ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । ମାଦକ ଦ୍ରବ୍ୟ ସେବନ କରି କାର୍ଯ୍ୟାଳୟକୁ ଆସିବା ନେଇ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବନ କଲେ ପୁରୀ ଜିଲ୍ଲାପାଳ । ଗୋପ ତହସିଲ ବଉଳାଙ୍ଗ ଆରଆଇ ମାର୍ଶାଲ ପ୍ରଧାନଙ୍କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ନିଲମ୍ବିତ କରିଛନ୍ତି। କାର୍ଯ୍ୟାଳୟ ପରିସରରେ ରାଜସ୍ଵ ନୀରିକ୍ଷକ ମାର୍ଶାଲ ପ୍ରଧାନ ମାଦକ ଦ୍ରବ୍ୟ ସେବନ ଓ ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ମାର୍ଶାଲ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ନିଲମ୍ବନ ସମୟରେ ତାଙ୍କ ହେଡକ୍ଵାଟର କୃଷ୍ଣ ପ୍ରସାଦ ତହସିଲକୁ ଧାର୍ଯ୍ୟ କରାଯାଇଛି । ତହସିଲଦାର କୃଷ୍ଣ ପ୍ରସାଦଙ୍କ ବିନା ଅନୁମତିରେ ହେଡକ୍ଵାଟର ନ ଛାଡ଼ିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୁଣି ପନ୍ତ ଆହତ , କେମିତି ଖେଳିବେ ରଣଜୀ ?
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଚଳିତ ରଣଜୀ ଟ୍ରଫି ଖେଳିବେ ବୋଲି ଦିଲ୍ଲୀ ପକ୍ଷରୁ କୁହାଯାଇଛି । ମାତ୍ର ଏବେ ଖବର ଆସୁଛି କି, ପନ୍ତ ପୁଣିଥରେ ଆହତ ହୋଇଛନ୍ତି । ସେ ବିଶ୍ରାମ ନେବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ସେ ଏନସିଏକୁ ଯିବେ ବୋଲି ମଧ୍ୟ ଯୋଜନା କରିଥିଲେ । କିନ୍ତୁ ଏଭଳି ଏକ ସମୟରେ ସେ ରଣଜୀ ଖେଳିବେ କି ନାହିଁ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଦିଲ୍ଲୀର ସମ୍ଭାବ୍ୟ ଦଳରେ ତାଙ୍କ ନାମ ରହିଛି । ଚଳିତ ମାସ ୨୩ ତାରିଖରୁ ରଣଜୀ ଟ୍ରଫି ଆରମ୍ଭ ହେଉଥିବା ବେଳେ ଦିଲ୍ଲୀ ପ୍ରଥମ ମ୍ୟାଚରେ ସୌରାଷ୍ଟ୍ରକୁ ଭେଟିବ । ତେବେ ୧୦ରୁ ୧୪ ଦିନର ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ଏହାପରେ ଏନସିଏକୁ ଯାଇ ରିହାବ କରିବାକୁ ପଡ଼ିବ ।
ଦିଲ୍ଲୀ ନିର୍ବାଚନ : ନାମାଙ୍କନ ଭରିଲେ ଅରବିନ୍ଦ କେଜ୍ରିଓ୍ବାଲ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷଦିନ ରହିଛି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେ ଅଣସଂରକ୍ଷିତ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନ ଭରିଛନ୍ତି। ୨୦୧୩, ୨୦୧୫ ଓ ୨୦୨୦ରେ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ କେଜ୍ରିୱାଲ୍। ଗତକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିସୀ କାଲକାଜି ଆସନରୁ ନିଜର ନାମାଙ୍କନ ଭରିଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ବାଲ୍ମିକୀ ମନ୍ଦିର ଓ ହନୁମାନ ମନ୍ଦିର ଯାଇ ଦର୍ଶନ କରିଥିଲେ ଆମ୍ ଆଦମୀ ପାର୍ଟି ସୁପ୍ରିମୋ କେଜ୍ରିୱାଲ୍ । ପରେ କର୍ମକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ। ନୂଆଦିଲ୍ଲୀ ଆସନରୁ କେଜରିୱାଲଙ୍କ ବିପକ୍ଷରେ ବିଜେପି ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ହେଉଛନ୍ତି ପ୍ରବେଶ ବର୍ମା। ପ୍ରବେଶ ୨୦୧୪ ଓ ୨୦୧୯ରେ ବିଜେପିର ସାଂସଦ ନିର୍ମାଚିତ ହୋଇଥିଲେ। ସେପଟେ କଂଗ୍ରେସରୁ ପାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ନୂଆଦିଲ୍ଲୀ ଆସନରେ ଏଥର ଜୋରଦାର ଲଢେଇ ଦେଖିବାକୁ ମିଳିବ।

