ଭୁବନେଶ୍ବର: ଶୁଣୁନାହାନ୍ତି ସରକାର । ଅଣ୍ଟା ଭିଡିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଭାଙ୍ଗିବେ ଛତିଶଗଡ଼ର ବେଆଇନ ବାଲିବନ୍ଧ । ଲୋକେ ତାତିଲେ ବାହାରିବ କି ସମାଧାନର ବାଟ ? ଛତିଶଗଡ ମହାନଦୀରେ କରିଥିବା ବେଆଇନ ବାଲିବନ୍ଧକୁ ଭାଙ୍ଗିବ ମହାନଦୀ ବଞ୍ଚାଅ ଆନ୍ଦୋଳନ l ବେଆଇନ ବ୍ୟାରେଜ ପରେ ବେଆଇନ ବାଲିବନ୍ଧ କରି ମହାନଦୀ ପାଣି ଅଟକାଇଛି ଛତିଶଗଡ । ଯାହା ଫଳରେ ମହାନଦୀ ଶୁ୍ଖିଯିବା ସହ ଆଗକୁ ଓଡିଶାରେ ଜଳ ସଂଙ୍କଟ ଉତ୍କଟରୂପ ନେବ। ମହାନଦୀ ଉପରେ ଛତିଶଗଡ ସରକାର ବାରମ୍ବାର ଓଡିଶାର ହକକୁ ଅଟକାଉଥିବାରୁ ଏହା ବିରୋଧରେ ସ୍ବର ଉଠାଇଛି । ଛତିଶଗଡର ଏପରି ମନମୁଖୀ କାର୍ଯ୍ୟକାଳପ ବିରୋଧରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ l ହେଲେ ହତାଶ ହୋଇଥିଲା । ଏବେ ଗୁରୁବାର ମହାନଦୀ ବଞ୍ଚାଅ ଆନ୍ଦୋଳନ ବେଆଇନ ବାଲିବନ୍ଧ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଛତିଶଗଡ ସରକାର ଏପରି ବେଆଇନ ପଦକ୍ଷେପ ନେଇ ଓଡିଶାକୁ ହଇରାଣ କରୁଛନ୍ତି । ଯାହାର ଜବାବରେ ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଆପୋଷ ବୁଝାମଣା କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇ ସମାଧାନ ପ୍ରୟାସ ଜାରି ରହିଛି ।
ଅନ୍ୟପଟେ ମହାନଦୀ ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ସେ ଅଭିଯୋଗ କରିଛନ୍ତି ଯେ ମହାନଦୀ ଜଳ ବିବାଦକୁ ନେଇ ସରକାର କିଛି ପଦକ୍ଷେପ ନେଲେ ନାହିଁ l ଲୋକେ ଧୀରେ ଧୀରେ ତାତିଲେଣି l ବର୍ତ୍ତମାନ ଟ୍ରିପଲ ଇଂଜିନ ସରକାର ଚାଲିଛି l ସବୁଠି ବିଜେପି ସରକାର l ତେଣୁ ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ l ଆମେ ସରକାରଙ୍କୁ ଚେତାବନୀ ଦେଉଛୁ ମହାନଦୀ ସମସ୍ୟାର ସମାଧାନ ନକଲେ ଆଗକୁ ଜୋରଦାର ଲଢେଇ ହେବ l ବିଜେପି ସରକାର ଆସିବା ପରେ ଛତିଶଗଡ ଓଡିଶାକୁ ବାଲିବନ୍ଧ କରି ପାଣି ଅଟକାଇଛି l ଆଗକୁ ଲୋକେ ଏହା ବିରୋଧରେ ଜୋରଦାର ଲଢେଇ କରିବାକୁ ପ୍ରସ୍ତୁତ ହେଲେଣି l କାଲି ଏହାର ପ୍ରତିଫଳନ ଦେଖିବାକୁ ମିଳିବ Lପିସିସି ସଭାପତି ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବିଜେପି ସରକାର ପ୍ରତାରଣା ଦେଇଛି ବୋଲି କଂଗ୍ରେସ କହିଛି । ଦୀର୍ଘଦିନ ଓଡିଶା ଓ ଛତିଶଗଡ ସରକାର ମଧ୍ୟମରେ ଜଳ ବିବାଦ ଲାଗିରହିଛି । କେନ୍ଦ୍ର ସରକାର ଚାହିଲେ ଚୁଟକିରେ ଜଳ ବିବାଦର ସମାଧାନ ହେବ ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।
ଅଣ୍ଟା ଭିଡିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ, ଭାଙ୍ଗିବେ ଛତିଶଗଡ଼ର ବେଆଇନ ବାଲିବନ୍ଧ
ନବ ନିର୍ମାଣ କୃଷକ ସଂଗଠନର ରଣହୁଙ୍କାର, ସାରା ରାଜ୍ୟରେ ପଡ଼ିଲା ଓଡ଼ିଶା ବନ୍ଦର ପ୍ରଭାବ….
ନନ୍ଦିଘୋଷ ବ୍ୟୁରୋ ; ଅଖ ବନ୍ଦ, ଚକ ବନ୍ଦ। ସବୁଠି ପଡ଼ିଲା ଓଡ଼ିଶା ବନ୍ଦର ପ୍ରଭାବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଓଡ଼ିଶା ବନ୍ଦ କରିଛି ନବ ନିର୍ମାଣ କୃଷକ ସଂଗଠନ। କେଉଁଠି ଟାୟାର ଜାଳି ତ ଆଉ କେଉଁଠି ପିକେଟିଂ। ଭୁବନେଶ୍ବରରେ ତ ଧାନ ବସ୍ତାକୁ ଗାଡ଼ି ଆଗରେ ରଖି କରାଯାଇଛି ପ୍ରତିବାଦ। ଅନେକ ଜାଗାରେ ରାସ୍ତା ମଝିରେ ଅଟକି ରହିଲେ ଗାଡ଼ି ମୋଟର। ଗାଡ଼ି ଚଳାଚଳ ହେଉନଥିବାରୁ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଟୋକନ ସମସ୍ୟା, ମଣ୍ଡିରେ ଉଠୁନି ଧାନ, ବ୍ୟାପକ ଭାବେ ଚାଲିଛି କଟନୀ ଛଟନୀ। ଏ ସମସ୍ତ ଅବ୍ୟବସ୍ଥାକୁ ଦୂର କରିବାକୁ ନିର୍ବାଚନ ବେଳେ ପ୍ରତିଶୃତି ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ଏହାକୁ ପାଳନ କରୁନାହାନ୍ତି ସରକାର। ପିୟୁସିସି ନାଁରେ ଆଦାୟ ହେଉଛି ମନଇଚ୍ଛା ଫାଇନ। ସେହିପରି ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ଶୋଷଣ କରୁଛି। ଏପରି ସ୍ଥିତିରେ ରାଜ୍ୟର ଅର୍ଥନୀତି ବିଗିଡ଼ିବାରେ ଲାଗିଲାଣି। କିନ୍ତୁ ସବୁ ଜାଣି ସରକାର ନୀରବ। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ବନ୍ଦ ପାଳିଛି ନବ ନିର୍ମାଣ କୃଷକ ସଙ୍ଗଠନ।
ବନ୍ଦ ଯୋଗୁ ଗଡ଼ୁନଥିଲା ଗାଡ଼ି। ବସ ଷ୍ଟାଣ୍ଡରେ ଯିଏ ଯେଉଁଠି, ସେଇଠି ରହିବାକୁ ପଡ଼ିଲା। ଘଣ୍ଟା ଘଣ୍ଟା ଧରି ଗାଡ଼ିକୁ ଅପେକ୍ଷା କରି ନୟାନ୍ତ ହୋଇଛନ୍ତି ଯାତ୍ରୀ। ଭୁବନେଶ୍ବରରେ ଆନ୍ଦୋଳନ ସମୟରେ ଖୋଲାଥିବା ଦୋକାନକୁ ବନ୍ଦ କରିଥିଲେ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା। ଏପରିକି ବ୍ୟାଙ୍କ ଭିତରକୁ ବି ଧସେଇ ପଶି କାମ କରିବାକୁ ବାରଣ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିବାକୁ ବାଧ୍ୟ ହୋଇଥିଲା ପୋଲିସ। ଅନ୍ୟପଟେ ଆନ୍ଦୋଳନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଅପ୍ରୀତିକର ପରିସ୍ଥିତିର ତର୍ଜମା କରିବାକୁ ଥାନାକୁ ରିପୋର୍ଟ ମଗାଯାଇଛି। ଚାଷୀ ସମସ୍ୟା, ପିୟୁସିସି ନାଁରେ ମନଇଚ୍ଛା ଫାଇନ ଆଦାୟ ଓ ଟାଟା ପାଓ୍ବାରର ସ୍ମାର୍ଟ ମିଟର ନିୟମ ବିରୋଧରେ ସୃଷ୍ଟି ହେଲାଣି ଜନ ଆନ୍ଦୋଳନ। ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ବି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେଣି । ଯାହା ସରକାରଙ୍କ ପାଇଁ ସାଜିଲାଣି ସତର୍କ ଘଣ୍ଟି ।
ରକ୍ତର ହୋଲି ଖେଳିବାକୁ ଭିଡ଼ା ଚାଲିଥିଲା ବୋମା, ଦେଶଦ୍ରୋହ ଲିଙ୍କରେ NIAର ତନାଘନା
ଭୁବନେଶ୍ୱର: ତାରିଖ ଫିକ୍ସ ହୋଇସାରିଥିଲା । ସୁପାରି ବି ମିଳିଥିଲା । କେବଳ ପଡ଼ିଥାନ୍ତା ବମ୍। ଆଉ ଅଶାନ୍ତ ହୋଇଥାନ୍ତା ରାଜଧାନୀ । ଠିକ ଏତିକି ବେଳେ ଫୁଟିଗଲା ବୋମା । ରାଜଧାନୀର ଛାତି ଉପରେ ଏୟାରଫିଲଡ଼ ଥାନା ଅନ୍ତର୍ଗତ ନିୟୁ ଆଜାଦ ନଗରରେ ବୋମା ଭିଡ଼ିବା ବେଳେ ଫୁଟିବାରୁ ୫ ଜଣ ଆହତ ହୋଇଛନ୍ତି । ବୋମା ଫୁଟିବା ପରର ଏ ଦୃଶ୍ୟ ଟିକେ ଭଲକରି ଦେଖନ୍ତୁ । ଏ ଚିତ୍ର ଯେତିକି ଭୟଙ୍କର, ସେତିକି ସମ୍ବେଦନଶୀଳ । ବୋମା ଫୁଟି ଆହତ ହୋଇଥିବା ଯୁବକଙ୍କ ନାଁରେ ପୂର୍ବରୁ ରହିଛି ଅନେକ ସଙ୍ଗୀନ ମାମଲା । ଏହି ଘଟଣାରେ ମଧ୍ୟ ଅପରାଧିକ ମାମଲା ଆହତଙ୍କ ନାଁ ରେ ରୁଜୁ ହୋଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି । ସେପଟେ NIA ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ପାଇଁ ବଢ଼ିପାରେ ଅଡ଼ୁଆ।
କେବଳ ଏହି ଘଟଣା ନୁହେଁ । ବାଲିପାଟଣା ଥାନା ନରିଶୋରେ ଘଟିଥିବା ଏ ଦୃଶ୍ୟ ଦେଖନ୍ତୁ । ବାଣ ଭିଡା ଚାଲିଥିବା ବେଳେ ରାତି ପ୍ରାୟ ୧୦ଟା ୩୦ ରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଥରି ଉଠିଥିଲା ଛାତ । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ହୋଇଛନ୍ତି ଗୁରୁତର ଆହତ ହୋଇଛନ୍ତି । ଏମିତି ମାଳ ମାଳ ବେଆଇନ ବାଣ କାରଖାନା ଚାଲିବା ଏବେ ପୋଲିସ ପାଇଁ ପାଲଟିଛି ଚିନ୍ତାର କାରଣ । ବିନା ଲାଇସେନ୍ସରେ ବେଆଇନ ବାଣ ତିଆରି ଯୋଗୁଁ ଘଟୁଛି ପ୍ରାଣଘାତି ବିଭୀଷିକା। ଆଇନ ଅଛି, ଦଣ୍ଡବିଧାନ ବି ଅଛି । ହେଲେ ଏହାର ଅନୁପାଳନ ନହେବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି । କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଖସି ଯାଉଛନ୍ତି ଦୁର୍ବୃତ୍ତ।
ବୋଲଗଡ଼ ବିଡ଼ିଓଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା, ରାଲିରେ ସାମିଲ ବିଭିନ୍ନ ଦଳର ନେତା ଓ କର୍ମୀ
ଖୋର୍ଦ୍ଧା : ଚାଲିଛି ବିରାଟ ପ୍ରତିବାଦ ଶୋଭାଯାତ୍ରା। ସାମିଲ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ବୁଦ୍ଧିଜୀବୀ, ସମାଜସେବୀ। ଦଳ ମତ ନିର୍ବିଶେଷରେ ଏକାଠି କର୍ମୀ ଓ ଜନସାଧାରଣ। କିଏ ବାଇକ୍ ରେ କିଏ ସାଇକଲରେ। କିଏ ପୁଣି ଚାଲିଚାଲି। ଗାଁକୁ ଗାଁ ବୁଲି କରୁଛନ୍ତି ଆନ୍ଦୋଳନ। ଗତ ସାଧାରଣତନ୍ତ୍ର ଦିବସରେ ବୋଲଗଡ଼ ଅଞ୍ଚଳକୁ ଅବମାନନା କରି ମିଳିତ ପରେଡକୁ ବନ୍ଦ କରିଥିଲେ ବିଡ଼ିଓ ସୁମନସୁଧା କୁଣ୍ଡୁ। ପ୍ରତିବାଦରେ ହୋଇଛି ଏହି ମେଳି।
ଲୋକ ପ୍ରତିନିଧିଙ୍କୁ ଅପମାନ କଲେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ବାରମ୍ବାର କହିଛନ୍ତି। ବୋଲଗଡ଼ ବିଡ଼ିଓ ଏହାକୁ ବେଖାତିର କରିବାରୁ ଦଳମତ ନିର୍ବିଶେଷରେ କରାଯାଇଛି ନିନ୍ଦା। ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ୧୯ଟି ପଞ୍ଚାୟତର ନେତା, କର୍ମୀ ଓ ସାଧାରଣ ଜନତା।
ବୋଲଗଡ଼ ବିଡ଼ିଓ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦିଆଯାଇଛି ଦାବିପତ୍ର। ପୂର୍ବରୁ ପଲ୍ଲୀରେ ପ୍ରଶାସନିକ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ଡ଼୍ରାଇଭର ଜନ୍ମଦିନ କେକ୍ କାଟିବା ଘଟଣାରେ ତଦନ୍ତ ପାଇଁ ରାଜ୍ୟ ସରକାର ଦେଇସାରିଛନ୍ତି ନିର୍ଦ୍ଦେଶ। ବିଡ଼ିଓଙ୍କ ଏହିଭଳି ମନମୁଖି ନୀତି ବିରୋଧରେ ତେଜୁଛି ଜନ ଅସନ୍ତୋଷ। କାର୍ଯ୍ଯାନୁଷ୍ଠାନ ଉପରେ ରହିଛି ସମସ୍ତଙ୍କ ନଜର। ବୋଲଗଡ଼
ଅନଲାଇନ ଯୁଗ ଛଡ଼ାଇ ନେଲା କୌଳିକ ବୃତ୍ତି
କଟକ : ଅନଲାଇନ ଯୁଗ ଛଡ଼ାଇ ନେଲା କୌଳିକ ବୃତ୍ତି। ହାତ ବାନ୍ଧି ପଡ଼ିରହିଛନ୍ତି ପରିବାର। ବାପ ଅଜା ଅମଳରୁ ଚାଲିଆସିଥିବା ବୃତ୍ତି ବନ୍ଦ ହୋଇଯାଇଥିବାରୁ ଅନ୍ଧାର ଭବିଷ୍ୟତରେ ଭୁଜଙ୍ଗ ଦାସଙ୍କ ପରିବାର। ଜୋତା ଚପଲ ଅର୍ଡର ଦେଇ ବନେଇବା ତ ଦୂରର କଥା ଜୋତା ଚପଲ ସିଲେଇ କରିବାକୁ ଲୋକ ଆସୁନାହାନ୍ତି। । ପି.ଏମ୍. ବିଶ୍ଵକର୍ମା ଯୋଜନାରେ ଦୁଇ ବର୍ଷ ହେଲା ପଞ୍ଜିକୃତ ହୋଇ ମଧ୍ୟ ନିରାଶ। କଟକ ଫିରିଙ୍ଗି ବଜାର ଅଞ୍ଚଳର ହରିଙ୍କ ପୁଅ ଦୀନବନ୍ଧୁ ଦାସ କହିଛନ୍ତି ୧୪ ପିଢ଼ି ଧରି ଏହି ମୋଚି କାରିଗର ବୃତ୍ତି କରିଆସୁଛୁ । ବ୍ରିଟିଶ ଅମଳରେ ଜୋତା ଚପଲ ସବୁ ଏହିଠାରୁ ହିଁ ପ୍ରସ୍ତୁତ ହେଉଥିଲା । ଏପରିକି ମଧୁ ବାରିଷ୍ଟରଙ୍କ ଜୋତା ମଧ୍ୟ ଆମ ଦୋକାନକୁ ସିଲେଇ ହେବାକୁ ଆସେ । ହେଲେ ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ।
ଯୁବପିଢ଼ିଙ୍କ କହିବା କଥା ଜୋତା ସିଲେଇ କରିବାକୁ ଗଲେ ଦେବାକୁ ପଡୁଛି ଅତିକମରେ ୧୦୦ ଟଙ୍କା। ପଲିସ କରିବାକୁ ହେଲେ ପଡୁଛି ୫୦ ଟଙ୍କା । ସେହି ପଚାଶ ଶହେ ଟଙ୍କାରେ ଅନଲାଇନରେ ଉପଲବ୍ଧ ହେଉଛି ବିଭିନ୍ନ ଭେରାଇଟିର ଜୋତା । ତା’କୁ କାହିଁକି ନ ମଗେଇବୁ । ତଥାପି କିଛି ପୁରୁଖା ଲୋକେ ଆଜି ବି ପସନ୍ଦ କରନ୍ତି ହାତ ସିଲେଇ ତିଆରି ଜୋତା ଚପଲ । ଗୋଟିଏ ପଟେ କୁଳ ବେଉସା ହରେଇବାକୁ ବସିଥିବା ବେଳେ ଅନ୍ୟ ପଟେ ପି. ଏମ୍. ବିଶ୍ଵକର୍ମା ଯୋଜନା ସାଜିଛି ପ୍ରହସନ । କୁଳ ବ୍ୟବସାୟ ବଞ୍ଚାଇ ରଖିବା ଲାଗି ରାତି ପାହିଲେ ଭରି ରହୁଛି ଆଶା ଓ ଆଶଙ୍କା।
ଆୟୁର୍ବେଦିକ ମେଡିକାଲରେ ଡାକ୍ତର ମରୁଡ଼ି
ମୋହନା : ଆୟୁର୍ବେଦିକ ମେଡିକାଲରେ ଡାକ୍ତର ମରୁଡ଼ି । ୬ ଗୋଟି ଚିକିତ୍ସାଳୟକୁ ୨ ଜଣ ଡାକ୍ତର । ପିଅନ ଭରସାରେ ଚାଲିଛି ରୋଗୀ ସେବା । ଗଜପତି ଜିଲ୍ଲାରୁ ଆସିଛି ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଜିଲ୍ଲାର ଅଡବା, ଚାନ୍ଦିପୁଟ, ଡେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡ଼ାରେ ଆୟୁର୍ବେଦିକ ମେଡିକାଲ ଅଛି । ହେଲେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ଅଡବା ଓ ଚାନ୍ଦିପୁଟରେ ଜଣେ ଡାକ୍ତର ତିନି ଦିନ ଲେଖାଏଁ ପାଳି କରି ଚିକିତ୍ସା ଯୋଗାଉଛନ୍ତି । ସେହିଭଳି ଡେକାଶିନ୍ଧବା, ମଙ୍ଗରାଜପୁର, ଗଣ୍ଡାହାତୀ ଓ ଖାରଡା ଆୟୁର୍ବେଦିକ ମେଡିକାଲରେ ଜଣେ ଡ଼ାକ୍ତର ଚିକିତ୍ସା କରୁଛନ୍ତି । ଯେଉଁ ଦିନ ଡାକ୍ତର ଅନୁପସ୍ଥିତ ରହୁଛନ୍ତି ସେଦିନ ପିଅନଙ୍କ ଭରସାରେ ମେଡିକାଲ ଚାଲୁଛି । ରୋଗୀଙ୍କୁ ପିଅନ ସେବା ଯୋଗାଉଛନ୍ତି । ଯାହାକୁ ନେଇ ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆୟୁର୍ବେଦିକ ମେଡିକାଲରେ ଡାକ୍ତର ଅଭାବ ଲାଗି ରହିଥିବାରୁ ରୋଗୀ ମାନେ ହଇରାଣ ହେଉଛନ୍ତି । ଖାଲି ସେତିକି ନୁହେଁ କିଛି ମେଡିକାଲରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ସାମାନ୍ୟ ଘର ଖଣ୍ଡେ ନାହିଁ । ଯାହାକୁ ନେଇ ଡାକ୍ତର ଓ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଆୟୁର୍ବେଦିକ ମେଡିକାଲର ଭିତ୍ତିଭୂମି ସୁଦୃଢ କରିବା ସହ ଡାକ୍ତର ଯୋଗାଇ ଦେବାକୁ ଦାବି ହୋଇଛି ।
ଢେଙ୍କାନାଳରେ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ନେଇ ବଢୁଛି ବିବାଦ….
ଢେଙ୍କାନାଳ : ଢେଙ୍କାନାଳରେ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ନେଇ ବଢୁଛି ବିବାଦ । ବିନା ଗ୍ରାମସଭାରେ କାରଖାନା ପ୍ରତିଷ୍ଠାକୁ ତୀବ୍ର ବିରୋଧ । ତାତିଲେ ଗ୍ରାମବାସୀ ଓ ଜମିହରା ପ୍ରଜା । ଢେଙ୍କାନାଳ ଓଡ଼ାପଡା ବ୍ଲକ ଖଡଗପ୍ରସାଦ ଓ କୁରୁଣ୍ଟି ଗାଁରେ ହେବ ପ୍ରସ୍ତାବିତ ପ୍ରକଳ୍ପ । ଯାହାକୁ ବିରୋଧ କରି ଖଡଗପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଲାନକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଲୋକଙ୍କ ଅଭିଯୋଗ ପ୍ରକାରେ ପୂର୍ବରୁ ଲାନକୋ କମ୍ପାନୀ ଲୋକଙ୍କ ଜମି ଅଧିଗ୍ରହଣ କରିଥିଲା । କିନ୍ତୁ କମ୍ପାନୀ କାର୍ଯ୍ୟକ୍ଷମ ହେବା ପୂର୍ବରୁ ତାହା ବନ୍ଦ ହୋଇଗଲା । ସଂପୃକ୍ତ ଜମିକୁ ଶାଗମାଛ ଦରରେ ସାଫ୍ରନ ନାମକ କମ୍ପାନୀକୁ ଲାନକୋ ଟେକିଦେଲା । ଫଳରେ କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରତିଶୃତି ପାଣିର ଗାର ପାଲଟିଲା । ତେଣୁ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଜମିହରା ପ୍ରଜାଙ୍କୁ ଜମିର ଉଚିତ ମୂଲ୍ୟ ଦେବା ସହ ପ୍ରଦୂଷଣ ମୁକ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।
ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିବାରୁ ତାହାର ପ୍ରଭାବ ଚିରସ୍ରୋତା ବ୍ରାହ୍ମଣୀ ଉପରେ ପଡୁଛି । କଳକାରଖାନା ଗୁଡିକରୁ ନିର୍ଗତ ଟକ୍ସିକ ୱାଟର ବ୍ରାହ୍ମଣୀ ନଦୀରେ ମିଶି ପାଣି ଦୂଷିତ ହୋଇଗଲାଣି । ନଦୀର ଜଳରେ ବହଳିଆ କଳା ଆସ୍ତରଣ ପଡିବା ସହ ତାହା ପିଇବା ଅନୁପଯୋଗୀ ହୋଇପଡିଛି । ବର୍ଜ୍ୟବସ୍ତୁ ଗୁଡିକ ନଦୀକୁ ନଛାଡିବା ପାଇଁ ବାରମ୍ବାର ପ୍ରଶାସନ ତରଫରୁ କୁହାଯାଉଛି ହେଲେ ଦୁଇ ଜିଲ୍ଲାର କାରଖାନା କର୍ତ୍ତୃପକ୍ଷ ଶୁଣିବାକୁ ନାରାଜ । ପୁଣି ନଦୀ କୂଳରେ ଆଉ ଏକ ଇସ୍ପାତ କାରଖାନା ହେଲେ ବ୍ରାହ୍ମଣୀ ନଦୀ ଆହୁରି ଦୂଷିତ ହେବା ସହ ତାହାର ସତ୍ତା ହରାଇବ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଗୋଟିଏ ପଟେ ଶିଳ୍ପ ନାଁରେ ସରକାରଙ୍କ ବିକାଶର ନାରା । ଆଉ ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କ ବିରୋଧ ଅଭିଯାନ । ଆଗକୁ ବ୍ରାହ୍ମଣୀ ନଦୀ କୂଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ନିର୍ମାଣ ହେଉଛି କି ନାହିଁ ? ତାହା ଦେଖିବାକୁ ବାକି ରହିଲା ।
ଶ୍ରୀଫଳରେ ନାନା ରକମର ସମଗ୍ରୀ ତିଆରି କରୁଛନ୍ତି ସନ୍ତୋଷ, ବିକ୍ରିବଟା ସୁବିଧା ନଥିବାରୁ ପାଉନାହାନ୍ତି ପାଉଣା
ବରୀ : ନଡ଼ିଆରେ ସୁନ୍ଦର କଳାକୃତି । କଳାକାରଙ୍କ ନିଖୁଣ ଯାଦୁକରୀ ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ପ୍ରତିମୂର୍ତ୍ତି । ଗଣେଶ, ସାଇବାବା, ନେହରୁ ଏପରି କେତେ କଣ । ଯାହାକୁ ନଡ଼ିଆରେ ଜୀବନ୍ତ କରିଦେଉଛନ୍ତି ଯୁବ କାରିଗର । ଯାଜପୁର ଜିଲ୍ଲା ବରୀ ମନ୍ଦାରି ପଞ୍ଚାୟତ ବରହମପୁର ଗାଁର ସନ୍ତୋଷ ଦଳାଇ ଶ୍ରୀଫଳରେ ନାନାପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । ସମସ୍ତ ସୌଖୀନ ଜିନଷକୁ ସେ ନିକଟରେ ରତ୍ନଗିରିରେ ହୋଇଥିବା ବୌଦ୍ଧ ସମ୍ମିଳୀନରେ ଦେଶବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କୁ ବିକ୍ରି କରିଛନ୍ତି ।
ସନ୍ତୋଷ ପେଶାରେ ଜଣେ ଦିନ ମଜୁରିଆ । ହେଲେ ଦୀର୍ଘ ୧୪ ବର୍ଷ ହେଲା ସେ ନଡ଼ିଆରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ସନ୍ତୋଷ ଶହେରୁ ଉର୍ଦ୍ଧ୍ଵ କଳାକୃତି ହାତରେ ଗଢିସାରିଲେଣି । ହେଲେ ତାଙ୍କ ଉପରେ କାହାର ଦୃଷ୍ଟି ପଡିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କିଛି ପ୍ରୋତ୍ସାହନ ରାଶି ମିଳିଲେ ସେ ତାଙ୍କର କଳାକୁ ଦେଶ ବିଦେଶରେ ପହଞ୍ଚାଇ ପାରନ୍ତେ ବୋଲି କୁହାଯାଉଛି । ନଡ଼ିଆରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ସ୍ଥାନୀୟ ଅଞ୍ଚଳରେ ବେଶ ନାଁ କଲେଣି ସନ୍ତୋଷ । ଏବେ ଅପେକ୍ଷା ସରକାରଙ୍କ ନଜରକୁ ।
ସମ୍ପର୍କରେ ଲାଗିଲା ରକ୍ତର ଛିଟା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇ ହାଣିଲା ବଡ଼ ଭାଇ
ଉଦଳା : ଭାଇ ସାଜିଲା ଭଗାରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ମରଣାନ୍ତକ ଆକ୍ରମଣ କଲା ବଡ଼ ଭାଇ । ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଛକ ନିକଟରେ । ଏହି ଗ୍ରାମର ରାଜେଶ ବାରିକ ଧାନଘେରା ମଡେଲ ସ୍କୁଲ ଛକରେ ଖାସି କାଟୁଥିଲେ । ଏହି ସମୟରେ ତାଙ୍କର ଦୁଇ ଭାଇ ଆଶିଷ ବାରିକ ଏବଂ ଅଶ୍ୱିନୀ ବାରିକ ସେଠାରେ ପହଞ୍ଚି ସମସ୍ତ ମାଂସ ଦେବାକୁ କହିଥିଲେ । ଏହାସହ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ରାଜେଶଙ୍କୁ ଆକ୍ରମଣ କରିଥିଲେ । ରାଜେଶଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ରାଜେଶଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜେଶ ଗୁରୁତର ହେବା ପରେ ଦୁଇ ଭାଇ ସେଠାରୁ ଚାଲି ଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜେଶଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି ।.
ସଫା କରିବା ବାହାନାରେ ଲୁଟି ନେଲେ ସୁନା ଅଳଙ୍କାର
ଉଦଳା : ସଫା କରିବା ବାହାନାରେ ଲୁଟି ନେଲେ ସୁନା ଅଳଙ୍କାର । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା । ଏହି ଗାଁର ଆଶାଲତା ପୃଷ୍ଟି ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ପହଞ୍ଚି କମ୍ପାନୀର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏକ ପାଉଡର ସାହାଯ୍ୟରେ ସମସ୍ତ ପିତ୍ତଳ,କଂସା ବାସନ ଏବଂ ସୁନା ଗହଣା ସଫା ହୋଇ ପାରିବ ବୋଲି କହିଥିଲେ । ଏପରିକି କିଛି ପିତ୍ତଳ ବାସନକୁସନ ସଫା କରିବା ପରେ ସୁନା ଅଳଙ୍କାର ମାଗିଥିଲେ । ଆଶାଲତା ପୃଷ୍ଟି ଏବଂ ମଧୁସ୍ମିତା ପୃଷ୍ଟି ନିଜର ସୁନା କାନଫୁଲ ଏବଂ ଚେନ ଦେବା ପରେ ଦୁଇ ଯୁବକ ତାହାକୁ ପାଉଡର ଭିତରେ ସଫା କରିବା ନିମନ୍ତେ ରଖିଥିଲେ ଏବଂ କିଛି ସମୟ ପରେ ଖୋଲିବାକୁ କହିଥିଲେ । ହେଲେ ଖୋଲିଲା ବେଳକୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟି ନେଇ ଚାଲି ଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

