spot_img
Home Blog Page 1126

ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭଦ୍ରକ: ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ସୁସ୍ଥ ସମାଜ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ଏପରି ଉଦ୍ଦେଶ୍ୟ ନେଇ ଭଦ୍ରକ ଆର୍ଯ୍ୟ ସମାଜ ଆଚାର୍ଯ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ଓ ଆର୍ଯ୍ୟ ସମାଜ ଭଦ୍ରକର ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ପିତା, ମାତା, ଆଚାର୍ଯ୍ୟ, ଅତିଥିଙ୍କୁ ଯଥା ଯୋଗ୍ୟ ସମ୍ମାନ ଓ ଶୃଙ୍ଖଳିତ ଦିନଚର୍ଯ୍ୟାର ଶିକ୍ଷା ପ୍ରଦାନ ସମ୍ପର୍କରେ ହରିଆଣା ଜମୁନାନଗର କନ୍ୟା ଗୁରୁକୂଳରୁ ଆସିଥିବା ଆଚାର୍ଯ୍ୟା ବିଦୁଷୀ ଆର୍ଯ୍ୟାଶା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ମଠସାହିର ଏସଟି ଜାଭିୟର ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷାଦାନ  ଦିଆଯିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ରୋଜାଲିନ, ପ୍ରଶାନ୍ତ କୁମାର ସାହୁ ଏବଂ ରାଜକିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଦ୍ରକ ଆର୍ଯ୍ୟ ସମାଜର ସଭାପତି ବୀଣାପାଣି ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ରବିନାରାୟଣ ଲେଙ୍କା ସହଯୋଗ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନକୁ ନେଇ ବଦଳିଲା ବିଜ୍ଞପ୍ତି

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନକୁ ନେଇ ବଦଳିଲା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି । ଗତ ୨୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ବେଳେ ତାଙ୍କୁ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ କରାଯାଇଥିଲା । ତେବେ ଏଭଳି ଭୁଲ ବିଜ୍ଞପ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ ।

ଅଧ୍ୟକ୍ଷ ନୁହେଁ ବରଂ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଗୋଟିଏ ପଟେ ସରକାର ଏଯାଏଁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିପାରିନାହାନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅତିରିକ୍ତ ଦାୟିତ୍ବ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଥିବା ବେଳେ ସେ ଗତ ୨୦୨୪ ଅଗଷ୍ଟ ୨୩ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ ।

ଦାଦନ ଶ୍ରମିକଙ୍କୁ ଅପହରଣ କରି ଦେଢ଼ ଲକ୍ଷ ଦାବି, ସାହାଯ୍ୟ ପାଇଁ କାନ୍ଦି କାନ୍ଦି ରାସ୍ତାରେ ବୁଲୁଛନ୍ତି ବୃଦ୍ଧ ମାଆବାପା

ବଲାଙ୍ଗୀର: ପୁଣି ଦାଦନ ନିର୍ଯାତନା ଅଭିଯୋଗ । ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କୁ ଅପହରଣ କରି ଜଙ୍ଗଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଦେଢ଼ ଲକ୍ଷ ଟଙ୍କା ନଦେଲେ ପୁଅ ମୁହଁ ଦେଖି ପାରିବନି ବୋଲି ଅପହରଣକାରୀଙ୍କ ଚେତବାନୀ । ଗରିବ ବାପାମାଆ ଧମକ ପାଇବା ପରଠାରୁ ଏଣେ ତେଣେ ବୁଲି କାନ୍ଦି କାନ୍ଦୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।

ଅଭିଯୋଗ ଅନୁସାରେ ବିଜୁଳିମୁଣ୍ଡା ଗାଁର ଯୁବ ଶ୍ରମିକ ସୁନୀଲ ନାଏକ ପରିବାର ପ୍ରତିପୋଷଣ ପାଇଁ ସିକନ୍ଦରା ଯାଉଥିଲେ । ସେଠାରେ ସେ ଏକ ଇଟାଭାଟିରେ କାମ କରୁଥିଲେ । ତେବେ ଇଟାଭାଟି ମାଲିକ ତାଙ୍କୁ ଅପହରଣ କରି ଜଙ୍ଗଲରେ ରଖିଛି । ତାଙ୍କୁ ନିର୍ଧୁମ ମାଡ଼ ମରାଯାଉଥିବା ବେଳେ ଖାଇବା ପିଇବାକୁ ମଧ୍ୟ ଦିଆଯାଉନି । ସୁନୀଲଙ୍କ ଘରକୁ ଫୋନ କରି ଦେଢ଼ ଲକ୍ଷ ଟଙ୍କା ଦାବି କରିଛନ୍ତି ଇଟାଭାଟି ମାଲିକ । ଯଦି ଟଙ୍କା ନମିଳିବ ତେବେ ତୁମ ପୁଅକୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦେଇଛନ୍ତି ।

ଅଗିଯୋଗ ପାଇବା ପରେ ଅସହାୟ ହୋଇ ପଡ଼ିଛନ୍ତି ବୃଦ୍ଧ ବାପାମାଆ । କାହାକୁ କହିବେ, କେଉଁଠୁ ଟଙ୍କା ଯୋଗାଡ଼ କରିବା ଚିନ୍ତାରେ ରାସ୍ତାରେ କାନ୍ଦି କାନ୍ଦି ବୁଲୁଛନ୍ତି । ଆଉ ଯାହାକୁ ଦେଖୁଛନ୍ତି ସାହାଯ୍ୟ ମାଗୁଛନ୍ତି । କିଛି ଲୋକ ବୃଦ୍ଧ ଦମ୍ପତିଙ୍କୁ ଏମିତି ଅବସ୍ଥାରେ ଦେଖି ତାଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ଏହାପରେ ସେମାନଙ୍କୁ ବଲାଙ୍ଗୀର ଏସଡିପିଓଙ୍କ ନିକଟକୁ ନେଇଥିଲେ । ବୃଦ୍ଧ ବାପାମାଆଙ୍କଠାରୁ ସବୁ ଶୁଣିବା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ସିକନ୍ଦରାବାଦ ପୋଲିସକୁ ସ୍ଥାନୀୟ ପୋଲିସ ଯୋଗାଯୋଗ କରିବା ସହ ତୁରନ୍ତ ସୁନୀଲଙ୍କୁ ଉଦ୍ଧାର କରିବାକୁ କହିଛି ।

ତେବେ ସୁନୀଲ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ସେଠାରେ ଏମିତି କ’ଣ ହେଲା ଯେ, ନିଜେ ଇଟାଭାଟି ମାଲିକ ତାଙ୍କୁ ଅପହରଣ କରି ଟଙ୍କା ମାଗୁଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନି ।

ସମ୍ବଲପୁର ଧନୁପାଲିରେ ଥିବା ଥଇଥାନ କେନ୍ଦ୍ର ‘ସମର୍ଥ’ରେ ଥାର୍ଡ ଡିଗ୍ରୀ, ପଶିଲା ପୋଲିସ

ସମ୍ବଲପୁର: ମାନସିକ ଅନଗ୍ରସଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଥଇଥାନ କେନ୍ଦ୍ରରେ ରଖାଯାଇଛି । ହେଲେ କେନ୍ଦ୍ର ପରିଚାଳକ ସେମାନଙ୍କୁ ଦେଉଛନ୍ତି ନିର୍ଯାତନା । ଅକଥନୀୟ ଅତ୍ୟାଚାର ସାଙ୍ଗଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ । ବାସି ଖାଦ୍ୟ ଦିଆଯାଉଥିବା ବେଳେ ଚିକିତ୍ସା ବି ଠିକରେ ଦିଆଯାଉ ନଥିବା ଅଭିଯୋଗ । ଏପରିକି ନିର୍ଯାତନା ସହି ନପାରି ୫ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଅସିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ନେତାଜୀ ନଗରରେ ଥିବା ମାନସିକ ଥଇଥାନ କେନ୍ଦ୍ର ‘ସମର୍ଥ’କୁ ନେଇ ।

କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ନିର୍ମମ ଭାବେ ମାଡ଼ ମରାଯାଉଥିବା ବେଳେ ପାଶବିକ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ ରେଙ୍ଗାଲି ବିଧାୟକଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲା ।

ଅଭିଯୋଗ ଅନୁସାରେ, କେନ୍ଦ୍ରରେ ଦିଆଯାଉଥିବାର ନିର୍ଯାତନାର ଭିଜୁଆଲ ସାମ୍ନାକୁ ଆସିଛି । ମାଡ଼ରେ କିଏ ତଳେ ପଡିଛି ତ କିଏ ଠିଆ ହୋଇଛି । ହେଲେ କିଛି ମାନୁ ନାହାନ୍ତି ସମର୍ଥର ଥଇଥାନ କେନ୍ଦ୍ରରେ ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଏବଂ ସହାୟିକା ଏଏନମ । ମୁଥ, ଗୋଇଠା, ବାଡ଼ିରେ ନିର୍ଧୁମ ପିଟି ଚାଲିଛନ୍ତି । ଲୋକଙ୍କୁ ବାସି ଖାଦ୍ୟ ଖାଇବାକୁ ଦିଆଯାଉଛି ।

ଏପରିକି ମହିଳା ଓ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ଖାଲି ସେତିକି ନୁହେଁ, ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅନ୍ତେବାସୀ ଅଚେତ ହୋଇ ରହୁଥିବା ଅଭିଯୋଗ ହୋଇଛି । ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ ମାରି ଅଚେତ କରି ପକେଇ ଦେଉଥିଲେ ପରିଚାଳକ  l ନିର୍ଯାତନା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି ।

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଅନୁଗୁଳ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ । ବାଇକରେ ଆସି ଚା’ ପିଉଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୃତ୍ତ । ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଅନୁଗୁଳ ଅମଲାପଡ଼ା ଛକରେ ଘଟିଛି ।

ଅଭିଯୋଗ ଅନୁସାରେ ଅମଲାପଡ଼ା ଛଳ ନିକଟରେ ଦିନ ପ୍ରାୟ ଦିନ ଗୋଟାଏ ବେଳେ ପାର୍ଥ ସାରଥୀ ପ୍ରଧାନ ଏବଂ ସତ୍ୟଜିତ ନାମକ ଦୁଇ ଜଣ ଯୁବକ ଚା’ ପିଉଥିଲେ । ହଠାତ ୩ଟି ବାଇକରେ ପ୍ରାୟ ୬ ଜଣ ଯୁବକ ଆସି ପାର୍ଥଙ୍କୁ ଆକ୍ରମଣ କରିଥିଲେ । ଲୁହା ରଡ୍ ଓ ମାରଣାସ୍ତ୍ରରେ ପାର୍ଥଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ପ୍ରାୟ ୧୦ ମିନିଟ ଧରି ବିଚ୍ ରାସ୍ତାରେ ଏଭଳି କାଣ୍ଡ ଭିଆଇ ଯୁବକମାନେ ଫେରାର୍ ହୋଇ ଯାଇଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣର ପାର୍ଥଙ୍କ ଦୁଇ ହାତ ଓ ଛାତିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଛି । ଖବରପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହେଉଥିବା ଇନ୍ଦିରା ଗାନ୍ଧୀଙ୍କ ଆପତ୍ତିଜନକ ଫଟୋର ବିଶ୍ଲେଷଣ !

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଇନ୍ଦିରା ଗାନ୍ଧୀଙ୍କ ପ୍ରକୃତ ଫଟୋ ବୋଲି ଦାବି କରାଯାଉଛି ।

ପୋଷ୍ଟରେ କ’ଣ ଦାବି କରାଯାଇଛି ?

-ତେବେ ଏନେଇ ଜଣେ ୟୁଜର ଏକ୍ସରେ ଏହି ଫଟୋକୁ ପୋଷ୍ଟ କରି ଭାଜପା ସାଂସଦ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଟ୍ୟାଗ କରି ପ୍ରଶ୍ନ କରିଛନ୍ତି ଯଦି ‘ଇମରଜେନ୍ସି’ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ତାହେଲେ ଇନ୍ଦିରା ଗାନ୍ଧୀଙ୍କ ଏଭଳି ରୂପକୁ କାହିଁକି ପରିବେଷଣ କରାଯାଇନାହିଁ ?

ସିଂ ସାବ୍ ନାମକ ହ୍ୟାଣ୍ଡେଲ କଙ୍ଗନାଙ୍କ ଟିମକୁ ଟ୍ୟାଗ୍ କରି ଲେଖା ଯାଇଥିଲା ଯେ, ‘‘ମୋର ବିଶ୍ୱାସ ଯେ@kanganaTeam ନିଜ ପ୍ରପୋଗଣ୍ଡା ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ବେଶ୍ୟାବୃତ୍ତି ଦିଗର ଉଜାଗର କରିଥିବେ । ଏହା ସବୁକିଛି କେଜିବି ଏଜେଣ୍ଟଙ୍କ ‘ଦ ମିତ୍ରୋଖିନ-କେଜିବି ଇନ୍ ଦ ୱାର୍ଲଡ’’ ନାମକ ପୁସ୍ତକରେ ରହିଛି ।

ତେବେ କ’ଣ ଏଭଳି ଦାବିରେ କୌଣସି ସତ୍ୟତା ରହିଛି ? ନା ଏଭଳି ଦାବିରେ କୌଣସି ସତ୍ୟତା ନାହିଁ । ଏହା ମିଥ୍ୟା । ଏହା ଏକ AI ଜେନେରେଟେଡ ଚିତ୍ର ଅଟେ ..

ଆମକୁ କଣ ମିଳିଲା :

ସର୍ବପ୍ରଥମେ ଆମେ ଦାବିରେ ଉଲ୍ଲେଖ ହୋଇଥିବା ପୁସ୍ତକ ‘‘ ଦି ମିତ୍ରୋଖିନ’’ କେଜିବି ସ ଓ୍ବାର୍ଲ୍ଡ ପୁସ୍ତକ ପଢିଲୁ..

-ଆମେ ଏହି ପୁସ୍ତକଟିକୁ ନିଶୁଳ୍କ ଇ-ଲାଇବ୍ରେରୀରୁ ଡାଉନଲୋଡ କରିଥିଲୁ । ପରେ ଭାରତ ବିଷୟରେ ଉଲ୍ଲେଖ ଥିବା ସବୁ ଅଂଶକୁ ପଢିଥିଲୁ । ଏହି ପୁସ୍ତକରେ ବାସିଲି ନିକିତିଚ ମିତ୍ରୋଖିନଙ୍କ ଅନୁଭବ ବର୍ଣ୍ଣିତ ହୋଇଛି । ଯିଏ କେଜିବିର ପୂର୍ବ ଅଭିଲେଖପାଳ ଥିଲେ । ଯିଏ ସୋଭିଏତ ସଙ୍ଘର ପତନ ପରେ ୟୁନାଇଟେଡ କିଙ୍ଗଡମ ପଳାଇଆସିଥିଲେ ।

-ଅଧ୍ୟାୟ-୧୭ରେ , ଯାହାର ଶୀର୍ଷକ ଥିଲା ‘‘ ଭାରତ ସହିତ ବିଶେଷ ସମ୍ବନ୍ଧ’’ , ଭାଗ-୧: ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ସର୍ବୋଚ୍ଚତା, ଏଥିରେ ଋଷ ଏବଂ ଭାରତ ସମ୍ବନ୍ଧୀୟ ସମେତ ପୂର୍ବ ଋଷୀୟ ସୁରକ୍ଷା ଏଜେନ୍ସି କେଜିବିର ପ୍ରଭାବ ବିଷୟରେ ଉଲ୍ଲେଖ କରାଯାଇଛି ।

-ଏଥିରେ ଭାରତ ବିଷୟରେ ଦୁଇଟି ଭାଗରେ ଉଲ୍ଲେଖ କରାଯାଇଛି । ଏଥିରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ଋଷୀୟଙ୍କ ସହିତ କୌଣସି ବ୍ୟକ୍ତିଗତ ସମ୍ବନ୍ଧ ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ ।

-ଇଣ୍ଡେକ୍ସ ସେକ୍ସନରେ ଏକ ଚିତ୍ରର ଏକ ଅଂଶ ଅଛି । ସେହି ସେକ୍ସନରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଏକ ଫଟୋ ଦେଖାଯାଇଛି । ତାଙ୍କ ସହିତ ଦୁଇଜଣ ପୁରୁଷ ଛିଡା ହେଇଛନ୍ତି ।

– ଏଥିରେ ଲେଖା ଯାଇଛି ଯେ, ‘‘ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ଆକର୍ଷଣ ଅଭିଯାନର ଏକ ପ୍ରକରଣ । ନୂଆଦିଲ୍ଲୀ ରେସିଡେନ୍ସିର ବିକ୍ଟର ଚେରକାଶିନ ଏବଂ ସୋଭିଏତ କଳାକାର ଇଲ୍ୟା ଗ୍ଲେଗୁନୋବ ଇନ୍ଦିରା ଗାନ୍ଧୀଙ୍କ ଫଟୋରେ ଅଛନ୍ତି ।

– ଏହି ପୁସ୍ତକରେ ଭାଇରାଲ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କର କୌଣସି ଫଟୋ ଉପଲବ୍ଧ ନାହିଁ

-ଆମେ ଭାଇରାଲ ହୋଇଥିବା ଫଟୋକୁ ଗୁଗଲରେ ସର୍ଚ୍ଚ କରିବା ପରେ ଜାଣିବାକୁ ପାଇଲୁ ଯେ, ଏହାକୁ ଡେବିଏଣ୍ଟ ଆର୍ଟରେ ଅପଲୋଡ କରାଯାଇଥିଲା । ଯାହା କଳାକାର ଏବଂ କଳା ପ୍ରେମୀଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ଅଟେ । ଯେଉଁଠାରେ ଉପଭୋକ୍ତାମାନେ ପ୍ରତିଦିନ ହଜାର ହଜାର ଅନୋଖା କଳାକୃତି ପ୍ରସ୍ତୁତ କରିଥାଆନ୍ତି । ଯେଉଁଠାରେ ପେଣ୍ଟିଙ୍ଗ, ମୂର୍ତ୍ତି ସମେତ ଡିଜିଟାଲ ରଚନା, ପିକ୍ସେଲ କଳା ଏବଂ ଫିଲ୍ମ, ଏନିମେ ସାମିଲ ଅଟେ ।

-ତେବେ ‘‘HerSofterSide’’ ନାମକ ଏକ ୟୁଜର ଇନ୍ଦିରା ଗାନ୍ଧୀଙ୍କର ଏହି ଫଟୋକୁ ୨୦୨୩ରେ ଅପଲୋଡ କରିଥିଲେ ।

(ଏହି ଷ୍ଟୋରୀଟିକୁ ଶକ୍ତି କଲେକ୍ଟିଭରୁ ଉଦୃତ )

AI –ଡିଟେକ୍ସନ ଓ୍ବେବସାଇଟ- ଆମେ ଏହି ଫଟୋକୁ ଦୁଇଟି AI-ଡିଟେକ୍ସନ ଓ୍ବେବସାଇଟ ଯେମିତିକି ହାଇଭ ମଡରେସନ ଏବଂ ସାଇଟଇଞ୍ଜିନ AIରେ ଚଲେଇଥିଲୁ । ଦୁଇଟି ପ୍ଲାଟଫର୍ମରେ ଫଟୋଟି AI ଦ୍ବାରା ନିର୍ମିତ ବୋଲି ପ୍ରମାଣିତ ହେଲା ।

ଭାଇରାଲ ହେଉଥିବା ଫଟୋରେ କୌଣସି ସତ୍ୟତା ନାହିଁ । ଏହା AI ଦ୍ବାରା ଜେନେରେଟ କରାଯାଇଛି ।

 

ମନ୍ତ୍ରୀ ଖୋଲିଲେ ଆଇଏଏସ ଅଫିସରଙ୍କ ଗୁମର

ଡୁଙ୍ଗୁରୁପାଲି: ମନ୍ତ୍ରୀ ଖୋଲିଲେ ଆଇଏଏସ ଅଫିସରଙ୍କ ଗୁମର । ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ ରହୁନି ତାଳମେଳ । ମନ୍ତ୍ରୀ ଗୋଟିଏ କଥା କହୁଛନ୍ତି ତ ଅଫିସର ଗୋଟିଏ କଥା ହେଉଛନ୍ତି । ମଣ୍ଡିରେ କଟନି ଛଟନି ହେଉନ ଥିବା ଅଫିସର କହୁଥିବାବେଳେ ମନ୍ତ୍ରୀ କିନ୍ତୁ ଏହା ମାନିଛନ୍ତି । ମନ୍ତ୍ରୀ ଦେଇଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି । ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି- ଆଇଏଏସ ଅଫିସର କହୁଛନ୍ତି କୃଷକ-ମିଲରଙ୍କ ମଧ୍ୟରେ ମୁଣ୍ଡ ପୁରାନ୍ତୁନି ସରକାର । ସେମାନେ ଆପେ ନେଇଯିବେ । ସେପଟେ ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କ’ଣ ପାଇବୁ । ଅନେକ ଜିଲ୍ଲାରେ କଟନି ଛଟନି ହୋଇନି । କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି ।

୬ରୁ ୭କିଲୋ କାଟିବା ପାଇଁ ଜିଦ ଧରୁଛନ୍ତି । ଆଶ୍ଚର୍ଯ୍ୟ, ଏଭଳି ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି । ଯେତେବଡ଼ ଅଫିସର ହୁଅନ୍ତୁ ପଛେ କଟନି ଛଟନିରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମିଲରମାନେ ଏମିତି କରିବେ ତାଙ୍କ ମିଲ୍ ବ୍ଲାକ ଲିଷ୍ଟେଡ୍ ହେବ । ୪୧ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ବେଆଇନ ପ୍ରବାସୀଙ୍କୁ ପ୍ରେରଣକୁ ନେଇ ଆମେରିକା ସହିତ ବିିଭିନ୍ନ ଦେଶର ତିକ୍ତତା

ନନ୍ଦିଘୋଷ ବ୍ୟୁରୋ: ବେଆଇନ ପ୍ରବାସୀଙ୍କୁ ଜୋରଜବରଦସ୍ତ ସେମାନଙ୍କ ନିଜ ଦେଶକୁ ପଠାଇବାକୁ ନେଇ ଆମେରିକା ସହିତ ବିଭିନ୍ନ ଦେଶର ତିକ୍ତତା । ଯେପରି ଭାବେ ଲୋକଙ୍କୁ ଅମାନବୀୟ ଭାବେ ପ୍ରେରଣ କରାଯାଉଛି, ତାକୁ କଡ଼ା ସମାଲୋଚନା କରିଛି ବ୍ରାଜିଲ୍ । ପ୍ରାୟ ୯୦ ଜଣ ବ୍ରାଜିଲ ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ପଠାଇଥିବାରୁ ଆମେରିକାକୁ କଡ଼ା ସମାଲୋଚନା କରିଛି ବ୍ରାଜିଲ୍ । ସେମାନଙ୍କୁ ପାଣି ବି ପିଇବାକୁ ଦିଆଯାଇନଥିଲା । ଅତି କମରେ ମଣିଷ ଭଳି ବ୍ୟବହାର କରିବାର ଥିଲା ବୋଲି କହିଛି ବ୍ରାଜିଲ। ଏହାକୁ ନେଇ ଆମେରିକାକୁ ଜବାବ ମଗାଯିବ ବୋଲି କହିଛନ୍ତି ବ୍ରାଜିଲର ବୈଦେଶିକ ମନ୍ତ୍ରୀ।

ସେହିପରି କଲମ୍ଵିଆ ସହିତ ମଧ୍ୟ ଆମେରିକାର ତିକ୍ତତା ହୋଇଛି। ପ୍ରଥମେ ନିଜ ନାଗରିକଙ୍କୁ ଗ୍ରହଣ କରିବାକୁ ମନା କରିଥିଲା କଲମ୍ଵିଆ। ଲୋକଙ୍କୁ ଛାଡ଼ିବାକୁ ଯାଇଥିବା ମିଲିଟାରି ବିମାନକୁ ଅବତରଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲା କଲମ୍ଵିଆ। କିନ୍ତୁ ଚଢ଼ା ଟ୍ୟାକ୍ସ ଲଗାଇବାକୁ ଆମେରିକା ଧମକ ଦେବା ପରେ ନିଜ ନାଗରିକଙ୍କୁ ଗ୍ରହଣ ରାଜି ହୋଇଛି କଲମ୍ବିଆ। ରାଷ୍ଟ୍ରପତି ପ୍ରଥମେ କହିଥିଲେ, ଆମେରିକାର ସମ୍ମାନର ସହିତ ଲୋକଙ୍କୁ ଫେରାଉ। ସିଭିଲ ବିମାନରେ ଲୋକଙ୍କୁ ଆଣୁ। ଏପରିକି ଦୁଇଟି ମିଲିଟାରି ବିମାନକୁ କଲମ୍ଵିଆ ଫେରାଇ ଦେଇଥିଲା। ଏହା ପରେ ଆମେରିକା କ୍ଷୁବ୍ଧ ହୋଇ ଆର୍ଥିକ କଟକଣା ଲଗାଇବା ସହିତ ଚଢ଼ା ଦରର ବିଭିନ୍ନ ଟ୍ୟାକ୍ସ ଲଗାଇବାକୁ ଧମକ ଦେଇଥିଲା । ଏହା ପରେ କଲମ୍ବିଆ ନିଜ ନାଗରିକଙ୍କୁ ଗ୍ରହଣ କରିବାକୁ ରାଜି ହୋଇଛି ।

ଦିଲ୍ଲୀବାସୀଙ୍କ ଲାଗି ଆପର ୧୫ ଗ୍ୟାରେଣ୍ଟି, ଘୋଷଣାପତ୍ର ଜାରି କଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ଲାଗି ଆପର ଘୋଷଣାପତ୍ର ଜାରି। ଘୋଷଣାପତ୍ର ଜାରି କଲେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଏଥିରେ ଦିଲ୍ଲୀବାସୀଙ୍କ ଲାଗି ଆପ ୧୫ ଗ୍ୟାରେଣ୍ଟି ନିଶ୍ଚିତ କରିଛି । ସେଥିମଧ୍ୟରେ ରହିଛି ଦିଲ୍ଲୀବାସୀଙ୍କ ଲାଗି ରୋଜଗାରର ଗ୍ୟାରେଣ୍ଟି । ମହିଳାଙ୍କୁ ପ୍ରତିମାସରେ ୨୧ଶହ ଟଙ୍କା ପେନସନ । ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା । ଏଥିରେ ବରିଷ୍ଠ ନାଗରିଗଙ୍କୁ ମିଳିବ ମାଗଣା ସ୍ଵାସ୍ଥ୍ୟସେବା । ଛାତ୍ରଛାତ୍ରୀଙ୍କ ଲାଗି ଆମ୍ବେଦକର ସ୍କଲାରସିପ ଯୋଜନା । ଛାତ୍ରଛାତ୍ରୀଙ୍କ ଲାଗି ମାଗଣ ବସ ଯାତ୍ରା ସେବା। ଏହାସହ ମେଟ୍ରୋ ସେବାରେ ଛାତ୍ରଙ୍କ ଲାଗି ଯାତ୍ରାରେ ୫୦ ପ୍ରତିଶତ ରିହାତି ରହିଛି । ଦିଲ୍ଲୀର ସମସ୍ତ ସଡ଼଼କୁ ପକ୍କା ସଡକ ଭାବେ ନିର୍ମାଣ ଲକ୍ଷ୍ୟ ରହିଛି। ମନ୍ଦିରରେ ପୂଜକଙ୍କୁ ପ୍ରତିମାସ ୧୮ ହଜାର ଟଙ୍କା ପାଉଣା ଦେବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି ।

ଏହାସହ ଦିଲ୍ଲୀର ସମସ୍ତ ଅଂଚଳରେ ଅତ୍ୟାଧୁନିକ ସ୍ବରେଜ ବ୍ୟବସ୍ଥା କରାଯିବ।ଦିଲ୍ଲୀ ଘୋଷଣାପତ୍ର ଜାରି ଅବସରରେ ବରିଷ୍ଠ ନେତା ମନୀଷ ସିସୋଦିଆ, ଆତିଶୀ, ସଂଜଯ ସିଂହ, ରାଘବ ଚଢା, ସୌରଭ ଭରଦ୍ବାଜ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ଵର। ଚୋରି, ରାହାଜାନୀ, ଛିନତାଇ ବଢ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ଵର ଘରୁ ଚୋରି ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି- ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ । ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ସରକାର ଓ ଆଇନଶୃଙ୍ଖଳାର ଅବହେଳା କାରଣରୁ ଲୋକଙ୍କ ଘର, ସାହି ଏବଂ ସମ୍ପଦ ବିପଦରେ ପଡ଼ିଛି । ଓଡ଼ିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଲୋକଙ୍କ ସୁରକ୍ଷା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ନିରଞ୍ଜନ ।

ସେପଟେ ବିଜେଡି ବିଧାୟକ କଳିକେଶ ସିଂହଦେଓ ମଧ୍ୟ କଡ଼ା ସମାଲୋଚନା କରି କହିଛନ୍ତି, ଡବଲ ଇଂଜିନ ସରକାରରରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଡବଲ ଇଞ୍ଜିନରେ ପୂର୍ବରୁ ଗୋଟେ ଇଂଜନ ଫେଲ୍ ହୋଇଯାଇଥିଲା  । ଏବେ ଦୁଇଟା ଯାକ ଇଞ୍ଜିନ ଫେଲ  । ଭୁବନେଶ୍ଵରରୁ ବଲାଙ୍ଗିର ଯାଏ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ  । ବରିଷ୍ଠ କଂଗ୍ରେସ ନେତାଙ୍କ ଘରୁ ଚୋରି ହୋଇଛି। ହେଲେ ସରକାର ଯେପରି ପଦକ୍ଷେପ ନେବା କଥା, ନେଉ ନାହାନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତା ଉପରେ ସରକାର ଧ୍ୟାନ ଦିଅନ୍ତୁ। ଚୋରି, ଡକାୟତି ବଢିଛି, ହତ୍ୟା ବି ବଢ଼ିଛି  । ଲୋକେ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି କଳିକେଶ ସିଂହଦେଓ।

ସେପଟେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣା ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଏତଲା କରାଯାଇଛି। ସମସ୍ତ ସିସିଟିଭି ଯାଞ୍ଚ କରାଯାଇଛି । ନିରଞ୍ଜନଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ତଦନ୍ତ ଚାଲିଛି । ତଦନ୍ତ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି। ସେହି ତଥ୍ୟ ଆଧାରରେ ଛାନଭିନ ଚାଲିଛି । ଖୁବ ଶୀଘ୍ର ଅଭିଯୁକ୍ତ ପାଖେ ପହଞ୍ଚିବ କମିଶନରେଟ ପୋଲିସ।