧାନର ଅଭାବୀ ବିକ୍ରି ହେଉଛି । ସରକାର ଧାନ କିଣିପାରୁ ନଥିବାରୁ ଚାଷୀମାନେ ୧୬୦୦/୧୭୦୦ ଟଙ୍କାରେ ଧାନ ବିକୁଛନ୍ତି  ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଅନ୍ୟପକ୍ଷରେ ସରକାର ପରିବର୍ତ୍ତନ ପରେ ଚାଷୀମାନେ ଲାଭବାନ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ସରକାର ମଧ୍ୟ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟରେ ଯେଉଁ ଚାଷୀମାନେ ଚାଷ ଛାଡ଼ିଦେଉଥିଲେ, ସେମାନେ ଏବେ ଚାଷ କଲେଣି ବୋଲି ବିଜେପି ବିଧାୟକ ପ୍ରକାଶ ସେଠୀ କହିଛନ୍ତି ।

ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି: ବିଜେଡି

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ

ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୫-୨୬ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଆର୍ଥିକ ବର୍ଷ ୨୦୨୬-୨୭ର ବଜେଟ ଉପସ୍ଥାପନ ଆସନ୍ତାକାଲି ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ। ତା ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ଆକଳନ କରାଯାଇଛି, 2025-26 ରେ ଆର୍ଥିକ ଅଭିବୃଦ୍ଧି ହାର 7.9 % ରହିବ। 2024-25 ରେ ଆର୍ଥିକ ଅଭିବୃଦ୍ଧି ହାର ଥିଲା 7.2 % । 2025-26 ର GSDP ୯.୯ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି।