spot_img
Home Blog Page 1041

ଦୁଇଟି ବିମାନ ମୁହାଁମୁହିଁ ଧକ୍କା, ଦୁଇ ମୃତ

ନନ୍ଦିଘୋଷ ବ୍ୟୁରୋ :  ଆମେରିକାରେ ଗୋଟିଏ ପରେ ଗୋଟିଏ ଅନେକ ବିମାନ ଦୁର୍ଘଟଣା ଘଟିଛି। ଏବେ ଆଉ ଏକ ସମାନ ଖବର ଆସିଛି, ଯେଉଁଥିରେ ଆମେରିକାର ଆରିଜୋନା ରାଜ୍ୟର ମାରାନା ଆଞ୍ଚଳିକ ବିମାନବନ୍ଦରରେ ଦୁଇଟି ଛୋଟ ବିମାନ ମଝି ଆକାଶରେ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଏପର୍ଯ୍ୟନ୍ତ କୌଣସି ଜୀବନହାନୀର ଖବର ନାହିଁ ।  ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା ଯାହା ବହୁତ ଗୁରୁତର ଥିଲା। ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଅନୁଯାୟୀ, ବୁଧବାର ସକାଳେ ରନୱେ ୧୨ରେ ଏକ ସେସ୍ନା ୧୭୨ଏସ୍ ଏବଂ ଏକ ଲ୍ୟାଙ୍କେୟର ୩୬୦ ଏମକେ II କ୍ରସ୍ ପବନରେ ଧକ୍କା ହୋଇଥିଲା।

NTSB ଏକ୍ସ ମାଧ୍ୟମରେ କହିଛି, ଧକ୍କା ହୋଇଥିବା ବିମାନଗୁଡ଼ିକୁ ସେସ୍ନା ୧୭୨ଏସ୍ ଏବଂ ଲ୍ୟାଙ୍କେୟର ୩୬୦ ଏମକେ II ଭାବରେ ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାର ତଦନ୍ତ କରୁଥିବା NTSB କହିଛି ଯେ ଏହି ଭୟଙ୍କର ଦୁର୍ଘଟଣା କିପରି ଘଟିଲା? ରନୱେ ୧୨ରେ ପବନର ବିପରୀତ ଦିଗରେ ବିମାନଗୁଡ଼ିକ ଧକ୍କା ହୋଇଥିଲା, ଯାହା ଫଳରେ ବିମାନ ଦୁର୍ଘଟଣା ଘଟିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ସେସ୍ନା ବିମାନଟି କୌଣସି ଅଘଟଣ ବିନା ଅବତରଣ କରିଥିଲା ​​ଯେତେବେଳେ ଲ୍ୟାଙ୍କେୟର ବିମାନଟି ରନୱେ ୩ ନିକଟରେ ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ଆମେରିକାର ଆରିଜୋନାରେ ଘଟିଥିବା ବିମାନ ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଦୁଇଟି ଛୋଟ ବିମାନ ଆକାଶରେ ଜୋରଦାର ଧକ୍କା ହୋଇଥିଲା। ଏହା ପରେ ଏକ ବିମାନରେ ନିଆଁ ଲାଗିଗଲା, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଜଣଙ୍କ ଜୀବନ ଗଲା।

ମହାକୁମ୍ଭ ଯାଉଥିବା ଡବଲ୍ ଡେକର ବସ୍ ଦୁର୍ଘଟଣା, ୬ମୃତ ୪୦ ଆହତ

ଲକ୍ଷ୍ନୌ :  ଉତ୍ତର ପ୍ରଦେଶର ଜୌନପୁରୀରେ ମର୍ମନ୍ତୁଦ ଦୁର୍ଘଟଣା । ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଏକ ଡବଲ୍ ଡେକର ବସ୍ ଦୁର୍ଘଟଣାର ଶିକାର ହୋଇଥିଲା । ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ତୀର୍ଥଯାତ୍ରୀ ବସ୍ ଚାଉଳ ବୋଝେଇ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଜୌନପୁରର ବାଦଲପୁର ଥାନା ଅଞ୍ଚଳର ସାରୋଖାନପୁରରେ ଘଟିଛି। ଧକ୍କା ଏତେ ଜୋରଦାର ଥିଲା ଯେ ବସ୍‌ର ଆଗପଟ ପୁରା ଚୁରମାର ହୋଇଯାଇଛି ।  ଆହତମାନଙ୍କ ଚିକିତ୍ସା ଲାଗି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଦିଲ୍ଲୀର କାରୋଲବାଗରୁ ଆସୁଥିଲା। ଏହି ସମସ୍ତ ଶ୍ରଦ୍ଧାଳୁ ୧୫ ଫେବୃଆରୀରେ ଦିଲ୍ଲୀରୁ କୁମ୍ଭ ଯାତ୍ରା ପାଇଁ ବାହାରିଥିଲେ ।  ସେମାନେ ୨୧ ଫେବୃଆରୀରେ ଫେରିବାର ଥିଲା।

ଚାମ୍ପିଅନ୍ସ ଟ୍ରଫିରେ ଆଜିଠାରୁ ଭାରତର ଅଭିଯାନ, ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ। ଅପରାହ୍ନ ଦୁଇଟା ୩୦ରୁ ଆରମ୍ଭ ହେବ ମ୍ୟାଚ । ଗୃପ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଅଛନ୍ତି । ରୋହିତ ଶର୍ମାଙ୍କ ନୃତ୍ବରେ ଆଜି ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଅନ୍ୟ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି । ଯଶପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ଶାମି ବୋଲିଂ ଭାର ସମ୍ଭାଳିବେ । ଗତକାଲି ଚାମ୍ପିଅନ ଟ୍ରଫିର ପ୍ରଥମ ମ୍ୟାଚ ପାକିସ୍ତାନର କରାଚୀରେ ଖେଳାଯାଇଥିଲା । ଏଥିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ ।  ବୁଧବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଶକ୍ତି ପ୍ରଦର୍ଶନ କରି ଆୟୋଜକ ପାକିସ୍ତାନକୁ ଚିତ୍‌ପଟାଙ୍ଗ୍‌ କରିଛି । ୩୨୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୪୭.୨ ଓଭରରେ ଅଲ୍ଆଉଟ ହୋଇଛନ୍ତି । ପାକିସ୍ତାନ ଦଳ ୨୬୦ ରନ୍‌ ସଂଗ୍ରହ କରିବା ସହିତ ଏହି ମ୍ୟାଚ୍‌ରେ ୬୦ ରନ୍‌ରେ ପରାଜୟ ସ୍ବୀକାର କରିଛି  ।

ଶ୍ରୀମନ୍ଦିର ଭିତର ବେଢ଼ା ଓ ଗର୍ଭଗୃହ ଭିଜୁଆଲ ଭାଇରାଲ ପ୍ରସଙ୍ଗ, ଇନଷ୍ଟା ଆକାଉଣ୍ଟ ଚଲାଉଥିବା ବ୍ୟକ୍ତି ଥାନାରେ ହାଜର

ପୁରୀ : ଶ୍ରୀମନ୍ଦିର ଭିତର ବେଢ଼ା ଓ ଗର୍ଭଗୃହ ଭିଜୁଆଲ ଭାଇରାଲ ପ୍ରସଙ୍ଗ । ସିଂହଦ୍ୱାର ଥାନାରେ ହାଜର ହେଲେ ବାଙ୍କେ ବିହାରୀ ଅନନ୍ତ ନାମରେ ଇନଷ୍ଟା ଆକାଉଣ୍ଟ ଚଲାଉଥିବା ବ୍ୟକ୍ତି । ଇନଷ୍ଟା ଆକାଉଣ୍ଟଧାରୀ ଅନନ୍ତ ଗୋସ୍ୱାମୀ ପୋଲିସ ନିକଟରେ ହାଜର ହୋଇଛନ୍ତି । ଗତ ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ା, ଗର୍ଭଗୃହରେ ବିରାଜିତ ଶ୍ରୀଜିଉ ଓ ପାଟ ଅଗଣା ଭିଜୁଆଲ ଭାଇରାଲ ହୋଇଥିଲା । ବାଙ୍କେବିହାରୀ ଅନନ୍ତ ନାମକ ଇନ୍ନଷ୍ଟା ଆକାଉଣ୍ଟରେ ଫଟୋ ଓ ଭିଜୁଆଲ ଅପଲୋଡ଼ ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ପତିତପାବନଙ୍କ ସମ୍ମୁଖରେ ଛିଡ଼ା ହୋଇ ନିଜର ଫଟୋ ମଧ୍ୟ ଉଠାଇଥିଲେ। ଖବର ପ୍ରସାରଣର କିଛି ସମୟରେ ଏହାକୁ ନିଜ ସୋସିଆଲ ଆକାଉଣ୍ଟରୁ ଡିଲିଟ ମଧ୍ୟ କରିଥିଲେ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପୋଲିସକୁ ଅବଗତ କରାଯାଇଥିଲା । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଦେବା ପରେ ସେ ହାଜର ହୋଇଛନ୍ତି । କେଉଁ ପରିସ୍ଥିତିରେ ଏବଂ କାହିଁକି ନିୟମ ଉଲ୍ଲଂଘନ କରିଥିଲେ ଅନନ୍ତ ଗୋସ୍ୱାମୀ, ସେନେଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ୍ । ଅନନ୍ତ ଗୋସ୍ୱାମୀ ନିଜ ସୋସିଆଲ ଆକାଉଣ୍ଟରେ ନିଜକୁ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରର ମୁଖ୍ୟ ସେବା ଅଧିକାରୀ ବୋଲି ଦର୍ଶାଇଛନ୍ତି।

୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର : ଆଜିଠୁ ପ୍ରଚଣ୍ଡ ବଜ୍ରପାତରେ ଥରିବ ଉତ୍ତର ଆଭ୍ୟନ୍ତରୀଣ ଓଡିଶା। ଘଡଘଡି ବିଜୁଳି ସହ ଝଡ ବର୍ଷା ନେଇ ସତର୍କତା ଜାରିକରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବୃଦ୍ଧି ନେଇ ସତର୍କତା ଜାରି କରାଯାଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଝଟକା ପବନ ନେଇ ମଧ୍ୟ ସତର୍କତା ଜାରି କରାଯାଇଛି । ସେହିଭଳି ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ବଜ୍ରପାତ ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘଡଘଡି ବିଜୁଳି ସହ କୁଆପଥର ବୃଷ୍ଟି ଏବଂ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର ଏବଂ ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, ଦେବଗଡ, ସମ୍ବଲପୁର, ଏବଂ ଝାରସୁଗୁଡାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୨ ତାରିଖରେ ବଜ୍ରପାତ ସହ କୁଆପଥର ବୃଷ୍ଟି ନେଇ ଉତ୍ତର ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ପଶ୍ଚିମାଝଡ ସହ ସକ୍ରିୟ ରହିଛି ଟ୍ରପଲାଇନ୍। ଏହାର ପ୍ରଭାବରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଟାଇଁ ଟାଇଁ ଖରା ଅନୁଭୁତ ହେବ। କିନ୍ତୁ ଅପରାହ୍ନ ହେବା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। ତେବେ ବର୍ଷା ହେଲେ ତାତିରେ ସାମାନ୍ୟ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। କିନ୍ତୁ ସକାଳ ବେଳା ମେଘମୁକ୍ତ ଆକାଶ ପାଇଁ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଆଜି ସକାଳୁ ରାଜଧାନୀ ଭୁବନେଶ୍ଵରରେ ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇଥିବା ଜଣାପଡିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା

ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ଚାଲିବ ରେଖାଙ୍କ ରାଜ ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ପରବେଶ ବର୍ମା ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। ସେହିପରି ବିଜେନ୍ଦ୍ର ଗୁପ୍ତା ହେବେ ବାଚସ୍ପତି। ଦିଲ୍ଲୀର ରାମଲୀଳା ମଇଦାନରେ ଦିନ ସାଢେ ୧୨ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହେବେ। ରାମଲୀଳା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ମେଟାଲ ଡିଟେକ୍ଟର ଲଗାଯାଉଛି। ପ୍ରବେଶ ପାଇଁ ତିଆରି ହୋଇଥିବା ସମସ୍ତ ଫାଟକରେ ୧୦-୧୦ଟି ମେଟାଲ୍ ଡିଟେକ୍ଟର ଲଗାଯାଇଛି । ଶାଲିମାର ବାଗ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା ଗୁପ୍ତା। ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଶାଲିମାର ବାଗ ବିଧାନସଭା ଆସନରେ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮ ହଜାର ୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ, ବନ୍ଦନା କୁମାରୀଙ୍କୁ ୩୮ ହଜାର ୬୦୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରବୀଣ ଜୈନଙ୍କୁ ମାତ୍ର ୪ ହଜାର ୮୯୨ ଖଣ୍ଡ ଭୋଟ୍ ମିଳିଥିଲା। ୧୯୭୪ ମସିହାରେ ଜନ୍ମ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ରହିଥିଲେ। ୨୦୦୭ରେ ସେ ଉତ୍ତର ପୀତମପୁରାରୁ ଦିଲ୍ଲୀ ମହାନଗର ନିଗମକୁ ନିର୍ବାଚିତ ହୋଇଥିଲେ। ୨୦୧୨ରେ ସେ ପୁଣି ଥରେ ଦିଲ୍ଲୀ ମହାନଗର ନିଗମକୁ ନିର୍ବାଚିତ ହୋଇଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ ଆସନ ମିଳିଥିବା ବେଳେ, ମାତ୍ର ୨୨ ଆସନ ଆମ୍ ଆଦମୀ ପାର୍ଟିକୁ ମିଳିଛି।

ଆଜିଠୁ ଗୃହରେ ୨୦୨୫-୨୬ ବଜେଟ୍ ଉପରେ ଆଲୋଚନା

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷର ଉପାସ୍ଥାପିତ ହୋଇଥିବା ବଜେଟ୍ ଉପରେ ଆଜିଠୁ ଗୃହରେ ଆଲୋଚନା  । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଗୃହରେ ଉପସ୍ଥାପିତ କରିଥିଲେ। ଏହାରି ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ବଜେଟରେ କେଉଁ କେଉଁ ଦିଗକୁ ଗୁରୁତ୍ବ ଦିଆଯାଇଛି, ଆଉ କେଉଁ  ଦିଗ ଗୁଡିକୁ ଗୁରୁତ୍ବ  ଦିଆଯାଇନାହିଁ ତାହାକୁ ନେଇ ଆଲୋଚନା ସମୟରେ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗୃହରେ ମୁହାଁମୁହି ହେବା ସମ୍ଭାବନା ରହିଛି । ପୂର୍ବରୁ ମୋହନଙ୍କ ବଜେଟକୁ ବିପରିତ ଦିଗରେ ଡବଲ ଇଞ୍ଜିନ ସରକାର ଗତି କରୁଛି ବୋଲି କହିଥିଲେ ନବୀନ। ସେପଟେ  ଜଳ ସମ୍ପଦ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା , ଇସ୍ପାତ, ଖଣି, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟ କାଳରେ ଆଇନ ଶୃଙ୍ଖଳା, ମିଶନ ଶକ୍ତି , ଓଡ଼ିଶାକୁ ଅଣଦେଖା ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ ବିରୋଧୀ । ଅନ୍ୟପଟେ ବିରୋଧୀ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ତେଣୁ ଆଜି ବି ଗୃହ ସରଗରମ ହୋଇପାରେ।

ନବୀନ ଭରିଥିଲେ ଉତ୍ସାହ, ମନ ଭାଙ୍ଗି ଦେଲେ ମୋହନ: ମାଗଣା ହୋଇ FIH ପ୍ରୋ-ଲିଗ ମ୍ୟାଚ୍ ଦେଖିବାକୁ ଆସୁନାହାନ୍ତି ଲୋକେ

ଭୁବନେଶ୍ବର: ହକିର ହୃତଗୌରବ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ । ଦୁଇ ଥର ବିଶ୍ବକପ ଆୟୋଜନ କରି ଓଡ଼ିଶା ସାଜିଥିଲା ଉଦାହରଣ । ଏବେ ମୋହନ ଭାଙ୍ଗି ଦେଇଛନ୍ତି ମନ । FIH ପ୍ରୋ-ଲିଗରେ ମାଗଣାରେ ବି ଫାଙ୍କା ପଡୁଛି ସିଟ୍ । ପୂର୍ବ ସରକାର ସମୟରେ କରାଯାଉଥିଲା ବ୍ୟାପକ ପ୍ରଚାର ପ୍ରସାର । ଏବେ ଲୋକଙ୍କ ପାଖରେ ଏଡେ ବଡ଼ ମ୍ୟାଚ ହେଉଥିବା ନେଇ ନାହିଁ ଖବର । ଯାହାକୁ ନେଇ କ୍ରୀଡାପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି ।

ହକିର ହୃତଗୌରବ ଫେରାଇ ଆଣିଥିଲେ ନବୀନ । ହକିପ୍ରେମୀଙ୍କ ବଢାଇଥିଲେ ହାର୍ଟବିଟ୍ । ଭୁବନେଶ୍ବର କଳିଙ୍ଗରୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ ଯାଏଁ ସୃଷ୍ଟି କରିଥିଲେ ଅଭୂତପୂର୍ବ କ୍ରେଜ । ସାରା ଓଡ଼ିଶାରେ ଗୁଞ୍ଜରିତ ହୋଇଥିଲା ଚକ ଦେ ଇଣ୍ଡିଆ ନାରା । ବିଶ୍ବ ଦରବାରରେ ସୃଷ୍ଟି କରି ପାରିଥିଲେ ସ୍ବତନ୍ତ୍ର ପରିଚୟ । ଖେଳାଳିଙ୍କୁ ନବୀନଙ୍କ ପ୍ରୋତ୍ସାହନ ବି ଉକୃଷ୍ଟ କ୍ରୀଡା ପ୍ରଦର୍ଶନ ପାଇଁ ଯୋଗାଇଥିଲା ବଳ । ୨୦୧୮ ଓ ୨୦୨୩ FIH ହକି ଓ୍ବାର୍ଲ୍ଡ କପ୍ ଆୟୋଜନ କରି ଓଡ଼ିଶା ସାଜିଥିଲା ଉଦାହରଣ । ହେଲେ ଏବେ ମୋହନ ଭାଙ୍ଗି ଦେଇଛନ୍ତି ମନ । ଏଫଆଇଏଚ ପ୍ରୋ-ଲିଗରେ ମାଗଣାରେ ବି ଫାଙ୍କା ପଡୁଛି ସିଟ୍ । ପୂର୍ବରୁ ଟିକେଟ୍ କିଣିବାକୁ ଲାଗୁଥିଲା ଲମ୍ବା ଲାଇନ୍ । ଏବେ ମାଗଣା ଥିଲେ ବି ଲୋକ ଆସିବାକୁ ଅମଙ୍ଗ ।

ସେପଟେ ବାରବାଟୀ କ୍ରିକେଟ୍ ମ୍ୟାଚ ବେଳେ ଘୋ ଘାରେ ଫାଟି ପଡୁଥିଲା ଷ୍ଟାଡିୟମ । ମ୍ୟାଚ ଟିକେଟ ପାଇଁ ସୃଷ୍ଟି ହେଉଥିଲା କଳାବଜାରୀ ସ୍ଥିତି । ଏଫଆଇଏଚ ପ୍ରୋ-ଲିଗରେ ମାଗଣାରେ ବି ଫାଙ୍କା ପଡୁଛି ସିଟ୍ । ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ-ଲିଗ୍ ଖେଳାଯାଉଛି । ରାଜଧାନୀରେ ହକି ଫିଭର୍, ହେଲେ ତାହା ଷ୍ଟାଡିୟମରେ ପରିଲକ୍ଷିତ ହେଉନାହିଁ । ଷ୍ଟାଡିୟମର ନର୍ଥ ଓ ସାଉଥ୍ ଗ୍ୟାଲେରୀ ପୂରା ଫାଙ୍କା । ହକି ଇଣ୍ଡିଆ ତରଫରୁ ଷ୍ଟାଡିୟମ ଭିତରକୁ ପ୍ରବେଶ ସଂପୂର୍ଣ୍ଣ ମାଗଣା ଥିଲେ ମଧ୍ୟ ଲୋକେ ଆସୁ ନାହାନ୍ତି । ଦର୍ଶକଙ୍କ ମତ ଏବେ ରାଜ୍ଯରେ କ୍ରିକେଟର ଯେମିତି ପ୍ରଚାର ଓ ପ୍ରସାର କରାଯାଉଛି ଠିକ୍ ସେହିଭଳି ହକିର ପ୍ରଚାର ଓ ପ୍ରସାର କରାଯାଉନି ।

ପୂର୍ବରୁ ଯେବେ ବି ମ୍ଯାଚ ଆୟୋଜିତ ହେଉଥିଲା, ସେବେ ଲୋକଙ୍କ ଖଚାଖଚ ଭିଡ ଜମୁଥିଲା । ହେଲେ ଚଳିତବର୍ଷ ଭୁବନେଶ୍ବରରେ ହକି ମ୍ଯାଚ ହେଉଛି ବୋଲି ଲୋକ ଜାଣୁ ବି ନାହାନ୍ତି । ରାଜ୍ଯ ସରକାର ହକିର ପ୍ରାୟୋଜକ ଅଛନ୍ତି । ସରକାରଙ୍କ ତରଫରୁ ଯେତିକି ପ୍ରଚାର ପ୍ରସାର ହେବା କଥା ସେତିକି କରାଯାଉନାହିଁ । ସେଥିପାଇଁ ଷ୍ଟାଡିୟମ୍ ଫାଙ୍କା ପଡୁଥିବା କହିଛନ୍ତି କ୍ରୀଡା ପ୍ରେମୀ । ପୂର୍ବ ସରକାର ସମୟରେ ଦୁଇ ଥର ହକି ବିଶ୍ବକପ, ପ୍ରୋ-ଲିଗ, ହକି ଲିଗ ଆୟୋଜିତ ହୋଇଥିଲା । ପୂର୍ବରୁ ହକିକୁ ନେଇ ଓଡିଶା ଗର୍ବିତ ହୋଇଛି । ହେଲେ ଏବେ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରର ମ୍ଯାଚ ବେଳେ ସିଟ ଫାଙ୍କା ପଡିବା କ୍ରୀଡୀ ପ୍ରେମୀଙ୍କୁ ନିରାଶ କରିଛି ।

୧୦ ବର୍ଷ ପରେ ସଂଶୋଧନ ହେବାକୁ ଯାଉଛି ଜମିପଟ୍ଟା, ରହିବ ଅସଲି ମାଲିକଙ୍କ ନାମ

ଭୁବନେଶ୍ବର: ୧୦ ବର୍ଷ ପରେ ସଂଶୋଧନ ହେବ ଜମିପଟ୍ଟା । ପୂର୍ବ ସରକାର ମଧ୍ୟ ପଟ୍ଟା ଅପଡେଟ କରିବାକୁ ଉଦ୍ୟମ କରିଥିଲେ । ହେଲେ ତହସିଲଦାରଙ୍କ ମାନସିକତା, କାମର ଚାପ ଓ ମାନବ ସମ୍ବଳ ଅଭାବ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା । ଏବେ ବିଜେପି ସରକାର ପୁଣି ଥରେ ଜମିପଟ୍ଟାରେ ଅସଲ ମାଲିକଙ୍କ ନାମ ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ଏସଓପି । ନିର୍ଦ୍ଦିଷ୍ଟ ସମୟ ସୀମା ସ୍ଥିର ହୋଇଛି । ଏଡିଏମ୍ ଜିଲ୍ଲା ସ୍ତରରେ ଓ ଉପଜିଲ୍ଲାପାଳ ସବଡିଭିଜନ ସ୍ତରରେ ନୋଡାଲ ଅଫିସର ଭାବେ କାମ କରିବେ । ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲେ ମଧ୍ୟ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି ।

ସୁଦକ୍ଷ ରାଜସ୍ବ ପ୍ରଶାସନ ପାଇଁ ସଠିକ ଜମିପଟ୍ଟା ବା ଆରଓଆର ନିହାତି ଜରୁରୀ । ଜମିପଟ୍ଟା ସଂଶୋଧନ ପାଇଁ ରାଜସ୍ବ ବିଭାଗର ଚାଲିବ ସ୍ପେଶାଲ ଡ୍ରାଇଭ । ଜାରି ହେଲା ସ୍ବତନ୍ତ୍ର ଏସଓପି । ଉଦ୍ୟମକୁ ପ୍ରଶଂସା, ହେଲେ କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ । ୧୯୬୨ରୁ ୨୦୧୪ ମଧ୍ୟରେ ବନ୍ଦୋବସ୍ତ ଜରିଆରେ ହୋଇଥିଲା ଜମିପଟ୍ଟାରେ ସଂଶୋଧନ । ଏହା ପରଠାରୁ ଆଉ ହୋଇନାହିଁ । ପଟ୍ଟାରେ ନାଁ ଥିବା ଲୋକଙ୍କ ମଧ୍ୟରୁ ୭୫ରୁ ୮୦ ପ୍ରତିଶତ ପ୍ରାଣ ହରାଇ ସାରିଲେଣି । ଜମିପଟ୍ଟାରେ ଉତ୍ତରାଧିକାରୀଙ୍କ ନାଁ ରହିବା ଜରୁରୀ । ବ୍ୟାଙ୍କ ଋଣ, କୃଷି ବୀମା ଓ ସରକାରୀ ସହାୟତା ପାଇଁ ସଠିକ୍ ଜମିପଟ୍ଟା ଜରୁରୀ । ରାଜ୍ୟରେ ୧ କୋଟି ୯୩ ଲକ୍ଷ ୭୭ ହଜାର ୩୭୬ଟି ଜମିପଟ୍ଟା ରହିଛି । ଯେଉଁଥିରେ ୩ କୋଟି ୯୫ ଲକ୍ଷ ୪୨ ହଜାର ୮୮୧ ଲୋକଙ୍କ ନାଁ ରେକର୍ଡରେ ରହିଛି । ହେଲେ ଗତ ୪ ବର୍ଷରେ ମାତ୍ର ୪ ଲକ୍ଷ ୧୨ ହଜାର ଲେକାଙ୍କ ଜମିପଟ୍ଟା ଅପଡେଟ ହୋଇପାରିଛି । ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ ୧୯୫୮ ଅନୁସାରେ ସଠିକ୍ ପଟ୍ଟା ପ୍ରସ୍ତୁତ କରିବା ତହସିଲଦାରଙ୍କ ପ୍ରମୁଖ କାର୍ଯ୍ୟ । କିନ୍ତୁ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଥଇଥାନ, ଖଜଣା ଆଦାୟରେ ତହସିଲ କାର୍ଯ୍ୟାଳୟ ବ୍ୟସ୍ତ ରହୁଥିବାରୁ ହୋଇପାରୁନି ପଟ୍ଟା ସଂଶୋଧନ କାମ । କେବଳ ଚିଠି କରିଦେଲେ ହେବ ନାହିଁ, ଏସବୁ କରିବାକୁ ସରକାର ତହସିଲଦାରମାନଙ୍କୁ ସବୁ ପ୍ରକାର ସହାୟତା ବି ଦେବା ଜରୁରୀ ବୋଲି କହିଛନ୍ତି ସମୀକ୍ଷକ ।

ଜମିପଟ୍ଟାରେ ଅସଲ ଜମି ମାଲିକଙ୍କ ନାଁ ଲିପିବଦ୍ଧ କରିବାକୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି ରାଜସ୍ବ ବିଭାଗ । ଏଥିପାଇଁ ସ୍ବତନ୍ତ୍ର ଏସଓପି ବି ଜାରି ହୋଇଛି । ତହସିଲ ପ୍ରଶାସନ ଗାଁ ଗାଁ ବୁଲି ଏ ବାବଦରେ ଲୋକଙ୍କୁ ସଚେତନ କରିବେ । ସ୍ବତନ୍ତ୍ର କ୍ୟାମ୍ପ କରି ପଟ୍ଟାରେ ଥିବା ଲୋକଙ୍କ ଉତ୍ତରାଧିକାରୀ ନାଁ ଲିପିବଦ୍ଧ କରିବେ । ଯଦି ଉତ୍ତରାଧିକାରୀମାନେ ଆପୋଷ ବୁଝାମଣାରେ ଜମି ଭାଗ କରିବାକୁ ଚାହୁଁଥିବେ, ତାହା ତହସିଲ କାର୍ଯ୍ୟାଳୟରେ କରିବେ । ଉତ୍ତରାଧିକାରୀଙ୍କ ନାଁ ଲିପିବଦ୍ଧ କଲା ବେଳେ ଯେପରି କୌଣସି ମହିଳା ଉତ୍ତରାଧିକାରୀ ବାଦ ନପଡ଼ନ୍ତି, ସେଥିପ୍ରତି ଗୁରୁତ୍ବ ଦେବେ । ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାସ୍ତରରେ ଓ ଉପଜିଲ୍ଲାପାଳ ସବ ଡିଭିଜନ ସ୍ତରରେ ନୋଡାଲ ଅଫିସର ଭାବେ କାମ କରିବେ । ଜିଲ୍ଲାପାଳ ନିୟମିତ ବ୍ୟବଧାନରେ ସ୍ଥିତି ଅନୁଧ୍ୟାନ କରିବେ । ମୋବାଇଲ ଆପ୍ ଜରିଆରେ ବି ଉତ୍ତରାଧିକାରୀଙ୍କ ନାଁ ରେକର୍ଡ କରାଯାଇପାରିବ। ଏଥିରେ ଆଧାର କାର୍ଡ ନମ୍ବର ମଧ୍ୟ ରହିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରାଜସ୍ବ ନିରୀକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ସେମାନଙ୍କ ପାଇଁ ସରକାର ଇନସେଣ୍ଟିଭ ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ଜମିପଟ୍ଟା ସଂଶୋଧନକୁ ସ୍ବାଗତ କରିଛି କୃଷକ ସଙ୍ଗଠନ । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାର ଆବଶ୍ୟକତାକୁ ସ୍ବୀକାର କରିଥିବା ବେଳେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ।

ରାଜସ୍ବ ନିରୀକ୍ଷକ ମାନେ ପ୍ରତି ଗାଁରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ଜମି ପଟ୍ଟା ସଂଶୋଧନ କାମ ଆଗେଇ ନେବା ସହ ପ୍ରତିଦିନ ସର୍ବନିମ୍ନ ୨୫ଟି ଖାତା କିମ୍ବା ୨୫ଟି ମୃତ ପ୍ରଜାଙ୍କ ବଂଶାବଳୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ରାଜସ୍ବ ବିଭାଗର ଏହା ଏକ ବୃହତ୍ତମ କାର୍ଯ୍ୟକ୍ରମ ହୋଇଥିବାରୁ ସରକାରୀ ନିର୍ଦ୍ଦେଶନାମା ସହ ଆବଶ୍ୟକ ଭିତ୍ତିଭୂମି ଓ ମାନବସମ୍ବଳ ଯୋଗାଇ ଦେବା ବି ଜରୁରୀ ରହିଛି ।

କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ଭାବେ ଜିତି ହୋଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଛି ମୋହର । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ତେବେ କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ହୋଇ ବି ହେବିଓ୍ବେଟଙ୍କୁ ପଛରେ ପକାଇ ଦିଲ୍ଲୀ ସିଂହାସନରେ ବସିବାକୁ ହେଲେ ସକ୍ଷମ, ଆସନ୍ତୁ ଜାଣିବା ।

ଦିଲ୍ଲୀ ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟିକା ଭାବେ ଜିତିଛନ୍ତି ରେଖା ଗୁପ୍ତା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଧାୟିକା ଭାବେ ପ୍ରଥମ ଥର ଜିତିଛନ୍ତି ରଖା । ତାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର କରିଛନ୍ତି ।

୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଅଧ୍ୟକ୍ଷା ବନିଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରୁ କର୍ପୋରେଟର ଭାବେ ଜିତିଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD)ର ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିଲେ ।

ପିଏମଙ୍କୁ ଦେଇଥିଲେ ବିଜୟର ଶ୍ରେୟ

ଶାଲିମାର ବାଗ ବିଧାନସଭା ଆସନରୁ ସେ ବିଧାୟିକା ଭାବେ ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଆପ ନେତାଙ୍କୁ ୨୯ ହଜାର ୫୯୫ ଖଣ୍ଡ ଭୋଟରେ ପରାସ୍ତା କରିଛନ୍ତି । ବିଜୟ ପରେ ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କ୍ଷମତା ଆଜି ତାଙ୍କୁ ବିଜୟ ଦେଇଛି, ଦିଲ୍ଲୀବାସୀ ଆମ ପାଖରୁ ବିକାଶର ଆଶା ରଖିଛନ୍ତି ବୋଲି କହିଥିଲେ ।

ରେଖାଙ୍କ ଉପଲବ୍ଧି

ନିଜ ରାଜନୈତିକ କ୍ୟାରିୟରରେ ରେଖା ମହିଳା କଲ୍ୟାଣ, ଶିକ୍ଷା ସୁଧାର ଓ ସମୂହିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେ ନିଜ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ ଓ କମ୍ୟୁନିଟି ହଲ ପରି ସୁବିଧା କରିଥିଲେ । ଏହାବାଦ ସେ ମହିଳା ଓ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ଏହାସହ କନ୍ୟଭୃଣ ହତ୍ୟା ଓ ଶିଶୁ ଶ୍ରମିକ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।