spot_img
Home Blog Page 1035

ମୃତ୍ୟୁ ଏମିତି ବି ଆସେ! ଶ୍ବାସନଳୀରେ ମଟର ଦାନା ଅଟକି ଯିବାରୁ ଚାଲିଗଲା ଦେଢ଼ ବର୍ଷୀୟ ଶିଶୁର ଜୀବନ

ରାଞ୍ଚି: ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ଅନେକ ସମୟରେ ବଡ଼ ବଡ଼ ଅଘଟଣରୁ ମଣିଷ ବର୍ତ୍ତି ଯାଉଥିବା ବେଳେ ସାମାନ୍ୟ ଘଟଣାରେ ଜୀବନ ଚାଲିଯାଇଥାଏ । ବିଶେଷ କରି ସାଧାରଣ ବୋଲି ଜଣାପଡ଼ୁଥିବା କୌଣସି ଛୋଟ ଖାଦ୍ୟ ସାମଗ୍ରୀ ମଧ୍ୟ ମଣିଷର ମୃତ୍ୟୁର କାରଣ ସାଜିପାରେ । ଅନୁରୂପ ଭାବେ ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡରେ । ମଟର ଦାନା ପାଇଁ ଚାଲି ଯାଇଛି ଗୋଟିଏ କଅଁଳ ଶିଶୁର ଜୀବନ ଜୀବନ ।

ସାଧାରଣ ଭାବେ ଖାଦ୍ୟର ସ୍ବାଦ ବଢ଼ାଇବ ପାଇଁ ରୋଷେଇ ଘରେ ମଟର ଦାନାକୁ ବ୍ୟବହାର କରାଯାଇଥାଏ । ମାତ୍ର ସଭିଙ୍କର ଏହି ପ୍ରିୟ ସବଜି ଆଜି ଗୋଟିଏ ଦେଢ଼ ବର୍ଷର ଶିଶୁର ମୃତ୍ୟୁର କାରଣ ସାଜିଛି । ତେଣୁ କଞ୍ଚା ମଟର ଖାଇବା ବି ଅନେକ ସମୟ ଆପଣଙ୍କ ପାଇଁ ବିପଦ ସାଜିପାରେ । ଝାଡ଼ଖଣ୍ଡର ଲୋହରଦଗାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା । ମଟର ଦାନା ଶିଶୁର ଶ୍ବାସ ନଳୀରେ ଅଟକି ଯାଇଥିଲା । ଫଳରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଶିଶୁଟିକୁ ବଞ୍ଚାଇବାକୁ ଡାକ୍ତର ପ୍ରାଣପଣେ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲେ ।

ସୂଚନା ମୁତାବକ, ଶିଶୁଟିକୁ ପରିଜନମାନେ କ୍ଷେତକୁ ନେଇଯାଇଥିଲେ । ସେଠାରେ ଶିଶୁଟି ଖେଳିବା ସମୟରେ ମଟର ଗଛକୁ ଉପାଡ଼ି ଘରକୁ ନେଇଯାଇଥିଲା । ତା’ପରେ ଶିଶୁଟି ମଟର ଫଳକୁ ତୋଳି ତା’ର ଦାନାକୁ ଖାଇଦେଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଉକ୍ତ ଦାନା ତା’ର ତଣ୍ଟିରେ ଅଟକି ଯାଇଥିଲା । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ  ତାକୁ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ତିନି ଦିନ ସଂକଳ୍ପ ଯାତ୍ରା ପରେ ଆଜି ବେଶ ଜୋଶରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପ୍ରଭାରୀ ଅଜୟ କୁମାର ଲଲ୍ଲୁ । କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ଏକଜୁଟ ହୋଇ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି ଭକ୍ତ ।

୩୦ ମିନିଟରୁ ଅଧିକ ସମୟ ଧରି ନେତାଙ୍କ ସହ ସଂଗଠନ ଉପରେ ଆଲୋଚନା କରିଥିଲେ ଉଭୟ। ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ ପ୍ରମୁଖ ନେତା ଏହି ଅବସରରେ ଉପସ୍ଥିତ ଥିଲେ। ସେହିପରି ସଂଗଠନକୁ ତିଆରି କରିବା ପାଇଁ ପଦଯାତ୍ରା କଲୁ । ସମର୍ପଣ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରୁ ପୁରୀ ଯାଏ ପଦଯାତ୍ରା କରି ଜଗନ୍ନାଥଙ୍କ ଆଶୀର୍ବାଦ ନେଲୁ । ଲୋକଙ୍କ ଠାରୁ ପଇସା ନେଇ କଂଗ୍ରେସ ରାଜନୀତି କରିବ । ତାଙ୍କୁ କିଏ ଅପମାନ କଲେ ସେ ସହିଯିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭକ୍ତ । କଂଗ୍ରେସକୁ ତିଆରି କରିବାକୁ ସେ ଦରକାର ପଡିଲେ ଜୀବନ ଦେବାକୁ ପ୍ରସ୍ତୁତ । କାମ ପାଇଁ ତାଙ୍କର ସମର୍ପଣ ଭାବ ସବୁବେଳେ ରହିବ । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବଡ ଦାୟିତ୍ୱ ଦେଇଛନ୍ତି  । ଅନେକ ରାଜ୍ୟରେ ତାଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରେ ନୂଆ ଚିନ୍ତାଧାରରେ ରାଜନୀତି ହେବ ବୋଲି କହିଛନ୍ତି ଭକ୍ତ । କ୍ରାନ୍ତି ଆରମ୍ଭ ହୋଇଛି । ଦୁଇ ବର୍ଷ ଭିତରେ ଗାଁ ଗାଁରେ କ୍ରାନ୍ତି ଅଣାଯିବ ବୋଲି ଆଶା କରିଛନ୍ତି ଭକ୍ତ ।

ସେହିପରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ କହିଛନ୍ତି, ସଙ୍ଗଠନ ସଜାଡିବା ସହ ଲୋକଙ୍କ ହିତକୁ ପ୍ରାଧାନ୍ୟ ଦେବ କଂଗ୍ରେସ । ସାମାଜିକ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବ ଦଳ । ଗରିବ ଲୋକଙ୍କ ସ୍ଵର ସାଜିବ କଂଗ୍ରେସ । ବ୍ଲକ୍, ଜିଲ୍ଲା ସଂଗଠନକୁ ଚଳଞ୍ଚଳର କରାଯିବ । ରାଜ୍ଯରେ ୩୬ ହଜାର ମହିଳା ଓ ଶିଶୁ ନିଖୋଜ ରହିଛନ୍ତି । ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଏ ପ୍ରସଂଗରେ ଶୋଇଛନ୍ତି କାହିଁକି ବୋଲି କଂଗ୍ରେସ ପ୍ରଭାରୀ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଖଣି, ପାଣି ଲୁଟୁଛନ୍ତି । ଆଦିବାସୀମାନେ ଅଧିକାର ପାଉନାହାନ୍ତି । କଂଗ୍ରେସ ସଶକ୍ତ ବିରୋଧୀ ଦଳ ଭାବେ କାମ କରିବ । ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବ । ୭ମାସରେ ୭୦୦ ବଦନାମ ବୋଝ ନେଇଛି ବିଜେପି ସରକାର । ବିଜେପିକୁ ହଟାଇବା ଏବେ ଲୋକଙ୍କର ପ୍ରଧାନ ମାନସିକତା ବୋଲି କହିଛନ୍ତି ଅଜୟ ଲଲ୍ଲୁ ।

ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

ନୂଆାଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଶାରୀରିକ ଅସୁସ୍ଥତା କାରଣରୁ ସୋନିଆଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପେଟ ସହ ଜଡ଼ିତ ସମସ୍ୟା କାରଣରୁ ୭୮ ବର୍ଷୀୟା ସୋନିଆଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦେଇଛନ୍ତି ।

ପେଟ ସମସ୍ୟା କାରଣରୁ ସୋନିଆଙ୍କୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଥିଲେ । ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ । ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟରେ ଶେଷଥର ପାଇଁ ସୋନିଆଙ୍କୁ ଦେଖିବାକୁ ମିଳିଥିଲା ।

ଦେଶରେ ବଢିଚାଲିଛି ବ୍ୟାଙ୍କ ଫ୍ରଡ: ଫ୍ରଡ ପଛରେ କର୍ମଚାରୀ !

ନନ୍ଦିଘୋଷ ବ୍ୟୁରୋ: କାହିଁକି ଘଟିଚାଲିଛି ବ୍ୟାଙ୍କ ଫ୍ରଡ ? ଦୈନିକ କାହିଁକି ହଜାର ହଜାର ନିରୀହ ଉପଭୋକ୍ତା ହେଉଛନ୍ତି ସାଇବର ଠକଙ୍କ ଶିକାର। ଏହାରି ପଛରେ ଖୋଦ୍ ବ୍ୟାଙ୍କ କର୍ମଚାରୀ ଓ ତୃତୀୟ ପକ୍ଷ ଭେଣ୍ଡରଙ୍କ ହାତ ରହୁଥିବା ସୂଚନା ମିଳିଛି। ସାଇବର ଜାଲିଆତି ମାମଲାର ତଦନ୍ତ କରୁଥିବା ବିଭିନ୍ନ ସାଇବର ସିକ୍ୟୁରିଟି ସଂସ୍ଥା ଏନେଇ ସୂଚନା ପାଇଛି।

ସାଇବର ଜାଲିଆତି ବିରୋଧରେ ପଦକ୍ଷେପ ନେବା ଲାଗି କିଛି ସପ୍ତାହ ପୂର୍ବେ କେନ୍ଦ୍ର ଗୃହ ମନ୍ତ୍ରାଳୟର ବୈଠକ ବସିଥିଲା। ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ କରାଯାଉଥିବା ଯାଞ୍ଚରୁ ଏହା ଜଣାପଡିଛି ଯେ, ବ୍ଯାଙ୍କର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟାବଳୀ ସମ୍ପର୍କରେ ଜାଣିବା ଲାଗି କର୍ମଚାରୀ ଓ ତୃତୀୟ ପକ୍ଷ ଭେଣ୍ଡରମାନଙ୍କୁ ଅନୁମତି ଦେବା ଯୋଗୁ ସାଇବର ଫ୍ରଡ ସଂଖ୍ୟା ଅଧିକ ଘଟିବାରେ ଲାଗିଛି। ଜଣେ ବରିଷ୍ଠ ସରକାରୀ କର୍ମକର୍ତ୍ତାଙ୍କ କହିବା କଥା, ବ୍ୟାଙ୍କର ଅତି ଗୋପନୀୟ ତଥ୍ଯାବଳୀକୁ କର୍ମଚାରୀ ଓ ଆଉଟସୋର୍ସିଂ ଷ୍ଟାଫ ସହଜରେ ଜାଣିପାରୁଥିବାରୁ ଏହାର ଫାଇଦା ନେଉଛନ୍ତି ସାଇବର କ୍ରିମିନାଲ।

ବଡ଼କଥା ହେଉଛି ଜାତୀୟ ସାଇବରକ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଦର୍ଶାଯାଇଥିବା ଜାଲ୍ ଆକାଉଣ୍ଟଗୁଡିକ ମଧ୍ଯରୁ ୬୦ରୁ ୭୦ ପ୍ରତିଶତ ଆକାଉଣ୍ଟଗୁଡିକ ବିରୋଧରେ ବ୍ୟାଙ୍କ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ବ୍ୟାଙ୍କ ନିରାପତ୍ତା କ୍ଷେତ୍ରରେ ବ୍ୟାପକ ତ୍ରୁଟି ଯୋଗୁ ଜାଲିଆତି ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଭିନ୍ନ ଆର୍ଥିକ ଗୁଇନ୍ଦା ସଂସ୍ଥା।

ମହାରାଷ୍ଟ୍ରରେ ବଢିଲା ମହାୟୁତି ଫାଟ; ୩ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଲେନାହିଁ ସିନ୍ଦେ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ବଢିଲା ମହାୟୁତି ବିବାଦ। ସରକାରରୁ ସାଇଡ ମାରିଲେଣି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଲଗାତର ଭାବରେ ୩ଟି ସରକାରୀ କାର୍ଯ୍ୟକ୍ରମରେ ସିନ୍ଦେ ଉପସ୍ଥିତି ନହେବାରୁ ବିବାଦ ଘନୀଭୂତ ହୋଇଥିବା ଚର୍ଚ୍ଚା ହେଉଛି।

ଥାନେର ବଦାଲପୁରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ, ଆଗ୍ରା ଦୁର୍ଗରେ ମରାଠା ରାଜାଙ୍କ ଜନ୍ମବାର୍ଷିକୀ ଏବଂ ଅମ୍ବେଗାଁ ବୁଦରୁକରେ ଶିବସୃଷ୍ଟି ଥିମ୍ ପାର୍କର ଉନ୍ମୋଚନ ଉତ୍ସବରେ ସିନ୍ଦେ ଯୋଗ ଦେଇ ନଥିବାରୁ ମହାୟୁତି ଭିତରେ ଯେ ଫାଟ ବଢିଛି ତାହା ଚର୍ଚ୍ଚା ଚାଲିଛି। ଏହି ସମସ୍ତ ଉତ୍ସବରେ କେବଳ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଯୋଗ ଦେଇଥିଲେ। ପ୍ରଥମରୁ ମୁଖ୍ୟମନ୍ତ୍ରୀ ହେବା ଲାଗି ଉଦ୍ୟମ କରି ବିଫଳ ହୋଇଥିବା ଏକନାଥ ସିନ୍ଦେ ଏବେ ସରକାରରେ ଏକଘରିକିଆ ଅବସ୍ଥାରେ ରହିଛନ୍ତି। ଏହା ସହ କିଛି ଦିନ ତଳେ ଶିବସେନାର କେତେକ ବିଧାୟକଙ୍କଠାରୁ ୱାଇ କାଟେଗୋରୀ ସୁରକ୍ଷା ପ୍ରତ୍ୟାହାର ପରଠାରୁ ଦଳରେ ଅଶାନ୍ତି ଜାରି ରହିଛି।

୫ ବର୍ଷ ଧରି ଗାଏବ ଥିବା ଆଲିବାବାର ମାଲିକ ଜ୍ୟାକ ମା’ ଶେଷରେ ସାମ୍ନାକୁ ଆସିଲେ

ବେଜିଂ: ଚୀନର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଶିଳ୍ପପତି ଜ୍ୟାକ ମା’ଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଦୀର୍ଘ ୫ ବର୍ଷ ଧରି ଗାଏବ ଥିବା ଜ୍ୟାକ ମା ଶେଷରେ ସାବର୍ଜନିକ ଭାବେ ସାମ୍ନାକୁ ଆସିଛନ୍ତି । ବିଶ୍ବର ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଉଥିବା ଜ୍ୟାକ ମା ଆଲିବାବା ଗ୍ରୁପର ମାଲିକ ଅଟନ୍ତି । ୨୦୨୦ ମସିହା ପରଠାରୁ ଜ୍ୟାକ ମା’ଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳୁନଥିଲା । ସେହି ସମୟଠାରୁ ଜ୍ୟାକ ମା’ ସମ୍ଭବତଃ ଗାଏବ ରହିଥିଲେ । ଚୀନର ଆର୍ଥିକ କ୍ଷେତ୍ରକୁ ନେଇ ସେ ଆଲୋଚନା କରିଥିଲେ । ତା’ ପରଠାରୁ ସେ କୁଆଡ଼ା ଗାଏବ ହୋଇଯାଇଥିଲେ । ମାତ୍ର ଏବେ ଜ୍ୟାକ ମା ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ସାମ୍ନାକୁ ଆସିଛନ୍ତି । ତେଣୁ ଚୀନରେ ଆଗକୁ କ’ଣ ଘଟିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।

ଆଲିବାବାର ସଂସ୍ଥାପକ ଜ୍ୟାକ ମା ବିଶ୍ବର ସବୁଠାରୁ ଧନୀବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିଲେ । ସେ ଚୀନର ସବୁଠାରୁ ଚର୍ଚ୍ଚିତ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ୨୦୨୦ ପରଠାରୁ ଜ୍ୟାକ ମା’ଙ୍କୁ କୌଣସି ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିନଥିଲା । ଚୀନର ଆର୍ଥିକ ସିଷ୍ଟମକୁ ନେଇ ଜ୍ୟାକ ମା ଖୋଲାଖୋଲି ଭାବେ ଆଲୋଚନା କରିଥିଲେ, ଯାହାକୁ କି ବେଜିଂ ସରକାର ସହଜରେ ଗ୍ରହଣ କରିପାରି ନଥିଲେ । ଉକ୍ତ ଘଟଣା ପରେ ଚୀନ ସରକାର ଜ୍ୟାକ ମା’ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଜ୍ୟାକ ମା’ ନିଜକୁ ସାର୍ବଜନିକ ଜୀବନ ଠାରୁ ଦୂରେଇ ରଖିଥିଲେ । ମାତ୍ର ଏବେ ପୁଣି ଥରେ ଜ୍ୟାକ ମା’ଙ୍କ ପ୍ରତ୍ୟାବର୍ତ୍ତନ ଏକ ନୂଆ ସଙ୍କେତ ଦେଉଛି । ଚୀନ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ଏହା କ’ଣ ସମାଧାନର ସଙ୍କେତ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଲା ବିଜେଡି

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ମାହାଙ୍ଗା ପ୍ରସଙ୍ଗ ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା PRI ସଦସ୍ୟଙ୍କୁ ମାଡ଼ ମରାଗଲା । DSP ବି ମାଡ଼ ଖାଇଲେ । ତାଙ୍କ ମୁଣ୍ଡ ଓ ଆଖି ଫାଟିଲା । ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ସରକାରୀ ଗୁଣ୍ଡା ସାଜି ମାଡ ମାରିଲେ । ପୋଲିସର ମନୋବଳ ଭାଙ୍ଗିଲାଣି । ଆଇନଶୃଙ୍ଖଳା ଭୁଶୁଡିଛି । ସୁରକ୍ଷା ଦିଆଯାଉ ବୋଲି ଗୃହରେ ନିବେଦନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ଆହୁରି ମଧ୍ୟ କହିଛନ୍ତି, ମାହାଙ୍ଗାରେ ଯଦି ଦୁର୍ନୀତି ହେଉଛି ତେବେ ଦୁର୍ନୀତିଗ୍ରସ୍ତଙ୍କୁ ସରକାର ବାନ୍ଧନ୍ତୁ। କିନ୍ତୁ କାମ ଯଦି ହେଉଛି ବିଲ୍ ଦିଆଯାଉ । ହିମାଳୟ ଭଳି ବଡ଼ ବଜେଟ ଆଣିଲେ କଣ ହେବ ? ବଜେଟ ଖର୍ଚ୍ଚ କରିପାରୁନାହାଁନ୍ତି ସରକାର । ବିଧାୟକ କହିଲେ, ଯଦି ଦୁର୍ନୀତି ହୋଇଛି ତେବେ ଗୋଡ଼଼ ଉପରକୁ କରିକି ବାଡ଼ାଅ । ଏପରି ବୟାନ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡି ଗଲାଣି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ତେବେ ଖର୍ଚ୍ଚ କେତେବେଳେ କରିବେ ବୋଲି ପଚାରି ଅରୁଣ ବାଚସ୍ପତିଙ୍କ ନିର୍ଦ୍ଦେଶ ଦାବି କରିଥିଲେ । ମାର୍ଚ୍ଚ ୩୧ ସୁଦ୍ଧା ଗତ ବଜେଟ ଖର୍ଚ୍ଚ କରନ୍ତୁ ସରକାର । ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତୁ । ପୋଲିସର ମନୋବଳ ଭାଙ୍ଗି ଦିଅନ୍ତୁ ନାହିଁ ।

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଭାରତ ଜିତି ପାରିବନି: ଭବିଷ୍ୟବାଣୀକୁ ନେଇ ଟ୍ରୋଲ ହେଲେ IIT ବାବା

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବାଂଲାଦେଶ ବିପକ୍ଷରେ ବିଜୟରୁ ଭାରତ ତା’ର ଅଭିଯାନ ଆରମ୍ଭ କରିଥିବା ବେଳେ ଆସନ୍ତା ୨୩ ତାରିଖରେ ପାକିସ୍ତାନକୁ ଭେଟିବ । ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍  ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ବିବାଦଘେରକୁ ଚାଲିଆସିଛନ୍ତି ଚର୍ଚ୍ଚିତ IIT ବାବା । ଭାରତ-ପାକ୍ ମ୍ୟାଚର ଫଳାଫଳକୁ ନେଇ ବାବା ଏକ ଭବିଷ୍ୟତବାଣୀ କରିଛନ୍ତି । ଏହି ଭବିଷ୍ୟବାଣୀଙ୍କୁ ନେଇ ଏବେ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳିଛି ।

ଚାମ୍ପିୟନ୍ସ ଟ୍ରଫିରେ ଆସନ୍ତା ୨୩ରେ ହେବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାର ଫଳାଫଳକୁ ନେଇ IIT ବାବା ଅଭୟ ସିଂହ  ଭବିଷ୍ୟବାଣୀ କରିଛନ୍ତି । ଉକ୍ତ ଭବିଷ୍ୟବାଣୀକୁ ନେଇ ବାବା ଟ୍ରୋଲ ହୋଇଛନ୍ତି । ନିକଟରେ ପ୍ରୟାଗରାଜ ମହାକୁମ୍ଭରେ ଚର୍ଚ୍ଚା ଘେରରେ ରହିଥବା ଅଭୟ ସିଂହ ପୁଣି ଥରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି । ବାବାଙ୍କ ଭବିଷ୍ୟବାଣୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏକ ୟୁଟ୍ୟୁବ ଚ୍ୟାନେଲରେ ଆଲୋଚନାରେ ଅଂଶଗ୍ରହଣ କରି ବାବା କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ହେବାକୁ ଥିବା ମହାମୁକାବିଲାରେ ଏଥର ପାକିସ୍ତାନ ଟିମ୍ ଜିତିବ । ଏହି ମ୍ୟାଚରେ ବିରାଟ କୋହଲି ଓ ଅନ୍ୟ ଖେଳାଳି ମାନେ ଜୀ-ଜାନ ଲଗାଇବେ, ମାତ୍ର ଭାରତ ଏହି ମ୍ୟାଚ ଜିତିପାରିବନି ବୋଲି ବାବା କହିଛନ୍ତି । ତେବେ ବାବାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ତାଙ୍କୁ ବହୁମାତ୍ରାରେ ଟ୍ରୋଲ କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଶାନ୍ତି ସ୍ଥାପନ ପାଇଁ ଏକାଠି ହେଲେ ଭାରତ-ପାକିସ୍ତାନ: ଦୁଇ ଦେଶ ମଧ୍ୟରେ ଚାଲିଛି ଫ୍ଲାଗ ମିଟିଂ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାରେ ଅଧିକାଂଶ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଅନ୍ୟ କାରଣକୁ କେନ୍ଦ୍ର କରି ଅନେକ ସମୟରେ ସୀମାରେ ଭାରତୀୟ ସୁରକ୍ଷା କର୍ମୀଙ୍କ ସହ ପାକ୍ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥାଏ । ଉକ୍ତ ମୁହାଁମୁହିଁରେ ଅନେକ ଯବାନ ଓ ଆତଙ୍କବାଦୀଙ୍କ ପ୍ରାଣହାନୀ ହୋଇଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଶାନ୍ତି ସ୍ଥାପନ ପାଇଁ ଦୁଇ ଦେଶ ଏକାଠି ହୋଇଛନ୍ତି । ଜମ୍ମୁ କଶ୍ମୀର ଏଲଓସିରେ ଦୁଇ ଦେଶ ମଧ୍ୟରେ ବ୍ରିଗେଡିୟର ସ୍ତରୀୟ ଫ୍ଲାଗ ମିଟିଂ ଅନୁଷ୍ଠିତ ହୋଇଛି । ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଅସ୍ତ୍ର ବିରତି ଉଲ୍ଲଂଘନକୁ ନେଇ ଏହି ମିଟିଂ ଜାରି ରହିଛି । ଜିଲ୍ଲାର ଚକନ ଦା ବାଗ ଏଲଇସି କ୍ରସିଂ ପଏଣ୍ଟରେ ଦୁଇ ପକ୍ଷର ବ୍ରିଗେଡିୟର ସ୍ତରୀୟ ଅଧିକାରୀମାନେ ସାମିଲ ହୋଇଛନ୍ତି । ୨୦୨୧ରେ ଉଭୟ ରାଷ୍ଟ୍ର ଅସ୍ତ୍ରବିରତି ଘୋଷଣା କରିଥିଲେ । ମାତ୍ର ନିକଟରେ ଏଲଓସିରେ କିଛି ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା । ନିକଟରେ ଏଲଓସିରେ କିଛି ଯବାନ ଆହତ ହେବା ସହ ଆଉ ପୁଞ୍ଜ ଓ ରାଜୌରୀ ଜିଲ୍ଲାରେ ଦୁଇଜଣ ଯବାନ ସହିଦ ହୋଇଥିଲେ । ଗତ ୧୧ ତାରିଖରେ ଦୁଇଜଣ ଯବାନଙ୍କ ସମେତ ଜଣେ କ୍ୟାପଟେଲ ଆଇଟି ବିସ୍ଫୋରଣରେ ସହିଦ ହୋଇଥିଲେ

ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ: ଆତିଶୀ ସରକାର ସମୟରେ ନିଯୁକ୍ତି ପାଇଥିବା ସବୁ ବ୍ୟକ୍ତିଗତ ଷ୍ଟାଫ ହଟିଲେ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆକ୍ସନ ମୋଡ଼ରେ ରେଖା ଗୁପ୍ତା । ନୂଆା ମୁଖ୍ୟମନ୍ତ୍ରୀ ପୂର୍ବ ଆତିଶୀ ସରକାରଙ୍କ ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କ ସେବା ସମାପ୍ତ କରିଦେଇଛନ୍ତି । ଏଥିସହିତ ଯେଉଁ ଅଧିକାରୀ ଓ କର୍ମଚାରୀଙ୍କୁ ଅନ୍ୟ ବିଭାଗମାନଙ୍କରେ ନିଯୁକ୍ତି କରାଯାଇଥିଲା, ସେମାନଙ୍କୁ ତୁରନ୍ତ ନିଜର ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ଦିଲ୍ଲୀର କମାଣ ସମ୍ଭାଳିବା ପରେ ନୂଆ ସିଏମଙ୍କ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନା ।

ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଗୁପ୍ତା ଆତିଶୀ ସରକାରଙ୍କ ବ୍ୟକ୍ତିଗତ ଷ୍ଟାଫଙ୍କ ସେବା ବନ୍ଦ କରିଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି । ଏଥିସହିତ ଆମ ଆଦମୀ ପାର୍ଟିର ସରକାର ଯେଉଁ ଅଧିକାରୀ ଓ କର୍ମଚାରୀଙ୍କୁ ଅନ୍ୟ ବିଭାଗରେ ନିଯୁକ୍ତି ଦେଇଥିଲା, ସେମାନଙ୍କୁ ତୁରନ୍ତ ନିଜର ମୂଳ ବିଭାଗରେ ରିପୋର୍ଟ କରିବାକୁ କୁହାଯାଇଛି । ଅନେକ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରତିନିଯୁକ୍ତି ଉପରେ ଅନ୍ୟ ବୋର୍ଡ କର୍ପୋରେସନକୁ ପଠାଯାଇଛି । ସପ୍ତାହେ ପୂର୍ବରୁ ପୂର୍ବ ସରକାରଙ୍କ ତରଫରୁ କଣ୍ଟ୍ରାକ୍ଟ ଓ ବ୍ୟକ୍ତିଗତ ଷ୍ଟାଫଙ୍କ ତଥ୍ୟ ସବୁ ବିଭାଗକୁ ମଗାଯାଇଥିଲା । ସେମାନଙ୍କୁ ମୂଳ ବିଭାଗକୁ ଫେରିବାକୁ କୁହାଯାଇଛି ।  ନିକଟରେ ଦିଲ୍ଲୀର ମୁଖ୍ୟ ସଚିବ ଏହାକୁ ନେଇ ଏକ ନୋଟିସ ଜାରି କରିଥିଲେ । ସେଥିରେ ସବୁ ନନ-ଅଫିସିଆଲ ଷ୍ଟାଫଙ୍କ ଲିଷ୍ଟ ମଗାଯାଇଥିଲା । କେଜ୍ରିଓ୍ବାଳ ସରକାରରେ ଅଲଗା ଅଲଗା ବିଭାଗରେ ଅନେକ ପ୍ରକାରର ନନ-ଅଫିସିଆଲ ଷ୍ଟାକଙ୍କୁ ନିଯୁକ୍ତି ଦିଆଯାଇଥିଲା ।