spot_img
Home Blog Page 1078

ବିରୋଧୀ ଦଳରେ ଥିବା ବେଳେ କରୁଥିଲେ ହଲ୍ଲାବୋଲ, ସରକାରରେ ଥାଇ ଭୁଲିଗଲେ ବିଦ୍ୟାଦାତାଙ୍କ ଦାବି

ଭୁବନେଶ୍ବର : ଦୀର୍ଘଦିନ ଧରି ସରକାରୀ ଅବହେଳାର ଶିକାର। ପ୍ରତିଶୁତି ଦେଇ ପ୍ରତାରଣ କରିଛନ୍ତି ରାଜ୍ଯ ସରକାର। ପ୍ରତିବାଦରେ ଆସନ୍ତା ୧୪ରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦେଢଲକ୍ଷ ଶିକ୍ଷକ ଘେରିବେ ବିଧାନସଭା । ପୂର୍ବେ ଆନ୍ଦୋଳନ ଚାଲିଥିବାବେଳେ ବର୍ତ୍ତମାନର ମୁଖ୍ଯମନ୍ତ୍ରୀ ଆନ୍ଦୋଳନସ୍ଥଳୀକୁ ଯାଇ ଦାବି ସହ ସ୍ବର ମିଳାଇଥିଲେ। ମାତ୍ର ନୂଆ ସରକାର ଆସିବାର ୭ ମାସ ପରେ ବି ଶିକ୍ଷକଙ୍କ ଦାବି ହେଉନି ପୂରଣ।  ଶିକ୍ଷକମାନଙ୍କର ମୂଳ ଦରମା ୪୨୦୦ ଗ୍ରେଡ୍ ପେ ଅନୁଯାୟୀ ୩୫,୪୦୦ ଟଙ୍କା ସ୍ଥିର କରି ଦରମା ପ୍ରଦାନ ଓ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ନିଯୁକ୍ତି ଉଚ୍ଛେଦ କରି ୬ ବର୍ଷ ବର୍ଷ ଚାକିରି ଗଣନା ସହ ସ୍ଵାସ୍ଥ୍ୟବୀମା ପ୍ରଦାନ ପାଇଁ ଦାବି କରାଯାଇଛି। ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ ନିଯୁକ୍ତି ଉଚ୍ଛେଦ, ଷ୍ଟିମାଟିକ ଶିକ୍ଷଙ୍କୁ ନିୟମିତ କରିବା, ୮ ଓ ୬ ବର୍ଷର ଶିକ୍ଷା ସହାୟକ ବା କନିଷ୍ଠ ଶିକ୍ଷକଙ୍କ କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ଗଣନା କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଓ ଶିକ୍ଷକଙ୍କୁ ପୁରୁଣା ପେନସନ ପ୍ରଦାନ କରିବା ଦାବି କରାଯାଇଛି। ଆସନ୍ତା ୧୬ରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସମନ୍ବୟ ସମିତି । ସେହିପରି ୧୭ରେ ଲେବୁଲ ଭି ଏ ପ୍ରାଥମକ ଶିକ୍ଷକ ସଂଘ ବି ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବେ ।

ସେପଟେ ସରକାରଙ୍କ ଉଦାସୀନତା ବିରୋଧରେ ଆସନ୍ତା ୧୧ରେ ସମୂହ ଛୁଟି ନେବ ୩୯୧ ବ୍ଲକ କ୍ରାଇଟେରିଆ କଲେଜ ଲେକଚର୍ସ ଆଣ୍ଡ ଏମ୍ପ୍ଲଇଜ ଆସୋସିଏସନ। ଏହି ଦିନକୁ ଦାବି ଦିବସ ଭାବେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳନ କରିବ ସଙ୍ଘ। ସଂଗଠନ ପକ୍ଷରୁ ୧୯୯୪ ଅନୁଦାନ ନୀତି ସମ୍ପ୍ରସାରଣ କରିବାକୁ ଦାବି କରାଯାଇଛି। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ କାଟେଗୋରୀ-୩ ପରିସରରେ ପ୍ରତି ବ୍ଲକର ଦୁଇଟି ଜୁନିଅର କଲେଜ ଓ ଗୋଟିଏ ଡିଗ୍ରୀ କଲେଜ, ପ୍ରତି ସବଡିଭିଜନରେ ଗୋଟିଏ ମହିଳା କଲେଜ ଏବଂ ସହରାଞ୍ଚଳର ପ୍ରତି ୫୦ ହଜାର ଜନସଂଖ୍ୟାରେ ଗୋଟିଏ ଜୁନିୟର କଲେଜ ଏବଂ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ବିରୋଧୀରେ ଥିବା ସମୟରେ ବିଜେପି ପାଇଁ ଶିକ୍ଷକ ରାଜନୈତିକ ଅସ୍ତ୍ର ଥିଲେ । ହେଲେ କ୍ଷମତାକୁ ଆସିବା ପରେ ଶିକ୍ଷକଙ୍କ ଦାବିକୁ ଅଣଦେଖା କରୁଛି ବିଜେପି।

ରାଜ୍ୟ ପାଇଁ ଘନେଇ ଆସୁଛି ବିପଦ ! ଜଳବାୟୁ ପରିବର୍ତ୍ତନ ଯୋଗୁଁ କୂଳ ଲଙ୍ଘୁଛି ସମୁଦ୍ର

ଭୁବନେଶ୍ବର : ଓଡ଼ିଶାରେ ବଢୁଛି ସମୁଦ୍ର ଏରିଆ। ୪୮୦ କିଲୋମିଟରରୁ ୫୭୦ କିଲୋମିଟରରେ ପହଞ୍ଚିଲାଣି ରାଜ୍ୟର ସମୁଦ୍ର ତଟ। ସମୁଦ୍ର ଯେତିକି ବଢୁଛି, ରାଜ୍ୟ ପାଇଁ ବିପଦ ସେତିକି ଘନଉଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଗଞ୍ଜାମର ଗୋପାଳପୁରରୁ କେନ୍ଦ୍ରାପଡ଼ାର ତାଳସରି ଯାଏଁ କୂଳ ଲଙ୍ଘି ଚାଲିଛି ସମୁଦ୍ର। ଜନବସତି ଆଡ଼କୁ ଗର୍ଜନ କରି ମାଡ଼ି ଆସୁଥିବାରୁ ଆଶଙ୍କାରେ ସମୁଦ୍ର କୂଳିଆ ଲୋକେ। ପ୍ରଦୂଷଣ ବି ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ସମୁଦ୍ରରେ ସିଧାସଳଖ ମିଶୁଛି କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ। ଯାହାର ପ୍ରଭାବ ସାମୁଦ୍ରିକ ଜୀବଙ୍କ ଉପରେ ପଡୁଛି। ଆବଶ୍ୟକତା ଠାରୁ ଅଧିକ ମାଛଧରା ଯୋଗୁଁ କମି ଚାଲିଛି ଛୋଟ ଛୋଟ ମାଛଙ୍କ ସଂଖ୍ୟା। ଏହାସହ ବିଗିଡ଼ି ଯାଉଛି ସମୁଦ୍ରର ଇକୋ ସିଷ୍ଟମ। ବିପଦରେ ଅଲିଭ ରିଡଲୀ କଇଁଛଙ୍କ ଠାରୁ ଆରମ୍ଭ କରି କୁମ୍ଭୀରଙ୍କ ସହ ସାମୁଦ୍ରିକ ଜୀବ। ଏଭଳି ବ୍ୟାପକ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ଓ ବୁଦ୍ଧିଜୀବୀ।

ସମୁଦ୍ର ସୁରକ୍ଷା ପାଇଁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଭିନ୍ନ ସଙ୍ଗଠନ। ଉପକୂଳ ସୁରକ୍ଷା ଓ ସଂରକ୍ଷଣ ପାଇ ଅଣ୍ଟା ଭିଡ଼ିଛନ୍ତି ଶିକ୍ଷାବିତ୍, ପରିବେଶବିତ ଓ ସରକାରୀ ଅଧିକାରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗୁଡୁଥିବା ସନ୍ତୁଳନକୁ ରକ୍ଷା କରିବା ପାଇଁ ବ୍ୟାପକ ଜନସଚେତନତା ଜରୁରୀ। ଏହାସହ ଆଇନର ସଠିକ୍ ଅନୁପାଳନ ଉପରେ ଗୁରୁତ୍ବ ଦେବାର ରହିଛି ଆବଶ୍ୟକତା। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଉପକୂଳ ସୁରକ୍ଷା ଯୋଜନା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ କରିଛନ୍ତି ପରିବେଶବିତ୍। ଜୀବନ ଜୀବିକାକୁ ନେଇ ଯେଉଁମାନେ ସମୁଦ୍ର ଉପରେ ନିର୍ଭର କରୁଛନ୍ତି, ସେମାନଙ୍କୁ ବିଶ୍ବାସକୁ ନେଇ ଆଲୋଚନା କରିବା ଦରକାର ବୋଲି ମତ ରଖିଛନ୍ତି ପରିବେଶବିତ୍। ଜୟବାୟୁକୁ ନେଇ ସମୟର ତାଳେ ତାଳେ ବିଗିଡ଼ି ଚାଲିଛି ଉପକୂଳ ଓଡ଼ିଶାର ସ୍ଥିତି। ଏତିକି ବେଳେ ସରକାର, ବେସରକାରୀ ସଙ୍ଗଠନ, ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ନିରାକରଣ ବାବଦରେ ପଦକ୍ଷେପ ନେବାର ରହିଛି ଯଥେଷ୍ଟ ଆବଶ୍ୟକତା।

ଜାତୀୟ ରାଜପଥ ବିକାଶ ପାଇଁ କେରଳଠାରୁ ବି କମ୍ ପାଉଛି ଓଡ଼ିଶା

ଭୁବନେଶ୍ବର : କମ୍ ଟଙ୍କା । ଧୀମା କାମ । ମିଳୁଥିବା କମ୍ ଟଙ୍କା ଶତ ପ୍ରତିଶତ ବି ଖର୍ଚ୍ଚ ହୋଇପାରୁନି । ବର୍ଷ ବର୍ଷ ଧରି ଚାଲୁଛି ଓଡ଼ିଶାରେ ଜାତୀୟ ରାଜପଥ ବିକାଶ । ଯେତେ ଅଭିଯୋଗ ହେଲେ ଶୁଣୁଛି କିଏ ? ଦେଖୁଛି କିଏ ? ପୂର୍ବ ଭାରତର ବିକାଶ ଇଞ୍ଜିନ ଓଡ଼ିଶା । ଡବଲ ଇଞ୍ଜିନ୍ ସରକାରଙ୍କ ନାରା ଜୋର । ହେଲେ ଜାତୀୟ ରାଜପଥ ବିକାଶ ପାଇଁ କେରଳଠାରୁ କମ୍ ଟଙ୍କା ପାଉଛି ରାଜ୍ୟ । ୨୦୧୮-୧୯ରୁ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଓଡ଼ିଶାକୁ ମିଳିଛି ମାତ୍ର ୧୭ ହଜାର ୨୯୬ କୋଟି ଟଙ୍କା । ଯେଉଁଠି କେରଳ ଭଳି ଛୋଟ ଆୟତନ ବିଶିଷ୍ଟ ରାଜ୍ୟ ପାଇଛି ୩୩ ହଜାର ୪୪୧ କୋଟି । ୭୯ ହଜାର ୧୭୩ କୋଟି ଟଙ୍କା ପାଇ ସବୁ ରାଜ୍ୟଠୁ ଉପରେ ରହିଛି ଉତ୍ତରପ୍ରଦେଶ । ଦୁଇଦିନ ତଳେ ଓଡିଶାରେ ୧୪ଟି ରାଜପଥ ପ୍ରକଳ୍ପ କାମ ଆରମ୍ଭ ହୋଇନି ଓ ୨୦ଟି ଅଧପନ୍ତରିଆ ପଡ଼ିଥିବା ନେଇ ରାଜ୍ୟସଭାରେ ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । କେବେ ସରିବ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ ? ୨୦୨୨ରେ ସରିଥାନ୍ତା ଡୁବୁରି-ଚଣ୍ଡିଖୋଲ ସମ୍ପ୍ରସାରଣ କାମ । ହେଲାନି, ଆଉ କେତେବର୍ଷ ଲାଗିବ ତାହା ବି ଜଣାନାହିଁ ।  ୧୫ ବର୍ଷ ଧରି ଝୁଲୁଛି ଉପକୂଳ ଜାତୀୟ ରାଜପଥ । ଚୂଡାନ୍ତ ହୋଇପାରୁନି କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ଟେଣ୍ଡର ପ୍ରକ୍ରିୟା। ରାଜପଥର ବିକାଶ ନ ହେଲେ କେମିତି ଓଡ଼ିଶାର ବିକାଶ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ।

କାମ ସରୁନି, କି କାମ କାହିଁକି ତ୍ବାରାନ୍ବିତ ହେଉନି ତାକୁ ବି କେହି ତଦବିର କରୁନାହାନ୍ତି । କିପରି ଚାଲିଛି ଓଡ଼ିଶାରେ ଜାତୀୟ ରାଜପଥ କାମ ? ଗୋଟିଏ ପଟେ ବଜେଟ୍ କମ୍ ଦେଉଛନ୍ତି । ଅନ୍ୟପଟେ ଏ ବର୍ଷ ହେବ, ଏଲାଇନମେଣ୍ଟ୍ ଚାଲିଛି । କାମ ଆରମ୍ଭ ହେବ, ହେଉଛି ସରିବ । ଏମିତି କହି କହି କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାର ଜାତୀୟ ରାଜପଥ ବିକାଶ ନାଁରେ ନୂଆ ନୂଆ ଭେଳିକି ଦେଖାଇ ଚାଲିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଯେଉଁ ପ୍ରକଳ୍ପର କାମ ଚାଲିଛି ତାକୁ ବି ନିୟମିତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯାଞ୍ଚ କରୁନାହାନ୍ତି । ଏଭଳିକି ଅତୀତରେ ନିମ୍ନମାନର କାମ ଯୋଗୁ ବହୁ ଦୁର୍ଘଟଣା ଘଟିଥିବା ନଜିର ସାମ୍ନାକୁ ଆସିଛି। ବଜେଟ୍ରେ ଯଦି ରାଜ୍ୟ ପାଇଁ କମ ଅର୍ଥ ବ୍ୟୟ ବରାଦ ହେବ ତାହେଲେ କାମ ତ୍ବାରାନ୍ବିତ ହେବ କିପରି ବୋଲି ଉଠିଛି ପ୍ରଶ୍ନ। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । ଯାହା ଚାହିଁବେ କେନ୍ଦ୍ରରୁ ଟାଣି ଆଣିବେ । ସରକାରଙ୍କୁ ୮ ମାସ ପୂରିବାକୁ ବସିଲାଣି। ହେଲେ, ଚାଲୁ ରହିଥିବା ଜାତୀୟ ରାଜପଥ କାମର ଅଗ୍ରଗତି ନେଇ କେତେଥର ସମୀକ୍ଷା କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

କୋହଲି … କୋହଲି ନାରାରେ କମ୍ପୁଥିଲା ଅଞ୍ଚଳ

କଟକ : କଟକକୁ କ୍ରିକେଟ ଫିଭର । ବାରବାଟୀରେ ଚାଲିଛି ବ୍ୟାଟେଲ, ବାହାରେ ଚିଅରଅପ୍ । ଭିତରକୁ ପ୍ରବେଶ ପାଇଁ କ୍ରୀଡା ପ୍ରେମୀଙ୍କ ଲମ୍ବା ଲାଇନ୍ । ଘଣ୍ଟା ଘଣ୍ଟା ଧରି ଖରାରେ ଛିଡାହୋଇଥିଲେ ବି କ୍ରିକେଟ୍ କ୍ରେଜ ଆଗରେ ସବୁ କଷ୍ଟ ମଳିନ ପଡିଥିଲା  । କୋହଲି … କୋହଲି ସ୍ଲୋଗାନରେ କମ୍ପୁଥିଲା ଅଞ୍ଚଳ । ତ୍ରିରଙ୍ଗାରେ ରଙ୍ଗୀନ ହୋଇଥିଲା ପୁରା ପରିବେଶ । ସମସ୍ତଙ୍କ ଗାଲରେ ଅଙ୍କା ଯାଇଥିଲା ଜାତୀୟ ପତାକା ।  ଦେହରେ ରହିଥିଲା ଭାରତୀୟ ଟିମର ପୋଷାକ ।  ନିଜ ନିଜ ପସନ୍ଦର ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସାରା ରାଜ୍ୟରୁ ଛୁଟି ଆସିଥିଲେ ଫ୍ୟାନ।  ଟିକେଟ୍ ଧରି ଲମ୍ବା ଲାଇନରେ ଷ୍ଟାଡିୟମରେ ସମସ୍ତେ ପ୍ରବେଶ କରିଥିଲେ । ଏଥିରୁ ବାଦ ପଡିନଥିଲେ କୁନି କୁନି କ୍ରିକେଟ ପ୍ରଶଂସକ ।  ଆଜି ଭାରତ ଓ ଇଂଲଣ୍ଡ ମ୍ୟାଚ ବେଳେ ବାରବାଟୀ ବାହାରେ ଦେଖିବାକୁ ମିଳିଥିଲା ଏଭଳି ଉତ୍ସାହର ମାହୋଲ ।

ସେପଟେ କ୍ରିକେଟ ଉତ୍ସାହ ଭିତରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ଗଞ୍ଜାମର ବ୍ରହ୍ମାନନ୍ଦ । ସେ ଦେହରେ ପିସ୍ ଆଣ୍ଡ ଲଭ ର ଲେଖାଥିବା ପୋଷାକ ପରିଧାନ କରିବା ସହ ହାତରେ ଧରିଥିଲେ ଗୋଲାପ ଫୁଲ ଏବଂ ପକ୍ଷୀର କଣ୍ଢେଇ । ଶାନ୍ତି ଓ ପ୍ରେମରେ ସଂସାରର ମଙ୍ଗଳ ହୋଇଥାଏ ବୋଲି ସମସ୍ତଙ୍କୁ ବାର୍ତ୍ତା ଦେଉଥିଲେ ବ୍ରହ୍ମାନନ୍ଦ । ସେହିଭଳି ସଙ୍ଗୀତର ତାଳେ ତାଳେ ନାଚୁଥିଲେ ଜଣେ ବ୍ୟକ୍ତିଙ୍କ ସହ ଦୁଇ କଣ୍ଢେଇ । ଦେହରେ ଖଞ୍ଜା ଯାଇଥିବା ଦୁଇ କଣ୍ଢେଇ ଧରି ସେ ନାଚି ନାଚି ଦର୍ଶକଙ୍କୁ ଉତ୍ସାହିତ କରୁଥିଲେ, ଖେଳାଳିଙ୍କୁ ଚିଅରଅପ୍ କରୁଥିଲେ ।  ଭିଡ଼କୁ ଦୃଷ୍ଟିରେ ରଖି ବାରିକେଡର ବ୍ୟବସ୍ଥା ସହ ବାରବାଟୀ ବାହାରେ ପୋଲିସ ଛାଉଣି ହୋଇଥିଲା । ଭିତରକୁ ପାଣି ବୋତଲ, କଏନ୍ ଏବଂ ମେଟାଲ ସାମଗ୍ରୀ ଭିତରକୁ ନେବାକୁ ଦର୍ଶକଙ୍କୁ ବାରଣ କରାଯାଇଥିଲା ।

ସମାଲୋଚକଙ୍କ ମୁହଁ କଲେ ବନ୍ଦ, ବାରାବାଟୀରେ ଫର୍ମକୁ ଫେରି ପାଇଲେ ରୋହିତ

ନନ୍ଦିଘୋଷ ବ୍ୟୁରୋ: ବାରବାଟୀରେ ଫର୍ମକୁ ଫେରିଛନ୍ତି ରୋହିତ । ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ଶେଷରେ ଫର୍ମ ଫେରି ପାଇଛନ୍ତି । ବାରାବାଟୀରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଷ ଖବର ସୁଦ୍ଧା ବ୍ୟାଟିଂ ରଖିଛନ୍ତି । ୭୦ ଉପରେ ସ୍କୋର କରିଥିବା ରୋହିତ ବାରବାଟୀରେ ଶତକ ହାସଲ କରିବେ ବୋଲି ତାଙ୍କ ପ୍ରଂଶସକମାନେ ଆଶା ରଖିଥିବା ବେଳେ ଏହାକୁ ସାର୍ଥକ କରିବା ଅଭିମୁଖେ ରୋହିତ । ବର୍ଡର ଗାଭାସ୍କର ଟ୍ରଫି ଏବଂ ପରେ ରଣଜୀରେ ମଧ୍ୟ ଫ୍ଲପ ହୋଇଥିଲେ ରୋହିତ । ଯେଉଁ କାରଣରୁ ସେ ଅବସର ନେବେ ବୋଲି ଏକ ଚର୍ଚ୍ଚା ହେଉଥିଲା । ଯଦିଓ ସେହି ସମୟରେ ରୋହିତ କହିଥିଲେ କି, ସେ ଏକ ଖରାପ ଫର୍ମ ଦେଇ ଗତି କରୁଛନ୍ତି ତାହା ଆଗକୁ ରହିନପାରେ । ଯାହା ଆଜି ସେ କଟକରେ କରି ଦେଖାଇଛନ୍ତି । ତେବେ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ରୋହିତଙ୍କ ଦମଦାର ବ୍ୟାଟିଂ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରିଛି ।
କହି ରଖୁଛୁ କି, ବାରବାଟୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ । ଭ୍ରମଣକାରୀ ଦଳ ୪୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୩୦୪ ରନ କରିବାରେ ସକ୍ଷମ ହୋଇଛି । ପ୍ରଥମରୁ ଦଳର ବ୍ୟାଟିଂ ଭଲ ରହିଥିବାବେଳେ ଶେଷ ସମୟରେ ପାର୍ଟନରସିପ ଜାରି ରହିନଥିଲା । ତେବେ ଭାରତ ଏବେ ପ୍ରଥମରୁ ଭଲ ପ୍ରଦର୍ଶନ କରିଛି । ରୋହିତ ଏବଂ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏବେ କୋହଲିଙ୍କ ସହ ରୋହିତ ବ୍ୟାଟିଂ ଜାରି ରଖିଛନ୍ତି । ତେବେ କୋହଲି ମଧ୍ୟ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଅସମାଜିକଙ୍କ କବଜାରେ ଭୁବନେଶ୍ବରର ବ୍ୟବସାୟିକ ପେଣ୍ଠ, ବିଭିନ୍ନ ସ୍ଥାନରୁ ତାଲାଭାଙ୍ଗି ଜବତ ହେଲା ପେଟିପେଟି ମଦ

ଭୁବନେଶ୍ବର : ନିଶାଡ଼ିଙ୍କ ଆଡ୍ଡା ପାଲଟିଛି ରାଜଧାନୀ ବ୍ଯବସାୟ ପେଣ୍ଠ । ଆଇଗିଣିଆ ଗୋଦାମ ଅଞ୍ଚଳରେ ବହୁଛି ମଦର ସୁଅ । ଡ୍ରଗ୍ସ ସହ ନିଶା ମାଫିଆଙ୍କ ପାଲଟିଛି ଚରାଭୂଇଁ । ଅଭିଯୋଗ ପରେ ମେୟରଙ୍କ ଚଢାଉ । ଆଳୁ ଗୋଦାମ ପରିସରରେ ତାଲା ଭାଙ୍ଗି ଜବତ ହେଲା ପେଟିପେଟି ମଦ । କିଛିଦିନ ପୂର୍ବରୁ ଏହି ଅଞ୍ଚଳରୁ ଡ୍ରଗ୍ସ ଜବତ ହୋଇଥିଲା । ନିଶାଡିଙ୍କ ଉତ୍ପାତ ଯୋଗୁଁ ସାଧାରଣଲୋକେ ଭୟଭୀତ ଥିଲେ । ଦିନବେଳା ବି ସାଧାରଣ ଲୋକେ, ବ୍ୟବସାୟୀ କିମ୍ବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୋଦାମକୁ ଆସୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିଲେ । ତେଣୁ ଭରତପୁର ଥାନା ଅଧିକାରୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚଢ଼ାଉ କରାଯାଇ ବିପୁଳ ମଦ ଜବତ କରାଯାଇଛି । ସୋମବାର ବ୍ୟବସାୟୀ ମହାସଂଘ ସହ ବୈଠକ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ବାଉଣ୍ଡରୀ କରାଯିବାକୁ ବ୍ଯବସ୍ଥା କରାଯିବ ବୋଲି କହିଛନ୍ତି ମେୟର । ରାଜ୍ୟର ପ୍ରମୁଖ ଏହି କୁବେରପୁରୀ ଅଞ୍ଚଳରେ ବ୍ୟାପକ ଅଳିଆ ଅଛି, ପାର୍କିଙ୍ଗ ସ୍ଥାନ ନଷ୍ଟ ହୋଇଯାଇଛି । ଡ୍ରେନ ଓ ରାସ୍ତା ମଧ୍ୟ ଭଲ ନାହିଁ । ଖୁବଶୀଘ୍ର ବିଏମସି ଏସବୁର ଉନ୍ନତିକରଣ କରିବ ମେୟର ପ୍ରତିଶ୍ରୁତି ଦେଇଛନ୍ତି ।

ନିଶାଡୀ ଓ ବିଶୃଙ୍ଖଳା ଯୋଗୁଁ ଅନେକ ସମୟରେ ଗୋଦାମ ଅଞ୍ଚଳ ଅଶାନ୍ତ ରହୁଥିବା କହିଛି ବ୍ଯବସାୟୀ ମହାସଂଘ । ସରକାରଙ୍କ ସହ ଏନେଇ ବାରମ୍ବାର ଆଲୋଚନା ହୋଇଛି । ଏବେ ବିଏମସି ପଦକ୍ଷେପ ନେଇଥିବାରୁ ଧନ୍ଯବାଦ ଜଣାଇଛନ୍ତି ସଂଘ ଓ ଅଞ୍ଚଳବାସୀ । ଅଞ୍ଚଳରେ ଗୋଟିଏ ପୋଲିସ ଫାଣ୍ଡି ପାଇଁ ସରକାରଙ୍କ ପାଖରେ ଦାବି କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଆଗାମୀ ଦିନରେ ଗୋଦାମ ଅଞ୍ଚଳକୁ ବ୍ୟବସ୍ଥିତ କରାଯିବା ସହ ଭେଣ୍ଡିଂ ଜୋନ କରି ଦିଆଯିବ ବୋଲି କୁହାଯାଇଛି ।ରାଜ୍ୟର ଏହି ପ୍ରମୁଖ ଗୋଦାମ ଅଞ୍ଚଳରେ ସୁଲଭ ସହ କଥାବାର୍ତ୍ତା ହୋଇ ୨ ମାସ ମଧ୍ୟରେ ପବ୍ଲିକ ଟଏଲେଟ ହେବ ବୋଲି ସୂଚନା ଦିଆଯାଇଛି । ସନ୍ଧ୍ୟାରେ ପିସିଆର ବୁଲିବାକୁ ଯୋଜନା ହୋଇଛି । ଆଇଗିଣୀଆ ମ୍ୟାନେଜମେଣ୍ଟ କମିଟି ସହ ଆଲୋଚନା ହୋଇ ସବୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ମେୟର ।

ପ୍ରେମ ସପ୍ତାହରେ ଜୀବନସାଥୀ ହେଲେ ୨୦ ଯୋଡ଼ା ବରକନ୍ୟା

ଭୁବନେଶ୍ବର : ଜାତି, ଜାତକ ଓ ଯୌତୁକ ବିହୀନ ଗଣ ବିବାହ । ୨୦ ଯୋଡ଼ା ବରକୁ ୨୦ ଯୋଡ଼ା କନ୍ଯା । ବାଜିଲା ଡିଜେ, ନାଚିଲେ ବାରଯାତ୍ରୀ । ଫୁଲରେ ସଜେଇ ହୋଇ ଦାମୀ କାରରେ ଆସିଲେ ବର । କାହାର ପ୍ରେମକୁ ମିଳିଥିଲା ସ୍ୱୀକୃତି ତ ଆଉ କିଏ ଥିଲା ଅନାଥ । ପ୍ରେମ ଆଗରେ ପ୍ରତିବନ୍ଧକ ସାଜିଥିଲା ପରିବାର । କେଉଁଠି ଠିଆ ହୋଇଥିଲା ଜାତିର ପ୍ରାଚୀର । ପ୍ରେମ ସପ୍ତାହରେ ସାତ ଜନ୍ମର ସାଥୀ ହେଲେ ସଭିଏଁ । ଭୁବନେଶ୍ୱରରେ ରାମ ମନ୍ଦିର ପରିସରରେ ପ୍ରୟାସ ପକ୍ଷରୁ ୧୧ ତମ ସାମୁହିକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି । ହିନ୍ଦୁ ରୀତିନୀତି ଅନୁସାରେ ୨୦ ଜଣ ବର-କନ୍ଯା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଶନିବାର ସନ୍ଧ୍ୟାରେରେ ମଙ୍ଗନ, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବରୁ ଆଦେବନ କରିଥିବା ବରବଧୂ ସେମାନଙ୍କ ପରିବାରର ଉପସ୍ଥିତିରେ ବିବାହ କରିବା ସହ ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି ।

ସମାଜର ସବୁ ବର୍ଗ, ଗୋଷ୍ଠୀ, ଜାତି ତଥା ବିଧବା, ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ସାମୁହିକ ବିବାହକୁ ଏକ ସାମାଜିକ ମହୋତ୍ସବର ମାନ୍ୟତା ଦେବାକୁ ପ୍ରୟାସ । ପରିବାରର ଅସହମତି, ଯୌତୁକ ଅସଙ୍ଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା,  ବୈବାହିକ ଉତ୍ତରଦାୟିତ୍ଵ ସମ୍ପର୍କରେ ଅନଭିଜ୍ଞତା, ଝିଅମାନଙ୍କୁ ସାମଗ୍ରୀ କରିବାର ଅଭିପ୍ରାୟ ଓ ମନସ୍ତାତ୍ବିକ ତାଳମେଳର ଅଭାବ ଯୋଗୁଁ ଅନେକ ଝିଅଙ୍କ ବିବାହ ହୋଇପାରୁ ନାହିଁ । ବିବାହ ହେଲେ ବି ଚିରସ୍ଥାୟୀ ହୋଇପାରୁ ନାହିଁ । ତେଣୁ ସଚେତନ, ଯୌତୁକ ବିରୋଧରେ ସଚେତନତା ସୃଷ୍ଟି ଅଙ୍ଗିକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ, ଚିରସ୍ଥାୟୀ ବୈବାହିକ ଜୀବନର ଲକ୍ଷ୍ୟ ହିଁ ପ୍ରୟାସର ମୁଖ୍ୟ ଲକ୍ଷ୍ୟ । ଗତ ୧୧ ବର୍ଷ ମଧ୍ୟରେ ୨୭୫ ଟି ସାମୁହିକ ବିବାହ ସଫଳତାର ସହ ଆୟୋଜନ କରିଛି ପ୍ରୟାସ । ଆଗାମୀ ଦିନରେ ରାଜ୍ୟ ସରକାର ଗଣବିବାହକୁ ସ୍ୱୀକୃତି ପ୍ରଦାନ କରିବା ସହ ସରକାରୀ ସହାୟତା ଓ ସହଯୋଗ ଯୋଗାଇଦେବାକୁ ସଂସ୍ଥା ଅନୁରୋଧ କରିଥିଲା ।

ନାହିଁ ନାହିଁରେ ଚାଲିଛି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ

ବଲାଙ୍ଗୀର : ବିନା ପ୍ରଫେସରରେ ଚାଲିଛି ବିଶ୍ବବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଭରସା ଅତିଥି ଅଧ୍ଯାପକ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ରହିଛି ୧୮ ଟି ବିଭାଗ । ଯେଉଁଠି ୧୮ ଜଣ ପ୍ରଫେସର, ୩୬ ଜଣ ଆସୋସିଏଟ୍ ପ୍ରଫେସର, ୭୨ ଆସିଷ୍ଟାଣ୍ଡ ପ୍ରଫେସର ଏଭଳି ୧୨୬ ଟି ପଦବୀ ପାଇଁ ସ୍ବୀକୃତି ମିଳିଛି । ହେଲେ ଏଠି ଜଣେ ବି ପ୍ରଫେସର ନାହାନ୍ତି । ୩୬ ଆସୋସିଏଟ୍ ପ୍ରଫେସର ମଧ୍ୟରୁ ମାତ୍ର ୨ ଜଣଙ୍କୁ ମିଳିଛି ନିଯୁକ୍ତି । ୭୨ ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟରୁ ଅଛନ୍ତି ମାତ୍ର ୨୦ ଜଣ । ୯୫ ଜଣ ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ତେଣୁ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ଉପରେ ନିର୍ଭର କରୁଛନ୍ତି । ପଢା ହେଉନଥିବାରୁ ଅନେକ ପାଠ ଛାଡୁଛନ୍ତି । ନୂଆ ସରକାରରେ ବଲାଙ୍ଗୀର ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଥାଇ ସୁଦ୍ଧା ବିଶ୍ବବିଦ୍ଯାଳୟରେ ଏପରି ଅବସ୍ଥା ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ତ୍ତୃପକ୍ଷ ।

ପଶ୍ଚିମ ଓଡିଶାର ଏହି ସର୍ବପୁରାତନ କଲେଜକୁ ଅପଗ୍ରେଡ଼େସନ କରି ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ  । ଭିତ୍ତିଭୂମିର ବିକାଶ ସହ ଉନ୍ନତମାନର ଶିକ୍ଷା ଓ ଗବେଷଣା ପାଇଁ ଯୋଗାଇ ଦେଇଥିଲେ ଭିତ୍ତିଭୂମି । ଏହାପରେ କୁଳପତି ଓ ରେଜିଷ୍ଟ୍ରାର ନିଯୁକ୍ତି ପାଇଥିଲେ । ଏବେ ସରକାର ବଦଳିବା ପରେ ବଦଳିଛି ସ୍ଥିତି । ପ୍ରଫେସରଙ୍କ କଥା ଛାଡ଼ ୯୨ ଜଣ ଅଣଶିକ୍ଷକଙ୍କ ମଧ୍ୟରୁ ମାତ୍ର ୬ ଜଣ ଅଛନ୍ତି । ଟେକ୍ନିକାଲ ଷ୍ଟାଫ୍ ଅଭାବରୁ ପିଅନ ଓ ରାତ୍ର ଜଗୁଆଳି ସାଇନ୍ସ ପିଲାଙ୍କ ପ୍ରାକ୍ଟିକାଲ କରୁଛନ୍ତି । ସାଇନ୍ସ ଲାବୋରେଟୋରୀରେ ୮ ଟି ବିଭାଗର ପ୍ରାକ୍ଟିକାଲ ପାଇଁ ୧୬ ଜଣ ଦକ୍ଷ କର୍ମଚାରୀ ବଦଳରେ ୨ ଜଣ ପିଅନ ଅଛନ୍ତି । ବାରମ୍ବାର ଚିଠି ଲେଖି ଅନୁରୋଧ କରାଯାଉଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନଥିବା କହିଛ୍ତି କୁଳପତି ।

ବ୍ରହ୍ମପୁର ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗରୁ ଫାଇଲ ଚୋରି

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମକୁ ଶନିଦଶା । ଗୋଷ୍ଠୀ କନ୍ଦଳ ସାଙ୍ଗକୁ ମଶାତେଲ କିଣାରେ ଅନିୟମିତତା । ତୁତୁ ମେମେ ଭିତରେ ଏବେ ଗୁରୁତ୍ବପୂର୍ଣ୍ଣ ଫାଇଲ ଚୋରି ଅଭିଯୋଗ । କାର୍ଯ୍ୟାଳୟର ସ୍ବାସ୍ଥ୍ୟ ବିଭାଗ କୋଠରୀରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି କରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଧିକାରୀମାନେ ଆସି ଦେଖିଲା ବେଳକୁ କୋଠାରୀର କବାଟ ବାହାରପଟୁ ଭଙ୍ଗାଯାଇଥିଲା । କୋଠରୀ ଭିତରେ କାଗଜପତ୍ର ବିଛାଡ଼ି ହୋଇ ପଡ଼ିଥିବା ଦେଖିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ଅଧିକାରୀ । ଜଣେ ଯୁବକ ଜାକେଟ ସହ ମୁହଁରେ ମାସ୍କ ପିନ୍ଧି ସ୍ବାସ୍ଥ୍ୟ ବିଭାଗର କୋଠରୀରେ ପ୍ରବେଶ କରିଥିଲା । କିଛି ସମୟ ପରେ ସ୍ବାସ୍ଥ୍ୟ ବିଭାଗର କୋଠରୀରୁ କିଛି ଫାଇଲ ତଥା କାଗଜପତ୍ର ଧରି ବାହାରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏଯାଏଁ ଅଭିଯୁକ୍ତକୁ ଗିରଫ କରାଯାଇପାରି ନାହିଁ ।

ଚୋର କମ୍ପୁଟର କିମ୍ବା ଟଙ୍କା ଚୋରି କରିବା ପରିବର୍ତ୍ତେ କାହିଁକି କାଗଜ ପତ୍ର ଚୋରି କଲା ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଅନ୍ୟପଟେ ବିଭିନ୍ନ ଦୁର୍ନୀତିରେ ଉବୁଟୁବୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଏହା ଏକ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ମଶାମରା ତେଲ କିଣିବାରେ ଲକ୍ଷ ଲକ୍ଷ ଟଙ୍କାର ବାଟମାରଣା ହୋଇଥିବା ଜଣା ପଡିବା ପରେ ସ୍ବାସ୍ଥ୍ଯ ବିଭାଗ ଏପରି ନାଟକ ରଚିଥିବା ଅଭିଯୋଗ ହୋଇଛି । ତେଣୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ତେବେ ସମ୍ପୃକ୍ତ ଯୁବକ ଜଣକ କେଉଁ ସବୁ କାଗଜପତ୍ର ଚୋରି କରି ନେଇଛି ତାହା ସ୍ପଷ୍ଟ ହୋଇନି । ଚୋରକୁ କାବୁ କରିବା ପରେ ହିଁ ଏହା ଜଣାପଡ଼ିବ ବୋଲି କହିଛନ୍ତି ବିଇଏମସି କମିଶନ ।

କାହା ଅବହେଳା ପାଇଁ ବାରବାଟୀ ହେଲା ଅନ୍ଧାର ? ବାରବାଟୀ ଲଜ୍ଜା ପାଇଁ ଦାୟୀ କିଏ ?

ନନ୍ଦିଘୋଷ ବ୍ୟୁରୋ :  ବାରବାଟୀରେ ଘୋର ଲଜ୍ଜା  । ମ୍ୟାଚ୍ ବେଳେ ଲିଭିଗଲା ପ୍ଲଡ ଲାଇଟ୍ । ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଆଲୁଅ । ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଏହି ସମୟରେ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ୩୦୫ ରନର ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ । ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ତା’ ପରେ ଖେଳ ସ୍ଵାଭାବିକ ହୋଇଛି।  ଫ୍ଲଡ ଲାଇଟର ବନ୍ଦକୁ ନେଇ ସାରା ବିଶ୍ବରେ ଉଠିଲା ପ୍ରଶ୍ନ । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ ? ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ?  କାହିଁକି ଅନ୍ଧାର ହେଲା ବାରବାଟୀ ?  ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ?  ଭ୍ରମଣକାରୀ ଦଳ ଇଂଲଣ୍ଡ ସହ ମ୍ୟାଚକୁ ହାଲୁକା ଭାବେ ନିଆଯାଇଥିଲା କି ?  ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ମିଳିଥିଲା ମ୍ୟାଚ୍, କିଏ କଲା ଅବହେଳା ? ପୂର୍ବରୁ ବୋତଲ ଫିଙ୍ଗା ଫୋପଡାକୁ ନେଇ ବଦନାମ୍ ହୋଇଥିଲା ବାରବାଟୀ  । ଏବେ ଇଣ୍ଡିଆ-ଇଂଲଣ୍ଡ ଟକ୍କର ବେଳେ କାହିଁକି ଅନ୍ଧାର ହେଲା ଷ୍ଟାଡିୟମ୍  ? କ୍ରିକେଟ ଇତିହାସରେ ଯୋଡ଼ିହେଲା ବାରବାଟୀ କଳଙ୍କ  । ରୋହିତଙ୍କ ଦମଦାର ପ୍ରଦର୍ଶନ ବେଳେ କଟିଗଲା ଲାଇଟ୍  । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଦର୍ଶକ, ସମସ୍ତଙ୍କ ମନରେ କ୍ଷୋଭ । ଓଡ଼ିଶାର ସମ୍ମାନ ବିଶ୍ବ ଦରବାରରେ କାହିଁକି ହେଲା ଅବନମିତ ? ଫ୍ଲଡ ଲାଇଟର ବନ୍ଦକୁ ନେଇ ଏମିତି ଏନେକ ପ୍ରଶ୍ନ ଉଠିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ୩୦୫ର ବିଜୟ ଲକ୍ଷ୍ୟ ନେଇ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ଜାରି ରଖିଛନ୍ତି ଭାରତୀୟ ଖେଳାଳି । ଧୂଆଁଧାର ବ୍ୟାଟିଂ କରୁଛନ୍ତି ରୋହିତ ଶର୍ମା ।