spot_img
Home Blog Page 1058

ଆଜୁଠୁ ବଢିପାରେ ତାପମାତ୍ରା, ଉପକୂଳ ଓ ଉତ୍ତର ଓଡ଼ିଶାରେ ଶୁଖିଲା ରହିବ ପାଗ

ଭୁବନେଶ୍ବର : ଦିନରେ ଖରା, ରାତିରେ ଶୀତ। ଦୁଇ ଦିନ ହେବ ରାଜ୍ୟରେ ଜାରି ରହିଛି ଏଭଳି ପାଗ। ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ଯୋଗୁ ରାତିରେ ଥଣ୍ଡା ପଡୁଛି। କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଅଞ୍ଚଳରେ ରାତିରେ ସର୍ବନିମ୍ନ   ୮.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଦିନରେ ଏଠାରେ ୩୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ। ପଶ୍ଚିମ ଓଡ଼ିଶାର ତାପମାତ୍ରା ପୁଣିଥରେ ଉପରମୁହାଁ ହେବ। ୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ସ୍ବାଭାବିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତକାଲି ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୭.୫, ଅନୁଗୁଳରେ ୩୭.୧ ଡିଗ୍ରୀ ରହିଥିଲା। ୧୯୯୧ରୁ ୨୦୨୦ ମସିହାର ତାପମାତ୍ରା ଆଭରେଜ ତୁଳନାରେ ଚଳିତ ବର୍ଷ ଜାନୁଆରୀ ମାସ ସବୁଠାରୁ ଉତ୍ତପ୍ତ ମାସ ବୋଲି ସୂଚନା ଦେଇଛି ବିଶ୍ବ ପାଣିପାଗ ସଂସ୍ଥାନ। ୧୯୯୧ରୁ ୨୦୨୦ ମସିହା ଜାନୁଆରୀ ମାସରେ ହାରାହାରି ତାପମାତ୍ରା ୦.୭୯ ଡିଗ୍ରୀ ରହିଥିବା ବେଳେ ଗତ ମାସରେ ଏହାର ହାର ପ୍ରି ଇଣ୍ଡଷ୍ଟ୍ରିଆଲ ଲେବଲ ଠାରୁ ୧.୭୫ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଭୁବନେଶ୍ବର : ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ କଲ୍ୟାଣ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି।ଦ୍ବିତୀୟ ପର୍ଯ୍ୟାୟରେ ବିଜୁ ଜୟନ୍ତୀ ବିବାଦ, ନାରୀ ନିର୍ଯାତନା, ନାବାଳିକା ଗର୍ଭବତୀ,  ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଅଘଟଣ, ପୋଲାଭରମ, ସ୍କୁଲ ଗେରୁଆ ରଙ୍ଗ  ନିଷ୍ପତ୍ତି ଆଦି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଗୃହରେ ମୁହାଁମୁହିଁ ହୋଇପାରନ୍ତି। ଏଥିଲାଗି ଉଭୟ ରଣନୀତି ପ୍ରସ୍ତୁତ କରିଛନ୍ତି। ଆସନ୍ତା ୧୦ ତାରିଖରୁ ବଜେଟ ଉପରେ ବିଭାଗ ୱାରି ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଫେବୃଆରୀ ୧୭ରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝି ଗୃହରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆକ୍ରମଣାତ୍ମକ ଭୂମିକାରେ ବିରୋଧୀ ଆସିପାରନ୍ତି। ମୁଖ୍ୟ ବିରୋଧି ବିଜେଡି ଗୃହର ଲୋକଙ୍କ ସ୍ଵର ସାଜି ସରକାରଙ୍କୁ ବିଭିନ୍ନ ପ୍ରସଂଗରେ ଜବାବ ମାଗିବ l

ବିକାଶ ଚୂଲିକୁ ଯାଉ, ରଙ୍ଗ ବଦଳା ଚାଲିଥାଉ: ସବୁ ସରକାରୀ ସଂସ୍ଥାକୁ ଏବେ ନିଜ ଦଳୀୟ ରଙ୍ଗ ଗେରୁଆ କରିବାରେ ବ୍ୟସ୍ତ ବିଜେପି

ଭୁବନେଶ୍ବର: ବିକାଶ ଚୂଲିକୁ ଯାଉ । ରଙ୍ଗ ବଦଳା ଚାଲିଥାଉ । ଏପରି ଆଭମୁଖ୍ୟ ନେଇ ସତେ ଯେମିତି ସରକାରକୁ ଆସିଛି ବିଜେପି । ଏପରି ହୀନ ଅଭିଯାନକୁ ପୂରିବାକୁ ବସିଲାଣି ୧୦ ମାସ । ହେଲେ ଶିକ୍ଷାଠୁ ସ୍ବାସ୍ଥ୍ୟେସବାକୁ ଭୁଲିଯାଇଛନ୍ତି ରାଜ୍ୟ ସରକାର । ସବୁ ସରକାରୀ ସଂସ୍ଥାକୁ ଏବେ ନିଜ ଦଳୀୟ ରଙ୍ଗ ଗେରୁଆ କରିବାରେ ବ୍ୟସ୍ତ ବିଜେପି । ପୂର୍ବରୁ ମୋ ବସ, ଓମ୍ଫେଡ଼ କ୍ଷୀର ପ୍ୟାକେଟ, ସରକାରୀ ହୋର୍ଡିଂ, ବସଷ୍ଟାଣ୍ଡ, ପାଚେରୀରେ ସରକାରୀ ବିଜ୍ଞାପନ ଆଦି ଗେରୁଆ ରଙ୍ଗରେ ରଙ୍ଗୀନ ହୋଇସାରିଛି । ଏବେ ସରକାରୀ ସ୍କୁଲର ପାଳି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି ବିଭିନ୍ନ ବର୍ଗ । ଖୋଦ ପ୍ରାଥମିକ ଶିକ୍ଷକ ସଂଘ ସରକାରଙ୍କ ଏଭଳି ରଙ୍ଗ ବଦଳା ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛି । ବିଦ୍ୟାଳୟର ରଙ୍ଗ ବଦଳିଗଲେ କି ପୋଷାକ ବଦଳିଗଲେ ଗୁଣାତ୍ମକ ଶିକ୍ଷା ମିଳିବ ନାହିଁ। ରଙ୍ଗ ବଦଳିଲେ ଶିକ୍ଷାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ରଙ୍ଗ ପରିବର୍ତ୍ତନ କରିବାରେ ସରକାର ଯେତିକି ଅର୍ଥ ବ୍ୟୟ କରିବାକୁ ଯାଉଛନ୍ତି ସେହି ଅର୍ଥରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ତଥା ଅନ୍ୟାନ୍ୟ ଆଵଶ୍ୟକତା ପୂରଣ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ବିଜେପି ସରକାରର ଏହା କେବଳ ପିଲାଳିଆମି ଓ ବାଚାଳାମି ବୋଲି କହିବା ସହ ବର୍ଷିଛି ଓଡିଶା ସିଟିଜେନସ ଫୋରମ । ବିଜେପି ଏଥିରୁ କ୍ଷାନ୍ତ ରହୁ ନ ହେଲେ ଲୋକେ ତାଙ୍କୁ ବି କେତେବେଳେ ପରିବର୍ତ୍ତନ କରିଦେବେ ବୋଲି କହିଲେ ଫୋରମ ସଭାପତି ଚିନ୍ମୟ ଦାସ।

ସ୍କୁଲର ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିକ୍ଷାବିତ । ରାଜ୍ୟର ଶିକ୍ଷା ତୃଣମୂଳ ସ୍ତରରୁ ଧ୍ବଂସଗାମୀ ହେଉଛି । ସେତିକିବେଳେ ଶିକ୍ଷା ବ୍ୟବସ୍ଥା ନ ସଜାଡ଼ି କୋଠାବାଡ଼ି ରଙ୍ଗ ବଦଳାଇବାରେ ଲାଗିଛନ୍ତି ସରକାର। ଯାହାକି ଆଦୌ ଗ୍ରହଣୀୟ ନୁହେଁ। ଏହାକୁ କସମେଟିକ ସଂସ୍କାର ବା ବାହ୍ୟ ସଂସ୍କାର ବୋଲି କହିଛନ୍ତି ଶିକ୍ଷାବିତ । ରାଜ୍ୟରେ ଏବେ ବି ବହୁ ବିଦ୍ୟାଳୟରେ ଗଛ ତଳେ ପାଠପଢା ହେଉଛି। ଗଛପତ୍ରର ରଙ୍ଗ ନୀଳ। ଯଦି ସରକାର ଚାହୁଁଛନ୍ତି ଏହାକୁ ବି ଗେରୁଆ ରଙ୍ଗ କରିଦିଅନ୍ତୁ ବୋଲି କଟାକ୍ଷ କରିଛି ଓଡିଶା ଅଭିଭାବକ ମହାସଂଘ । ପିଲାଙ୍କୁ ରଙ୍ଗ ଆଗ ଦରକାର ନା ଶୈକ୍ଷିକ ଉପକରଣ ଆଗ ଦରକାର ବୋଲି ପ୍ରଶ୍ନ କରିଛି ମହାସଂଘ। ….

ସେପଟେ ରାଜନୈତିକ ଦଳର ପ୍ରମୁଖ ନେତାମାନେ ସରକାରଙ୍କୁ ରଙ୍ଗ ବଦଳା ସରକାର ଆଖ୍ୟା ଦେଇଛନ୍ତି। ରଙ୍ଗ ବଦଳାଇବା କାର୍ଯ୍ୟ ପୈତୃକ ସମ୍ପତ୍ତିରେ ନୁହେଁ ବରଂ ଲୋକଙ୍କ ଟିକସ ପଇସାରେ କରାଯାଉଛି। ତେଣୁ ଲୋକଙ୍କ ଅର୍ଥକୁ ଏଭଳି ଅଯଥା ଖର୍ଚ୍ଚ ନ କରି ରାଜ୍ୟର ପ୍ରକୃତ ବିକାଶ ଦିଗରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। ସେପଟେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ସ୍କୁଲକୁ ଆକର୍ଷଣୀୟ କରିବା ପାଇଁ ବଦଳା ଗଲା ରଙ୍ଗ । ଏବେ ପ୍ରଶ୍ନ ଉଠୁଛି କେଉଁଠୁ ଆସିବ ବଜେଟ ? ରାଜ୍ୟରେ ଦରଦାମ, ବେକାରୀ ସମସ୍ୟା ବୃଦ୍ଧି ସହ ସରକାରଙ୍କ ପ୍ରତିଶୃତି ପ୍ରତାରଣାକୁ ନେଇ ବିଭିନ୍ନ ବର୍ଗ ଆନ୍ଦୋଳନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ସେସବୁର ସମାଧାନ ନକରି ଏଭଳି ରଙ୍ଗ ଓ ନାଁ ପରିବର୍ତ୍ତନ ବିରୋଧରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

ବଲିଉଡକୁ ବାଏ-ବାଏ କଲେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ବଲିଉଡକୁ ବାଏ ବାଏ କରିଛନ୍ତି ଜଣେ ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ । ’ଗ୍ୟାଙ୍ଗସ ଅଫ ବାସେପୁର’, ’ବ୍ଲାକ ଫ୍ରାଇଡେ’ ଓ ’ଦେବ-ଡି’ ପରି ଶାନଦାର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବଲିଉଡକୁ ବାଏ ବାଏ କରିଦେଇଛନ୍ତି । ହିନ୍ଦି ଫିଲ୍ମର ଦର୍ଶକ ଏବେ ଅନୁରାଗଙ୍କୁ ବହୁମାତ୍ରାରେ ମିସ୍ କରିବେ । ଅନୁରାଗ ନିଜର ଫିଲ୍ମରେ କ୍ରାଇମ ଓ ଲଷ୍ଟ ଲଭ ଷ୍ଟୋରିଜର କକଟେଲ ପରିଷିବା ପାଇଁ ବିଖ୍ୟାତ । ଏହା ମଧ୍ୟରେ ଅନୁରାଗ ଏକ ନୂଆ ବର୍ଗର ଦର୍ଶକ ସନ୍ଧାନ କରିଛନ୍ତି । ଏବେ ହିନ୍ଦି ଦର୍ଶକଙ୍କୁ ସେପରି ସିନେମା ଆଉ ଦେଖିବାକୁ ମିଳିବ ନାହିଁ ।

ବଲିଉଡକୁ ଅଲବିଦା କହିବା ପୂର୍ବରୁ ସେ ହିନ୍ଦି ଫିଲ୍ମ  ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି କହି ସାରିଛନ୍ତି । ଆଜିର ସମୟରେ ବଲିଉଡରେ କ୍ରିଏଟିଭିଟିକୁ ଗୁରୁତ୍ବ ଦିଆଯାଉନାହଁ ବୋଲି ସେ କହିଛନ୍ତି । ସମସ୍ତେ ଅର୍ଥ ପଛରେ ପାଗଳ ହୋଇଯାଇଛନ୍ତି । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି  ବୋଲି ଅନୁରାଗ କହିଛନ୍ତି । ସୂଚନାଯୋଗ୍ୟ ଯେ, ତେବେ ଆଜିର ସମୟରେ ବଲିଉଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ସମସ୍ତେ ଅର୍ଥ ରୋଜଗାର ଆଶାରେ ଫିଲ୍ମ ତିଆରି କରୁଛନ୍ତି । ଏହା ପରେ ବି ଅନୁରାଗଙ୍କ ଧୈର୍ଯ୍ୟ ତାଙ୍କ ପାଇଁ ଜବାବ ଦେଇଛି । ଦର୍ଶକଙ୍କ ହୃଦୟରେ ସେ ନିଜର ଏକ ସ୍ବତନ୍ତ୍ର ଛାଡ଼ି ଛାଡ଼ିପାରିଛନ୍ତି । ଏବେ ସେ ନିଜକୁ ସାଉଥ ସିନେମା ପ୍ରତି ସମର୍ପିତ କରିବେ । ଅନୁରାଗଙ୍କ ଫିଲ୍ମ ନୂଆ ପୀଢ଼ିର ଫିଲ୍ମମେକର୍ସଙ୍କ ପାଇଁ ଏହା ପାଠ, ଏଥିରେ ଦ୍ବିମତ ନାହିଁ ।

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବର୍ଷା ହେଲେ ଟ୍ରଫି ହାତେଇବ କିଏ, କ’ଣ ହେବ ଫାଇନାଲ ଫଳାଫଳ?

ମାର୍ଚ୍ଚ ୯ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା ଖେଳାଯିବ । ସୁପର ସଣ୍ଡେରେ ହେବାକୁ ଥିବା ସୁପର ଫାଇଟକୁ ବିଶ୍ବର କୋଟି କୋଟି କ୍ରୀଡ଼ାପ୍ରେମୀ ବେଶ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ଚଳିତ ଚାମ୍ପିୟନ୍ସ ଟ୍ରଫିର କିଛି ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ଉକ୍ତ ସ୍ଥିତିରେ ଉଭୟ ଟିମଙ୍କୁ ୧-୧ ଲେଖାଏଁ ପଏଣ୍ଟ ପ୍ରଦାନ କରାଯାଇଥିଲା । ତେବେ ଆସନ୍ତା ୯ ତାରିଖରେ ଯଦି ବର୍ଷା ହେବ, ଆଉ ମ୍ୟାଚ ବାତିଲ ହୁଏ, ତେବେ ଏପରି ସ୍ଥିତିରେ କ’ଣ ହେବ? କାହାକୁ ଚାମ୍ପିୟନ ଭାବେ ଘୋଷଣା କରାଯିବ, ସେନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ଉଠିଛି ବଡ଼ ପ୍ରଶ୍ନ ।

ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ଖେଳାଯିବ । ଶେଷ ଥର ପାଇଁ ୨୦୦୦ ମସିହାରେ ଉଭୟ ଟିମ୍ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲେ । ସେତେବେଳେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଟ୍ରଫ ହାତେଇଥିଲା । ତେଣୁ ଏଥର ଭାରତ ୨୫ ବର୍ଷ ତଳର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି ପାଇଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିରେ ନ୍ୟୁଜିଲାଣ୍ଡ ୩୫୦ରୁ ଅଧିକ ଟାର୍ଗେଟ ଦେଇଥିବାରୁ କିଓ୍ବିକୁ ଦୁର୍ବଳ ଭାବିବା ରୋହିତ ବାହିନୀକୁ ମହଙ୍ଗା ପଡ଼ିପାରେ ।

ତେବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ସେଥିପାଇଁ ICC କ’ଣ ବ୍ୟବସ୍ଥା ଗ୍ରହଣ କରିଛି, ଏ ବାବଦରେ ଜାଣିବା ପାଇଁ କ୍ରିକେଟ ପ୍ରେମୀ ବ୍ୟଗ୍ର ହୋଇ ଉଠିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ବର୍ଷାର କୌଣସି ସମ୍ଭାବନା ନାହିଁ । ଯଦି ବର୍ଷା ହୁଏ ଓ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ସେଥିପାଇଁ ICC ବ୍ୟବସ୍ଥା କରିଛି । ଏପରି ସ୍ଥିତିରେ ରିଜର୍ଭ ଡେ ଅର୍ଥାତ ମାର୍ଚ୍ଚ ୧୦ରେ ଖେଳାଯିବ । ICC ଏଥିପାଇଁ ନିୟମରେ ପରିବର୍ତ୍ତନ କରିଛି । ଯଦି ମାର୍ଚ୍ଚ ୯ରେ କିଛି ଖେଳ ହୋଇ ବାଧାପ୍ରାପ୍ତ ହୁଏ, ତେବେ ଏପରି ସ୍ଥିତିରେ ମାର୍ଚ୍ଚ ୧୦ରେ ପୂର୍ବଦିନର ଅସମାପ୍ତ ଖେଳ ପୁଣି ଖେଳାଯିବ ।

ଏଭଳି ସ୍ଥିତି ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଥିଲା ୨୦୦୨ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଉଭୟ ଭାରତ ଓ ଶ୍ରୀଲଙ୍କାକୁ ICCର ନିୟମ ଅନୁସାରେ ବିଜୟୀ ଘୋଷିତ କରାଯାଇଥିଲା । ଏଥର ଯଦି ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ଉଭୟ ଟିମଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ICC ଚଳିତ ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ମଧ୍ୟ ରିଜର୍ଭ ଡେ ବ୍ୟବସ୍ଥା ରଖିଥିଲା ।

ଉଭୟ ଟିମ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୯ଟି ଦିନିକିଆ ଖେଳାଯାଇଛି । ସେଥିମଧ୍ୟରୁ ଭାରତ ୬୧ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫୦ଟିରେ ଜିତିଛି । ୭ଟି ମ୍ୟାଚରେ ଫଳାଫଳ ବାହାରି ପାରିନଥିଲା । ୨୦୦୦ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା ।  ତେଣୁ ଏଥର ନ୍ୟୁଜିଲାଣ୍ଡକୁ ହରାଇ ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି ରୋହିତ ସେନା ।

ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ପଡ଼ିବ ଉଠିବ ଗୃହ

ଭୁବନେଶ୍ବର: ଆସନ୍ତାକାଲିଠୁ ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ । ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ । ବିଜୁ ଜୟନ୍ତୀକୁ ନେଇ ବିଜେପିର ହୀନ ରାଜନୀତି ଓ କ୍ୟାଲେଣ୍ଡର ଛୁଟି ପରିବର୍ତ୍ତନ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ପଡ଼ିବ ଉଠିବ ବିଧାନସଭା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ଚକ୍ରାନ୍ତ ରାଜନୀତିକୁ ବିରୋଧ କରିବ ଦଳ। ସେହିପରି ପୋଲାଭରମ ପ୍ରକଳ୍ପରେ ଆନ୍ଧ୍ରକୁ ଅଧିକ ସହାୟତା ଓ ଓଡ଼ିଶାକୁ ବୁଡ଼ାଇଦେବାକୁ ଡବଲ ଇଞ୍ଜନ ସରକାରର ଆଭିମୁଖ୍ୟକୁ ପ୍ରସଙ୍ଗ କରି ଜବାବ ମାଗିବ ବିଜେଡି । କୋଟିଆ, ମହାନଦୀ ଆଦି ପ୍ରସଂଗରେ ରାଜ୍ୟ ସ୍ବାର୍ଥକୁ ଅଣଦେଖା କରୁଥିବା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି। ସେହିପରି ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଅଘଟଣ, ନାରୀ ନିର୍ଯାତନା ପରି ଅନେକ ପ୍ରସଙ୍ଗ ବି ଉଠିବ ଗୃହରେ। ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ତୁଲାଇବ ବିଜେଡି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ହତ୍ୟା, ଚୋରି, ଡକାଏତି, ନାବାଳିକା ପ୍ରସବ ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବ କଂଗ୍ରେସ । ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଦଳ ଶାଣିତ ଭାବେ ସବୁ ପ୍ରସଙ୍ଗକୁ ଗୃହରେ ଉଠାଇ ମାଗିବ ଜବାବ ।

ସେପଟେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିରୋଧୀଙ୍କ ସମସ୍ତ ଅଭିଯୋଗର ଜବାବ ଦେବାକୁ ପ୍ରସ୍ତୁତ ଶାସକ ଦଳ। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ରୁ ୨୧ ତାରିଖ ଯାଏ ହୋଇଥିବାବେଳେ ଆସନ୍ତାକାଲିଠାରୁ ଏପ୍ରିଲ ୫ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଗତ ଫେବୃୟାର ୧୭ରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ।

ବରପୁତ୍ରଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ଗର୍ଜନ: ବିଜେପିର ହୀନ ରାଜନୀତିକୁ ସବୁ ଆଡ଼େ ସମାଲୋଚନା 

ଭୁବନେଶ୍ବର: ବରପୁତ୍ରଙ୍କୁ ଅସମ୍ମାନ ପ୍ରତିବାଦରେ ବିଜେଡିର ଗର୍ଜନ । ରାଜରାସ୍ତାକୁ ଓହ୍ଲାଇଲେ ବିଜୁ ପ୍ରେମୀ । ବିଜୁଙ୍କୁ ଅପମାନ କଲେ ବି ଲୋକଙ୍କ ମନରୁ ଲିଭାଇ ପାଇବେନି ଭଲପାଇବା । ନବେ ଦଶକରୁ ଚାଲିଆସିଥିବା ପରମ୍ପରାକୁ ଭାଙ୍ଗିଛି ବିଜେପି ସରକାର । କ୍ଷମତାକୁ ଆସିବା ପରେ ପୂଜ୍ୟପୂଜା ପରମ୍ପରା ପାଲଟିଛି ପ୍ରହସନ । ରାଜ୍ୟର ବରପୁତ୍ରଙ୍କୁ ଅପମାନ କରି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନକୁ ବନ୍ଦ କରିଦେଲେ ଡବଲ ଇଞ୍ଜିନ ସରକାର । ହେଲେ କେଉଁ ନ୍ୟାୟରେ ମହିଳା ଦିବସକୁ ସୁଭଦ୍ରା ଦିବସ ଭାବେ ପାଳନ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପିର ଏଭଳି ହୀନ ରାଜନୀତିକୁ ସବୁ ଆଡେ ସମାଲୋଚନା କରାଯାଉଛି । ସବୁ ଜିଲ୍ଲାରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବା ସହ ରାଜ୍ୟ ସରକାରଙ୍କ ଗୋଇଠା ମାରି ବିଷ୍ଣୁ କରିବା ନୀତିକୁ କଟୁ ନିନ୍ଦା କରିଛି ବିଜେଡି । ବିଜୁ ପଟ୍ଟନାୟକ ଓଡ଼ିଶାର ହୃଦୟର ମଣିଷ ଓ ଅପ୍ରତିଦ୍ଵନ୍ଦ୍ବୀ ନେତା ଥିଲେ । ଯେତେବେଳେ ବିଜୁଙ୍କ ପରି ମହାପୁରୁଷଙ୍କୁ ଅପମାନ କରାଯିବ, ସେତେବେଳେ ସାରା ଓଡ଼ିଶା ତାତିବା ସ୍ବାଭାବିକ ।

ବିଜୁ ପଟ୍ଟନାୟକ କେବେ ବି କ୍ଷମତା ଲୋଭୀ ନଥିଲେ । ସେ ସବୁବେଳେ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରୁଥିଲେ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ପଂଚାୟତକୁ କ୍ଷମତା ହସ୍ତାନ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଜୁଙ୍କ ଉଦ୍ୟମ ଓ ସାହସିକତାର ପଦଚିହ୍ନ ଏବେ ବି ରହିଛି । ବିଜେପି ସରକାର ଭୟରେ ରାଜ୍ୟରେ ବିଜୁ ବ୍ରାଣ୍ଡକୁ ହଟେଇବାକୁ ଚକ୍ରାନ୍ତ କରୁଛି । ଏକ ବିକସିତ ଓଡିଶା ଗଠନ ସାଙ୍ଗକୁ ମହିଳା ସଶକ୍ତିକରଣ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ବିଜେଡି ସରକାରରେ ତ୍ବରାନ୍ବିତ କରାଯାଇଥିଲା । ଏବେ କିନ୍ତୁ ସରକାର ବଦଳିବା ପରେ ବିଜେପି କେବଳ ନିଜସ୍ବ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସବୁ କ୍ଷେତ୍ରରୁ ବିଜୁଙ୍କ ପଦଚିହ୍ନକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ସବୁ ମହଲରେ ପ୍ରତିବାଦ ତୀବ୍ର ହୋଇଛି । ସବୁ ମହଲରୁ ରାଜ୍ୟ ସରକାରଙ୍କ ବିଜୁ ବିରୋଧୀ ମନୋବୃତ୍ତିକୁ ନେଇ ସମାଲୋଚନା ହେବା ପରେ ତରବରିଆ ଭାବେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ପାଳନ କରି ସ୍ମୃତି ଚାରଣ କରାଗଲା । ହେଲେ ବିଜୁଙ୍କୁ ବିଜେପିର ଅପମାନ ପ୍ରତିବାଦରେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବାକୁ ଥିବା ବେଳେ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି ।

ବାଣ ବିସ୍ଫୋରଣର ଆହତଙ୍କୁ ଭେଟିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର: ବାଣ ବିସ୍ଫୋରଣରେ ୫ ଗୁରୁତର। ଯାଜପୁର ସଦର ଥାନା ବାସୁଦେବପୁର ପଂଚାୟତ ଜାଲପୁର ଗ୍ରାମରେ ଘଟିଛି ବିସ୍ଫୋରଣ। ବେଆଇନ ବାଣ ତିଆରି କାରଖାନାରେ ବିସ୍ପୋରଣ ଘଟିଛି। ବାଣ ଭିଡୁଥିବା ସମୟରେ ବିସ୍ପୋରଣ ହୋଇଛି। ୫ ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ବୟସ୍କ ଓ ଦୁଇ ଶିଶୁ ଅଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଦଲ ପାତ୍ରଙ୍କ ଅବସ୍ଥା ଗୁରୁତର ହେବାକୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ପରିବାରକୁ ଭେଟିଛନ୍ତି ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେ ଦୁଃଖ ପ୍ରକାଶ କରିଛନ୍ତି ।

ରୋହିତ-କୋହଲି ନୁହନ୍ତି, ଶ୍ରେୟସ ଆୟର  ବଢ଼ାଇଲେ ନ୍ୟୁଜିଲାଣ୍ଡର ଫାଇନାଲ ଟେନସନ୍

ଦୁବାଇ: ଆସନ୍ତା ୯ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା ହେବ । ଫାଇନାଲ ଲଢ଼େଇ ପାଇଁ ଦୁଇ ଦେଶର ଅଧିନାୟକ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଲିଗ୍ ପର୍ଯ୍ୟାୟରେ ଭାରତ ଠାରୁ ପରାଜିତ ହୋଇଥିବାରୁ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ କିପରି ମାତ୍ ଦେବ, ସେନଇ ଚିନ୍ତାରେ ରହିଛି । ତେବେ ଫାଇନାଲରେ ଏକାଧିକ ଭାରତୀୟ ଖେଳାଳି କିଓ୍ବିର ଚିନ୍ତା ବଢ଼ାଇବେ । ମାତ୍ର ନ୍ୟୁଜିଲାଣ୍ଡ ଜଣେ ଖେଳାଳିଙ୍କୁ ନେଇ ସତର୍କ ରହିଛି । ରେକର୍ଡ କହୁଛି, ସେହି ଖତରନାକ ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ, କେଏଲ ରାହୁଲ ନାହାନ୍ତି ।

ପ୍ରକୃତ କଥା ହେଉଛି, ନ୍ୟୁଜିଲାଣ୍ଡ ଟିମର ଚିନ୍ତାର କାରଣ ସାଜିଛନ୍ତି ହାର୍ଡ ହିଟର ଶ୍ରେୟସ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରେୟସଙ୍କର ଶାନଦାର ରେକର୍ଡ ରହିଛି । ଦିନିକିଆରେ ଶ୍ରେୟସଙ୍କର ରେକର୍ଡ ହାର ୪୮.୨ ପ୍ରତିଶତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭୦.୩୭ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରେୟସ ୯ଟି ମୁକାବିଲାରେ ୫୬୩ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୨ଟି ଶତକ ରହିଛି । ସେ ମୋଟ ୬୯ଟି ଦିନିକିଆରେ ୨,୭୯୭ ରନ୍ ସଂଗ୍ରହ କରିଛନ୍ତି, ସେଥିରେ ୫ଟି ଶତକ ରହିଛି । ତେଣୁ କିଓ୍ବି ବିପକ୍ଷରେ ଫାଇନାଲରେ ଶ୍ରେୟସଙ୍କ ବ୍ୟାଟ କିପରି ଗର୍ଜିବ ତାହା ଏହି ରେକର୍ଡରୁ ସ୍ପଷ୍ଟ ଅନୁମେୟ ହେଉଛି ।

ବର୍ଷକ ମଧ୍ୟରେ ୨୭ ଥର ଦୁବାଇ ଯାଇଥିଲେ ରାନ୍ୟା ରାଓ : ସାମ୍ନାକୁ ଆସିଲା ବଡ଼ ରହସ୍ୟ

ଗୋଲ୍ଡ ସ୍ମଗଲିଂ ଅଭିଯୋଗରେ ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ ହୋଇଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ଗିରଫଦାରୀ ପରେ ରାନ୍ୟାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ମାମଲାରେ ଆର୍ଥିକ ଅପରାଧ ଅଦାଲତ ତାଙ୍କର ଜାମିନ ଯାଚିକା ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ଏହାଫଳରେ ରାନ୍ୟାଙ୍କର ଆଇନଗତ ସ୍ଥିତି ବର୍ତ୍ତମାନ ଅଧାରେ ଝୁଲି ରହିଛି । ଡାଇରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ତରଫରୁ ରାନ୍ୟାଙ୍କ ବିରୋଧରେ ଅଣାଯାଇଛି ଏକ ବଡ଼ ଅଭିଯୋଗ । ଚଳିତ ବର୍ଷ ରାନ୍ୟା ୨୭ ଥର ଦୁବାଇ ଯାତ୍ରା କରିଥିଲେ, ଯାହାକି ତାଙ୍କ ବିରୋଧରେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି । କୋର୍ଟରେ ଶୁଣାଣି ସମୟରେ DRIର ଓକିଲ କହିଥିଲେ, ଏହି ପୂରା ମାମଲାକୁ ସଠିକ ଭାବେ ବୁଝିବା ପାଇଁ ରାନ୍ୟାଙ୍କ କଷ୍ଟଡି ବହୁତ ଜରୁରୀ । ପ୍ରାଟୋକଲ ଉଲ୍ଲଂଘନ କିପରି ହୋଇଥିଲା ଓ ଗୋଲ୍ଡ ସ୍ମଗଲିଂର ଷଡ଼ଯନ୍ତ୍ର କିଏ ରଚିଥିଲା ତା ଉପରେ ମଧ୍ୟ ଓକିଲ କହିଥିଲେ ।

ଅନ୍ୟପକ୍ଷରେ DRIର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାନ୍ୟାଙ୍କ ଓକିଲ । ସେ କହିଛନ୍ତି, ଯେତେବେଳେ ଏଜେନ୍ସିକୁ ପ୍ରଥମେ ପଚରାଉଚରା କରିବାର ଥିଲା, ସେ ସମୟରେ ତାହା କରାନଯାଇ ରାନ୍ୟାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଏବେ ରାନ୍ୟାଙ୍କର କଷ୍ଟଡି ଦାବି କରାଯାଉଛି, ଯାହାକି ଅତ୍ୟନ୍ତ ସନ୍ଦେହଜନକ । ତାଙ୍କର ଲାପଟପକୁ ପୂର୍ବରୁ ଜବତ କରାଯାଇଛି, ଯାହାର ଡାଟା ଏଜେନ୍ସି ପାଖରେ ରହିଛି । ଏପରି ସ୍ଥିତିରେ ଦ୍ବିତୀୟ ଥର କଷ୍ଟଡିର କାହିଁକି ଆବଶ୍ୟକତା ପଡ଼ିଲା, ତାହା ବୁଝା ପଡ଼ୁନି ବୋଲି ରାନ୍ୟାଙ୍କ ଓକିଲ କହିଛନ୍ତି ।