spot_img
Home Blog Page 1043

ରୋମାଞ୍ଚକର ମୋଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା: ୪୮ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ନାମ ଶର୍ଟଲିଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଏହା ମଧ୍ୟରେ ୧୧ ଦିନ ବିତିସାରିଲାଣି । ଦୀର୍ଘ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ ଏଥର ମୁଖ୍ୟମନ୍ତ୍ରୀ ଦୌଡ଼କୁ ନେଇ ରୋମାଞ୍ଚ ଦେଖିବାକୁ ମିଳିଛି । ଆଜି ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ବୈଠକ ପରେ ମୁଖ୍ୟମନ୍ତ୍ରୀ ନାମ ଉପରୁ ସସପେନ୍ସ ହଟିଯିବ । ସିଏମ ପଦ ପାଇଁ ୫ ଜଣ ବିଧାୟକଙ୍କ ନାମ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି । ତେଣୁ ଏହି ଲିଷ୍ଟରେ କେଉଁମାନଙ୍କ ନାମ ରହିଛି ତାହା ଜାଣିବାକୁ ଉତ୍ସୁକତା ପ୍ରକାଶ ପାଇଛି ।

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ଶାସନ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀର ମଙ୍ଗ କିଏ ଧରିବ ତାହାକୁ ନେଇ ରାଜେନୖତିକ ମହଲରେ ଚଞ୍ଚଳତା ପ୍ରକାଶ ପାଇଛି । ଡଜନ ଡଜନ ନେତା ସିଏମ ରେସରେ ରହିଥିବା ବେଳେ କିଛି ବଛା ବଛା ନାମକୁ ଫାଇନାଲ ପର୍ଯ୍ୟାୟକୁ ନିଆଯାଇଛି । ତେଣୁ କାହା ମୁଣ୍ଡରେ ହାତୀ ଏଥର ସୁନା କଳସ ଢାଳିବା ତାହାକୁ କେବଳ ଅପେକ୍ଷା ।  ଦଳର ୪୮ ଜଣ ବିଧାୟକଙ୍କ ମଧ୍ୟରୁ ୧୫ ବିଧାୟକଙ୍କ ନାମ ବଛା ଯାଇଥିଲା । ସେହି ୧୫ ବିଧାୟକଙ୍କ ମଧ୍ୟରୁ ପୁଣି ୫ ଜଣ ବିଧାୟକଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିବା କୁହାଯାଉଛି । ଏହି ୫ ଜଣଙ୍କ ମଧ୍ୟରୁ ଦଳ ଜଣଙ୍କୁ ସିଏମ ଗାଦିରେ ବସାଇବ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେଇ ସଭିଙ୍କୁ ଚମକାଇ ଦେଇଥାନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଯେଉଁ ୫ ଜଣ ରହିଛନ୍ତି ସେମାନେ ହେଉଛନ୍ତି ଆଶୀଷ ସୁଦ, ଅଜୟ ମହାବର, ରବିନ୍ଦ୍ର ଇନ୍ଦ୍ରରାଜ, ଅନିଲ ଗୋୟଲ, ରାଜକୁମାର ଭାଟିୟା । ଏଥିସହିତ ଦିଲ୍ଲୀର କିଛି ସାଂସଦଙ୍କ ନାମ ମଧ୍ୟ ରେସରେ ରହିଛି । ତେଣୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।

ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍: ଜାଲ୍ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍ । ନିଯୁକ୍ତି ସ୍କାମ୍ ଅଭିଯୋଗରେ ଚଢ଼ାଉ । ଜାଲ୍ କାଗଜପତ୍ରରେ ନିଯୁକ୍ତି ପାଇଥିବା ଅଭିଯୋଗରେ ଚଢ଼ାଉ । ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ଼ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ CBI ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜାଣିବାକୁ ପାଇଥିଲା । ଏହି ମାମଲାରେ ଆଜି CBI ଟିମ୍ ଚଢ଼ାଉ କରିଛି । ଭୁବନେଶ୍ବର ଚଢ଼ାଉରେ ସିବିଆଇ ଟିମରେ ୯ ଜଣ ସଦସ୍ୟ ସାମିଲ୍ ଅଛି ।

ରାଜ୍ୟ ସରକାର ମହିଳାମାନଙ୍କ ପ୍ରତି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟସ୍ତ ହୋଇଛି। ରାଜ୍ୟରେ ମିଶନ ଶକ୍ତି ମହିଳାଙ୍କ ପ୍ରତି ଅବିଚାର କରୁଛି ଶାସକ ବିଜେପି । ଗୃହରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ଓ ମିଶନ ଶକ୍ତି ଇସି ପୁନ୍ନର୍ଗଠନ ଦାବି କଲା ବିଜେଡି । ଗୃହରେ ବିରୋଧୀ ବିଜେଡି ସଦସ୍ୟଙ୍କ ଗୃହରେ ନାରାବାଜି । ବିଧାନସଭାର ପ୍ରଶ୍ନକାଳରୁ ଗୃହରେ ହଟ୍ଟଗୋଳ ଓ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଗୃହରେ ହଟ୍ଟଗୋଳ ଯୋଗୁଁ ଗୃହ ଅହରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀ ନାରାବାଜି କରିଥିଲେ । ଗୃହ ମୁଲତବି ପରେ ରାଜ୍ୟ ସରକାର ମହିଳା ମାନଙ୍କ ପ୍ରତି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଏହି ଷଡ଼ଯନ୍ତ୍ରକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି । ଗୃହରେ ମହିଳାଙ୍କ ପାଇଁ ସ୍ଵର ଉଠାଇଲେ ବିରୋଧୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣିଛି ବିଜେଡି । ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ବିଜେଡି ସଦସ୍ୟମାନେ ଧାରଣା ଦେଇଛନ୍ତି । ହାତରେ ପ୍ଲା କାର୍ଡ ଧରି ଶାସକ ଦଳ ବିଜେପି ବିରୋଧରେ ନାରାବାଜି କରୁଛନ୍ତି ।

ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା: ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଏକା ସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। ଏଥର ପରୀକ୍ଷା ପାଇଁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ। ଏବେ ନୂତନ ପରୀକ୍ଷା ଢାଞ୍ଚାରେ କ୍ୟାମେରା ବ୍ୟବସ୍ଥା ହୋଇଛି । ଯାହା ଫଳରେ ସ୍ଵଛତାର ସହ ପରୀକ୍ଷା ହେବ। ହବ୍ ବ୍ୟବସ୍ଥା ଯୋଗୁ ପ୍ରଶ୍ନପତ୍ର ଲିକର ସମ୍ଭାବନା ମଧ୍ୟ କମ ରହିଛି। ଗତକାଲିଠୁ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହୋଇଛି।

୨୦୨୬-୨୭ ଶିକ୍ଷାବର୍ଷରୁ CBSE ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ହେବ: ଖୁବଶୀଘ୍ର ଜାରି ହେବ ଡ୍ରାଫ୍ଟ

ଶିକ୍ଷାବର୍ଷ ୨୦୨୬-୨୭ରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଆୟୋଜନ କରାଯିବ । ଏହାର ଡ୍ରାଫ୍ଟ ଖୁବଶୀଘ୍ର ଜାରି କରାଯିବ । ଖୁବଶୀଘ୍ର ଏହାର ଡ୍ରାଫ୍ଟ ଜାରି କରାଯିବ ଓ ସେନେଇ ଲୋକଙ୍କ ଠାରୁ ପ୍ରସ୍ତାବ ମଗାଯିବ । ସେହିପରି ସିବିଏସଇ ବୈଶ୍ବିକ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଗ୍ଲୋବାଲ ସ୍କୁଲମାନଙ୍କର ଅଧିକାରୀ ଓ ପ୍ରତିନିଧିମାନେ ସାମିଲ ଥିଲେ । ନୂଆ ପାଠ୍ୟକ୍ରମକୁ ବିକଶିତ କରିବା ଓ ଲାଗୁ କରିବା ପାଇଁ ଆବଶ୍ୟକ ଯୋଜନା ଓ ପଦକ୍ଷେକ୍ଷ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

ଏହା ପୂର୍ବରୁ ଫେବୃଆରୀ ୧୮ରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ, ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଆୟୋଜିତ କରାଯିବାର ଯୋଜନା ବାବଦରେ ଖୁବଶୀଘ୍ର ଜନସାଧାରଣଙ୍କୁ ଅବଗତ କରାଯିବ । ଚାପମୁକ୍ତ ରହିବାର ପରିବେଶ ସୃଷ୍ଟି ଉପରେ ସରକାର ଜୋର ଦେଉଛନ୍ତି ଓ ପରୀକ୍ଷା ସୁଧାର କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ । ବର୍ଷକୁ ଦୁଇଥର ସିବିଏସଇ ପରୀକ୍ଷା ଆୟୋଜିତ କରିବା ନେଇ ନେଇ ସ୍କୁଲ ସଚିବ, ସିବିଏସଇ ଅଧ୍ୟକ୍ଷ, ମନ୍ତ୍ରଣାଳୟ ଓ ସିବିଏସଇର ଅନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ବିଚାର ବିମର୍ଶ କରାଯାଇଛି । ସିବିଏସଇ ୧୦ମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୪ରେ ସମାପ୍ତ ହେବ ।

ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ: ଆଇସିୟୁରେ ଚିକିତ୍ସାଧୀନ

ଭୁବନେଶ୍ବର: ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଚାଲିଛି ଚିକିତ୍ସା । ଓଡିଆ ସିନେମାର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ସୋହମ ସିଂଙ୍କୁ ମଣିପାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି । ସୋହମଙ୍କ ସିନେମା ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ଖୁବ ଲୋକପ୍ରିୟତା ପାଇଥିଲା । ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଅଲ୍ଲୀ ବଜରଙ୍ଗ ୱାଲି । ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି । ସେ ଖୁବଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥିପାଇଁ ଓଲିଉଡ଼ର ବହୁ କଳାକାର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି ।

କାର୍ଯ୍ୟଭାର ଗ୍ରହଣ କଲେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଆଇନ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ଗେଜେଟ ନୋଟିଫିକେସନ ଜାରି କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନେଶ କୁମାରଙ୍କୁ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଓ ହରିୟାଣାର ମୁଖ୍ୟ ସଚିବ ଡ. ବିବେକ ଜୋଶୀଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା । ଭାରତର ୨୬ତମ CEC ଭାବେ ଜ୍ଞାନେଶ ପଦ ସମ୍ଭାଳିଛନ୍ତି ।

ନିଜର ଅବଧି ମଧ୍ୟରେ ଜ୍ଞାନେଶ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଓ ୨୦୨୬ରେ କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଦାୟିତ୍ବ ତୁଲାଇବେ । ସେହିପରି ୨୦୨୬ରେ ହେବାକୁ ଥିବା ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟ ସେ ତୁଲାଇବେ । କାର୍ଯ୍ୟଭାର ସମ୍ଭାଳିବା ପରେ ଜ୍ଞାନେଶ ନବନିଯୁକ୍ତ CEC କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରଥମ ସିଡ଼ି ହେଉଛି ମତଦାନ । ଏଥିପାଇଁ   ୧୮ ବର୍ଷ ପୂରଣ କରିସାରିଥିବା ଭାରତର ପ୍ରତ୍ୟେକ ନାଗରିକ ସର୍ବଦା ମତଦାନ କରିବା ଉଚିତ । ଭାରତର ସମ୍ବିଧାନ, ନିର୍ବାଚନୀ ଆଇନ, ନିୟମ ଓ ସେଥିରେ ରହିଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ସହିତ ସର୍ବଦା ରହିବେ ।

SBI ଆଣିଲା ଖାସ ଅଫର: ମାସକୁ ମାତ୍ର ୨୫୦ ଟଙ୍କା ନିବେଶ କରନ୍ତୁ, ମିଳିବ ୧୭ ଲକ୍ଷ ଟଙ୍କା

ଆଜିକାଲିର ଦୁନିଆରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ବଜାରରେ ବିଭିନ୍ନ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ସେଥିମଧ୍ୟରୁ ଏସବିଆଇର ଏକ ଖାସ୍ SIP ସ୍କିମ ରହିଛି । ଏଥିରେ ଆପଣମାନେ ମାସକୁ ମାତ୍ର ୨୫୦ ଟଙ୍କା ନିବେଶ କରି ୧୭ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ଏସବିଆଇର ଜନନିବେଶ ଏସଆଇପିରେ ଆପଣମାନେ ନିବେଶ କରି ବହୁତ ଫାଇଦା ପାଇ ପାରିବେ । ଏସବିଆଇ ମ୍ୟୁଚୁଆଲ ଫଣ୍ଡ ଓ ଏସବିଆଇ ମିଳିତ ଭାବେ ଜନନିବେଶ ଏସଆଇପି ସ୍କିମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ନିବେଶ କରୁଥିବା ଲୋକଙ୍କୁ, ଗ୍ରାମୀଣ, ଅର୍ଦ୍ଧ-ସହରୀ, ସହରୀ କ୍ଷେତ୍ରରେ ରହୁଥିବା କ୍ଷୁଦ୍ର ସଞ୍ଚୟକାରୀଙ୍କୁ ମ୍ୟୁଚୁଆଲ ଫଣ୍ଡରେ ଭାଗନେବା ନେଇ ସଶକ୍ତ କରିବା ପାଇଁ ଏହା ଲଞ୍ଚ କରାଯାଇଛି । ୨୫୦ ଟଙ୍କାରୁ ଏଥିରେ ନିବେଶ ଆରମ୍ଭ କରିପାରିବେ । ଦୈନିକ, ସାପ୍ତାହିକ ଓ ମାସିକ ନିବେଶର ବିକଳ୍ପ ରହିଛି ।

ତେବେ ମାତ୍ର ୨୫୦ ଟଙ୍କା ନିବେଶ କରି ଏତେବଡ଼ ଆମାଉଣ୍ଟ କିପରି ସଞ୍ଚୟ କରିବେ, ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ଆପଣ ୧୨-୧୬ ପ୍ରତିଶତ ରିଟର୍ଣ୍ଣ ହିସାବରେ ଯଦି ୩୦ ବର୍ଷ ପର୍ଯ୍ୟନ୍ତ ଏହାକୁ ଜାରି ରଖନ୍ତି, ତେବେ ୧୭ ଲକ୍ଷରୁ ଅଧିକ ଅର୍ଥ ସଂଗ୍ରହ କରିପାରିବେ । ଏଥିରେ ଆପଣ ମୋଟ ୯୦ ହଜାର ଜମା କରିବେ ଓ ୧୫ ପ୍ରତିଶତ ରିଟର୍ଣ୍ଣ ହିସାବରେ ୧୬,୬୨,୪୫୫ ଟଙ୍କା ପାଇବେ । ଯଦି ଏହି ଅବଧିକୁ ଆପଣ ୪୦ ବର୍ଷ କରିଦେବେ, ତେବେ ୭୮ ଲକ୍ଷ ଟଙ୍କା ପାଇବେ । ନିବେଶ କରିବା ପୂବର୍ରୁ ପ୍ରଥମେ ଏସଆଇପିର କାଲକୁଲେସନକୁ ଭଲ ଭାବେ ବୁଝିବାକୁ ପଡ଼ିବ ।

ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ଆଜି: ପ୍ରଥମ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଆଜିଠାରୁ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୀର୍ଘଦିନ ହେଲା ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରତୀକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିବାକୁ ଯାଉଛି । ଗତ ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଆସନ୍ତା ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ଉକ୍ତ ମ୍ୟାଚ ଦେଖିବାକୁ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି । ଏହି ମ୍ୟାଚର ବଡ଼ ଝଲକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିବ ।

ଏଥର ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଟିମ ମଧ୍ୟରେ ୧୫ଟି ମୁକାବିଲା ଦେଖିବାକୁ ମିଳିବ । ୪ଟି ଲେଖାଏଁ ଟିମ୍ ଦୁଇଟି ଗ୍ରୁପରେ ରହିଛନ୍ତି । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛନ୍ତି । ୮ଟି ଟିମ ନିଜ ନିଜ ଗ୍ରୁପରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଗ୍ରୁପର ଟପ-୨ ଟିମ୍ ସେମିଫାଇନାଲ ପାଇଁ କ୍ବାଲିଫାଏ କରିବେ । ପ୍ରଥମ ସେମି ଦୁବାଇରେ ଓ ଦ୍ବିତୀୟ ସେମି ଲଢ଼େଇ ଲାହୋରରେ ହେବ । ଏହାପରେ ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲକୁ ଉନ୍ନୀତ ହେଉଥିବା ଟିମମାନେ ୫ଟି ମ୍ୟାଚ ଖେଳିବେ । ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ସେଥିରୁ ୩ଟି ଭେନ୍ୟୁ ପାକିସ୍ତାନରେ ଗୋଟିଏ ଦୁବାଇରେ ରହିବ ।

CEC ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି: ନିଯୁକ୍ତି ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଚୟନ ସମିତିରେ ପ୍ରଧାନ ବିଚାରପତିଙ୍କୁ ସାମିଲ ନକରିବା ମାମଲାରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍‌ସ ଦ୍ବାରା ରୁଜୁ ହୋଇଥିବା ମାମଲାରେ ବିଚାର କରିବେ ଖଣ୍ଡପୀଠ। ଏଡିଆର ଆବେଦନରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ଅଧିନିୟମ, ୨୦୨୩ର ଧାରା-୭ ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି । ଏହି ଅଧିନିୟମ ଆଧାରରେ ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାହାର କରାଯାଇଛି । ଏହାକୁ ନେଇ ଦାୟର ହୋଉଥିବା ମାମଲାର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ଏଥିରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବି. ଆର. ଗଓ୍ବାଇ, ଜଷ୍ଟିସ୍ ଜେ.ବି. ପାରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ସାମିଲ୍ ଅଛନ୍ତି।

ସେପଟେ ଶୁଣାଣି ର୍ପୂବରୁ ତରବରିଆ ଭାବେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ସରକାରଙ୍କ ରାତି ଅଧିଆ ନିଯୁକ୍ତି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଭାରତୀୟ ନିର୍ବାଚନ କମିଶନର ଏକ ନିରପେକ୍ଷ ଏବଂ ସାମ୍ବିଧାନିକ ସଂସ୍ଥା । ଏହାର ମୁଖ୍ୟ ଚୟନ ବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପୂରା ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ବିରୋଧୀ ଦଳ ନେତା ହିସାବରେ ସମ୍ବିଧାନର ଲକ୍ଷ୍ୟ ଓ ଭିତ୍ତିକୁ ସୁରକ୍ଷା ଦେବା ମୋର କର୍ତ୍ତବ୍ୟ । ବର୍ତ୍ତମାନର ସରକାର ସିଇସି ନିଯୁକ୍ତି ସମୟରେ ଅନେକ ଦିଗକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାରଙ୍କୁ ସରକାର ନୂଆ ସିଇସି ଭାବେ ନିଯୁକ୍ତି ଦେଇଛନ୍ତି । ନୂଆ ନିୟମ ଅନୁସାରେ ଏହି ଚୟନ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ସିଇସି ମନୋନୀତ କରୁଥିଲେ । ନୂଆ ନିୟମ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ମନ୍ତିମଣ୍ଡଳର ଜଣେ ସଦସ୍ୟଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ଏ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ ରାହୁଲ । ସେତେବେଳେ ଆଶଙ୍କା କରିଥିଲେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଦ୍ବାରା ଚୟନ ବ୍ୟକ୍ତି ହିଁ ସିଇସି ହେବେ । ଏଭଳି ସ୍ଥିତିରେ ସେ କମିଟିରେ ତାଙ୍କର ମତ ଓ ମନ୍ତବ୍ୟ କେତେ ଗୁରୁତ୍ବ ବହନ କରିବ ତାକୁ ନେଇ ସେ ସନ୍ଦେହ ପ୍ରକଟ କରିଥିଲେ ।