ନନ୍ଦିଘୋଷ ବ୍ୟୁରୋ: ଆଜି ୮ ଘଣ୍ଟିଆ ବିନିକା ବନ୍ଦ । ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ ବିନିକା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଆଠ ଘଣ୍ଟିଆ ବିନିକା ବନ୍ଦ ପାଳନ କରାଯାଇଛି । ଜରୁରୀ କାଳୀନ ସେବା ଗୁଡ଼ିକୁ ଛାଡ଼ି ଯାନବାହାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ବର୍ଷବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟାତ କରି ଲୋକେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଫେବୃଆରୀ ୮ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ବର: ଫେବୃଆରୀରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଫେବୃଆରୀ ୮ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେଓ୍ବାଇସି କରିବାକୁ ବାକି ଅଛନ୍ତି । ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନପିସିଆଇ ଚେକ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଚଳିତବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ସୁଭଦ୍ରା ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ । ସବୁଠୁ ଅଧିକ NPCI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବାକି ଅଛି । ତେଣୁ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ଏନପିସିଆଇ କରାଇ ନିଅନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ମଲ୍ଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ପ୍ରଭାବ: ସହଜରେ ଯକ୍ଷ୍ମାରୁ ଭଲ ହୋଇ ପାରୁ ନାହାନ୍ତି ପିଲା
ଭୁବନେଶ୍ବର: ମଲଟି ଡ୍ରଗସ୍ ରେସିଷ୍ଟାନସ ଯୋଗୁଁ ଯାହାକୁ ଯକ୍ଷ୍ମା ହେଉଛି, ସହଜରେ ସେ ଭଲ ହେଉ ନାହାନ୍ତି । ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ନବଜାତଠାରୁ ଆରମ୍ଭ କରି ତରୁଣ ତରୁଣୀଙ୍କ କ୍ଷେତ୍ରରେ ଏହା ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଡ୍ରଗସ୍ ରେସିଷ୍ଟାନସ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଧ୍ୟାନରୁ ଜଣାପଡ଼ିଛି, ନିଜେ ନିଜେ ମନ ଇଚ୍ଛା ଔଷଧ କିଣି ଖାଉଥିବାରୁ ଏହି ସମସ୍ୟା ହେଉଛି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଛୋଟ ପିଲାଙ୍କୁ ହେଉଛି ଯକ୍ଷ୍ମା । ଯଦି ଗର୍ଭବତୀଙ୍କୁ ଯକ୍ଷ୍ମା ହୁଏ, ତାଙ୍କ ସନ୍ତାନକୁ ମଧ୍ୟ ଯକ୍ଷ୍ମା ହେବାର ଆଶଙ୍କା ଅଛି । ଏପରିକି ବାହାର ସଂକ୍ରମଣ ଯୋଗୁଁ ଯକ୍ଷ୍ମାରେ ୫ ବର୍ଷରୁ କମ ବୟସର ପିଲାଙ୍କ ଜୀବନ ଯାଉଛି । ୧୮ରୁ ୧୯ ବର୍ଷ କିଶୋର କିଶୋରୀ ବି ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ୍ ବୟସର ୨୩ ହଜାର ୩୬୯ ପିଲାଙ୍କ ଉପରେ ୪୨ ପ୍ରକାର ବିଶ୍ଲେଷଣ କରି ଏହି ଉଦବେଗଜନକ ତଥ୍ୟ ପାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଜ୍ଞାନିକ । ଏଥିପାଇଁ ମଲ୍ଟି ଡ୍ରଗସ୍ ରେସିଷ୍ଟାଣ୍ଟ୍ ଓ ରିଫାମ୍ସିନ୍ ରେସିଷ୍ଟାଣ୍ଟ୍ ଦାୟୀ । ରିଫାମ୍ସିନ୍ ଔଷଧ ଯକ୍ଷ୍ମାକୁ ଭଲ କରିବା ପାଇଁ ବ୍ୟବହାର କରାଯାଏ । ଯଦି ପିଲାଟିର ଓଜନ କମୁଛି, କାଶ, କଫ, ଥଣ୍ଡା ସହ ଜ୍ବର ଅଧିକ ଦିନ ଲାଗି ରହୁଛି ତା’ହେଲେ ସେହି ପିଲାକୁ ତୁରନ୍ତ ଛାତି ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଦରକାର । ନହେଲେ ଭିତରେ ଭିତରେ ସେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି ।
ସାଧାରଣତଃ ପିଲାଙ୍କୁ ଥଣ୍ଡା କାଶ ହେଲେ ମାଆବାପା ନିଜେ ନିଜେ ଔଷଧ ଦୋକାନରୁ ମେଡିସିନ୍ କିଣି ଦେଇଥାନ୍ତି । ହେଲେ ଏଭଳି କରିବା ଭୁଲ । ଥଣ୍ଡା ଓ କାଶ କିମ୍ବା ଜ୍ଵର ଯଦି ୩ ସପ୍ତାହରୁ ଅଧିକ ଦିନ ଲାଗି ରହୁଛି, ତା’ହେଲେ ଛାତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ । ବିଶେଷଜ୍ଞ କହୁଛନ୍ତି, ମନଇଚ୍ଛା ନିଜେ ଔଷଧ କିଣି ଆଣି କିମ୍ଵା କ୍ଵାକରୁ ଔଷଧ ନେଇ ପିଲାକୁ ଦେବା ଅନୁଚିତ । ଭାରତରେ ବିନା ପ୍ରେସକ୍ରିପସନରେ ଅଧିକ ଔଷଧ କାରବାର ହେଉଥିବାରୁ ପିଲା ଓ ତରୁଣଙ୍କ ଶରୀରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅଧିକ ଦେଖାଯାଉଛି । ଗବେଷଣାରୁ ଜଣାପଡ଼ିଛି ମଲଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ଯୋଗୁ ଭାରତରେ ୯୦ ପ୍ରତିଶତ ପିଲାଙ୍କ ଦେହରେ ଯକ୍ଷ୍ମା ରୋଗର ଲକ୍ଷଣ ଦେଖାଦେଉଛି ।
କାଲି ସରିବ ଦିଲ୍ଲୀ ପ୍ରଚାର: ହାଟ୍ରିକ ଲକ୍ଷ୍ଯରେ ଆପ, ଶାସନକୁ ଫେରିବାକୁ କଂଗ୍ରେସ-ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ଯମ
ନୂଆଦିଲ୍ଲୀ: ଆସନ୍ତାକାଲି ସରିବ ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର । ୫ ତାରିଖରେ ଭୋଟ । ୮ ତାରିଖରେ ଗଣତି । ସବୁ ରାଜନୈତିକ ଦଳର ଆଖିରୁ ହଜିଯାଇଛି ନିଦ । ଭୋଟ ହାତେଇବା ଲାଗି ବିଜେପିର ଉଦ୍ଯମକୁ ଖୁଲାସା କରିଛନ୍ତି କେଜ୍ରିଓ୍ବାଲ । ବ୍ଲାକମେଲର ଶିକାର ନହେବାକୁ ସେ ଦେଇଛନ୍ତି ଆହ୍ବାନ । ତେଣେ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ କେନ୍ଦ୍ରମନ୍ତ୍ରୀ । ଅମୃତସରରେ ଆମ୍ବେଦକର ପ୍ରତିମୂର୍ତ୍ତି ଭଙ୍ଗା ରାଜନୀତିର ପ୍ରଭାବ ପଡିଛି ଦିଲ୍ଲୀରେ ।
ବର୍ତ୍ତମାନ ଦିଲ୍ଲୀ ଦଖଲ ପାଇଁ ବଡ଼ ଷଡଯନ୍ତ୍ର ଚର୍ଚ୍ଚା । ଭୋଟ ହାତେଇବା ଲାଗି ଖୋଲାଖୋଲି ଭୋଟରଙ୍କୁ କରାଯାଉଛି ବ୍ଲାକମେଲ । ଏପରିକି ଘର ଘର ବୁଲି ଇଙ୍କ ଲଗାଇବା ପାଇଁ ଚାଲିଛି ଯୋଜନା । ଏଭଳି ବ୍ଯକ୍ତି ବିଶେଷଙ୍କ ଜାଲରେ ନପଡିବାକୁ ଆହ୍ବାନ ଦେଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି- ଯଦି ବିଜେପି ସରକାରକୁ ଆସିବ ତେବେ କିଛି ମାସରେ ଦିଲ୍ଲୀରୁ ବସ୍ତି ମୂଳପୋଛ ହୋଇଯିବ । ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ଯ କରାଯାଉଛି । ବିଭିନ୍ନ ଧମକ ଚମକ ଦିଆଯାଉଛି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ।
ତେବେ କେଜ୍ରିଓ୍ବାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀରେ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ । ଦିଲ୍ଲୀବାସୀ ସଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ।
ଆସନ୍ତାକାଲି ସରିବ ବିଧାନସଭା ନିର୍ବାଚନ ପ୍ରଚାର । ଭୋଟରଙ୍କୁ ମନାଇବାକୁ ମଇଦାନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ରାଜେନୖତିକ ଦଳ ଆପ, ବିଜେପି ଓ କଂଗ୍ରେସ । ଆପ ହାଟ୍ରିକ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ । ପ୍ରଚାରରେ ସାମିଲ ହୋଇଛନ୍ତି ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ । ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ । ତେଣେ ପଞ୍ଜାବ ଅମୃତସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ବଢିଛି ରାଜନୀତି । ଏହି ଘଟଣାରେ ଆପକୁ ଦାୟୀ କରି କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ । ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ ଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।

