ଅହମ୍ମଦାବାଦ : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତର ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ ସୁଇପ୍ କଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ୧୪୨ ରନରେ ବିଜୟୀ । ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ପ୍ରଥମ ବ୍ଯାଟିଂ କରି ଇଂଲଣ୍ଡ ଆଗରେ ୩୫୭ ରନର ବିଶାଳ ବିଜୟ ଲକ୍ଷ୍ଯ ରଖିଥିଲା ଟିମ୍ ଇଣ୍ଡିଆ । ଦଳ ପକ୍ଷରୁ ଶୁବମନ ଗିଲ ଶତକୀୟ ପାଳି ଖେଳି ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଥିଲେ । ସେହିପରି ବିରାଟ କୋହଲି ଓ ଶ୍ରେୟସ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୫୫ ବଲରେ ୫୨ ରନ କରିଥିବାବେଳେ ଆୟାର ୬୪ ବଲରେ ୭୮ ରନ କରିଥିଲେ । ସେହିପରି ଦଳୀୟ ଖାତାରେ ୪୦ ରନ ଯୋଡ଼ିଥିଲେ କେଏଲ ରାହୁଲ୍ । ଫଳରେ ନିର୍ଦ୍ଧାରିତ ଓଭରରେ ଦଳ ସମସ୍ତ ୱିକେଟ ହରାଇ ୩୫୬ ରନ କରିଥିଲା । ଜବାବରେ ଇଂଲଣ୍ଡ ଟିମ ୨୧୪ ରନ କରି ସମସ୍ତ ୱିକେଟ ହରାଇଥିଲା । ଟିମ୍ ୩୪.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୪ ରନ୍ କରିପାରିଥିଲା । ଫଳରେ ଶେଷ ମ୍ଯାଚକ ୧୪୨ ରନରେ ଜିତି ସିରିଜ କ୍ଲିନସ୍ବିପ୍ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ପାଇଁ ସମସ୍ତ ବୋଲର ସଫଳତା ପାଇଥିଲେ। ଅର୍ଶଦୀପ ସିଂହ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏ ଉଇକେଟ ପାଇଥିଲେ। ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।
କେଉଁଠି ବି ଜଳାଶୟରେ ମିଳିବନି ମାଛ, ଲୋପ ପାଇଯିବ ମାଛ ବଂଶ !
ଭୁବନେଶ୍ବର : ସମୁଦ୍ର, ନଦୀ କି ପୋଖରୀ । କେଉଁଠି ବି ଜଳାଶୟରେ ମିଳିବନି ମାଛ । ଲୋପ ପାଇଯିବ ମାଛ ବଂଶ । କିଲୋତ ଦୂରର କଥା ଶହେ ଗ୍ରାମ ବି ମାଛ ଦେଖିବା ହୋଇଯିବ ମୁଶକିଲ । ପରିବେଶ ପ୍ରଦୂଷଣ ସହ ବେଆଇନ ଭାବେ ମାଛଙ୍କର ଜୁଭେନାଇଲ କିଲିଂ ହେଉଛି । ୨୦୪୫ ସୁଦ୍ଧା ଆଉ ମାଛ ମିଳିବେ ନାହିଁ ବୋଲି ଗବେଷଣାରୁ ଜଣାପଡିଛି । ସବୁ ଜଳାଶୟରେ ଯେଉଁଭଳି ବେଆଇନ ଭାବେ ଛୋଟ ଛୋଟ ମାଛଙ୍କୁ ହତ୍ୟା କରାଯାଉଛି , ତାଦ୍ବାରା ମାଛଙ୍କ ବଂଶବୃଦ୍ଧି ହେବ ନାହିଁ। ତେଣୁ ତୁରନ୍ତ ସରକାର ବିହିତ ପଦକ୍ଷେପ ନିଅନ୍ତୁ ଵୋଲି ଦାବି ହୋଇଛି। ବର୍ତ୍ତମାନ ଜୁଭେନାଇଲ ସେଭ ହେବା ଦରକାର ବୋଲି ସିଫୁଡ଼ ଆସୋସିଏନ ଅଫ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି କରାଯାଇଛି। ମାଛ ବଡ଼ ହେଲେ ତାକୁ ବିକ୍ରି କରାଯାଉ କିନ୍ତୁ ଅତି ଛୋଟ ଛୋଟ ମାଛଙ୍କୁ ମାରି ନଦିଆଯାଉ ବୋଲି ଦାବି ହୋଇଛି। ସେପଟେ ଯେତେ ଜଳୀୟ ଉତ୍ସ ସବୁଆଡେ ପ୍ରଦୂଷଣ ବଢିବା ସହ ତାପମାତ୍ରା ବୃଦ୍ଧିର ବଡ଼ ପ୍ରଭାବ ମାଛ ଓ ଅନ୍ୟ ଜଳ ଜୀବଙ୍କ ଉପରେ ପଡୁଛି। ଯେତିକି ମାଛ ଧରିବା କଥା ତାଠାରୁ ଅଧିକ ମାଛ ଜିରୋ ନେଟ ଲଗାଇ ଧରିନିଆ ଯାଉଛି । ମାଛ ବଡ଼ ହୋଇ ଅଧିକ ପ୍ରଜନନ କରିବା ପୂର୍ବରୁ ବାଧା ଦିଆଯାଉଛି । ଏସବୁ ରୋକିବା ପାଇଁ ଆଇନ ଅଛି କିନ୍ତୁ ପାଳନ ହେଉ ନାହିଁ। ଏହା ନିୟନ୍ତ୍ରଣକୁ ନଆଣିଲେ ମାଛ ସଂଖ୍ୟା ଓ ଜାତି ମଧ୍ୟ ଲୋପ ପାଇଯିବେ ବୋଲି ପରିବେଶବିତ ଆଶଙ୍କା ପ୍ରକାଶ କରିଛନ୍ତି।
ବିଭିନ୍ନ ଜନ ସଂଗଠନ ଗୁଡିକ ବି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଆଇନଶୃଙ୍ଖଳା ରକ୍ଷା କରିବା ଆଦି ସବୁଥିରେ ବିଫଳ ରାଜ୍ୟ ସରକାର ଏବେ ପରିବେଶ ଓ ଜଳ ଜୀବଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିଫଳ ବୋଲି ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। ସେପଟେ ଜିରୋ ନେଟ ବ୍ୟାନ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ। ଯେତେବେଳେ ଅନିୟମିତତା କଥା ନଜରକୁ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ସବୁଠୁ ପ୍ରିୟ ଖାଦ୍ୟ ମାଛ। କିନ୍ତୁ ମନଇଚ୍ଛା ଛୋଟ ଛୋଟ ମାଛଙ୍କୁ ଧରିବା ଓ ବେଆଇନ କାର୍ଯ୍ୟକଳାପ ମାଛବଂଶକୁ ଧ୍ୱଂସ ଆଡ଼କୁ ନେଇ ଯାଉଥିବା କୁହାଯାଉଛି ।
ଅସଜଡ଼ା କଂଗ୍ରେସକୁ ସଜାଡ଼ିବା ଭକ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ଭୁବନେଶ୍ବର ; କଂଗ୍ରେସର ନୂଆ ମୁରବୀ ଭକ୍ତ ଦାସ । ଓଡ଼ିଶା କଂଗ୍ରେସର ନୂଆ କମାଣ୍ଡାଣ୍ଟ ଭକ୍ତ ଦାସ । ୮ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଦଳକୁ ସଂଗଠିତ କରିବା ଅନେକ ଚ୍ୟାଲେଞ୍ଜ । ବିଧାୟକ ଓ ନେତାଙ୍କ ଭିନ୍ନ ଭିନ୍ନ ପରାମର୍ଶ । କଂଗ୍ରେସର ଆହ୍ବାନ `ଏକ ହୋଇ କରିବା କାମ’ । ହାଇକମାଣ୍ଡଙ୍କ ବିଶ୍ବାସ ଜିଣିଲେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ୧୪ ତମ ପିସିସି ସଭାପତି ଭାବେ ସେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ସାଜିଛନ୍ତି । ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଦୁର୍ବଳ ହୋଇପଡିଥିବା ହାତ ଶିବିରକୁ ଟାଣ କରିବେ ଭକ୍ତ । ୨୦୨୪ ନିର୍ବାଚନ ଫଳାଫଳା ପରେ ୮ ମାସ ଧରି ପିସିସି ସଭାପତି ପଦ ଖାଲି ପଡ଼ିଥିଲା । ଏଆଇସିସି ସଂପାଦକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ତୁଲାଇଥିବା ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ବ ଦିଆଯାଇଛି । ରାଜ୍ୟ କଂଗ୍ରେସକୁ ସଜାଡିବା ପାଇଁ ଏଆଇସିସି ତାଙ୍କୁ ଦାୟିତ୍ବ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଏବେ ନଜର ପକାଇବା ଭକ୍ତଙ୍କ ପାଇଁ କି କି ବଡ଼ ଚ୍ୟାଲେଞ୍ଜ ରହିଛି ? ସବୁ ଗୋଷ୍ଠୀକୁ ସାଙ୍ଗରେ ନେଇ ଚାଲିବା ଭକ୍ତଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ଏହାସହ ତୃଣମୂଳ ସ୍ତରରେ ଅସଜଡ଼ା କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ହେବ ଦ୍ବିତୀୟ ଚ୍ଯାଲେଞ୍ଜ । ତା ସାଙ୍ଗକୁ ରାଜ୍ୟର ପରିବର୍ତ୍ତିତ ରାଜନୀତି ପରିସ୍ଥିତିରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଓ ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ହେବ ବଡ଼ ଟାସ୍କ । କଂଗ୍ରେସକୁ ରାଜ୍ୟରେ ତୃତୀୟ ସ୍ଥାନରୁ ଉପରକୁ ଉଠାଇବା ଏବଂ ଦଳ ସହ ମହିଳା, ଯୁବ, ଛାତ୍ରଙ୍କୁ କଂଗ୍ରେସ ଦଳ ସହ ଯୋଡ଼ିବା ବି ତାଙ୍କ ପାଇଁ ଚ୍ଯାଲେଞ୍ଜ ହେବ । ଦଳ ଛାଡ଼ିଥିବା ପ୍ରମୁଖ ନେତାଙ୍କୁ ଘରବାହୁଡ଼ା କରିବା ବି ହେବ ମୁସ୍କିଲ କାମ ।
ସେପଟେ ୮ମାସ ପରେ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଥିବାରୁ କଂଗ୍ରେସ ଶିବିର ଉତ୍ସାହିତ । ଦଳର ବରିଷ୍ଠ , ବିଧାୟକ ଓ ଯୁବନେତାମାନେ ଭକ୍ତଙ୍କ ନେତୃତ୍ବରେ କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଭକ୍ତ ଦାସ ଜଣେ ଅଭିଜ୍ଞ ରାଜନେତା । ଦଳକୁ ଆଗକୁ ନେବାରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ପିସିସି ସଭାପତି କଂଗ୍ରେସ ପାଇଁ କାମ କରୁ୍ଥିବା ନେତାଙ୍କୁ ନେଇ ଛୋଟିଆ ନୂଆ ଟିମ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଜୟଦେବ । ଅନ୍ୟପଟେ ଦଳ ଭିତରେ ଯେମିତି ଗୋଷ୍ଠୀ ତିଆରି ନହେବ ତାହା ଉପରେ ପିସିସି ସଭାପତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଶକ୍ତିଶାଳୀ ହେବ ବୋଲି କହିଛନ୍ତି । ଭକ୍ତ ଦାସ ଖୁବଶୀଘ୍ର ଓଡ଼ିଶା ଫେରିବା ପରେ ବିଶାଳ ପଟୁଆରରେ ନୂଆ ପିସିସି ସଭାପତିଙ୍କୁ ସ୍ବାଗତ କରିବାକୁ କଂଗ୍ରେସ ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ବିଜେପିକୁ ବିଧାୟକ ଦରକାର ନାହିଁ ବୋଲି କହି ଶୀର୍ଷ ନେତୃତ୍ବକୁ ତେରେଛା ବାଣ ମାରିଛନ୍ତି ଜୟ ନାରାୟଣ
ଭୁବନେଶ୍ବର :ନିଜ ଦଳ ବିରୋଧରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାରଣ ମିଶ୍ର । କିଛିଦିନର ନିରବତା ପରେ ଦଳୀୟ ପରିଚାଳନା ନେଇ ଉଠାଇଛନ୍ତି ପ୍ରଶ୍ନ । ବିଜେପି ଦଳରେ ବରିଷ୍ଠତାର କିଛି ମୂଲ୍ୟ ନାହିଁ ବୋଲି ସିଧାସଳଖ ଗଣମାଧ୍ୟମ ଜରିଆରେ ବାଣ ମାରିଛନ୍ତି ଜୟ ନାରାୟଣ। ରୋକଠୋକ୍ କହିଛନ୍ତି, ଦଳରେ ଯାହା ନିଷ୍ପତ୍ତି ହେଉଛି ତାହା ଭିତରେ ସେ ନାହାନ୍ତି। ଏହାସହ ବିଜେପିରେ ବିଧାୟକ ଆବଶ୍ୟକ ନାହିଁ ବୋଲି କହି ନିଜ ଦଳକୁ ଟାର୍ଗେଟ କରିଛନ୍ତି। ଦଳର ନେତୃତ୍ବ ତାଙ୍କୁ କିପରି ଅଣଦେଖା କରୁଛନ୍ତି ସେନେଇପୂର୍ବରୁ କହିଥିଲେ ଜୟ ନାରାୟଣ। ଏଠି ପ୍ରଶ୍ନ ଉଠୁଛି ବିଜେପିରେ ବରିଷ୍ଠ ନେତାଙ୍କର କାହିଁକି ମୂଲ୍ୟ ନାହିଁ। ଦଳରେ କାହାକୁ ଇଙ୍ଗିତ କରି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଜୟ ନାରାୟଣ। ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ବ ଯେବେ ଚାହିଁବେ ସେବେ ସଭାପତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ସେପଟେ ବିଜେପିରେ ସାଂଗଠନିକ ନିର୍ବାଚନକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ। ଡେଡଲାଇନ ସରିବା ପରେ ବି ଛିଡୁନି ୧୪ ଜିଲ୍ଲାର ସଭାପତି ଚୟନ ଅଙ୍କ। ଏହାସହ ରାଜ୍ୟ ସଭାପତି ମଧ୍ୟ ଚୟନ ହୋଇପାରୁନାହିଁ। ଦଳୀୟ ବିଧାୟକ ଅମର ନାୟକ କହିଛନ୍ତି ଯେ, ବିଜେପିରେ କାହାକୁ ଅଣଦେଖା କରାଯାଇନି । ପର୍ଯ୍ୟାୟ କ୍ରମେ ବାକିଥିବା ଜିଲ୍ଲା ସଭାପତି ନାଁ ଘୋଷଣା ହେବା ସହ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ। ଜାତୀୟ ଦଳ ଭାବେ ବିଜେପି ବେଶ ଶୃଙ୍ଖଳିତ ଦଳ ବୋଲି ଡିଣ୍ଡିମ ପିଟୁଛନ୍ତି ଦଳୀୟ ନେତା। ହେଲେ ଦଳୀୟ ବ୍ୟାପାରକୁ ବରିଷ୍ଠ ବିଧାୟକ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିବା ଏବେ ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ମେକ ଇନ ଓଡ଼ିଶାକୁ ଭୂୟସୀ ପ୍ରଶଂସା
ଭୁବନେଶ୍ବର : ଉତ୍କର୍ଷ ଓଡ଼ିଶା । ଅନ୍ୟ ଯୋଜନା ପରି ଏ ବି ଥିଲା ବିଜେପି ସରକାରଙ୍କ ଏକ ନାମ ପରିବର୍ତ୍ତନ ଯୋଜନା । ନବୀନ ପଟ୍ଟନାୟକଙ୍କ ସରକାର ସମୟର ମେକ୍ ଇନ ଓଡ଼ିଶାକୁ ଉତ୍କର୍ଷ ଓଡ଼ିଶାରେ ପରିଣତ କଲେ ନୂଆ ସରକାର । ହେଲେ ଉତ୍କର୍ଷ ଓଡ଼ିଶା ବି ନବୀନ ସରକାର ସମୟର ଶିଳ୍ପ ବିକାଶକୁ ନେଇ ଆଗକୁ ବଢୁଛି ବୋଲି ସ୍ପଷ୍ଟ ହୋଇଛି । ଯାହାକୁ ମୋହନ ମାଝୀ ସରକାର ସ୍ବୀକାର କରିଛନ୍ତି । ଗତ ଦୁଇ ଦଶନ୍ଧରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାରଠାରୁ ଆଗରେ ରହିଥିବା ଏହି ବ୍ରୋଚରର ଶୀର୍ଷ ମଣ୍ଡନ କରିଛି। ଉତ୍କର୍ଷ ଓଡ଼ିଶାର ବ୍ରୋଚରକୁ ଯଦି ପ୍ରଥମରୁ ପଢାଯିବ, ତାହାର ପ୍ରତି ଧାଡ଼ିରେ ରହିଛି ନବୀନ ସରକାର ସମୟର ସଫଳତାର ଗାଥା । ନିଜ ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୨୦୨୨ ବାଣିଜ୍ୟ ଉପଯୋଗୀ ବାତାବରଣ ସୃଷ୍ଟି କରି ପାରିଛି । ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନସ୍ ସହ ଏହା ଏକ ଶକ୍ତିଶାଳୀ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇଛି । ସେହିପରି ଏକ ସ୍ଥାୟୀ ସରକାର ଯୋଗୁଁ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇଛି । ଯାହା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣ, ପରିମଳ, ବିଦ୍ୟୁତ ଓ ନାରୀ ସଶକ୍ତିକରଣ କରି ପାରିଛି । ଆଶ୍ଚର୍ଯ୍ୟର କଥା ଯେଉଁ 5Tକୁ ମୋହନ ସରକାର ବାରମ୍ବାର ଟାର୍ଗେଟ କରୁଛନ୍ତି, ତାକୁ ଏହି ବ୍ରୋଚରରେ ମିଳିଛି ଭୂୟସୀ ପ୍ରଶଂସା । 5T କିପରି ଭାବେ ଓଡ଼ିଶାରେ ପରିବର୍ତ୍ତନ ଆଣି ପାରି ଓଡ଼ିଶା ବିକାଶରେ ସହାୟକ ହୋଇଥିଲା, ତାକୁ ବି ଏଥିରେ ସ୍ଥାନ ମିଳିଛି । ଗତ ୧୦ ବର୍ଷରେ ନିବେଶକଙ୍କ ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଇଜ୍ ଅଫ୍ ଡୁଇଂ ବିଜନେସରେ ଏକ ଆଚିଭର ଷ୍ଟେଟ୍ ଭାବେ ଓଡ଼ିଶାକୁ ପରିଗଣିତ କରାଯାଇଥିବା ବି ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ସ୍ଥାନ ପାଇଛି । ବିଜେଡି ସମୟର ବିକାଶକୁ ବର୍ତ୍ତମାନର ସରକାର ସ୍ବୀକାର କରିବାକୁ ବାଧ୍ୟ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । କାରଣ ଉତ୍କର୍ଷ ଓଡ଼ିଶାରେ ଯେଉଁ ପଦ୍ଧତି କରାଯାଇଛି, ତାହା ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା ଜରିଆରେ କରି ସାରିଛନ୍ତି ।
ବିଜେପି ସରକାର ଭଲ ଭାବେ ଜାଣିଛି ନବୀନ ପଟ୍ଟନାୟକ ସରକାର ସମୟର ଉପଲବ୍ଧି । ଯାହା ବିଭିନ୍ନ ଫୋରମରେ ସେମାନେ ମାନୁଛନ୍ତି । ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଦଳକୁ ଖୁସି କରିବାକୁ ବିଜେପି ନେତା ପୁରୁଣା ସରକାରକୁ ବିରୋଧ କରୁଥିବା ବିଜେଡି କଟାକ୍ଷ କରିଛି । ସେହିପରି କଂଗ୍ରେସ ବି ଆଣିଛି ଗୁରୁତର ଅଭିଯୋଗ । ସବୁ କଥାରେ ମୋହନ ସରକାର ପୁରୁଣା ସରକାରକୁ ଦାୟୀ କରିବାରେ ବ୍ୟସ୍ତ । ହେଲେ ନିଜେ କଣ କରିବେ କି କରୁଛନ୍ତି, ତାହା ସେମାନେ ନିଜେ ଜାଣି ନାହାନ୍ତି । ନବୀନ ସରକାରର ଉପଲବ୍ଧିକୁ ସେମାନେ ସମ୍ମାନ ଦେବା କଥା ବୋଲି କଂଗ୍ରେସ ମତ ଦେଇଛି । ବିଜେପି ନେତା ବି ପରୋକ୍ଷରେ ମାନୁଛନ୍ତି ନବୀନ ସରକାର ସମୟର ସଫଳତା । ହେଲେ ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ଏହା କିପରି ପ୍ରତିଫଳନ ହେଲା, ତାହା ବିଜେପିକୁ ହରଡ଼ଘଣାରେ ପକାଇଛି । ବିଧାନସଭା ଭିତରେ ବି ବିଭିନ୍ନ ସମୟରେ ପୁରୁଣା ସରକାରକୁ ବିଜେପି ଟାର୍ଗେଟ କରେ । ହେଲେ ଗୃହରେ ଯେଉଁ ଲିଖିତ ଉତ୍ତର ରଖନ୍ତି ମନ୍ତ୍ରୀମାନେ, ତାହା ନବୀନ ସରକାରଙ୍କ ସଫଳତାକୁ ହିଁ ବଖାଣିଥାଏ । ଡବଲ ଇଂଜିନ ସରକାରର ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ସରଗରମ ହେବ ବଜେଟ୍ ଅଧିବେଶନ, ମାଳମାଳ ପ୍ରସଙ୍ଗ ନେଇ କମ୍ପିବ ଗୃହ
ଭୁବନେଶ୍ବର ; ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଧାନମଣ୍ଡିରେ ଜାରି ରହିଛି କଟନିଛଟନି । କୋଟିଆ, ମହାନଦୀ ଓ ପୋଲାଭରମରେ ରାଜ୍ୟ ସ୍ବାର୍ଥକୁ ଅଣଦେଖା । କଣାସ ଓ ବାଙ୍କୀରେ ହଇଜା ବ୍ୟାପୁଛି । ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର । ବଜେଟ ଅଧିବେଶନରେ ଏସବୁ ପ୍ରସଙ୍ଗକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବେ ବିରୋଧୀ । ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ତୁଲାଇବ ମୁଖ୍ୟ ବିରୋଧୀ ବିଜେଡି । ନାରୀ ନିର୍ଯାତନା, ଭୁବନେଶ୍ବରର ଦିନ ଦିପହରେ ହତ୍ୟା, ଚୋରି, ନେତାଙ୍କ ଉପରେ ଆକ୍ରମଣ ଆଦି ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେଡି। ଏହା ସହ ବାରବାଟୀ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଓଡିଶା ବଦନାମ ହେବା ପ୍ରସଙ୍ଗରେ ବି ବିଜେଡି ଡବାବ ମାଗିବ। ସରକାରଙ୍କ ବିଫଳତା ନେଇ ଘେରିବ କଂଗ୍ରେସ।
ବଜେଟ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି- ଚିରାଚରିତ ପ୍ରଥାରେ ଚାଲିବ ବିଧାନସଭା । ଅନ୍ୟପଟେ ବଜେଟ ଅଧିବେଶନରୁ ବିଧାନସଭା ପେପରଲେସ ହୋଇଛି । ଟ୍ୟାବରେ ବିଧାୟକମାନେ ପଢିବାର ବ୍ୟବସ୍ଥା ହୋଇଛି । ବିଧାନସଭାର ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ ଲାଗିଛି । ତେଣେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି -ପେପରଲେସ ବିଧାନସଭା ପୂର୍ବ ସରକାର ଅମଳରୁ ଆରମ୍ଭ ହୋଇଥିବା । ତାହାକୁ ଏବେ କାର୍ଯ୍ୟକାରୀ କରାଯିବା ଭଲ କଥା । ଶାସକ ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଟ୍ଯାବ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୟାବ ବ୍ୟବସ୍ଥାରେ ବହୁତ କିଛି ନାହିଁ ବୋଲି ସେ କହିଛନ୍ତି। ବାଚସ୍ପତି କହିଛନ୍ତି- ବିଧାନସଭାକୁ ପେପରଲେସ କରାଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ୧୩ରୁ ୨୧ ପ୍ରଥମ ପର୍ଯ୍ୟାୟ, ମାର୍ଚ୍ଚ ୭ରୁ ଏପ୍ରିଲ ୫ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ରହିବ ମୋଟ ୨୮ଟି କାର୍ଯ୍ୟଦିବସ । ୧୭ରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ପରସ୍ପରକୁ ଘେରିବା ପାଇଁ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି : ବିଜେଡି
ଭୁବନେଶ୍ବର : ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି। କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି । ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ । ଏନେଇ ଶଙ୍ଖ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ପ୍ରସନ୍ନ ଆାଚାର୍ଯ୍ୟ । ସେ କହିଛନ୍ତି, ଗୃହରେ ଉଠିବ ଲୋକଙ୍କ ସମସ୍ୟା । ଏ ସରକାରର ଲକ୍ଷଣ ସବୁ କ୍ଷେତ୍ରରେ ନିମ୍ନଗାମୀ । ଆଇନ ଶୃଙ୍ଖଳା ରକ୍ଷାରେ ସରକାରଙ୍କ ଚରମ ବିଫଳତା । ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲେ । ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ବି କାମ କରୁନି । ବିଭାଗ ମଧ୍ୟରେ ସମନ୍ୱୟ ନାହିଁ କି ମନ୍ତ୍ରୀଙ୍କ ଉପରେ ସରକାରଙ୍କ ଲଗାମ ନାହିଁ । ଓଡ଼ିଶାବାସୀଙ୍କ ସ୍ୱର ବିଧାନସଭାରେ ଉଠାଇବ ବିଜେଡି । ଭୁବନେଶ୍ୱରରେ ପ୍ରଶାସନ ସାମ୍ନାରେ ଯାହା ଘଟୁଛି ସମସ୍ତେ ଦେଖୁଛନ୍ତି । ହତ୍ୟା, ଲୁଟ୍, ଛିନତାଇ, ନାରୀ ନିର୍ଯାତନା ବଢ଼ିଛି । ୯ ମାସରେ ଅର୍ଥ ବ୍ୟବସ୍ଥାର ବିଫଳ ପରିଚାଳନା । ଏହା ବିଧାନସଭାରେ ଉଠାଇବ ବିଜେଡି । ଡବଲ ଇଞ୍ଜିନ ସରକାରରେ ସବୁ ଡବଲ ପ୍ରତିଶୃତି ମିଳିଥିଲା । କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅବହେଳା ବିଧାନସଭାରେ ଉଠିବ ବୋଲି କହିଛନ୍ତି ପ୍ରସନ୍ନ । ଆଇନଶୃଙ୍ଖଳା, ଧାନମଣ୍ଡି ସମସ୍ୟା ସହ ସାରା ଓଡ଼ିଶାରେ ବିଷାଦମୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଧାନସଭାରେ ଲୋକଧର୍ମ ବିଜେଡି ପାଳନ କରିବ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ଶେଷ ଦିନରେ ମା’ କାଳୀ ଗୁମ୍ଫାରେ ପୂଜାର୍ଚ୍ଚନା କଲେ ନାଗା ସାଧୁ
ଭୁବନେଶ୍ବର : ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମେଳା ମାଘ ପୂର୍ଣ୍ଣିମାରେ ପଡ଼ିବ ପୂର୍ଣ୍ଣାହୂତି । ଶେଷ ଦିନରେ ଜୋରଦାର ଚାଲିଛି ପୂଜାର୍ଚ୍ଚନା । ମେଳା ସରିବା ପରେ ବିଦାୟ ନେବେ ସାଧୁସନ୍ଥ । ତେଣୁ ଶେଷ ଦିନରେ ସାଧୁ ସଂଗତି ପାଇଁ ଧାଇଁ ଆସିଛନ୍ତି ଶହଶହ ଶ୍ରଦ୍ଧାଳୁ । ପୂଜା ଓ ହୋମଯଜ୍ଞ ପାଇଁ ଅଞ୍ଚଳରେ ଦେଖିବାକୁ ମିଳିଛି ଆଧ୍ଯାତ୍ମିକ ପରିବେଶ । ମହାକୁମ୍ଭ ସ୍ଥଳରୁ ଆସିଥିବା ଜଳକୁ ସାଧୁ ସନ୍ଥଙ୍କ ଉପରେ ସିଞ୍ଚନ କରାଯାଇ ସାମୁହିକ ସଂକୀର୍ତ୍ତନରେ ସାମିଲ ହୋଇଛନ୍ତି ସଭିଏଁ ।
ନିୟମ ଅନୁଯାୟୀ ପୂର୍ଣ୍ଣାହୁତି ପୂର୍ବରୁ ମାଆ କାଳୀ ଗୁମ୍ଫାରେ ବୈଦିକ ରୀତି ନୀତିରେ ପୂଜାର୍ଚ୍ଚନା କରିଛନ୍ତି ନାଗାସାଧୁ । ଘଞ୍ଚ ଜଙ୍ଗଲ ଓ କଣ୍ଟକ ଯୁକ୍ତ ବୃକ୍ଷଲତାକୁ ଏଡେଇ ମାଆ କାଳୀଙ୍କ ଗୁମ୍ଫା ପାଦଦେଶରେ କିଛି ସାଧୁଙ୍କ ସହିତ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ୭୫୨ ଟି ଗୁମ୍ଫା ଭିତରୁ ଏହି ଗୁମ୍ଫା ହେଉଛି ଶ୍ରେଷ୍ଠ l ଗୁମ୍ଫାରେ ଭିତରେ ରୁହନ୍ତି ଶହଶହ ସଂଖ୍ୟାରେ ଚେମିଣି l ଗୁମ୍ଫା ଭିତରେ ପ୍ରବେଶ କରିବା ପାଇଁ ରହିଛି ସୁଡଙ୍ଗ । ହେଲେ ଭିତରେ ପ୍ରବେଶ କଲା ପରେ ଜଣା ପଡୁଛି ବିରାଟ ମହଲ । ଏହାରି ଭିତରେ ଥିବା ଅନେକ ସୁଡଙ୍ଗ କେଉଁ ଆଡ଼େ ଯାଇଛି ତାହାର ପ୍ରମାଣ କାହା ପାଖରେ ନାହିଁ । ଖଣ୍ଡଗିରି ମାଘ ମେଳା ପୂର୍ଣ୍ଣମୀରେ ଶେଷ ହେଉଥିଲେ ସୁଦ୍ଧା ୧୭ ତାରିଖ ପର୍ଯ୍ଯନ୍ତ ଚାଲିବ ଯାତ୍ରା ମହାକୁମ୍ଭ ।
ସଫଳ ହେଉଛି ପୂର୍ବ ସରକାରଙ୍କ ଦୂରଦୃଷ୍ଟି, ଫାଇଲେରିଆ ମୁକ୍ତ ହେଉଛି ଓଡ଼ିଶା
ବଲାଙ୍ଗୀର : ସଫଳ ହେଉଛି ନବୀନଙ୍କ ଦୂରଦୃଷ୍ଟି । ଫାଇଲେରିଆ ମୁକ୍ତ ହେଉଛି ଓଡ଼ିଶା । ୨୦୨୨ରୁ ଆରମ୍ଭ ହୋଇଥିଲା ଔଷଧ ସେବନ ଅଭିଯାନ । ବଲାଙ୍ଗୀର ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହା ୧୯ ଯାଏଁ ଚାଲିବ । ଜିଲ୍ଲାର ୧୩ ଲକ୍ଷ ୪୯ ହଜାର ୪୧ ଜଣଙ୍କୁ ବଣ୍ଟାଯିବ ଫାଇଲେରିଆ ନିରାକରଣ ବଟିକା । ଔଷଧ ସେବନ ଦ୍ଵାରା ବିଗତ ୩ବର୍ଷ ହେଲା ବଲାଙ୍ଗୀର ଜିଲ୍ଲାରେ ଲଗାତାର ଫାଇଲେରିଆ ରୋଗୀ ସଂଖ୍ୟା କମୁଛି । ୨୦୨୭ ସୁଦ୍ଧା ଜିଲ୍ଲା ଫାଇଲେରିଆ ମୁକ୍ତ ହେବା ନେଇ ଆଶା ରଖିଛି WHO । ୨ ବର୍ଷର କମ୍ ଶିଶୁ, ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଛାଡ଼ି ୬ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଡିଇସି, ଆଲବେଣ୍ଡାଜଲ ଓ ଆଇଭରମେକ୍ଟିନ ବଟିକା ଦିଆଯିବ । ଓଡିଶାର ୬ଟି ଜିଲ୍ଲାରେ ଆରମ୍ଭ ହୋଇଛି ଅଭିଯାନ।
ମଶା କାମୁଡିବା ଦ୍ବାରା ଫାଇଲେରିଆ କୀଟାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ । ଔଷଧ ବଣ୍ଟନ ପାଇଁ ଜିଲ୍ଲାର ୧୯୩ ସବ ସେଣ୍ଟର, ୨୪୫ ପଞ୍ଚାୟତର ୧୪ଶହ ୫୮ ଗ୍ରାମ ଓ ସହରାଞ୍ଚଳର ୬୩ ଟି ଓ୍ବାର୍ଡକୁ ଅଭିଯାନରେ ସାମିଲ କରାଯାଇଛି । ଜିଲ୍ଲାରେ ୧୯୩ ଜଣ ଫାଇଲେରିଆ ରୋଗୀ ଥିଲେ । ୨୦୨୨ ରେ ତାହା କମି ୭୯ ଜଣ ରୋଗୀ ରହିଥିଲେ । ୨୦୨୪ ରେ ଏହା ୫୧କୁ ଖସି ଆସିଥିଲା । ୨୦୨୫ ରେ ଜିଲ୍ଲାର ୧୬ ଟି ଗାଁରେ ପଜିଟିଭ୍ ବାହାରିଛନ୍ତି । ଏହାର ନିରାକରଣ ପାଇଁ ବଲାଙ୍ଗୀର ଜିଲ୍ଲାରେ ୨ ହଜାର ୮୭ ଆଶା ଓ ଅଙ୍ଗନବାଡି ଟିମ୍, ୪ ହଜାର ୧୮୩ ଜଣ ଡ୍ରଗ ଆଡମିନିଷ୍ଟ୍ରେଟର ଓ ୨୦୧ ମୋବାଇଲ ଡ୍ରଗ ଆଡମିନିଷ୍ଟ୍ରେଟର, ୪୧୦ ଜଣ ସୁପରଭାଇଜର, ୩୫ ଟି ରାପିଡ ରେସପନ୍ସ ଟିମ୍ ୧୭ କଣ୍ଟ୍ରୋଲ ରୁମ ସହ ୭୬ ସୋସିଆଲ ମୋବିଲାଇଜର ସାମିଲ ହୋଇଛନ୍ତି ।
ପୋଖରୀ ଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟାକରଣ ନେଇ ତେଜୁଛି ବିବାଦ
ବ୍ରହ୍ମପୁର : ବିବାଦ ଘେରରେ ବ୍ରହ୍ମପୁର ଆଖପାଖ ଅଞ୍ଚଳର ପୋଖରୀ । ହୋଇପାରୁନି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ଯକରଣ । ଆଗକୁ ଯାତ୍ରା ଥିବାରୁ ଚିନ୍ତାରେ ଦଣ୍ଡୁଆ । ମାର୍ଚ୍ଚ ୧୪ରୁ ଅପ୍ରିଲ ୧୪ ଏକମାସ ବ୍ୟାପୀ ସହରରେ ପ୍ରତ୍ଯେକ ଦିନ ଦଣ୍ଡଯାତ୍ରା ଅନୁଷ୍ଠିତ ହେବ । ଜଳଦଣ୍ଡରେ ଜଳକ୍ରୀଡ଼ା କିପରି କରାଯିବ ସେନେଇ ଚିନ୍ତାରେ ଦଣ୍ଡୁଆ । ୨୦୨୩ ଡିସେମ୍ବରରେ ୩୧ଟି ପୋଖରୀର ପୁନଃଉଦ୍ଧାର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ୨୦୨୪ ଫେବ୍ରୁଆରୀ ୧୬ରେ ଆଉ ୯ଟି ପୋଖରୀର କାର୍ଯ୍ୟାଦେଶ ବିଣ୍ଟନ କରାଯାଇଥିଲା । ସମୁଦାୟ ୪୦ଟି ପୋଖରୀ ପାଇଁ ମିଶନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୩୯ କୋଟି ୪୨ ଲକ୍ଷ ୪୯ ହଜାର ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ ହୋଇଥିଲା । ୮୦ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଥିଲା । ହେଲେ ଦେଢବର୍ଷ ବିତିଥିଲେ ସୁଦ୍ଧା କାମ ଆରମ୍ଭ ହୋଇପାରୁନାହିଁ ।
କାର୍ଯ୍ୟାଦେଶ ଦେବା ପୂର୍ବରୁ ବିଏମ୍ସି ପକ୍ଷରୁ ସଂପୃକ୍ତ SHGଙ୍କ ମଧ୍ୟରେ ଚୁକ୍ତିନାମା କରିବା କଥା । କିନ୍ତୁ କୌଣସି ବିଏମ୍ସି ଚୁକ୍ତିନାମା କରିନାହିଁ । ତତ୍କାଳୀନ ନିର୍ବାହୀଯନ୍ତ୍ରୀ କେବଳ ମୌଖିକ ଭାବେ ଅନୁମତି ଦେଇଥିଲେ । ସଂପ୍ରତି ସରକାର ବଦଳିବା ସହ ନିର୍ବାହୀ ଯନ୍ତ୍ରୀଙ୍କ ମଧ୍ୟ ବଦଳି ହୋଇଛି । ଏଭଳି ପରିସ୍ଥିତିରେ କାମ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦୁଃଖ ବଢିଯାଇଛି । ବିନା ଚୁକ୍ତିନାମାରେ ବିଏମ୍ସି କିଭଳି ଟଙ୍କା ପ୍ରଦାନ କରିବ ସେଥିନେଇ ଦ୍ବନ୍ଦ୍ବ ଦେଖାଦେଇଛି । ବକେୟା ଟଙ୍କା ନମିଳିବା ଯୋଗୁଁ କାମ ବନ୍ଦ ରହିଛି । ଏଭଳି ସ୍ଥିତିରେ ସହରର ପୋଖରୀ ଗୁଡ଼ିକ କିପରି ପୁନଃଉଦ୍ଧାର କରାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ ।

