spot_img
Home Blog Page 1048

ପୁରୀ ଜଗନ୍ନାଥ ଷ୍ଟାଡିୟମ ପାଚେରୀକୁ ବୋମାମାଡ଼: ଷ୍ଟାଡିୟମ ପାଚେରୀକୁ ୪ଟି ବୋମାମାଡ଼ କଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜଗନ୍ନାଥ ଷ୍ଟାଡିଅମ ପାଚେରୀକୁ ବୋମାମାଡ଼ । ଷ୍ଟାଡିୟମ ପାଚେରୀକୁ ୪ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଗୋଟେ ବୋମା ଫୁଟିଥିବାବେଳେ ଆଉ ୩ଟି ବୋମା ଫୁଟିନଥିଲା। ସେବାୟତ ପ୍ରିମିୟର ଲିଗ ଅନୁଷ୍ଠିତ ହେଉଥିବା ବେଳେ ଏହି ବୋମାମାଡ଼ ହୋଇଛି । କେଉଁ କାରଣ ଯୋଗୁଁ ଦୁର୍ବୃତ୍ତମାନେ ଏହି ବୋମାମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ସିବିଚ୍ ଥାନା ପୋଲିସ, ଟାଉନ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରୁଛି । ସେପଟେ ଜଗନ୍ନାଥ ଷ୍ଟାଡିୟମ ପରିସରରେ ଦିବା ରାତ୍ର ସେବାୟତ ପ୍ରିମିୟର ଲିଗ ଅନୁଷ୍ଠିତ ହେଉଥିବାବେଳେ ଏହି ବୋମାମାଡ଼ ନେଇ ଉଠିଛି ଅନେକ ପ୍ରଶ୍ନ ।

ଦରବୃଦ୍ଧିରେ ଦେଶରେ ଓଡ଼ିଶା ଆଗରେ: ଡବଲ ଇଞ୍ଜିନ ସରକାର ଡବଲ ମିଛ କହି ଓଡ଼ିଶାକୁ ଲୁଟୁଛି, ବର୍ଷିଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ଦରଦାମ୍ ତାତି । ମୁଲତବୀ ପ୍ରସ୍ତାବରେ ଡବଲ ଇଞ୍ଜିନ ସରକାରକୁ ବିଜେଡିର ଟାର୍ଗେଟ । ଦରବୃଦ୍ଧିରେ ଦେଶରେ ଓଡ଼ିଶା ଆଗରେ । ଅରୁଣ କହିଲେ ଚାନ୍ଦା ପାଇଁ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ସ୍ଵର ମିଳାଇଲା କଂଗ୍ରେସ, ଜବାବ ଦେଲା ବିଜେପି । ଖାଇବା ତେଲରୁ ଡାଲି ଯାଏ, ଅଟା ଠାରୁ ଡାଟା ଯାଏ, ପେଟ୍ରୋଲରୁ ଡିଜେଲ୍, ଜାଲ ରୁ ପାଲ ଯାଏ ଦରଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଛି । ଡବଲ ଇଞ୍ଜିନ ସରକାର ଡବଲ ମିଛ କହି ଓଡ଼ିଶାକୁ ଲୁଟୁଥିବା କହି ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ଗ୍ୟାସ ଦର ୨୦୧୪ ରୁ ପରେ ୬୦୦ ଟଙ୍କା ବଢ଼ିଛି । ପେଟ୍ରୋଲ ଓ ଡିଜେଲ୍ ଦର ଶହେ ପାର । ସୁନା ଦର ବିଜେପି ସରକାର ଆସିବା ବେଳେ ୨୮ ହଜାର ଥିଲା, ଏବେ ୮୮ ହଜାରରେ ପହଂଚିଛି । ଟଙ୍କାର ମୂଲ୍ୟ କମିଛି ।

ନିର୍ବାଚନ ଚାନ୍ଦା ପାଇଁ ଦରଦାମ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ । ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅଧିକ ଭୂମିକା । ହେଲେ ରାଜ୍ୟର ଦାୟିତ୍ୱ ମଧ୍ୟ ଅଛି । ରାଜ୍ୟସରକାରଙ୍କ ନିୟନ୍ତ୍ରଣରେ ଭାଟ କମାଇବା ରହିଛି । ପ୍ରେଟୋଲ ଡିଜେଲରେ ଭାଟ କମାଇଲେ ଦରଦାମ ହୁଏତ ନିୟନ୍ତ୍ରଣକୁ ଆସିବ । ସାଧାରଣ ଲୋକ ହିଁ ଦରଦାମରେ ସଫର୍ ହେଉଛି । ଆଦାନୀ ଅମ୍ବାନୀ କି ବିଧାୟକ ଯାଉନାହାନ୍ତି ଅଟୋ ରିକ୍ସାରେ, ସାଧାରଣ ଲୋକ ଯାଉଛନ୍ତି । ଖୁଚୁରା ବ୍ୟବସାୟୀଙ୍କୁ ମାରି ନୁହେଁ, ବଡ଼ ବଡ଼ କର୍ପୋରେଟଙ୍କୁ ଧର । ମନ୍ତ୍ରୀ କେବଳ ୧ ନମ୍ୱର୍ ହାଟ ଯାଉଛନ୍ତି, ହେଲେ ମଲକୁ ଯାଉନାହାନ୍ତି । ଝିଣ୍ଟିକା ମାରି ବଣୀ ନପୋଷନ୍ତୁ ସରକାର । କେନ୍ଦ୍ରକୁ ଦରଦାମ ନିୟନ୍ତ୍ରଣ କରିବାକୁ ଛୋଟ ଇଞ୍ଜିନ ଦାବି କରୁ । ସବ୍ କା ସାଥ, ସବ୍ କା ବିକାଶ ନୁହେଁ, ସବ୍ କା ବିନାଶ କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ବାଢିଛି ବିଜେଡି ।

ସେହିପରି ଦରଦାମ ବୃଦ୍ଧିକୁ ନେଇ ମୁଲତବୀ ପ୍ରସ୍ତାବରେ ବର୍ଷିଛନ୍ତି ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯୋଗଣ ମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳ ଦେଶରେ ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ନଥିଲା, ସେତେବେଳେ ଓଡ଼ିଶାର ଆଳୁ ଓ ପିଆଜ ଦର ବୃଦ୍ଧି କଲେ ରାଜ୍ୟ ସରକାର । କୁଆଡେ ଗଲା ଆଳୁ ଟ୍ରକ୍ । ମନ୍ତ୍ରୀ ଏବେ କହିବେ କୁମ୍ଭମେଳାରେ ଆଳୁ ଟ୍ରକ୍ ଟ୍ରାଫିକ ଜାମରେ ଫସିଯାଇଛି । ପରିବା ଦର ୩୦ ପ୍ରତିଶତ ବୃଦ୍ଧି ପାଇଛି । ହେଲେ କିଛି କଳା ବ୍ୟବସାୟୀଙ୍କ ସହ ମଧୁଚନ୍ଦ୍ରିକା ଯୋଗୁ ଦରଦାମ୍ ବୃଦ୍ଧି ପାଉଛି । ଅନ୍ୟପଟେ ଯୋଗଣ ମନ୍ତ୍ରୀ କହିଛନ୍ତି ଦରଦାମ୍ ନିୟନ୍ତ୍ରଣ ଭିତରେ ରହିଛି । ଦରଦାମ୍ ନିୟନ୍ତ୍ରଣ ବାହାରକୁ ଯିବାକୁ ନେଇ ବିଜେଡି ରାଜରାସ୍ତାରୁ ବିଧାନସଭା ଯାଏ ଲଢ଼େଇ ଜାରି ରଖିଛି । ଦଳ ଲୋକଙ୍କ ସ୍ୱର ସାଜି ଲଢ଼ୁଛି ।

୮ ମାସରେ ୧୮ ହଜାର ମାମଲା ରୁଜୁ: ନୂଆ ସରକାର ଆସିବା ଦିନ ଠାରୁ ବଢିଚାଲିଛି ମହିଳା ବିରୋଧୀ ଅପରାଧ

ଭୁବନେଶ୍ବର: ଭୁବନେଶ୍ୱର ଭରତପୁର ଥାନାରେ ମହିଳାଙ୍କୁ ମାଡ଼ । କୁଚିଣ୍ଡାରେ ମନ୍ତ୍ରୀଙ୍କ ପାଖ ଲୋକଙ୍କ ନାବାଳିକା ଗଣଦୁଷ୍କର୍ମ । ସୁନ୍ଦରଗଡ଼ ରାଉରକେଲାରେ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଷ୍କର୍ମ । ଗତକାଲି ଭୁବନେଶ୍ୱରରେ ବ୍ୟବସାୟ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଅନେକ ମହିଳା ବିରୋଧୀ ହିଂସା ଯୋଗୁଁ ଗତ ଆଠ ମାସର ସରକାର ବଦନାମ ମୁଣ୍ଡାଇଲେଣି । କାରଣ ନୂଆ ସରକାର ଆସିବା ଦିନ ଠାରୁ ବଢିଚାଲିଛି ମହିଳା ବିରୋଧୀ ଅପରାଧ । ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ ଟି ମାମଲା ବିଚାରଧୀନ ଥିବା ବେଳେ ୭୩୮ ଟି ମାମଲାରେ ଚାର୍ଜସିଟ ଦିଆଯାଇଛି । ୨୧୭ ଟି ମାମଲାର ଫଇସଲା ସାରିଥିବା ବେଳେ ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ଦିଆଯାଇଛି ।

ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଏମିତି ଲିଖିତ ଉତ୍ତର ରଖିଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ଆହୁରି ଚିନ୍ତାଜନକ ଚିତ୍ର ବିଧାନସଭାରେ ଆସିଛି ଯେଉଁଠି ୨୦୨୪ ରେ ୬୪୩୭ଟି ମହିଳା ଓ ଶିଶୁ ଅପହରଣ, ବାଲ୍ୟ ବିବାହ ଅଭିଯୋଗ ମାମଲା ରୁଜୁ କରାଯାଇଛି । ଏଥିରୁ ୬୦୯୭ ମାମଲାରେ ତଦନ୍ତ ଚାଲୁଥିବାବେଳେ ୪୪ ମାମଲାରେ ଚାର୍ଜସିଟ ଦଖଲ ହୋଇଛି । ୧୧ଟି ଫାଇନାଲ ରିପୋର୍ଟ ଦିଆ ସରିଛି । ୨୮୫ ଟି ମାମଲାର ଫଇସଲା ସରିଛି । ଏଥିରେ ୩୯୯ ଜଣ ଓ ୧୪ ଜଣ ମହିଳା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ଉତ୍ତର ପରେ ମହିଳା ଆହୁରି ଭୟଭୀତ ହୋଇ ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି । ମହିଳାଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରୁଛନ୍ତି ସରକାର ତାହା ଜଣାଇ ଦୋଷୀଙ୍କୁ ଧରିବାକୁ କଂଗ୍ରେସ ଦାବି କରିଛି । ସରକାର ମହିଳାଙ୍କ ସୁରକ୍ଷା ପ୍ରତି କିଛି କରୁ ନଥିବାରୁ କୌଣସି ମହିଳା ସୁରକ୍ଷିତ ନୁହନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସରକାରୀ ଅବ୍ୟବସ୍ଥାକୁ ଲୁଚାଇବାକୁ ବିଜେପି ପାଖରେ ଆଉ ମାଧ୍ୟମ ନାହିଁ । ମହିଳାଙ୍କ ବିରୋଧରେ ଅପରାଧ କିଛିଟା ବଢିଥିବା କହି ପ୍ରସଙ୍ଗକୁ ସ୍ୱୀକାର କରିଛି ବିଜେପି । ରାଜ୍ୟର ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆହୁରି ଚିନ୍ତା ବଢିଛି । ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ ଗୋଟି ଧର୍ତ୍ତବ୍ଯ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୪ ମସିହାରେ ୨ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇିଛି । ଅର୍ଥାତ ନୂଆ ସରକାର ଅମଳରେ ଅପରାଧ ବଢିଛି ।

କାହିଁକି ବଢ଼ାଯିବ ଟାରିଫ: ବିଭିନ୍ନ ପ୍ରସଙ୍ଗରେ ଉପଭୋକ୍ତା ମହାସଂଘ ତରଫରୁ ବିରୋଧ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଜୁଳି ଟାରିଫ ସମ୍ପର୍କିତ ଶୁଣାଣି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ଚାଲିଛି ଶୁଣାଣି । ପ୍ରଥମ ଦିନରେ ୨୦୨୫-୨୬ ବର୍ଷ ପାଇଁ ଓଏଚପିସି ଓ ଓପିଜିସିର ଶୁଣାଣି ହୋଇଛି । ବିଦ୍ୟୁତ କମ୍ପାନୀ ଗୁଡିକ ନିଜର ପକ୍ଷ, ଅଭିଯୋଗ ଦାଖଲ କରିଛନ୍ତି। ସବୁଠୁ ଲୋକଷ୍ଟ ପାୱାର ଯୋଗାଉଥିବା ଓଡିଶା ଜଳ ବିଦ୍ୟୁତ ନିଗମର ୨୦୨୫-୨୬ ପାଇଁ ୬୭୧ କୋଟି ଟଙ୍କା ଆବଶ୍ୟକ ଥିବା ଦାବି କରିଛି । ୨୦୨୪-୨୫ ରେ କମିଶନ ୟୁନିଟ ପିଛା ୯୩.୬୭ ପଇସା ଅନୁମୋଦନ କରିଥିଲେ। ଏବେ ୧ ଟଙ୍କା ୨୧ ପଇସା ପାଇଁ ଦାବି ହୋଇଛି । ଆୟୋଗଙ୍କ ନିକଟରେ ଏଭଳି ଦାବି ପରେ ଏହାକୁ ନେଇ ବର୍ଷିଛି ଉପଭୋକ୍ତା ମହାସଂଘ। ସେହି ଟଙ୍କା ଉପଭୋକ୍ତାଙ୍କ ଠାରୁ ନେବାକୁ ନିଗମ ଚାହୁଁଛି ବୋଲି ଅଭିଯୋଗ ହୋଇଛି । ବୁର୍ଲା ଚିପିଲିମାରେ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛି ଓଏଚପିସି। ଶିଳ୍ପ ସଂସ୍ଥାକୁ ପାଣି ଦେବା ପାଇଁ ଏଭଳି କରାଯାଉଥିବା ଅଭିଯୋଗ କରିଛି ମହାସଂଘ। ଏହାର ତର୍ଜମା ହେବା ଦରକାର। ବୁର୍ଲାରେ ଯଦି ଏତେ ଉତ୍ପାଦନ ନାହିଁ ତାହେଲେ ୨୦୦ କୋଟି କାହିଁକି ଖର୍ଚ୍ଚ ହେବ ବୋଲି ପ୍ରଶ୍ନ କରିଛି । ଏସବୁ ଉପରେ ସରକାର ହସ୍ତକ୍ଷେପ କରିବକୁ ଦାବି ହୋଇଛି। ଓଏଚପିସି ଆଜି ବି ଆୟୋଗଙ୍କ ନିକଟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରିନାହିଁ । ତଥ୍ୟ ଦେବା ପାଇଁ ଆୟୋଗଙ୍କ ଠାରୁ ଓପିଜିସି ସାତ ଦିନର ସମୟ ନେଇଛନ୍ତି । ବିଭିନ୍ନ ମାଧ୍ୟମରେ ଅଧିକ ଖର୍ଚ୍ଚ ଦେଖାଇ ଲୋକଙ୍କ ଠାରୁ ଲୁଟ କରିବାକୁ ଉଦ୍ୟମ ହୋଇଛି । ସରକାର ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଉପରେ ହସ୍ତକ୍ଷେପ କରିବାକୁ ଦାବି ଉଠିଛି ।

ସେପଟେ ଆଇନସମ୍ମତ ଢଙ୍ଗରେ ଦାବି ଉପସ୍ଥାପନ କରାଯାଇଥିବା ସୂଚନା ଦେଇଛନ୍ତି ଓଡିଶା ଜଳ ବିଦ୍ୟୁତ ନିଗମ ଅଧିକାରୀ। ନିଗମ ତରଫରୁ ଆୟୋଗଙ୍କ ନିକଟରେ ଆବେଦନ ଦାଖଲ ହୋଇଛି। ବିଜୁଳି ମୂଲ୍ୟ କେତେ ହେବ ଆୟୋଗ ନିଷ୍ପତ୍ତି ନେବେ। ନିଗମର ନୂଆ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି। ୨୭ ଯାଏ ଚାଲିବ ଏହି ଶୁଣାଣି ପ୍ରକ୍ରିୟା । ବିଭିନ୍ନ ଦାବି ଓ ତଥ୍ୟ ଆଧାରରେ ନିୟମ ଅନୁଯାୟୀ ନିଆଯିବ ନିଷ୍ପତ୍ତି ବୋଲି ଓଇଆରସି କହିଛନ୍ତି । ଆସନ୍ତାକାଲି ଓପିଟିସିଏଲ,ଏସଏଲଡିସି, ୧୯ ତାରିଖରେ ଗ୍ରୀଡ଼କୋ, ୨୦ ତାରିଖରେ ଟିପିଏସଓଡିଏଲ, ୨୪ ରେ ଟିପିଏନଓଡିଏଲ, ୨୫ ରେ ଟିପିସିଓଡିଏଲ, ୨୭ ରେ ଟିପିଡବ୍ଲୁଓଡିଏଲ ଓ ମାର୍ଚ୍ଚ ୧ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ। ଏହା ପରେ ମାର୍ଚ୍ଚ ୨୩ ସୁଦ୍ଧା ଫାଇନାଲ ଟାରିଫ ଅର୍ଡର ବାହାରିବ। ଏହି ଅର୍ଡର ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବୋଲି କୁହାଯାଇଛି।

ପଛକୁ ଯାଉଛି ଡବଲ ଇଞ୍ଜିନ ସରକାର: ବଜେଟକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମାଲୋଚନା

ଭୁବନେଶ୍ବର: ରାଜ୍ୟ ବଜେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟକୁ ବିରୋଧୀ ଦଳ ନେତା ନବୀନ ସମାଲୋଚନା କରିଛନ୍ତି। କହିଛନ୍ତି, ରାଜ୍ୟ ବିକାଶରେ ଫେଲ ଡବଲ ଇଞ୍ଜିନ ସରକାର। ପଛକୁ ପଛ ଯାଉଛି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରରେ ଦୁର୍ବଳ ହୋଇଛି ଅର୍ଥନୀତି। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହ୍ରାସ ପାଇଛି। ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସାଧାରଣ ଲୋକେ ଦରବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି। ବେରୋଜଗାରୀ ବୃଦ୍ଧି ପାଉଛି।
ମିଶନ ଶକ୍ତି ମହିଳାମାନେ ଦୁର୍ଦ୍ଦିନରେ ଅଛନ୍ତି। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି। ଅର୍ଥ ଖର୍ଚ୍ଚ କରିନପାରିଲେ ବଜେଟ ଅର୍ଥହୀନ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନବୀନ ପୁଣି କହିଛନ୍ତି, ଗତ ବଜେଟର ଅନେକ ଅନୁଦାନ ଏ ଯାଏଁ ଖର୍ଚ୍ଚ ହୋଇନି। ଶିଳ୍ପ ବିକାଶ ସହ ଅର୍ଥନୀତ ଖସୁଛି। ରିଭର୍ସ ଗିଅରରେ ଚାଲଛି ସରକାର। ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି। ଚାଷୀ ହଇରାଣ ହେଉଛନ୍ତି। ମିଶନ ଶକ୍ତିରେ କାମ ପାଉ ନାହାନ୍ତି। ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ। ଏହା କାର୍ଯ୍ୟକାରୀ କରିବା ଦରକାର। ଯାହା ରାଜ୍ୟର ବିକାଶରେ କାମ ଆସିବ। ଏହି ବଜେଟ ଖର୍ଚ୍ଚ ହେବା ଦରକାର। ଆମେ ଏହା ଉପରେ ନଜର ରଖିବୁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ।

ଚାମ୍ପିୟନ୍ସ ଟ୍ରଫି ୨୦୨୫: ଦୁଇଟି ଟିମର ପଏଣ୍ଟ ସମାନ ହେଲେ କିଏ ଫାଇନାଲ ଖେଳିବ?

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶୁଭାରମ୍ଭ ପାଇଁ ଆଉ କିଛି ଘଣ୍ଟା ବାକି ରହିଛି । ଆସନ୍ତା ୧୯ ତାରିଖରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଏଥର ମୋଟ ୮ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ଓ ଆଫଗାନିସ୍ତାନ ରହିଛନ୍ତି । ନିଜର ଗ୍ରୁପର ଟପ-୨ରେ ରହୁଥିବ ଟିମମାନେ ସେମିଫାଇନାଲ ଖେଳିବେ । ତେବେ ଯଦି ଦୁଇଟି ଟିମର ପଏଣ୍ଟ ସମାନ ହେବ, ତେବେ କିଏ ସେମି ଖେଳିବ ? ଯଦି ସେମିଫାଇନାଲ ମ୍ୟାଚ ରଦ୍ଦ ହୋଇଯାଏ ବା ଟାଇ ହୋଇଯାଏ, ତେବେ ଏ କ୍ଷେତ୍ରରୁ କେଉଁ ଟିମ୍ ସେମିରେ ପହଞ୍ଚିବ? ଏହି ସବୁ ପ୍ରଶ୍ନର ଉତ୍ତର ଏବେ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି ।

ଦୁଇ ଗ୍ରୁପର ସବୁ ଟିମ ନିଜ ନିଜ ଗ୍ରୁପର ଟିମଙ୍କ ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଗ୍ରୁପ ଷ୍ଟେଜରେ ଗୋଟିଏ ମ୍ୟାଚ ଜିତିଲେ ଦୁଇ ଅଙ୍କ ମିଳିବ । ମ୍ୟାଚ ଟାଇ ହେଲେ ଉଭୟ ଟିମଙ୍କୁ ୧-୧ ପଏଣ୍ଟ ଲେଖାଏଁ ମିଳିବ । ଯେଉଁ ଟିମ ଅଧିକ ମ୍ୟାଚ ଜିତିବ, ସେ ନିଜ ଗ୍ରୁପର ଟପରେ ରହିବ । ଯଦି ଦୁଇଟି ଟିମର ପଏଣ୍ଟ ସମାନ ହେବ, ତେବେ ରନ ରେଟ ଆଧାରରେ ନିଷ୍ପତ୍ତି ନିଆଯିବ । ଦୁଇରୁ ଅଧିକ ଟିମଙ୍କ ପଏଣ୍ଟସ ଯଦି ସମାନ ହୁଏ, ତେବେ ସେମାନଙ୍କ ମଧ୍ୟରେ ଗ୍ରୁପ ଷ୍ଟେଜରେ ପରସ୍ପର ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ଉପରେ ଦୃଷ୍ଟି ଦିଆଯିବ ।

ଗ୍ରୁପ-ଏ’ର ନମ୍ବର-୧ ଟିମ ସେମିରେ ଗ୍ରୁପ-୨ର ନମ୍ବର-୨ ଟିମକୁ ଭେଟିବ । ଅନ୍ୟପକ୍ଷରେ ଦ୍ବିତୀୟ ସେମିରେ ଗ୍ରୁପ-ବି’ର ନମ୍ବର-୧ ଟିମ ସହ ଗ୍ରୁପ-ଏ’ର ୨ ନମ୍ବର ଟିମର ମୁକାବିଲା ହେବ । ଯଦି ସେମି ରଦ୍ଦ ହୁଏ ତେବେ ସୁପର ଓଭର ଖେଳାଯିବ । ଯଦି ସୁପର ଓଭର ସମ୍ଭବ ହୁଏନି ବା ଅନ୍ୟ କାରଣରୁ ମ୍ୟାଚ ରଦ୍ଦ ହୁଏ, ତେବେ ଗ୍ରୁପ ଟପରେ ରହିଥିବା ଟିମ ଫାଇନାଲକୁ କ୍ବାଲିଫାଏ କରିବ । ମାର୍ଚ୍ଚ ୯ରେ ଦୁବାଇ ବା ଲାହୋରରେ ଫାଇନାଲ ଖେଳାଯିବ । ମାର୍ଚ୍ଚ ୧୦କୁ ରିଜର୍ଭ ଡେ ରଖାଯାଇଛି ।

ଟ୍ରାଫିକ ସମସ୍ୟାରୁ ଥିବାରୁ ଉଡ଼ି ଉଡ଼ି ଗଲେ ପରୀକ୍ଷା କେନ୍ଦ୍ର…

ନନ୍ଦିଘୋଷ ବ୍ୟୁରୋ: ସାଧାରରତଃ ଯାତାୟତ କରିବେ ସମୟରେ ଆମେ ସମସ୍ତେ ଟ୍ରାଫିକ ସମସ୍ୟାକୁ ସାମ୍ନା କରିଥାଉ ।କିଛି ଗୁରୁତ୍ବ ପୂର୍ଣ୍ଣ କାମକୁ ଗଲା ବେଳେ ଯଦି ଟ୍ରାଫିକ ଜାମ ରେ ଫସିଯାଆନ୍ତି ସେତେବେଳେ ବହୁତ ବିରକ୍ତ ଲାଗେ । ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ  କରନ୍ତି । କିନ୍ତୁ ଏବେ ସାମ୍ନାକୁ ଆସିଛି ଏଭଳି ଏକ ଚିତ୍ର ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପରୀକ୍ଷା କେନ୍ଦ୍ରରେ ଠିକ ସମୟରେ ପହଞ୍ଚିବା ପାଇଁ ଜଣେ ଯୁବକ ପାରାଗ୍ଲାଇଡିଂକରି ଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଘଟଣାଟି ଏମିତି ହେଲା ଯେ ମହାରାଷ୍ଟ୍ରର ସତାରାର ପସାରାନି ଗାଁର ଛାତ୍ର ସମର୍ଥ ମହାଙ୍ଗଡେ,  ପରୀକ୍ଷା ଦେବା ପାଇଁ କଲେଜ ଯିବାକୁ ଥିଲା। କିନ୍ତୁ, ପସାରାଣୀ ଘାଟରେ ଟ୍ରାଫିକ୍ ଜାମ୍ ଥିଲା ଏବଂ ପରୀକ୍ଷା ଆରମ୍ଭ ହେବାକୁ ମାତ୍ର ୩୦ ମିନିଟ୍ ବାକି ଥିଲା। ଏପରି ପରିସ୍ଥିତିରେ, ରାସ୍ତାରେ ଟ୍ରାଫିକ୍ ଜାମ୍ ଯୋଗୁଁ, ତାଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ସମ୍ଭବ ହୋଇନଥିଲା। ଏହି ସମୟ ମଧ୍ୟରେ, ଦୁଃସାହସିକ କ୍ରୀଡ଼ା ବିଶେଷଜ୍ଞ ଗୋବିନ୍ଦ ୟେୱାଲେଙ୍କ ସାହାଯ୍ୟ ପ୍ରଭାବଶାଳୀ ପ୍ରମାଣିତ ହେଲା। ସେ ପାରାଗ୍ଲାଇଡିଂ ସାହାଯ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିଷ୍ପତ୍ତି ନେଲେ।

ପ୍ରଥମେ ସମର୍ଥ ପାରାଗ୍ଲାଇଡିଂ ଯିବାକୁ ବହୁତ ଭୟ କରୁଥିଲେ। କିନ୍ତୁ ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ସେ ନିଜକୁ ମାନସିକ ଭାବରେ ପ୍ରସ୍ତୁତ କଲେ। ଫଳସ୍ୱରୂପ, ଗୋବିନ୍ଦ ୟେୱାଲେ, ତାଲିମପ୍ରାପ୍ତ ପାରାଗ୍ଲାଇଡରମାନଙ୍କ ସହାୟତାରେ, ସମର୍ଥଙ୍କୁ କଲେଜ ପାଖରେ ପହଞ୍ଚିଗଲେ ।ସମର୍ଥଙ୍କ ବନ୍ଧୁମାନେ ପୋଷାକ ଏବଂ ବ୍ୟାଗ ଆଣିଥିଲେ, ଯାହା ଫଳରେ ସମର୍ଥ ପାଞ୍ଚ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଗଲେ। ଏହା ଉପରେ ସମର୍ଥ ଗୋବିନ୍ଦ ୟେୱାଲେଙ୍କୁ ଧନ୍ୟବାଦ ଜଣାଇଲେ ଏବଂ କହିଲେ ଯେ ତାଙ୍କ ଯୋଗୁଁ ହିଁ ମୁଁ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିଲି। ସମର୍ଥ ମହାନାଗଡେ ପାରାଗ୍ଲାଇଡିଂ ପରେ ପରୀକ୍ଷା ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଭିଡିଓରେ, ସମର୍ଥ ତାଲିମପ୍ରାପ୍ତ ପାରାଗ୍ଲାଇଡର୍ସଙ୍କ ସହିତ ଆକାଶରେ ଉଡ଼ୁଥିବାର ଦେଖାଯାଉଛି।

ଫେବୃଆରୀ ୧୯ରେ ଆପଲ ଲଞ୍ଚ କରିବ ସବୁଠାରୁ ଶସ୍ତା ଆଇଫୋନ୍!

ଚଳିତ ସପ୍ତାହରେ ଆପଲ ଏକ ବଡ଼ ଘୋଷଣା କରିବାକୁ ଯାଉଛି । କମ୍ପାନୀ ଏଣ୍ଟ୍ରି ଲେବଲର iPhone SE 4 ଲଞ୍ଚ କରିପାରେ । ଫେବୃଆରୀ ୧୯ରେ ଏହି ଲଞ୍ଚିଂ ହେବ । ଆପଲ ସିଇଓ ଟିମ କୁକ ଗତ ସପ୍ତାହରେ ଏକ୍ସ ପ୍ଲାଟଫର୍ମରେ ଟିଜର ପୋଷ୍ଟ କରିଥିଲେ । ଆପଲ ଖୁବଶୀଘ୍ର ନୂଆ ପ୍ରଡକ୍ଟ ଲଞ୍ଚ କରୁଛି ବୋଲି ଉକ୍ତ ପୋଷ୍ଟରୁ ସଙ୍କେତ ମିଳିଥିଲା । ଉକ୍ତ ପୋଷ୍ଟରେ କୁକ କହିଥିଲେ, ଫ୍ୟାମିଲି ମେମ୍ବରଙ୍କ ସହ ସାକ୍ଷାତ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ । ଏଥିସହିତ କୁକ୍ #AppleLaunchର ମଧ୍ୟ ବ୍ୟବହାର କରିଥିଲେ ।

କମ୍ପାନୀ ଲଞ୍ଚିଂର ତାରିଖ ଶେୟାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଡିଭାଇସର ନାମ କହିନାହିଁ । ତେଣୁ କମ୍ପାନୀ iPhone SE 4 ଲଞ୍ଚ କରିବ ବୋଲି କିଛି ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି । କୁକଙ୍କ ଦ୍ବାରା ଜାରି ଟିଜରରେ ଏକ ୭ ସେକେଣ୍ଡର ଭିଡିଓ ଜାରି କରାଯାଇଥିଲା । ସେଥିରେ ସିଲଭର କଲରର ଆପଲ ଲୋଗା ରହିଥିଲା । ତାହା ଆପଲ iPad ଆଡ଼କୁ ସଙ୍କେତ ଦେଇଥିଲା । iPhone SEକୁ ସର୍ବପ୍ରଥେମ ୨୦୧୬ରେ ଲଞ୍ଚ କରାଯାଇଥିଲା । ତା’ପରେ କମ୍ପାନୀ iPhone SE 2 ଓ iPhone SE 3କୁ ଲଞ୍ଚ କରିଥିଲା । iPhone SE 4 ଫେବୃଆରୀ ୨୮ରୁ ଆରମ୍ଭ ହୋଇପାରେ ବୋଲି ପୁରୁଣା ରିପୋର୍ଟରେ କୁହାଯାଇଥିଲା ।

ଏହା ଏକ କମ୍ପ୍ଲେକ୍ଟ ଫୋନ ହେବ । iPhone 4ରେ ୬.୧ ଇଞ୍ଚର ଡିସପ୍ଲେ ମିଳିବ, ଯାହାକି iPhone 14 ପରି ହୋଇପାରେ । ଏଥିରେ ଫେସ ଅନଲକ ମିଳିବ । ଏହି ଫୋନରେ A18 ଚିପେସଟର ବ୍ୟବହାର ହୋଇପାରେ । Apple iPhone SE 4ର ଦାମକୁ ନେଇ କୌଣସି ସୂଚନା ଦିଆଯାଇନାହିଁ । ମାତ୍ର ଏହା ଏକ ଆଫର୍ଡେବଲ ହ୍ୟାଣ୍ଡସେଟ ହେବ ବୋଲି କୁହାଯାଇଛି । ଏହାର ଦାମ ୪୦-୫୦ ହଜାର ହୋଇପାରେ ।

କଖାରୁ ଶାଗ ଖାଇଲେ ଦୂର ହେବ ଏହିସବୁ ମାରାତ୍ମକ ରୋଗ..

ନନ୍ଦିଘୋଷ ବ୍ୟୁରୋ: କଖାରୁରେ ପ୍ରସ୍ତୁତ ତରକାରୀ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନିଶ୍ଚୟ ଖାଇଥିବେ । ମାତ୍ର କଖାରୁ ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ହୁଏତ ସଭିଏଁ ଜାଣିନଥିବେ । କଖାରୁୁ ପତ୍ରରେ ଭରପୁର ମାତ୍ରାରେ ଭିଟାମିନ୍‌ ରହିଛି ।କଖାରୁ ଶାଗ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ । ଚକ୍ଷୁ ସୁସ୍ଥ ସହ ଦୃଷ୍ଟି ଶକ୍ତି ମଜଭୁତ ହୋଇଥାଏ । ମଧୁମେହ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।ହାଡ ଜନିତ ସମସ୍ୟା ଥିଲେ, ଏହାର ପତ୍ରକୁ ଜୁସ୍‌ କରି ସକାଳେ ଖାଲି ପେଟରେ ଏକ ଗ୍ଲାସ ଓ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।
ଓଜନ ବୃଦ୍ଧି ପାଇଁ ଚିନ୍ତିତ ଥିଲେ, ତେବେ ନିୟମିତ ଏହାର ଶାଗ ଖାଆନ୍ତୁ । ଏହି ଶାଗ ତ୍ୱଚା ଚମକୁ ବୃଦ୍ଧି କରିବା ସହ ଏଥିରେ ପ୍ରୁଚର ମାତ୍ରାରେ ଆଇରନ ରହିଛି । ଯାହା ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ । ପ୍ରୋଟିନ୍‌ରେ ଭରପୁର ଏହି ଶାଗ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନେ ନିୟମିତ ଏହାକୁ ସେବନ କଲେ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ ।ଏହି ଶାଗରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ଥିବାରୁ ଶରୀର କ୍ଷତ ଶୀଘ୍ର ପୂରଣ କରିଥାଏ ।ଗର୍ଭବତୀ ମହିଳାଙ୍କ ପାଇଁ ଏହି ଶାଗ ଖୁବ୍‌ ଉପକାରୀ । ଏହା ଶିଶୁର ମାନସିକ ବିକାଶ କରିଥାଏ । ଏହାସହ ରସୁଣ ଓ କଳା ଜିରା ସହ ଏହି ଶାଗ ପ୍ରସ୍ତୁତ କରି ସେବନ କଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।

ରାଜ୍ୟ ବଜେଟ୍, କେଉଁ ବିଭାଗ ପାଇଁ କେତେ କୋଟିର ବ୍ୟୟ ବରାଦ…

ବିଧାନସଭାରେ ଆଜି ରାଜ୍ୟ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥର ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍ ଉପସ୍ଥାପନା କରାଯାଉଛି ।କୃଷି , ଶିକ୍ଷା, ଗମନାଗମନ, କ୍ରିଡ଼ା, ସ୍ବାସ୍ଥ୍ୟ, ଜଳସେଚନ ଏସବୁକୁ ନଜରରେ ରଖି ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷ ବେଜଟ ଉପସ୍ଥାପନା ।

କୃଷି- ୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟରେ କୃଷିକୁ ଦିଆଯାଇଛି ଗୁରୁତ୍ବ ।କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ଏଥର ବଜେଟରେ କୃଷି ପାଇଁ ୧୪ ହଜାର ୮୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସିଏମ କିଷାନ ଯୋଜନା ପାଇଁ ୨ ହଜାର ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶ୍ରୀଅନ୍ନ ଅଭିଯାନ ଅର୍ନ୍ତଗତ ୬ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶସ୍ୟ ବିବିଧତା କାର୍ଯ୍ୟକ୍ରମ ପାଇଁ ୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଶିକ୍ଷା –ସମଗ୍ର ଶିକ୍ଷା ପାଇଁ ୪ ହଜାର ୬୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଐତିହ୍ୟ ବିଦ୍ୟାଳୟ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସ୍ୱାସ୍ଥ୍ୟ –ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬,୨୪୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କ୍ର୍ରୀଡା –କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ରୃଷ୍ଟ କ୍ରୀଡାବିତଙ୍କୁ ସହାୟତା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କ୍ରୀଡା ପ୍ର୍ରତିଯୋଗିତା ଆୟୋଜନ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜଳସେଚନ: ପାର୍ବତଗିରି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ୧୩ ଶହ ୧୮୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜଳକ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଜଳ ଯୋଗାଇ ଦିଆଯିବ । କେବଳ ୨୦୨୫-୨୬ରେ ୨ ଲକ୍ଷ ୭୭ ହଜାର ହେକ୍ଟର କମିକୁ ଜଳସେଚନ ଯୋଗାଯିବ ।

ପଶୁପାଳନ- ବଜେଟ୍ ଉପସ୍ଥାପନରେ ମତ୍ସ୍ୟ, ପଶୁପାଳନକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଇଁ ବଜେଟରେ ୧୯୦୯ କୋଟି ଟଙ୍କା ବୟବରାଦ କରିଛନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଖର୍ଚ୍ଚ ହେବ ।ସେହିପରି ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି ।

ପରିବହନ – ପିଏମ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୧୭ ଶହ କୋଟି ଟଙ୍କା ରହିଛି । ରେଳ ପ୍ରକଳ୍ପ ଉନ୍ନନୀକରଣ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୪୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ଏଥର ବେଜଟରେ ନୂଆ କରି ଯୋଡ଼ି ହୋଇଛି ଶ୍ରୀ ଜଗନ୍ନାଥ ଯୋଜନା । ଏହି ଯୋଜନା ରେ ସଦର ମହକୁମାରୁ ମାଗଣାରେ ବସରେ ଆସିବେ ଶ୍ରଦ୍ଧାଳୁ । ମାଗଣାରେ ବସରେ ବସି ଦର୍ଶନ କରି ଅବଢା ଖାଇବେ ।