spot_img
Home Blog Page 1187

ବିଜେଡି ସମାବେଶ ଦେଖି ବିଜେପି ଛାନିଆ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପ୍ରତି ଜନଶକ୍ତି ଓ ଜନମତ ପ୍ରତିଫଳିତ ହୋଇଛି । ନବୀନ ପଟ୍ଟନାୟକ ପ୍ରତି ଓଡ଼ିଶାବାସୀଙ୍କ କ୍ରେଜ ଅତୁଟ ରହିବା ସହ ବିଜେଡିକୁ ଶକ୍ତିଶାଳୀ କରିଛି । ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ଶାସନ ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସରକାରରେ ନାହିଁ ସମନ୍ବୟ । ଏଭଳି କହି ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ଓଡ଼ିଶାରେ ବିକାଶ ସଂପୂର୍ଣ୍ଣ ଠପ ହୋଇଛି ବୋଲି କହିଛି କଂଗ୍ରେସ । ତେବେ ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ଏବେ ବିଜେପି ମନରେ ଛନକା ପୂରାଇଛି ।

ଓଡ଼ିଶାରେ ଭୁଶୁଡ଼ି ପଡ଼ିଛି ଶାସନ ବ୍ୟବସ୍ଥା । ୭ ମାସରେ ଦିଗହରା ହେଲାଣି ସରକାର । କାହାର କାହା ମଧ୍ୟରେ ନାହିଁ ସମନ୍ନୟ । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ନିୟନ୍ତ୍ରଣ ବାହାରେ ଦରଦାମ୍, ଆତ୍ମହତ୍ୟା କରୁଛି ଚାଷୀ । ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ନେଇ କ୍ରୋଧରେ ଜର୍ଜରିତ ଜନତା । ବିଜେଡିର ଦରଦାମ ବୃଦ୍ଧି ପ୍ରତିବାଦ ସମାବେଶରେ ଏକାଠି ହୋଇ ସରକାର ବିରୋଧରେ ଦେଖିବାକୁ ମିଳିଛି ନାରାବାଜି । ରାଜଧାନୀରେ ଜନଶକ୍ତି ଓ ଜନମତର ହୋଇଛି ଶକ୍ତି ପ୍ରଦର୍ଶନ । ବିଜେପି ସରକାର ବିରୋଧରେ ଅସନ୍ତୋଷ ଜାହିର କରି ରାଜ୍ୟର ବିଭିନ୍ନ କୋଣରୁ ହଜାର ହଜାର ଜନତା ବିଜେଡି ପ୍ରତି ଦେଖାଇଛନ୍ତି ଅକୁଣ୍ଠ ସମର୍ଥନ ।

ଖାଲି ସେତିକି ନୁହେଁ, ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଲୋକପ୍ରିୟ ନେତା ଥିଲେ ଓ ରହିବେ ବୋଲି ପ୍ରମାଣିତ କରିଛି ଏହି ସମାବେଶ । ତେଣୁ ସରକାର ବେଳ ଥାଉ ଥାଉ ସୁଧୁରିଯିବା ସହ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ । ଏହାସହ ଦରଦାମ ନିୟନ୍ତ୍ରଣକୁ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ବିଜେଡିର ଶକ୍ତି ପ୍ରଦର୍ଶନକୁ ନେଇ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ବିଧାୟକ ସାରଦା ନାୟକ କହିଛନ୍ତି, ଦରଦାମ ବୃଦ୍ଧି ଯୋଗୁଁ କଂଗ୍ରେସ କ୍ଷମତାରୁ ହଟିଥିଲା । ଏବେ ସମାନ ସ୍ଥିତି ଭୋଗିବ ବିଜେପି । ଯାହା ସଙ୍କେତ ଦେଇ ସାରିଛନ୍ତି ଓଡ଼ିଶାବାସୀ । ସେହିପରି ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ କହିବା କଥା, ରାଜ୍ୟରେ ଶାସନ ବ୍ୟବସ୍ଥା ବୋଲି କିଛି ନାହିଁ । ଗାଁ ଓ ପଞ୍ଚାୟତରେ ୭ ମାସ ହେବ ବିକାଶ କାମ ସଂପୂର୍ଣ୍ଣ ଠପ । ଅନ୍ୟପଟେ ବିଜେଡି ସମାବେଶରେ ଜନସମୁଦ୍ର ଦେଖି ଛାନିଆ ହୋଇଛି ବିଜେପି । ହେଲେ ଦଳୀୟ ନେତା ଏହାକୁ ମାନିବାକୁ ନାରାଜ । ସେପଟେ କିନ୍ତୁ ରାଜନୈତିକ ସମୀକ୍ଷକ କହିଛନ୍ତି, ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଶାସକ ଦଳ ଉପରେ ଚାପ ପକାଇଛି ।

ଚାଷୀ ସମସ୍ୟାର ସମାଧାନଠାରୁ ଆରମ୍ଭ କରି ଦରଦାମ ନିୟନ୍ତ୍ରଣ, ସବୁଥିରେ ଫେଲ ମାରିଛି ବିଜେପି ସରକାର । ଯାହା ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଜେପି ସରକାର ବିଫଳ ହେବାରୁ ତୃଣମୂଳ ସ୍ତରରେ ଦାନା ବାନ୍ଧିଲାଣି ଅସନ୍ତୋଷ । ତେଣୁ ସରକାରକୁ ଆଟାକ କରିବାକୁ ବିରୋଧୀଙ୍କୁ ମିଳିଛି ମାଇଲେଜ୍ ।

ମିଳିନି ଅଦିନିଆ ବର୍ଷାଜନିତ କ୍ଷତିପୂରଣ, ଚାଷୀଙ୍କୁ ପ୍ରତାରଣା କରିଛନ୍ତି ସରକାର: ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ଚାଷୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ସରକାର । ଧାନମଣ୍ଡି ଅବ୍ୟବସ୍ଥାଠାରୁ ଆରମ୍ଭ କରି ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦେବା ଯାଏଁ ସବୁଠି ସରକାର ବିଫଳ । କେବଳ ଭାଷଣ ବାଜିରେ ସରକାର ଚାଲିଛି କହି କକ୍ଷାକ୍ଷ କରିଛି ବିଜେଡି । ସେହିପରି ଚାଷୀ ଓ ଅଦିନିଆ ବର୍ଷା କ୍ଷତିପୂରଣ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି କହିଛି ମୋହନ ସରକାର ଯାହା ଘୋଷଣା କରିଛନ୍ତି ତାହା ଚାଷୀଙ୍କୁ ମିଳିବ ।

ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ନାହିଁ ଦରଦ । ଧାନମଣ୍ଡି ସମସ୍ୟା ଓ ଅଦିନିଆ ବର୍ଷାର କ୍ଷତିପୂରଣ ନେଇ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ସାରଦା ନାୟକ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଯାହା କହନ୍ତି ତାହା କରନ୍ତିନି । ରାଜ୍ୟରେ କେବଳ କଥା କୁହା ସରକାର ଚାଲିଛି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ରାଜ୍ୟ ସରକାର କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ ହେବା ରାଜ୍ୟରେ ସରକାର ଚାଲୁ ନଥିବା ପରି ଅନୁଭବ ହେଉଛି । ସେହିପରି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ ବିଜେପି ସରକାର ଚାଷୀ ବିରୋଧୀ ।

ଚାଷୀ ପ୍ରସଙ୍ଗରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ କାଠଗଡ଼ାକୁ ଟାଣିବା ପରେ ଜବାବ ରଖିଛି ବିଜେପି । ବିଜେପି କହିଛି ମୋହନ ସରକାର ଯାହା ଘୋଷଣା କରନ୍ତି ତାହା ପାଳନ କରିବେ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସରକାର ବ୍ୟସ୍ତ ଅଛନ୍ତି । ଚାଷୀଙ୍କ ସମସ୍ୟା ପାଇଁ ଚିରାଚରିତ ଢଙ୍ଗରେ ବିଜେଡିକୁ ଦାୟୀ କରିଛି ବିଜେପି ।

ରାଜ୍ୟରେ ଅମଳ ସମୟରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ଯୋଗୁଁ ୯ରୁ ଅଧିକ ଚାଷୀ ଜୀବନ ହାରିଛନ୍ତି । ଯାହା କେବେ ଦେଖା ଦେଇ ନଥିଲା ରାଜ୍ୟରେ । ଏତେ ପରେ ମଧ୍ଯ ଚାଷୀଙ୍କ ସମସ୍ୟା ପ୍ରତି ସରକାର ଅଧିକ ଫୋକସ ନକରିବା ଚିନ୍ତାର କାରଣ ବୋଲି କହିଛନ୍ତି ବିରୋଧୀ ।

HMPV ପ୍ରତିଷେଧକ ବ୍ୟବସ୍ଥା କ’ଣ କରିଛ: ବିଜେଡି

ଭୁବନେଶ୍ବର: ଦେଶରେ ଗୋଟିଏ ପରେ ଗୋଟିଏ HMPV ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇଜଣ ଚିହ୍ନଟ ହୋଇଛନ୍ତି । ଭଲ ଖବର ହେଲା ଓଡ଼ିଶାରେ ଏହି ଭୂତାଣୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ତଥାପି ସତର୍କ ରହିବା ସହ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ହେବା ଜରୁରୀ । ତେଣୁ HMPVକୁ ନେଇ ଓଡ଼ିଶାରେ ପ୍ରତିଷେଧକ ବ୍ୟବସ୍ଥା କ’ଣ କରିଛନ୍ତି ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ବିଜେଡି । ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛି ବିଜେଡି । ଯେମିତି ଓଡ଼ିଶାବାସୀଙ୍କର କୌଣସି କ୍ଷତି ହେବ ନାହିଁ ସେଥିପାଇଁ ଚିନ୍ତା ପ୍ରକଟ କରିଛି ଦଳ ।

ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଦେଶର ୪ଟି ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାରେ ସେପରି କିଛି ପରିସ୍ଥିତି ନାହିଁ । ଚୀନରେ ଏହି ରୋଗରେ ହଜାରେ ଆକ୍ରାନ୍ତରୁ  ଅଢ଼େଇ ଶହରୁ ତିନି ଶହ ଲୋକ ମୃତ୍ୟୁ ମୁଖରେ ପଡୁଥିଲେ । ଦେଶ ବାହାରୁ ଲୋକେ ଆସୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଯେପରି ସେମିତି କୌଣସି ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ । କୋଭିଡ ସମୟରେ କେନ୍ଦ୍ର ଜାରି କରିଥିବା ଗାଇଡଲାଇନଠାରୁ ଦୁଇପାଦ ଆଗକୁ ଯାଇ ତତକାଳୀନ ବିଜେଡି ସରକାର ପ୍ରତିଷେଧକ ବ୍ୟବସ୍ଥା କରିଥିଲେ । ସେଥିପାଇଁ କୋଭିଡ ପରିଚାଳନାରେ ସାରା ଦେଶରେ ଓଡ଼ିଶା ସମସ୍ତଙ୍କଠାରୁ ଆଗରେ ରହିବା ସହ ଶ୍ରେଷ୍ଠ ରାଜ୍ୟ ପାଲଟି ଥିଲା । ଆମେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ, ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ, ଯାହାଦ୍ବାରା ଓଡ଼ିଶାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ।

କଟକର ଐତିହ୍ୟ ବୁଲି ଦେଖିବେ ପ୍ରବାସୀ ଭାରତୀୟ

କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ଓଡ଼ିଶା ଆଗମନ ଆରମ୍ଭ ହୋଇସାରିଛି । ଏହି ସମ୍ମିଳନୀରେ ଓଡିଶା ଆସୁଥିବା ଅତିଥିମାନେ ଐତିହାସିକ କଟକ ସହରର ୫ଟି ସ୍ଥାନ ବୁଲି ଦେଖିବେ । ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଯୋବ୍ରା ମାରିଟାଇମ ମ୍ୟୁଜିୟମ୍, ବାରବାଟୀ ଦୁର୍ଗ ପରିସର, ସିଲଭରସିଟି ବୋଟ କ୍ଲବ ଓ ଜୁଡିସିଆଲ ମ୍ୟୁଜିୟମ ସହ ଲଳିତଗିରି ଓ ମାଣିଆବନ୍ଧ ବୁଲି ଦେଖିବେ ପର୍ଯ୍ଯଟକ । ଏଥିପାଇଁ ଏସବୁ ସ୍ଥାନ ଓ ସହରର ସୁନ୍ଦର ସାଜସଜା କାମ ସରିଛି । ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସିଲଭର ସିଟି ବୋଟ କ୍ଲବରେ ଅତିଥି ଓ ସାଧାରଣ ଲୋକଙ୍କ ପାଇଁ ମହାନଦୀ ଫେଷ୍ଟିଭାଲ ଆୟୋଜନ କରାଯାଇଛି ।

କଟକ ସହର ବୁଲି ଦେଖିବେ ପ୍ରବାସୀ ଭାରତୀୟ । ଏଥିପାଇଁ ସଜେଇ ହେଲାଣି ସିଲଭର ସିଟି । ଭୁବନେଶ୍ବରରେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସୁଥିବା ଅତିଥିମାନେ ୩ ଦିନରେ କଟକ ସହରର ନେତାଜୀ ଜନସ୍ଥାନ ସଂଗ୍ରହାଳୟ, ବାରବାଟୀ ଦୁର୍ଗ, ସିଲଭରସିଟି ବୋଟ କ୍ଲବ, ନ୍ୟାୟିକ ମ୍ୟୁଜିୟମ, ଯୋବ୍ରା ମାରିଟାଇମ ମ୍ୟୁଜିୟମ ବୁଲି ଦେଖିବେ । ଏଥିପାଇଁ ଏସବୁ ସ୍ଥାନକୁ ସୁନ୍ଦର ଭାବେ ସଜା ଯିବା ସହିତ ଆଲୋକ ବ୍ୟବସ୍ଥା କରାଯାଇଛି । ଯେଉଁ ରାସ୍ତା ଦେଇ ସେମାନେ କଟକ ବୁଲିବେ ସେ ସବୁକୁ ପରିଷ୍କାର କରି ୱାଲ ପେଣ୍ଟିଂ କରାଯାଉଛି ।

କେବଳ ସେତିକି ନୁହେଁ ପ୍ରବାସୀ ଭାରତୀୟ ଲଳିତଗିରି ଯାଇ ସେଠାକାର ଐତିହାସିକ ଗୁମ୍ଫା ଓ ବୌଦ୍ଧ ପରମ୍ପରା ବୁଲି ଦେଖିବେ । ସେହିପରି ଶାଢୀ ବୁଣା ଦେଖିବାକୁ ମାଣିଆବନ୍ଧ ପରିଦର୍ଶନ କରିବେ । ଅନ୍ଯପକ୍ଷରେ କଟକ ସିଲଭର ସିଟି ବୋଟ କ୍ଲବରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ମହାନଦୀ ଫେଷ୍ଟିଭାଲ ଆୟୋଜିତ ହେଉଛି । କଟକ ପ୍ରସିଦ୍ଧ ଦହିବରା ଆଳୁଦମ, ଠୁଙ୍କାପୁରୀ ଖାଦ୍ଯର ପସରା ସାଙ୍ଗକୁ ଫିଲିଗିରି ଗହଣା ତିଆରି ଓ ମାଣିଆବନ୍ଧ ଶାଢୀ ବୁଣାର ଡେମୋ ସହ ପ୍ରଦର୍ଶନୀ ଲାଗିବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛି ସିଏମସି ଓ ଜିଲ୍ଲା ପ୍ରଶାସନ ।

ସଂସ୍କୃତି ଓ ପରମ୍ପରା ଆଗରେ ହାରିଲା ପ୍ରଶାସନିକ ସଚେତନତା, ରକ୍ତରେ ଭିଜିଲା ଶୁଲିଆ ପୀଠ

ବଲାଙ୍ଗୀର: ଆଦିବାସୀ ସଂସ୍କୃତି ଓ ପରମ୍ପରା ଆଗରେ ପୁଣି ହାର୍ ମାନିଲା ପ୍ରଶାସନର ସଚେତନତା । ପଶୁପକ୍ଷୀଙ୍କ ରକ୍ତରେ ଭିଜିଲା ଶୁଲିଆ ପୀଠ । ମାନସିକ ପୂରଣ ପାଇଁ ପଡିଲା ହଜାର ହଜାର ସଂଖ୍ୟାରେ ବଳି । ବିଧି ରକ୍ଷା କଲେ ଶ୍ରଦ୍ଧାଳୁ, ଦର୍ଶକ ସାଜି ଛିଡା ହୋଇ ରହିଲା ପୋଲିସ ପ୍ରଶାସନ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତର ଖଇରଗୁରା ଓ କୁମରିଆ ଶୁଳିଆ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଶୁଲିଆ ଯାତ୍ରା ।

ଶୁଲିଆ ପୀଠରେ ମାନସିକ ପୂରଣ ପାଇଁ ପଡ଼ିଲା ହଜାର ହଜାର ସଂଖ୍ଯାରେ ପଶୁ ପକ୍ଷୀଙ୍କ ବଳି । କନ୍ଧ ଆଦିବାସୀ ସମ୍ପ୍ରଦାୟର ଇଷ୍ଟ ଦେବତା ଶୁଲିଆ । ଆଦିବାସୀଙ୍କ ଅଗାଢ ବିଶ୍ବାସ ରହିଛି ଶୁଲିଆ ବୁଢା ନିକଟରେ ମୁଣ୍ଡିଆ ମାରି ଯାହା ମାନସିକ କଲେ ପୂର୍ଣ୍ଣ ହୋଇଥାଏ । ତେଣୁ ମାନସିକ ପୂରଣ ପରେ ଭୋଗ ଭାବରେ ଶୁଲିଆ ପୀଠରେ ବଳି ଚଢାଯାଇଥାଏ । ବିଶ୍ବାସ ଓ ଭକ୍ତି ନେଇ ଖାଲି ବଲାଙ୍ଗୀର ଜିଲ୍ଲା ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏଠାକୁ ଧାଇଁ ଆସିଥାନ୍ତି ଆଦିବାସୀ ସମ୍ପ୍ରସାଦାୟର ହଜାର ହଜାର ଲୋକ  ।କିଏ ପୋଢ ତ କିଏ ମେଣ୍ଡା, ବୋଦା, କୁକୁଡା, ପାରା ବଳି ଚଢାଇଥାନ୍ତି ।

ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ ହୋଇଥାଏ । ଏଥିପାଇଁ ଶୁଲିଆ ପୀଠର ବଡଖଳା ଓ ସାନଖଳାଠାରେ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସକାଳୁ ପାରମ୍ପରିକ ଭାବେ ପୂଜକ ଓ ବରୁଆ ଶୋଭାଯାତ୍ରାରେ ବାହାରି ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ଧଳା କୁକୁଡା ବଳି ଦେବା ପରେ ପାଟ ବୋଦା ବଳି ପଡିଥିଲା । ପରେ ମାନସିକଧାରୀମାନେ ଆଣିଥିବା ପଶୁ ପକ୍ଷୀ ବଳି ପଡିଥିଲା । ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

ଋଣ କିସ୍ତି ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା

କେନ୍ଦୁଝର: ଋଣ କିସ୍ତି ଆଦାୟ କରିବାକୁ ଯାଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଗାଡି ଚଢ଼ାଇ ହତ୍ୟା । ଏମିତି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ବଂଶପାଳରୁ । ବାଇକ୍ ଋଣ ଆଦାୟ କରିବାକୁ ଯାଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବୋଲେରୋ ଚଢ଼ାଇ କରାଯାଇଛି ହତ୍ୟା । ବଂଶପାଳ ବ୍ଲକ ନୟାକୋଟ ଥାନା ଲୁହାକଳା ରଙ୍ଗମାଟିଆ ସାହିର ରାମସିଂ ମୁଣ୍ଡା ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ସଦର ଥାନା ବନେଇକଳାର ବାସିନ୍ଦା ବୁବୁ ମହାନ୍ତ ।

ଅଭିଯୋଗ ଅନୁସାରେ, ରାମସିଂ ଫାଇନାନ୍ସରେ ବାଇକ୍ କିଣିଥିଲେ । ଏହା ବାବଦକୁ  ୪ଟି ଋଣ କିସ୍ତି ଖିଲାପ ଥିଲା । ଗତକାଲି ଫାଇନାନ୍ସର କମ୍ପାନୀ କର୍ମଚାରୀ ବୁବୁ ମହାନ୍ତ ଏବଂ ମନୋଜ କୁମାର ମହାନ୍ତ ଟଙ୍କା ଆଦାୟ କରିବା ପାଇଁ ରାମସିଂ ମୁଣ୍ଡାଙ୍କ ଘରକୁ ଯାଇଥିଲେ । ଟଙ୍କା ଆଦାୟକୁ ନେଇ ସେଠାରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଖରେ ଟଙ୍କା ନାହିଁ, ବାଟରେ ଟଙ୍କା ଉଠାଇ ଦେବେ ବୋଲି ରାମସିଂ କହିଥିଲେ ।

ଏହାପରେ ଫାଇନାନ୍ସ କମ୍ପାନୀର ଦୁଇ କର୍ମଚାରୀ ବାଇକ୍ ଧରି ଆଗେ ଆଗେ ଆସୁଥିବା ବେଳେ ରାମସିଂ ବୋଲେରୋରେ ପଛରେ ଆଓୁଥିଲେ । ଗାଁଠାରୁ କିଛି ଦୂର ଯିବା ପରେ ଜଙ୍ଗଲିଆ ରାସ୍ତାରେ ରାମସିଂ ତାଙ୍କ ବୋଲେରୋକୁ ବାଇକ ସହ ଧକ୍କା ଦେଇଥିଲେ । ଫଳରେ ବୁବୁ ମହାନ୍ତ ବାଇକରୁ ଛିଟିକି ପଡ଼ି ଯାଇଥିଲେ । ଏହା ପରେ ରାମସିଂ, ବୁବୁଙ୍କ ଉପରେ ବୋଲେରୋ ଚଢ଼ାଇ ତାଙ୍କୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଫେବୃଆରୀ ୫ରେ ମତଦାନ

ନନ୍ଦିଘୋଷ ବ୍ୟୁରୋ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ । ମଙ୍ଗଳବାର ନିର୍ବାଚନ କମିଶନ ପ୍ରେସମିଟ କରିଥିବାବେଳେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନ ।

ଜାନୁଆରୀ ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ

ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ

ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର

ଫେବୃଆରୀ ୫ରେ ମତଦାନ

ଫେବୃଆରୀ ୮ରେ ଗଣତି

ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ବାଛିବା ଚୟନକର୍ତ୍ତାଙ୍କ ପାଇଁ ହୋଇପାରେ ମୁଣ୍ଡବିନ୍ଧା!

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ୧୯ରୁ ଖେଳାଯିବ ଆଇସିସି ଚାମ୍ପିୟନ୍ସ ଟ୍ରଫି । ହାଇବ୍ରିଡ୍ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ବାଛିବା ଚୟନକର୍ତ୍ତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏବେ ଦଳର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ରହିଛି ଦଳ କିଭଳି ବଛାଯିବ ତାହା ଚିନ୍ତାର ବିଷୟ । ଏମିତି ଏକ ସମୟରେ ସିନିୟରଙ୍କୁ ବାଦ ଦିଆଯିବ ନାଁ ଦଳରେ ସ୍ଥାନ ମିଳିବ ତାହା ଚର୍ଚ୍ଚାର ବିଷୟ । କୁହାଯାଉଛି କି, ବିରାଟ ଏବଂ ରୋହିତଙ୍କ ସ୍ଥାନ ଦଳରେ ପକ୍କା ।

ରୋହିତଙ୍କ ସହ ଗିଲ ଓପନିଂ କରିବେ ଏବଂ ବିରାଟ ଫାଷ୍ଟ ଡାଉନରେ ଖେଳିବେ । ଚତୁର୍ଥ ସ୍ଥାନରେ ପନ୍ଥ ଖେଳିବେ । ଏହା ଏକପ୍ରକାରର ନିଶ୍ଚିତ ବୋଲି କୁହାଯାଇଛି । ସେପଟେ ପଞ୍ଚମ ସ୍ଥାନରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟାର ବିକଳ୍ପ ହୋଇପାରନ୍ତି । ଶ୍ରେୟସ ଏବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଛନ୍ତି । ଏଣୁ ତାଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି । ଅନ୍ୟପଟେ ଷଷ୍ଠ ସ୍ଥାନରୁ ଅଲରାଉଣ୍ଡ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ବିକଳ୍ପ ହେବେ । ବୋଲରଙ୍କ ମଧ୍ୟରେ ସାମି, ବୁମରା ପ୍ରଥମ ବିକଳ୍ପ ହେବ । ପ୍ଲେଇଙ୍ଗ ୧୧କୁ ନେଇ ଏମିତି କୁହାଯାଉଥିବାବେଳେ ଦଳର ପ୍ରଦର୍ଶନ କଣ ହେବ ତାହା ମୁଖ୍ୟ ବିଷୟ ।

ଓଡ଼ିଶା ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି : ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଟାର୍ଗେଟ କରିଛନ୍ତି । ଓଡ଼ିଶା ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି । କାଲି ଓଡ଼ିଶାର ଜନଶକ୍ତି ଓ ଜନମତର ଶକ୍ତି ପ୍ରଦର୍ଶନ ଥିଲା  । ସରକାରଙ୍କ ମିଥ୍ୟା ପ୍ରତିଶୃତିର କ୍ରୋଧ କାଲି ସମାବେଶରେ ଦେଖିବାକୁ ମିଳିଥିଲା  । ୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ହଜାର ହଜାର ସଂଖ୍ୟକ ଲୋକ ଏଥିରେ ସାମିଲ ହୋଇଥିଲେ । ସରକାର ଦିଗହରା ହୋଇଯାଇଛନ୍ତି । କଥାରେ କାର୍ଯ୍ୟରେ କେଉଁଥିରେ ମଧ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ନାହିଁ  । ଯାହାପାଇଁ ଓଡ଼ିଶାବାସୀମାନେ ଭୋଗୁଛନ୍ତି  । ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି  । କାଲିର ସମାବେଶ ନବୀନ ଲୋକପ୍ରିୟତାର ପରିଚୟ ଦେଇଛି  ।

ଦଳରେ ଯୋଗ ଦେଲେନି ବୋଲି ଯୋଗ୍ୟଙ୍କୁ କରିଦେଲେ ଅଯୋଗ୍ୟ ହିତାଧିକାରୀ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଦଳରେ ଯୋଗ ନ ଦେଲେ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ କରି ଦିଆଯାଉଛି । ଲିଷ୍ଟରେ ନାମ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ କାଟି ଦେଉଛନ୍ତି ସରପଞ୍ଚଙ୍କ ପ୍ରତିନିଧି । ଏମିତି କିଛି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଳକର ଉତୁକୁଡା ପଞ୍ଚାୟତରୁ । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ଚକିଆ ସାହିର ରଞ୍ଜନ ବେହେରା ଜଣେ ଖଟିଖିଆ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବହୁବାର ଆବେଦନ କରିଥିଲେ ରଞ୍ଜନ । ମାତ୍ର ରାଜନୈତିକ ଉଦ୍ଦେଶ୍ଯ ରଖି ହିତାଧିକାରୀଙ୍କ ତାଲିକାରୁ ରଞ୍ଜନଙ୍କ ନାମକୁ ବାଦ ଦିଆଯିବା ସହ କିଛି ଅଯୋଗ୍ୟ ଲୋକଙ୍କୁ ଯୋଗ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି ରଞ୍ଜନ । ପ୍ରଥମେ ଏ ବିଷୟରେ ଚାନ୍ଦବାଲି ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା ।

ପରେ ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କ ତାଲିକା ସ୍ଥଗିତ ରଖି ପୁନଃଯାଞ୍ଚ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ରଞ୍ଜନ । ବିଡିଓ ଉଚ୍ଚ ନ୍ଯାୟାଳୟଙ୍କ ନୋଟିସ ପାଇବା ପରେ ଅଟକିଲା ସମସ୍ତ ହିତାଧିକାରୀଙ୍କ ଘର କାର୍ଯ୍ଯ । ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ସରପଞ୍ଚଙ୍କ ପ୍ରତିନିଧିଙ୍କ ସମେତ ବିଜେପିର ଶତାଧିକ କର୍ମୀ ରଞ୍ଜନଙ୍କ ଘର ନିକଟରେ ପହଞ୍ଚି କଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଷ୍ଟେ କରିଛୁ ବୋଲି ପ୍ରଶ୍ନ କରିବା ସହ ଗାଳି ଗୁଲଜ କରିଥିଲେ । ଏଥିରେ ଭୟଭୀତ ହୋଇ ରଞ୍ଜନ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦବାଲି ଥାନା ଅଧିକାରୀ ଘଟଣାସ୍ଥଳକୁ ପୋଲିସ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ମଧ୍ୟ ଏବେବି ଭୟଭୀତ ଅବସ୍ଥାରେ ରଞ୍ଜନଙ୍କ ପରିବାର । ରଞ୍ଜନଙ୍କୁ ପୋଲିସ ସୁରକ୍ଷା ସହ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ରଞ୍ଜନଙ୍କ ମାଆ । ଅନ୍ୟପଟେ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କ ପରିବାର ଆଗରୁ ଆବାସ ପାଇଥିବାରୁ ସେ ଯୋଜନାରୁ ବାଦ ପଡିଛନ୍ତି ବୋଲି କହି ସଫେଇ ଦେଇଛନ୍ତି ।