କଟକ: ବାରବାଟୀ ଟିକଟର କଳାବଜାରୀ। ବ୍ଲାକ୍ କରୁଥିବା ବେଳେ ୪ ଜଣଙ୍କୁ ଧରିଲା ପୋଲିସ । ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୋଲିସ ମାଡ଼ି ବସିଲା। ଟଙ୍କା ଓ ଟିକଟ ଜବତ କରିଛି ପୋଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏପରିକି ବୁଢ଼ା ବୁଢ଼ୀ ବି ଲାଇନରେ ଠିଆ ହୋଇଥିଲେ, ଯେଉଁମାନେ କି କ୍ରିକେଟ ର କ ବି ଜାଣନ୍ତି ନାହି। ସେଇଠୁ ସନ୍ଦେହ ହୋଇଥିଲା, ଏସବୁ ବ୍ଲାକ ହେବ। ତାହା ସତ ପ୍ରମାଣିତ ହୋଇଛି। ଏବଂ ଟିକେଟ ବ୍ଲାକ କରୁଥିବା ୪ ଜଣଙ୍କୁ ଅଟକ ରଖିଛି କଟକ କ୍ଯାଣ୍ଟନମେଣ୍ଟ ଥାନା ପୋଲିସ।
ଟ୍ରାକ୍ଟର ଓଲଟି ୨ ମୃତ, ୪ ଗୁରୁତର
ରାୟଗଡା: ରାୟଗଡ଼ା ଗୁଣୁପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତାରେ ଦୁର୍ଘଟଣା। ଫ୍ଲାଇ ଆସ୍ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୨ ମୃତ । ରାସ୍ତା କଡରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର । ଏହି ଟ୍ରାକ୍ଟରଟି ଗୁଲୁମୁଣ୍ଡା ପାକା ନିକଟ ଇଟା ଫେକ୍ଟ୍ରିରୁ ଇଟା ବୋଝେଇ କରି ଗୁଣୁପୁର ଅଭିମୁଖେ ଯାଉଥିଲା । ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକ ମାନେ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ସମସ୍ତ ଶ୍ରମିକ ଗୁଣୁପୁର ବ୍ଲକ ଅମ୍ପରା ଗ୍ରାମର ବୋଲି ସୂଚନା ମିଳିଛି । ୨ ମୃତକ ଦମ୍ପତି ହେଲେ ଚଇତନ୍ୟ ଶବର ଓ ମମିତା ଶବର ବୋଲି ଜଣାପଡିଛି । ଉଭୟ ଶ୍ରମିକ ବାବେ କାର୍ଯ୍ୟ କରନ୍ତି ।
ଭାରତ ବେଆଇନ୍ ପ୍ରବେଶକୁ ସମର୍ଥନ କରେ ନାହିଁ, କିନ୍ତୁ ହାତକଡି ପକାଇ ଆଣିବା ଭାରତର ନୀତି ନୁହେଁ
ନନ୍ଦିଘୋଷ ବ୍ୟୁରୋ: ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କୁ ନେଇ ସାରା ଦେଶରେ ଚାଲିଛି ହଙ୍ଗାମା । ଆମେରିକା ନିଜର ସୈନ୍ୟ ବିମାନରେ ୧୦୪ ଭାରତୀୟଙ୍କ ହାତରେ ହାତକଡି ଏବଂ ଗୋଡରେ ବେଡି ପକାଇ ଭାରତକୁ ପଠାଇଛି । ଯେଉଁଭଳି ଅମାନବୀୟ ଭାବରେ ଭାରତୀୟଙ୍କୁ ପଠାଯାଇଛି ତାକୁ ନେଇ ଉତ୍ତେଜନା ଜାରି ରହିଛି । ଏପରିକି ସଂସଦରେ ମଧ୍ୟ ଏହାକୁ ଦୃଢ ବିରୋଧ କରିଛନ୍ତି ବିରୋଧୀ । ଏହା ପରେ ଆଜି ସଂସଦର ବଜେଟ୍ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରବାସୀ ଭାରତୀୟଙ୍କ ପ୍ରସଙ୍ଗରେ ନିଜର ଜବାବ୍ ରଖିଛନ୍ତି । ସେ କହିଛନ୍ତି ଯେ , ବେଆଇନ୍ ଭାବରେ ଅନୁପ୍ରବେଶ ପାଇଁ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ କିଛି ନୂଆ ନୁହେଁ । ହାତକଡି ପିନ୍ଧାଇ ଭାରତକୁ ପଠାଇବା ନୀତି ଆମେରିକା ପାଇଁ କିଛି ଅଲଗା ନୁହେଁ । ତେବେ, ଆମେରିକାରୁ ନିର୍ବାସିତ ଏହି ୧୦୪ ଜଣ ଭାରତୀୟ ବୁଧବାର ଅମୃତସରରେ ପହଞ୍ଚିଛନ୍ତି। ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ହରିୟାଣା, ପଞ୍ଜାବ ଏବଂ ଗୁଜରାଟର ଥିଲେ।
ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏଜେଣ୍ଟମାନଙ୍କୁ ଚେତାବନୀ ଦେଇଛନ୍ତି ଯେଉଁମାନେ ପ୍ରଚୁର ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କୁ ଡଙ୍କିରୁଟର ଚକ୍ରବ୍ୟୁହରେ ଠେଲି ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ ଆମେ ଅଧିକାରୀମାନଙ୍କୁ ଆମେରିକାରୁ ନିର୍ବାସିତ ସମସ୍ତ ଲୋକଙ୍କ ସହିତ ବସିବାକୁ ନିର୍ଦ୍ଦେଶ ଦେଇଛୁ। ଆମେ ସେମାନଙ୍କ ସହିତ କଥା ହେବା ଉଚିତ ଏବଂ ଜାଣିବା ଉଚିତ ଯେ ଏହି ଲୋକମାନେ କିପରି ଆମେରିକା ଗଲେ । କେଉଁ ଏଜେଣ୍ଟମାନେ ସେମାନଙ୍କୁ ପଠାଇଥିଲେ, ସେମାନେ କିଏ ଥିଲେ ଏବଂ ସେମାନେ କେଉଁଠାରୁ ଆସିଥିଲେ । ଏହି ନେଟୱାର୍କକୁ ଭାଙ୍ଗିବା ପରେ, ସରକାର ଏବେ ନୂତନ ଭାବରେ କାମ ଆରମ୍ଭ କରିପାରିବେ ବୋଲି ବିଶ୍ୱାସ କରାଯାଉଛି ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି କହିଛନ୍ତି, ‘ଦେଶତ୍ୟାଗ କରାଯାଉଥିବା ଭାରତୀୟମାନଙ୍କୁ କୌଣସି ପ୍ରକାରର ଦୁର୍ବ୍ୟବହାରର ଶିକାର ନ କରାଯିବା ନିଶ୍ଚିତ କରିବା ପାଇଁ ସରକାର ଆମେରିକା ସହିତ ଆଲୋଚନା କରୁଛନ୍ତି । ଗୃହ ବୁଝିବ ଯେ ଆମର ଧ୍ୟାନ ବେଆଇନ ପ୍ରବାସୀ ଶିଳ୍ପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବୈଧ ଯାତ୍ରୀଙ୍କ ପାଇଁ ଭିସା ସହଜ କରିବା ପାଇଁ ପଦକ୍ଷେପ ନେବା ଉପରେ ରହିବା ଉଚିତ । ସେ କହିଛନ୍ତି ଯେ ଆମେରିକାରୁ ନିର୍ବାସିତ ଲୋକଙ୍କ ସୂଚନା ଆଧାରରେ, ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଏଜେଣ୍ଟ ଏବଂ ଏପରି ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଆବଶ୍ୟକୀୟ, ପ୍ରତିରୋଧକ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ମୃତ
ନନ୍ଦିଘୋଷ ବ୍ୟୁରୋ: ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସର ମାଗୁଇନଡାନାଓ ଡେଲ ସୁର ଅଞ୍ଚଳର କ୍ଷେତରେ ଘଟିଛି ।
ଆମେରିକାର ଇଣ୍ଡୋ-ପେସିଫିକ୍ କମାଣ୍ଡଙ୍କ ସୂଚନା ଅନୁୟାୟୀ, ଫିଲିପାଇନ୍ସର ଅନୁରୋଧରେ ଆମେରିକା ବିମାନ ଗୁପ୍ତ ସୂଚନା ଓ ସୁରକ୍ଷା ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଛି ।
ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ବାହାରକୁ ଚାଲିଆସିଥିଲେ । ଏକ ଜନବସତି ଠାରୁ ମାତ୍ର ୧ କିମି ଦୂରରେ ବିମାନଟି ତଳେ ପଡିଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରେ ୟୁଏସର ସର୍ଭିସ ମେମ୍ବରଙ୍କ ସମତେ ୩ ପ୍ରତିରକ୍ଷା କଣ୍ଟ୍ରାକ୍ଟର ପ୍ରାଣ ହରାଇଛନ୍ତି।
ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଅର୍ଥ କମିଶନଙ୍କ ନିକଟରେ ଦାବି ଜଣାଇଲା ବିଜେଡି
ଭୁବନେଶ୍ବର: ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଦିଆଯାଇଥିବା ସ୍ମାରକପତ୍ରକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ବିଜେଡି ତରଫରୁ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଦିଆଯାଇଛି। ଅର୍ଥ କମିଶନ କେବଳ ବିଜେଡିର ସ୍ମାରକପତ୍ର ଦେଖି ବେଷ୍ଟ ସଜେସନ ବୋଲି କହିଲେ। ୨୪ ବର୍ଷ ଧରି ଶାସନ ଭାର ସମ୍ଭାଳିଥିଲା ବିଜେଡି। କେନ୍ଦ୍ର ଠୁ ଯେତିକି ନ୍ୟାୟ ମିଳିବା କଥା ତାହା ମିଳିନି ବୋଲି ଅଭିଯୋଗ ଆଣିଲେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ଗତ ୧୦, ୧୨ ବର୍ଷ ମଧ୍ୟରେ ଯେତିକି ଆର୍ଥିକ ସହାୟତା ପାଇବା କଥା ତାହା ପାଇ ନାହୁଁ। ଓଡିଶାକୁ ଏକ ବେମାର ରାଜ୍ୟରୁ ଆର୍ଥିକ ପ୍ରଗତିପୂର୍ଣ୍ଣ ରାଜ୍ୟରେ ପରିଣତ କରିବାରେ ସମର୍ଥ ହୋଇଛୁ। ନୀତି ଆୟୋଗ ରିପୋର୍ଟ କହିଛି ଆର୍ଥିକ ଦୃଷ୍ଟିରୁ ଓଡିଶା ବହୁ ଆଗକୁ ଯାଇଛି । ନବୀନ ସରକାର ଏ କ୍ଷେତ୍ରରେ ସମର୍ଥ ହୋଇଛନ୍ତି। ରାଜ୍ୟ ପାଇଁ ୪୧ ପ୍ରତିଶତ ଅଛି କେନ୍ଦ୍ରୀୟ ଭାଗ ତାହା ୫୦ ପ୍ରତିଶତ ହେବାକୁ ଦାବି । କେନ୍ଦ୍ର ସରକାର ୮ ଟି ସ୍କିମ କାଟିଦେଲେ । ତେଣୁ ସିଏସଏସ ଅନୁପାତ ବଢାଇବାକୁ ଦାବି। ଏବେ ୬୦, ୪୦ ଅନୁପାତ ମିଳୁଛି। ଯେଉଁଥିପାଇଁ ରାଜ୍ୟକୁ ଅଧିକ ଆର୍ଥିକ ବୋଝ ପଡୁଛି । ପଞ୍ଚାୟତ ସ୍ତରକୁ ଯେଉଁ ଅନୁଦାନ ମିଳୁଛି ତାହାକୁ ୫ ପ୍ରତିଶତ କରିବାକୁ ଦାବି। ଗତ ୧୪ ବର୍ଷ ହେଲା କୋଇଲା ରୟାଲଟିର ରିଭିଜନ ହୋଇନାହିଁ । ଯାହା ଫଳରେ ଓଡିଶାକୁ ଆର୍ଥିକ କ୍ଷତି ହେଉଛି। ଅନେକ ପିଏସୟୁ ବନ୍ଦ ହୋଇଯାଇଛି। କିନ୍ତୁ ଓଡ଼ିଶାର ଜମି ତାହା ମିଳୁନି । ଜମି ଫେରାଇଦିଅ ନଚେତ ଜମି ବିକ୍ରି ଲବ୍ଧ ଅର୍ଥ ଆମକୁ ଦିଅ ବୋଲି ଦାବି କରିଛି ବିଜେଡି। ରାଜ୍ୟରେ କୃଷି ପରେ ବୁଣାକାର ସଂଖ୍ୟା ଅଧିକ। ହସ୍ତତନ୍ତ ଶିଳ୍ପର ପୁନରୁଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ। ହିମାଲୟାନ ରାଜ୍ୟ ଭଳି ଓଡ଼ିଶାର ସ୍ୱତନ୍ତ୍ର ଅବସ୍ଥିତି ଦୃଷ୍ଟିରୁ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶାର କଥା ବିଚାର କରି ସେହି ଶ୍ରେଣୀ ଅନ୍ତର୍ଭୁକ୍ତ କରି ସ୍ୱତନ୍ତ୍ର ସହାୟତା ଦିଆଯାଉ।
ଦିଲ୍ଲୀ-ଏନସିଆର ସ୍କୁଲକୁ ପୁଣିଥରେ ବୋମା ଧମକ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସ୍କୁଲକୁ ପୁଣିଥରେ ବୋମା ଧମକ ମିଳିଛି। ଖବର ମିଳିବା ପରେ ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ସ୍କୁଲ ପରିସରରେ ଯାଞ୍ଚ କରୁଛନ୍ତି ।
ସୂଚନାଯୋଗ୍ୟ, ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ପାଣ୍ଡବ ନଗର ସ୍ଥିତ ଅଲକୋହନ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ମିଶି ସ୍କୁଲ ପରିସରଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ ସନ୍ଦେହଜନକ ବସ୍ତୁ ମିଳିନାହିଁ । ଏନେଇ ସ୍କୁଲ କର୍ତ୍ତ୍ପକ୍ଷ ପିଲାଙ୍କ ପରିଜନଙ୍କୁ ମେସେଜ ପଠାଇଥିଲେ ଏବଂ ସ୍କୁଲକୁ ବନ୍ଦ କରିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳେ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ କାରଣ ଯୋଗୁଁ ସ୍କୁଲ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି । ଆଗାମୀ ନିର୍ଦ୍ଦେଶ ପରେ ସ୍କୁଲ ଖୋଲଯିବ । ସେପଟେ ସାଇବର ଟିମ୍ ଏହି ଧମକପୂର୍ଣ୍ଣ ଇମେଲ୍ କେଉଁଠୁ ଆସିଛି ଏବଂ କିଏ ପଠାଇଛି, ତାହା ମଧ୍ୟ ଯାଞ୍ଚ କରୁଛି । ଏପରି ସ୍ଥିତିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ଏବଂ ଶାନ୍ତ ରହିବାକୁ ନିବେଦନ କରାଯାଇଛି ।
ଏହାପୂର୍ବରୁ ଷ୍ଟେପ୍ ବାଏ ଷ୍ଟେପ୍ ସ୍କୁଲ, ଦ ହେରିଟେଜ୍ ସ୍କୁଲ, ଜ୍ଞାନଶ୍ରୀ ସ୍କୁଲ ଓ ମୟୂର ସ୍କୁଲରେ ବୋମା ଧମକ ମିଳିଥିଲା ।
ଗନ୍ଧମାର୍ଦ୍ଦନରେ ପୁଣି ପୋଲିସ ଓ ମାଓବାଦୀ ମୁହାଁମୁହିଁ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନରେ ପୁଣି ପୋଲିସ ଓ ମାଓବାଦୀ ମୁହାଁମୁହିଁ l ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି l ଗନ୍ଧମାର୍ଦ୍ଦନ ନିକଟ ଭାନପୁର ପଞ୍ଚାୟତ ହନୁପାଲିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ଜଣାପଡିଛି l ବଲାଙ୍ଗୀର ଏସ୍ପି ରିଶିକେଶ ଖିଲାରୀ ଏହି ସୂଚନା ଦେଇଛନ୍ତି l ଭାନପୁର ପଂଚାୟତ ହନୁପାଲିରେ ପୋଲିସର ସର୍ଚ୍ଚ ଅପରେସନ ଚାଲିଥିବାରୁ ସେହି ଅଞ୍ଚଳକୁ ସିଲ କରିଛି ପୋଲିସ । ୧୫ରୁ ୨୦ ଟପ୍ ନକ୍ସଲ ଲୁଚି ଥିବାର ସୂଚନା ପାଇ ପୋଲିସ ଏବଂ ଏସଓଜିର ମିଳିତ ଟିମ୍ ରାତିରୁ ଅପରେସନ ଜାରି ରଖିଛି। ହନୁପାଲି ଗାଁ ଦୋକାନକୁ ସାମଗ୍ରୀ କିଣିବାକୁ ଆସିବା ପରେ ନକ୍ସଲଙ୍କ ଉପସ୍ଥିତି ସଂପର୍କରେ ଜଣାପଡ଼ିଥିଲା। କିଛି ମାସ ହେଲା ବିବିଏମ୍ ଡିଭିଜନ ସକ୍ରିୟ ହୋଇଛି I ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ଡିଭିଜନ୍ କମିଟି ପକ୍ଷରୁ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରୟାସ କରୁଛି ଲାଲବାହିନୀ।
ଆପ୍ ଛାଡିଲେ ୧୫ କୋଟି ! ଆପ୍ ପ୍ରାର୍ଥୀଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କଲେ ଅରବିନ୍ଦ କେଜରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ବିରୋଧରେ ଆପର ବଡ଼ ଅଭିଯୋଗ। ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ଫଳାଫଳ ପୂର୍ବରୁ ଶନିବାର ‘ଅଫର’କୁ ନେଇ AAP ଏବଂ BJP ମଧ୍ୟରେ ରାଜନୈତିକ ଟଣାଓଟରା। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ବିଜେପି ତାଙ୍କ ଦଳର ପ୍ରାର୍ଥୀମାନଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।
ଗତ ଗୁରୁବାର ଦିନସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଅରବିନ୍ଦ କେଜ୍ରିୱାଲ୍ ଦାବି କରିଛନ୍ତି ଆପରେ ୧୬ଜଣ ପ୍ରାର୍ଥୀଙ୍କୁ ପଦ ଏବଂ ଦଳ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ୧୫ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। କେଜ୍ରିୱାଲ ତାଙ୍କ ପୋଷ୍ଟରେ କହିଛନ୍ତି, ‘କିଛି ଏଜେନ୍ସି ଦେଖାଉଛି ବିଜେପି ୫୫ରୁ ଅଧିକ ଆସନ ପାଉଛି। ଗତ ଦୁଇ ଘଣ୍ଟା ମଧ୍ୟରେ, ଆପର ୧୬ଜଣ ପ୍ରାର୍ଥୀଙ୍କୁ ଫୋନ୍ ଆସିଥିବା କହିଛନ୍ତି କେଜ୍ରିୱାଲ । AAP ଛାଡି ତାଙ୍କ ଦଳରେ ଯୋଗଦେଲେ ୧୫ କୋଟି ଟଙ୍କା ସହିତ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି । ଯଦି ତାଙ୍କ ଦଳ ୫୫ ରୁ ଅଧିକ ଆସନ ପାଉଛି, ତେବେ ସେ ଆମ ପ୍ରାର୍ଥୀଙ୍କୁ ଡାକିବାର କ’ଣ ଆବଶ୍ୟକତା ଅଛି ବୋଲି କେଜ୍ରିୱାଲ୍ କହିଛନ୍ତି।
ଦିଲ୍ଲୀରେ କାହାର ସରକାର ଗଠନ ହେବାକୁ ଯାଉଛି, ତାହା ଫେବୃଆର ୧୮ ତାରିଖରେ ଗଣତି ଫଳାଫଳ ଆସିବା ପରେ ଜଣାପଡିବ । କିନ୍ତୁ ଫଳାଫଳ ପୂର୍ବରୁ ଶନିବାର ଆପ୍ ଏବଂ ବିଜେପି ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପର ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । କେଜ୍ରିୱାଲଙ୍କ ଦାବିକୁ ଦୋହରାଇ ସୁଲତାନପୁର ମାଜରା ଆପ୍ ପ୍ରାର୍ଥୀ ତଥା ମନ୍ତ୍ରୀ ମୁକେଶ ଆହଲାୱତ ଓ ଆପ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ।
ଆପର ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏହି ଅଭିଯୋଗକୁ ଖଣ୍ଡନକରିବା ସହିତ ନିର୍ବାଚନୀ ପରାଜୟ ପାଇଁ ଆପର “ହତାଶା”ର ଏକ ସଙ୍କେତ ବୋଲି କହିଛନ୍ତି ।
କୁବେର ବାବୁଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି, ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ
ମାଲକାନଗିରି: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ । ଶାନ୍ତନୁଙ୍କ ସହ ଅନ୍ୟ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ସରକାରୀ ଯୋଜନା ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆଜି ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ । ଶାନ୍ତନୁଙ୍କ ସହିତ ଅନ୍ୟ ଗିରଫମାନେ ହେଲେ ଅମୀୟକାନ୍ତ ସାହୁ, ମୋହନ ମଣ୍ଡଳ, ବିଶ୍ୱଜିତ ମଣ୍ଡଳ, ଅଲେଖ ପ୍ରଧାନ । ଚଢ଼ାଉରେ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା । ଜବତ ଟଙ୍କା ମଧ୍ୟରୁ ଶାନ୍ତନୁଙ୍କ ଠାରୁ କେବଳ ୨କୋଟି ଟଙ୍କା ମିଳିଥିଲା । ମାଲକାନଗିରିରେ ଏକ ୩ ମହଲା ବିଳାସପୂର୍ଣ୍ଣ କୋଠା, ୪ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ଏହା ସହିତ ୪୨୨ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ଜମା ଆକାଉଣ୍ଡରୁ ୯୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ଲକରରୁ ମଧ୍ୟ ମିଳିଥିଲା ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ସହ ଅଫିସିଆଲ ଦସ୍ତାବିଜ । ଲମ୍ବା ସମୟ ଧରି ଚାଲିଥିଲା ଭିଜିଲାନ୍ସ ରେଡ୍ । ଗତ ବୁଧବାରଠାରୁ କୁବେର ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିଲା । ଭୁବନେଶ୍ଵର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଲକରରୁ ସେଲ୍ ଡିଡ୍ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଗତାକାଲି ବାସଭବନରେ ତଲାସୀ ସମୟରେ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା ।
ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ
ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଘଟଣ। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ।
ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ସୂଚନା ମିଳି ନାହିଁ। ତୁଳସୀ ଚଉରା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । କୁହାଯାଉଛି ଯେ, କିଛି ଲୋକ ଶୀତରୁ ରକ୍ଷା ପାଇଁବା ପାଇଁ ନିଆଁ ପୁଇଁଥିଲେ । ଏହାପରେ ସେ ନିଆଁ ନ ଲିଭାଇ ସେଠାରୁ ଚାଲିଯାଇଥିଲେ । ପବନ ଯୋଗୁଁ ନିଆଁ ଧାସ ଯାଇ ଟେଣ୍ଟରେ ଲାଗିଥିଲା । ତାପରେ ଟେଣ୍ଟରେ ନିଆଁ ଦେଖୁଦେଖୁ ବ୍ୟାପିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଗୋଟିଏ ଟେଣ୍ଟ ଜଳିଯାଇଥିଲା । ତମ୍ୱୁ ଭିତରେ ଥିବା ଜିନିଷପତ୍ର ମଧ୍ୟ ପୋଡିଜଳି ପାଉଁଶ ହୋଇଯାଇଛି ।
ଏହା ଆଗରୁ ମଧ୍ୟ ଗତ ସପ୍ତାହରେ ନିଆଁ ଲାଗି ୧୫ରୁ ଅଧିକ ଟେଣ୍ଟ ପୋଡ଼ି ଯାଇଥିଲା। ଅନ୍ୟପଟେ ମୌନି ଅମାବାସ୍ୟା ଦିନରେ ଅମୃତ ସ୍ନାନ ବେଳେ ଦଳାଚକଟାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶତାଧିକ ଆହତ ହୋଇଥିଲେ।

