spot_img
Home Blog Page 1168

କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ନାଁରେ ଆସିଥିବା ଅନାସ୍ଥା : କୋରମ ଅଭାବରୁ ରଦ୍ଦ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଅନାସ୍ଥା ଆଜି କୋରମ ଅଭାବରୁ ରଦ୍ଦ ହୋଇଛି ।  ପଦ ବଜାୟ ରଖିଲେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ।ଗତ କିଛିମାସ ତଳେ ବିଜେଡି ସମର୍ଥିତ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଙ୍କ ନାମ ରେ ବ୍ଲକ ର କିଛି ସରପଞ୍ଚ ଓ ସମିତିସଭ୍ୟ କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ  । ଯାହାକୁ ନେଇ ଆଜି ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ  କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ରେ ଅନାସ୍ଥା ସମ୍ପର୍କିତ ଭୋଟ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା  । କିନ୍ତୁ ଆଜି ଅନାସ୍ଥା ବେଳେ ମାତ୍ର ଆଠ ଜଣ ଙ୍କୁ ଛାଡି ଆଉ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ନଥିଲେ ।

କାମାକ୍ଷାନଗର ବ୍ଲକ ରେ ମୋଟ ୪୫ ଜଣ ସଦସ୍ୟ ଅନାସ୍ଥା ରେ ଭାଗ ନେବାକୁ ଥିବାବେଳେ ଅନାସ୍ଥା ପାଇଁ ମାତ୍ର ୮ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଯାହାକୁ ନେଇ ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ଦାୟିତ୍ୱ ରେ ଥିବା କାମାକ୍ଷାନଗର ତହସିଲଦାର କୋରମ ଅଭାବରୁ ଅନାସ୍ଥା ରଦ୍ଦ ହେବା ସହ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ପଦ ବଜାୟ ରଖିବା ନେଇ ସୂଚନା ଦେଇଛନ୍ତି । ଫଳରେ   ଦୀର୍ଘ ବର୍ଷ ଧରି କ୍ରମାଗତ ଭାବ ରେ କାମାକ୍ଷାନଗର ବ୍ଲକ ରେ ବିଜେଡି ପୁଣି ଥରେ ପଦ ବଜାୟ ରଖିଛି । ତେବେ ଅନାସ୍ଥା ରଦ୍ଦ ହେବା ପରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ କାମାକ୍ଷାନଗର ଅଞ୍ଚଳର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ କହିଛନ୍ତି  ।

ଓମଫେଡକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର !, ରାଜ୍ୟ ବିଜେପି ସରକାରର ଚାଷୀ ମାରଣ ନୀତି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଜାତି ଓ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଜାଣିଶୁଣି ଓଡ଼ିଆ ଦୁଗ୍ଧ ଚାଷୀ ମାରଣ ନୀତି ଆପଣାଇଛନ୍ତି । ଓଡ଼ିଶାରେ ଗୁଜୁରାଟର ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲକୁ ସମୃଦ୍ଧ କରିବା ସହ ନିଜସ୍ୱ ସଂସ୍ଥା ଓମଫେଡକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି ସରକାର । ବାରମ୍ବାର ଦାବି ସତ୍ତ୍ୱେ ଓମଫେଡ କ୍ଷୀର ର ଦାମ ବଢ଼ାଯାଉନାହିଁ। ଓଡ଼ିଶାରେ ଆଧିପତ୍ୟ ବଢ଼ାଇ ଚାଲିଛି ଅମୂଲ । ଓମଫେଡରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି । ଦୁଗ୍ଧ ଚାଷୀ ମହାସଂଘ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଲୋକ ସୁରକ୍ଷା ମଞ୍ଚ ଏ ପ୍ରସଙ୍ଗରେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି।

ରାଜ୍ୟ ସରକାରଙ୍କ ଦୁଗ୍ଧ ଚାଷୀ ମାରଣ ନୀତି । ଓମଫେଡକୁ ଦୁର୍ବଳ କରିବାକୁ ପ୍ରୟାସ ।  ଦାବି ସତ୍ତ୍ୱେ ବଢ଼ାଯାଉନି ଓମଫେଡ୍ କ୍ଷୀର ଦର । ଓଡ଼ିଶାରେ ଆଧିପତ୍ୟ ବିସ୍ତାର କରୁଛି ଗୁଜରାଟ କମ୍ପାନୀ । ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟ ରାଜ୍ୟ ସ୍ୱାର୍ଥକୁ ଲାଗିପାତି ରକ୍ଷା କରିବାକୁ ଓଡ଼ିଶାର ବିଜେପି ସରକାର ଉଦ୍ୟମ କରୁଥିବା ବଡ଼ ଅଭିଯୋଗ ହୋଇଛି। ପୋଲାଭରମ, ମହାନଦୀ, କୋଟିଆ ଓ ରେଳବାଇର ୱାଲଟିୟର ଡିଭିଜନ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥିବା ବେଳେ ଏବେ ଦୁଗ୍ଧ କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଛି।  ଓଡ଼ିଶାର ନିଜସ୍ୱ ସଫଳ ଦୁଗ୍ଧ ଉତ୍ପାଦନ ସଂସ୍ଥା ଓମଫେଡକୁ ତଳିତଳାନ୍ତ କରି ଗୁଜୁରାଟର ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଅମୂଲକୁ ସମୃଦ୍ଧ କରିବାକୁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି। ଏବେ ଓମଫେଡକୁ ଦୁଗ୍ଧ ଯୋଗାଣ ୬ ଲକ୍ଷ ୩୦ ହଜାର ଲିଟରରୁ ଖସି ୩ ଲକ୍ଷ ୧୦ ହଜାର ଲିଟରରେ ପହଞ୍ଚିଲାଣି। ରାଜ୍ୟରେ ଓମଫେଡକୁ ଜାଣିଶୁଣି ରୁଗଣ କରିବାକୁ ସରକାର ପ୍ରୟାସ କରୁଥିବାର ବଡ଼ ଅଭିଯୋଗ ଆଣିଛି ଦୁଗ୍ଧ ଚାଷୀ ମହାସଂଘ। ଚାଷୀଙ୍କୁ ଦୁଗ୍ଧର ଉଚିତ ମୂଲ୍ୟ ନ ଦେଲେ ଓମଫେଡ୍ ଇତିହାସ ହୋଇଯିବ ବୋଲି ଚେତାଇ ଦେଇଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ।

ଓମଫେଡ୍ ଚାଷୀଙ୍କୁ କ୍ଷୀର ଲିଟର ପିଛା ୩୫ ଟଙ୍କା ୫ ପଇସା ଦେଉଥିବା ବେଳେ ଅମୂଲ ଲିଟର ପିଛା ଚାଷୀଙ୍କୁ ୫୦ ଟଙ୍କା, ପ୍ରଗତି ୪୨ ଟଙ୍କା, ମିଲକୀ ମୁ ୪୨ ରୁ ୪୫ ଟଙ୍କା ଦେଉଛି।  ରାଜ୍ୟର ଓମଫେଡ୍ ସୋସାଇଟି ଗୁଡ଼ିକ ଏବେ ରୁଗଣ ଅବସ୍ଥାରେ। ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଭାଗ୍ୟ ଏବଂ ଓମଫେଡକୁ ଏନଡିଡିବି ଓ ଅମୂଲ ହାତକୁ ଟେକିଦିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ସରକାରଙ୍କ ଏଭଳି ଦୁଗ୍ଧ ଚାଷୀ ମାରଣ ନୀତି ଓ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇବାକୁ ନେଇ ସାଧାରଣ ଲୋକେ ଓ ଜନ ସଂଗଠନ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଯାହାକି ଓମଫେଡ୍ କ୍ଷେତ୍ରରେ ପ୍ରତିଫଳିତ ହେଉଛି ବୋଲି ଅଭିଯୋଗ କରିଛି ଲୋକ ସୁରକ୍ଷା ମଞ୍ଚ । ଦୁଗ୍ଧ ଚାଷୀଙ୍କୁ ହତାଶ କରିବା ଏବଂ ଓମଫେଡକୁ ବନ୍ଦ କରିବାର ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ରାଜ୍ୟରେ ବଡ଼ ଜନ ଜାଗରଣ ସୃଷ୍ଟି କରିବ ଲୋକ ସୁରକ୍ଷା ମଞ୍ଚ।

ଦୁଗ୍ଧ ଚାଷୀଙ୍କୁ କ୍ଷୀରର ଉଚିତ ମୂଲ୍ୟ ଦେଉନାହାନ୍ତି ରାଜ୍ୟ ସରକାର, ସୁଲଭ ମୂଲ୍ୟରେ ଗୋଖାଦ୍ୟ କିମ୍ବା ପ୍ରାଣୀସମ୍ପଦର ଚିକିତ୍ସା ଦାୟିତ୍ୱ ବି ନେଉନଥିବା ଅଭିଯୋଗ ହେଉଛି । ଚାଷୀଙ୍କୁ କ୍ଷୀର ଲିଟର ପିଛା ୪୦ ଟଙ୍କା ନ ଦେଲେ ଓ ମାଗଣା ଚିକିତ୍ସା ଓ ଗୋଖାଦ୍ୟ ଯୋଗାଇ ନ ଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି।

ମନମୋହୁଛି ଡୁଡୁମା ଜଳପ୍ରପାତ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ମାନଚିତ୍ରରେ କୋରାପୁଟ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି  ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ସେଥି ମଧ୍ୟରୁ ମାଛକୁଣ୍ଡ ଡୁଡୁମା ଅନ୍ୟତମ । ବର୍ଷସାରା ପର୍ଯ୍ୟଟକମାନେ ଡୁଡୁମା  ଜଳ ପ୍ରପାତକୁ ଦେଖିବାକୁ ଆସିଥାନ୍ତି । ପର୍ଯ୍ୟଟନ ଋତୁ ଆସିଲେ  ଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ। କୋରାପୁଟ ଜିଲ୍ଲା ମାଛକୁଣ୍ଡରେ ରହିଛି ପ୍ରସିଦ୍ଧ ଡୁଡୁମା ଜଳପ୍ରପାତ। ଜଳ ପ୍ରପାତର ଘୋ ଘୋ ନାଦ ସାଙ୍ଗକୁ ପାହାଡ ପର୍ବତ ମାଳାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଜଳ ପ୍ରପାତର ଚାରି ପାର୍ଶ୍ଵରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ  ଜିଲ୍ଲା ଠାରୁ ଆରମ୍ଭ କରି  ରାଜ୍ୟ ଓ ଦେଶରୁ ବହୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନସ୍ଥଳୀରେ ପହଞ୍ଚି କିଏ ସାଙ୍ଗସାଥିଙ୍କ ସହିତ ବଣ ଭୋଜି କରେ ତ କିଏ ସପରିବାର ସହିତ  ଡୁଡୁମାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ।

କୋରାପୁଟ ଜିଲ୍ଲା ସଦର ମହକୁମା ଠାରୁ ୯୦ କିଲୋମିଟର ଓ ଜୟପୁର ଠାରୁ ୭୦ କିଲୋମିଟର ଦୂରରେ ରହିଛି ମାଛକୁଣ୍ଡ ଡୁଡୁମା ଜଳ ପ୍ରପାତ। ଏଠାକୁ ଯିଏ ଥରେ ଆସନ୍ତି ବାରମ୍ବାର ଏହି ସ୍ଥାନକୁ ଆସିବାକୁ ଇଚ୍ଛା ପ୍ରକାଶ କରନ୍ତି।  ବିଡମ୍ବନାର ବିଷୟ ଯେ ଏଠାକୁ ଆସିବାକୁ ପର୍ଯ୍ୟଟକ ମାନେ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ କରିଛନ୍ତି। ପର୍ଯ୍ୟଟନସ୍ଥଳର ଉନ୍ନତିକରଣ ପାଇଁ ଦାବି ହୋଇଛି ।

 

ୟୁଜିସି ଚିଠା ପ୍ରସ୍ତାବକୁ ନେଇ କଡ଼ା ବିରୋଧ,ଶୈକ୍ଷିକ ବାତାବରଣ ନା ରାଜନୀତିର ପ୍ରୟୋଗଶାଳା ହେବ ୟୁନିଭରସିଟି ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନୂଆ ଚିଠା ପ୍ରସ୍ତାବକୁ ନେଇ ତେଜିଲାଣି ବିବାଦ । କୁଳପତି ନିଯୁକ୍ତିରେ ଶିକ୍ଷାବିତଙ୍କ ବ୍ୟତୀତ ପ୍ରଶାସନିକ ଅଧିକାରୀ, ଶିଳ୍ପ ଜଗତର ବଡ଼ ପଣ୍ଡାଙ୍କୁ ନିଯୁକ୍ତି ଗ୍ରହଣୀୟ ନୁହେଁ । ନୂଆ ଚିଠା ପ୍ରସ୍ତାବ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ । ଅଭିଯୋଗ ଉଠିଛି କେନ୍ଦ୍ର ସରକାର ୟୁଜିସି ନିୟମରେ ପରିବର୍ତ୍ତନ କରି ପରୋକ୍ଷରେ ବିଶ୍ବବିଦ୍ୟାଳୟରେ ସମାନ୍ତରାଳ ଭାବେ କା’ ସରକାର ଚଳାଇବାକୁ ଚାହୁଁଛନ୍ତି । ଏପରି ଅଦୂରଦର୍ଶୀ ଚିଠା ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ପୂର୍ବତନ କୁଳପତି ଓ ବିଶିଷ୍ଟ ଶିକ୍ଷାବିତ ଦାବି କରିଛନ୍ତି ।

ବିଶ୍ବବିଦ୍ୟାଳୟ ଗୋଟିଏ ଗବେଷଣା ଅନୁଷ୍ଠାନ । କେବେ ବି ଏହା ରାଜନୈତିକ ପ୍ରୟୋଗଶାଳା ହୋଇପାରିବନି । ବିପଦରେ ଆଗକୁ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣ ! କୁଳପତି ନିଯୁକ୍ତି ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିଙ୍କ ନୂଆ ଚିଠା ପ୍ରସ୍ତାବ ବିଗାଡ଼ିବ ଶୈକ୍ଷିକ ବାତାବରଣ । ଏପରି ଅଭିଯୋଗ କରିଛନ୍ତି ବିଶିଷ୍ଟ ଶିକ୍ଷାବିତ ଓ ତଥା ପୂର୍ବତନ କୁଳପତି । ପୂର୍ବରୁ ଯାହା ନିୟମ ରହିଛି,  ଶିକ୍ଷାବିତ କୁଳପତି ଭାବେ ଚୟନ ହୋଇଆସୁଛନ୍ତି । ଏହି ବ୍ୟବସ୍ଥା ବିଶ୍ବବିଦ୍ୟାଳୟର ଉତ୍କର୍ଷତା ଆଣିଛି । କଣ ଆବଶ୍ୟକ ପଡ଼ିଲା ୟୁଜିସି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ? ଏହାର ସ୍ପଷ୍କୀକରଣ କେନ୍ଦ୍ର ସରକାର ଦେବା ଦରକାର ।  ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଯେତେ ନିୟମ ଆସିବ ସ୍ବାଗତଯୋଗ୍ୟ ।

କିନ୍ତୁ କୌଣସି ସ୍ଥିତିରେ ଶିଳ୍ପପତି, ପ୍ରଶାସନିକ ଅଧିକାରୀ କିମ୍ବା ସର୍ଚ୍ଚ କମିଟି ଦ୍ବାରା ମନୋନୀତ ବ୍ୟକ୍ତି କୁଳପତି ଭାବେ ନିଯୁକ୍ତି ହେବା ଗ୍ରହଣୀୟ ନୁହେଁ । ବିଶିଷ୍ଟ ଶିକ୍ଷାବିତଙ୍କ ମତ, ଚିଠା ପ୍ରସ୍ତାବରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ନେଇ ଯେଉଁ ନୂଆ ବ୍ୟବସ୍ଥା ଦିଆଯାଇଛି ତାହା ସ୍ବାଗତଯୋଗ୍ୟ । କୁଳପତି ଚୟନ ନେଇ ଅନ୍ୟୁନ ଜଣେ ଶିକ୍ଷାବିତଙ୍କର ୧୦ ବର୍ଷ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ଅଭିଜ୍ଞତା ଥିବ । ଏହି ବ୍ୟବସ୍ଥା ପୂର୍ବରୁ ଚାଲିଆସିଛି । ବିଶ୍ବବିଦ୍ୟାଳୟର ସିନେଟ୍, ଏକାଡେମିକ କାଉନସିଲ୍ ଓ ସିଣ୍ଡିକେଟ୍ରେ ଅନ୍ୟ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ସଦସ୍ୟ ଭାବେ ରହିଲେ ଅସୁବିଧା ନାହିଁ । କିନ୍ତୁ କୌଣସି ସ୍ଥିତିରେ କୁଳପତି ଭାବେ ନିଯୁକ୍ତି ଦେବା ଯୁକ୍ତିଯୁକ୍ତ ନୁହେଁ ।

ଚିଠା ପ୍ରସ୍ତାବକୁ ନେଇ ବିଶିଷ୍ଟ ଶିକ୍ଷାବିତ ଡ.ସୁରେନ୍ଦ୍ର ନାଥ ପଶୁପାଳକ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ବରରେ ପ୍ରଶ୍ନ କରିଛନ୍ତି । କୁଳପତି ଚୟନରେ ଅଣଶିକ୍ଷାବିତଙ୍କୁ ନିଯୁକ୍ତ କରି କେନ୍ଦ୍ର ସରକାର ସମାନ୍ତରାଳ ଭାବେ ଗୋଟିଏ କା’ ସରକାର ଚଳାଇବାକୁ ଉଦ୍ୟମ କରୁଛନ୍ତି । ଏପରି ନିୟମ ଦ୍ବାରା ରାଜ୍ୟ ବିଶ୍ବବିଦ୍ୟାଳୟ ଉପରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବ ରହିବ ନାହିଁ । ଏହା ସଂଘୀୟ ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ । ଏପରି କରି ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟକୁ ନିଜ କବଜାକୁ ନେବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଚିଠା ପ୍ରସ୍ତାବରେ ଲେଖାଅଛି ପ୍ରଶାସନିକ ଅଧିକାରୀ, ଶିଳ୍ପ ଜଗତରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତିଙ୍କର ନେତୃତ୍ବ ନେବାର ଦକ୍ଷତା ରହିଛି ।

ଯାହା ଶିକ୍ଷାବିତଙ୍କ ପ୍ରତି ଚରମ ଉପହାସ । ଏହାର ଅର୍ଥ ଏ ପର୍ଯ୍ୟନ୍ତ ଯେତେ କୁଳପତି, ଆଇଆଇଟି, ଆଇଆଇଏମ୍ ପରି ଉତ୍କର୍ଷ ଅନୁଷ୍ଠାନରେ କୁଳପତି ବା ନିର୍ଦ୍ଦେଶକ ଭାବେ ଶିକ୍ଷାବିତ ନିଯୁକ୍ତି ହୋଇଛନ୍ତି ସେମାନଙ୍କର ନେୃତ୍ବତ୍ବ ନେବାର ଦକ୍ଷତା ନାହିଁ ବୋଲି କଣ କେନ୍ଦ୍ର ପ୍ରମାଣିତ କରୁଛି ? ଯେଉଁଠି ବି ପୂର୍ବରୁ ବିଶ୍ବବିଦ୍ୟାଳୟରେ ପ୍ରଶାସନିକ ଅଧିକାରୀ, ନୀତି ନିର୍ଦ୍ଧାରକ ନିଯୁକ୍ତ ହୋଇଛନ୍ତି ସେଠାରେ ପ୍ରଶାସନିକ ବ୍ୟବସ୍ଥା ଠିକ୍ଠାକ୍ ଥିଲେ ବି ଶୈକ୍ଷିକ ବ୍ୟବସ୍ଥାରେ କିଛି ଉନ୍ନତି ହୋଇନି । ଘରୋଇ ବିଶ୍ବବିଦ୍ୟାଳୟ ବିଲ୍ ରାଜ୍ୟ ବିଧାନସଭାରେ ପାରିତ ହୋଇଥାଏ । ତାହେଲେ ଚିଠା ପ୍ରସ୍ତାବ ବ୍ୟବସ୍ଥା ଘରୋଇ ବିଶ୍ବବିଦ୍ୟାଳୟ କୁଳପତି ଚୟନରେ ଲାଗୁ ହେବ କି? ଏପରି ଅପରିଣାମଦର୍ଶୀ ଚିଠାକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଉଠିଛି ।

ଭାରତୀୟ ବିଶ୍ବବିଦ୍ୟାଳୟ ବିଶ୍ବସ୍ତରରେ ଉତ୍କର୍ଷର ମାନ୍ୟତା ପାଇବା ପାଇଁ ଏବେ ବି ସଂଗ୍ରାମ ଜାରି ରହିଛି । ବିକଶିତ ଭାରତରେ ବିଶ୍ବବିଦ୍ୟାଳୟ ଉତ୍କର୍ଷତା ହାସଲ ପାଇଁ ଗବେଷଣା ଜରୁରୀ । ଯଦି କେନ୍ଦ୍ର ସରକାର ଶୈକ୍ଷିକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଚାହୁଁଛନ୍ତି ତାହେଲେ ୟୁଜିସିର ଚିଠା ପ୍ରସ୍ତାବରେ ଥିବା କୁଳପତି ଚୟନ ବ୍ୟବସ୍ଥାକୁ ପୁରୁଣା ନିୟମ ଅନୁଯାୟୀ ଜାରି ରଖିବାକୁ ସବୁ ମହଲରେ ଦାବି ଉଠିଛି ।

ଓଡ଼ିଶାରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯୋଜନାକୁ ଲାଗୁ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ନୂଆ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଆଜି ଏମୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ଖୁବଶୀଘ୍ର ଏହା ରାଜ୍ୟରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ। ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ସେହପରି ରାଜ୍ୟର ପ୍ରାୟ ୩ କୋଟି ଲୋକ ଏହି ଯୋଜନାର ଫାଇଦା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ରାଜ୍ୟର ୧ କୋଟି ୩୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତର ସୁବିଧା ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇପାରିବେ। ଦେଶର ୩୦ ହଜାର ହସ୍ପିଟାଲ୍‌ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସୁବିଧା ମିଳିବ। ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଏହାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବେ। ସେହିପରି ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ। ଏହାଦ୍ୱାରା ବରିଷ୍ଠ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବାର ସୁବିଧା ମିଳିବ। ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଯାହାର ଏବେ ନାଁ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହୋଇଛି। ତା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ ।

କଟକ ସହରରେ ଏବେ ମାଞ୍ଜା ସୁତା ଭୟ

ନନ୍ଦିଘୋଷ ବ୍ୟୁରୋ: କଟକ ସହରରେ ଏବେ ମାଞ୍ଜା ସୁତା ଭୟ । ବାଇକ ନେଇ ଯାଉଥିବା ଆରୋହୀ ସାବଧାନ।  କେଉଁଠି ବି ଘଟିପାରେ ଅଘଟଣ । ହୁସିଆର ନହେଲେ କଟିଯାଇପାରେ ବେକ, ଚାଲିଯିବ ଜୀବନ। ଗତ ୨-୩ ମାସ ହେବ ସହରରେ କିଛି ଅମାନିଆ ବେପରୁଆ ଭାବରେ ପ୍ଲାଷ୍ଟିକ ସୁତାରେ ଗୁଡ଼ି ଉଡାଉଥିବା ବେଳେ ଏଥିରେ ଆହତ ହୋଇଛନ୍ତି ଏକାଧିକ । ଆସନ୍ତାକାଲି ମକର ସଂକ୍ରାନ୍ତି ଥିବାରୁ ବହୁମାତ୍ରାରେ ଉଡ଼ିବ ଗୁଡି । ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଗୁଡ଼ି ଦୋକାନରେ ଚଢାଉ କରାଯାଇଛି । ସେପଟେ ଦୋକାନୀ ପ୍ଲାଷ୍ଟିକ ସୁତା ବ୍ୟବସାୟ କରୁନଥିବା କହିବା ସହିତ ଅନ ଲାଇନରେ ଗୁଡ଼ିସୁତା ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି ।

ମକର ସଂକ୍ରାନ୍ତିରେ ଜମିବ ଗୁଡ଼ିଉଡ଼ା । ହେଲେ କାଳ ସାଜିଛି ମାଞ୍ଜା ସୁତା । ଅମାନିଆ ଗୁଡ଼ି ଉଡ଼ାଳି ବଢାଉଛନ୍ତି ବିପଦ । ସାବଧାନ ନହେଲେ କଟି ଯାଇପାରେ ତଣ୍ଟି । ଗତ କିଛିବର୍ଷ ହେବ ମକରର ୨-୩ ମାସ ପୂର୍ବରୁ ଆରମ୍ଭ ହୋଇଯାଉଛି ଏହି ସାଙ୍ଘାତିକ ଖେଳ । ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୁତା ଯୋଗୁ ଘଟୁଛି ଅଘଟଣ । ଅନେକ ଆହତ ହେଉଥିବା ନଜରକୁ ଆସୁଛି । କଟକ ତ୍ରିଶୂଳିଆ ପୋଲ ଉପରେ ମାଞ୍ଜା ସୂତାରେ ଜଣେ ବାଇକ ଆରୋହୀଙ୍କ ବେକ କଟି ଯାଇଛି । ତେବେ ଅଳ୍ପେକେ ବର୍ତୀ ଯାଇଛନ୍ତି ବାଇକ ଆରୋହୀ । ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ଯ ଗ୍ରହଣ କରାଯାଇଛି । ଚୌଧୁରୀ ବଜ଼ାର ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ। ତେବେ ପ୍ଲାଷ୍ଟିକ ସୁତା ବିକ୍ରି କରୁନଥିବା କହିବା ସହ ଅନଲାଇନ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି ।

ସହରରେ ପ୍ଲାଷ୍ଟିକ ଓ ମାଞ୍ଜା ସୁତା ବ୍ୟବହାର ନ କରିବାକୁ ତାଗିଦ କରିଛି କମିଶନରେଟ ପୋଲିସ । ମକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । କେହି ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତରିକ୍ତ ଡିସିପି । ସେପଟେ ଏହାକୁ ଏକ ନିଶା ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ।

୩ଶହ କୋଟି ଟଙ୍କାର ଠକେଇ ପାଇଁ ହଂସିତା କରିଥିଲା ମାଷ୍ଟର ପ୍ଲାନ

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି ଠକ ଯୋଡ଼ି ବଣ୍ଟି-ବବଲିଙ୍କ ଗୁମର । ୩ଶହ କୋଟିର ଠକେଇ ପାଇଁ ହୋଇଥିଲା ହଂସିତାର ମାଷ୍ଟର ପ୍ଲାନ । ସଂସ୍ଥାରୁ ଅଗ୍ରିମ ୧୦ ପ୍ରତିଶତ ବାବଦକୁ ଆସିଥିଲା ୩୦ କୋଟି ଟଙ୍କା । ବୋକାରୋ ଇଣ୍ଡଷ୍ଟ୍ରିରୁ ଲୋକଙ୍କ ଘର ଖାଲି କରିବାକୁ ହୋଇଥିଲା ଏହି ଡ଼ିଲ୍ । ଗୋଟିଏ ଘର ପାଇଁ କୋଟିଏ ଟଙ୍କା ନେବାକୁ ହୋଇଥିଲା ଡ଼ିଲ୍ । ୨୦୨୦ ଡିସେମ୍ବରରୁ ଡ଼ିଲ ଆଉ ୨୦୨୩ ଜାନୁଆରୀରୁ ହୋଇଥିଲା ଟଙ୍କା ଆସିବା । ୪ ଜଣକ ଆକାଉଣ୍ଟକୁ ଆସିଥିଲା ୩୦ କୋଟି  । ସବୁ ଟଙ୍କାରେ ଘର ଓ ଗାଡ଼ି କିଣିଥିଲେ । ଦକ୍ଷିଣର ଏକ ବଡ଼ କଲେଜରେ ଇଞ୍ଜିନିୟରିଂ ପଢାଇବାକୁ ଯାଇ ବୋକାରୋ ସଂସ୍ଥାର ଜଣେ କର୍ମଚାରୀଙ୍କ ପୁଅ ପାଠପଢା ବାବଦକୁ ୫୦ ଲକ୍ଷ ଟଙ୍କା ଦେଇଥିଲେ ଅନିଲ । ଯାହା ଆକାଉଣ୍ଟରୁ କାରବାର ହୋଇଥିଲା । ତେବେ ମିଳିଥିବା ୩୦ କୋଟିର ଅଧା ମାଗିଥିଲେ ବୋକାରୋ ସଂସ୍ଥାର ସେହି କର୍ମଚାରୀ । ଆଉ ୧୫ କୋଟି ଟଙ୍କା କମିଶନ ବାବଦକୁ ବି ନେଇଥିଲେ । ଏହି ପୁରା ଘଟଣାର ମାଷ୍ଟର ମାଇଣ୍ଡ ସାଜିଥିବା ହଂସିତା ଏସବୁ ପ୍ଲାନ କରିଥିଲା । ସେଥିପାଇଁ ଝାଡ଼ଖଣ୍ଡରେ ଏକ ଅଫିସ ଓ ଘର ମଧ୍ୟ ନେଇଥିଲେ । ଉକ୍ତ ଅଫିସର ଖୋଳତାଡ଼ ପାଇଁ ଝାଡ଼ଖଣ୍ଡ ଯାଇଥିଲା ଇନକମ ଟ୍ୟାକ୍ସ ଟିମ । ତେବେ ସବୁଠୁ ବଡ଼କଥା ହେଉଛି, ଏହି ଟଙ୍କା ସବୁ କିଛି ରାଜନେତାଙ୍କ ପାଖକୁ ଯାଇଥିବା ସୁରାକ ପାଇଛି ଆଇଟି ଟିମ । ସରୋଜ ସାହୁଙ୍କ ଫୋନର ଖୋଳତାଡ଼ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏକାଧିକ ରାଜନେତାଙ୍କ ଆକାଉଣ୍ଟକୁ ଏହି ଟଙ୍କା କ୍ୟାସରେ ଦେବା ପାଇଁ ଚାଟିଙ୍ଗ ମଧ୍ୟ ହୋଇଛି  । କମିଶନରେଟ ପୁଲିସ ସିଜ କରିଥିବା ହଂସୀତା ଓ ଅନିଲଙ୍କ ଫୋନର ଯାଞ୍ଚ ପାଇଁ ଅପେକ୍ଷା କରିଛି ଆଇଟି ଟିମ ।

କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ବିବାଦ, ଦିଗପହଣ୍ଡି ବଡ଼ଖେମୁଣ୍ଡି ବିଜୟନଗର ଗଡ ନା  ଆଠଗଡପାଟଣା

ନନ୍ଦିଘୋଷ ବ୍ୟୁରୋ: କବିସୂର୍ଯ୍ୟ ବଳଦେବ ରଥ। ଯିଏ କି ଜଣେ ବିଶିଷ୍ଠ ଚମ୍ପୁ ଚାନ୍ଦ କବି ନାମରେ ବେଶ ପରିଚିତ। ତେବେ ତାଙ୍କ ଜନ୍ମମାଟିକୁ ନେଇ ବିବାଦ ମୁଣ୍ଡ ଟେକିଛି। କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମ ଦିଗପହଣ୍ଡି ବଡ଼ଖେମୁଣ୍ଡି ଅଞ୍ଚଳର ବିଜୟନଗର ଗଡ ବୋଲି କବିସୂର୍ଯ୍ୟ ସ୍ମୃତି କମିଟି ଦାବି କରୁଥିବା ବେଳେ କବିସୂର୍ଯ୍ୟନଗର ଅଂଚଳର ଅଷ୍ଟଦୁର୍ଗ ଉନ୍ନୟନ ପରିଷଦ ଦାବି ଅଲଗା। ଆଠଗଡପାଟଣା ହିଁ ଜନ୍ମସ୍ଥାନ ବୋଲି କମିଟି ଦାବି କରିଛି। ଯାହାକୁ ନେଇ ଦୁଇ ସହର ମଧ୍ୟରେ ଏକ ବିବାଦ ମୁଣ୍ଡ ଟେକିଛି।

ସ୍ଵର୍ଗତଃ ଚମ୍ପୁ କବି କବିସୂର୍ଯ୍ୟ ବଳଦେବ ରଥ। ଯାହାଙ୍କ ନାମରେ କବିସୂର୍ଯ୍ୟନଗର ସହର ସମେତ ଅନେକ ଶିକ୍ଷା ଅନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଗଢି ଉଠିଛି। କବିସୂର୍ଯ୍ୟନଗର ଆଠଗଡପାଟଣା ଗାଁରେ ବଳଦେବ ରଥଙ୍କ ଅନେକ ସ୍ମୃତି ଏବେ ବି ଭଗ୍ନ ଅବସ୍ଥାରେ ପଡିରହିଥିବା କୁହାଯାଏ। ଏବେ କିନ୍ତୁ ଜନ୍ମସ୍ଥାନକୁ ନେଇ ବିବାଦ ଉଙ୍କି ମାରିଛି। ଦିଗପହଣ୍ଡି ଅଂଚଳର କବିସୂର୍ଯ୍ୟ ସ୍ମୃତି କମିଟି ଓ କବିସୂର୍ଯ୍ୟନଗର ଅଂଚଳର ଅଷ୍ଟଦୁର୍ଗ ଉନ୍ନୟନ ପରିଷଦର ସଦସ୍ୟ ମାନେ ମୁହାଁମୁହିଁ ହୋଇଛନ୍ତି। ବଳଦେବ ରଥ ଦିଗପହଣ୍ଡି ଅଞ୍ଚଳ ବଡ଼ଖେମୁଣ୍ଡି ବିଜୟନଗର ବୋଲି କବିସୂର୍ଯ୍ୟ ସ୍ମୃତି କମିଟି ସଦସ୍ୟ ମାନେ ଦାବି କରିଥିବା ବେଳେ ପ୍ରକୃତ ଜନ୍ମସ୍ଥାନ ହିଁ ଆଠଗଡପାଟଣା ବୋଲି ଅଷ୍ଟଦୁର୍ଗ ଉନ୍ନୟନ ପରିଷଦ ଦାବି କରିଛି।

କବିସୂର୍ଯ୍ୟନଗର ଅଞ୍ଚଳବାସୀ, ସାହିତ୍ୟକ ଓ ବୁଦ୍ଧିଜୀବୀ ମାନେ କବିସୂର୍ଯ୍ୟ ସ୍ମୃତି କମିଟି ଦାବିକୁ ଜୋରଦାର ବିରୋଧ କରିଛନ୍ତି l କବିସୂର୍ଯ୍ୟ ବଳଦେବଙ୍କ ବାଲ୍ୟ ଜୀବନ ଠାରୁ ଆରମ୍ଭ କରି ବିବାହ ଓ କର୍ମମୟ ଜୀବନର ସମସ୍ତ ସ୍ମୁତି କବିସୂର୍ଯ୍ୟନଗର ଆଠଗଡପାଟଣା ଅଞ୍ଚଳରେ ରହିଛି l ଏମିତିକି ତାଙ୍କ ସମାଧି ମଧ୍ୟ ଆଠଗଡପାଟଣାରେ ରହିଛି l ସେ ମାତା ଭୁବନେଶ୍ୱରୀ କନକ ଦୁର୍ଗାଙ୍କ କୃପାରୁ ସେ ପାଣ୍ଡିତ୍ୟ ଅର୍ଜ୍ଜନ କରି ଆଠଗଡ ରେ ହିଁ ତାଙ୍କର ସମସ୍ତ ସାହିତ୍ୟ ସାଧନା କରିଥିଲେ l ଏନେଇ ସେ ନିଜେ କିଶୋରାଚନ୍ଦ୍ରାନନ୍ଦ ରେ ବାରମ୍ବାର  ଅଷ୍ଟଦୁର୍ଗ ବା ଆଠଗଡ ବୋଲି ବର୍ଣ୍ଣନା କରିଛନ୍ତି l ଯାହକୁ ନେଇ ଏବେ ଦୁଇ ସହର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

 

ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୭ରୁ ରାଜ୍ୟରେ ପୁଣି ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡର ପ୍ରଭାବ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ । ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରରେ ଶୀତ ଲହରୀ ଅନୁଭୁତ ହେବାର ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା ଶୀତ ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାରିପାଗ କେନ୍ଦ୍ର । ୧୫ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ଏହାସହ ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ।

ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ କାହିଁକି ଏମିତି କହିଲେ ଯୋଗରାଜ ସିଂ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ଡେବ୍ୟୁ କରି ସାରିଥିବା ଅର୍ଜୁନ ତେନ୍ଦୁଲକର କେବେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଥାଏ । ତେବେ ସଚିନ ତେନ୍ଦୁଲକରଙ୍କ ପୁଅକୁ ନେଇ ପୁଣି ଏକ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଯୁବରାଜ ସିଂଙ୍କ ବାପା ତଥା ପୂର୍ବତନ କ୍ରିକେଟର ଯୋଗରାଜ ସିଂ । ୨୦୨୨ ମସିହାରେ କିଛିଦିନ ପାଇଁ ଅର୍ଜୁନ ଯୋଗରାଜଙ୍କ ପାଖରେ ପ୍ରଶିକ୍ଷଣ ନେଇଥିଲେ । ଏହି ସମୟରେ ସେ ରଣଜୀ ଟ୍ରଫିରେ ଏକ ଶତକ ମାରିବା ସହ ଆଇପିଏଲରେ ମଧ୍ୟ ଡେବ୍ୟୁ କରିଥିଲେ । ମାତ୍ର ୧୨ ଦିନର ପ୍ରଶିକ୍ଷଣ ପରେ ଆଉ ସେ ଯୋଗରାଜଙ୍କ ପାଖରୁ ଟ୍ରେନିଂ ନେଇନଥିଲେ । ଏହାର କାରଣ ସମ୍ପର୍କରେ ଯୋଗରାଜଙ୍କୁ ପଚରା ଯାଇଥିବାବେଳେ ଏକ ଇଣ୍ଟରଭିୟୁ ସମୟରେ ସେ କହିଛନ୍ତି କି, ଯଦି ସେ ଆସିଥାନ୍ତେ ତାହେଲେ ଆଉ ଭଲ ପ୍ରଦର୍ଶନ ଜାରି ରଖିଥାନ୍ତେ ତାହେଲେ ମୋ ସହ ତାଙ୍କ ନାମ ଯୋଡ଼ି ହୋଇଯାଇଥାନ୍ତା । ଏଥିରୁ ଆପଣମାନେ ବେଶ ଭଲଭାବେ ବୁଝି ପାରୁଥିବେ ମୁଁ କଣ କହିବାକୁ ଚାହୁଁଛି ।

ବିଭିନ୍ନ ସମୟରେ ଏଭଳି ବିବାଦୀୟ ପ୍ରତିକ୍ରିୟା ପାଇଁ ଚର୍ଚ୍ଚାରେ ରହିଥାନ୍ତି ଯୋଗରାଜ । ପୂର୍ବରୁ ଯୁବରାଜଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ମଧ୍ୟ ଧୋନୀଙ୍କୁ ନେଇ ଦେଇଥିବା କିଛି ପ୍ରତିକ୍ରିୟା ପାଇଁ ଗଣମାଧ୍ୟମରେ ହେଡ ଲାଇନ ପାଲଟିଛନ୍ତି । ପୁଣି ଥରେ ଏଭଳି ଏକ ପ୍ରତିକ୍ରିୟା ଦେଇଥିବା ଏବେ ଅର୍ଜୁନଙ୍କୁ ନେଇ କହିଛନ୍ତି କି, ଯଦି ତାଙ୍କୁ ଭଲ ପ୍ରଶିକ୍ଷଣ ଦିଆଯାଏ ତାହେଲେ ସେ ଯୁବରାଜ ସିଂଙ୍କ ଭଳି ଜଣେ ଦକ୍ଷ ଅଲରାଉଣ୍ଡର ହୋଇପାରିବେ ।